ଭୁବନେଶ୍ଵର: ଭୁବନେଶ୍ଵର, କଟକ ପରେ ଝାଡ଼ଖଣ୍ଡରୁ ସିମବକ୍ସ ଉଦ୍ଧାର ଘଟଣା। ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ପୁଣିଥରେ ୨ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ। ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ଆସିଲା ଅଭିଯୁକ୍ତ ରାଜୁ ମଣ୍ଡଳ। ୭ ଦିନ ପାଇଁ ରିମାଣ୍ଡରେ ଆଣିବାକୁ ଲକ୍ଷ୍ମୀସାଗର ଥାନା ପୋଲିସ କୋର୍ଟରେ ଆବେଦନ କରିଥିବାବେଳେ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି। ଆଜି ଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ରିମାଣ୍ଡ। ରିମାଣ୍ଡ ଅବଧି ବେଳେ ମୁଖ୍ୟ ଅଭିଯୁକ୍ତ ଅସାଦୁର ଜମାନ ନେଇ ଅଧିକ ପଚରାଉଚରା ହେବ। ଢାକାରେ ରହି ଆସାଦୁର କିଭଳି ଭୁବନେଶ୍ୱର, କଟକ ଓ ରାଞ୍ଚିରେ ନିଜର ସିଣ୍ଡିକେଟ ଚଳାଇଥିଲା ? କିଏ ତା ପାଇଁ ପଇସା ଖର୍ଚ୍ଚ କରୁଥିଲା ? ଆର୍ଥିକ କାରବାର ପଛରେ ଆଉ କାହାର ହାତ ଅଛି କି ? ସିମବକ୍ସ ଜରିଆରେ ପାକିସ୍ତାନ ଓ ଚାଇନାର କାହା ପାଖକୁ ଯାଉଥିଲା କଲ ? କଣ ଏହି ସ୍ମାର୍ଟ ସୁଇଚ ? ସିମ ବକ୍ସ ରୁ ଯାଉଥିଲା କି ବିଦେଶରେ ରହୁଥିବା ଅଣ୍ଡରୱାର୍ଲଡ଼ ଡନ ଙ୍କୁ କଲ ? ଏ ସବୁ କଥା ଜାଣିବା ପାଇଁ ରାଜୁକୁ ଅଧିକ ପଚରାଉଚରା କରାଯିବ। ଆବଶ୍ୟକ ସ୍ଥଳେ ସିବିଆଇ ଓ ଇଣ୍ଟରପୋଲ ତଦନ୍ତରେ ସହଯୋଗ କରିବ। ପୂର୍ବରୁ NIAର ଦୁଇ ଜଣିଆ ଟିମ ରାଜୁକୁ ପଚରାଉଚରା କରିଛି। ସେପଟେ ଗତକାଲି ଅସାଦୁରର ଫଟୋ ଜାରି କରିଥିଲା କମିଶନରେଟ ପୋଲିସ। ଢାକାରେ ଏକ ସଫ୍ଟୱେର କମ୍ପାନୀ ଚଳାଉଥିଲା ଆସାଦୁର। ଫ୍ୟାସନ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟରୁ ପାଠ ପଡ଼ିଥିଲା। ପୋଲିସ ହାତରେ ସିଡ଼ିଆର ରିପୋର୍ଟ ଲାଗିବା ପରେ ଗୋଟିଏ ପରେ ଗୋଟିଏ ଆତଙ୍କି ଲିଙ୍କ ନେଇ ଅଧିକ ଖୋଲତାଡ଼ କରୁଛି ପୋଲିସ।
ନେପାଳରେ ବସ୍ ଦୁର୍ଘଟଣା, ୧୪ ମୃତ
କାଠମାଣ୍ଡୁ : ନେପାଳରେ ଭୟଙ୍କର ବସ୍ ଦୁର୍ଘଟଣା। ଉତ୍ତରପ୍ରଦେଶର ବସ୍ ଟି ମାର୍ସଙ୍ଗଗଦି ନଦୀକୁ ଖସି ପଡ଼ିଛି। ଏହି ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ପୋଖରାରୁ କାଠମାଣ୍ଡୁ ଯାଉଥିବା ବେଳେ ତାନାହୁନ୍ ଜିଲ୍ଲାରେ ଏହି ବଡ଼ ଅଘଟଣ ଘଟିଛି। ବସ୍ ର ରେଜିଷ୍ଟ୍ରେସନ ନମ୍ବର ଉତ୍ତର ପ୍ରଦେଶର । ନମ୍ବରଟି ହେଲା UP FT 7623 । ତେଣୁ ଉତ୍ତର ପ୍ରଦେଶ ଏହି ଦୁର୍ଘଟଣା ସଂପର୍କରେ ନେପାଳ ସରକାର ସହିତ ଯୋଗାଯୋଗ କରିଛନ୍ତି। ୧୪ ଜଣ ଲୋକଙ୍କ ମୃତ୍ଯୁ ହୋଇଥିବା ଆଶଙ୍କା କରାଯାଉଛି। ନେପାଳ ସେନା ସେଠାରେ ପହଞ୍ଚି ଉଦ୍ଧାର କାମରେ ଲାଗିଛି
ଅଲ୍ଲୁ ଅର୍ଜୁନଙ୍କ ଦାଢି ଦେଲା ଟେନସନ, ଖର୍ଚ୍ଚ କଲେ ୪୦ ଲକ୍ଷ ଟଙ୍କା !
ନନ୍ଦିଘୋଷ ବ୍ୟୁରୋ: କିଛି ଦିନର ଅପେକ୍ଷା । ସିନେମା ହଲରେ ଶୁଭିବ, ‘‘ପୁଷ୍ପା ନାମ ସୁନକେ ଫ୍ଲାୟର ସମଝେ କ୍ୟା ? ଫ୍ଲାୟର ନେହିଁ, ଫାୟାର ହୈ ମେ ଫାୟାର’’… କାରଣ ଚିଳିତ ବର୍ଷର ଚଳଚ୍ଚିତ୍ର ପୁଷ୍ପା-୨ ଡିସେମ୍ବର ୬ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ୧୫ ଅଗଷ୍ଟରେ ପରଦାକୁ ଆସିବାର ଥିଲା । କିନ୍ତୁ ଶୁଟିଂ କାମ ସରି ନଥିବା କାରଣରୁ ପିଲ୍ମ ନିର୍ମାତାଙ୍କୁ ରିଲିଜ୍ ତାରିଖ ଘୁଞ୍ଚାଇବାକୁ ପଡିଥିଲା । ଏବେ ନିର୍ମାତାଙ୍କ ପାଖରେ ଆଉ ତିନି ମାସ ବାକି ରହିଛି । ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦନା ଏବଂ ଫହାଦ୍ ଫାଜିଲ ପୁଣି ଥରେ ନଜର ଆସିବେ।
ପ୍ରଥମ ଭାଗର କାହାଣୀ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ବିବାହ ସହିତ ସମାପ୍ତ ହୋଇଥିଲା । ଏହାପୂର୍ବରୁ ସେ ତାଙ୍କ ଅସଦାଚରଣ ପାଇଁ ଫିଲ୍ମରେ ପୋଲିସ୍ ଭୂମିକାରେ ଅଭିନୟ କରୁଥିବା ଫହାଦ୍ ଫାଜିଲଙ୍କ ଠାରୁ ପ୍ରତିଶୋଧ ନେଇଛନ୍ତି। ଏହା ସହିତ ଫିଲ୍ମ ଶେଷ ହୋଇଛି । ପରବର୍ତ୍ତୀ ଭାଗରେ, ଅଲ୍ଲୁ ଅର୍ଜୁନ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ବିପଦର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଅନେକ ବଡ ଅପଡେଟ୍ କ୍ରମାଗତ ଭାବରେ ଫିଲ୍ମରେ ବାହାରକୁ ଆସୁଛି । ଯେଉଁଥି ପାଇଁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି । କିନ୍ତୁ ଏହି ସବୁ ମଧ୍ୟରେ ଅଲ୍ଲୁ ଅର୍ଜୁନଙ୍କ ଦାଢି ନିର୍ମାତାମାନଙ୍କ ପାଇଁ ଏକ ବଡ଼ ଟେନସନ ପାଲଟିଛି ।
କାହିଁକି ଅଲୁ ଅର୍ଜୁନଙ୍କ ଦାଢି ଟେନସନ ଦେଲା?
ଏହି ଚଳଚ୍ଚିତ୍ରଟି ୧୫ ଅଗଷ୍ଟରେ ରିଲିଜ୍ ହେବାର ଥିଲା, କିନ୍ତୁ ଏହା ରିଲିଜ୍ ହୋଇନଥିଲା। ଯେକୌଣସି ପରିସ୍ଥିତିରେ, ଅଲ୍ଲୁ ଅର୍ଜୁନ ଏବଂ ନିର୍ମାତାଙ୍କୁ ଶୁଟିଂ ଶେଷ କରିବାକୁ ପଡିବ । କିନ୍ତୁ ଏହାରି ଭିତରେ ନଜର ଆସିଛି ଯେ, ଅଲ୍ଲୁ ଅର୍ଜୁନ ଏବଂ ସୁକୁମାରଙ୍କ ମଧ୍ୟରେ ସବୁ ଠିକ୍ ନାହିଁ । ପୁଷ୍ପରାଜ ଫିଲ୍ମର ଶୁଟିଂରୁ ବିରତି ନେଇଥିଲେ । ପ୍ରଶଂସକମାନେ ଚିନ୍ତିତ ହୋଇ ପ୍ରଶ୍ନ ପଚାରିବା ଆରମ୍ଭ କଲେ । ଏହା ଉପରେ ଅଲ୍ଲୁ ଅର୍ଜୁନଙ୍କ ମ୍ୟାନେଜର କହିଛନ୍ତି ଯେ ସବୁକିଛି ଠିକ ଅଛି । କାମ ସୁରୁଖୁରୁରେ ଚାଲିଛି ଏବଂ ଶୁଟିଂରୁ ବିରତି ଯିବା ଅତ୍ୟନ୍ତ ସାଧାରଣ କଥା ।
ଏହା ପରେ ଆଲୁ ଅର୍ଜୁନ ଛୁଟିରୁ ଫେରି ଆସିଥିଲେ । କିନ୍ତୁ ତା’ପରେ ଏକ ରିପୋର୍ଟରେ କୁହାଯାଇଛି ଯେ, ସେ ସୁକୁମାରଙ୍କୁ ଭେଟିବାକୁ ଆସିନାହାଁନ୍ତି । ସୁଟିଂ, କାର୍ଯ୍ୟ ଦିବସ ଏବଂ ଫିଲ୍ମର ରିଲିଜ୍ ବିଷୟରେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଥିଲା । ଯେଉଁଥିପାଇଁ ସେ ଦାଢି କାଟିଥିଲେ ଏବଂ ସେହି ଚିତ୍ରଗୁଡ଼ିକ କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା । କିନ୍ତୁ ଶୀଘ୍ର ମତଭେଦ ସମାଧାନ ହେଲା । ପୁଷ୍ପା-୨ର ଶୁଟିଂ: ଯୋଜନା ପୂର୍ବରୁ ମଧ୍ୟ ନିୟମ ଆରମ୍ଭ ହୋଇଥିଲା । କିନ୍ତୁ ତାଙ୍କ ଦାଢି ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାର କାରଣ ହେଉଛି, ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କର ଏକ ମୋଟା ଦାଢି ଥିଲା ।
ବର୍ତ୍ତମାନ ଆଲୁ ଅର୍ଜୁନଙ୍କ ଅସନ୍ତୋଷ ନିର୍ମାତାମାନଙ୍କୁ ବହୁତ ଖର୍ଚ୍ଚ କରୁଛି । ‘ପୁଷ୍ପା-୨’ର ଟିମ୍ ମୁମ୍ବାଇର କିଛି ମେକଅପ୍ ଟେକ୍ନିସିଆନଙ୍କୁ ଭେଟିଛି । ସେଠାରେ କୃତ୍ରିମ ଦାଢି ତିଆରି କରାଯାଇଥିଲା । ଏହାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା । ମୁମ୍ବାଇରୁ ଜଣେ ବରିଷ୍ଠ ମେକ୍ ଇନ୍ କଳାକାରଙ୍କୁ ମଧ୍ୟ ଡକାଯାଇଛି, ଯିଏ ଫିଲ୍ମ ପାଇଁ ଦାଢି ଲୁକ୍ର ଯତ୍ନ ନେବେ। ନିର୍ମାତାମାନଙ୍କୁ ଗୋଟିଏ ଦାଢି ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଲା, ଯାହା ଏକ ବଡ ଟେନସନ । ପୁଷ୍ପା-୨ର ବଜେଟ୍ ୫୦୦ କୋଟି ଟଙ୍କା ବୋଲି କୁହାଯାଉଛି । କିନ୍ତୁ ତେଲୁଗୁ ୩୬୦ ଡଟ କମର ରିପୋର୍ଟରୁ ଜଣାପଡିଛି ଯେ କାର୍ଯ୍ୟଦିବସ ବୃଦ୍ଧି ଏବଂ ରିଲିଜ୍ ବିଳମ୍ବ ହେତୁ ଫିଲ୍ମର ବଜେଟ୍ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି ।
ବିଜେପୁର ପାକ୍ସରେ ଚାଷୀଙ୍କଠୁ ଲାଞ୍ଚ ନେବା ଘଟଣା, ଡାଟାଏଣ୍ଟ୍ରି ଅପରେଟର ବିଶ୍ଵଜିତ ସାହୁ ନିଲମ୍ବିତ
ବଲାଙ୍ଗୀର : ନନ୍ଦିଘୋଷ ଟିଭିର ମହାପ୍ରଭାବ । ଟିଟିଲାଗଡ଼ ବିଜେପୁର ପାକ୍ସରେ ଚାଷୀଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ଲାଞ୍ଚ ନେବା ଘଟଣାରେ କାର୍ଯ୍ଯାନୁଷ୍ଠାନ ହୋଇଛି । ଡାଟାଏଣ୍ଟ୍ରି ଅପରେଟର ବିଶ୍ଵଜିତ ସାହୁଙ୍କୁ ନିଲମ୍ବିତ କରାଯାଇଛି । ପାକ୍ସ ସମ୍ପାଦକ ବିଘ୍ନେଶ୍ବର ଭୋଇଙ୍କ ବିରୋଧରେ ମଧ୍ଯ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ସମ୍ପାଦକଙ୍କ ଗୋଟିଏ ମାସର ଦରମାକୁ ବନ୍ଦ କରାଯାଇଛି । ମଣ୍ଡିରେ ଧାନ ବିକିବା ପାଇଁ ରେଜିଷ୍ଟ୍ରେସନ କରିବାକୁ ବିଜେପୁର ପାକ୍ସରେ ଚାଷୀଙ୍କଠୁ ୧୦୦ ଟଙ୍କା ଲାଞ୍ଚ ନେଆଯାଉଥିବା ଅଭିଯୋଗ ହୋଇଥିଲା । ଧାନ ବିକିବାକୁ ରେଜିଷ୍ଟ୍ରେସନ ଆଳରେ ଚାଷୀଙ୍କଠୁ ଲୁଟ୍ ହେଉଥିଲା । ଯାହାର ପ୍ରମାଣ ଲାଗିଥିଲା ନନ୍ଦିଘୋଷ ଟିଭି ହାତରେ । ଲାଞ୍ଚ କାରବାରର ଅଡିଓ ଭାଇରାଲ ସହ ଫୋନ ପେରେ ବି ଟଙ୍କା ନିଆଯାଉଥିବା ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ପରେ ଡିଆରସିଏସଙ୍କ ନିର୍ଦ୍ଦେଶରେ ଏଆରସିଏସ ତଦନ୍ତ କରିଥିଲେ ମଧ୍ଯ ଘଟଣାକୁ ଚପାଇବାକୁ ସେ ଉଦ୍ଯମ କରିଥିଲେ । ଏନେଇ ଚାଷୀଙ୍କ ଅଭିଯୋଗ ପରେ ନିଜେ ଡିଆରସିଏସ ତଦନ୍ତ କରି ସତ ସାମ୍ନାକୁ ଆଣିଥିଲେ । ଅଭିଯୋଗକାରୀ ଏବଂ ଚାଷୀଙ୍କ ସହ ସଂପୃକ୍ତ ପାକ୍ସର ଡାଟାଏଣ୍ଟ୍ରି ଅପରେଟର ଓ ସଂପାଦକଙ୍କୁ ପଚରାଉଚରା ପରେ ଟଙ୍କା ନେବାକଥା ସ୍ବୀକାର କରିଥିଲେ ଡାଟାଏଣ୍ଟ୍ରି ଅପରେଟର ବିଶ୍ଵଜିତ ସାହୁ । ଚାଷୀଙ୍କଠୁ ଲୁଟିଥିବା ଟଙ୍କା ତୁରନ୍ତ ଫେରାଇବାକୁ ସଂପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଚିକିଟି ମଦମୃତ୍ଯୁକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ
ଭୁବନେଶ୍ବର: ସ୍ବାଭାବିକ ହୋଇପାରୁନି ବିଧାନସଭା । ଚିକିଟି ମଦମୃତ୍ଯୁକୁ ନେଇ ଆଜି ବି ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ଗୃହ ମଧ୍ଯଭାଗକୁ ଆସି ପ୍ରତିବାଦ କରିଥିଲେ । ପ୍ରଶ୍ନଉତ୍ତର କାଳରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ବାଚସ୍ପତିଙ୍କ ପୋଡିଅମ ଚଢିବାକୁ ଉଦ୍ୟମ କରିଥିଲେ । ପ୍ରବଳ ବିରୋଧ ମଧ୍ଯରେ କିଛି ସମୟ ପ୍ରଶ୍ନକାଳ ଚାଲିଥିଲା । ପରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଚୋରା ମଦବେପାରୀଙ୍କ ସହ ବିଜେପି ମନ୍ତ୍ରୀ, ବିଜେପି ବିଧାୟକ ଓ ନେତାଙ୍କ ସମ୍ପର୍କ ଥିବା ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି । ଏଣୁ ନୈତିକତା ଦୃଷ୍ଟିରୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦେବାକୁ ଦାବି ହୋଇଛି । କଂଗ୍ରେସ କହିଛି, ମଦମୁକ୍ତ ଓଡ଼ିଶା କରିବାକୁ ବିଜେପି ପ୍ରତିଶୃତି ଦେଇଥିଲା । ହେଲେ ବାସ୍ତବ ସ୍ଥିତି କଣ ଜଣାପଡ଼ୁଛି । କେବଳ ଚିକିଟି ନୁହେଁ ସାରା ଓଡ଼ିଶାରେ ଏବେ ଏମିତି ଅବସ୍ଥା । ସରକାର ଜବାବ ନଦେଲା ପର୍ଯ୍ଯନ୍ତ ପ୍ରତିବାଦ ଚାଲିବ ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ କି କେ.ଏଲ ରାହୁଲ ?
ନନ୍ଦିଘୋଷ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଯାଇଛି, ବହୁ ଚିନ୍ତା ଏବଂ ବିଚାର ପରେ ମୁଁ ବୃତ୍ତିଗତ କ୍ରିକେଟରୁ ଅବସର ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ସହଜ ହୋଇନି, କାରଣ ଅନେକ ବର୍ଷ ଧରି ଖେଳ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଆସୁଛି । ମୋର କ୍ୟାରିୟରରେ ମୋ ପରିବାର, ବନ୍ଧୁ, ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କ ଠାରୁ ମୁଁ ପାଇଥିବା ସମର୍ଥନ ଏବଂ ଉତ୍ସାହ ପାଇଁ ମୁଁ ଅତ୍ୟଧିକ କୃତଜ୍ଞ । ମୁଁ ପାଇଥିବା ଅଭିଜ୍ଞତା ଏବଂ ସ୍ମୃତିଗୁଡ଼ିକ ପ୍ରକୃତରେ ଅମୂଲ୍ୟ ଅଟେ । ମୋର ଦେଶକୁ ପ୍ରତିନିଧିତ୍ୱ କରିବା ଏବଂ ଅନେକ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହିତ ଖେଳିବା ମୋ ପାଇଁ ଗର୍ବର କଥା । ଆଗାମୀ ନୂତନ ଅଧ୍ୟାୟ ପାଇଁ ମୁଁ ଉତ୍ସାହିତ ଥିବାବେଳେ, ମୁଁ ଖେଳ ସହିତ ମୋର ସମୟକୁ ସର୍ବଦା ମନେ ରଖିବି । ଏହା ଅବିଶ୍ୱାସନୀୟ ଯାତ୍ରାର ଏକ ଅଂଶ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।
କେ.ଏଲ୍ ରାହୁଲ ତାଙ୍କ ଆକାଉଣ୍ଟରେ ଏହି ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରିନାହାଁନ୍ତି। ଏକ ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ସେ ଲେଖିଛନ୍ତି ଯେ ମୋର ଏକ ଘୋଷଣା କରିବାର ଅଛି, ମୋ ସହିତ ଯୋଡି ହୋଇ ରୁହନ୍ତୁ । ଯାହା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କଳ୍ପନା କରୁଛନ୍ତି । ଏହି ସବୁ ମଧ୍ୟରେ ଏହି ନକଲି ଇନଷ୍ଟାଗ୍ରାମର ଷ୍ଟୋରୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
କେ.ଏଲ୍ ରାହୁଲ ୨୦୧୪ରେ ତାଙ୍କର ଇଣ୍ଟରନ୍ୟାସନାଲ କ୍ୟାରିଅର୍ ଆରମ୍ଭ କରିଥିଲେ । ବର୍ତ୍ତମାନ ତାଙ୍କୁ ମାତ୍ର ୩୨ବର୍ଷ ବୟସ । ଏପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆ ପାଇଁ ୫୦ଟି ଟେଷ୍ଟ, ୭୭ଟି ଦିନିକିଆ ଏବଂ ୭୨ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୨୮୬୩ ରନ୍, ଦିନିକିଆରେ ୨୮୫୧ ରନ୍ ଏବଂ ଟି -୨୦ରେ ୨୨୬୫ ରନ୍ କରିଛନ୍ତି। ଏହା ବ୍ୟତୀତ ସେ ଆଇପିଏଲରେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଦଳର ଅଧିନାୟକ ମଧ୍ୟ ଅଛନ୍ତି ।
ଆଜିର ଦିନରେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲା ଭାରତ
ନନ୍ଦିଘୋଷ ବ୍ୟୁରୋ : ଆଜି ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ। ଗତବର୍ଷ ଆଜିର ଦିନରେ ଜହ୍ନ ରାଇଜରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩। ଭାରତର ତୃତୀୟ ମୁନ୍ ମିଶନକୁ ମିଳିଥିଲା ଐତିହାସିକ ସଫଳତା। ଚନ୍ଦ୍ରର ଦକ୍ଷିଣ ମେରୁର ଶିବଶକ୍ତି ପଏଣ୍ଟରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ। ଜହ୍ନରାଇଜରେ ଓହ୍ଲାଇ ତଥ୍ୟ ପଠାଇଥିଲା ରୋଭର୍ ପ୍ରଜ୍ଞାନ। ମହାକାଶ ଯାତ୍ରା କ୍ଷେତ୍ରରେ ଏହି ସଫଳତାକୁ ନେଇ ପ୍ରତିବର୍ଷ ଆଜିର ଦିନ ୨୩ ଅଗଷ୍ଟରୁ ଜାତୀୟ ମହାକାଶ ଦିବସ ଭାବେ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ପାଳନ ହେଉଛି ପ୍ରଥମ ଜାତୀୟ ମହାକାଶ ଦିବସ। ଚଳିତ ବର୍ଷର ଥିମ ରହିଛି ଟଚିଂ ଲାଇଭସ ହ୍ଵାଇଲ ଟଚିଂ ମୁନ୍। ଏହି ଅବସରରେ ପ୍ରାୟ ମାସେ ଧରି ଦେଶର ବିଭିନ୍ନ ସ୍ଥାନରେ ଇସ୍ରୋ ସହଭାଗିତାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆଜି ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବ ବର୍ଣ୍ଣାଢ୍ୟ ଉତ୍ସବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉପସ୍ଥିତ ରହିବେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥଙ୍କ ସମେତ ଅନେକ ପ୍ରମୁଖ ବ୍ଯକ୍ତିତ୍ଵ ।
ଭିଜିଲାନ୍ସ ଜାଲରେ OSRTC ଚିଫ୍ ଆକାଉଣ୍ଟସ ଅଫିସର, ୭ଟି ସ୍ଥାନରେ ଚାଲିଛି ରେଡ୍
ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSRTC ଚିଫ୍ ଆକାଉଣ୍ଟସ ଅଫିସର । ଚିଫ୍ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗରେ ୭ଟି ସ୍ଥାନରେ ହେଉଛି ଚଢାଉ । ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ରେଡ୍ ଚାଲିଛି । ଭୁବନେଶ୍ବର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣିର ଦୁଇଟି ଘର ଓ ବାରିପଦା ଷ୍ଟେସନ ରୋଡରେ ଯାଞ୍ଚ ଚାଲିଛି ।
ପରୀକ୍ଷା ପୂର୍ବରୁ ମହିଳା କନଷ୍ଟେବଳଙ୍କ ମୋବାଇଲରୁ ମିଳିଲା ୫ଟି ଆଡମିଟ୍ କାର୍ଡ!
ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପ୍ରଦେଶ ପୋଲିସ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ପୂର୍ବରୁ ଏସଟିଏଫର ବଡ଼ କାର୍ଯ୍ୟାନୁଷ୍ଟାନ । ଗୋରଖପୁରର ଜଣେ ମହିଳା କନଷ୍ଟେବଳଙ୍କୁ ଏସଟିଏଫ ଗିରଫ କରିଛି। ତାଙ୍କ ମୋବାଇଲରେ କନଷ୍ଟେବଳ ନିଯୁକ୍ତିର ୫ଟି ଆଡମିଟ୍ କାର୍ଡ ମିଳିଛି । ମହିଳା କନଷ୍ଟେବଳଙ୍କ ସହ ଏସଟିଏଫ ଅନ୍ୟ ୩ ଜଣ ଯୁବକଙ୍କୁ ମଧ୍ୟ ଗିରଫ କରିଛି।
ଏଥିରେ ଜଣେ ଯୁବକ ଦିଲ୍ଲୀର ବାସିନ୍ଦା। ଦ୍ୱିତୀୟଟି ହେଉଛି ଡ୍ରାଇଭର ଏବଂ ତୃତୀୟଟି ହେଉଛି ବ୍ୟକ୍ତିଗତ ସୁରକ୍ଷାକର୍ମୀ । ଦିଲ୍ଲୀର ଯୁବ ବାସିନ୍ଦା ଗୋରଖପୁରକୁ ଆସି ପ୍ରାର୍ଥୀଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ବର୍ତ୍ତମାନ ଏସଟିଏଫ ସମସ୍ତଙ୍କୁ ପଚରାଉଚରା କରୁଛି ।
ୟୁପି ପୋଲିସ୍ କନଷ୍ଟେବଳ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ୨୩ ଅଗଷ୍ଟରୁ ଆରମ୍ଭ ହେବ । ଯାହା ୨୩, ୨୪, ୨୫, ୩୦ ଏବଂ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ | ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଏବଂ ପରୀକ୍ଷା ସୂଚି ପ୍ରକାଶ ପାଇଛି । ଏହି ପରୀକ୍ଷାରେ ପ୍ରାୟ ୪୮ ଲକ୍ଷ ପ୍ରାର୍ଥୀ ହାଜର ପରୀକ୍ଷା ଦେବେ ।
୬୦ ହଜାର ୨୪୪ ଜଣଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ସିଫ୍ଟରେ ପ୍ରାୟ ୫ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେବେ ।
ପରୀକ୍ଷା ପୂର୍ବରୁ ୟୁପି ପୋଲିସ ନିଯୁକ୍ତି ବୋର୍ଡ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରିଛି । କିଛି ଠକ ଟଙ୍କା ନେଇ ପ୍ରଶ୍ନପତ୍ର ଦେଉଥିବାର ଦାବୀ ହେଉଛି । ଯାହା ସମ୍ପୂର୍ଣ୍ଣ ଭୁଲ । ପ୍ରଶ୍ନପତ୍ର ଲିକ୍ ଭଳି କୌଣସି ଘଟଣା ଘଟି ନାହିଁ । ଏପରି ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବଲାଙ୍ଗୀର ଜେଲରେ ବଡ଼ଧରଣର ରେଡ୍, ବିପୁଳ ପରିମାଣର ନିଶାଦ୍ରବ୍ଯ ଜବତ
ବଲାଙ୍ଗୀର : ବଲାଙ୍ଗୀର ଜେଲରେ ବଡ଼ଧରଣର ରେଡ୍ । ଗ୍ଯାଙ୍ଗୱାର ଖବର ପ୍ରକାଶ ପରେ ବଡ଼ଧରଣର ଚଢାଉ କରିଛି ପୋଲିସ ବିଭାଗ । ସକାଳ ସାଢେ ୬ଟାରୁ ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢାଉ ହୋଇଥିଲା । ରେଡରେ ୨ ପ୍ଲାଟୁନ ଫୋର୍ସ ଓ ୯ ଜଣ ଅଧିକାରୀ ସାମିଲ ହୋଇଥିଲେ । ଜେଲରୁ ବିପୁଳ ପରିମାଣର ନିଶାଦ୍ରବ୍ଯ ଜବତ ହୋଇଛି । ଭାଙ୍ଗ, ବିଡି, ଗଞ୍ଜେଇ ଓ ଚିଲମ ସହ ବିଭିନ୍ନ ସମାଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି I ଏସପିଙ୍କ ସୂଚନା ଅନୁସାରେ, ଜେଲର ୧୨ଟି ୱାର୍ଡ ସମେତ ଡାଇନିଂ, କିଚେନ ଆଦି ସ୍ଥାନରେ ଯାଞ୍ଚ କରାଯାଇଥିଲା । ନିଶାଦ୍ରବ୍ଯ ମିଳିବା ନେଇ ଜେଲର ରିପୋର୍ଟ ପ୍ରଦାନ କରିବେ । ତେବେ ପ୍ରଶ୍ନ ଉଠୁଛି- ଜେଲକୁ ଏତେ ପରିମାଣର ନିଶାଦ୍ରବ୍ଯ ଚାଲାଣ ହେଉଥିଲା କେମିତି ? କଏଦୀଙ୍କୁ କିଏ ଯୋଗାଉଥିଲା ମାଦକଦ୍ରବ୍ଯ ? ଏଥିରେ ଜେଲ କର୍ତ୍ତୃପକ୍ଷଙ୍କର ସଂପୃକ୍ତି ନାହିଁ ତ ? ନିଶାକାରବାରରେ କିଛି ଜେଲ କର୍ମଚାରୀଙ୍କ ସଂପୃକ୍ତି ଥିବା ଜେଲର ସନ୍ଦେହ କରିଛନ୍ତି । ତେବେ କେମିତି ଜେଲ ଭିତରକୁ ନିଶାଦ୍ରବ୍ଯ ଯାଉଥିଲା ସେନେଇ ତଦନ୍ତ ପରେ ଜଣାପଡ଼ିବ ।

