spot_img
Home Blog Page 1614

କଣାସରେ ବିଜେପି ଓ ବିଜେଡି ମୁହାଁମୁହିଁ

ପିପିଲି: ବ୍ଲକ ପରିସରରେ ମୁଲତବୀ ବୈଠକ । ବ୍ଲକ ବାହାରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ । ଏମିତି କିଛି ଘଟଣା ଆଜି କଣାସ ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ଆଜି କଣାସ ବ୍ଲକ ମୁଲତବୀ ବୈଠକ ରହିଥିଲା । ଏହି ସମୟରେ ବ୍ଲକ ବାହାରେ ଉଭୟ ଦଳର ସମର୍ଥକ ମୁହାଁମୁହିଁ ହୋଇଛନ୍ତି ।

ରାସ୍ତାରେ ଦୁଇ ଗୋଷ୍ଠୀ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ବ୍ଲକ ସଭା ଗୃହରେ ସତ୍ଯବାଦୀ ବିଧାୟକଙ୍କ ସହ ସରକାରୀ ଅଧିକାରୀ ଉପସ୍ଥିତ ଅଛନ୍ତି । ଏବେ ବି ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ଉଦ୍ଯମ ଜାରି ରଖିଛି ।

କଲେଜ ପରିସର ପାଲଟିଲା ରଣକ୍ଷେତ୍ର: ସାମାନ୍ୟ ବଚସାରୁ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ

ଗଞ୍ଜାମ: ସାମାନ୍ଯ ବଚସାରୁ କଲେଜ ପରିସର ପାଲଟିଲା ରଣକ୍ଷେତ୍ର । ସହପାଠୀଙ୍କ ଆକ୍ରମଣରେ ଜଣେ ଛାତ୍ର ଗୁରୁତର । ପ୍ରଥମେ ପାଟପୁର ଓ ପରେ ଏମକେସିଜିରେ କରାଯାଇଛି ଭର୍ତ୍ତି ।

ଖବର ଅନୁସାରେ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରଙ୍କ ମଧ୍ଯରେ ଗଣ୍ଡଗୋଳ ହୋଇଛି । କ୍ଲାସ ରୁମରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ଯରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ୪ ଜଣ ଛାତ୍ର ଜଣେ ସହପାଠୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଗୁରୁତର ଛାତ୍ର ହେଲେ ରାଜା ସେଠୀ । ତାଙ୍କ ମୁଣ୍ଡ ଓ ପିଠିରେ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପାଟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗରୁତର ହେବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପାଟପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ପୁଣି କାଠଗଡ଼ାରେ କମିଶନରେଟ ପୋଲିସ: ସ୍ବାମୀ ନିଖୋଜ, ଖୋଜୁନି ପୋଲିସ

ଭୁବନେଶ୍ବର: କମିଶନରେଟ କାର୍ଯ୍ୟଦକ୍ଷତାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଏତଲା ରଖିବା ପରେ ଜଣେ ବ୍ୟକ୍ତିଙ୍କୁ ନଖୋଜି ପୋଲିସ ଚୁପ ବସିଥିବା ଓ ନିଖୋଜଙ୍କ ସ୍ବାମୀ ଏ ଥାନରୁ ସେ ଥାନା ଦୌଡୁଥିବା ଅଭିଯୋଗ ହୋଇଛି । ଏନେଇ ନିଖୋଜ ବ୍ୟକ୍ତିଙ୍କ ସ୍ବାମୀ ପୋଳିସ କମିଶନରଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ।

ଅଭିଯୋଗ ଅନୁସାରେ, ବାଲିପାଟଣା ଥାନା ଅଞ୍ଚଳରେ ସ୍ବାମୀ ନିଖୋଜ ହୋଇଯିବା ନେଇ ସ୍ତ୍ରୀ ଥାନାରେ ଏତଲା ଦେଇଥିଲେ । ହେଲେ ଖାମଖିଆଲି ଭାବେ ପୋଲିସ ତଦନ୍ତ କରୁ ନଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ କମିଶନରଙ୍କୁ ଭେଟି ନ୍ଯାୟ ମାଗିଛନ୍ତି ସ୍ତ୍ରୀ । ସେ ତାଙ୍କ ଅଭିଯୋଗରେ କହିଛନ୍ତି ଏ ଥାନାରୁ ସେ ଥାନା ବୁଲିଲା ପରେ ବି ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନି । ସ୍ବାମୀଙ୍କୁ ଖୋଜିବାକୁ ପଦକ୍ଷେପ ବି ନେଉନି ।

କେକ ଖାଉଥିଲେ ସାବଧାନ ! ହୋଇପାରେ କ୍ୟାନସର

ବେଙ୍ଗାଲୁରୁ: କେକରୁ ମିଳିଲା କର୍କଟ ରୋଗ ସୃଷ୍ଟିକାରୀ ପଦାର୍ଥ । ୧୨ଟି ନମୁନାରେ ଏହି ବିପଦଜନକ ପଦାର୍ଥ ମିଳିବା ପରେ ଆଡଭାଇଜରୀ ଜାରି କରିଛନ୍ତି କର୍ଣ୍ଣାଟକ ସରକାର । ଏଥିଲାଗି ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି । ବେଙ୍ଗାଲୁରୁରେ କରାଯାଇଥିବା ଏଭଳି ୧୨ଟି ନମୂନାରୁ ଏହି କ୍ଯାନସର ସୃଷ୍ଟିକାରୀ ପଦାର୍ଥ ମିଳିଛି । ଏହାକୁ ନେଇ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ବେକେରୀରେ ପ୍ରସ୍ତୁତ ହେଉଥିବା କେକ ଗୁଡିକରେ ବ୍ୟବହୃତ ସାମଗ୍ରୀକୁ ନେଇ ଆଡଭାଇଜରି ଜାରି କରାଯାଇଛି । କୃତ୍ରିମ ରଙ୍ଗର ବହୁଳ ବ୍ୟବହାର ଦ୍ଵାରା କ୍ଯାନସର ବିପଦ ବଢିବା ସହ ମାନସିକ ଓ ଶାରିରୀକ ସ୍ଵାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ଏହାସହ କେକ୍ ପ୍ରସ୍ତୁତିରେ ହାନୀକାରଣ ରସାୟନ ବ୍ୟବହାର ବନ୍ଦ କରିବାକୁ ମଧ୍ୟ ଆଡଭାଇଜରି ଜାରି ହୋଇଛି ।

ଗୋଟିଏ କେଜି ଖାଦ୍ୟ ସାମଗ୍ରୀରେ ସର୍ବାଧିକ ୧୦୦ ମିଲିଗ୍ରାମ ରଙ୍ଗ ବ୍ୟବହାର କରିବାର ନିୟମ ରହିଛି । ଖାଦ୍ୟ ନିରାପତ୍ତା ବିଭାଗ ଯାଞ୍ଚ କରିଥିବା ମୋଟ ୨୩୫ କେକ୍ ମଧ୍ୟରୁ ୨୨୩ଟି ସୁରକ୍ଷିତ ଥିବା ଜଣାପଡିଥିଲା । ଅନ୍ୟ ୧୨ଟିରେ କ୍ଯାନସର ସୃଷ୍ଟିକାରୀ ପଦାର୍ଥ ମିଳିଥିଲା । ବ୍ଲାକ ଫରେଷ୍ଟ ଓ ରେଡ୍ ଭେଲଭେଟ୍ ଭଳି କେକର ପ୍ରସ୍ତୁତିରେ ଏହି ରଙ୍ଗ ବ୍ୟବହାର କରାଯାଇଥାଏ ।

ସଦଗୁରୁଙ୍କୁ ଆଶ୍ବସ୍ତି: ଇଶା ଫାଉଣ୍ଡେସନ ବିରୋଧରେ ପୋଲିସ ତଦନ୍ତ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରୋକ

ନୂଆଦିଲ୍ଲୀ: ସଦଗୁରୁଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ସଦଗୁରୁଙ୍କ ଦ୍ବାରା ପରିଚାଳିତ ଇଶା ଫାଉଣ୍ଡେସନ ବିରୋଧରେ ପୋଲିସ ତଦନ୍ତ ଲାଗି ମାଡ୍ରାସ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ତଦନ୍ତ ପ୍ରକ୍ରିୟାରେ ରୋକ ଲଗାଇବା ସହ ଏକ ଷ୍ଟାଟସ ରିପୋର୍ଟ ଦାଖଲ ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ଏହି ମାମଲାରେ ପୋଲିସ କୌଣସି ପଦକ୍ଷେପ ନେବା ଅନୁଚିତ ବୋଲି କହିଛନ୍ତି କୋର୍ଟ । ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହା କହିଛନ୍ତି । ଗତ ୧ ତାରିଖରେ କୋଏମ୍ବାଟୁରସ୍ଥିତ ଆଶ୍ରମରେ ଶତାଧିକ ପୋଲିସ ପ୍ରବେଶ କରିବା ପରେ ମାମଲା ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ଦୁଇ ଝିଅ ଗୀତା ଓ ଲତାଙ୍କୁ ବାବାଙ୍କ ଆଶ୍ରମରେ ରଖାଯାଇଥିଲା । ପରିବାର ସହ ସେମାନଙ୍କୁ ମିଶିବାକୁ ଦିଆଯାଉନାହିଁ ବୋଲି ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ ଦୁଇ ଝିଅଙ୍କ ବାପା ପ୍ରଫେସର କାମରାଜ ।

ତେବେ ଫାଉଣ୍ଡେସନ ପକ୍ଷରୁ କୁହାଯାଇଥିଲା ଆଶ୍ରମରେ ରହୁଥିବା ଦୁଇ ଝିଅଙ୍କ ବୟସ ୪୨ ଓ ୩୯ । ସେମାନେ ନିଜ ଇଚ୍ଛାନୁସାରେ ଆଶ୍ରମରେ ରହୁଛନ୍ତି । ଆଶ୍ରମ ମଧ୍ଯକୁ ପିଟିସନରକାରୀ ଓ କିଛି ଲୋକ ଜବରଦସ୍ତ ପ୍ରବେଶ ଉଦ୍ୟମ କରିଥିଲେ ବୋଲି ଇଶା ଫାଉଣ୍ଡେସନ ପକ୍ଷରୁ କୁହାଯାଇଥିଲା ।

ମାଆ ବିରଜାଙ୍କ ନବରାତ୍ର ଦର୍ଶନ ଆରମ୍ଭ, ଆଜି ସନ୍ଧ୍ୟାରୁ ରଥ ପରିକ୍ରମା

ଯାଜପୁର: ଯାଜପୁରରେ ମାଆ ବିରଜାଙ୍କ କ୍ଷେତ୍ରରେ ଆରମ୍ଭ ହୋଇଛି ନବରାତ୍ର ଦର୍ଶନ । ସେହିପରି ଆଜି ସନ୍ଧ୍ୟାରେ ରଥ ପ୍ରତିଷ୍ଠା ପରେ ସିହଂଦ୍ବାରରୁ ଗଡିବ ସିଂହଧ୍ବଜ ରଥ । ନବରାତ୍ର ସମୟରେ ମାଆ ଶ୍ରଦ୍ଧାଳୁଙ୍କୁ ଚରଣ ସ୍ପର୍ଶ ପାଇଁ ସୁଯୋଗ ଦେଇଥାନ୍ତି । ମାଆଙ୍କ ପାଦ ଓ ମୁଖ ଦର୍ଶନ ଲାଗି ଲମ୍ବା ଲାଇନ ଲାଗିଛି । ବର୍ଷକରେ ଥରେ ଏହି ଦୁର୍ଲଭ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥିବା କହିଛନ୍ତି ଶ୍ରଦ୍ଧାଳୁ ।

ସେହିପରି ସାରା ଦେଶରେ ଶାରଦୀୟ ପୂଜା ସମୟରେ ଦେବୀ ଦୁର୍ଗତିନାଶିନୀ ଭାବେ ରଥାଋଢ ହୋଇ ବେଢା ପରିକ୍ରମା କରି ମହିଷାସୁରକୁ ନିଧନ କରିବା ପରମ୍ପରା ଅନ୍ୟ କୌଣସି ଶକ୍ତିକ୍ଷେତ୍ରରେ ଦେଖାଯାଏନି । ସେଥିଲାଗି ବିରଜା ପୀଠର ପୂଜା ଭିନ୍ନ ବୋଲି ସେବାୟତ କହିଛନ୍ତି । ଆଜି ସନ୍ଧ୍ୟାରେ ରଥ ପ୍ରତିଷ୍ଠା ପରେ ମାଆଙ୍କ ବିଜେ ପ୍ରତିମା ରଥରେ ବିରାଜମାନ କରିବେ । ଆଜି ଠାରୁ ନବମୀ ଯାଏଁ ଅପରାହ୍ନରେ ରଥରେ ବସି ଶ୍ରଦ୍ଧାଳୁଙ୍କ ଗହଣରେ ବେଢା ପରିକ୍ରମା କରିବେ ମାଆ ।

ନୟାଗଡ଼ ସିରିଜ ଚୋରି: ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଜବତ, ୩ ଗିରଫ

ନୟାଗଡ଼: ଦେବୋତ୍ତର କଲୋନୀରେ ଘଟିଥିବା ସିରିଜ ଚୋରି ମାମଲାର ପର୍ଦ୍ଦାଫାଶ । ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ସମେତ ଦାମୀ ଗାଡ଼ି, ସ୍କୁଟି ଓ ବାଇକ ଜବତ । ଚୋରିରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କଲା ନୟାଗଡ଼ ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ରାହୁଲ ଜୈନ ।

ଗିରଫ ଅଭିଯୁକ୍ତ ହେଲେ କଟକ ବୋଇଦେଶ୍ଵର ଥାନା ଖଜୁରିଆପଡ଼ା ଗାଁର ମନୋଜ କୁମାର ସିଂ, ଜୟନ୍ତ କୁମାର ପାଣିଗ୍ରାହୀ ଏବଂ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡୋଲପାଟଣାର ସଦାଶିବ ସିରକି । ସେମାନଙ୍କ ନିକଟରୁ ୨୮୦ ଗ୍ରାମ ସୁନା, ୧୬୦ ଗ୍ରାମ୍ ରୁପା, ଗୋଟିଏ ଟାବଲେଟ୍‌, ଲାପଟପ୍, ତିନିଟି ହାର୍ଡଡିସ୍କ ସମେତ ଗୋଟିଏ ଦାମୀ ବ୍ରିଜା କାର୍, ଦୁଇଟି ବାଇକ୍ ଓ ଅନ୍ୟାନ୍ୟ ଚୋରି ଜିନିଷ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ କଟକ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଛି ।

ସୂଚନାଯୋଗ୍ୟ, ନୟାଗଡ଼ ଦେବୋତ୍ତର କଲୋନୀ ଲେନ୍‌-୫ରେ ରହୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଘରୁ ହୋଇଥିଲା ଚୋରି । ଅଭିଯୋଗ ପରେ ଏସପିଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଡକାୟତମାନଙ୍କୁ ଖୋଜା ଯାଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ଏହି ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଲେନ୍-୪ରେ ରହୁଥିବା ଶିବ ପ୍ରସାଦ ସାହୁଙ୍କ ଘରୁ ହୋଇଥିବା ଡାକୟତି ମାମଲାରେ ସେମାନଙ୍କର ସମ୍ପୃକ୍ତି ଥିବା ସ୍ଵୀକାର କରିଛନ୍ତି ।

ସ୍ବର୍ଗତ ନବକିଶୋର ଦାସଙ୍କ ପୂର୍ବତନ ପିଏସଓ ଚାକିରିରୁ ବହିଷ୍କୃତ

ଝାରସୁଗୁଡ଼ା: ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ପୂର୍ବତନ ପିଏସଓ ମିତ୍ରଭାନୁ ଦେଓଙ୍କୁ ଚାକିରିରୁ ବହିଷ୍କୃତ । ଆଗରୁ ସେ ନିଲମ୍ଵିତ ବି ହୋଇଥିଲେ । ନିଜର ଦାୟିତ୍ୱ ତଥା କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ । ଏବେ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଝାରସୁଗୁଡ଼ା ଏସପି ।

୨୦୨୩ ଜାନୁୟାରୀ ୩୦ ତାରିଖରେ ନବ ଦାସଙ୍କୁ ବ୍ରଜରାଜନଗର ଥାନା ଗାନ୍ଧୀ ଛକରେ ଗୁଳି କରି ହତ୍ୟା କରାଯାଇଥିଲା । ଗାନ୍ଧୀ ଛକ ଫାଣ୍ଡିର ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି କରିଥିବାର ଅଭିଯୋଗ ହୋଇଥିଲା । ହତ୍ୟାକାଣ୍ଡ ପରେ ଝାରସୁଗୁଡ଼ାର ତତ୍କାଳୀନ ଏସପି ରାହୁଳ ଜୈନ, ବ୍ରଜରାଜନଗରର ତତ୍କାଳୀନ ଏସଡିପିଓ ଗୁପ୍ତେଶ୍ଵର ଭୋଇ ଏବଂ ବ୍ରଜରାଜନଗର ଥାନା ଇନ୍ସପେକ୍ଟର ପ୍ରଦ୍ୟୁମ୍ନ ସ୍ବାଇଁଙ୍କୁ ବଦଳି କରାଯାଇଥିଲା । ଏହି ଘଟଣାରେ ନବ ଦାସଙ୍କ ସହିତ ଥିବା ତାଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଥିଲା ।

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି: ଆସନ୍ତାକାଲି ଅବିଭକ୍ତ କୋରାପୁଟ ବନ୍ଦ

ଜୟପୁର:  ଜୋର ଧରିଲା ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି । ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି । ଏନେଇ ନବରଙ୍ଗପୁରରେ ସାମ୍ବାଦିକ ସମ୍ମିଳନୀରେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସୂଚନା ଦିଆଯାଇଛି ।

ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ନିଯୁକ୍ତି ନପାଇ ନବରଙ୍ଗପୁର ଜିଲ୍ଲାର ପିଲା ବାହାର ଜିଲ୍ଲାକୁ ଦାଦନ ଖଟିବାକୁ ଯାଉଥିବା କହିଛି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ଏଥିପାଇଁ କନିଷ୍ଠ ଶିକ୍ଷକ ପଦବୀ ଜିଲ୍ଲା ଭିତ୍ତିକ କରିବା, ପେଶା ଆଇନ ଲାଗୁ କରିବା, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀକୁ ଜିଲ୍ଲା ଭିତ୍ତିକ କରିବା ପାଇଁ ଦାବି କରିଛନ୍ତି । ଗତ ଦିନରେ କନିଷ୍ଠ ଶିକ୍ଷକ ନିଯୁକ୍ତ ପାଇଁ ୮୬୦ଟି ପଦବୀ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ୧୩୪ ଜଣ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି । ବଳକା ୭୨୬ ଜଣ ଅନ୍ୟ ଜିଲ୍ଲାର ପ୍ରାର୍ଥୀ ରହିଥିବା କହିଛି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ଏହାକୁ ଦୃଷ୍ଟିରେ ରଖି ୩ଟି ଦାବି ରଖିଛି ମିଳିତ କ୍ରିୟାନୁଷ୍ଠାନ କମିଟି ।

ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ଦାବି ପୂରଣ ନ ହେଲେ ୫ ତାରିଖରେ ଜିଲ୍ଲାରେ କଳାଦିବସ ପାଳନ କରାଯିବ । ଏହାସହ ୫, ୬ ଓ ୭ ତାରିଖ ତିନି ଦିନ ଧରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯିବ । ଏହି ୩ଟି ଦାବି ନେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସି ମୁହଁରେ କଳା ପଟି ବାନ୍ଧି ନିରବ ପ୍ରତିବାଦ କରିଥିଲେ ନବରଙ୍ଗପୁର ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ।

ସାମ୍ବାଦିକ ସମ୍ମିଳନୀରେ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ, କଂଗ୍ରେସର ପୂର୍ବତନ ବିଧାୟକ ଭୁଜବଳ ମାଝୀ, ନବରଙ୍ଗପୁର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ସହ ୪୫ ସଙ୍ଗଠନର ସଦସ୍ୟ ସାମିଲ ଥିଲେ ।

ନିଜ ସଦସ୍ୟତା ରିନ୍ୟୁ କରିବା ସହ ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିବେ ନବୀନ

ଭୁବନେଶ୍ବର: ଅକ୍ଟୋବର ୯ ତାରିଖରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ଏହି ଦିନଠାରୁ ଦୁଇ ମାସ ବ୍ୟାପୀ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିବ । ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ । ନବୀନ ପ୍ରଥମ ସଦସ୍ୟ ଭାବେ ତାଙ୍କ ସଦସ୍ୟତା ରିନ୍ୟୁ କରିବେ । ତା’ପରେ ଅନ୍ୟମାନେ ରିନ୍ୟୁ କରିବେ ଓ ନୂଆ ସଦସ୍ୟ ଯୋଡି ହେବେ ।

ଶଙ୍ଖ ଭବନ ପରେ ସାଙ୍ଗଠନିକ ମହକୁମାରେ ସଦସ୍ୟତା ସଂଗ୍ରହ କରାଯିବ । ପ୍ରତି ଜିଲ୍ଲା ନେତୃବୃନ୍ଦ ଉପସ୍ଥିତ ରହିବେ । ଅନଲାଇନ ଯୋଗାଯୋଗରେ ରହିବେ । ଅନଲାଇନର ଡିଜିଟାଲ ଫର୍ମାଟର ରୂପରେଖ ୯ ତାରିଖରେ ଉନ୍ମୋଚନ ହେବ । ଏଥିରେ ଯୁବ ଓ ଛାତ୍ରଙ୍କୁ ଅଗ୍ରାଧିକାର ଦିଆଯିବ । ଏହାପରେ ପ୍ରତି ନିର୍ବାଚନ ମଣ୍ଡଳୀରେ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବେ ।

ପ୍ରତି ୩ ବର୍ଷରେ ଥରେ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ହୁଏ । ଘରକୁ ଘର ଯାଇ ଆମେ ସଦସ୍ୟ କରିବୁ ବୋଲି କହିଛନ୍ତି ବିଜେଡି ନେତା ମୁନା ଖାଁ । ଆମ ଦଳ ମଜବୁତ ଅଛି । ଆଗକୁ ବହୁତ ମଜଭୁତ ଓ ସୁଦୃଢ ହେବ ଦଳ । ବିଜେଡି ଏକ ନମ୍ବର ଦଳ ଥିଲା ଅଛି ଓ ରହିବ । ଏଥର ଟାର୍ଗେଟ ନୁହେଁ, ଯେତେ ପାରିବୁ ସଦସ୍ୟ ବଢ଼ାଇବୁ ବୋଲି ସେ କହିଛନ୍ତି ।