spot_img
Home Blog Page 1575

ଆସନ୍ତାକାଲିଠାରୁ ୩ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ

ପୁରୀ : ଆସନ୍ତାକାଲି ଠାରୁ ୩ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ କରିବ ASIର ସ୍ୱତନ୍ତ୍ର ବୈଷୟିକ ଟିମ । ଉନ୍ନତ ଜ୍ଞାନ କୌଶଳ ଓ ଯନ୍ତ୍ରପାତି ବ୍ୟବହାର କରାଯାଇ ରାଡ଼ାର ସର୍ଭେ କରାଯିବାକୁ ଥିବା ବେଳେ ଦିନ ଗୋଟାଏରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ହୋଇଛି । ଆଗାମୀ ୨୪ ତାରିଖ ଠାରୁ ଶ୍ରୀମନ୍ଦିରରେ ଷୋଳ ପୂଜା ଆରମ୍ଭ ହେଉଥିବା ହେତୁ ସର୍ଭେ କାର୍ଯ୍ୟ ଶୀଘ୍ର ଶେଷକରି ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ASIକୁ କୁହାଯାଇଛି ।

ଶ୍ରୀମନ୍ଦିରର ରତ୍ନଭଣ୍ଡାରର ହେବ ରାଡ଼ାର ସର୍ଭେ । ପୁଣି ଯାଞ୍ଚ କରିବ ଏଏସଆଇର ସ୍ବତନ୍ତ୍ର ବୈଷୟିକ ଟିମ୍ । ଦିନ ଗୋଟାଏରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଗତ ୧୮ ତାରିଖରେ ASIର ସ୍ୱତନ୍ତ୍ର ବୈଷୟିକ ଟିମ ଦ୍ୱାରା ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ ହୋଇଥିଲା । ଲେଜର ସ୍କାନିଂ କରାଯାଇଥିବାବେଳେ ରାଡ଼ାର  ସର୍ଭେ ନେଇ ବୈଷୟିକ ଟିମ ମତ ରଖିଥିଲା । ASIର ଅତିରିକ୍ତ ଡିଜି ଜାହ୍ନଭି ଶର୍ମାଙ୍କ ନେତୃତ୍ୱରେ  କରାଯାଇଥିବା ଯାଞ୍ଚ ଅସମ୍ପୂର୍ଣ୍ଣ ରହିଥିଲା । ଶ୍ରୀମନ୍ଦିରରେ ଷୋଳ ପୂଜାକୁ ନଜରରେ ରଖି ଯାଞ୍ଚ କାର୍ଯ୍ୟ ଆଗାମୀ ୨୪ ତାରିଖ ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା । ଏହାକୁ ଗୁରୁତ୍ବ ଦେଇ ଆଗାମୀ ୩ ଦିନ ଧରି ଯାଞ୍ଚ କରିବାକୁ ଧାର୍ଯ୍ୟ କରାଯାଇଛି । ସମ୍ପୂର୍ଣ୍ଣ ରାଡ଼ାର ସର୍ଭେ ପରେ ଭଣ୍ଡାର ଗୃହର ସଂରକ୍ଷଣ, ମରାମତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବ ଟିମ୍ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିର୍ଘଣ୍ଟ କରାଯାଇଛି । ଦିନ ଗୋଟାଏ ପରଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ ।

ଭଣ୍ଡାର ଘରେ ଗୁପ୍ତ ସୁଡ଼ଙ୍ଗ ପ୍ରସଙ୍ଗରେ ଯାଞ୍ଚ ପରେ ସ୍ପଷ୍ଟ ହୋଇ ପାରିବ । ଅନ୍ୟପକ୍ଷରେ ରିପୋର୍ଟ ମିଳିବ ପରେ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁସାରେ ଶୀଘ୍ର ମରାମତି ସହ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ଭଣ୍ଡାର ଘର ମରାମତି ପରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ରହିବ ବୋଲି ସେବାୟତ ଆଶା ରଖିଛନ୍ତି। ଶ୍ରୀମନ୍ଦିର ବିଧି ବ୍ୟବସ୍ଥା ଓ ନୀତିକାନ୍ତିରେ ଯେପରି ସମସ୍ୟା ନହୁଏ ସେ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ସେବାୟତ ।

ବିପଦ ସଂକେତ ତଳକୁ ଖସିଲା ସୁବର୍ଣ୍ଣରେଖା, ପାଣି କମିଥିବାରୁ ଗାଁକୁ ଫେରିଲେ ଲୋକେ

ବାଲେଶ୍ବର : ସୁଧୁରୁଛି ବାଲେଶ୍ବର ବନ୍ଯାସ୍ଥିତି । ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ବିପଦ ସଙ୍କେତ ତଳକୁ ଖସିଛି । ଭୋଗରାଇ, ବାଲିଆପାଳ ବ୍ଲକରେ ବନ୍ୟା ସ୍ଥିତିରେ ଆସିଛି ସୁଧାର । ପାଣି କମିବା ପରେ ପ୍ରଭାବିତଙ୍କ ଦୁଃଖ ବଢି ଯାଇଛି । ଆଶ୍ରୟ ସ୍ଥଳୀରୁ ଘରକୁ ଫେରିଥିଲେ ସୁଦ୍ଧା ଘର ଭାଙ୍ଗି ଯାଇଥିବାରୁ ଆଶ୍ରୟସ୍ଥଳକୁ ସଜାଡିବାରେ ଲାଗିଛନ୍ତି ଗ୍ରାମବାସୀ ।

ଯେଉଁଠି ଗାଈ ଗୁହାଳ ଥିଲା ସେଠି ଚାଲିଛି ରୋଷେଇ ଘର । ବନ୍ଯା ଉଜାଡ଼ି ଦେଇଛି ଝାଟିମାଟିର ନୂଆଁଣିଆ ଘର । ବନ୍ଯା ଦେଇଛି ବାଲେଶ୍ବରବାସୀଙ୍କୁ ଦୁଃଖ । ପାଣି କମିବା ସହ ବଢିଛି ଦୁର୍ଦ୍ଦଶା । ଇଏ ହେଉଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଆରୁହାବୃତ୍ତି-1 ଗାଁର ଦୃଶ୍ୟ । ମକର ବେହେରା ସ୍ତ୍ରୀ ମିନତିଙ୍କ ସହିତ ମିଶି ଭଙ୍ଗା କାନ୍ଥରେ କାଦୁଅ ବୋଳୁଛନ୍ତି । ପିଣ୍ଢାରେ ଗୋଟି ଫୁଟ ଉଚ୍ଚର କାଦୁଅ । ତେଣୁ ଗାଈଁ ଗୁହାଳରେ ଚଳୁଛନ୍ତି ପରିବାର । ବନ୍ୟାରୁ ବଞ୍ଚି ଯାଇଥିବା ସାମଗ୍ରୀକୁ ଘର ଭିତରୁ ବାହାରକରି ଶୁଖାଉଛନ୍ତି । ସୋମବାର ରାତିରେ ହଠାତ୍ ସୁବର୍ଣ୍ଣରେଖାର ବନ୍ୟାଜଳ ଗାଁ ଭିତରକୁ ମାଡ଼ି ଆସିଲା । ଛୁଆ ପିଲାଙ୍କୁ ଧରି ନିକଟରେ ଥିବା ସ୍କୁଲ ଘରେ ଚଳୁଥିଲେ ପରିବାର । ପାଣି ଛାଡ଼ିବା ପରେ ଘରକୁ ଫେରିଛନ୍ତି । ହେଲେ ଘର ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଇଛନ୍ତି। ଘର ସଜାଡ଼ିବାକୁ ଏକମାସ ଲାଗିବ ବୋଲି କହିଛନ୍ତି ମକର ।

ସୁବର୍ଣ୍ଣରେଖା ନଦୀ କୂଳରେ ଥିଲା କାର୍ତ୍ତିକ ବେହେରାଙ୍କ ଘର । ନଦୀ ଆଁରେ ଘର ମିଶିଯିବା ପରେ ପିଲା ଛୁଆଙ୍କୁ ଧରି ଗାଁ ନିକଟରେ ରହୁଥିଲେ । ହେଲେ ଏଠିବି ଦୁଃଖ ଦେଲା ସୁବର୍ଣ୍ଣରେଖା । ଛୁଆ ପିଲାଙ୍କୁ ଧରି ଛାତ ଉପରେ ରହୁଛନ୍ତି କାର୍ତ୍ତିକଙ୍କ ପରିବାର । ତଳେ ରୋଷେଇ, ଆଉ ଛାତରେ ଖିଆପିଆ । ଆଜି ମଧ୍ୟ ଭୋଗରାଇ ଓ ବାଲିଆପାଳ ବ୍ଲକ୍ର ୪୦ରୁ ଅଧିକ ଗାଁରେ ଅଛି ପାଣି । କମର୍ଦ୍ଦାରୁ ବାଲିଆପାଳ ରାସ୍ତାର ଉଲୁଡ଼ାରେ ରାସ୍ତା ଉପରେ ୨ ଫୁଟର ପାଣି ଚାଲିଛି । ବନ୍ଯାପାଇଁ ୧୯ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା  । ଜିଲ୍ଲାରେ ମୋଟ ୩୦ହଜାର ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି । ସ୍ଥାନାନ୍ତର କରାଯାଇଥିବା କେତେକ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ପ୍ରଶାସନ କହିଛି ଖୁବ୍ ଶିଘ୍ର ପରିସ୍ଥିତି ସ୍ବାଭାବିକ ହୋଇଯିବ।

କରଡି କିଣିବାକୁ ହାଟରେ ଲୋକଙ୍କ ଭିଡ

ରାୟଗଡା : ଜଙ୍ଗଲ ଜାତ ଦ୍ରବ୍ୟ କରଡି। ବର୍ଷା ଦିନେ ବହୁଳ ପରିମାଣରେ କରଡି ବିକ୍ରି ହୋଇଥାଏ। ବିଶେଷ କରି ରାୟଗଡା ଜିଲ୍ଲା ନିୟମଗିରି , କଲ୍ୟାଣସିଂହପୁର, ଚାଟିକଣା, ମୁନିଗୁଡା, ବିଷମ କଟକ ଆଦି ସ୍ଥାନରେ ହାଟରେ ବହୁଳ ପରିମାଣରେ କରଡି ବିକ୍ରି ହେଉଛି। କରଡି କିଣିବାକୁ ହାଟରେ ଲୋକଙ୍କ ଭିଡ ଜମୁଛି।

ଦେଶୀ ବାଉଁଶ ଗଛର ଗଜା ଯାହାକୁ କରଡ଼ି କୁହାଯାଏ। ବର୍ଷାଋତୁ ଆସିଲେ ଜଙ୍ଗଲ ମୂଲକର ଆଦିବାସୀଙ୍କର ଏହା ମୁଖ୍ୟ ଜୀବିକା। ବିଶେଷ କରି ରାୟଗଡ ଜିଲ୍ଲା ନିୟମଗିରି , କଲ୍ୟାଣସିଂହପୁର, ଚାଟିକଣା, ମୁନିଗୁଡା, ବିଷମ କଟକ ଆଦି ସ୍ଥାନରେ ହାଟରେ ବହୁଳ ପରିମାଣରେ କରଡି ବିକ୍ରି ହୋଇଥାଏ। କରଡି ଋତୁକାଳୀନ ପରିବା ହୋଇଥିବାରୁ ଏହାର ଲୋକପ୍ରିୟତା ରହିଛି। କରଡି କିଣିବାକୁ ହାଟରେ ଲୋକଙ୍କ ଭିଡ ଜମେ। ଅନ୍ଯପକ୍ଷେ କରଡିରୁ ଭଲ ରୋଜଗାରର ଆଶା ରଖନ୍ତି ଆଦିବାସୀ ।

କରଡିରେ ତରକାରୀ , ଭଜା, ଆମ୍ବିଳ, ଚିପ୍ସ, ଚଟଣି, ଆଚାର, ସନ୍ତୁଳା, ରାଇ, ଭଜା ଆଦି ପ୍ରସ୍ତୁତ ହୋଇଥାଏ। କେବଳ ଏହା ଏକ ସୁସ୍ଵାଦ ଖାଦ୍ୟ ତାହା ନୁହେଁ ଏଥିରେ ଭରପୁର ରୋଗ ପ୍ରତିଷେଧକ ଶକ୍ତି ଥାଏ। କରଡି ଖାଇବା ଦ୍ୱାରା ଡାଇବେଟିସ, ବ୍ଲଡ଼ପ୍ରେସର ନିୟନ୍ତ୍ରଣ ରୁହେ ବୋଲି କୁହାଯାଏ।  ଯେହେତୁ କରଡି ବର୍ଷ ସାରା ମିଳେ ନାହିଁ କେବଳ ବର୍ଷା ଋତୁରେ ମିଳୁଥିବାରୁ  କରିଡିର ଚାହିଦା ବଢିଯାଏ।  ଥାଇରଏଡ଼ ରୋଗୀଙ୍କ ବ୍ୟତୀତ ଅନ୍ୟମାନେ ବହୁମାତ୍ରାରେ କରଡି ଖାଇବା ଉଚିତ ବୋଲି କହିଛନ୍ତି ଡ଼ଃ ହିମାଂଶୁ ଦାଶ୍।

ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ରହିଥିଲା ପୁଷ୍ପଗିରି ବିଶ୍ୱବିଦ୍ୟାଳୟ : ଏବେ ନିଜର ପରିଚୟ ଖୋଜୁଛି

ଯାଜପୁର : ପ୍ରାଚୀନ ଭାରତର ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ରହିଥିଲା ପୁଷ୍ପଗିରି ବିଶ୍ୱବିଦ୍ୟାଳୟ । ସପ୍ତମ ଶତାବ୍ଦୀରେ ଗଢି ଉଠିଥିବା ଏହି ବିଶ୍ୱବିଦ୍ୟାଳୟ ଏବେ ନିଜର ପରିଚୟ ଖୋଜୁଛି। ଲାଙ୍ଗୁଡ଼ି ପାହାଡ଼ଠୁ ଆରମ୍ଭ କରି ହୀରକ ତ୍ରିଭୁଜ କୁହାଯାଉଥିବା ଉଦୟଗିରି, ରତ୍ନଗିରି, ଓ ଲଳିତଗିରି ପାହାଡ଼ରୁ ଉଦ୍ଧାର ହୋଇଥିବା ବୌଦ୍ଧ କୀର୍ତିରାଜି ସାରା ବିଶ୍ୱକୁ ଚକିତ କରିଥିଲା। ଏବେ ଏହି ବିଶ୍ୱବିଦ୍ୟାଳୟର ପୁନଃରୁଦ୍ଧାର ପାଇଁ ଦାବି ହୋଇଛି।

ଇତିହାସକୁ ବଖାଣିଥିଲା ଓ ସାରା ବିଶ୍ୱକୁ ଚକିତ କରିଥିଲା ଯାଜପୁର ଜିଲ୍ଲାର ଉଦୟଗିରି, ରତ୍ନଗିରି, ଲାଙ୍ଗୁଡ଼ି ଓ କଟକ ଜିଲ୍ଲାରେ ଥିବା ଲଳିତଗିରି ପାହାଡ଼ରୁ ଉଦ୍ଧାର ହୋଇଥିବା ବୌଦ୍ଧ କୀର୍ତ୍ତିରାଜି। ପ୍ରାଚୀନ ସ୍ତୁପ ଓ ଅନ୍ୟ କୀର୍ତ୍ତିରାଜିକୁ ନେଇ ଏଠାରେ ଏକ ପ୍ରାଚୀନ ଶିକ୍ଷାକେନ୍ଦ୍ର ଥିବା ସ୍ପଷ୍ଟ ହୋଇଥିଲା। ହୀରକ ତ୍ରିଭୁଜ ଥିଲା ପ୍ରାଚୀନ ଭାରତର ପ୍ରମୁଖ ବିଶ୍ଵବିଦ୍ୟାଳୟ। ଏହା ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ନାମରେ ନାମିତ ହୋଇଥିଲା। ଏଠାରେ ବୌଦ୍ଧ ଶିକ୍ଷା, ସାହିତ୍ୟ, ଦର୍ଶନ, ନ୍ୟାୟ ଓ ଯୋଗ ଶିକ୍ଷା ପ୍ରଦାନ କରାଯାଉଥିଲା। ଦ୍ୱତୀୟ ଶତାବ୍ଦୀରୁ ୧୧ ଶହ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରାଚୀନ ଭାରତର ଏହା ଏକ ପ୍ରମୁଖ ଶିକ୍ଷାକେନ୍ଦ୍ର ରହିଥିଲା। ସମୟ କ୍ରମେ ଏହା ବିଲୁପ୍ତ ହୋଇ ଯାଇଛି। ଯାହାର ପୁନଃରୁଦ୍ଧାରର ଆବଶ୍ଯକତା ରହିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ଉଦୟଗିରିରେ ଥିବା ମାଧବପୁର ମହାବିହାର ଓ ସିଂହପ୍ରସ୍ତ ମହାବିହାରରୁ  ଅନେକ ସ୍ତୁପ, ଓ ବୌଦ୍ଧ କୀର୍ତ୍ତିରାଜି ଗୁଡିକ ପୁନଃରୁଦ୍ଧାର ହୋଇଛି। ହେଲେ ଏହାର ସଠିକ ଭାବରେ ରକ୍ଷଣବେକ୍ଷଣ ହୋଇ ପାରୁନି। ଲାଙ୍ଗୁଡ଼ି ପାହାଡ଼ରେ ମଧ୍ୟ ସମାନ ଅବସ୍ଥା। ଏଠାରେ ଅନେକ କୀର୍ତ୍ତିରାଜି ଉଦ୍ଧାର ହୋଇଥିଲେ ସୁଦ୍ଧା ଆହୁରି ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି ।

ଅଣ୍ଟାସରରୁ ପଣସପଦର ପର୍ଯ୍ୟନ୍ତ ରାସ୍ତା ଖାଲ ଖାବଡ଼ାରେ ଭର୍ତ୍ତି

ନବରଙ୍ଗପୁର : ରାସ୍ତା ପାଲଟିଛି ମରଣଜନ୍ତା। ନବରଙ୍ଗପୁର ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକକୁ ସଂଯୋଗ କରୁଥିବା ଅଣ୍ଟାସର ଠାରୁ ପଣସପଦର ରାସ୍ତା ଖାଲ ଖାବଡ଼ାରେ ଭର୍ତ୍ତି। ପୂର୍ବରୁ ମାଟି କାଦୁଅ ଥିବା ଏହି ରାସ୍ତା ଗତବର୍ଷ ମରାମତି ହୋଇଥିଲା। ବର୍ଷେ ନପୁରୁଣୁ ରାସ୍ତାର ଅବସ୍ଥା ଶୋଚନୀୟ । ନିମ୍ନମାନର ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କୁ ଦୋଷ ଦେଲେ ଗ୍ରାମବାସୀ।

ବିଭାଗ ଏକ ଅଭିଯୋଗ ଅନେକ। ଗ୍ରାମ୍ୟ ଉନ୍ନୟନ ବିଭାଗର ଗୋଟିଏ ପରେ ଗୋଟିଏ ପିଚୁ ରାସ୍ତାର ଅବସ୍ଥା ବେହାଲ୍। ନିର୍ମାଣ କାର୍ଯ୍ୟର ଅଳ୍ପ ଦିନ ପରେ କାଦୁଅ ରାସ୍ତାରେ ପରିଣତ ହୋଇଯାଉଛି ପିଚୁ ରାସ୍ତା। ନବରଙ୍ଗପୁର ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକକୁ ସଂଯୋଗ କରୁଥିବା ଅଣ୍ଟାସର ଠାରୁ ପଣସପଦର ରାସ୍ତା ପାଲଟିଛି ମରଣଜନ୍ତା। ପୂର୍ବରୁ ମାଟି କାଦୁଅ ଥିବା ଏହି ରାସ୍ତା ଗତବର୍ଷ ମରାମତି ହୋଇଥିଲା। ୯୮.୪୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ରାସ୍ତା ଉନ୍ନତିକରଣ କାର୍ଯ ଗତ ଅକ୍ଟୋବର ମାସ ୧୪ ତାରିଖରେ ଶେଷ ହୋଇଥିଲା। କିନ୍ତୁ ବର୍ଷେ ନପୁରୁଣୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଅଧା ରାସ୍ତାରୁ ପିଚୁ ଉଠିଯାଇଛି। ଖାଲ ଖାବଡା ରାସ୍ତା ଦେଇ ଯିବାବେଳେ ଦୁର୍ଘଟଣା ଘଟୁଛି।

ଲୋକଙ୍କ ସୁଗମ ଯାତାୟାତ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କାହିଁକି ନିମ୍ନମାନର ରାସ୍ତା ନିର୍ମାଣ କରାଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।  ନଚେତ ଆଗାମୀ ଦିନରେ ଆନ୍ଦୋଳନର ଧମକ ଦେଇଛନ୍ତି । ଏ ସମ୍ବନ୍ଧରେ କିନ୍ତୁ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିବାକୁ ନାରାଜ ବିଭାଗୀୟ କତ୍ତୁପକ୍ଷ । ଯେଉଁଥି ପାଇଁ ଲୋକଙ୍କ ମଧ୍ଯରେ ଅହୁରି ଅସନ୍ତୋଷ ବଢିଯାଇଛି।

ଭରତପୁର ଥାନାରେ ନିର୍ଯାତନା ଘଟଣା : ମୁଖ୍ୟ ବିଚାରପତିଙ୍କୁ ସେନା କମାଣ୍ଡରଙ୍କ ଚିଠି

ଭୁବନେଶ୍ବର : ଜଣେ କାର୍ଯ୍ୟରତ ମେଜରଙ୍କୁ ଥାନାରେ ମାଡ଼ ଓ ନିର୍ଯାତନାକୁ ନେଇ ଉଦବେଗ ପ୍ରକାଶ କରିଛି ସେନା। ଯେପରି ଭାବେ ମେଜର ଓ ବାନ୍ଧବୀଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା, ନିର୍ଯାତନା ଦିଆଗଲା, ଅସଦାଚରଣ କରାଗଲା, ଜଣେ ବ୍ରିଗେଡିୟରଙ୍କ ଝିଅଙ୍କୁ ଅସଦାଚରଣ କରାଗଲା,ସେଥିରେ ସେନା କ୍ଷୋଭ ପ୍ରକାଶ କରିଛି। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ହସ୍ତକ୍ଷେପ କରିବାକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ପିଏସ ଶେଖାୱତ। ସେ କହିଛନ୍ତି ଥାନା ଭିତରେ ଘଟିଥିବା ଘଟଣା ଜଣେ ସେବାରତ ସେନାଅଧିକାରୀଙ୍କ ସ୍ବାଭିମାନ ପ୍ରତି କ୍ଷତି ପହଞ୍ଚାଇଛି। ପୋଲିସ ଅଧିକାରୀଙ୍କ ଦ୍ବାରା ଏପରି ଘଟଣା ଅତ୍ଯନ୍ତ ଅମାନବୀୟ। ମେଜରଙ୍କ ବାନ୍ଧବୀଙ୍କୁ ରକ୍ତାକ୍ତ ଆକ୍ରମଣ କରିବା ବର୍ବରତାର ପରିଚୟ ବୋଲି ସେ କହିଛନ୍ତି। ଥାନା ଭିତରେ ସିସିଟିଭି ଲଗାଇବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ବେ ଏହାକୁ ପୂରଣ କରାଯାଇ ନାହିଁ ବୋଲି ସେ କହିଛନ୍ତି।

ରାଜ୍ଯ ସରକାରଙ୍କ ଉପରେ ବର୍ଷିଲା ବିଜେଡି ମହିଳା ଟିମ୍

ଭୁବନେଶ୍ବର : ରାଜ୍ଯରେ ଭୁଶୁଡି ପଡିଥିବା ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଛନ୍ତି ବିଜେଡି ମହିଳା ଟିମ । ରାଜ୍ଯ ସରକାରଙ୍କୁ ଘେରିଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ, ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଯଦି ସରକାର କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ  ତେବେ ଆଜି ଏହି ମେଜର ଓ ବାନ୍ଧବୀ ଘଟଣା ଘଟିନଥାନ୍ତା । ଶହେ ଦିନରେ ଓଡିଶାର ଛବି ସାରା ଭାରତ ବର୍ଷରେ ତଳକୁ ଗଲାଣି ବୋଲି ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ । ସେହିପରି ଲେଖାଶ୍ରୀ ସାମନ୍ତସିଂହାର କଟାକ୍ଷ କରି କହିଛନ୍ତି, ଥାନା ଭିତରେ ଯେପରି ଜଣେ ସଶକ୍ତ ମହିଳାଙ୍କୁ ଯେପରି ନିର୍ଯାତନା ଦିଆଗଲା ତାହା ନିନ୍ଦନୀୟ । ଯଦି ଜଣେ ସେନା ଅଧିକାରୀ ଓ ତାଙ୍କର ବାନ୍ଧବୀଙ୍କୁ ପୋଲିସ ନିର୍ଯ୍ୟାତନା ଦେଇ ପାରୁଛନ୍ତି ତେବେ ରାଜ୍ୟରେ ସାଧାରଣ ଲୋକଙ୍କ ପ୍ରତି କି ଅତ୍ୟାଚାର ହେଉଥିବ ତାହା ଏଥିରୁ ଜଣାପଡୁଛି  । ପୂର୍ବ ସରକାର ‘ମୋ ସରକାର’ ଜରିଆରେ ସବୁ ଥାନାକୁ ନିୟନ୍ତ୍ରଣରେ ରଖିଥିଲେ । କିଏ ଥାନାକୁ ଆସୁଥିଲା ତାହା ଆଗରୁ ଜଣାପଡୁଥିଲା । ରାଜ୍ଯ ସରକାର ଆଜି ଏ ଘଟଣାକୁ ଲୁଚାଇବାକୁ ଚାହୁଁଛନ୍ତି । ମୋହନ ସରକାର ଏକ ଦୁର୍ବଳ ସରକାର । ଥାନା ଭିତରେ ସେନା ଅଧିକାରୀଙ୍କୁ ମାଡ଼ ମାରିବା କଣ ଓଡିଆ ଅସ୍ମିତା ବୋଲି ପଚାରିଛନ୍ତି ଲେଖାଶ୍ରୀ । ଯେଉଁମାନେ ରାଷ୍ଟ୍ରକୁ ସୁରକ୍ଷା ଦେଉଛନ୍ତି, ବିଜେପି ରାଷ୍ଟ୍ରବାଦୀ ଦଳ ହୋଇ କିପରି ସେନା ଅଧିକାରୀଙ୍କୁ ଥାନାରେ ମାଡ଼ ମାରିଲେ ?  ଏ ସରକାର କେବକ ଦିନ ପାଳନ କରିବାରେ ଲାଗିଛି l ୩୦ଦିନ, ୧୦୦ ଦିନର ମୁକୁଟ ପିନ୍ଧି ବୁଲୁଛନ୍ତି ସରକାର । ଲୋକଙ୍କ କଥା ଭୁଲି ଯାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ଲେଖାଶ୍ରୀ । ରାଜଧାନୀରେ ମହିଳା ଅସୁରକ୍ଷିତ ବୋଲି କହି ବର୍ଷିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ ବିଜେଡି ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ । ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି କହିଛନ୍ତି ସୁଲୋଚନା ।

ପ୍ରଥମ ଇନିଂସରେ ୧୪୯ ରନ୍ କରିଛି ବାଂଲାଦେଶ

ନନ୍ଦିଘୋଷ ବ୍ୟୁରୋ : ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ପ୍ରଥମ ଇନିଂସରେ ୧୪୯ ରନ୍ କରିଛି। ଏହା ସହିତ ଭାରତ ପ୍ରଥମ ଇନିଂସରେ ୨୨୭ ରନ୍ ର  ଲିଡ୍ ନେଇଛି। ବାଂଲାଦେଶର କୌଣସି ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ମୁକାବିଲା କରିପାରି ନାହାନ୍ତି। ସାକିବ ଉଲ୍ ହସନ ସର୍ବାଧିକ ୩୨ ରନ୍ କରିଛନ୍ତି। ଆରମ୍ଭରୁ ହିଁ ପେସ୍ ବୋଲର୍  ବାଂଲାଦେଶକୁ ଝଟକା ଦେଇଥିଲେ, ସେଥିରୁ ଆଉ ବାହାରି ପାରିନଥିଲା ବାଂଲାଦେଶ। ବୁମରା ୪ଟି ୱିକେଟ ନେଇଥିବା ବେଳେ ସିରାଜ ଓ ଆକାଶଦୀପଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଛି। ଭାରତ ପ୍ରଥମ ଇନିଂସରେ ୩୭୬ ରନ କରିଥିଲା। ଅଶ୍ଵୀନ୍ ୧୧୩ ରନ୍ କରିଛନ୍ତି। ଗତକାଲିର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଅଶ୍ଵୀନ ଓ ଜାଦେଜା ଟିମ୍ କୁ ସଂକଟରୁ ଉଦ୍ଧାର କରିଥିଲେ।

ରାଜ୍ୟରେ ଆଇନ ଶୃଙ୍ଖଳା ସାଂଘାତିକ ଭାବେ ବିପର୍ଯ୍ୟସ୍ତ : କଂଗ୍ରେସ

ଭୁବନେଶ୍ବର : ଡବଲ ଇଞ୍ଜିନ ସରକାରରେ ୧୦୦ ଦିନର ସଫଳତା ହେଲା ରାଜ୍ୟରେ ଆଇନ ଶୃଙ୍ଖଳା ସାଂଘାତିକ ଭାବେ ବିପର୍ଯ୍ୟସ୍ତ । ମୁଖ୍ୟମନ୍ତ୍ରୀ ସୁଭଦ୍ରା ଘୋଷି ଘୋଷି ତଣ୍ଟି ଶୁଖୁଛି । କିନ୍ତୁ ଗୃହ ବିଭାଗ ହାତରେ ରଖି ମେଜର ଓ ବାନ୍ଧବୀ ମାମଲାରେ ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲୁନାହାଁନ୍ତି ମୁଖ୍ଯମନ୍ତ୍ରୀ। ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ନାରୀ ଦୁଷ୍କର୍ମ ବଢ଼ିଚାଲିଛି । ବର୍ତ୍ତମାନ ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ ଘଟଣାମାନ ଘଟୁଛି । ମୋହନ ମାଝୀ ଏବେ କାଇଁ ମୌନ ମାଝି ସାଜିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଓଡ଼ିଶାର ପ୍ରତ୍ୟେକ ଘଣ୍ଟାରେ କୋଣ ଅନୁକୋଣରେ ନାରୀ ନିର୍ଯାତିତ ହେଉଛନ୍ତି । ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଦେଶର ଅଣବିଜେପି ସରକାର ଥିବା ରାଜ୍ୟରେ ଦୁଷ୍କର୍ମ ହେଲେ ମୋହନ ସରକାରଙ୍କୁ ବ୍ୟଥା ହେଉଛି । ଟ୍ବିଟ କରୁଛନ୍ତି । କିନ୍ତୁ ଢେଙ୍କାନାଳ, ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼, ରାଜଗାଙ୍ଗପୁର ତଥା ରାଜ୍ୟରେ ହେଲେ କାହିଁକି ଟ୍ବିଟ କରୁନାହାନ୍ତି ମୁଖ୍ଯମନ୍ତ୍ରୀ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଆଇନ ମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ? ଏହି ସରକାର ରକ୍ଷା କରିବାକୁ ସରକାର ନୁହଁନ୍ତି । ପୁଞ୍ଜିବାଦୀଙ୍କ ସରକାର । ତେଣୁ ରାଜ୍ୟ କଂଗ୍ରେସ ଚୁପ୍ ରହିବ ନାହିଁ । ଏହି ସରକାର ଫେଲ୍ ସରକାର । କଥାକୁହା ସରକାର । ଦରକାର ହେଲେ ବିଜେପି ଅଫିସ ଘେରାଉ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ମିଛି ମିଛିକା ଫାଶୀ ଖେଳରେ ଚାଲିଗଲା ଭାଇର ଜୀବନ!

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଲମ୍‌ଟିବାହାଲ କ୍ୟାମ୍ପସ ଛକ ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଇ ଭଉଣୀ ଝଗଡ଼ାରେ ମିଛି ମିଛିକା ଫାଶୀ ଖେଳରେ ଚାଲି ଯାଇଛି ଭାଇର ଜୀବନ । ଅନ୍ୟପଟେ ପୁତ୍ରର ମୃତ୍ୟୁ ପରେ,  ଆତ୍ମହତ୍ଯା  କରିଦେଲେ ବାପା। ଏଭଳି ଘଟଣା ଏବେ  ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଲମ୍‌ଟିବାହାଲ କ୍ୟାମ୍ପସ ଛକ ପାଖରେ ରହୁଥିବା ଝସକେତନ ସିଂହଙ୍କ ଝିଅ ଓ ପୁଅ ରୋହନ ସିଂହଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଭଉଣୀକୁ ଡରାଇବାକୁ ଯାଇ ରୋହନ ତାଙ୍କ ଶୋଇବା ଘରେ ମା’ର ଏକ ଶାଢ଼ିରେ ମିଛି ମିଛିକା ଆତ୍ମହତ୍ୟା କରିବାର ନାଟକ କରୁଥିଲେ। କିନ୍ତୁ ଅଭିନୟ ହିଁ ତାଙ୍କର ଜୀବନ ନେଇଗଲା। ପୁଅର ମୃତ୍ୟୁକୁ ବାପା ଝସକେତନ ସିଂହ ସହି ନପାରି ମାନସିକ ଭାରସାମ୍ୟ ହରାଇ ନିଜ ଶୋଇବା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବ୍ରଜରାଜନଗର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଛି।