spot_img
Home Blog Page 1615

ଏସସିବିରେ ରୋଗୀଙ୍କୁ ଅସଦାଚରଣ ଅଭିଯୋଗ ମାମଲା, ଅଭିଯୁକ୍ତ ଡାକ୍ତର ଗିରଫ

କଟକ: କଟକ ବଡ଼ ଡାକ୍ତରଖାନା ଏସସିବିରେ ଦୁଇ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ ମାମଲାରେ ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କଲା ପୋଲିସ । ସିନିୟର ରେସିଡେଣ୍ଟ ଡାକ୍ତର ଭାବେ କାଡିଓଲୋଜି ବିଭାଗରେ ୨ ବର୍ଷ ହେଲା ସଂପୃକ୍ତ ଡାକ୍ତର କାମ କରୁଥିଲେ । ୧୧ ତାରିଖ ରାତିରେ ଇସିଜି ବାହାନାରେ ସେ ବୀଭତ୍ସକାଣ୍ଡ ଘଟଣାଇ ଥିବା ଅଭିଯୋଗ ହୋଇଥିଲା । ମଙ୍ଗଳାବାଗ ଥାନାରେ ଅଭିଯୋଗ ପରେ ପୀଡ଼ିତାଙ୍କ ବୟନ ରେକର୍ଡ କରିଥିଲା ପୋଲିସ । ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ମାଡ଼ରେ ସଂପୃକ୍ତ ଡାକ୍ତର ମଧ୍ଯ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ତିନିଜଣିଆ କମିଟି ଗଠନ କରିଥିଲା ସ୍ବାସ୍ଥ୍ଯ ବିଭାଗ ।

ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ମାଡ଼ରେ ସଂପୃକ୍ତ ଡାକ୍ତର ଗୁରୁତର ହୋଇ ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଏନେଇ ଡାକ୍ତରଙ୍କ ପରିବାର ମଧ୍ଯ ଥାନାରେ ଅଭିଯୋଗ କରିଥିଲେ । ପୀଡ଼ିତା ଏସସିବିରେ ଅଧ୍ଯୟନରତ ଜଣେ ଡାକ୍ତରଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ପରିବାର ଲୋକଙ୍କ ସହ ଦୁଇ ମହିଳା ରୋଗୀ ହୃଦରୋଗ ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ । ଇସିଜି କରିବା ବାହାନାରେ ଡାକ୍ତର ଜଣଙ୍କ ସେମାନଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏସସିବି ଭଳି ଅନୁଷ୍ଠାନରେ ଏଭଳି ଘଟଣା ଲଜ୍ଜାଜନକ । ଏହାର ଉଚିତ ତଦନ୍ତ ହେବା ଉଚିତ ବୋଲି ଦାବି କରିଛନ୍ତି ସ୍ବେଚ୍ଛାସେବୀ ।

ଆଶ୍ରମ ସ୍କୁଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା

ଆନନ୍ଦପୁର: ଆଶ୍ରମ ସ୍କୁଲରେ ପଢୁଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ଯୁ । ଝିଅର ମୃତ୍ୟୁକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀ ଉଠାଇଲେ ପ୍ରଶ୍ନ । ଯାହାକୁ ନେଇ ଆଶ୍ରମ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନୁଆମାଳିଆ ଆଶ୍ରମ ସ୍କୁଲରେ । ସ୍କୁଲରେ ଅଷ୍ଟମ ଶ୍ରେଣୀ ପଢୁଥିବା ଛାତ୍ରୀ ମାଇନ ହୋଙ୍କ ମୃତ୍ଯୁ ଘଟିଛି । ମୃତ ମାଇନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାରବିଲ ଗାଁରେ । ସେ ମାମୁଁ ଘରେ ରହି ପାଠ ପଢୁଥିଲେ ।

ସୂଚନା ଅନୁସାରେ, ଗତ ୧୦ ତାରିଖରେ ସ୍କୁଲରେ ଅସୁସ୍ଥ ହୋଇପଡ଼ିଥିଲେ ମାଇନ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କର ମୃତ୍ଯୁ ଘଟିଥିଲା । ଝିଅର ମୃତ୍ଯୁ ପାଇଁ ପରିବାର ଲୋକ ଓ ଗ୍ରାମବାସୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଝିଅର ଦେହ ଖରାପ ହେବା ପରେ ପରିବାର ଲୋକଙ୍କୁ ନଜଣାଇ କିପରି ଦାନଗଦି ଓ ପରେ କଟକ ମେଡିକାଲକୁ ନିଆଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । ଅଭିଯୋଗକୁ ସ୍କୁଲ କର୍ତ୍ତୃପକ୍ଷ ଖଣ୍ଡନ କରିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଜଙ୍ଗଲରୁ ଦୁଇ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ବୌଦ୍ଧ: ଗାଁ ପାଖ ମହୁଲ ବଣରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଦୁଇ ଯୁବତୀଙ୍କ ମୃତଦେହ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ପତିମାଳ ଗାଁରେ । ମୃତକ ହେଲେ ୨୮ ବର୍ଷୀୟା ରଞ୍ଜିତା ରଣା ଏବଂ ୧୭ ବର୍ଷୀୟା ଟିକି ରାଉତ l

ରଞ୍ଜିତା ବିବାହିତ ହୋଇଥିବା ବେଳେ ଟିକି ଅବିବାହିତ । ଉଭୟଙ୍କ ଗାଁ ଉମା ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଏମାନେ ଆତ୍ମହତ୍ୟା କରିଛନ୍ତି କି କେହି ହତ୍ୟା କରି ଟାଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ପୋଲିସ ତଦନ୍ତ ଚାଲିଛି, ଶୀଘ୍ର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ନେଇ ଧର୍ମେନ୍ଦ୍ରଙ୍କ ଚିଠି ପରେ ବିଜେଡି କହିଲା ନିଯୁକ୍ତି କ୍ଷେତ୍ରରେ ତ୍ରୁଟି ଦେଖାଯିବ

ଭୁବନେଶ୍ବର: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦କୁ ପୁନଃ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିବାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ନେତା ଚିନ୍ମୟ ସାହୁ କହିଛନ୍ତି, ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ସୁଧାର ଆଣିବାକୁ ୨୦୨୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛ ଭାବରେ ସ୍ୱତନ୍ତ୍ର ପରୀକ୍ଷା ହୋଇଥିଲା । ପ୍ରିୟାପ୍ରୀତି ପୋଷଣ ବନ୍ଦ କରିବାକୁ ଏହି ପଦକ୍ଷେପ ନିଆଯାଇଥିଲା । ଯୋଗ୍ୟ ବ୍ଯକ୍ତି କୃତକାର୍ଯ୍ୟ ହୋଇ ବଡ଼ ବଡ଼ ସ୍ଥାନରେ ଅଛନ୍ତି । ତାକୁ ଉଚ୍ଛେଦ କରିବାକୁ ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେପି ଶାସିତ ରାଜ୍ୟରେ ନିଯୁକ୍ତିରେ ଯେଉଁପରି ଦୁର୍ନୀତିର ସିଣ୍ଡିକେଟ ହେଉଛି, ଓଡ଼ିଶାରେ ବି ସେମିତି କରିବାକୁ ଉଦ୍ଯମ କରାଯାଉଥିବା ସନ୍ଦେହ ହେଉଛି । ପୂର୍ବ ଆଇନରେ ସଂଶୋଧନ କରାଗଲେ ନିଯୁକ୍ତି କ୍ଷେତ୍ରରେ ଅନେକ ତ୍ରୁଟି ଦେଖାଯିବ ବୋଲି ଦଳ କ’ରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦ରେ ସଂଶୋଧନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଏଥିରେ ସେ ଉଲ୍ଲେଖ କରିଛନ୍ତି, ମୂଳ ଆଇନ ୧୯୮୯ରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା । ଏହି ଆଇନ ଶିକ୍ଷାନୁଷ୍ଠାନର ସ୍ୱାୟତତା, ଶିକ୍ଷାବିତଙ୍କ ସ୍ବାଧୀନତା ଓ ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରୁଛି । ୟୁଜିସି ଦ୍ୱାରା ନିର୍ଦ୍ଧାରିତ ଆଇନର ବ୍ୟବସ୍ଥା, ନିୟମ ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ନ୍ୟାୟିକ ନିର୍ଦ୍ଦେଶର ବିରୋଧୀ ଥିଲା ସେହି ଆଇନ । ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପଦ୍ଧତି ସମ୍ପର୍କରେ ଆଇନରେ ଥିବା ବ୍ୟବସ୍ଥା ୟୁଜିସି ନିୟମାବଳୀକୁ ବିରୋଧ କରୁଥିବା ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଥିଲେ । ତେଣୁ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସେ ଚିଠିରେ ଉଲ୍ଲେଖ କରିଥିଲେ ।

କୋଷ୍ଟାଲ ହାଇଓ୍ବେ ପ୍ରସଙ୍ଗରେ ବିଜେପିକୁ ବିଜେଡିର ଟାର୍ଗେଟ

ଭୁବନେଶ୍ବର: କୋଷ୍ଟାଲ ହାଇଓ୍ବେ ପ୍ରସଙ୍ଗକୁ ନେଇ ବିଜେପିକୁ ବିଜେଡିର ଟାର୍ଗେଟ । ଆଲାଇନମେଣ୍ଟ ନାଁରେ ୫ ବର୍ଷ ବିତିଲାଣି। କାମ ତ ଆରମ୍ଭ ହୋଇନି । ହେଲେ ଏବେ ପରିବେଶ ମଞ୍ଜୁରୀ କଥା କହୁଛି ବିଜେପି । ଯଦି ପରିବେଶ ମଞ୍ଜୁରୀ କଥା କହୁଛନ୍ତି, ଏହା କେନ୍ଦ୍ରର ଦାୟିତ୍ବ । କେଉଁଠୁ କେଉଁ ଯାଏଁ କୋଷ୍ଟାଲ ହାଇୱେ ହେବ, ସେ ନିଷ୍ପତ୍ତି ନେଇ ପାରିଥାନ୍ତେ। କିନ୍ତୁ ତାହା ବି କରୁନି ବିଜେପି ସରକାର କହି ଟାର୍ଗେଟ କରିଛି ବିଜେଡି ।

ଦଳ ପକ୍ଷରୁ କୁହାଯାଇଛି ନବୀନ ପଟ୍ଟନାୟକ ନିଜ ଶାସନ କାଳରେ କୋଷ୍ଟାଲ ହାଇୱେ ନିର୍ମାଣ ନେଇ ଆଲୋଚନା କରିଥିଲେ । ୨୦୧୮ରେ କୋଷ୍ଟାଲ ହାଇୱେ ସହ ବିଜୁ ଏକ୍ସପ୍ରେସ ୱେ କଥା ବି ଉଠିଲା । ତତ୍କାଳୀନ ରାଜ୍ୟ ସରକାର ନିଜେ ଦାୟିତ୍ୱ ନେଇ ଅଢେଇ ବର୍ଷରେ ଏହି କାମ କଲେ । ହେଲେ କୋଷ୍ଟାଲ ହାଇୱେରେ ଆଲାଇନମେଣ୍ଟ ନେଇ ଅନାବଶ୍ୟକୀୟ କେଁ ପୂରାଇଲା ବିଜେପି ।

ବିଜେଡି ପକ୍ଷରୁ ଆଗକୁ କୁହାଯାଇଛି, ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଣୁ ସେ ଏହି ସମସ୍ୟାର ସମାଧାନ କରନ୍ତୁ ।

ନବୀନ ସରକାର ଅନେକ ବିକାଶ ମୂଳକ କାର୍ଯ୍ୟ ଦିଗରେ କାମ କରୁଥିଲେ । କିନ୍ତୁ ଏବେର ବିଜେପି ସରକାର କାମ କମ କେବଳ ଚିତ୍କାର ଅଧିକ ବୋଲି କହିଛି ବିଜେଡି । ଡବଲ ଇଞ୍ଜିନ ସରକାର ବାରମ୍ବାର ରାଜ୍ୟକୁ ଅଣଦେଖା କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ନେତା ଲେନିନ୍ ମହାନ୍ତି ।

ଡ୍ୟାନ୍ସ ବାର୍ ଖୋଲିବା ଦାବିରେ ବାର୍ ଗାର୍ଲଙ୍କ ବିକ୍ଷୋଭ

ଭୁବନେଶ୍ବର: ଭୁବନେଶ୍ୱର ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ବାର ଗାର୍ଲଙ୍କ ବିକ୍ଷୋଭ । କାର୍ଯ୍ୟାଳୟ ଘେରିଲେ ଶତାଧିକ ବାର ଗାର୍ଲ । ଡ୍ୟାନ୍ସ ବାର୍ ଖୋଲିବା ଦାବିରେ ଏଭଳି ପ୍ରତିବାଦ କରିଛନ୍ତି ବାର୍ ଗାର୍ଲ ।

ଗତକାଲି ବାର ବନ୍ଦ ନେଇ ନିର୍ଦ୍ଦେଶ ଦେଇଥିଲେ ଅବକାରୀ ସୁପରିଟେଣ୍ଡେଣ୍ଟ । ରାଜଧାନୀର ବାରରେ ବାର ଗାର୍ଲ ନାଚି ପରିବେନି ବୋଲି କହିଥିଲେ । ଯେଉଁ ବାର ମାଲିକ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି । ଏପରିକି ଡିଜେ ମଧ୍ୟ ବ୍ୟବହାର କରପାରିବେ ନାହିଁ ବୋଲି କୁହାଯାଇଛି । ସୋସିଆଲ ମିଡିଆ ବିଜ୍ଞାପନରେ ସେମାନେ ମହିଳାଙ୍କୁ ଉତ୍ତେଜକ ମୂଳକ ପୋଷାକ ପରିଧାନ କରାଇ ଫଟୋ ପୋଜ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଥିଲା ।

ପୂର୍ବଦିନ ମାନଙ୍କରେ ବାର ଗାର୍ଲମାନଙ୍କୁ ମାନସିକ ଶାରୀରିକ ନିର୍ଯାତନା ଦେବା, ସେମାନଙ୍କୁ ଗ୍ରାହକଙ୍କ ସହ ରାତ୍ରି ଯାପନ କରିବାକୁ ବାଧ୍ୟ କରିବା, ଏପରିକି କିଛି ବାର ଗାର୍ଲ ଆତ୍ମହତ୍ୟା କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏଭଳି ବାରମ୍ବାର ଅଭିଯୋଗ ପରେ ଅବକାରୀ ବିଭାଗର ନିଦ ଭାଙ୍ଗିଥିଲା । ତୁରନ୍ତ ଯୁବତୀ ନିୟୋଜିତ ହେଉଥିବା ବାର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶତାଧିକ ଯୁବତୀ କଳ୍ପନା ସ୍ଥିତ ଅବକାରୀ ଥାନା କାର୍ଯ୍ୟାଳୟ ଘେରାଉ କରି ବାରଗୁଡିକୁ ତୁରନ୍ତ ଖୋଲିବାକୁ ଦାବି ରଖିଛନ୍ତି ।

ଟାର୍ଗେଟରେ ଅଗଷ୍ଟ ୧୫: ମାନବ ବୋମାରେ ହୋଇପାରେ ନରସଂହାର, ଦେଶରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ସ୍ବାଧୀନତା ଦିବସ । ଅଗଷ୍ଟ ୧୫ ତାରିଖରେ ବଡ଼ ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର । ଆତ୍ମଘାତୀ ମାନବ ବୋମା ଜରିଆରେ କରାଯାଇ ପାରେ ନରସଂହାର । ଏମିତି କିଛି ଆଶଙ୍କା ଥିବା ଗୁଇନ୍ଦା ରିପୋର୍ଟ ଆସିଛି । ଭିଆଇପିଙ୍କୁ ଆତଙ୍କବାଦୀ ଟାର୍ଗେଟ କରିପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।

ଖାଲି ସେତିକି ନୁହେଁ, ଗହଳି ଅଞ୍ଚଳ ବି ରହିପାରେ ସେମାନଙ୍କ ଟାର୍ଗେଟରେ । ଏମିତି ଗୁଇନ୍ଦା ସୂଚନା ମିଳିବା ପରେ ଆଲର୍ଟ ଜାରି କରାଯାଇଛି । ଏହାସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଛି ।

କିଛି ଦିନ ହେଲା ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ଯକଳାପ ବୃଦ୍ଧି ପାଇବା ନେଇ ମଧ୍ଯ ଉଦବେଗ ପ୍ରକାଶ ପାଇଛି । ଲସ୍କର ଏ ତୋଇବା, ଜୈଶ୍ ଏ ମହମ୍ମଦ, ଟିଆରଏଫ୍ ପରି ଆତଙ୍କବାଦୀ ସଂଗଠନକୁ ସବୁ ପ୍ରକାର ସାହାଯ୍ଯ କରୁଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ । ତେଣୁ ଅଧିକ ସତର୍କ ରହି ସବୁ ପ୍ରକାର ଆକ୍ରମଣକୁ ପ୍ରତିହତ କରିବାକୁ ସୁରକ୍ଷା ଏଜେନସିଗୁଡ଼ିକୁ କୁହାଯାଇଛି ।

କନ୍ଧମାଳରୁ ଆସିଥିବା ଚୋରା ଗଞ୍ଜେଇ ଭଦ୍ରକରେ ପଡ଼ିଲା ଧରା

ଭଦ୍ରକ: ଟାଟା ଏସିରେ ଗଞ୍ଜେଇ ଚୋରା ଚାଲଣା । କନ୍ଧମାଳରୁ ଭଦ୍ରକକୁ ହେଉଥିଲା ଚାଲାଣ । ଠିକଣା ସ୍ଥାନରେ ପହଞ୍ଚିବା ପୂର୍ବରୁ ମାଡ଼ି ବସିଲା ପୋଲିସ । ଭୁବନେଶ୍ବର ଖଣ୍ଡଗିରି ପୋଲିସ ଟାଟା ଏସିକୁ ବାକୁ କରିବା ସହ ଗଞ୍ଜେଇ ଜବତ କରିଛି ।

ଗଞ୍ଜେଇ ଚୋରା ଚାଲାଣର ଭିଡିଓ ପଦାକୁ ଆସିଛି । ଯେଉଁଥିରେ ଅତି ଚତୁରତାର ସହ ଗଞ୍ଜେଇକୁ ଏକ ଗାଡି ଯୋଗେ ନିଆଯାଉଛି । ଆଉ ଗୋଟିଏ ଭିଡିଓରେ ଡିଲ ପୂର୍ବରୁ କିପରି ଅଭିଯୁକ୍ତ ଗଞ୍ଜେଇର କ୍ବାଲିଟି ଚେକ କରୁଛି ତାହା ଦେଖିବାକୁ ମିଳିଛି । ଗଞ୍ଜେଇ ଅସଲି କି ନକଲି ତାହା ଚେକ କରାଯାଉଛି । ଅଭିଯୁକ୍ତ ଦୁଇ ଜଣ ହେଲେ ସଞ୍ଜୀବ ସେଠୀ ଏବଂ ବାଦଲ ମହାକୁଡ଼ ।

ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ବିବିଏ ପାଠ ପଢୁଆ ହୋଇଥିବା ବେଳେ ତାଙ୍କ ଘର କନ୍ଧମାଳ । ଗତକାଲି ଖଣ୍ଡଗିରି ଥାନାଧିକାରୀ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ନିଜ ଟିମ ସହ ଚଢ଼ାଉ କରି ବିଭିନ୍ନ ପାର୍ଶଲରେ ଥିବା ୧୦୧ କେଜି ଗଞ୍ଜେଇ ଜବତ କରିଛନ୍ତି । ୨୦୨୪ ମସିହାରେ ଭୁବନେଶ୍ୱର ୟୁପିଡ଼ିରେ ୪୨ଟି କେସ ରୁଜୁ ହୋଇଥିବା ବେଳେ ୭୬ ଜଣ ଗିରଫ ହୋଇଛନ୍ତି । ସମୁଦାୟ ୧ ହଜାର ୪୫ କେଜି ଗଞ୍ଜେଇ ଏଯାବତ ଜବତ ହୋଇଥିବା କହିଛନ୍ତି ପୋଲିସ କମିଶନର ।

ରିଲ୍ସ ନିଶାରେ ଭାଇଗିରି ଦେଖାଉଥିଲେ, ପୋଲିସ ପାଖରେ ଅଣ୍ଡର ଟେକିଂ ଲେଖି ଘରକୁ ଆସିଲେ

ଭୁବନେଶ୍ବର: ଯୁବପିଢୀଙ୍କୁ ଘାରିଛି ରିଲ୍ସ ନିଶା । ଆଉ ନିଶା ଏମିତି ଯେ ଡନକୁ ବି ଟପି ଯିବେ । କେତେବେଳେ ଅଭିମନ୍ୟୁ ଫିଲ୍ମର ଲିଡ ରୋଲରେ ଅଭିନୟ ତ ଆଉ କେତେବେଳେ ନିଜ ଗର୍ଲଫ୍ରେଣ୍ଡକୁ ନିଶା ଖାଇ କବିର ସିଂ ବନିଯିବାକୁ ଧମକ । ଟୁଇନ ସିଟିରେ ଭାଇଗିରି ଦେଖାଇବାକୁ ଯାଇ ଯୁବପିଢି ଏଭଳି ଭୟଙ୍କର ରିଲ୍ସ କରୁଛନ୍ତି । ଏମାନଙ୍କୁ ଘାରିଛି ଡନ ବନିବାର ନିଶା । ହାତରେ ଖଣ୍ଡା, ବନ୍ଧୁକ ଧରି ଖେଳାଉଛନ୍ତି ଆତଙ୍କ ।

ତେବେ ସୋସିଆଲ ମିଡିଆରେ ଏମିତି ରିଲ୍ସ ବନାଇ ଭାଇଗିରି ଦେଖାଉଥିବା ଯୁବକଙ୍କୁ ଏକଥା ଜଣାନାହିଁ ଯେ ସେମାନେ ଅଛନ୍ତି ପୋଲିସ ସ୍କାନରରେ । ସେମାନଙ୍କ ଟିକିନିକି ଖବର ରଖୁଛି ପୋଲିସ । ସେମାନଙ୍କ ସବୁ ଅପରାଧ ଉପରେ ରହିଛି ପୋଲିସର ଆଖି । ସୋସିଆଲ ମିଡିଆରେ ରିଲ୍ସ କରି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇଥିବା କିଛି ଯୁବକଙ୍କୁ ଧରିଛି ପୋଲିସ । ଏ ସବୁ ବନ୍ଧକ ଓ ମାରଣଶସ୍ତ୍ରର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ଏଭଳି କିଛି ଯୁବକଙ୍କୁ ଆଣି ପଚରାଉଚରା ବି କରିଛି । ଆଉ ଅଣ୍ଡର ଟେକିଂ ଲେଖି ଛାଡିଛି ।

ସୂଚନାଯୋଗ୍ୟ, ପୂର୍ବରୁ ଅମାନିଆ ରୋମିଓ ଓ ଲଭର ବୟଙ୍କ ବିରୋଧରେ ଆକ୍ସନ ନେଇଛି ପୋଲିସ । ସରକାରୀ ଜମିରେ ଥିବା ସେମାନଙ୍କ ଘର ଭାଙ୍ଗିଛି । ଏତେ ସବୁ ପରେ ମଧ୍ୟ ପୁଣି ଥରେ ଏଭଳି ଭିଡିଓ ଭାଇରାଲ ହେବା ପୋଲିସ ପାଇଁ ସୃଷ୍ଟି କରିଛି ଚ୍ୟାଲେଞ୍ଜ । ସ୍ୱାଧୀନତା ଦିବସ ଯୋଗୁଁ ସାରା ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ବେଳେ ଏଭଳି ଭିଡିଓକୁ ଗୁରୁତର ସହ ନେଇଛି ପୋଲିସ ।

୪ ବର୍ଷର ଶିଶୁକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଢେଙ୍କାନାଳ: ବୁଲୁଛନ୍ତି ଯୌନ ପିପାସୁ । ଘର ବି ସୁରକ୍ଷିତ ନୁହେଁ । ଏମିତି ଯୌନ ରାକ୍ଷସ ଦେଖୁ ନାହାନ୍ତି ବୟସ । ନିଜର ଭୋକ ମେଣ୍ଟାଇବାକୁ ଶିଶୁଙ୍କୁ ବି ଛାଡୁନାହାନ୍ତି । ଏମିତି ଏକ ଘଟଣାରେ ଡେଙ୍କାନାଳରେ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏକ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ତୁମୁସିଙ୍ଗା ପୋଲିସ ତାକୁ ବାନ୍ଧିଛି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଞ୍ଚଳରେ ଘଟିଛି ଏମିତି ଘଟଣା ।

ଅଭିଯୋଗ ଅନୁସାରେ ଥାନା ଅଞ୍ଚଳରେ ଜଣେ ୪ ବର୍ଷର ଶିଶୁ ଘରେ ଏକୁଟିଆ ଥିବାବେଳେ ଅଭିଯୁକ୍ତ ଜଣକ ତାକୁ ଦୁଷ୍କର୍ମ କରିଥିଲା । ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ l ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ପରେ ପୋସ୍କୋ ଆକ୍ଟ ୨୦୧୨ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି l