spot_img
Home Blog Page 1611

ତାସ ଘର ପରି ଭୁଶୁଡ଼ି ଗଙ୍ଗାରେ ବିଲିନ ହୋଇଗଲା ଦୁଇ ମହଲା କୋଠା

କୋଲକାତା: ଗଙ୍ଗା ନଦୀ କୂଳରେ ଥିଲା ଦୁଇ ମହଲା କୋଠା । କେବଳ ଏହି ଘର ନୁହେଁ କନେକ ଘର ଗଙ୍ଗା କୂଳରେ ରହିଛି । ହେଲେ ଲୋକେ ଅନାଇଛନ୍ତି, ସମସ୍ତଙ୍କ ଆଖି ଆଗରେ ହଠାତ୍ ତାସ ଘର ପରି ଭୁଶୁଡ଼ି ପଡ଼ିଲା କୋଠା । ଆଉ ଚାହୁଁ ଚାହୁଁ ଗଙ୍ଗାରେ ଦୁଇ ମହଲା କୋଠାଟି ସମାଧି ନେଇଗଲା । ଏମିତି ଘଟଣା ଘଟିଛି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଶିକଦାରପୁର ଗାଁରେ ।

ପ୍ରବଳ ବର୍ଷା ଫଳରେ ଗଙ୍ଗା ନଦୀରେ ବନ୍ଯା ଆସିଛି । ଫଳରେ ନଦୀ କୂଳିଆ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅନେକ ଘର ଗଙ୍ଗା ନଦୀ ଗର୍ଭରେ ଲୀନ ହୋଇଯାଇଛି । ଶିକଦାରପୁର ଗାଁରେ ନଦୀ କୂଳରେ ଥିବା ଏହି ଦୁଇ ମହଲା ଘରଟି ଭୁଶୁଡ଼ି ପଡ଼ି ଭାସିଯାଇଛି । ଏ ବିପର୍ଯ୍ଯୟ ସମୟର ଦୃଶ୍ଯ ମୋବାଇଲରେ କଏଦ ହୋଇଛି । କେବଳ ଏଇ ଗୋଟିଏ ଘର ନୁହେଁ ବରଂ ଏହିପରି ଅନେକ ଘର ଓ ସମ୍ପତ୍ତି ନଦୀରେ ଭାସିଯାଇଛି ।

୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯନ୍ତ୍ରୀଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍

ବଲାଙ୍ଗୀର:  ଭିଜିଲାନ୍ସ ଜାଲରେ ପଡ଼ିଲେ ଆଉ ଜଣେ  ଲାଞ୍ଚୁଆ ଯନ୍ତ୍ରୀ । ଏମଜିଏନଆରଜିଏରେ ହୋଇଥିବା କାମର ବିଲ୍ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ଟଙ୍କା ଉଦ୍ଧାର ସହ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକରେ ଏମଜିଏନଆରଜିଏରେ ହୋଇଥିବା କାମର ବିଲ୍ ପାଇଁ ହିତାଧିକାରୀମାନେ ବାରମ୍ବାର ଅନୁରୋଧ କରୁଥିଲେ । ବିଲ ପାଇଁ କନିଷ୍ଠ ଯନ୍ତ୍ରୀ ୧୫ ହଜାର ଟଙ୍କା ଦାବି କରିଥିଲେ । ଲାଞ୍ଚ ନଦେଲେ ବିଲ କରିବି ନାହିଁ ବୋଲି ଧମକ ଦେଇଥିଲେ I ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ ।

ବେଲପଡା ବ୍ଳକ ଅନ୍ତର୍ଗତ କନ୍ଧେନଝୁଲା ଗାଁର ମୀନକେତନ ଚହଁର ମନରେଗା ଯୋଜନାରେ ଏକ କୂଅ ଖୋଲିଥିଲେ I ଏହାର ଟଙ୍କା ପାଇବା ପାଇଁ ବାରମ୍ବାର ବ୍ଳକକୁ ଆସୁଥିଲେ ମଧ୍ୟ ବିଲ୍ ହୋଇପାରୁ ନଥିଲା I ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ବିଲ୍ କରିବା ପାଇଁ ତାଙ୍କୁ ଲାଞ୍ଚ ମାଗିଥିଲେ I ମୀନକେତନ ବହୁ ନେହୁରା ହେବା ପରେ ମଧ୍ଯ ବିଲ କରୁ ନଥିଲେ I ଭିଜିଲାନ୍ସର ଟୋଲ ଫ୍ରୀ ନମ୍ବରକୁ କଲ କରି ଅଭିଯୋଗ କରିଥିଲେ ମୀନକେତନ I

ଭିଜିଲାନ୍ସର ଯୋଜନା ମୁତାବକ ହରେକୃଷ୍ଣ ଲାଞ୍ଚ ଟଙ୍କା ନେବା ବେଳେ ସମ୍ବଲପୁର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ଟିମ ହରେକୃଷ୍ଣକୁ ଟ୍ରାପ କରିଥିଲା I ହରେକୃଷ୍ଣକୁ ଟ୍ରାପ ହେବା ପରେ ବରଗଡ ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରା ଉଚରା ଚଳାଇଛି ଭିଜିଲାନ୍ସ I ଏନେଇ ହରେକୃଷ୍ଣଙ୍କ ପୈତୃକ ଘର, ନିଜ ବାସଭବନ ଓ ଅଫିସ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରି ଛାନଭିନ୍ ଚଳାଇଛି I

ଗାଡ଼ି ହର୍ଣ୍ଣ ମରାକୁ କେନ୍ଦ୍ର କରି ଯୁବକଙ୍କ ସହ ପୋଲିସକୁ ଛୁରାମାଡ଼

ଭୁବନେଶ୍ବର: ଗାଡି ହର୍ଣ୍ଣ ମାରିବାକୁ ନେଇ ଯୁବକଙ୍କ ସହ ପୋଲିସ କର୍ମୀଙ୍କୁ ଛୁରାମାଡ଼ ।  ଭୁବନେଶ୍ଵର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ଘଟିଛି ଘଟଣା । ଅଭିଯୁକ୍ତ ନା କେବଳ ଯୁବକଙ୍କୁ ଛୁରା ମାରିଥିଲା, ଏମିତିକି ପୋଲିସକୁ ମଧ୍ୟ ଛୁରା ମାରିଥିଲେ ।

ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଶ୍ରୀରାମନଗରରେ ୪ ଯୁବକ ବସିଥିବା ବେଳେ ହଠାତ ଏକ ବାଇକରେ ଆସି ଦୁଇ ଯୁବକ ହର୍ଣ୍ଣ ମାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ପକ୍ଷ ଭିତରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ଯୁବକ ଜଣଙ୍କ ଛୁରାମାଡ଼ କରିଥିଲେ । ଏପରିକି ପୋଲିସ ଖବର ପାଇ ସେମାନଙ୍କୁ କାବୁ କରିବାକୁ ଉଦ୍ୟମ ବେଳେ ପୋଲିସ କନଷ୍ଟେବଳ ଛୁରା ମାଡ଼ରେ ଆହତ ହୋଇଛନ୍ତି ।

ସେପଟେ ଯୁବକ ଜଣଙ୍କ ପାରିବାରିକ କଳହକୁ ନେଇ ନିଶାଶକ୍ତ ଅବସ୍ଥାରେ ଏଭଳି କରିଥିବା କହିଛନ୍ତି ମଞ୍ଚେଶ୍ୱର ଥାନା ଅଧିକାରୀ । ଘଟଣାରେ ୩ ଜଣ ଯୁବକ ଓ ଜଣେ କନଷ୍ଟେବଳ ଆହତ ହୋଇଥିବା କହିଛନ୍ତି ଭୁବନେଶ୍ବର ଡିସିପି । ସମସ୍ତେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

ଅଭିଯୁକ୍ତ ଦୀପକ ନାୟକଙ୍କୁ କାବୁ କରାଯାଇଛି । ଅଧିକ ଖୋଲତାଡ଼ ଜାରି ରହିଛି । ପୋଲିସ ନିଜେ ଏହି ଘଟଣାରେ ଏତଲା କରିଛି । ସେପଟେ ଦଶହରା ବେଳେ କିଭଳି ସହର ଅପରାଧ ମୁକ୍ତ ରହିବ ସେ ନେଇ ଭୁବନେଶ୍ୱର ପୋଲିସ ତତ୍ପର ରହିଛି । ପେଶାଦାର ଅପରାଧୀଙ୍କୁ କାବୁ କରାଯାଇଛି । ଯିଏ ବି ଆଇନକୁ ହାତକୁ ନେବ ତାକୁ ପୋଲିସ ଜେଲ ପଠାଇବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଦମ୍ପତିଙ୍କ ଝଗଡ଼ାର ସମାଧାନ କରିବାକୁ ଯାଇ ହଣା ଖାଇଲେ କନଷ୍ଟେବଳ

ସମ୍ବଲପୁର: ଘରୋଇ ବିବାଦର ସମାଧାନ କରିବାକୁ ଯାଇ ହଣା ଖାଇଲେ କନଷ୍ଟେବଳ । କନେଷ୍ଟବଳଙ୍କ ପାପୁଲି ହାଣି ଦେଲା ଅଭିଯୁକ୍ତ । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଝରାପାଲି ଗାଁରେ ଘଟିଛି ବର୍ବରକାଣ୍ଡ । ଗୁରୁତର କନଷ୍ଟେବଳ ହେଲେ ସରୋଜ ଭୋଇ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୁର୍ଲା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଅଭିଯୋଗ ଅନୁସାରେ, ଦିନ ପ୍ରାୟ ସାଢେ ୧୧ଟାରେ ଝରାପାଲି ଗାଁରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ଗଣ୍ଡଗୋଳ ହୋଇଥିବା ଖବର ପାଇଁ କନଷ୍ଟେବଳ ସରୋଜ ଗାଁକୁ ଯାଇଥିଲେ । ଏକ ଘରେ ଲୁଚି ରହିଥିବା ଅଭିଯୁକ୍ତ ସ୍ବାମୀ କମଳ ଚରଣ ପ୍ରଧାନକୁ ଧରିବାକୁ ଉଦ୍ଯମ କରିଥିଲେ । ଏହି ସମୟରେ ଏକ ଧାରୁଆ ଅସ୍ତ୍ରରେ କମଳ କନଷ୍ଟେବଳଙ୍କ ହାତକୁ ହାଣି ଦେଇଥିଲା । ଫଳରେ ସରୋଜଙ୍କ ଡାହାଣ ହାତ ପାପୁଲିର ୩ଟି ଆଙ୍ଗୁଳି କଟିଯାଇଥିଲା । ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଗୋବିନ୍ଦା, ହାତଯୋଡି ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ମୁମ୍ୱାଇ: ଅଭିନେତା ତଥା ଶିବସେନା ନେତା ଗୋବିନ୍ଦାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିବା ଯୋଗୁଁ  ତାଙ୍କୁ ମୁମ୍ୱାଇ ସିଟି କେୟାର ଏସିଆ ହସ୍ପିଟାଲରେ ଅକ୍ଟୋବର ୧ ରେ ଆଡମିଟ୍ କରାଯାଇଥିଲା। ଡାକ୍ତରଖାନାରୁ ଶୁକ୍ରବାର ଡିସଚାର୍ଜ ହୋଇଛନ୍ତି ଗୋବିନ୍ଦା । ଡାକ୍ତରଖାନାରୁ ବାହାରି ପରେ ସେ ପ୍ରଥମେ ପ୍ରଶଂସକ ଏବଂ ଗଣମାଧ୍ୟମକୁ ହାତଯୋଡି ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଯେଉଁମାନେ ମୋ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି, ସେମାନଙ୍କ ପାଖେ ମୁଁ ଚିର ଋଣି । କେବଳ ସେତିକି ନୁହେଁ ସିଏମ୍ ସିନ୍ଦେ, ପୋଲିସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଗୋବିନ୍ଦା ।

ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ତାଙ୍କ ନିକଟରେ ପତ୍ନୀ ସୁନିତା ଏବଂ ଝିଅ ଟିନାଙ୍କୁ ଦେଖିବାକୁ ମିଳିଛି । ଗୋବିନ୍ଦାଙ୍କ ଗୋଡରେ ପ୍ଲାଷ୍ଟର ଥିବା ବେଳେ ତାଙ୍କୁ ହ୍ୱିଲଚେୟାରରେ ଅଣାଯାଉଥିବା ଦେଖିବାକୁ ମିଳିଛି । ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ପତ୍ନୀ କହିଛନ୍ତି ।

ସରକାରୀ ଶିକ୍ଷକ ଓ ତାଙ୍କ ପରିବାରକୁ ଗୁଳି କରି ହତ୍ୟା

ଆମେଠି: ପୁଣି ବିଜେପି ଶାସିତ ଉତ୍ତରପ୍ରଦେଶରେ ଅରାଜକତା। ଆମେଠିରେ ଜଣେ ସରକାରୀ ସ୍କୁଲ ଶିକ୍ଷକ, ତାଙ୍କ ପତ୍ନୀ ଓ ୨ ସନ୍ତାନଙ୍କୁ ଗୁଳି କରି ହତ୍ଯା କରିଛନ୍ତି ଦୁର୍ବୃତ୍ତ। ଘର ଭିତରେ ପ୍ରବେଶ କରି ଦୁର୍ବୃତ୍ତମାନେ ଏହି ଜଘନ୍ଯ କାଣ୍ଡ ଘଟାଇଛନ୍ତି। ଅପରାଧ ଘଟାଇବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ମୃତକ ହେଉଛନ୍ତି ସୁନିଲ କୁମାର, ପତ୍ନୀ ପୁନମ ଏବଂ ୫ ବର୍ଷ ଓ ୨ ବର୍ଷର ଦୁଇ ଝିଅ। ଅହୋରା ଭବାନୀ କ୍ରସିଂ ନିକଟରେ ସେମାନେ ଭଡା ଘରେ ଥିବାବେଳେ ଏହି ଘଟଣା ଘଚିଛି। ଏସପି ଅନୂପ କୁମାର ସିଂ କହିଛନ୍ତି- ଲୁଟିବା ଲାଗି ଏହି ଅମାନବୀୟ ଘଟଣା ଘଟିନାହିଁ। ବରଂ ହତ୍ଯା ପଛରେ ଅନ୍ଯ କିଛି କାରଣ ରହିଛି। ପରିବାର ସହ ଅନ୍ଯ କୌଣସି ବ୍ଯକ୍ତିଙ୍କ ବିବାଦ ଥିବା ଅନୁମାନ କରାଯାଇଛି।

ଗତ ଅଗଷ୍ଟ ୧୮ ତାରିଖରେ ଚନ୍ଦନ ବର୍ମା ନାମକ ଜଣେ ବ୍ଯକ୍ତିଙ୍କ ବିରୋଧରେ ପୁନମ ଅଭିଯୋଗ ଆଣି ଏସସି-ଏସଟି ଆଇନ ଆଧାରରେ ଏଫଆଇଆର ଦାୟର କରିଥିଲେ। ସେହି କାରଣକୁ ନେଇ ଏହି ହତ୍ଯାକାଣ୍ଡ ଘଟିଥିବା ପୋଲିସ ଆଶଙ୍କା କରୁଛି। ସୁନିଲ ଜଣେ ସରକାର ସ୍କୁଲ ଶିକ୍ଷକ ଥିଲେ ଏବଂ ପନହୋନା କମ୍ପୋଜିଟ ସ୍କୁଲରେ କାର୍ଯ୍ୟରତ ଥିଲେ। ପୂର୍ବରୁ ସେ ୟୁପି ପୋଲିସରେ ବି ନିଯୁକ୍ତି ପାଇଥିଲେ।

ପୁଣି ଅଡୁଆରେ କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା, ପୁଣି ଏକ ସାନି ଅଭିଯୋଗ ଦାୟର

ବେଙ୍ଗାଲୁରୁ: ପୁଣି ଅଡୁଆରେ କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା । ମୁଡା ସ୍କାମରେ ଜଡିତ ଥାଇ ପ୍ରମାଣ ନଷ୍ଟ ଅଭିଯୋଗରେ ସିଦ୍ଦରମୈୟାଙ୍କ ବିରୋଧରେ ଏକ ସାନି ଅଭିଯୋଗ ଦାୟର ହୋଇଛି । ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ ବା ମୁଡା ଜରିଆରେ ପତ୍ନୀଙ୍କ ନାମରେ ୧୪ଟି ପ୍ଲଟ କରିବା ଘଟଣାରେ ହରଡଘଣାରେ ପଡିଛନ୍ତି ମୁଖ୍ଯମନ୍ତ୍ରୀ ।

କେବଳ ସିଦ୍ଦରମୈୟା ନୁହନ୍ତି ତାଙ୍କ ପୁଅ ଯତୀନ୍ଦ୍ରଙ୍କ ନାମରେ ବି ଏତଲା ଦାୟର ହୋଇଛି । ଏହି ଦୁର୍ନୀତିରେ ପୁଅ ଯତୀନ୍ଦ୍ର ସାମିଲ ଥିବା ଅଭିଯୋଗ ହୋଇଛି । ସିଦ୍ଦରମୈୟା, ପତ୍ନୀ ପାର୍ବତୀ, ଶାଳକ ମଲ୍ଲିକାର୍ଜୁନ ସ୍ବାମୀ ଓ ମଲ୍କିକାର୍ଜୁନ ଯାହାଠାରୁ ଜମି କ୍ରୟ କରିଥିଲେ ସେହି ବ୍ଯକ୍ତି ଦେବରାଜୁଙ୍କ ବିରୋଧରେ ଲୋକାୟୁକ୍ତ ଏଫଆଇଆର ଦାୟର କରିବାର କିଛି ଦିନ ପରେ ଏହି ସାନି ମାମଲା ଦାୟର ହୋଇଛି ।

ଦେବରାଜୁଙ୍କ ଠାରୁ ଜମି କ୍ରୟ କରି ଭଉଣୀ ପାର୍ବତୀଙ୍କୁ ସେହି ଜମି ଗିଫ୍ଟ ଦେଇଥିଲେ ମଲ୍ଲିକାର୍ଜୁନ । ଗତ ସେପ୍ଟେମ୍ବର ୨୫ରେ ମାମଲା ରୁଜୁ କରିବା ଲାଗି ଏକ ସ୍ବତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେବା ପରେ ମାମଲା ଦାୟର କରିଥିଲା ଲୋକାୟୁକ୍ତ ପୋଲିସ । ଏହି ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ ବା ଇସିଆଇଆର ମାମଲା ରୁଜୁ ହୋଇଥିଲା ।

୫୦-୫୦ ଅନୁପାତ ନିୟମ ଅନୁସାରେ ଅଣବିକଶିତ ଜମି ହରାଇଥିବା ବ୍ଯକ୍ତିଙ୍କୁ ସମପରିମାଣର ଜମି ବିକଶିତ ଅଞ୍ଚଳରେ ଦିଆଯିବ । ମହୀଶୂର ତାଲୁକ ଅନ୍ତର୍ଗତ କସବା ହୋବଲିର କାସାରେ ଗ୍ରାମରେ ପାର୍ବତୀଙ୍କ ନାମରେ ଥିବା ୩ ଏକର ୧୬ ଡିସିମିଲ ଜମିର ଆଇନଗତ ବୈଧତା ନଥିବା ଅଭିଯୋଗ ହୋଇଥିଲା । ତଥାପି ମୁଡା ନିୟମ ଅନୁସାରେ ତାଙ୍କୁ ସେହି ଜମି ବଦଳରେ ଅନ୍ଯ ବିକଶିତ ସ୍ଥାନରେ ଜମି ପ୍ରଦାନ କରାଯାଇଥିଲା ଯାହାର ଦାମ୍ ବହୁଗୁଣ ଅଧିକ । ସେପଟେ ଯଦି ସିଦ୍ଦରମୈୟା ଇସ୍ତଫା ଦିଅନ୍ତି ତେବେ କିଏ ହେବେ ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ ତାହାକୁ ନେଇ ବଢିଛି ଚର୍ଚ୍ଚା । ସିଦ୍ଦରମୈୟାଙ୍କ ଘନିଷ୍ଠ କୁହାଯାଉଥିବା ପୂର୍ତ୍ତମନ୍ତ୍ରୀ ସତୀଶ ଜାର୍କିହୋଲି, ଗୃହମନ୍ତ୍ରୀ ଡି. ପରମେଶ୍ବର ଓ ସମାଜ କଲ୍ଯାଣ ମନ୍ତ୍ରୀ ଏଚ.ସି. ମହାଦେବାପ୍ପାଙ୍କ ମଧ୍ଯରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗରେ ମନ୍ତ୍ରୀ ସତୀଶ ଗୁରୁବାର ଦିଲ୍ଲୀ ଯାଇଥିବା ଜଣାଯାଇଛି ।

ବ୍ଯାଗରେ ନବଜାତକକୁ ପୁରାଇ ନଦୀକୁ ଫିଙ୍ଗିଦେଲା ମାଆ

ଉଦଳା: ବ୍ଯାଗରେ ନବଜାତକକୁ ପୁରାଇ ନଦୀକୁ ଫିଙ୍ଗିଦେଲା ମାଆ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଉଦଳା ଅଂଚଳରେ। ନବଜାତ ଶିଶୁପୁତ୍ରକୁ ବ୍ୟାଗରେ ଭର୍ତ୍ତି କରି ପୋଲ ଉପରୁ ତଳକୁ ନଦୀକୁ ଫୋପାଡି ଦେଇ ଚାଲିଗଲେ ପରିବାରଲୋକେ। ପରେ ବ୍ୟାଗ ଭିତରୁ ଛୋଟ ପିଲା କାନ୍ଦିବାର ଶବ୍ଦ ଶୁଭିଥିଲା।

ବ୍ୟାଗରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଉଦଳା ଥାନା ଅଠଣଗାଁ ନିକଟରେ ଥିବା ସୋନ ନଦୀ ପୋଲ ତଳେ ସ୍ଥାନୀୟ ମହିଳାମାନେ ଗାଧୋଉଥିଲେ। ଏହି ସମୟରେ ବାଇକରେ ଆସି ଗୋଟିଏ ବ୍ୟାଗକୁ ପୋଲ ଉପରୁ ତଳକୁ ପକାଇ ଦେଇ ଚାଲିଯାଇଥିଲେ। ବ୍ୟାଗ ଖୋଲି ଦେଖିବାରୁ ଭିତରେ ଜଣେ ନବଜାତକ ଶିଶୁପୁତ୍ର ରହିଥିବା ଦେଖିବାକୁ ପାଇଥିଲେ।

ପରିବା ବ୍ୟାଗ ଭିତରେ ଖବରକାଗଜ ରଖି ସେଥି ମଧ୍ୟରେ ଶିଶୁପୁତ୍ରକୁ ରଖି ଫୋପାଡି ଦେଇ ଚାଲିଯାଇଥିଲେ। ଉଦ୍ଧାର କରି ଶିଶୁପୁତ୍ରକୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତି କରିଛନ୍ତି।

ମାନବାଧିକାର କର୍ମୀ ପରିଚୟ ଦେଇ ମହିଳାଙ୍କୁ ଗଣଦୁଷ୍କର୍ମ

ପୁଣେ: ମହାରାଷ୍ଟ୍ର ପୁଣେରେ ଲଜ୍ଜା। ଜଣେ ୨୧ ବର୍ଷ ବୟସ୍କା ମହିଳାଙ୍କୁ ୩ ଅଭିଯୁକ୍ତଙ୍କ ଗଣଦୁଷର୍ମ ଅଭିଯୋଗ। ବଡ଼କଥା ହେଉଛି ଅଭିଯୁକ୍ତମାନେ ନିଜକୁ ମାନବାଧିକାର କର୍ମୀ ବୋଲି ପରିଚୟ ଏହି ଅଭାବନୀୟ କାଣ୍ଡ ଘଟାଇଛନ୍ତି। ପୁଣେର ବୋପଦେବ ଘାଟକୁ ଜଣେ ବନ୍ଧୁଙ୍କ ସହ ମହିଳାଜଣକ ଯାଇଥିବାବେଳେ ଏହି ଘଟଣା ଘଟିଥିଲା।

ପୋଲିସ କୋନ୍ଧୱା ଅଞ୍ଚଳର ରାଜେ ଖାଁ କରିମ ପଠାନ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ପଠାନ ପ୍ରଥମେ ନିଜକୁ ମାନବାଧିକାର କର୍ମୀ ପରିଚୟ ଦେଇଥିଲେ ଓ ପରେ ମହିଳାଙ୍କୁ ଧମକଚମକ କାରରେ ନେଇଯାଇଥିଲେ। ଅନ୍ଯ ଏକ ଲୋକେସନକୁ ସେମାନେ କାରକୁ ନେଇଯାଇଥିଲେ ଏବଂ ସେଠାରେ ପଠାନ ଓ ତାଙ୍କର ଦୁଇ ସହଯୋଗୀ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ।

ମହିଳାଙ୍କୁ ଖଦି ମେସିନ ଛକରେ ଛାଡି ସେମାନେ ଚାଲିଯାଇଥିଲେ। ମହିଳାଜଣକ କୋନ୍ଧୱା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତନାଘନା କରିଥିଲା। ଅଭିଯୁକ୍ତମାନେ ମହିଳାଙ୍କ ବନ୍ଧୁଙ୍କୁ ବି ପିଟିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଅନୁଧ୍ଯାନ କରୁଛି କ୍ରାଇମବ୍ରାଞ୍ଚ।

ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ

ନନ୍ଦିଘୋଷ ବ୍ୟୁରୋ: ଜରୁରୀକାଳୀନ ଅବତରଣ କଲା ବିମାନ । ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ। ବିମାନଟି ଉଡାଣ ପରେ ଏଥିରୁ ଧୂଆଁ ବାହାରରିଥିଲା । ଏହାପରେ ଥିରୁଭାନନ୍ତପୁରମ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX- 549) ଜରୁରୀକାଳୀନ ଅବତରଣ କରିଥିଲା ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନଟି ମସ୍କଟକୁ ଯାଉଥିଲା । ଏଥିରେ ୧୪୮ ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ସୂଚନା ପ୍ରଦାନ କରି ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର କହିଛନ୍ତି ଯେ ଯାତ୍ରୀଙ୍କ ଆଗାମୀ ଯାତ୍ରା ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି।