କାକଟପୁର : କାକଟପୁରରେ ଜୁଏଲାରୀ ଦୋକାନୀଙ୍କୁ ଗୁଳି । କୁଣ୍ଢେଇ ବଜାର ସାହୁ ଜୁଏଲାରୀ ମାଲିକ ନିରଞ୍ଜନ ସାହୁଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଛି । ନିରଞ୍ଜନଙ୍କ ପିଠିରେ ଗୁଳି ବାଜିଥିବା ସୂଚନା ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗୁରୁତର ନିରଞ୍ଜନଙ୍କ କହିବା ଅନୁସାରେ, ଦୁଇ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଫାୟାରିଂ କରି ବାଇକ ଛାଡ଼ି ପଳାଇଯାଇଛନ୍ତି । ସୁନା ଲୁଟ ଉଦ୍ଦେଶ୍ଯରେ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି ।
ମଦ ପିଉଥିଲେ ସାବଧାନ ,ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ବି ନକଲି ମଦ
ଭୁବନେଶ୍ବର : ଗରାଖଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାଲିଥିଲା ମଦ କାରବାର । ବ୍ରାଣ୍ଡେଡ଼ ମଦ ନାଁରେ ବିକ୍ରି ହେଉଥିଲା ବିଷ । ଅବକାରୀ କମିଶନରଙ୍କ ନିର୍ଦ୍ଦେଶରେ ମାରାଥନ ରେଡ । ବିଷାକ୍ତ ମଦ ଉପରେ ଚଢ଼ିଲା ବୁଲଡୋଜର । ଆପଣ ଟଙ୍କା ଦେଇ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦେଶୀ ମଦ ଦୋକାନରୁ କିଣୁଥିବା ମଦ ଅରିଜିନାଲ ନୁହେଁ । ଏଥିରେ ବି ମିଶିପାରିଥାଏ ବିଷାକ୍ତ କେମିକାଲ । ଡୁପ୍ଲିକେଟ ମଦ ତିଆରି ନେଇ ବିଶ୍ୱସ୍ତ ସୁତରୁ ଖବର ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ବରମୁଣ୍ଡା ଓଭରବ୍ରିଜ ନିକଟରେ ଥିବା ମଦ କାଉଣ୍ଟରରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ବିପୁଳ ପରିମାଣର ମଦ ଅପମିଶ୍ରଣ ହେଉଥିବା ଜଣାପଡିଛି । ଦୋକାନରେ କାମ କରୁଥିବା ସେଲସମ୍ୟାନ ମଦରେ ମିଶାଉଥିଲା ବିଷାକ୍ତ କେମିକାଲ । ନିଜେ ଅବକାରୀ କମିଶନର ଏଠାରେ ପହଞ୍ଚିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦେଶ ଦେବା ପରେ ଅପମିଶ୍ରିତ ମଦ ବୋତଲ ଉପରେ ସର୍ବସମ୍ମୁଖରେ ଚଢ଼ିଛି ବୁଲଡୋଜର ।

ଲାଇସେନ୍ସପ୍ରାପ୍ତ ମାଲିକଙ୍କ ଘର ବିହାର ହୋଇଥିବା ବେଳେ ତାଙ୍କୁ ଧରିବା ପାଇଁ ଗଠନ ହୋଇଛି ଟିମ । ଏକ୍ସାଇଜ ଆକ୍ଟ ଅନୁଯାୟୀ ଦୋକାନକୁ ସିଲ କରାଯାଇଛି । ଲାଇସେନ୍ସ ରଦ୍ଦ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଯିବା ଭଳି ପ୍ରବଧାନ ରହିଛି । ସିଲ କୋଲକତାରୁ ଆସୁଥିବା ବେଳେ ହୋଲୋଗ୍ରାମ କଲର ଜେରକ୍ସ ସାହାଯ୍ୟରେ ନକଲ ହେଉଥିବା ଜାଣିବାକୁ ପାଇଛି ଅବକାରୀ ବିଭାଗ । ବିଗତ ୬ ମାସ ତଳୁ ବରମୁଣ୍ଡା କାଉଣ୍ଟରରେ ଚାଲିଥିଲା ନକଲି ମଦ ବିକ୍ରି। ଆଗକୁ ଗ୍ରାହକମାନଙ୍କ ପାଇଁ ଅସଲି ଓ ନକଲି ମଧ୍ୟରେ ଫରକ ଜାଣିବା ପାଇଁ ମାର୍ଗଦର୍ଶିକା ଜାରି ହେବ । ମଦ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ଏହା ଜାଣି ମଧ୍ୟ ମଦ କିଣୁଥିବା ଗରାଖ QR code ସାହାଯ୍ୟରେ ପରଖି ନେବାର ଆବଶ୍ୟକତା ଥିବା କହିଛନ୍ତି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ।

କିଛି ଦିନ ତଳେ ଚିକିଟି ମଦମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ଏକଥା ମନରୁ ନଲିଭୁଣୁ ପୁଣି ରାଜଧାନୀରେ ନକଲି ମଦ ବିକ୍ରି ହେବା ଘଟଣା ମାଫିଆଙ୍କ ମୁଖା ଖୋଲିଦେଇଛି ।
ହସୁଛି କାଶତଣ୍ଡୀ, ପାର୍ବଣ ପାଇଁ ସଜେଇ ହେଲାଣି ପ୍ରକୃତିରାଣୀ
ନନ୍ଦିଘୋଷ ବ୍ୟୁରୋ : ଧରଣୀ ଛାତିରେ ଫୁଟିଲାଣି ଦେଖ
ଧବଳ ରଙ୍ଗର ହୀରା
ବାସ ତାର ନାହିଁ , ବିମୋହିତ କରେ
ମନମୁଗ୍ଧ ତା ଚେହେରା

ନା ସେ ବଗିଚାରେ ଫୁଟେ , ନା ସେ ଘର ଅଗଣାରେ ଫୁଟେ , ବିଲ, ମାଳ, ନଈକୂଳ ଅପନ୍ତରା ଇଲାକାରେ ଫୁଟେ ଆଉ ଆକର୍ଷଣର ପେଣ୍ଠସ୍ଥଳ ପାଲଟେ । ସୁଲୁସୁଲିଆ ପବନରେ ଦୋଳି ଖେଳିଖେଳି ବାଟୋଇଙ୍କୁ ଆନମନା କରେ କାଶତଣ୍ଡୀ । ଏମିତି କିଛି ସୁନ୍ଦର ଦୃଶ୍ଯପଟ୍ଟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଓ ବାରଙ୍ଗରେ । ରାସ୍ତା ପାର୍ଶ୍ବ ଠାରୁ ଆରମ୍ଭ କରି ପୋଖରୀ ହୁଡା ସବୁଠି ଦେଖିବାକୁ ମିଳୁଛି ମାଳମାଳ କାଶତଣ୍ଡିର ସମ୍ଭାର । ସୁଲୁସୁଲିଆ ପବନରେ ଦୋଳି ଖେଳି ଖେଳି ହସୁଛି କାଶତଣ୍ଡି। ଏହି ଅପୂର୍ବ ଦୃଶ୍ୟ ବାଟୋଇଙ୍କୁ ଅଟକାଇ ଘଡିଏ ଚାହିଁ ରହିବାକୁ ବାଧ୍ଯ କରୁଛି । କବିମାନେ ମଧ୍ଯ କାଶତଣ୍ଡିକୁ ଦେଖି ଆନମନା ହୋଇ ଉଠୁଛନ୍ତି । ଚଳଚଞ୍ଚଳ ହୋଇ ଉଠୁଛି କବିର କବିତା ।

ଶରତର ଆଗମନରେ ଧରଣୀ ବାନ୍ଧିଲାଣି କାଶତଣ୍ଡିର ବେଣି । ଓଡ଼ିଆ ସଂସ୍କୃତି ଓ କାଶତଣ୍ଡୀ ମଧ୍ୟରେ ରହିଛି ଅନେକ ନିବିଡ଼ତା। କାଶତଣ୍ଡୀ ମାଆ ଦୁର୍ଗାଙ୍କ ଆବାହନର ସଂକେତ ଦିଏ । ପାର୍ବଣ ଋତୁର ବନ୍ଦନା ଗାଇବା ପାଇଁ ସତେଯେମିତି ଆନମନା ହୋଇଉଠଛି ପ୍ରକୃତିରାଣୀ ।

ଛୁଆକୁ ଛାଡି ପ୍ରେମିକ ସହ ଛୁ’ ମାରିଲା ମାଆ
ବଲାଙ୍ଗୀର : ବଲାଙ୍ଗୀରରେ ଅଭାବନୀୟ ଘଟଣା। ବସ୍ ଟର୍ମିନାଲରେ ୪ ବର୍ଷର ଛୁଆକୁ ଛାଡ଼ି ଫେରାର ମାରିଛି ମାଆ। ଛୁଆକୁ ଜଣେ ଶ୍ରମିକ ପାଖରେ ଛାଡି ମହିଳା ଜଣକ ପ୍ରେମିକ ସହ ବସରେ ଫେରାର୍ ମାରିଥିଲେ । ଛୁଆଟି ବସଷ୍ଟାଣ୍ଡରେ କାନ୍ଦୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଦୀର୍ଘ ୩ରୁ ୪ ଘଣ୍ଟା ଧରି ଛୁଆଟି ମାକୁ ନପାଇ କାନ୍ଦି କାନ୍ଦି ଖୋଜିବାକୁ ଲାଗିଥିଲା । ଶିଶୁଟି ଜଣେ ଶ୍ରମିକ ପାଖରେ ରହିଥିଲା।
ସୂଚନା ପାଇ ଟାଉନ ଥାନା ପୋଲିସ ପହଁଚି ଛୁଆକୁ ଉଦ୍ଧାର କରିବା ସହ ଶ୍ରମିକକୁ ଥାନାକୁ ଆଣି ପଚରାଉଚରା କରିଛି। ଫେରାର ମହିଳା ଜଣକ ଜଣେ ଶ୍ରମିକଙ୍କୁ ଫୋନ କରି ଡାକିବା ସହ ଶିଶୁକୁ ଦେଇ ଚାଲିଯାଇଥିବା ଶ୍ରମିକ ପୋଲିସକୁ କହିଛନ୍ତି। ତେବେ ପ୍ରେମିକ ସହ ବସରେ ଫେରାର ମାରୁଥିବାବେଳେ ଲୋଇସିଂହା ଥାନା ଅନ୍ତର୍ଗତ ଗାଇଖାଇ ନିକଟରୁ ବସ ଅଟକାଇ ମାଆକୁ ଧରି ଆଣିଥିଲା ପୋଲିସ । ପୋଲିସକୁ ଦେଖି ବସରୁ ଡେଇଁ ଫେରାର ମାରିଥିଲା ପ୍ରେମିକ। ମାକୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛିI ମହିଳା ଜଣକ ପୁଇଁତଳା ଥାନା ଅଂଚଳର। ସେ ଦେଓଗାଁ ଥାନା ଅଞ୍ଚଳରେ ବିବାହ କରିଥିଲେ । କିଛି ମାସ ହେଲା ସ୍ୱାମୀକୁ ଛାଡି ପଳାଇ ଆସିଥିଲେ। ମହିଳାଙ୍କୁ ନେଇ ଯାଉଥିବା ବ୍ଯକ୍ତି ଜଣକ କିଏ ଖୋଳତାଡ଼ କରୁଛି ପୋଲିସ ।











