spot_img
Home Blog Page 1608

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ୮ ଲକ୍ଷ ଟଙ୍କା

କେନ୍ଦୁଝର : ବାଇକକୁ ଅଟକାଇ ବନ୍ଧୁକ ଦେଖାଇ ଡିକିରୁ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲ ଦୁର୍ବୁତ୍ତ। ଲୁଟର ଶିକାର ହେଲେ କେନ୍ଦୁଝର ଜିଲ୍ଲା ରାଜନଗର ଫିନୋ ପେମେଣ୍ଟ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରଣବ ପଣ୍ଡା। ଗତକାଲି ରାତି ୧୦ ଟା ସମୟରେ ବ୍ୟାଙ୍କ ବନ୍ଦ କରି ଟଙ୍କା ନେଇ ରାଜନଗରରୁ ତୁରୁମୁଙ୍ଗାକୁ ଆସୁଥିବା ସମୟରେ କଇଣ୍ଡା  ନିକଟରେ ତାଙ୍କ ବାଇକକୁ ଅଟକାଇବା ପରେ ମୁଣ୍ଡରେ ବନ୍ଧୁକ ଲଗାଇ ଡିକି ଟଙ୍କା ଭର୍ତ୍ତି ବ୍ୟାଗ ଲୁଟିନେଲ ଦୁର୍ବୁତ୍ତ । ତୁରୁମୁଙ୍ଗା ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି।

ବଲାଙ୍ଗୀର ମାଲଗୋଦାମପଡ଼ାରେ ଗୋଷ୍ଠୀ ସଂଘର୍ଷ, ସଂଘବଦ୍ଧ ଆକ୍ରମଣରେ ଜଣକର ମୃତ୍ଯୁ

ବଲାଙ୍ଗୀର : ବଲାଙ୍ଗୀର ମାଲଗୋଦାମପଡାରେ ଗୋଷ୍ଠୀ ସଂଘର୍ଷ । ଏଥିରେ ଜଣକର ମୃତ୍ଯୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ନିରଜ ହରପାଳ । ଗତକାଲି ରାତିରେ ଘଟିଥିଲା ଏ ସଂଘର୍ଷ।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ରାସ୍ତାରେ ଖଣ୍ଡା ବୁଲିବା ପରେ ସହରରେ ଆତଙ୍କ ଖେଳି ଯାଇଥିଲା । ଦୁଇ ଗୁରୁତରଙ୍କୁ ପ୍ରଥମରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସର ତଦନ୍ତ ଜାରି ରହିଛି।

କାନ୍ଦାହାର ବିମାନ ଅପହରଣ କାଣ୍ଡ,ବିମାନରେ ବନ୍ଧକ ଥିଲେ ହଜାର ହଜାର କୋଟିର ମାଲିକ !

ନନ୍ଦିଘୋଷ ବ୍ୟୁରୋ : ଏବେ ଚର୍ଚ୍ଚାରେ ଅନୁଭବ ସିହ୍ନାଙ୍କ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ । ଆତଙ୍କବାଦୀଙ୍କ ନାମ ଏବଂ ସୁଟିଂକୁ ନେଇ ସବୁଠି ତର୍କ ବିତର୍କ ଲାଗି ରହୁଛି । କେବଳ ନିର୍ଦ୍ଦେଶକ ନୁହେଁ ବରଂ ନିଟଫ୍ଲିକ୍ସ ମାଲିକ ମଧ୍ୟ ବିବାଦ ଘେରରେ ରହିଛନ୍ତି । ହେଲେ ଏହି ହାଇଜାକ୍ କାହାଣୀ ପଛରେ ଏବେ ଆଉ ଏକ ରୋଚକ ତଥ୍ୟ ଏବେ ସାମ୍ନାକୁ ଆସିଛି ।

ଯେତେବେଳେ ଆତଙ୍କବାଦୀ କାଠମାଣ୍ଡୁରୁ ଉଡାଣ ଆରମ୍ଭ କରିଥିବା  IC 814 ବିମାନକୁ ହାଇଜାକ କରିଥିଲେ ସେଥିରେ ମୋଟ ୧୭୬ଜଣ ଯାତ୍ରୀ ଥିଲେ । ହାଇଜାକ ହୋଇଥିବା ଏହି ବିମାନର ୧୭୬ଜଣ ଯାତ୍ରୀଙ୍କ ମଧ୍ୟରେ ଜଣେ କୁବେର ଯାତ୍ରୀ ଥିଲା । ଯାହା ବିଷୟରେ ଆତଙ୍କବାଦୀଙ୍କୁ ତିଳେ ବି ଜଣା ନଥିଲା  । ଯଦି ଆତଙ୍କବାଦୀଙ୍କୁ ଏହି ଭିଆଇପି ଯାତ୍ରୀଙ୍କ ବିଷୟରେ ସୂଚନା ଥାନ୍ତା ତେବେ ସେମାନେ ସାଙ୍ଗେସାଙ୍ଗେ ମାଲାମାଲ ହୋଇଯାଇଥାନ୍ତେ । ଆଉ ସେମାନଙ୍କୁ ଭାରତ ସରକାରଙ୍କ ଠାରୁ ୨୦୦ ମିଲିୟନ ଡଲାର ଦେବାକୁ ଧମକ ଦେବାକୁ ପଡି ନଥାନ୍ତା ।

IC 814 ବିମାନରେ  ଏପରି ଜଣେ କୁବେର ଯାତ୍ରୀ ଯାତ୍ରା କରୁଥିଲେ ଯାହା ବିଷୟରେ କାହାକୁ ବି ସୂଚନା ନଥିଲା  । ଏହି ବିମାନରେ ଇକୋନୋମୀ କ୍ଲାସରେ ବସି ଯାତ୍ରା କରୁଥିବା ଧନୀ ବ୍ୟକ୍ତି ଜଣକ ହେଲେ ରବର୍ଟ ଗିଓରୀ । ସୂଚନା ଅନୁଯାୟୀ ଏହି ବ୍ୟକ୍ତି ଜଣକ ସେ ସମୟରେ ସ୍ୱିଜରଲ୍ୟାଣ୍ଡର ଧନୀଙ୍କ ମଧ୍ୟରେ ଜଣେ ଥିଲେ । ରବର୍ଟ ଗିଓରୀ ସେତେବେଳେ ୟୁକେର ଏକ କମ୍ପାନୀ ଡି-ଲା-ରୁ (De La Rue )ର ମାଲିକ ଥିଲେ  ଏବଂ ସେ ବିଶ୍ୱର ୯୦ ପ୍ରତିଶତ ମୁଦ୍ରା ମୁଦ୍ରଣ ବ୍ୟବସାୟକୁ ସେ ନିୟନ୍ତ୍ରଣ କରୁଥିଲେ ।

ସୂଚନା ରହିଛି ଯେ, ସେ ଏହି ହାଇଜାକ ବିମାନରେ ନିଜ ପ୍ରେମିକା ଖ୍ରୀଷ୍ଟିନା କାଲାବ୍ରେସଙ୍କ ସହ କାଠମାଣ୍ଡୁରୁ ଛୁଟି କଟେଇ ଫେରୁଥିଲେ । ଏହି ବିମାନରେ ସେ ଅନ୍ୟ ଯାତ୍ରୀଙ୍କ ସହ ୮ ଦିନ ପାଇଁ  ଅପହରଣକାରୀଙ୍କ ସହିତ ବନ୍ଧକ ଥିଲେ । ହେଲେ ତାଙ୍କ ବିଷୟରେ କାହାକୁ କିଛି ଖବର ଜଣା ନଥିଲା । ଏହି ହାଇଜାକରେ ଆତଙ୍କବାଦୀ ମାନେ ଯାତ୍ରୀଙ୍କୁ ମୁକ୍ତ କରିବା ବଦଳରେ  ଭାରତ ସରକାରଙ୍କ ଠାରୁ ୨୦୦ ମିଲିୟନ ଡଲାର ଦେବାକୁ ଦାବି କରିଥିଲେ ।

ଆଦିମ ଜନଜାତିଙ୍କ ଆବାସସ୍ଥଳୀରେ ବର୍ଷାର ପ୍ରକୋପ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବଣ୍ତାଘାଟିରେ ଭାଙ୍ଗିଲା ଘର। ଆଦିମ ଜନଜାତିଙ୍କ ଆବାସ ସ୍ଥଳୀରେ ବର୍ଷାର ପ୍ରକୋପ। ଲଗାଣ ବର୍ଷାରେ ଭାଙ୍ଗିଯାଇଛି ଘର । ମାଟିରେ ମିଶିଯାଇଛି ମାଟି କୁଡିଆ। ଅଣ୍ତ୍ରାହଲ ପଞ୍ଚାୟତ ସଦରରେ ଦେଖିବାକୁ ମିଳିଛି ଏପରି ବର୍ଷାର ବିତ୍ପାତ। ବଣ୍ତାଘାଟିର ଅନେକ ଗାଁ ଗଣ୍ତାରେ ଘର ଭୁଶୁଡିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଅସହାୟ ଲୋକେ ବର୍ଷା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଦୁଲିପଡା ପଞ୍ଚାୟତ ଅଧିନରେ ଥିବା ଅନେକ ଘର ମଧ୍ୟ ବର୍ଷାରେ ଭୁଷୁଡି ପଡିଥିବା ସୂଚନା ମିଳିଛି।

ସେପ୍ଟେମ୍ବର ୧୩ରେ ରିଲିଜ ହେବ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ଚଳଚ୍ଚିତ୍ର ‘ଆଭା’

ଭୁବନେଶ୍ୱର :  ଆସନ୍ତା ୧୩ ସେପ୍ଟେମ୍ବରରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଆଭା”  । ଜଣେ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର  ।

ଆଭା ଏକ ନିପଟ ମଫସଲ ଗାଁ ର ଗରିବ ପରିବାର ର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ । ଭିନ୍ନକ୍ଷମ ହେଲେ ମଧ୍ୟ କେମିତି ଜୀବନ ଶୈଳୀରେ ବଞ୍ଚିବାକୁ ହେବ ଯାହା ସମାଜକୁ ଏକ ପ୍ରକାର ଶିକ୍ଷା ମିଳିବ ତାହାରି ଉପରେ ଆଧାରିତ ହୋଇଛି ଚଳଚ୍ଚିତ୍ର ଆଭା । ଏଥିରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି ନବାଗତା ଅଭିନେତ୍ରୀ ସୋନା ମଲ୍ଲିକ । ତାଙ୍କ ସହିତ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର , ଶ୍ଵେତା ଆଚାର୍ଯ୍ୟଙ୍କ, ଵିଶାଲ ସାହୁ ସମେତ ଆହୁରି ଅନେକ ତାରକା ଅଭିନୟ କରିଛନ୍ତି ।ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗର ମେଦିନିପୁରର ଏକ ଆଦିବାସୀ ଗ୍ରାମର ଜଙ୍ଗଲ ଘେରି ରହିଥିବା ଏକ ଗ୍ରାମୀଣ ପରିବେଶରେ ସୁଟିଂ କରାଯାଇଛି  ।

ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଅନେକ ନୂଆ ସ୍ୱାଦ ପାଇବେ ବୋଲି ନିର୍ଦ୍ଦେଶକ କହିଛନ୍ତି।  ଅନ୍ୟପଟେ ଏହା ଏକ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର  ହୋଇଥିବାରୁ ସମାଜରେ ସୁପ୍ରଭାବ ପକାଇବ ବୋଲି ନିର୍ମାତା ଓ ନିର୍ଦ୍ଦେଶକ ଆଶା ପ୍ରକଟ କରିଛନ୍ତି। ଏହାକୁ ପ୍ରଯୋଜନା କରିଛନ୍ତି ପ୍ରବୀର ମହାପାତ୍ର l କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପଲ୍ଲଵ ରୟ ,ସଂଳାପ ଲେଖିଛନ୍ତି ବିଶିଷ୍ଟ ଗୀତିକାର ମୋହିତ ଚକ୍ରବର୍ତ୍ତୀ  । ଚିତ୍ରୋତ୍ତଳନରେ ଚିତ୍ତରଞ୍ଜନ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର  ଏବଂ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସତ୍ୟ ପ୍ରକାଶ ସାହୁ  । କ୍ରିଏଟିଭ ହେଡ୍‌ (ମାର୍କେଟିଙ୍ଗ ଓ ପିଆର୍) ଦାୟିତ୍ଵରେ ଅଛନ୍ତି  ପ୍ରଣୟ ଜେଠୀ ।

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ବାଲ୍ଯଲୀଳା : ଆଜି କୈକେସୀ ରାକ୍ଷସକୁ ବଧ କରିବେ ଶ୍ରୀକୃଷ୍ଣ

ପୁରୀ : ଶ୍ରୀମନ୍ଦିରରେ ଚାଲିଛି ଶ୍ରୀକୃଷ୍ଣଙ୍କ ବାଲ୍ଯଲୀଳା । ଏହିଅବସରରେ ଆଜି କୈକେସୀ ରାକ୍ଷସକୁ ବଧ କରିବେ ଶ୍ରୀକୃଷ୍ଣ । କାଳିକାଦେବୀ ସାହି ପକ୍ଷରୁ ରାକ୍ଷସ ବଧ ନିମନ୍ତେ ପ୍ରସ୍ତାବ ଆସିବ। କୈକେସୀ ରାକ୍ଷସ, ଶ୍ରୀକୃଷ୍ଣ ଓ ବଳରାମ ବେଶଧାରୀ ଶ୍ରୀମନ୍ଦିରରେ ପହଞ୍ଚିବେ। ଠାକୁରଙ୍କ ସନ୍ଧ୍ୟାଧୂପ ସରିବାପରେ ଏହି ନୀତି ଅନୁଷ୍ଠିତ ହେବ । ଶ୍ରୀମଦନମୋହନ ନାଟମଣ୍ଡପ ଖଟଶେଯ ଉପରେ ବିଜେ ହେବା ପରେ କୈକେସୀ ରାକ୍ଷସ କୃଷ୍ଣଙ୍କୁ ମାରିବାକୁ ଉଦ୍ୟତ ହେବ । ଠାକୁରଙ୍କ ସହ ଲଢ଼ି ଶେଷରେ ମୃତ୍ୟୁବରଣ କରିବ ରାକ୍ଷସ । ଏହାପରେ ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ କରାଯିବା ପରେ ଅନ୍ୟାନ୍ୟ ନୀତିକାନ୍ତି କରାଯିବ । ଏଥିସହିତ ଶ୍ରୀମନ୍ଦିରରେ ଲଳିତା ସପ୍ତମୀ ବିଧି ମଧ୍ୟ ପାଳନ ହେବା ସହ ଶ୍ରୀକୃଷ୍ଣ ଲୀଳା ଶେଷ ହେବ। କୈକେଶୀ ବଧ ନୀତି ପରେ ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି ପାଳନ କରାଯିବ । ଗତକାଲି ବିମ୍ବାସୁରକୁ ବଦ୍ଧ କରିଥିଲେ ଶ୍ରୀକୃଷ୍ଣ  ।

ଆଜି ଆସିପାରେ କେଜ୍ରିୱାଲଙ୍କ ଜାମିନ ଆବେଦନ ସଂକ୍ରାନ୍ତ ସଂରକ୍ଷିତ ରାୟ

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ମାମଲା । ଆଜି ଆସିପାରେ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଆବେଦନ ସଂକ୍ରାନ୍ତ ରାୟ। ଗତ ୫ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ। ଶୁଣାଣି ବେଳେ ସିବିଆଇକୁ ସୁପ୍ରିମକୋର୍ଟ କରିଥିଲେ ଭର୍ତ୍ସନା। କେଜରିୱାଲଙ୍କୁ ପୁନର୍ବାର ଗିରଫ କରାଯିବା ପୂର୍ବରୁ କୋର୍ଟଙ୍କ ଅନୁମତି ନେବାର ଥିଲା। ମାତ୍ର କାହିଁକି ସିବିଆଇ ଏହା କଲା ନାହିଁ ବୋଲି ପ୍ରଶ୍ନ କରିଥିଲେ କୋର୍ଟ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।

ମଦନୀତି ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲାରେ କେଜରିୱାଲଙ୍କୁ ଜାମିନ ମିଳିସାରିଛି। ମାତ୍ର ସିବିଆଇ ଗିରଫ କରିବା ଯୋଗୁ ତାଙ୍କୁ ଜାମିନ ମିଳିପାରିନାହିଁ। ଏକ ସ୍ପେଶାଲ ଲିଭ୍ ପିଟିସନ ଅନୁସାରେ ଉଭୟ ଗିରଫଦାରୀ ଓ ଅନ୍ଯାନ୍ୟ ରିମାଣ୍ଡ ଆଦେଶନାମା ବିରୋଧରେ ଆବେଦନ କରିଥିଲେ କେଜରିଓ୍ବାଲ। ସେପଟେ ସବିଆଇ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ମଦନୀତି ମାମଲାରେ ରାଜନୈତିକ ସ୍ତରରେ ହଟଚମଟ ସୃଷ୍ଟି କରିବାକୁ କେଜରିଓ୍ବାଲ ଚାହୁଁଛନ୍ତି ।

ଗତ ମାର୍ଚ୍ଚ ୨୧ରେ କେଜରିଓ୍ବାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେଜରିଓ୍ବାଲ ତିହାର ଜେଲରେ ଥିବା ବେଳେ ତାଙ୍କୁ ଗତ ଜୁନ ୨୫ରେ ଗିରଫ କରିଥିଲା ସିବିଆଇ। ଦିଲ୍ଲୀ ମଦନୀତି ମାମଲାରେ ଗତବର୍ଷ ଫେବୃଆରୀ ୨୬ରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଗତ ଅଗଷ୍ଟ ୯ରେ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ। ଗତବର୍ଷ ଅକ୍ଟୋବର ୪ରେ ଗିରଫ ସଞ୍ଜୟ ସିଂଙ୍କୁ ଏପ୍ରିଲ ୩ରେ ମିଳିଥିଲା ଜାମିନ। ସେହିପରି ଗତ ମାର୍ଚ୍ଚ ୧୫ରେ ଗିରଫ ବିଆରଏସ ନେତ୍ରୀ କେ. କବିତାଙ୍କୁ ଗତ ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟ ଦେଇଥିଲେ ଜାମିନ।

ଆଜି ବିଧାନସଭାରେ ପାରିତ ହେବ ବ୍ଯୟମଞ୍ଜୁରୀ ବିଲ୍

ଭୁବନେଶ୍ୱର : ଆଜି ବିଧାନସଭାରେ ପାରିତ ହେବ ବ୍ଯୟମଞ୍ଜୁରୀ ବିଲ୍ । ସବୁ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବା ପରେ ବ୍ଯୟ ମଞ୍ଜୁରୀ ବିଲକୁ ଗୃହରେ ପାରିତ କରାଯିବ । ଏହାବାଦ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ଗୃହରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ଯୋଗ, ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମା ବିଭାଗର ରହିଛି ପ୍ରଶ୍ନୋତ୍ତର କାର୍ଯ୍ଯକ୍ରମ ।

ଶୂନ୍ଯକାଳରେ ଗୃହ ବେଶ ସରଗରମ ରହିବ । ଚିକିଟି ମଦମୃତ୍ଯୁ, ଢେଙ୍କାନାଳ ଗଣଦୁଷ୍କର୍ମ, ସୁଭଦ୍ରା, ଆଇନ ଶୃଙ୍ଖଳା, ରେଭେନ୍ସା ନାମ ପରିବର୍ତ୍ତନ ପ୍ରସ୍ତାବ, ଖଣିଜ ସମ୍ପଦର କୁବିନିଯୋଗ ଆଦି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିବେ ବିରୋଧୀ । ସେହିପରି ବ୍ଯୟ ମଞ୍ଜୁରୀ ଆଲୋଚନା ସମୟରେ ତିନି ମାସର ମୋହନ ସରକାର ପ୍ରତିଶୃତି ଦେଇ କିପରି ରାଜ୍ଯବାସୀଙ୍କୁ ପ୍ରତାରିତ କରିଛନ୍ତି ସେ ପ୍ରସଙ୍ଗ ଉଠାଇବେ ବିରୋଧୀ ବିଜେଡି ଓ କଂଗ୍ରେସ । ବିଶେଷକରି ସୁଭଦ୍ରା, ମାଗଣା ବିଜୁଳି, ସମସ୍ତଙ୍କୁ ୩୫ଶହ ଟଙ୍କାର ଭତ୍ତା ଭଳି ବିଜେପିର ଧୋକା କଥା ଉଠାଇ ସରକାରଙ୍କୁ ଟାର୍ଗେଟ କରିବେ ବିରୋଧୀ । ଅନ୍ଯପଟେ ଶାସକ ଦଳ ମଧ୍ଯ ତିନି ମାସର ସରକାରଙ୍କ ସଫଳତାର କଥାକୁ ଗୃହରେ ଉଠାଇବ।

ଦକ୍ଷିଣ ଓଡ଼ିଶାରେ ଜଳପ୍ରଳୟ, ମାଲକାନଗିରି ଓ ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି : ଦକ୍ଷିଣ ଓଡ଼ିଶାରେ ଜଳପ୍ରଳୟ । ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି । ଆଜି ଗଞ୍ଜାମ ଓ ମାଲକାନଗିରିରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ବନ୍ଦ ରଖାଯାଇଛି। ବନ୍ଯା ସ୍ଥିତିକୁ ନଜରରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଲଘୁଚାପ ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କୋରାପୁଟ ଓ ମାଲକାନଗିରି ଜିଲ୍ଲା । ଲଗାଣ ବର୍ଷାରେ ପୋଲ ଉପରେ ପାଣି ଚାଲିବା ସହ ମାଲକାନଗିରିରୁ କୋରାପୁଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ଗାଁ ବନ୍ଯାରେ ବୁଡ଼ି ରହିଥିବାବେଳେ ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି ।

ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଓ ସାମାଜିକ ସୁରକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ ମାଲକାନଗିରି ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିଆଇଜି ଚରଣ ସିଂହ ମୀନା ମଧ୍ୟ ମାଲକାନାଗିରି ଗସ୍ତରେ ଅଛନ୍ତି। ବନ୍ୟା ସ୍ଥିତିର ମୁକାବିଲା ପାଇଁ ୭ଟି ଜିଲ୍ଲାରେ ୧୮ଟି ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି। କେବଳ ମାଲକାନାଗିରିରେ ୬ଟି ଓଡ୍ରାଫ ଟିମ୍ ମୁତୟନ ହୋଇଥିବା ବେଳେ କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀରରେ ୨ଟି ଲେଖାଏଁ ଟିମ୍ ମୁତୟନ କରାଯାଇଛି। ଉପକୂଳ ୫ ଜିଲ୍ଲା ପାଇଁ ୧୨ଟି ଟିମ୍କୁ ରିଜର୍ଭ ରଖାଯାଇଛି ।

ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ୬ଟି ଏନଡିଆରଏଫ୍ ଟିମ୍ ନିୟୋଜିତ ହୋଇଥିବା ବେଳେ, ୨ଟି ଟିମ୍ ରିଜର୍ଭ ରଖାଯାଇଛି। ମାଲକାନାଗିରି ଜିଲ୍ଲାର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଛନ୍ତି। ନଦୀ ବନ୍ଧ ଓ କେନାଲ ବନ୍ଧ ଉପରେ ନଜର ରଖିବାକୁ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯିବା ସହ ବନ୍ୟା ମୁକାବିଲା ପାଇଁ ଆବଶ୍ୟକୀୟ ସରଞ୍ଜାମ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷାରେ କୋରାପୁଟ ଜିଲ୍ଲାର ୬ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ, ୩୬ଟି ଗାଁ ପ୍ରଭାବିତ ହୋଇଛି ।

ମାଲକାନଗିରି ସୀମାନ୍ତ ବିଜାପୁରରେ ମାଓବାଦୀ ସଂଗଠନରେ ବିଦ୍ରୋହ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ସୀମାନ୍ତ ବିଜାପୁରରେ ମାଓବାଦୀ ସଂଗଠନରେ ବିଦ୍ରୋହ ଦେଖିବାକୁ ମିଳିଛି । ଏନେଇ ପୋଲିସ ପ୍ରେସ ନୋଟ୍ ଜାରି କରିଛି । କ୍ରମାଗତ କ୍ଷତି ହେତୁ ମାଓବାଦୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାଙ୍କେରର ପରତାପୁରରେ ନକ୍ସଲମାନେ ନିଜ ସାଥି ମାଓବାଦୀ ବିଜ୍ଜାଙ୍କୁ ପୋଲିସ ସୂଚନାଦାତା ଅଭିଯୋଗରେ ହତ୍ୟା କରିଛନ୍ତି । ତେଲୁଗୁ କ୍ୟାଡର ନକ୍ସଲ ନେତା ନେତା ବିଜୟ ରେଡ୍ଡୀ ଦଳମ ସାଥୀ ନକ୍ସଲ ବିଜ୍ଜାଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ୬ ସେପ୍ଟେମ୍ବରରେ ବିଜ୍ଜାଙ୍କୁ ହତ୍ୟା କରାଯାଇଥିଲା । ଅତୀତରେ ଛତିଶଗଡରେ ହୋଇଥିବା ଏନକାଉଣ୍ଟରରେ ଅନ୍ୟ ରାଜ୍ୟରୁ ଆସିଥିବା ନକ୍ସଲମାନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ବରିଷ୍ଠ ନକ୍ସଲମାନଙ୍କ ହତ୍ୟା ଯୋଗୁଁ ନକ୍ସଲମାନେ ବିଚଳିତ ହୋଇଛନ୍ତି । ବାହ୍ୟ ରାଜ୍ୟରୁ ଆସିଥିବା ନକ୍ସଲମାନେ ସ୍ଥାନୀୟ ଲୋକଙ୍କୁ ଢାଲ ଭାବରେ ବ୍ୟବହାର କରି କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି । ତେଣୁ ଆତ୍ମସମର୍ପଣ ବ୍ୟତୀତ ନକ୍ସଲମାନଙ୍କ ପାଖରେ କୌଣସି ବିକଳ୍ପ ବାକି ନାହିଁ ବୋଲି ପ୍ରେସ ନୋଟରେ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି ।