ରାଉରକେଲା : ଦୀର୍ଘ ୪୮ ଘଣ୍ଟା ପରେ କାବୁ ହେଲା ବଣାଇଁ ବଡଜଲ ଉଚ୍ଚ ବିଦ୍ୟାଳୟରେ ଆତଙ୍କ ରଚାଇଥିବା ଯୁବକ । ବହୁ ପରିଶ୍ରମ ପରେ ଯୁବକକୁ କାବୁ କରିଛି ରାଉରକେଲାର ସ୍ଵତନ୍ତ୍ର ପୋଲିସ ଟିମ ଓ ସ୍ବତନ୍ତ୍ର ତାଲିମ ପ୍ରାପ୍ତ DVF ଟିମ । ଯୁବକକୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି । ଗତ ଶନିବାର ଠାରୁ ସୁଦନ ମୁଣ୍ଡା ଓରଫ ଧନୀ ଉଚ୍ଚ ବିଦ୍ୟାଳୟକୁ ଅକ୍ତିଆର କରି ରଖିଥିଲା । ସୁଦନକୁ କାବୁ କରିବା ପାଇଁ ପୋଲିସର ଶତ ଚେଷ୍ଟା ବିଫଳ ହୋଇଥିଲା । ଧରିବାକୁ ଯାଉଥିବା ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଉପରକୁ ତୀର, ବାଟୁଳି ଓ ବିଭିନ୍ନ ମାରଣାସ୍ତ୍ର ମାରୁଥିଲା ସୁଦନ । ତାର ତୀର ମାଡ଼ରେ ଗୁରୁତର ଭାବେ ଆହତ ହୋଇଛନ୍ତି ମହୁଲପଦା ଆଇଆଇସି । ଆଜି ସକାଳୁ ମଧ୍ୟ ଯୁବକର ତୀର ମାଡରେ ଅନ୍ୟ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ଶେଷରେ ଯୁବକଙ୍କୁ ଧରିବା ପାଇଁ ରାଉରକେଲାରୁ ସ୍ଵତନ୍ତ୍ର ପୋଲିସ ଟିମ ଓ ସ୍ବତନ୍ତ୍ର ତାଲିମ ପ୍ରାପ୍ତ DVF ଟିମ ଗତକାଲି ରାତିରୁ ମୁତୟନ କରାଯାଇଥିଲା । ଅଭିଯୁକ୍ତର ଆକ୍ରମଣରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମଧ୍ୟ ମୁଣ୍ଡ ଫାଟିଥିବା ସୂଚନା ରହିଛି । ସୁଦନ ୧୦ ପୃଷ୍ଠା ବିଶିଷ୍ଟ ଏକ ଦାବି ପତ୍ର ଛାତ ଉପରୁ ତଳକୁ ପକାଇଥିଲା । ଏଥିରେ ସେ ବିଭିନ୍ନ ଦାବି ସହ ୧୦୦ କୋଟି ଟଙ୍କା ଦାବି କରିଥିବା ସୂଚନା ରହିଛି ।
ଭରତରପୁର ଥାନା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଭୁବନେଶ୍ବର : ମିଛ କହୁଛନ୍ତି କି ଭରତପୁର ଥାନା ନିଲମ୍ବିତ ଆଇଆଇସି ? ତତ୍କାଳୀନ ଥାନାଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ଦୀନକୃଷ୍ଣ ମିଶ୍ର ଦେବେ ସତମିଛର ପରୀକ୍ଷା । ଥାନା ଭିତରେ ଯୁବତୀଙ୍କୁ ଯୌନନିର୍ଯାତନା ଭଳି ସଂଗୀନ ଅଭିଯୋଗର ସତ ଜାଣିବାକୁ ନିଲମ୍ବିତ ଆଇଆଇସିଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଯାହାକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ । ଏଥିପାଇଁ ଖୁବଶୀଘ୍ର ଏକ ସ୍ବତନ୍ତ୍ର ଟିମ୍ ଦୀନକୃଷ୍ଣକୁ ନେଇ ଗୁଜୁରାଟ ଗାନ୍ଧୀନଗର ଗସ୍ତ କରିବ । ଏହାଛଡ଼ା ଆବଶ୍ଯକସ୍ଥଳେ ଅନ୍ଯ ଦୁଇଟି ପରୀକ୍ଷା କରିବାକୁ ଅନୁମତି ମିଳିଛି । ସକାଳେ କୋର୍ଟରେ ହାଜର ହୋଇ ଯେକୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ବୋଲି କହିଥିଲେ ଦୀନକୃଷ୍ଣ । ପଲିଗ୍ରାଫ ସହ ନାର୍କୋ ଆନାଲିସିସ ଓ ବ୍ରେନ ମ୍ଯାପିଂ ପାଇଁ ବି ସମ୍ମତ ପ୍ରକାଶ କରିଥିଲେ ।
ସକାଳ ୮ ଟା.. ଭୁବନେଶ୍ୱର ଭରତପୁର ଥାନାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ । ସକାଳ ୯ଟାରେ ପହଞ୍ଚିଥିଲେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀ । ବଡ଼ିଭୋରରୁ ଉପସ୍ଥିତ ଥିଲେ ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ନିଲମ୍ବିତ ପୋଲିସ । ଦୁଇ ପକ୍ଷକୁ ସମ୍ନାସାମ୍ନି ବସାଇ ସତ ଓଗାରିଥିଲା ତଦନ୍ତକାରୀ ଟିମ । ଫାରୋ କ୍ୟାମେରା ସାହାଯ୍ୟରେ ହୋଇଥିଲା 360 ଡିଗ୍ରୀ ତଦନ୍ତ । ନାଟକୀୟ ଢଙ୍ଗରେ ସେଦିନ ଘଟିଥିବା ଟିକିନିଖି ଘଟଣା କହିଥିଲେ ପୀଡିତା । ରିସେପ୍ସନରେ ପହଁଚିବାଠାରୁ ଲକଅଫ ଭିତରେ ଯୌନନିର୍ଯାତନା ପର୍ଯ୍ୟନ୍ତ…ଲୋମହର୍ଷଣକାରୀ ଘଟଣା ସମ୍ପର୍କରେ ରଖିଥିଲେ ଛାତିଥରା ବୟାନ । ପରେ ସେନା ଅଧିକାରୀଙ୍କ ଉପସ୍ଥିତିରେ କ୍ରାଇମବ୍ରାଞ୍ଚ ଯାଇଥିଲା ପଥରଗାଡ଼ିଆ ସ୍ଥିତ ସୁନ୍ଦରପୁରକୁ । ଯେଉଁଠି ରାତି ଅଧରେ ଉତ୍ପାତ ରଚିଥିଲେ ରୋଡ୍ ରୋମିଓ । ସେଠାରେ ସେଦିନର ଘଟଣାକୁ ନେଇ କରାଯାଇଥିଲା ସିନ ରିକ୍ରିଏସନ । ଏବେ ମାମଲାରେ ସାମ୍ନାକୁ ଆସିଛି ରୋଚକ ତଥ୍ଯ । ସିସିଟିଭି ନଥିବା ବେଳେ ଥାନାରେ ପୂଜା ନାଁରେ ହୋମଯଜ୍ଞ କରି ବଳିଷ୍ଠ ପ୍ରମାଣକୁ ପୋଡି ଦିଆଯାଇଛି । ନିଜ ନାଁ ଗୋପନ ରଖି ଜଣେ ପୋଲିସ କର୍ମଚାରୀ ଏଭଳି ବୟାନ ଦେଇଛନ୍ତି । ଯାହାକୁ ନେଇ ଚାରିଆଡ଼େ ଚାଞ୍ଚଲ୍ଯ ଖେଳିଯାଇଛି ।
ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ
ଭୁବନେଶ୍ବର : କେଉଁଠି ରହିଲା ଭୁଲ ? କଣ କଲେ ଆଉ ଝୁଣ୍ଟିବନି ବିଜେଡି ? ଗତ ନିର୍ବାଚନୀ ପରାଜୟକୁ ପ୍ରେରଣା ଭାବେ ଗ୍ରହଣ କରି ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛି ବିଜୁ ଜନତା ଦଳ । କାରଣ ପ୍ରଥମଥର ଶାସନ କ୍ଷମତାରେ ବିଜେଡି ନାହିଁ ସିନା ହେଲେ ଗତ ଭୋଟ ମାର୍ଜିନରେ ଦଳ ଏକ ନମ୍ବରରେ ରହିଛି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ସଂଗଠନକୁ ଆହୁରି ମଜଭୁତ କରି ଆଗେଇବାକୁ ଅଣ୍ଟା ଭିଡିଛି ଦଳ । ରୋଡ ମ୍ଯାପ ନେଇ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଦେବେ ଦିଗଦର୍ଶନ । ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ନବୀନଙ୍କ ଅଧ୍ୟକ୍ଷତାରେ ବିଜେଡିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ।
ସେପଟେ ନିର୍ବାଚନ ପରଠାରୁ ଦୈନିକ ସାଂଗଠନିକ ସମୀକ୍ଷା କରି ଚାଲିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏ ଯାଏ ପାଖାପାଖି ୨୦ ଜିଲ୍ଲାର ସମୀକ୍ଷା ସରିଲାଣି । ଜିଲ୍ଲା ନେତାଙ୍କ ସହ ଗତ ନିର୍ବାଚନର ପରାଜୟର କାରଣ ନେଇ ନବୀନ ସିଧା ଆଲୋଚନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ନୂଆପଡ଼ା ଜିଲ୍ଲା ସମୀକ୍ଷା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ଆଜି ବି ରାଜ୍ୟବାସୀଙ୍କ ହୃଦୟରେ ନବୀନ ପଟ୍ଟନାୟକ ପାଇଁ ଯଥେଷ୍ଟ ସମ୍ମାନ ରହିଛି । ଯେଉଁ ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି ସରକାର କରିଥିଲା, ତାହାର ଫମ୍ପା ଆୱାଜ ଲୋକଙ୍କୁ ଶୁଭିଲାଣି । ଯାହା ନବୀନଙ୍କ ଲୋକପ୍ରିୟତାକୁ ଆହୁରି ବଢାଉଛି । ଏପରି ସ୍ଥିତିରେ ରାଜ୍ୟବାସୀଙ୍କ ଆସ୍ଥାକୁ ଆହୁରି ସୁଦୃଢ କରିବାକୁ ୨୭ ତାରିଖ ବୈଠକରେ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବ ବିଜୁ ଜନତା ଦଳ ।
ଦଳ ଡିଆଁକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ,ବିଜେଡି-ବିଜେପି ବାକଯୁଦ୍ଧ
ଭୁବନେଶ୍ବର : ରାଜ୍ୟ ରାଜନୀତିରେ ହେବ ହଲଚଲ। କେଉଁ ଦଳର ନେତା କେଉଁ ଦଳକୁ ଡ଼ିଆଁ ମାରିବେ। କେଉଁ ଦଳରେ ହେବ ବିସ୍ଫୋରଣ। ବିଜେପି ନା ବିଜେଡି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ବୟାନବାଜି। ଉଭୟ ବିଜେଡି ଓ ବିଜେପି ପରସ୍ପରକୁ କହୁଛନ୍ତି, ତମର ନେତା ଆମ ସହିତ ମିଶିବେ। ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ପ୍ରଥମେ କହିଥିଲେ, ବିଜେଡିର ନେତାମାନେ ବିଜେପି ଯୋଗାଯୋଗରେ ଅଛନ୍ତି। ଦେଢ଼ ମାସରେ ସେମାନେ ଇସ୍ତଫା ଦେଇ ପଦ୍ମ ଧରିବେ। ଏହାର ଜବାବରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିଜେପିର ଅନେକ ନେତା ବିଜେଡି ସହିତ ସଂପର୍କରେ ଅଛନ୍ତି। ବିକାଶ ପାଇଁ ଆଗକୁ ହଲଚଲ୍ ହେବ।
୨୦୨୪ ନିର୍ବାଚନ ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କ୍ରେଜ ବୃଦ୍ଧି ପାଇବାରେ ଲାଗିଛି। ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ନବୀନଙ୍କ ଏହି କ୍ରେଜ୍ କୁ ସହିପାରୁନି ବିଜେପି। ତେଣୁ ଏହି ଦଳର ନେତା ମଝିରେ ମଝିରେ ପ୍ରଳାପ କରୁଛନ୍ତି। ଆଗକୁ ଅନେକ ନେତା ପଦ୍ମ ପୋଖରୀ ଛାଡ଼ି ଶଙ୍ଖ ଶିବିରକୁ ଡିଆଁ ମାରିବେ। ତେଣୁ ବିଜେପି ଛାନିଆ ହୋଇ ପଡ଼ିଛି। ରାଜନୈତିକ ସମୀକ୍ଷକ ବି କହିଛନ୍ତି, ଓଡ଼ିଶା ରାଜନୀତିରେ ନବୀନଙ୍କ କ୍ରେଜ୍ ଅତୁଟ ରହିଛି । ରାଜନୀତିରେ ଦଳ ବଦଳ ଏକ ସାଧାରଣ କଥା। ନିର୍ବାଚନ ବେଳେ ଏପରି ଦଳ ଡିଆଁ ବହୁତ ଦେଖିବାକୁ ମିଳେ। ଆସନ୍ତା ନଭେମ୍ବରରେ ନବୀନ ପଟ୍ଟନାୟକ ସାରା ଓଡ଼ିଶା ବୁଲିବାର ଥିବା ବେଳେ ଦଳ ବଦଳକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆଟାକ କାଉଣ୍ଟର ଆଟାକ ରାଜ୍ୟ ରାଜନୀତିକୁ ରୋଚକ କରିଛି।
ମୋହନ ସରକାରଙ୍କ ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ?
ଭୁବନେଶ୍ବର : ପ୍ରତିଶ୍ରୃତି ପାଳନ କଲନି, କିନ୍ତୁ ଭତ୍ତା ପାଇଁ କଲବଲ କଲ । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲାରୁ ଆସିଲା ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର । ମୋହନ ସରକାରଙ୍କ ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ? ଜଳଜଳ କରି ସାରା ଦେଶ ଦେଖିଲା କିପରି ବିପର୍ଯ୍ୟସ୍ତ ହୋଇଛି ଓଡ଼ିଶାର ସାମାଜିକ ସୁରକ୍ଷା। କାରଣ ଏ ଦୃଶ୍ୟ ଦେଖିଲେ ଆପଣଙ୍କୁ ବିଚଳିତ କରିବ ନିଶ୍ଚୟ। କେନ୍ଦୁଝର ରାଇସୁଆଣ ଗ୍ରାମର ୮୦ ବର୍ଷୀୟ ବୃଦ୍ଧ ପଥୁରୀ ଦେହୁରୀ। ଭତ୍ତା ଟଙ୍କା ଗଲେ ଗୁରୁଣ୍ଡି ଗୁରୁଣ୍ଡି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମୋହନ ସରକାର ଉପରେ ବର୍ଷିଛି କଂଗ୍ରେସ। ନିର୍ବାଚନ ପୂର୍ବରୁ ବିଜେପି ସମସ୍ତଙ୍କୁ ୩୫ଶହ ଟଙ୍କା ଲେଖାଏ ଭତ୍ତା ଦେବାକୁ କହି ସରକାରକୁ ଆସିଲା। ଆଉ କ୍ଷମତାକୁ ଆସିବା ପରେ ଲୋକଙ୍କୁ ଠକିଦେଲା। ୮୦ ବର୍ଷ ହୋଇଥିବା ଲୋକ କେବଳ ୩୫ଶହ ଟଙ୍କା ଭତ୍ତା ପାଇବେ ବୋଲି ନିୟମ କରିଥିଲେ ସରକାର। ଏବେ ମୋହନ ସରକାରଙ୍କ ଏପରି ନିଷ୍ପତ୍ତି ପ୍ରମାଣିତ କରିଛି ଯେ, ବିଜେପି ସରକାର ଭତ୍ତା ବ୍ୟବସ୍ଥାକୁ ବନ୍ଦ କରିବାକୁ ଚାହୁଁଛି। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦୂଷିତ ପାଣି ପିଇ ମାସେ ଭିତରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହେଲାଣି। ଯାହାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ଅନ୍ୟପଟେ କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି। ୩୫ ଶହ ଟଙ୍କା ଭତ୍ତା ଦେବାକୁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ।
ଭତ୍ତାକୁ ନେଇ କଂଗ୍ରେସ ଓ ବିଜେପି ମୁହାମୁହିଁ ହେବା ପରେ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି ମୁଖ୍ୟ ବିରୋଧୀ ବିଜେଡି। ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ନିର୍ବାଚନ ସମୟରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପ୍ରଥମେ ପୂରଣ କରୁ। ସାମାନ୍ୟ ଟଙ୍କା କେଇଟା ପାଇଁ ବୃଦ୍ଧା ଜଣକ ଗୁରୁଣ୍ଡି ଗୁରୁଣ୍ଡି ଯିବା ସାରା ଦେଶରେ ଓଡ଼ିଶାବାସୀଙ୍କୁ ନିନ୍ଦିତ କରିଛି ବୋଲି କହିଛି ବିଜେଡି। ରାଜ୍ୟରେ ଭତ୍ତା ଅବ୍ୟବସ୍ଥା ସହ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ନିଶାନା କରିଛି କଂଗ୍ରେସ । ଆଉ ଏ ସବୁ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଚନ୍ତି କଂଗ୍ରେସ ଓ ବିଜେପି।
ବିଜେପି ସରକାର ଆଦିବାସୀ ବିରୋଧୀ : ବିଜେଡି
ଭୁବନେଶ୍ବର : ନବୀନ ପଟ୍ଟନାୟକଙ୍କ ସମୟରେ ଆଦିବାସୀ ବିକାଶ ହୋଇଛି। ହେଲେ ଏବେର ସରକାର ଯୋଗୁଁ ଭୟ ଓ ଆଶଙ୍କାରେ ରହିଛନ୍ତି ଆଦିବାସୀ। ନବୀନ ସରକାରଙ୍କ ଅନେକ ଯୋଜନା ବନ୍ଦ କରାଯାଇଛି। ତେଣୁ ବିକାଶ ଏବେ ସ୍ୱପ୍ନ ହୋଇଛି ବୋଲି ଅଭିଯୋଗ କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି- ସବୁ ଜିଲ୍ଲାରେ ଆଦିବାସୀ ଆନ୍ଦୋଳନ କରୁଛନ୍ତି ଜଙ୍ଗଲ ଜମି ଆଇନ ପାଇଁ। ହେଲେ ସରକାର ଶୁଣୁନାହାନ୍ତି। ପଶ୍ଚିମ ଓଡ଼ିଶାରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ରହିଛନ୍ତି। ହେଲେ ୧୮ ପ୍ରତିଶତ ଜିଏସଟି ଛାଡ ହେଲାନି। SDC ଜରିଆରେ ଅନୁଦାନ ଦେଇ କଳା ସଂସ୍କୃତି ବିକାଶ କରାଯାଉଥିଲା। ମାତ୍ର ତାହା ବନ୍ଦ ହୋଇଛି। ରାଜ୍ଯ ସରକାର ଆଦିବାସୀଙ୍କ ବିକାଶ ଚାହୁଁନାହାନ୍ତି। ୧୩୫ ବର୍ଗ ଏବେ ବି ଆଦିବାସୀ ମାନ୍ୟତା ଅପେକ୍ଷାରେ ଅଛନ୍ତି। କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବି ଆଦିବାସୀଙ୍କୁ ପାତର ଅନ୍ତର କରାଯାଇଛଇ। ଏ ଯାଏଁ ଆଦିବାସୀ ଜନଗଣନା ହୋଇନାହିଁ। ୧୦୦ ଦିନରେ କେବଳ ରଙ୍ଗ ବଦଳାଯାଇଛି ବୋଲି ଅଭିଯୋଗ କରିଛି ବିଜେଡି। ଓଡ଼ିଆ ଅସ୍ମିତା ନଷ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି। ସରକାର ମାଗଣା ବିଜୁଳି ଦେଲେନି। ସୁଭଦ୍ରା ଯୋଜନାରେ ବି ଟଙ୍କା ଠିକ ଭାବେ ମହିଳାଙ୍କୁ ମିଳୁନାହିଁ।
ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ : କଟକ ସଦର ଥାନା ପୋଲିସ କର୍ମଚାରୀ ନିଲମ୍ବିତ
କଟକ : କଟକ ସଦର ଥାନା ଓ.ଏ.ପି.ଫ କର୍ମଚାରୀ ନିଲମ୍ବିତ । ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନରେ ଗ୍ରହଣ କରିଛନ୍ତି କଟକ ଡିସିପି । ଗତ 22 ତାରିଖ ରାତିରେ କଟକ ଶଙ୍ଖତରାସ ଗାଁରେ ଏକ ପାରିବାରିକ ଗଣ୍ଡଗୋଳ ଖବର ପାଇ ପିସିଆର ଘଟଣା ସ୍ଥଳକୁ ଯାଇଥିଲା । ତେବେ ପିସିଆରରେ ଥିବା ଓ.ଏ.ପି.ଫ କର୍ମଚାରୀ ଜଣକ ନିଶାଶକ୍ତ ଅବସ୍ଥାରେ ସେଠାରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିବା ସହ ରିଜର୍ଭ ପୋଲିସକୁ ସ୍ଥାନାନ୍ତର କରାଯାଇଛି ।
ଦାନ୍ତ ବିନ୍ଧାରେ ଉପସମ ପାଇଁ ଯନ୍ତ୍ରଣା ନିରୋଧକ ଔଷଧ ସେବନ କରୁଥିଲେ ସାବଧାନ!
କଟକ : ଦାନ୍ତ ବିନ୍ଧାକୁ ସାମାନ୍ୟ ଭାବୁଥିଲେ ସାବଧାନ । ଅହେତୁକ ବିଳମ୍ବ ସାଙ୍ଗକୁ ଯନ୍ତ୍ରଣା ନିରୋଧକ ସେବନ ବଢାଇପାରେ ବିପଦ । ଗୁରୁତରଙ୍କ ଯାଇପାରେ ଜୀବନ । କଟକରେ ଦେଖିବାକୁ ମିଳିଛି ଏହାର ସଦସ୍ୟ ଉଦାହରଣ । ଗଞ୍ଜାମ ଅଞ୍ଚଳର ଗୋଲାପ ସ୍ୱାଇଁ ଆଜିକୁ ଏକ ମାସ ହେବ ଦାନ୍ତ ଯନ୍ତ୍ରଣା ଭୋଗୁଥିଲେ । ପ୍ରଥମେ ପେନ କିଲର ଓ ପରେ ଦାନ୍ତ ଓପାଡିବା ପରେ ମଧ୍ୟ ଉପଶମ ପାଇପାରୁନଥିଲେ । ଦାନ୍ତରେ ସଂକ୍ରମଣ ହେବା ପରେ ଏହାର ସଠିକ ଚିକିତ୍ସା ଅଭାବ କାରଣରୁ ଏହା ମାରାତ୍ମକ ଲୁଡୁଓ୍ବିକ୍ସ ଏନଜାଇନା ରୋଗରେ ପରିଣତ ହୋଇଥିଲା । ଏହି ବିରଳ ରୋଗ ଯୋଗୁ ଲଙ୍ଗସ ଫୁସଫୁସ ସଂକ୍ରମିତ ହୋଇଥିାଏ । ଫଳରେ ରୋଗୀ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରେ । ଗୋଲାପଙ୍କ କ୍ଷେତ୍ରରେ ଠିକ ଏହାହିଁ ହୋଇଥିଲା । ତେବେ ଶେଷ ମୁହୂର୍ତ୍ତରେ ସେ କଟକରେ ପହଂଚିବା ପରେ ଡାକ୍ତର ଏକ ଜରୁରୀ କାଳୀନ ଅପରେସନ କରି ରୋଗୀକୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି।
ଗୋଲାପ ଓ଼ ପରିବାର ଲୋକ କେବେ ସ୍ୱପ୍ନରେ ଭାବିନଥିଲେ ଯେ ସାମନ୍ୟ ଦାନ୍ତ ବିନ୍ଧା ଜୀବନ ପାଇଁ ବିପଦ ହୋଇପାରେ । ରୋଗକୁ ଅବହେଳା ଯୋଗୁ ସଂକ୍ରମଣ ବେକ, ଛାତି ମୁଣ୍ଡ ଓ଼ ହାର୍ଟକୁ ପ୍ରଭାବିତ କରିଥିଲା । ଏପରିକି ନିଶ୍ୱାସ ପ୍ରଶ୍ୱାସ ନେବାରେ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ । ଶେଷ ମୁହୂର୍ତ୍ତରେ ଡାକ୍ତର ଓ଼ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହାୟତା ପାଇଁ ଗୋଲାପ ଆଜି ନୂଆ ଜୀବନ ପାଇଛନ୍ତି । ରୋଗ ଛୋଟ ହେଉ ବା ବଡ଼। ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ଓ଼ ସେହି ଅନୁଯାୟୀ ଚିକିତ୍ସା କରାଇଲେ ଉପଶମ ମିଳିବ । ନଚେତ ଗୋଲାପ ସିନା ଶେଷ ମୁହୂର୍ତ୍ତରେ ଜୀବନ ଫେରି ପାଇଲେ । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଯେ ଏହା ସମ୍ଭବ ହେବ ତାହା କହିବା ମୁସ୍କିଲ ।
ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି ବଲାଙ୍ଗୀର ଗାନ୍ଧୀ ନଗରପଡାବାସୀ
ବଲାଙ୍ଗୀର : ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ସାମାନ୍ୟ ବର୍ଷା ହେଲେ ଦୁର୍ଦଶା ଭୋଗୁଛନ୍ତି ବଲାଙ୍ଗୀର ସହରର ଗାନ୍ଧୀନଗର ପଡାବାସୀ I ସାମାନ୍ୟ ବର୍ଷା ହେଲେ ଜଳବନ୍ଦୀ ଜୀବନ ବିତାଉଛନ୍ତି I ନା ଘରୁ ବାହାରକୁ ବାହାରି ପାରୁଛନ୍ତି ନା ପିଲାଛୁଆ ପାଠ ପଢିବାକୁ ଯାଇ ପାରୁଛନ୍ତି I ଜବରଦଖଲକାରୀଙ୍କ କବଜାରେ ଡ୍ରେନ । ଫଳରେ ବର୍ଷା ସମୟରେ ନିଷ୍କାସିତ ହୋଇପାରୁନି ପାଣି। ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ । ଏ ଦୃଶ୍ୟ ବଲାଙ୍ଗୀର ଗାନ୍ଧୀନଗରପଡାର । ଡ୍ରେନରେ ବର୍ଷାଜଳ ନିଷ୍କାସନ ନହୋଇ ରାସ୍ତାରେ ଜମି ରହି ଘରେ ପସୁଛି I ନବୀନ ସରକାରଙ୍କ ସମୟରେ ଏହି ନାଳ ନିର୍ମାଣ ପାଇଁ ଦେଢ କୋଟି ଟଙ୍କାର ଅନୁଦାନ ଆସିଥିଲା । କିନ୍ତୁ ନୂଆ ସରକାର ଆସିବା ପରେ କାମ ଆରମ୍ଭ ହୋଇନାହିଁ I ପୂର୍ତ୍ତ ବିଭାଗ କାମ ଆରମ୍ଭ କରୁନଥିବା ବେଳେ ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ହେବାରୁ ରାସ୍ତା ଜଳାର୍ଣ୍ଣବ ହୋଇଥିଲା । ଯାହାକୁ ନେଇ ଲୋକେ ରାସ୍ତା ଉପରେ ବସି ପ୍ରତିବାଦ କରିଥିଲେ I ଦୀର୍ଘ ତିନି ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ ଅଞ୍ଚଳବାସୀ । ପୋଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ I ବଲାଙ୍ଗୀର ପୌରାଧ୍ୟକ୍ଷା ମଧ୍ଯ ପହଂଚି ଲୋକଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା ବିଜେପି ସରକାରଙ୍କ ମନମୁଖୀ କାର୍ଯ୍ୟକୁ ଲୋକେ ବିରୋଧ କରି ନାରାବାଜି ଦେଇଥିଲେ I ବିଳମ୍ବିତ ରାତିରେ ପୂର୍ତ୍ତ ବିଭାଗ ଅଧିକାରୀ ପହଂଚି ଲିଖିତ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା । ତେବେ ସହରର ଏହି ଗୋଟିଏ ଅଞ୍ଚଳ ନୁହଁ ଏଭଳି ଅନେକ ଅଞ୍ଚଳ ଏଭଳି ସମସ୍ୟାରେ ଜୁଝି ହୋଇଥିବା ଅଭିଯୋଗ ହୋଇଛି ।
ଗାନ୍ଧୀନଗରପଡାରେ ପାଖାପାଖି ଶତାଧିକ ପରିବାର ବସବସ କରୁଛନ୍ତି I ସାମାନ୍ୟ ବର୍ଷା ହେଲେ ଘରୁ ବାହାରିବା ଏମାନଂକ ପାଇଁ ମୁସ୍କିଲ୍ ହୋଇପଡୁଛି I ଘର ଭିତରେ ନର୍ଦ୍ଦମା ପାଣି ପଶି ରହୁଥିବାରୁ ରାତି ଅନିଦ୍ରା ହେବା ସହ କାହାରି ଘରେ ଚୁଲି ମଧ୍ଯ ଜଳୁନାହି I ଏନେଇ ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ଯ ସମସ୍ୟାର ସମାଧାନ ହୋଇନାହିଁ I ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ହେବା ଫଳରେ ପୁଣି ଏହି ସମସ୍ୟା ଉପୁଜିବା ସହ ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶିଥିଲା ଯାହାଫଳରେ ଲୋକେ ଘରୁ ବାହାରି ବର୍ଷାରେ ଭିଜିଭିଜି ଜାତୀୟ ରାଜପଥ ଅବରୋଧ କରିଥିଲେ I ରାତାରାତି ଜେସିବି ଆଣି ଜମି ରହିଥିବା ପାଣି ନିଷ୍କାସିତ କରିଛି ଜିଲ୍ଲା ପ୍ରଶାସନ । କିନ୍ତୁ ଲୋକଙ୍କ ଦୁର୍ଦଶା ଏବେବି କମିନି । ଘରେ ଜମି ରହିଛି ନାଳ ନର୍ଦ୍ଦମା ପାଣି I ପୂର୍ତ୍ତ ବିଭାଗର ପ୍ରତିଶ୍ରୁତି ପୁଣି ପାଣିର ଗାର ପାଲଟିବ ନାଁ ସମସ୍ୟା ଦୂର ହେବ ତାଉପରେ ରହିଛି ସମସ୍ତଙ୍କ ନଜର ।
ଆସନ୍ତା ୧୭ରୁ ମହାକାର୍ତ୍ତିକ, କେବେ ଆରମ୍ଭ ହେବ ହଭିଷ୍ୟାଳୀ ଯୋଜନା ?
ପୁରୀ : ଶ୍ରୀକ୍ଷେତ୍ରରେ ଚଳିତ ଥର ହବିଷ୍ୟାଳୀ ଯୋଜନା ମାଧ୍ୟମରେ ହବିଷ ବ୍ରତ ପାଳନ ପାଇଁ ଦ୍ୱନ୍ଦ୍ୱ ଦେଖାଦେଇଛି l ବର୍ତ୍ତମାନ ସୁଦ୍ଧା ହବିଷ୍ୟାଳୀ ଯୋଜନାର ରେଜିଷ୍ଟ୍ରେସନ ଆରମ୍ଭ ହୋଇନଥିବାବେଳେ ଧାର୍ମିକ ମାସରେ ମାଗଣାରେ ବ୍ରତ ପାଳନ ନେଇ ରାଜ୍ୟରୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ମା ମାନେ ଚିନ୍ତା ପ୍ରକଟ କରିଛନ୍ତି । ଆସନ୍ତା ୧୭ରୁ ମହାକାର୍ତ୍ତିକ । ହେଲେ କେବେ ଆରମ୍ଭ ହେବ ହଭିଷ୍ୟାଳୀ ଯୋଜନା । ଗତ ବର୍ଷ ବହୁ ପୂର୍ବରୁ ଆରମ୍ଭ ହୋଇଥିଲା ରାଜ୍ୟବ୍ୟାପି ରେଜିଷ୍ଟ୍ରେସନ । ଚଳିତ ବର୍ଷ କିନ୍ତୁ ଯୋଜନାକୁ ନେଇ ନାହିଁ ସୋର ଶବ୍ଦ । ରାଜ୍ୟ ସରକାରଙ୍କ ବିଳମ୍ବକୁ ନେଇ ଦ୍ବନ୍ଦ୍ବରେ ହବିଷ୍ୟାଳୀ । ଧର୍ମ ମାସ କାର୍ତ୍ତିକରେ ହବିଷ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଜମିଥାଏ l ଏନେଇ ହବିଷ୍ୟାଳୀଙ୍କ ସୁବିଧା ଓ ବ୍ରତ ପାଳନ ପାଇଁ ହବିଷ୍ୟାଳୀ ଯୋଜନା ଆରମ୍ଭ କରିଥିଲେ ତତକାଳୀନ ସରକାର । ହେଲେ ଚଳିତବର୍ଷ କାର୍ତ୍ତିକ ମାସକୁ କମଦିନ ବାକିଥିବା ବେଳେ ହବିଷ୍ୟାଳୀ ଯୋଜନାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯାହାକୁ ନେଇ ହିବଷ୍ୟାଳୀ ମାଆ ମାନେ ଆଶା ଆଶଙ୍କାରେ ପଡିଛନ୍ତି ।
ନବୀନ ପଟ୍ଟନାୟକ ସରକାର ସମୟରେ ଆରମ୍ଭ ହୋଇଥିବା ଏହି ହବିଷ୍ୟାଳୀ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ଏହି ଯୋଜନା ଦ୍ୱାରା ବହୁ ହବିଷ୍ୟାଳୀ ମାଆ ମାନେ ମାଗଣାରେ ପୁରୀ ଆସି ରହିବା ସହ ମହାପ୍ରସାଦ ସେବନ କରି ସୁବିଧାରେ ବ୍ରତ ପାଳନ କରୁଥିଲେ l ଯୋଜନାର ସଫଳ ରୂପାୟନ ନେଇ ପୁରୀରେ କୋଟି କୋଟି ବ୍ୟୟରେ ମା ମାନଙ୍କର ସୁବିଧାରେ ରହିବା ପାଇଁ ବୃନ୍ଦାବତୀ ନିବାସ ନିର୍ମାଣ କରାଯାଇଥିଲା l ହେଲେ ଚଳିତ ଥର ନୂତନ ସରକାରଙ୍କ ପକ୍ଷରୁ ଏହି ଯୋଜନା ହେବା ନେଇ କୌଣସି ସୂଚନା ନ ମିଳିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି l ସେପଟେ ଯୋଜନା କୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁର୍ତ୍ତି ବୈଠକ କରାଯାଇଥିବା ବେଳେ ସଂସ୍କୃତି ବିଭାଗ ମାଧ୍ୟମରେ ସରକାରଙ୍କର ଅନୁମୋଦନ ପାଇଁ ପଠାଯାଇଛି l ରାଜ୍ୟ ସରକାରଙ୍କର ଅନୁମୋଦନ ମିଳିବା ପରେ ହବିଷ୍ୟାଳି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲପାଳ ସୂଚନା ଦେଇଛନ୍ତି l ହବିଷ୍ୟାଳୀ ଯୋଜନା ଦ୍ୱାରା ଗରିବ ଗୁରୁବା ହବିଷ୍ୟାଳୀ ମାଆ ମାନେ ବେଶ ଉପକୃତ ହେଉଥିବାବେଳେ ଚଳିତ ବର୍ଷ ଯୋଜନାର ଭାଗ୍ୟ ସରକାରଙ୍କର ଅନୁମୋଦନ ଅପେକ୍ଷାରେ l

