ଭୁବନେଶ୍ବର : ରାଜ୍ଯ ପ୍ରଶାସନର ଦୁଇ ପ୍ରମୁଖ ପଦବୀରେ ନିଯୁକ୍ତ ହୋଇଛନ୍ତି ଅଣଓଡ଼ିଆ ଅଧିକାରୀ । ୪୧ ବର୍ଷ ପରେ ମୁଖ୍ଯ ଶାସନ ପଦବୀରେ ଜଣେ ଅଣଓଡ଼ିଆଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଆଜି ପୋଲିସ ଡିଜି ଭାବେ ମଧ୍ଯ ଜଣେ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେପି ସରକାର । ଅଣଓଡ଼ିଆ ଅଧିକାରୀଙ୍କୁ ପ୍ରମୁଖ ପଦବୀରେ ନିଯୁକ୍ତି ନେଇ ବିଜେପି ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ସରକାରକୁ ଆସିଥିବା ବିଜେପି ନିର୍ବାଚନ ପରେ ୟୁ-ଟର୍ଣ୍ଣ ନେଇଛି । ପ୍ରତିଶ୍ରୁତି ପାଳନ କରିବା ବଦଳରେ ୪୧ ବର୍ଷ ପରେ ମୁଖ୍ଯଶାସନ ସଚିବ ପଦରେ ଜଣେ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେଇଛି । ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟିରେ କାର୍ଯ୍ଯକାରୀ ଅଧ୍ଯକ୍ଷ ପଦ ସୃଷ୍ଟି କରି ଏହାର ଦାୟିତ୍ବ ମୁଖ୍ଯ ଶାସନ ସଚିବଙ୍କୁ ଦେଇଛନ୍ତି । ଏବେ ପୁଣି ପୋଲିସ ଡିଜି ପଦରେ ଜଣେ ଅଣଓଡ଼ିଆଙ୍କୁ ନିଯୁକ୍ତି ମିଳିଛି । ଏହାକଣ ବିଜେପିର ଓଡ଼ିଆ ଅସ୍ମିତା କି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ବିଜେଡି କହିଛି, ଆମେ ଅଫିସରଙ୍କ ଯୋଗ୍ଯତା କି ବ୍ଯକ୍ତିଗତ କଥା କହୁନାହୁଁ । ବିଜେପି ନିର୍ବାଚନ ସମୟରେ ଯାହା କହିଥିଲା ଏବେ କାହିଁକି ଓଲଟା କରୁଛି । ଏହା ଓଡ଼ିଆଙ୍କ ପ୍ରତି ପ୍ରତାରଣା । ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ଦେବାକୁ କଣ କେହି ଯୋଗ୍ଯ ଓଡ଼ିଆ ଅଧିକାରୀ ମିଳିଲେନି କି ବୋଲି ପ୍ରଶ୍ନ ଉଠାଇଛି ବିଜେଡି ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ବଡ଼ ଲଘୁଚାପ, ଆହୁରି ବର୍ଷିବ !
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟିହେଲା ବଡ଼ ଲଘୁଚାପ କ୍ଷେତ୍ର । ଗାଙ୍ଗେୟ ପଶ୍ଚିମବଙ୍ଗରେ ଘୂର୍ଣ୍ଣିବଲୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଏବଂ ତତସଂଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ଦୁଇଦିନରେ ଏହା ଉତ୍ତର ପଶ୍ଚିମ ଆଡ଼କୁ ମୁହାଁଇବ । ପ୍ରଭାବରେ ଓଡ଼ିଶାରେ ରାତିରୁ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବିସ୍ତୃତ ବର୍ଷା ସହ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଆସନ୍ତା ୨୦ ତାରିଖ ଯାଏଁ ହାଲୁକାରୁ ମଧ୍ଯମଧରଣ ବର୍ଷା ଜାରି ରହିବ । ଆଜି ପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼କୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ସମୁଦ୍ରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏଣୁ ମତ୍ସ୍ଯଜୀବୀ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସମୁଦ୍ରରେ ରହିଥିଲେ ତୁରନ୍ତ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।
ଶ୍ବଶୁରଙ୍କ ମଇଁଷି ଉପହାରକୁ ନେଇ ଏମିତି କହିଲେ ଅରଶଦ
ନନ୍ଦିଘୋଷ ବ୍ୟୁରୋ : ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ପାକିସ୍ତାନର ଆରଶଦ ନଦୀମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ । ଅରଶଦ ୪୦ ବର୍ଷ ପରେ ଅଲମ୍ପିକ୍ସରେ ପାକିସ୍ତାନକୁ ପଦକ ଦେଇଥିଲେ । ଯାହା ପରେ ଆରଶଦଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଅନ୍ୟପକ୍ଷରେ, ଆରଶଦଙ୍କୁ ବହୁ ଜଣ ଉପହାର ଦେଉଛନ୍ତି । ଏ ସବୁ ମଧ୍ୟରେ ଶ୍ବଶୁରଙ୍କ ଦ୍ୱାରା ଅରଶଦଙ୍କୁ ଦିଆଯାଇଥିବା ଉପହାର ସବୁଠୁ ଚର୍ଚ୍ଚିତ ବିଷୟ ହୋଇଛି। ସ୍ୱର୍ଣ୍ଣ ପଦକ ଜିତିବା ପରେ ଅରଶଦଙ୍କୁ ତାଙ୍କ ଶ୍ୱଶୁର ଏକ ବିଶେଷ ଉପହାର ଦେଇଥିଲେ ।
ବାସ୍ତବରେ ଅରଶଦ ନଦୀମଙ୍କ ଶ୍ୱଶୁର ମହମ୍ମଦ ନୱାଜ ତାଙ୍କୁ ଉପହାର ରୂପେ ଏକ ମଇଁଷି ଦେଇଥିଲେ | ତାଙ୍କ ଉପହାର ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲା । ଏହା ପରେ ଅରଶଦ ତାଙ୍କ ଶ୍ୱଶୁର ଦେଇଥିବା ମଇଁଷି ବିଷୟରେ ଏକ ସାକ୍ଷାତକାରରେ କହିଥିଲେ, ମୋ ପତ୍ନୀ କହିଛନ୍ତି ଯେ,ତାଙ୍କ ବାପା ଏହି ମଇଁଷିକୁ ଉପହାର ଦେଇଛନ୍ତି। ମୁଁ କହିଲି ସେମାନେ ମୋତେ ୫-୬ ଏକର ଜମି ଦେଇଥାନ୍ତେ । ଏହା ପରେ ସାମ୍ବାଦିକ ମଧ୍ୟ ହସୁଥିବାର ଦେଖିବାକୁ ମିଳିଥିଲା। ଅରଶଦଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ଅରଶଦ ଏବଂ ତାଙ୍କ ପତ୍ନୀ ମଧ୍ୟ ନଜର ଆସିଛନ୍ତି।
ବିଶ୍ବରେ କାୟା ମେଲାଉଛି ଏମପକ୍ସ, ସୁଇଡେନ ପରେ ପାକିସ୍ତାନରେ ଠାବ
ନନ୍ଦିଘୋଷ ବ୍ୟୁରୋ : ଧୀରେ ଧୀରେ ବିଶ୍ବରେ କାୟା ମେଲାଉଛି ଏମପକ୍ସ। ସୁଇଡେନ ପରେ ପାକିସ୍ତାନରେ ଠାବ ହୋଇଛନ୍ତି ୩ ରୋଗୀ। ଖାଇବର ପାଖତୁନଖାୱାରେ ଏହି ସଂକ୍ରମିତ ଠାବ ହୋଇଛନ୍ତି। ପାରସ୍ପରିକ ସମ୍ପର୍କ ଜରିଆରେ ଏମପକ୍ସ ଭାଇରସ ସଂକ୍ରମିତ ହେଉଛି। ପାକିସ୍ତାନରୁ ଚିହ୍ନଟ ରୋଗୀମାନେ ସଂଯୁକ୍ତ ଆରବ ଏମିରେଟସରୁ ଆସିଥିବା ସୂଚନା ମିଳିଛି। ପୂର୍ବରୁ ଏମପକ୍ସକୁ ନେଇ ଆଲର୍ଟ ଜାରି କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଏମପକ୍ସକୁ ଏକ ବିଶ୍ବସ୍ତରୀୟ ସାଧାରଣ ସ୍ବାସ୍ଥ୍ୟ ଏମର୍ଜେନସି ଘୋଷଣା କରିଥିଲା ସଂଗଠନ। ଗତ ୨ ବର୍ଷ ମଧ୍ଯରେ ଦ୍ବିତୀୟ ଥର ଲାଗି ଏମପକ୍ସକୁ ନେଇ ସଂଗଠନ ଏହି ଘୋଷଣା କରିଛି। ଡେମୋକ୍ରାଟିକ ରିପବ୍ଲିକ କଙ୍ଗୋ ଓ ପଡୋଶୀ ରାଷ୍ଟ୍ରରେ ଏହି ଭାଇରସ ବ୍ଯାପୁଥିବା ସୂଚନା ମିଳିବା ପରେ ଉଦବେଗ ପ୍ରକାଶ କରିଥିଲା ସଂଗଠନ। ପୂର୍ବରୁ ପାକିସ୍ତାନରେ ଏମପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିବା ସତ୍ତ୍ବେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିଲା। ଗତ ଗୁରୁବାର ସୁଇଡେନରେ ପ୍ରଥମ ଥର ଲାଗି ଏମପକ୍ସ ଭାଇରସ ଚିହ୍ନଟ ହୋଇଥିଲା। ବୁରୁଣ୍ଡି, କେନିଆ, ରାୱାଣ୍ଡା, ଉଗାଣ୍ଡା ଆଦି ଦେଶରେ ଅନେକ ରୋଗୀ ହେଲେଣି ସଂକ୍ରମିତ।
IPS ୱାଇ.ବି. ଖୁରାନିଆ ହେଲେ ଓଡ଼ିଶାର ନୂଆ ପୋଲିସ ଡିଜି
ଭୁବନେଶ୍ବର : ବରିଷ୍ଠ ଆଇପିଏସ ୱାଇ.ବି. ଖୁରାନିଆ ହେଲେ ଓଡ଼ିଶାର ନୂଆ ପୋଲିସ ଡିଜି । ୱାଇ.ବି. ଖୁରାନିଆଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରିଛନ୍ତି ରାଜ୍ଯ ସରକାର । ୧୯୯୦ ବ୍ଯାଚର ବରିଷ୍ଠ ଆପିଏସ ଅଫିସର ହେଉଛନ୍ତି ଖୁରାନିଆ । ସେ ବିଏସଏଫର ୱେଷ୍ଟର୍ଣ୍ଣ କମାଣ୍ଡାଣ୍ଟ ସ୍ପେଶାଲ ଡିଜି ଭାବରେ କାର୍ଯ୍ୟରତ ଥିଲେ । ସପ୍ତାହେ ପୂର୍ବେ ଓଡ଼ିଶା କ୍ଯାଡରକୁ ଫେରିଥିଲେ । ପୂର୍ବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏସପି ଭାବେ ଦାୟିତ୍ବ ତୁଲାଇଥିଲେ । ନୟାଗଡ, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏସପି ପଦରେ ଅବସ୍ଥାପିତ ଥିଲେ । ଏହା ସହ ସଦର୍ଣ୍ଣ ରେଞ୍ଜ ଓ ନର୍ଦର୍ଣ୍ଣ ରେଞ୍ଜରେ ଡିଆଇଜି, ଅତିରିକ୍ତ ଡିଆଇଜି, ଅତିରିକ୍ତ ସିପି ଭାବେ କାର୍ଯ୍ୟ କରିଥିଲେ । ଭୁବନେଶ୍ବର ଓ କଟକ ପୋଲିସ କମିଶନର ଭାବେ ମଧ୍ଯ କାର୍ଯ୍ୟରତ ଥିଲେ ଖୁରାନିଆ । ସେ ବିପିଏସପିଏ ତଥା ଆଇଜି ଟ୍ରେନିଂ ଭାବେ ଦାୟିତ୍ବ ସମ୍ପାଦନ କରିଥିଲେ । ସୁନୀଲ ବଂଶଲ ଅବସର ନେବାପରେ ପୂର୍ବ ସରକାର ଅରୁଣ ଷଡ଼ଙ୍ଗୀଙ୍କୁ ଅନ୍ତରୀଣ ପୋଲିସ ଡିଜି ଭାବେ ନିଯୁକ୍ତ କରିଥିଲେ । ଏବେ ଅରୁଣଙ୍କ ସ୍ଥାନରେ ୱାଇ. ବି. ଖୁରାନିଆ ଦାୟିତ୍ବ ନେବେ ।
ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ୨୪ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା
ମାଲକାନଗିରି : ୨୪ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା। ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ବନ୍ଦ ଡାକରା ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଯାନବାହାନ ଚଳାଚଳ ତଥା ଦୋକାନ ବଜାର ସମୁର୍ଣ୍ ଭାବେ ବନ୍ଦ ରହିଛି। ଆଇନ କାନୁନ ବଜାୟ ରଖିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ସହରର ବିଭିନ୍ନ ଛକରେ ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ସ୍କୁଲ କଲେଜ ମଧ୍ୟ ବନ୍ଦ ରହିବ। କେବଳ ଜରୁରୀ କାଳୀନ ସେବା ଗୁଡିକ ଚାଲୁ ରହିଥିବା ବେଳେ ଅନ୍ୟ ଯାତାୟାତ ବନ୍ଦ୍ ରହିଛି।
ବିଦେଶୀ ଜାହାଜକୁ ଗିରଫ ନିର୍ଦ୍ଦେଶ
ପରାଦୀପ : ଏକ ବିଦେଶୀ ଜାହାଜକୁ ଗିରଫ ନିର୍ଦ୍ଦେଶ । ପାରାଦ୍ଵୀପରେ ଥିବା ଇଜିପ୍ଟ ଫ୍ଲାଗସିପର ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ଜାହାଜଟିର ନାଁ ହେଉଛି ଏମଭି ୱାଡି ଆଲବୋଷ୍ଟନ । ପାରାଦ୍ଵୀପ ବନ୍ଦର ଆଙ୍କରେଜରେ ଗତ ୬ ତାରିଖଠାରୁ ଜାହାଜଟି ରହିଛି । ପ୍ରାୟ ୪ କୋଟି ଟଙ୍କା ବକେୟା ରଖିଥିବାରୁ ଜାହାଜଟିକୁ ଗିରଫ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜର୍ମାନୀର କମ୍ପାନୀ ଇବୋଲି ଜିଏମବିଏଚର ଆବେଦନ ଉପରେ ବିଚାର କରି ଉଚ୍ଚ ନ୍ଯାୟାଳୟ ଏହି ରାୟ ଶୁଣାଇଛନ୍ତି । ଲୋ ସଲଫରିକ ମେରାଇନ ଗ୍ୟାସ ଅଏଲ ପରିବହନ ବାବଦକୁ ଜାହାଜଟି ପରିବହନ ବାବଦକୁ ୩ କୋଟି ୯୬ ଲକ୍ଷ ୧୮ ହଜାର ୧୨୯ ଟଙ୍କା ୪୦ ପଇସା ବାକି ରଖିଥିବା ଦାବି କରିଛି କମ୍ପାନୀ । ଏଣୁ ଜାହାଜଟିକୁ ଅଟକ ରଖିବାକୁ କମ୍ପାନୀ ହାଇକୋର୍ଟରେ ଆବେଦନ କରିଥିଲା । ଜାହାଜଟିକୁ ଗିରଫ କରିବା ପାଇଁ କୁଜଙ୍ଗ ସିନିୟର ସବଜର୍ଜ କୋର୍ଟଙ୍କୁ ଆଡମିରାଲ ଭାବେ ନିଯୁକ୍ତ କରିଛନ୍ତି ହାଇକୋର୍ଟ । ଜାହାଜଟି ବାଂଲାଦେଶରୁ ପାରାଦ୍ଵୀପ ବନ୍ଦର ଆସିଥିବା ବେଳେ ପାରାଦ୍ଵୀପ ବନ୍ଦରରୁ ୫୫ ହଜାର ମେଟ୍ରିକ ଟନ ଲୁହାପଥର ନେଇ ଚୀନ୍ ଯିବାର ଥିଲା । ପରବର୍ତ୍ତୀ ନିର୍ଦ୍ଦେଶ ନଦିଆଯିବା ପର୍ଯ୍ୟନ୍ତ ଜାହାଜକୁ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ନିର୍ମାଣର ୧୦ ଦିନରେ ଭାଙ୍ଗିଲା ଡ୍ରେନ୍ !
ତାଳଚେର : ନିର୍ମାଣର ୧୦ ଦିନ ନବିତୁଣୁ ଭାଙ୍ଗିଲା ଡ୍ରେନ୍। ନିମ୍ନମାନର କାର୍ଯ୍ୟ ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ। କଣିହାଁ ବିରୁ ଗାଁରେ ଦେଖିବାକୁ ମିଳିଛି ଏଭଳି ସମସ୍ଯା। ପଞ୍ଚାୟତ ପକ୍ଷରୁ ଗାଁ ଖେଳ ପଡିଆ ପାଖରେ ୫ ଲକ୍ଷ ୫୭ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ କଂକ୍ରିଟ ଡ୍ରେନ ନିର୍ମାଣ ହୋଇଥିଲା। ପାହାଡରୁ ଗଡି ଆସୁଥିବା ପାଣିକୁ ବାଲିଭାଗ ବନ୍ଧରେ ସଂଗ୍ରହ କରି ଏହି ଡ୍ରେନ ସାହାଯ୍ୟରେ ଚାଷ ଜମିରେ ମଡାଇବାର ଉଦ୍ଦେଶ୍ୟ ଥିଲା। କିନ୍ତୁ ସାମାନ୍ୟ ବର୍ଷାରେ ଏହି ଡ୍ରେନର ଗୋଟିଏ ପଟ କାନ୍ଥ ଭାଙ୍ଗି ଗଳି ପଡ଼ିଲାଣି। ନିମ୍ନ ମାନର କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରପଞ୍ଚ।
ମହାରାଷ୍ଟ୍ର, ହରିୟାଣା ଓ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ହୋଇପାରେ ତାରିଖ ଘୋଷଣା
ନୂଆଦିଲ୍ଲୀ: ଆଜି ଘୋଷଣା ହୋଇପାରେ ମହାରାଷ୍ଟ୍ର, ହରିୟାଣା ଓ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ତାରିଖ । ଏନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି । ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ । ୨ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ତାରିଖ ଘୋଷଣା କରିପାରନ୍ତି । ନିର୍ବାଚନର ବିଭିନ୍ନ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ, ମତଦାନ ଦିନ ଏବଂ ଫଳାଫଳ ଘୋଷଣା ତାରିଖ ଘୋଷଣା କରିପାରନ୍ତି।
ହରିୟାଣା ବିଧାନସଭାର କାର୍ଯ୍ୟକାଳ ନଭେମ୍ବରରେ ୩ରେ ସରୁଛି । ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ନଭେମ୍ବର ୨୬ର ସରୁଛି । ମହାରାଷ୍ଟ୍ରରେ ମୋଟ ୨୮୮ ବିଧାନସଭା ଆସନ ଥିବାବେଳେ ହରିୟାଣାର ୯୦ ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି।
ଜମ୍ମୁ-କାଶ୍ମୀରରେ ସେପ୍ଟେମ୍ବର ୩୦ ସୁ୍ଦ୍ଧା ନିର୍ବାଚନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ତେବେ ଜମ୍ମୁ କାଶ୍ମୀର-ହରିୟାଣାରେ ଏକାଠି ନିର୍ବାଚନ ହୋଇପାରେ ।
SSLV-D3 ର ସଫଳ ଉତକ୍ଷେପଣ, ବିପର୍ଯୟ ପୂର୍ବରୁ ମିଳିବ ସତର୍କ ସୂଚନା
ନନ୍ଦିଘୋଷ ବ୍ୟୁରୋ : ପୁଣି ଏକ ଇତିହାସ ରଚିଲା ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ । ଇସ୍ରୋ ୧୬ ଅଗଷ୍ଟ ସକାଳ ୯.୧୭ ମିନିଟରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ SSLV-D3 ରକେଟ ଉତକ୍ଷେପଣ କରିଛି। ଯାହାକି କୌଣସି ବିପର୍ଯ୍ୟୟ ଘଟିବା ପୂର୍ବରୁ ସତର୍କ ସୂଚନା ଦେବ । ଆହୁରି ମଧ୍ୟ, ଏକ ନୂତନ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ EOS-08 ମିଶନ୍ ଭାବରେ ଉତକ୍ଷେପଣ କରାଯାଇଛି । ଏହି ଉପଗ୍ରହ ବିପର୍ଯ୍ୟୟ ବିଷୟରେ ସତର୍କ ସୂଚନା ଦେବ । ଏହା SSLV ର ଶେଷ ପ୍ରଦର୍ଶନ ବିମାନ ହେବ । ୨୦୨୪ ମସିହାରେ, ବେଙ୍ଗାଲୁରୁର ମୁଖ୍ୟାଳୟ ସ୍ପେସ୍ ଏଜେନ୍ସି ଜାନୁଆରୀ ୧ ରେ PSLV-C58 / XPoSat ମିଶନ୍ ଏବଂ ଫେବୃଆରୀ ୧୭ରେ GSLV-F14 / INSAT-3DS ମିଶନକୁ ସଫଳତାର ସହ ପରୀକ୍ଷା କରିଥିଲା |
ଆର୍ଥ ଅବଜରଭେସନ୍ ସାଟେଲାଇଟ୍ (EOS-08) ହେଉଛି ଏକ ଉପଗ୍ରହ ଯାହା ପୃଥିବୀ ଉପରେ ନଜର ରଖିବ ଏବଂ ଯେ କୌଣସି ପ୍ରକାରର ବିପର୍ଯ୍ୟୟର ଆଗୁଆ ଚେତାବନୀ ମଧ୍ୟ ଦେବ, ଯାହା କୌଣସି ବିପର୍ଯ୍ୟୟର ସମ୍ମୁଖୀନ ହେବାରେ ସାହାଯ୍ୟ କରିବ । ସୂଚନା ଅନୁଯାୟୀ, ଏହି ଉପଗ୍ରହର ଓଜନ ପ୍ରାୟ ୧୭୫.୫ କିଲୋଗ୍ରାମ । ଏହାର ତିନୋଟି ପେଲୋଡ୍ ଅଛି । ଗୋଟିଏ ହେଉଛି ଇଲେକ୍ଟ୍ରୋ ଅପ୍ଟିକାଲ୍ ଇନଫ୍ରାଡ୍ ପେଲୋଡ୍ (EOIR), ଦ୍ୱିତୀୟଟି ହେଉଛି ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍-ରିଫ୍ଲେକ୍ଟୋମେଟ୍ରି ପେଲୋଡ୍ (GNSS-R) ଏବଂ ତୃତୀୟଟି ହେଉଛି SIC UV ଡୋସିମିଟର ।
ଇସ୍ରୋ ବର୍ତ୍ତମାନ ଏହି ଉପଗ୍ରହ ଉତକ୍ଷେପଣ କରିଛି ଯାହା ବିପର୍ଯ୍ୟୟ ଆଲର୍ଟ ଦେଇଥାଏ । ଏଥି ସହିତ, ଏହି ଉପଗ୍ରହ ପ୍ରଣାଳୀରେ ସମୁଦ୍ର ପୃଷ୍ଠର ବାୟୁ, ମୃତ୍ତିକାର ଆର୍ଦ୍ରତା ଏବଂ ବନ୍ୟା ପରିସ୍ଥିତି ଚିହ୍ନଟ କରିବା ପାଇଁ ରିମୋଟ ସେନ୍ସିଙ୍ଗର କ୍ଷମତା ଅଛି ।

