spot_img
Home Blog Page 1563

ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ ପରିବେଶ, ଧାରଣାରେ ସଫେଇ କର୍ମଚାରୀ

ଭୁବନେଶ୍ୱର: କ୍ୟାପିଟାଲ ହସପିଟାଲରେ ସଫେଇ କର୍ମଚାରୀଙ୍କ ଧାରଣା। ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସପିଟାଲ ପରିବେଶ। ଦରମା ବୃଦ୍ଧି , ଦଶହରା ବୋନୋସ ଦାବିରେ ଧାରଣାରେ ବସିଛନ୍ତି ୩ଶହ ସଫେଇ କର୍ମଚାରୀ।

କାଜୁଆଲଟିରୁ ଅନ୍ୟ ଏମର୍ଜେନେସି ବିଭାଗ ସବୁଠି ପଡ଼ି ରହିଛି ଅଳିଆ ଆବର୍ଜନା। ଗତକାଲି ଠାରୁ ସଫେଇ କର୍ମଚାରୀ ଧାରଣାରେ ବସିଥିବା ବେଳେ ହସ୍ପିଟାଲ ଭିତର ପରିବେଶ ଅବସ୍ଥା ନ କହିବା ଭଲ। ସେପଟେ ହନ୍ତସନ୍ତ ହେଉଛନ୍ତି ରୋଗୀ।

ହିନ୍ଦୁଙ୍କ ଉପରେ ଆକ୍ରମଣ ରୋକି ପାରୁନଥିବା ବାଂଲାଦେଶ ଭାରତକୁ ଦେଲା ଧମକ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ କ୍ରମାଗତ ଭାବେ ଆକ୍ରମଣ କରାଯାଉଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠିତ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଏହି ଆକ୍ରମଣକୁ ରୋକିବାରେ ଅସଫଳ ହୋଇଛନ୍ତି। କିନ୍ତୁ ଏହି ସରକାର ଭାରତକୁ ଧମକ ଦେବାକୁ ପଛାଉ ନାହାଁନ୍ତି। ନିକଟରେ ଝାଡଖଣ୍ଡର ବୋକରୋଠାରେ ଏକ ରାଲିରେ ସମ୍ବୋଧିତ କରିବାବେଳେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଏଠାରେ ଅନୁପ୍ରବେଶକାରୀଙ୍କ ପାଇଁ ସ୍ଥାନ ନାହିଁ। ଆମ ସରକାର ଆସିବା ପରେ ସେମାନଙ୍କଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆମେ ସମସ୍ତଙ୍କୁ ତାଙ୍କ ସ୍ଥାନକୁ ଫେରାଇଦେବୁ । ଶାହାଙ୍କର ଏହି ବୟାନରେ ରାଗରେ ଜରଜର ହେଉଛି ବାଂଲାଦେଶ ସରକାର।

ଏହାକୁ ବିରୋଧ କରି ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଢାକାରେ ଭାରତୀୟ ଡେପୁଟି ହାଇ କମିଶନରଙ୍କୁ ଏକ ପ୍ରତିବାଦ ପତ୍ର ଲେଖିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଭାରତୀୟ ନେତାମାନେ ବାଂଲାଦେଶୀମାନଙ୍କ ବିଷୟରେ “ ଏଭଳି ଆପତ୍ତିଜନକ ମନ୍ତବ୍ୟ ଗ୍ରହଣୀୟ ନୁହେଁ” ସେମାନେ  ଏଭଳି ମନ୍ତବ୍ୟ ଦେବା ଠାରୁ ଦୂରେଇ ରହିବା ଉଚିତ୍।

ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ସୋମବାର ଭାରତୀୟ ଡେପୁଟି ହାଇ କମିଶନରଙ୍କ ନିକଟକୁ ଏହି ପତ୍ର ଲେଖିଛନ୍ତି । ୟୁନୁସଙ୍କ ସରକାର ଜୋର ଦେଇଛି ଯେ ପଡୋଶୀ ଦେଶର ନାଗରିକଙ୍କ ବିରୋଧରେ ଦାୟିତ୍ବପୂର୍ଣ୍ଣ ପଦବୀରେ ବସିଥିବା ବ୍ୟକ୍ତିଙ୍କ ମୁଖରୁ ଆସିଥିବା ଏଭଳି ମନ୍ତବ୍ୟ ଦୁଇ ବନ୍ଧୁ ଦେଶ ମଧ୍ୟରେ ପାରସ୍ପରିକ ସମ୍ମାନ ଏବଂ ବୁଝାମଣାକୁ ଦୁର୍ବଳ କରିଥାଏ। ଆମେ ଏହାକୁ ଏଡ଼ାଇବା ଉଚିତ୍  । ହେଲେ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅମିତ ଶାହା ଶୁକ୍ରବାର ନିର୍ବାଚନ ପ୍ରଚାର ପାଇଁ ଝାଡଖଣ୍ଡ ଗସ୍ତରେ ଥିଲେ। ସେ ଭୋଟବ୍ୟାଙ୍କ ରାଜନୀତି ପାଇଁ ଜେଏମ୍ଏମ୍ ନେତୃତ୍ୱାଧୀନ ମିଳିତ ସରକାର ବେଆଇନ ଅନୁପ୍ରବେଶକୁ ପ୍ରୋତ୍ସାହିତ କରୁଥିବା ଆରୋପ ଲଗାଇଥିଲେ । ଯଦି ଏହା ବନ୍ଦ ନହୁଏ ତେବେ ଆସନ୍ତା ୨୫-୩୦ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ବୋକାରୋରେ ଶାହା ଏହା ମଧ୍ୟ କହିଥିଲେ, ‘ରାଜ୍ୟରେ ଅନୁପ୍ରବେଶକାରୀଙ୍କ ପାଇଁ ସ୍ଥାନ ନାହିଁ। ସେମାନେ ଆମ ଝିଅମାନଙ୍କୁ ବିବାହ କରୁଛନ୍ତି, ଜମି ଅକ୍ତିଆର କରୁଛନ୍ତି ଏବଂ ସମୃଦ୍ଧ ଆଦିବାସୀ ସଂସ୍କୃତି ଏବଂ ଐତିହ୍ୟକୁ ନଷ୍ଟ କରୁଛନ୍ତି । ଆମ ସରକାର ଆସିବା ପରେ ଆମେ ପ୍ରତ୍ୟେକଙ୍କୁ ବାହାର କରିଦେବୁ ।

ଅମିତ ଶାହା ଦାବି କରିଛନ୍ତି ଯେ ଅନୁପ୍ରବେଶକାରୀଙ୍କ ହେତୁ ସନ୍ଥାଲ ପରଗାନା ଆଦିବାସୀଙ୍କ ସଂଖ୍ୟା ୪୪%ରୁ ୨୮% କୁ ହ୍ରାସ ପାଇଛି। ସାହିବଗଞ୍ଜ ଜିଲ୍ଲାର ୧୦୦୦ କୋଟି ଟଙ୍କାର ଖଣି ସ୍କାମ, ସେନା ଲ୍ୟାଣ୍ଡ ସ୍କାମ ଏବଂ ପେପର ଲିକ ସ୍କାମ ସମେତ ବର୍ତ୍ତମାନର ସରକାର ସମୟରେ ଘଟିଥିବା ଏହି ସ୍କାମ ବିଷୟରେ ସେ ଉଲ୍ଲେଖ କରିଥିଲେ ।

ପଶ୍ଚିମବଙ୍ଗ ନ୍ୟୁ ମୈନାଗୁଡ଼ିରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଲଗା ହେଲା ୫ଟି ବଗି

ନନ୍ଦିଘୋଷ ବ୍ୟୁରୋ: ପୁଣି ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନର ପାଞ୍ଚଟି ବଗି ଲାଇନଚ୍ୟୁତ ହୋଇଛି । ଆଲିପୁରଦାର ଡିଭିଜନର ନ୍ୟୁ ମୈନାଗୁଡ଼ି ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି । ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଛି  । ଏହି ଦୁର୍ଘଟଣା ପରେ ଅନ୍ୟ ଟ୍ରେନ୍ ଗୁଡିକ ଅନ୍ୟ ରୁଟ୍ ମାଧ୍ୟମରେ ପଠାଯାଇଛି, ଯେଉଁ କାରଣରୁ ଏହି ଟ୍ରେନ ଚଳାଚଳ ପ୍ରଭାବିତ ହୋଇନାହିଁ  । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆଲିପୁରଦାର ଡିଆରଏମ  ସହ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଚାଲିଛି ।

ଷ୍ଟେସନ ଅଧୀକ୍ଷକ ମୁକେଶ କୁମାର କହିଛନ୍ତି, “ଟ୍ରେନ ଲାଇନଚ୍ୟୁତ ହେବା ସୂଚନା ସକାଳେ ମିଳିଛି । ଏହି ଘଟଣା ଆଜି ସକାଳ ପ୍ରାୟ ୬ଟାରେ ଘଟିଥିଲା। ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ମରାମତି କାର୍ଯ୍ୟ ଚାଲିଛି  । ଖୁବଶୀଘ୍ର ଟ୍େନ ଚଳାଚଳ ସ୍ବାଭାବିକ ହେବ । “

ମହାରାଷ୍ଟ୍ର ବଦଲାପୁର ଶିଶୁ ଯୌନ ଶୋଷଣ ମାମଲା ; ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ବଦଲାପୁରର ଏକ ନର୍ସରୀ ସ୍କୁଲରେ ଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଅକ୍ଷୟ ସିନ୍ଦେଙ୍କର ସୋମବାର ଦେହାନ୍ତ ହୋଇଛି । ଅଭିଯୁକ୍ତ ଅକ୍ଷୟ ସିନ୍ଧେଙ୍କୁ ତାଲୋଜା ଜେଲରୁ ତଦନ୍ତ ପାଇଁ ବଦଲାପୁରକୁ ଏକ ପୋଲିସ ଗାଡ଼ିରେ ନିଆଯାଉଥିବାବେଳେ ଅକ୍ଷୟ ପୋଲିସ ଗାଡିରୁ ଅସ୍ତ୍ର ଛଡ଼ାଇ ନେଇ ଗୁଳି ଚାଳନା କରିଥିଲେ ଯେଉଁଥିରେ ୨ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହାପରେ ପୋଲିସର ପାଲଟା ଗୁଳିଚାଳନାରେ ଅକ୍ଷୟ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବିଦ୍ୟାଳୟରେ ଯୌନ ଶୋଷଣ ବ୍ୟତୀତ ଅକ୍ଷୟଙ୍କ ବିରୋଧରେ ଅନ୍ୟ ଦୁଇଟି ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା। ପୋଲିସ ହେପାଜତରେ ଅକ୍ଷୟ ଯାଉଥିବାବେଳେ ବାଟରେ ସେ ପୋଲିସର ଅସ୍ତ୍ର ଛଡ଼ାଇ ନେଇ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଅକ୍ଷୟ ସିନ୍ଦେ ନର୍ସରୀ ସ୍କୁଲର ଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗିରଫ ପରେ ଅକ୍ଷୟଙ୍କ ପତ୍ନୀ ତାଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଥିଲେ। ପରେ ଅକ୍ଷୟ ତିନୋଟି ବିବାହ କରିଥିବା ସୂଚନା ମିଳିଥିଲା  ।

୨୩ ବର୍ଷୀୟ ଅକ୍ଷୟଙ୍କୁ ଗତ ଅଗଷ୍ଟ ମାସରେ ଏକ ନର୍ସରୀ ସ୍କୁଲର ସଫେଇ କର୍ମଚାରୀ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। ସେହି ମାସରେ ସେ ସ୍କୁଲ୍‌ ଓ୍ବାଶରୁମ୍‌ରେ ୩ ବର୍ଷ ଓ ୪ ବର୍ଷ ବୟସର ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଗଷ୍ଟ ୧୭ରେ ଗିରଫ ହୋଇଥିଲେ। ବମ୍ବେ ହାଇକୋର୍ଟ ଏହି ମାମଲାକୁ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରି ତଦନ୍ତରେ ବିଳମ୍ବ ପାଇଁ ପୋଲିସକୁ ଭର୍ତ୍ସନା କରିଥିଲେ।

ପୋଲିସ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ ଡାକ୍ତରୀ ପରୀକ୍ଷା ସମୟରେ ଅକ୍ଷୟ ସିନ୍ଦେ ଡାକ୍ତରଙ୍କ ସାମ୍ନାରେ ନିଜର ଅପରାଧ ସ୍ୱୀକାର କରିଥିଲେ। । ଅଗଷ୍ଟରେ ଦୁଇ ସ୍କୁଲ ବାଳିକାଙ୍କୁ ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ଏସଆଇଟି ଏହାର ତଦନ୍ତ ଶେଷ କରିସାରିଛି। କେବଳ ଏତିକି ନୁହେଁ ଅକ୍ଷୟଙ୍କ ପତ୍ନୀ ତାଙ୍କୁ ଅସ୍ୱାଭାବିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି।

ବିଲରୁ କାମ ସାରି ଫେରୁଥିବା ବେଳେ ବଜ୍ରାଘାତରେ ଚାଷୀ ମୃତ

ନୟାଗଡ: ପୁଣି ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ଯୁ । ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ଚାଲିଗଲା ଜୀବନ । ଏଭଳି ଅଘଟଣ ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କିଶୋରପ୍ରସାଦ ପଞ୍ଚାୟତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି  ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଶ୍ରୀଧର ପ୍ରଧାନ । ଶ୍ରୀଧର ନିଜ ବିଲକୁ ଯାଇ କାମ ସାରି ଘରକୁ ଫେରିବା ବାଟରେ ବଜ୍ରାଘାତର ଶିକାର ହୋଇଥିଲେ ।

ସଙ୍ଗେସଙ୍ଗେ କିଛି ସ୍ଥାନୀୟ ଲୋକ ତାଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଏହାକୁ ନେଇ ପରିବାରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମୀ ଆଲର୍ଟ

ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ ଥରିଲା ଜାପାନ । କିଛି ସମୟ ପୂର୍ବରୁ ଜାପାନରେ ଆସିଛି ଭୟଙ୍କର ଭୂକମ୍ପ । ଶକ୍ତିଶାଳୀ ଭୂକମ୍ପ ପରେ ଟୋକିଓର ଦକ୍ଷିଣରେ ଥିବା ଦୂର ଦ୍ୱୀପପୁଞ୍ଜ ପାଇଁ ଜାପାନର ପାଣିପାଗ ବିଭାଗ ସୁନାମି ଚେତାବନୀ ଦେଇଛି। ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ। ଜାପାନ ପାଣିପାଗ ବିଭାଗ କହିଛି ଯେ ମଙ୍ଗଳବାର ସକାଳେ ଇଜୁ ଦ୍ୱୀପର ଉପକୂଳବର୍ତ୍ତୀରେ ୫.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହେଇଛି ଏବଂ କିଛି ସମୟ ମଧ୍ୟରେ ଏହି ଅଞ୍ଚଳରେ ଏକ ମିଟର ପର୍ଯ୍ୟନ୍ତ ଲହରୀ ଆଶଙ୍କା କରାଯାଇପାରେ ବୋଲି ଚେତାବନୀ ଦେଇଛି।

ଗତ ମାସରେ ଦକ୍ଷିଣ ଜାପାନର ମିୟାଜାକି ପ୍ରିଫେକ୍ଟରରେ ୭.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ଏହି ଭୂକମ୍ପରେ ଅତି କମରେ ୧୬ ଜଣ ଆହତ ହୋଇଥିଲେ । ଏଥି ସହିତ, ୫୦ସେମି ଉଚ୍ଚତା ବିଶିଷ୍ଟ ଛୋଟ ସୁନାମି ତରଙ୍ଗ ସୃଷ୍ଟି ହେଇଥିଲା  ।

ଏହି ଘଟଣା ପରେ ଜାପାନ ମେଟେରୋଲୋଜିକାଲ ଏଜେନ୍ସି (ଜେଏମଏ) ପ୍ରଥମ ଥର ପାଇଁ ମେଗାକ୍ୱାକ ଆଲର୍ଟ ଜାରି କରିଛି। ଜାପାନରେ ଏହା ପ୍ରଥମ ଥର ପାଇଁ ଜାରି କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର ଉପକୂଳଠାରୁ ଦୂରରେ ଏବଂ ପ୍ରାୟ ୨୫  କିଲୋମିଟର ଦୂରରେ ଥିବା ଏକ ଭୂତଳ ସମୁଦ୍ର କୂଳ ନାନକାଇ ଟ୍ରଫ୍ ନିକଟରେ ଥିଲା  । ନାନକାଇ ଟ୍ରଫ୍ ତଳେ ଏକ ବଡ଼ ତ୍ରୁଟି ଜୋନ୍ ଥିବାର ସନ୍ଧାନ ମିଳିଛି । ଜାପାନ ସରକାରଙ୍କ ଅନୁଯାୟୀ, ଏପରି ଭୂକମ୍ପ ଯୋଗୁଁ ଲକ୍ଷାଧିକ ଲୋକ ଆହତ ହୋଇପାରନ୍ତି। ଏକ ମେଗାକ୍ୱାକ ଆଲର୍ଟ ଏବଂ ପରାମର୍ଶଦାତା ପ୍ରଦାନ କରୁଥିବାବେଳେ ଜେଏମଏ କହିଛି ଯେ ସାଧାରଣ ପରିସ୍ଥିତିରେ ଘଟିଥିବା ଭୂକମ୍ପ ଅପେକ୍ଷା ବଡ଼ ଧରଣର ଭୂକମ୍ପ ହେବାର ସମ୍ଭାବନା ଅଧିକ।

ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ରିଚ୍ଟର ସ୍କେଲରେ ୮ ରୁ ଅଧିକ ତୀବ୍ରତା ବିଶିଷ୍ଟ ଭୂକମ୍ପକୁ ମେଗାକ୍ୱେକ୍ ଶ୍ରେଣୀଭୁକ୍ତରେ କରାଯାଇଛି। ଏହି ତୀବ୍ରତାର ଭୂକମ୍ପ ବିନାଶ ଆଣିପାରେ | ବିଶ୍ବାସ କରାଯାଏ ଯେ ଏହି ପ୍ରକାର ଭୂକମ୍ପ ପ୍ରତି ୧୦୦ବର୍ଷରେ ଥରେ ଘଟେ, ଯେଉଁଥି ପାଇଁ ଜାପାନରେ ଏକ ମେଗାକ୍ୱାକ ଆଲର୍ଟ ଜାରି କରାଯାଇଛି।

ଆଜିଠୁ ମା’ଙ୍କ ପୀଠରେ ଷାେଳପୂଜା ଆରମ୍ଭ, ଚଳଚଞ୍ଚଳ ସମସ୍ତ ଦେବୀ ପୀଠ

କଟକ: ଆଜିଠାରୁ ଆରମ୍ଭ ହେବ ଶାରଦୀୟ ପାର୍ବଣର ଆଦ୍ୟ ଅଧ୍ୟାୟ ଷୋଳପୂଜା । ଏଥିନିମନ୍ତେ ଶ୍ରୀନଅରରେ ଗଜପତି ଦିବ୍ୟସିଂହ ଦେବ ସ୍ତୋତ୍ରୀୟ ବ୍ରାହ୍ମଣ ମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିବେ । ୧୬ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପୂଜା ପାଇଁ ରାଜଗୁରୁ, ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ଓ ନଡିଆ ପ୍ରଦାନ କରିଥାନ୍ତି l ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି ଷୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ ଅନୁଷ୍ଠିତ ହେବ ।

ଗଜପତି ମହାରାଜା ୨୧ ଜଣ ସ୍ତୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରିବା ସହ ବସ୍ତ୍ର ଦାନ କରି ବିଭିନ୍ନ ପୀଠରେ ହେବାକୁ ଥିବା ପୂଜା ପାଇଁ ନିଯୁକ୍ତ କରିବେ । ଏହି ଆଚାର୍ଯ୍ୟମାନେ ଆଜିଠାରୁ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତୀପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ। ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମାଆ ବିମଳାଙ୍କ ପୀଠରେ ଷୋଡ଼ଷ ଉପଚାରରେ ପୂଜାବିଧି ଆରମ୍ଭ ହେବ। ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୂବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣ କାଳୀ, ଆଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଷୋଳପୂଜା ଆରମ୍ଭ କରାଯିବ ।

ଆସନ୍ତା ୨୫ରେ ଜାମ୍ମୁ ଓ କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଜାମ୍ମୁ ଓ କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ଗତକାଲି ସରିଛି ଦ୍ଵିତୀୟ ପର୍ଯ୍ଯାୟ ପ୍ରଚାର। ଦ୍ଵିତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନରେ ବିଭିନ୍ନ ଦଳର ପ୍ରମୁଖଙ୍କ ସହ ପ୍ରାର୍ଥୀ ଜୋରଦାର ପ୍ରଚାର କରିଥିଲେ। ସେପଟେ ଆସନ୍ତାକାଲି ଭୋଟଗ୍ରହଣ ଥିବାରୁ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରକୁ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ ପାର୍ଟି। ଜିଲ୍ଲା ପ୍ର

ଆସନ୍ତାକାଲି ରଜୌରୀ, ପୁଞ୍ଚ, ରିଆସି, ଶ୍ରୀନଗର, ବଡଗାମ, ଗନ୍ଦେରବଲ ଜିଲ୍ଲାରେ ଭୋଟଗ୍ରହଣ ହେବ। ଆସନ୍ତାକାଲି ୨୫ ତାରିଖରେ ଜାମ୍ମୁ କାଶ୍ମୀର ୨୬ ଆସନରେ ହେବ ମତଦାନ। ମୋଟ ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ଅଛନ୍ତି ୨୩୯ ପ୍ରାର୍ଥୀ। ଗନ୍ଦେରବଲ ଆସନରେ ସର୍ବାଧିକ ୧୫ ପ୍ରାର୍ଥୀ ରହିଛନ୍ତି। ବୁଦ୍ଧଲ ସଂରକ୍ଷିତ ଆସନରେ ସବୁଠାରୁ କମ ୪ ପ୍ରାର୍ଥୀ ରହିଛନ୍ତି। ବୁଧବାର ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସଂଧ୍ଯା ୬ଟା ପର୍ଯ୍ୟନ୍ତ ଚାଲିବ। ଭୋଟରଙ୍କ ମଧ୍ୟରେ ୧୮ରୁ ୧୯ ବର୍ଷ ବୟସର ୧ ଲକ୍ଷ ୨୦ ହଜାର ଭୋଟର ରହିଛନ୍ତି।

ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍, ୨୭୪ ମୃତ

ନୂଆଦିଲ୍ଲୀ:  ହେଜବୁଲ୍ଲା ଉପରେ ଇସ୍ରାଏଲ ସେନାର ଏୟାର ଷ୍ଟ୍ରାଇକ । ଅଢ଼େଇ ଶହରୁ ଅଧିକ ଲୋକଙ୍କ ମୃତ୍ଯୁ । ୭ ଶହରୁ ଅଧିକ ଲୋକ ଆହତ । ଲେବାନନର ଦକ୍ଷିଣ ଅଞ୍ଚଳରେ ସକାଳୁ ଚାଲିଛି ଜୋରଦାର ଆକ୍ରମଣ । ବର୍ତ୍ତମାନ ସୁଦ୍ଧା ୨୭୪ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ମହିଳା, ଶିଶୁ ଓ ମେଡିକାଲ କର୍ମଚାରୀ ରହିଛନ୍ତି ।

ଗାଜା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ପରଠାରୁ ଏହା ସବୁଠାରୁ ଭୟାନକ ଆକ୍ରମଣ ବୋଲି କୁହାଯାଉଛି । ପାଖାପାଖି ଲେବାନନର ୩ ଶହରୁ ଅଧିକ ସ୍ଥାନକୁ ଟାର୍ଗେଟ କରି ହୋଇଛି ଏହି ଏୟାର ଷ୍ଟ୍ରାଇକ । ମିସାଇଲ ଓ ରକେଟ ଦ୍ଵାରା ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ପୂର୍ବରୁ ଲେବାନନର ବାସିନ୍ଦାଙ୍କୁ ଇସ୍ରାଏଲ ପକ୍ଷରୁ ଆଲର୍ଟ ମେସେଜ୍ ମଧ୍ୟ ପଠାଯାଇଥିଲା ।

ଇସ୍ରାଏଲ ଆକ୍ରମଣ ପରେ ଲେବାନନରେ ଆଜି ଓ ଆସନ୍ତାକାଲି ପାଇଁ ସମସ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଛି । ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ ପରାମର୍ଶ ଦେଇଛି ଲେବାନନ ସରକାର । ଦୋକାନ ବଜାର ମଧ୍ୟ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଇସ୍ରାଏଲର ଏହି ଆକ୍ରମଣ ପରେ ହେଜବୁଲ୍ଲା ମଧ୍ୟ ପ୍ରତି ଆକ୍ରମଣ କରିଛି । ଏୟାର ଷ୍ଟ୍ରାଇକ ପରେ ଲେବାନନ ତରଫରୁ ୩୫ ରକେଟ ମାଡ଼ କରାଯାଇଥିଲା । ତେବେ ଇସ୍ରାଏଲରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ରାଜଧାନୀ ବେରୁତ ଓ ଅନ୍ୟ ଅଂଚଳରେ ଲୋକଙ୍କୁ ଲ୍ଯାଣ୍ଡଲାଇନ ଜରିଆରେ ଆକ୍ରମଣ ନେଇ ଆଲର୍ଟ ମେସେଜ ଆସିଥିଲା । କିଛି ଦିନ ପୂର୍ବୁର ହେଜବୁଲ୍ଲାକୁ ଟାର୍ଗେଟ କରି ପେଜର ଓ ୱାକିଟକି ହମଲା ହୋଇଥିଲା । ଏଥିରେ ୩୦ରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଥିବା ବେଳେ ୩ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ ।

ଭରତପୁର ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

କଟକ: ଭରତପୁର ଥାନା ଘଟଣା ନେଇ ନିଜ ଆଡୁ କରିଥିବା ମାମଲାର ଶୁଣାଣି କରି ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ଏଥିସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ତଦାରଖ କରିବା ପାଇଁ ସିଧା ସିଧା ମନା କରି ଦେଇଛନ୍ତି କୋର୍ଟ । ତେବେ ଘଟଣାରେ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ରଙ୍କୁ ଆମିକସ କ୍ଯୁରି ଭାବେ ନିଯୁକ୍ତ କରିଛନ୍ତି ଉଚ୍ଚ ନ୍ଯାୟାଳୟ ।

ହାଇକୋର୍ଟର ମୁଖ୍ଯ ବିଚାରପତି ଚକ୍ରଧାରୀ ଶରଣ ସିଂ ଓ ବରିଷ୍ଠ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ବେଳେ ପୋଲିସ ଥାନାର ବ୍ଯବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରଶ୍ନ କରିଛନ୍ତି ଯେ, ରାତି ଅଧରେ ଦୁଇ ଜଣ ଥାନାରେ ଅଘଟଣ ଘଟାଇବା ପାଇଁ ଯୋଜନା କରି ଥାନାକୁ ଯାଇଥିଲେ କି ? ଥାନା ଭିତରେ ସେଦିନ ଯାହା ଘଟିଲା ତାହା ଏପର୍ଯ୍ୟନ୍ତ ରହସ୍ଯ ହୋଇ ରହିଛି । ଏହାର ସଠିକ ତଦନ୍ତ ହେବା ଆବଶ୍ଯକ ଅଛି । ଏଥିସହ ଥାନାରେ ସିସିଟିଭି ନଥିବା ନେଇ ମଧ୍ଯ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ ।

ରାଜ୍ଯ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ କୁହାଯାଇଛି, ରାଜ୍ଯରେ ୬୫୦ଟି ଥାନା ଥିବାବେଳେ ସେଥିମଧ୍ଯରୁ ୫୯୩ଟି ଥାନାରେ ସିସିଟିଭି ଅଛି । ବାକି ୫୭ଟି ଥାନାରେ ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ସିସିଟିଭି ସଂପର୍କରେ ଅଦାଲତରେ ଦାଖଲ କରିବା ପାଇଁ ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରେ ସଂପୃକ୍ତ କ୍ଯାପେଟନ, ତାଙ୍କ ବାନ୍ଧବୀ ବା ରୋଡ ରୋମିଓଙ୍କ ପରିଚୟ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ଅଦାଲତ କଟକଣା ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୮ ତାରିଖରେ କରାଯିବ ।

ସୂଚନାଯୋଗ୍ୟ, ଗତ ବିଧାନସଭା ଅଧିବେଶନ ବେଳେ ଖୋଦ ମୁଖ୍ୟମନ୍ତ୍ରୀ ଗୃହକୁ ରାଜ୍ୟର ଥାନାଗୁଡିକରେ ସିସିଟିଭି ଷ୍ଟାଟସ ନେଇ ଉତ୍ତର ରଖିଥିଲେ । ଉତ୍ତରରେ କହିଥିଲେ ଯେ, ରାଜ୍ୟର ସବୁ ଥାନାରେ ସିସିଟିଭି ରହିଛି । ଏହାକୁ ନେଇ ଏବେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।