ନନ୍ଦିଘୋଷ ବ୍ୟୁରୋ: ଗିରଫ ହେଲେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ଗତକାଲି ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରଣୀଧରଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ରେଡ ବେଳେ ଭୁବନେଶ୍ଵର ପଟିଆରେ ପ୍ରାୟ ଦେଢ଼ କୋଟିର 3 BHK ଫ୍ଲାଟ, ସୁନ୍ଦରପଦାରେ ୧୮୦୦ ବର୍ଗ ଫୁଟ୍ ର ଡୁପ୍ଲେକ୍ସ, କେନ୍ଦୁଝର ତେଲକୋଇରେ ଦୁଇ ମହଲା ବିଶିଷ୍ଟ ମାର୍କେଟ କଂପ୍ଲେକ୍ସ ଠାବ ହୋଇଥିଲା । ମାର୍କେଟ କଂପ୍ଲେକ୍ସରେ ଅଛି ୧୫ଟି ଦୋକାନ। ତା ଉପରେ ଆଉ ଏକ ମାର୍କେଟ କଂପ୍ଲେକ୍ସ ଅଛି, ଏଥିରେ ଅଛି ୪ଟି ଦୋକାନ। ତେଲକୋଇ ବଡ଼ିନାଳିରେ ନିର୍ମାଣାଧୀନ ଦୁଇ ମହଲା କୋଠା, ତେଲକୋଇ ଛାମୁଣ୍ଡାରେ ଗୋଟିଏ ବିଲଡିଂ, ଭୁବନେଶ୍ଵରର ପ୍ରାଇମ୍ ଲୋକେସନରେ ୨ଟି ଓ ତେଲକୋଇରେ ୭ଟି ପ୍ଲଟ । ଏହା ସହିତ ମିଳିଥିଲା ନଗଦ ୧୦ ଲକ୍ଷ ଟଙ୍କା । ୨୦୨୨ରେ ସେ ୭୫ ଲକ୍ଷ ଟଙ୍କାର ଲୋନ୍ ନେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଦୁଇ ବର୍ଷ ଭିତରେ ସେହି ଋଣ ସେ ସୁଝି ଦେଇଥିଲେ ଧରଣୀଧର । ବେଆଇନ ଭାବେ ଆୟ କରିଥିବା ଟଙ୍କାରୁ ସେ ଏହି ଋଣ ସୁଝିଥିବାରୁ ଅନୁମାନ କରାଯାଉଛି। ଏହା ସହିତ ବ୍ୟାଙ୍କ, ବୀମା, ପୋଷ୍ଟାଲ ଜମାର ଆକଳନ କରାଯାଇଛି । ଗୋଟିଏ ଚାରି ଚକିଆ ଗାଡ଼ି ମଧ୍ୟ ଜବତ ହୋଇଛି। ଧରଣୀଧର ନାୟକ ଆୟବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ଵର, ତାଳଚେର, ତେଲକୋଇ, କେନ୍ଦୁଝରର ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ। ନିଜ ବାସଭବନ, ପୈତୃକ ଘର, ଅଫିସ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ।
ଭାରତ ପାଇଁ ଐତିହାସିକ ଦିନ, ଗୋଟିଏ ଦିନରେ ୮ଟି ମେଡାଲ
ନନ୍ଦିଘୋଷ ବ୍ୟୁରୋ: ପାରାଲିମ୍ପିକ୍ସରେ ଭାରତୀୟଙ୍କ କମାଲ । ୨ ସେପ୍ଟେମ୍ବର ୨୦୨୪ ଭାରତ ପାଇଁ ଏକ ଐତିହାସିକ ଦିନ । ପ୍ୟାରିସ ପାରାଲିମ୍ପିକ୍ସରେ ଗୋଟିଏ ଦିନରେ ଦେଶ ୮ଟି ପଦକ ହାସଲ କରିଛି । ଗୋଟିଏ ଦିନରେ ମିଳିଲା ୨ଟି ସ୍ବର୍ଣ୍ଣ ସହ ୮ଟି ମେଡାଲ୍। ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ୍ ମିଳିଛି। ଭାରତ ଏପର୍ଯ୍ୟନ୍ତ ୧୫ଟି ପଦକ ସହିତ ୧୫ତମ ସ୍ଥାନରେ ରହିଛି ।
ଯୋଗେଶ କାଠୁନିଆ ରୌପ୍ୟ ଜିତି ପଞ୍ଚମ ଦିନରେ ମେଡାଲର ଶୁଭାରମ୍ଭ କରିଥିବା ବେଳେ ବ୍ରୋଞ୍ଜ ଜିତି ଦିନର ଶେଷ କରିଥିଲେ ନିତ୍ୟା ଶ୍ରୀ। ପଞ୍ଚମ ଦିନରେ ସୁମିତ ଅନ୍ତିଲ ଓ ନିତେଶ କୁମାର ଗୋଲ୍ଡ ଜିତିଛନ୍ତି। ସୁମିତ ଜାଭେଲିନ୍ ଥ୍ରୋରେ ରେକର୍ଡ କରି ହାତେଇଛନ୍ତି ସ୍ବର୍ଣ୍ଣ ପଦକ। ସେହିପରି ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତିଛନ୍ତି ନିତେଶ କୁମାର। ଏବର୍ଷ ଭାରତ ନିଜର ସର୍ବୋତ୍ତମ ପ୍ରଦର୍ଶନ ଆଡକୁ ଗତି କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ହରିୟାଣାର ୨୯ବର୍ଷୀୟ ନୀତେଶ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍୩ ବର୍ଗରେ ବ୍ୟାଡମିଣ୍ଟନରେ ଗ୍ରେଟ୍ ବିଟ୍ରେନର ଡାନିୟଲ ବେଥେଲଙ୍କୁ ୨୧-୧୪, ୧୮-୨୧, ୨୩-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ସ୍ବର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ଆଥଲେଟ ହୋଇଛନ୍ତି।
ଲଗାତାର ଭାବେ ଦୁଇ ଦୁଇଟି ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବାରେ ଅବନୀ ଲେଖରାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ କରିଛନ୍ତି ପାରା ଅଲିମ୍ପିଆନ୍ ସୁମିତ ଅନ୍ତିଲ। ପ୍ୟାରିସ୍ ପାରାଅଲିମ୍ପିକ୍ସ ଜାଭଲିନ ଥ୍ରୋରେ F64 କାଟେଗୋରୀରେ ଅଂଶଗ୍ରହଣ କରି ସୁମିତ ଏହି ସଫଳତା ପାଇଛନ୍ତି। ନିଜର ପୂର୍ବ ରେକର୍ଡ ଭାଙ୍ଗି ସୁମିତ ପୁଣି ଥରେ ଗୋଲ୍ଡ ଜିତିଛନ୍ତି ।
ଯୋଗେଶ କଥୁନିଆ ଡିସକସ୍ ଥ୍ରୋରେ ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି।ଯୋଗେଶ କଥୁନିୟାଙ୍କ ପ୍ରଥମ ଥ୍ରୋ ୪୨.୨୨ମିଟର ଥିଲା। ଏହା ପରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଯଥାକ୍ରମେ ୪୧.୫୦ମିଟର, ୪୧.୫୫ ମିଟର, ୪୦.୩୩ ମିଟର ଏବଂ ୪୦.୮୯ ମିଟର ଥିଲା।
ସେହିପରି ତୀରନ୍ଦାଜୀ ମିକ୍ସଡ ଇଭେଣ୍ଟରେ ରାକେଶ ଓ ଶୀତଲଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଏହାପୂର୍ବରୁ ଟୋକିଓରେ ପାରାଲିମ୍ପିକ୍ସ (ବ୍ରୋଞ୍ଜ) ରେ ଭାରତ ପାଇଁ ତୀରନ୍ଦାଜ ପଦକ ଜିତିଥିଲେ। ଏଥର ଶୀଟାଲ ପ୍ରଥମ ଭାରତୀୟ ମହିଳା ଭାବରେ ତୀରନ୍ଦାଜରେ ପଦକ ଜିତିଛନ୍ତି। ଆଉ ପଞ୍ଚମ ଦିନର ଶେଷରେ ମହିଳା ସଟଲର ନିତ୍ୟାଶ୍ରୀ ବ୍ରୋଞ୍ଜ ହାତେଇଛନ୍ତି।
ଆଜି ସପ୍ତପୁରୀ ଅମାବାସ୍ୟା, ମହାପ୍ରଭୁଙ୍କ ନିକଟରେ ଲାଗିହେବ ସପ୍ତପୁରୀ ଭୋଗ
ପୁରୀ: ଆଜି ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଆଜିର ଦିନରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗିହୋଇଥାଏ । ଠାକୁରଙ୍କ ଅବକାଶ ନୀତି ସରିବା ପରେ ବେଶ କରାଯାଇଥାଏ । ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷଘରୁ ଆସିଥାଏ । ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରିଥାନ୍ତି । ସଂଧ୍ୟାଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ । ଏହି ଅବସରରେ ଗତକାଲି ଅଠରନଳା ନିକଟ ମାଆ ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରରେ ପହଂଚିଥିଲା । ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ତାଡ ଗୁଡିକୁ ରୋଷ ବେହେରଣରେ ରଖାଯାଇଥିଲା । ସଂଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇଥିଲେ ।
ଆଜି ଆସିବ ନୂଆ ବିଲ୍, ୧୦ ଦିନରେ ଦୁଷ୍କର୍ମକାରୀ ହେବେ ଦୋଷୀ ସାବ୍ୟସ୍ତ
କୋଲକତା: ୧୦ ଦିନ ମଧ୍ୟରେ ଦୁଷ୍କର୍ମକାରୀ ହେବ ଦୋଷୀ ସାବ୍ୟସ୍ତ । ମୃତ୍ୟୁଦଣ୍ଡ ଦେବାର କରାଯିବ ବ୍ୟବସ୍ଥା । ବିଧାନସଭାରେ ଏଭଳି ବିଲ୍ ଆଣିବାକୁ ଯାଉଛନ୍ତି ପଶ୍ଚିମବଙ୍ଗ ସରକାର । ଗତକାଲିଠୁ ଆରମ୍ଭ ହୋଇଥିବା ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନରେ ଆଜି ବିଲ ଆଗତ ହୋଇପାରେ । ଏହି ବିଲର ନାଁ ରହିଛି ଅପରାଜିତା ୱିମେନ୍ ଆଣ୍ଡ ଚାଇଲ୍ଡ (ପଶ୍ଚିମବଙ୍ଗ ଅପରାଧିକ ଆଇନ ସଂଶୋଧନ) । ବିଲ ଆଗତ ପରେ ରାଜ୍ୟପାଳଙ୍କ ଜରିଆରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ । ବିରୋଧୀ ବିଜେପି ଏହି ବିଲକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ତଥାପି ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଆରଜି କର ମେଡିକାଲ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ଯା ଘଟଣା ପରେ ଏହି ବିଲ୍ ଆଣିବା ଲାଗି ରାଜ୍ଯ ସରକାର ନିଷ୍ପତ୍ତି ନେଇଛନ୍ତି।
ଛାତିଥରା ଦୁର୍ଘଟଣା, ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ
ଉଦଳା: ଗାଡି ତଳେ ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ, ଆଇଆଇସି ଓ ପୋଲିସ ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ । ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ଘଟିଥିଲା ଏହି ମର୍ମନ୍ତୁଦ ସଡ଼କ ସୁର୍ଘଟଣା । ବିଳମ୍ବିତ ରାତିରେ ଉଦଳା ଆଇଆଇସି ବନମାଳୀ ବାରିକ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ପାଟ୍ରୋଲିଙ୍ଗ ଏବଂ ଚେକିଂ କରୁଥିଲେ। ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ପୋଲିସ ଗାଡି ଛିଡା କରି ବାଇକରେ ଯାଉଥିବା ଯୁବକଙ୍କ ତନଖି ନିମନ୍ତେ ଅନ୍ୟ କର୍ମଚାରୀ ଓହ୍ଲାଇଥିବା ବେଳେ ହଠାତ ବାରିପଦାରୁ କପ୍ତିପଦା ଅଭିମୁଖେ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଆସି ପୋଲିସ ଗାଡିକୁ ଧକ୍କା ଦେଇଥିଲା। ଏତେ ଜୋରରେ ଧକ୍କା ଦେଇଥିଲା ଯେ ପୋଲିସ ଗାଡିଟି ୩ ରାଉଣ୍ଡ ଓଲଟି ଥିଲା । ପରେ ୧୦୮ ଆମ୍ବୁଲାନ୍ସଟି ପୋଲିସ ଗାଡିକୁ ଘୋଷାରି ନେଇଥିଲା । ପୋଲିସ ଗାଡି ଓଲଟିବା ଫଳରେ ଗାଡ଼ିରେ ଥିବା ଉଦଳା ଆଇଆଇସି ବନମାଳୀ ବାରିକ, ଡ୍ରାଇଭର ସଦାନନ୍ଦ ସିଂ ଗାଡି ଭିତରେ ଗୁରୁତର ହୋଇଥିଲେ । ଅନ୍ୟପଟେ ଗାଡି ଭିତରେ ଥିବା ହୋମଗାର୍ଡ ଲକ୍ଷ୍ମୀଧର ମହାନ୍ତଙ୍କର ପୋଲିସ ଗାଡି ତଳେ ଚାପି ହୋଇ ମୃତ୍ୟୁ ଘଟିଥିଲା । ୧୦୮ ଆମ୍ବୁଲାନ୍ସର ହେଲ୍ପର ହେମନ୍ତ ନାଏକ, ଫାର୍ମାସିଷ୍ଟ ସତ୍ୟଜିତ ପଣ୍ଡାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ଖବର ପାଇ ତୁରନ୍ତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୋଲିସ ଗାଡି ଡ୍ରାଇଭର ସଦାନନ୍ଦ ଏବଂ ଆଇଆଇସି ବନମାଳୀ ବାରିକ ଙ୍କ ଅବସ୍ଥା ବିପଦସଂକୁଳ ରହିଥିବାରୁ ସେମାନଙ୍କୁ ତୁରନ୍ତ ବାରିପଦା ସ୍ଥାନାନ୍ତର କରାଯାଇଛି।
ଆରଜି କର ହସପିଟାଲର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷ ଗିରଫ
ନନ୍ଦିଘୋଷ ବ୍ୟୁରୋ: ଗିରଫ ହେଲେ ସନ୍ଦୀପ ଘୋଷ । ଆରଜି କର ହସପିଟାଲର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ । ଏକ ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ସିବିଆଇ ଗିରଫ କରିଛି । ଏକ ଟେଣ୍ଡର ଫିକ୍ସିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ବିବାଦକୁ ଆସିଥିଲେ ସନ୍ଦୀପ । ମାମଲାରେ ସିବିଆଇ ସ୍କାନରରେ ସନ୍ଦୀପ ରହିଛନ୍ତି । ସନ୍ଦୀପ ମାମଲାକୁ ଚପାଇବାକୁ ଉଦ୍ୟମ କରିବା ସହ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ସିବିଆଇ ସନ୍ଦୀପଙ୍କୁ ୧୨ ଦିନରେ ୧୨୦ରୁ ଅଧିକ ଘଣ୍ଟା ଧରି ଜେରା ସହ ତାଙ୍କର ପଲିଗ୍ରାଫ ଟେଷ୍ଟ ମଧ୍ଯ କରିଛି । ସନ୍ଦୀପଙ୍କ ବିରୋଧରେ ଆରଜି କର୍ ମେଡିକାଲ କଲେଜରେ ଆର୍ଥିକ ଅନିୟମିତତାର ଅଭିଯୋଗ ବି ରହିଥିଲା। ସନ୍ଦୀପ ଘୋଷଙ୍କୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ମଧ୍ଯ ସସପେଣ୍ଡ କରିଛି ।
ବିଧାନସଭା ଦ୍ବିତୀୟ ପର୍ଯ୍ଯାୟ ଅଧିବେଶନର ଦ୍ବାଦଶ ଦିନ, ସ୍ବାଭାବିକ ହୋଇନପାରେ ପ୍ରଶ୍ନକାଳ
ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ଯାୟ ବଜେଟ ଅଧିବେଶନର ଆଜି ଦ୍ବାଦଶ ଦିନ । ଆଜି ବି ଗୃହ ବେଶ ସରଗରମ ରହିବ । ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ଯ ଉନ୍ନୟନ, ସରକାରୀ ଉଦ୍ଯୋଗ, ଶ୍ରମ ଓ କର୍ମଚାରୀ ବିଭାଗର ପ୍ରଶ୍ନ ରହିଛି । ଶୂନ୍ଯକାଳରେ ସୁଭଦ୍ରା, ମଦମୃତ୍ଯୁ ଆଦି ପ୍ରସଙ୍ଗ ଗୃହରେ ଉଠାଇପାରନ୍ତି ବିରୋଧୀ । ସେହିପରି ମୁଲତବୀ ପ୍ରସ୍ତାବ ବି ଆସିପାରେ। ଅପରାହ୍ନରେ ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଗତକାଲି ସୁଭଦ୍ରା ଯୋଜନାକୁ ନେଇ ଗୃହ ହୁଲସ୍ତୁଲ ହୋଇଥିଲା ।
ଜଙ୍ଗଲୀ ଜୀବନରୁ ଡାକ୍ତରୀ ଦୁନିଆ: ଓଡ଼ିଶାର ଆଦିବାସୀ ଛାତ୍ରଙ୍କ ବୈପ୍ଳବିକ ସଫଳତା
ଭୁବନେଶ୍ବର: ଚଳିତବର୍ଷ ନିଟ କ୍ଲିୟର କରିଛନ୍ତି ରାଜ୍ଯର ଏକାଧିକ ଜନଜାତି ଛାତ୍ର । ଦାରିଙ୍ଗବାଡ଼ିରୁ ବଣ୍ଡାଘାଟି ଯାଏଁ ସବୁଠି ପଡ଼ିଛି ସଫଳତାର ପାଦଚିହ୍ନ । ଏହି ଐତିହାସିକ ସଫଳତା ପାଇଁ ସହାୟ ହୋଇଛି ନବୀନ ସରକାରଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି । ଉପାନ୍ତରରେ ସୁଦୃଢ ଶିକ୍ଷା ଭିତ୍ତିଭୂମି, ଡାକ୍ତରୀ ଓ ଇଞ୍ଜିନିୟରିଂରେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ବରଦାନ ସାଜିଛି ।
ଦାରିଙ୍ଗବାଡ଼ିର କଳାକାର ପ୍ରଧାନ । ଲମତାପୁଟର ଇଶାକ ବଡନାୟକ । ରାୟଗଡାର ନବସ ଶବର । ବଣ୍ତାଘାଟିର ମଙ୍ଗଳା ମୁଦୁଲି । ସମସ୍ତେ ଆଦିବାସୀ, ସମସ୍ତେ ଅଭାବୀ । କିଏ ବାପାଙ୍କ ସହ ମୂଲ ଲାଗିଛି ତ ଆଉ କିଏ ପେଟରେ ଓଦା କନା ପକାଇ ଦିନ କାଟିଛି । ଛପର ଘରେ ରାତି ପାହିଛି, ପୁଣି ବଣ ଜଙ୍ଗଲର ଆକାଶ ତଳେ ସ୍ବପ୍ନକୁ ଅଣ୍ଡାଳି ଦିନ ବିତିଛି । ହେଲେ ଜୀବନର ସଂଘର୍ଷମୟ ଯାତ୍ରାରେ ଏମାନଙ୍କ ପାଇଁ ଆଜି ଅଭାବ କେବଳ ଶବ୍ଦଟିଏ । ଉପାନ୍ତକୁ ଆଶାର ଆଲୋକରେ ଆଲୋକିତ କରି ଏମାନେ ବନିଛନ୍ତି ଜଣେ ଜଣେ ଡାକ୍ତରୀ ଛାତ୍ର । ନିଟ୍ କ୍ବାଲିଫାଏ ପରେ ମେଡିକାଲ କଲେଜରେ ନାଁ ଲେଖାଇବା ସହ ସାଜିଛନ୍ତି ଓଡ଼ିଶାର ସମୃଦ୍ଧ ଶିକ୍ଷାର ଜ୍ବଳନ୍ତ ଉଦାହରଣ ।
ରାୟଗଡାର ଲାଞ୍ଜିଆ ସଉରା ଜନଜାତିର ନବସ ଶବର । ଜୀବନ କହିଲେ ଜଙ୍ଗଲ ଆଉ ଜଙ୍ଗଲ କହିଲେ ଜୀବନ । ପାଠ ପଢିବା ଯେମିତି ଏଇ ଜନଜାତିଙ୍କୁ ମନା । ହେଲେ ଜଙ୍ଗଲ ଆଉ ଜୀବନର ଜଞ୍ଜାଳ ଭିତରୁ ବାହାରି ସେ ହୋଇଛନ୍ତି ବାଜିଗର । ଆଉ ବନିଯାଇଛନ୍ତି ଡାକ୍ତରୀ ଛାତ୍ର । ଠିକ ସେମିତି ଲମତାପୁଟ ଗୋଦବା ଆଦିବାସୀ ପୁଅ ଇଶାକ ବଡନାୟକ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତାଙ୍କ ପାଇଁ ପାଲଟିଲା ବରଦାନ । ମଙ୍ଗଳା ମୁଦୁଲି ଓ କଳାକାର ପ୍ରଧାନଙ୍କ ସଂଘର୍ଷର କାହାଣୀ ବି କିଛି କମ ନୁହେଁ ।
ଆଦିବାସୀ ଛାତ୍ରଙ୍କ ଐତିହାସିକ ସଫଳତାକୁ ନେଇ ଆଜି ସବୁଠି ଚର୍ଚ୍ଚା । ହେଲେ ଏହାର ସୂତ୍ରଧର ହେଉଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ଏବେର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଦିବାସୀ ଛାତ୍ରଟିଏ କାହିଁକି ଡାକ୍ତର ଓ ଇଞ୍ଜିନିଅର ହୋଇପାରିବନି ? ଏକଥାକୁ ଗୁରୁତର ସହିତ ନେଇ ଉପାନ୍ତରେ ଶିକ୍ଷାର ବିକାଶ କରିଥିଲେ ନବୀନ ସରକାର । ସ୍କୁଲଗୁଡ଼ିକରେ ଭିତ୍ତିଭୂମିର ସୁଦୃଢିକରଣ ସହ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୧୫ ପ୍ରତିଶତ ସିଟ୍ ସଂରକ୍ଷଣ କରିଥିଲେ । ଯାହାର ସୁଫଳ ଆଜି ଛାତ୍ରଛାତ୍ରୀମାନେ ଲାଭ କରୁଛନ୍ତି ।
ଓଡ଼ିଶାର ଆଦିବାସୀ ଛାତ୍ରଙ୍କ ବୈପ୍ଳବିକ ସଫଳତା ଯେତିକି ଉଲ୍ଲେଖନୀୟ ଏଥିପାଇଁ ନବୀନଙ୍କ ଅବଦାନ ସେତିକି ସ୍ମରଣୀୟ ।
ଲକ୍ଷାଧିକ କୋଟି ଟିକସ ଆଦାୟ ହେଉଥିଲେ ବି କାହିଁକି ବଢୁଛି ବିତ୍ତୀୟ ନିଅଣ୍ଟ ?
ଭୁବନେଶ୍ବର: ଲକ୍ଷାଧିକ କୋଟି ଟିକସ ଆଦାୟ ହେଉଛି । ହେଲେ ଦେଶରେ ବଢୁଛି ବିତ୍ତୀୟ ନିଅଣ୍ଟ । ସାଢ଼େ ୪ ପ୍ରତିଶତ ବଦଳରେ କେନ୍ଦ୍ର ସରକାରଙ୍କ ଗତ ଜୁଲାଇ ସୁଦ୍ଧା ବିତ୍ତୀୟ ନିଅଣ୍ଟ ଆସି ପହଞ୍ଚିଲାଣି ୧୭.୨ ପ୍ରତିଶତରେ । ବେରୋଜଗାରୀ ଓ ଦରଦାମ ଚରମ ସୀମାରେ ପହଞ୍ଚିଥିବାରୁ ଲୋକେ ହେଉଛନ୍ତି ହନ୍ତସନ୍ତ । ସେପଟେ ଓଡ଼ିଶାରେ ନବୀନ ସରକାରଙ୍କ ୨୪ ବର୍ଷ ଶାସନରେ ଋଣ ହୋଇଥିଲା ୭୮ ହଜାର କୋଟି । ଋଣଗ୍ରସ୍ତ ରାଜ୍ୟ ଭାବେ ଦେଶରେ ସବୁଠୁ କମ ଋଣ ନେଇଥିଲା ଓଡ଼ିଶା । ହେଲେ ବିଜେପି ସରକାର ଆସୁଆସୁ ପ୍ରଥମ ବର୍ଷରେ ଋଣ କଲେଣି ୪୫ ହଜାର କୋଟି । ଏପରି ସ୍ଥିତିରେ ଦେଶ ଓ ରାଜ୍ୟର ଆର୍ଥିକ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।
ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ବିତ୍ତୀୟ ନିଅଣ୍ଟ ସାଢେ ୪ ପ୍ରତିଶତ ରହିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ହେଲେ ଅଭିବୃଦ୍ଧି ରିପୋର୍ଟ ଦେଖିଲେ ଜଣାପଡ଼ିଛି, ବିତ୍ତୀୟ ନିଅଣ୍ଟ ପରିମାଣ ଆର୍ଥିକ ବର୍ଷ ଆରମ୍ଭରୁ ୪ ଗୁଣ ବଢିଛି । ଗଲା ଜୁଲାଇ ସୁଦ୍ଧା ଦେଶର ବିତ୍ତୀୟ ନିଅଣ୍ଟ ୧୭.୨ ପ୍ରତିଶତରେ ପହଞ୍ଚିଛି । ଏଠି ପ୍ରଶ୍ନ ଉଠୁଛି, ଆଦାୟ ହେଉଥିବା ଲକ୍ଷାଧିକ କୋଟି ରାଜସ୍ବ ଯାଉଛି କୁଆଡ଼େ ? ଦେଶର ଅର୍ଥନୀତି ପାଇଁ ଏପରି ଅବସ୍ଥା ଆଦୌ ଶୁଭଙ୍କର ନୁହେଁ । ଦେଶରେ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଛି । ଦରଦାମ ବୃଦ୍ଧି ଯୋଗୁଁ ବଜାର ମାନ୍ଦା । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଅର୍ଥନୀତି ସମୀକ୍ଷକ । ଯାହା ଲାଗୁଛି କେନ୍ଦ୍ରକୁ ଅନୁସରଣ କରୁଛି ରାଜ୍ଯ । କାରଣ ଋଣଭାରରେ ବି କେନ୍ଦ୍ର ସରକାର ବୁଡିଲେଣି । ପୂର୍ବ ନବୀନ ସରକାରଙ୍କ ୨୪ ବର୍ଷ ଭିତରେ ଓଡ଼ିଶା କରିଥିଲା ୭୮ ହଜାର କୋଟି ଋଣ । ସବୁ ବର୍ଗର ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ହୋଇଥିଲା ଯୋଜନା । ଆଉ ବିକଶିତ ଓଡ଼ିଶା ଗଠନର ଦ୍ବାହି ଦେଇ କ୍ଷମତାକୁ ଆସିଲା ବିଜେପି । କ୍ଷମତା ଦଖଲର ପ୍ରଥମ ବର୍ଷ ଖୋଲା ବଜାରରୁ ମୋହନ ସରକାର ଋଣ କରିବାକୁ ଯାଉଛନ୍ତି ୪୫ ହଜାର କୋଟି ।
ବେରୋଜଗାରୀ ଦେଶରେ ଉତ୍କଟ ରୂପ ନେଲାଣି । ଜଳବାୟୁ ପରିବର୍ତ୍ତନ ଯୋଗୁଁ କୃଷି ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ଦରଦାମ ବୃଦ୍ଧି ଲୋକଙ୍କୁ ଆର୍ଥିକ ଦୁଃସ୍ଥିତି ଭିତରକୁ ଠେଲି ଦେଲାଣି । ଲୋକଙ୍କ ମୁଣ୍ଡପିଛା ଆୟ ମଧ୍ୟ କମି ଚାଲିଛି । ଓଡ଼ିଶାରେ ବି ସମାନ ସ୍ଥିତି । ଋଣ କରି ଭିତ୍ତିଭୂମି ବିକାଶ କଲେ କିଛି ଅସୁବିଧା ନାହିଁ । କିନ୍ତୁ ଲୋକପ୍ରିୟ ହେବାକୁ ଯଦି ଋଣ କରି କେବଳ ରାଜନୈତିକ ଫାଇଦା ପାଇଁ ସହାୟତା ପ୍ରଦାନ କରାଯିବ ତା’ହେଲେ ସେଥିରେ ରାଜ୍ୟର ଋଣଭାର ବୃଦ୍ଧି ପାଇବ ହିଁ ପାଇବ । ବରିଷ୍ଠ ଅର୍ଥନୀତିଜ୍ଞ ମତରେ ଚଳିତ ଥର ପ୍ରଥମ କରି କେନ୍ଦ୍ର ସରକାର ସବୁ ରାଜ୍ୟକୁ ବାର୍ଷିକ ଦେଢ଼ ଲକ୍ଷ କୋଟି ଋଣ ପ୍ରଦାନ କରିବେ ବୋଲି ବଜେଟରେ ଘୋଷଣା କରିଛନ୍ତି । ସେଥିରୁ ୫୦ ହଜାର କୋଟି ବିନା ସୁଧରେ ଋଣ ପ୍ରଦାନ କରାଯିବ । ବାକି ୧ ଲକ୍ଷ ଟଙ୍କାର ଋଣ ପାଇଁ ରାଜ୍ୟ ଭିତ୍ତିଭୂମି ବିକାଶ କଲେ ୫୦ ବର୍ଷ ଭିତରେ କେନ୍ଦ୍ରକୁ ଅଳ୍ପ ସୁଧରେ ଫେରସ୍ତ କରିବ । ହେଲେ ରାଜ୍ୟମାନେ ଯଦି ଏହି ଟଙ୍କା ଖର୍ଚ୍ଚ କରିବା ପାଇଁ ବିସ୍ତୃତ ପ୍ଲାନ୍ ପ୍ରସ୍ତୁତ କରି ନଥିବେ ତା’ହେଲେ ଏହି ଅର୍ଥ ଖର୍ଚ୍ଚର ସୁଫଳ ତତ୍କାଳ ଲୋକେ ପାଇବେ ନାହିଁ ।
ଗତ ଶନିବାର ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ବାର୍ଟର ଅଭିବୃଦ୍ଧି ରିପୋର୍ଟ ଘୋଷଣା କଲେ କେନ୍ଦ୍ର ସରକାର । ଅଭିବୃଦ୍ଧି ୬.୭ ପ୍ରତିଶତରେ ସୀମିତ ରହିଲା । ବିଶେଷଜ୍ଞ ଆକଳନ ବେରୋଜଗାରୀ ଓ ଦରଦାମ ବୃଦ୍ଧି ଯୋଗୁଁ ଆଗାମୀ ତ୍ରୟମାସିକରେ ଏହି ଅଭିବୃଦ୍ଧି ସମାନ ରହିପାରେ ।
‘ସୁଭଦ୍ରା’ ନାଁରେ ନିର୍ବାଚନୀ ପ୍ରତିଶ୍ରୁତିର ପାହାଡ଼ରେ ଚଢ଼ାଇ ଦେଇ ଲଲିପପ୍ ଧରାଇ ଦେଲେ ମୋହନ ସରକାର
ଭୁବନେଶ୍ବର: ବିଜେପି ସରକାର ପ୍ରତିଶ୍ରୁତି ପାଣିର ଗାର । ନିର୍ବାଚନୀ ପ୍ରତିଶ୍ରତି ଦେଇ ସରକାରକୁ ଆସିଲେ । ହେଲେ କ୍ଷମତାକୁ ଆସିବା ପରେ ମହିଳାଙ୍କୁ ଠକି ଦେଲା ବିଜେପି । ଯାହାକୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି । ମୁଖ୍ୟ ବିରୋଧୀ ବିଜେଡି ଦାବି କରିଛି ଯେ, ବିଜେପି ସରକାର ନିର୍ବାଚନ ବେଳେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବ ବୋଲି କହିଥିଲା । ତେଣୁ ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ଦାବିରେ ଗୃହରେ ହଙ୍ଗାମା କରିଛି ବିଜେଡି । ସଂକଳ୍ପ ପତ୍ରରେ ଯାହା କହିଥିଲ କାହିଁକି ତାହାକୁ କାର୍ଯ୍ୟକାରୀ କରୁନ ବୋଲି ଶାସକ ଦଳକୁ ପ୍ରଶ୍ନ କରିଛି କଂଗ୍ରେସ । ବିରୋଧୀ ଗୃହରେ ନାରାବାଜି ଦେବା ପରେ ଶାସକ ବିଜେପି କିନ୍ତୁ ସୁଭଦ୍ରା ଯୋଜନାକୁ ନେଇ ରଖିଛି ଭିନ୍ନ ଯୁକ୍ତି ।
ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ସଙ୍କଳ୍ପ ପତ୍ରରେ ଘୋଷଣା କରିଥିଲା ବିଜେପି । ସବୁ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବାକୁ ଦେଇଥିଲା ପ୍ରତିଶ୍ରୁତି । ହେଲେ କ୍ଷମତାକୁ ଆସିବା ପରେ ବଦଳିଗଲା ଆଭିମୁଖ୍ୟ । ସୁଭଦ୍ରା ଯୋଜନା ଗାଇଡଲାଇନ୍ ଓ ଏସଓପି ଯୋଗୁଁ ବାଦ ପଡ଼ିବେ ବହୁ ମହିଳା । ଯାହାକୁ ନେଇ ବିଧାନସଭାରେ ହଙ୍ଗାମା କରିଛି ମୁଖ୍ୟ ବିରୋଧୀ ବିଜେଡି । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ କରିଥିଲେ ପ୍ରଶ୍ନ । କହିଥିଲେ- କେବଳ ନିର୍ବାଚନ ଜିତିବା ପାଇଁ ମାଆମାନଙ୍କୁ ମିଛ କହିଥିଲା ବିଜେପି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଅପମାନ କରିବା ସହ ଠକି ଦେଲା ଗେରୁଆ ଦଳ । ତେଣୁ ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କର । କେବଳ ମିଛ କହି ଭୋଟ ହାତେଇଥିବା କଥା ବିଜେପି ସ୍ବୀକାର କରୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଦାବି କରିଛନ୍ତି ।
ଅନ୍ୟପଟେ ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ସମାନ କଥା ଉଠାଇଛି । ବିଜେପି ତା’ର ପ୍ରତିଶ୍ରୁତି ପାଳନ କରୁ ବୋଲି ପରାମର୍ଶ ଦେଇଛି କଂଗ୍ରେସ । ସୁଭଦ୍ରା ପାଇଁ ଯେଉଁ ସବୁ ଗାଇଡଲାଇନ ରହିଛି ସେଥିରୁ ଅନେକ ମହିଳା ବାଦ ପଡ଼ିବେ । ପାଚିକା, ସ୍ବାମୀ ପରିତ୍ୟକ୍ତାଙ୍କ ଭଳି ଅନେକ ବର୍ଗ ଏଥିରୁ ହେବେ ବଞ୍ଚିତ । ତେଣୁ ମାଆମାନଙ୍କ କ୍ଷେତ୍ରରେ ଭେଦଭାବ ସୃଷ୍ଟି ନକରୁ ଶାସକ ଦଳ । ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ମହିଳାଙ୍କୁ ଠକିବା ପାଇଁ ସୁଭଦ୍ରା ଯୋଜନା କରିଛନ୍ତି ସରକାର ।
ହେଲେ ବିରୋଧୀଙ୍କ ଅଭିଯୋଗକୁ ନେଇ ଭିନ୍ନ ଯୁକ୍ତି ବାଢ଼ିଛି ବିଜେପି । ଦଳ ଏମିତି କିଛି ପ୍ରତିଶ୍ରୁତି ଦେଇନାହିଁ ବୋଲି କହିଛନ୍ତି ବିଧାୟକ ଅଶୋକ ମହାନ୍ତି । ଯାହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି ।
ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ଗୃହରେ ନାରାବାଜି ଓ ପ୍ରତିବାଦ କରିବାରୁ ବାରମ୍ବାର ମୁଲତବି ହୋଇଥିଲା ଗୃହ। ସାଧାରଣ ନିର୍ବାଚନରେ ସୁଭଦ୍ରା ଯୋଜନା ପ୍ରସଙ୍ଗରେ ଅନେକ ବଡ଼ ବଡ଼ ଘୋଷଣା କରିଥିଲା ବିଜେପି । ତେଣୁ ଏବେ ଏସବୁ ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।

