ନନ୍ଦିଘୋଷ ବ୍ୟୁରୋ: ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ବିରୋଧ। ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ସଦସ୍ୟ। ୩ ବିଧାୟକ ଧୃବ ସାହୁ, ତାରାପ୍ରସାଦ ବାହିନୀପତି, ବ୍ରଜ ପ୍ରଧାନଙ୍କ ବିରୋଧରେ ଆସିଛି ନିନ୍ଦା ପ୍ରସ୍ତାବ। ଏହାକୁ ବିରୋଧ କରି ବାଚସ୍ପତିଙ୍କ ପୋଡିୟମ ତଳେ ପ୍ରତିବାଦ କରିଛନ୍ତି ବିରୋଧୀ ସଦସ୍ୟ। ଧାରଣାରେ ବସିଲେ ବିଜେଡି ବିଧାୟକ ଧୃବ ସାହୁ। ବିଜେପି ସରକାର ଗଣତନ୍ତ୍ର ହତ୍ୟାକାରୀ ବୋଲି କହିଛନ୍ତି ବିରୋଧୀ। ନିନ୍ଦା ପ୍ରସ୍ତାବ ଆଣିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ।
ନିଯୁକ୍ତି ସୃଷ୍ଟି ପାଲଟିଛି ଧୂଆଁବାଣ
ନନ୍ଦିଘୋଷ ବ୍ୟୁରୋ: ନିଯୁକ୍ତି ସୃଷ୍ଟି ନେଇ ବିଜେପି ସରକାରର ପ୍ରତିଶୃତି ଏକ ଧୂଆଁବାଣ ପାଲଟିଛି । ଯାହାକୁ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି l ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଖାଲିଥିବା ଶହ ଶହ ସରକାରୀ ପଦବୀ ପୂରଣ ହେଉନି । ନୂଆ ପଦବୀ ସୃଷ୍ଟି ନକରିବା ଓ ଚୁକ୍ତି ଭିତ୍ତିକ ତଥା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନକରିବା ସରକାରଙ୍କର ଏକ ଅମାନବୀୟ ଓ ସମ୍ବେଦନହୀନ କାର୍ଯ୍ୟ ବୋଲି ମୁଲତବୀ ପ୍ରସ୍ତାବ ଆଲୋଚନାରେ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି l ଅନ୍ୟପଟେ ଜୁଲାଇ ମାସ ପରେ ରାଜ୍ୟରେ ବେକାରୀ ବୃଦ୍ଧି ସତ୍ୟ ଆଧାରିତ ନୁହେଁ ବୋଲି କହି ଦୁଇ ବିରୋଧୀଙ୍କୁ ଜବାବ ଦେଇଛି ଶାସକ ଦଳ l
୨୦୧୪ ନିର୍ବାଚନ ପୂର୍ବରୁ ବିଜେପି କହିଥିଲା ନିଯୁକ୍ତି ସୃଷ୍ଟି କରିବ । ହେଲେ ଆଜି ଆସି ୨୪ ହେଲାଣି ନିଯୁକ୍ତି ନାହିଁ। ଦେଶରେ ବର୍ଷକୁ ୨କୋଟି ନିଯୁକ୍ତି ଦେବ କହି ଭଣ୍ଡେଇ ଚାଲିଛି ବିଜେପି ସରକାର l ବେକାରୀ ସମସ୍ଯାକୁ ନେଇ ମୁଲତବୀ ଆଲୋଚନାବେଳେ ଏପରି ବର୍ଷିଛନ୍ତି ବିରୋଧୀ । ଶାସକ ବିଜେପି ଦଳକୁ ପଚାରଛନ୍ତି ଆଜିର ଦିନରେ କିଏ କେଉଁଠି ନିଯୁକ୍ତି ପାଇଛନ୍ତି ? ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ .୯ପ୍ରତିଶତ ବେକାରୀ ରହିଛନ୍ତି । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାରକୁ ତିନି ମାସ ହେବ ? ଆଜି OSSSC ଆଗରେ ବି ପରୀକ୍ଷାର୍ଥୀ ଆନ୍ଦୋଳନ କରୁଛନ୍ତି l ନୂଆ ସରକାର ପ୍ରତିଶୃତି ଅନୁସାରେ ବେକାରୀ ସମସ୍ୟା ଦୂର କରିବା ପାଇଁ ନୂଆ ପଦକ୍ଷେପ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି l ସେହିପରି ମୁଲତବୀ ଆଲୋଚନାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଭାଗ ନେଇ ବେକାରୀ ଦୂର କରିବା ନେଇ ବିଜେପି ସରକାରଙ୍କ ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି l ଗୃହରେ ପ୍ରଥମ ଥର ପାଇଁ ମନ୍ତ୍ରୀ ବେକାରୀକୁ ନେଇ ସ୍ଵୀକାର କରିବା ସ୍ବାଗତଯୋଗ୍ୟ। କିନ୍ତୁ ଏହା ଶତପ୍ରତିଶତ ସତ୍ୟ ନୁହେଁ। ବେକାରୀ କ୍ଷେତ୍ରରେ ସରକାର ନେବାକୁ ଯାଉଥିବା ପଦକ୍ଷେପ ସମୁଦ୍ରକୁ ଶଙ୍ଖେ। ନୂଆ ସରକାର ନିଜକୁ ଶିଶୁ କହି ଉତ୍ତର ଦାୟିତ୍ଵରୁ ମୁହଁ ନଫେରାଇ ଦେଇଥିବା ନିର୍ବାଚନୀ ପ୍ରତିଶୃତି ପାଳନ କରନ୍ତୁ ବୋଲି ବିଜେଡି ଗୃହରେ ଦାବି କରିଛି l
ବେକାରୀ ସମସ୍ୟା ନେଇ ବିରୋଧୀ ମୂଲତବୀ ପ୍ରସ୍ତାବରେ ବିଜେପିକୁ କଡା ଟାର୍ଗେଟ କରିବା ପରେ ଶାସକ ଦଳ ପାଲଟା ଯୁକ୍ତି ବାଢ଼ିଛି l ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଜୁଲାଇ ପରେ ବେକାରୀ ବୃଦ୍ଧି ପାଇଛି ବୋଲି ଯାହା କୁହାଯାଉଛି ତାହା ସତ୍ୟ ଆଧାରିତ ନୁହେଁ। ନୂଆ ସରକାର ନିଯୁକ୍ତି ଉପରେ ଗୁରୁତ୍ବ ଦେଉଛନ୍ତି । ୫ ବର୍ଷ ଭିତରେ ଦେଢ ଲକ୍ଷ ପଦବୀ ପୂରଣ ପାଇଁ ସରକାର ପ୍ରତିଶୃତି ଦେଇଛନ୍ତି । ଆଗାମୀ ୨ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ପୂରଣ କରାଯିବ ବୋଲି କହିଛନ୍ତି ମୁକେଶ ।
ଭାରତ ବର୍ଷରେ ବେକାରୀ କ୍ଷେତ୍ରରେ ଓଡିଶା ୨୧ନମ୍ବର ସ୍ଥାନରେ ରହିଛି। ପୂର୍ବ ସରକାର ବେକାରୀ ହ୍ରାସ ଦିଗରେ ବଡ ପଦକ୍ଷେପ ନେଇଥିଲେ । ତେଣୁ ବିଜେପି ନିଯୁକ୍ତି ନେଇ ଯେଉଁ ପ୍ରତିଶୃତି ଦେଇଛି ତାହାକୁ ପାଳନ କରିବାକୁ ଦାବି ଜୋରଦାର ହୋଇଛି ।
ବ୍ରେନ୍ ଷ୍ଟୋକ୍ : ଦେଶରେ ଆଗରେ ରହିଛି ଓଡ଼ିଶା
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ବଢ଼ୁଛି ବ୍ରେନ ଷ୍ଟୋକ ସଂଖ୍ୟା । ସାରା ଦେଶରେ ଦୈନିକ ପ୍ରାୟ ୨ହଜାର ବ୍ରେନ୍ ଷ୍ଟ୍ରୋକ୍ ଘଟଣା ସାମ୍ନାକୁ ଆସୁଥିବା ବେଳେ ଭାରତରେ ଏହା ଚିନ୍ତାଜନକ ହୋଇପଡିଛି । ନିକଟରେ ଲାନସେଟରେ ପ୍ରକାଶିତ ଏକ ଗବେଷଣାରୁ ଜଣାପଡିଛି ଯେ ଓଡ଼ିଶାରେ ବ୍ରେନ ଷ୍ଟ୍ରୋକ୍ ର ପ୍ରକୋପ ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ପ୍ରତି ସାତଜଣ ବାସିନ୍ଦାଙ୍କ ମଧ୍ୟରୁ ଜଣେ ବିପଦରେ ଅଛନ୍ତି ।
ଏହି ବଢୁଥିବା ସ୍ୱାସ୍ଥ୍ୟ ସମସ୍ୟା, ଯାହା ପୂର୍ବରୁ ଅଧିକାଂଶ ବୟସ୍କ ବୟସ୍କଙ୍କ ଠାରେ ଦେଖାଯାଉଥିଲା, ବର୍ତ୍ତମାନ ଅଚଳ ଜୀବନଶୈଳୀ, ଖରାପ ଖାଦ୍ୟଅଭ୍ୟାସ, ମାନସିକ ଚାପ ସ୍ତର ବୃଦ୍ଧି ଏବଂ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି କାରଣରୁ ଯୁବ ଜନସଂଖ୍ୟାକୁ ପ୍ରଭାବିତ କରୁଛି ।
ଭୁବନେଶ୍ୱର ଏମ୍ସର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ନ୍ୟୁରୋଲୋଜି (ଆଇଏଏନ୍) ଷ୍ଟ୍ରୋକ୍ ସବ୍ ସେକ୍ସନ୍ ମିଡ୍ ଟର୍ମ ସମ୍ମିଳନୀରେ ଏହି ସବୁ ଚିନ୍ତା ପ୍ରକଟ କରାଯାଇଛି। ‘କୋଡ୍ ଷ୍ଟ୍ରୋକ୍ ଟୁ ଷ୍ଟ୍ରୋକ୍ ଇଣ୍ଟରଭେନ୍ସନ୍’ ଶୀର୍ଷକ ଏହି ସମ୍ମିଳନୀରେ ପ୍ରାରମ୍ଭିକ ଷ୍ଟ୍ରୋକ୍ ଚିହ୍ନଟ, ଚିକିତ୍ସା ର ଅଗ୍ରଗତି ଏବଂ ଷ୍ଟ୍ରୋକ୍ ପ୍ରତିରୋଧର ଗୁରୁତ୍ୱ ଉପରେ ଗଭୀର ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟମାନେ ଅଂଶଗ୍ରହଣ କରିଥିଲେ।
ଏମ୍ସ ଭୁବନେଶ୍ୱର ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ଏମ୍ସ ଭୁବନେଶ୍ୱରର ନ୍ୟୁରୋଲୋଜି ବିଭାଗ ପ୍ରତି ମାସରେ ୫୦୦ରୁ ଅଧିକ ଷ୍ଟ୍ରୋକ୍ ରୋଗୀଙ୍କୁ ଚିକିତ୍ସା କରିଥାଏ, ଯେଉଁଥିରେ ଇଣ୍ଟରଭେନସ୍ ଥ୍ରୋମ୍ବୋଲାଇସିସ୍, ମେକାନିକାଲ ଥ୍ରୋମ୍ବୋକ୍ଟୋମି, ଷ୍ଟ୍ରୋକ୍ ନ୍ୟୁରୋସର୍ଜରୀ, ନ୍ୟୁରୋକ୍ରିଟିକାଲ କେୟାର ଏବଂ ଉନ୍ନତ ନ୍ୟୁରୋ-ରିହାବିଲିଟେସନ୍ ସେବା ଅନ୍ତର୍ଭୁକ୍ତ ।
ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱରର ଡିନ୍ (ଏକାଡେମିକ୍ସ) ଡାକ୍ତର ପିଆର ମହାପାତ୍ର ଓ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଡିକେ ପରିଡ଼ା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଏଏନ୍ ଷ୍ଟ୍ରୋକ୍ ସବ୍ସେକ୍ସନ୍ ର ଅଧ୍ୟକ୍ଷ ଡ. ସୁନୀଲ କେ ନାରାୟଣ, ଇଣ୍ଡିଆନ୍ ଷ୍ଟ୍ରୋକ୍ ଆସୋସିଏସନ୍ ର ସଭାପତି ଡ. ନିର୍ମଳ ସୂର୍ଯ୍ୟ, ଡ. କାମେଶ୍ୱର ପ୍ରସାଦ, ଡ. ପି ବିଜୟା ଏବଂ ଡ. ଏସ୍ ପି ଗୋର୍ଥି ପ୍ରମୁଖ ଯୋଗଦେଇ ଷ୍ଟ୍ରୋକ୍ ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ଆବାସିକ ଡାକ୍ତର ଓ ଅଧ୍ୟାପକମାନଙ୍କ ପାଇଁ ଷ୍ଟ୍ରୋକ୍ ଉପରେ ଏକ ପୋଷ୍ଟର ଅଧିବେଶନର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନବ ଜାତି ପ୍ରତି ଉତ୍ସର୍ଗୀକୃତ ସେବା ପାଇଁ ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡ. ଆର୍ ଏନ୍ ସାହୁଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା। ଭୁବନେଶ୍ୱର ଏମ୍ସର ନ୍ୟୁରୋଲୋଜି ମୁଖ୍ୟ ଡାକ୍ତର ସଞ୍ଜୀବ କୁମାର ଭୋଇ, ଡାକ୍ତର ମେନକା ଝା ଓ ଡାକ୍ତର ପ୍ରିୟଙ୍କା ସାମଲ ଏହି ସମ୍ମିଳନୀକୁ ସଂଯୋଜନା କରିଥିଲେ।
ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଅନୁକୁଳ
ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଆଜି ମାଟି ଅନୁକୁଳ କରାଯାଇଛି । ଆଜି ପବିତ୍ର ରାଧାଷ୍ଟମୀ ତିଥିରେ ପରମ୍ପରା ଅନୁଯାୟୀ ମଉଡମଣୀ ବଜାର, ମୀନାବଜାର, ଗଣେଶ ବଜାର ମାଟି ଉଠାଇଛନ୍ତି । ବିରାଟ ପଟୁଆରରେ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ବ୍ରାହ୍ମଣୀ ନଦୀ ପଠାରେ ପହଞ୍ଚିଥିଲେ । ସେଠାରେ ବ୍ରାହ୍ମଣଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା କରାଯାଇ ମୃତ୍ତିକା ପୂଜନ କରାଯାଇଥିଲା । ଘଣ୍ଟ ଘଣ୍ଟା ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ବ୍ରାହ୍ମଣୀ ନଦୀ ପଠା । ଏହି ଅନୁକୁଳ ମାଟି ନେଇ ମୃଣ୍ମୟୀ ମୂର୍ତ୍ତି କାମ ଆରମ୍ଭ ହେବ । ଆସନ୍ତା ମାସ ୧୬ ତାରିଖ ଠାରୁ ୧୧ ଦିନ ଧରି ଗଜଲକ୍ଷ୍ମୀ ପୂଜା ଚାଲିବ । ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପୂଜା ମଣ୍ଡପର କର୍ମକର୍ତ୍ତା ଯୋଜନା ପ୍ରସ୍ତୁତ କରିଛନ୍ତି ।
ବିଧାନସଭାରେ ଉଠିଲା ଭୁବନେଶ୍ବରରେ ମୁକୁଳା ଡ୍ରେନ ପ୍ରସଙ୍ଗ
ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଉଠିଲା ଭୁବନେଶ୍ବରରେ ମୁକୁଳା ଡ୍ରେନ ପ୍ରସଙ୍ଗ । ଭୁବନେଶ୍ବରରେ ସମୁଦାୟ ୧ ହଜାର ୯୦୭ କିଲୋମିଟର ଡ୍ରେନ ମଧ୍ଯରୁ ଏବେ ମୁକୁଳା ରହିଛି ୯୫ କିଲୋମିଟର । ବିଏମସି ଅଧିନରେ ୧୪ ଶହ ୪୮ ଦଶମିକ ୨ କିଲୋମିଟର ଡ୍ରେନ ଥିବା ବେଳେ ସେଥିରୁ ୬୮ ଦଶମିକ ୨ କିଲୋମିଟର ମୁଖ୍ଯନାଳ ରହିଛି । ଏହା ସହ ୧୩ ଶହ ୮୦ କିଲୋମିଟର ଶାଖାନାଳା ଥିବା ବେଳେ ୨୭ କିଲୋମିଟର ଡ୍ରେନ ଏବେ ବି ସ୍ଳାବ ପଡିନି ।
ସେହିଭଳି ପୂର୍ତ୍ତ ବିଭାଗ ଅଧିନରେ ଥିବା ୩୬୦ କିଲୋମିଟର, ଇଡକୋ ଅଧିନରେ ଥିବା ୬୫ କିଲୋମିଟର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିନରେ ଥିବା ୩୪ ଦଶମିକ ୫ କିଲୋମିଟର ଡ୍ରେନରେ ସ୍ଲାବ ପଡ଼ିଛି । ଏ ନେଇ ୨ଶହ କୋଟି ଟଙ୍କାର ବଜେଟ୍ ଆଲୋକେଟ୍ ହୋଇଛି । ସବୁ ମୁକୁଳା ଡ୍ରେନ କଭର କରିବାକୁ ନିର୍ଦ୍ଦେଶ ହୋଇଛି । ଏନଜିଟି ଗାଇଡ ଲାଇନ୍ ଅନୁସାରେ ସବୁ ମୁଖ୍ୟ ଡ୍ରେନକୁ କଭର କରି ହେବନି । ତେଣୁ ଏହା ଚାରିପଟେ ବ୍ୟାରିକେଟିଂର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ହୋଇଛି । ଡିସେମ୍ବର ମାସ ଭିତରେ କାମ ଶେଷ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।
ସେପଟେ ନାଳ ସବୁ ଆର ଆଣ୍ଡ ବି, ଇଡକୋ, ଏନଏଚଆଇ ଓ ବିଏମସିର ରହିଛି I ବିଏମସି ଅଧୀନରେ ୨୭ କିଲୋମିଟର ଡ୍ରେନ ରହିଛି l ନିର୍ବାଚନ ପୂର୍ବରୁ କାମ ପାଇଁ ଅର୍ଡର ଆସିଥିଲା କିନ୍ତୁ କୋଡ ଅଫ କଣ୍ଡକ୍ଟ ପାଇଁ କାର୍ଯ୍ଯ ହୋଇ ପାରିନଥିଲା l ବର୍ତ୍ତମାନ କାର୍ଯ୍ଯ ଜାରି ରହିଛି l ଅନ୍ୟ କୌଣସି ବିଭାଗ କାର୍ଯ୍ୟ ବିଏମସି କରି ପାରିବ ନାହିଁ l ଏହି ୨୭ କିଲୋମିଟର ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା କାମ ଚାଲିଥିବା ଥିବା କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ଗତକାଲି ମୁକୁଳା ଡ୍ରେନକୁ ନେଇ ବିଧାନସବାରେ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରଶ୍ନ ଉଠାଇଥିଲେ।
ଅନଲାଇନ ହୋଟେଲ ବୁକିଂ, ଠକେଇରେ ଲାଗିବ ବ୍ରେକ୍
ନନ୍ଦିଘୋଷ ବ୍ୟୁରୋ: ପୁରୀରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ନଜରରେ ରଖି ସ୍ୱତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆଗକୁ ପାର୍ବଣ ଋତୁ ସହ ଶୀତ ଦିନକୁ ନଜରରେ ରଖି ଛୁଟି କାଟିବା ପାଇଁ ପୁରୀରେ ଭିଡ଼ ଜମିବ। ତେବେ ଅନଲାଇନ ବୁକିଙ୍ଗରେ ଠକେଇ ତଥା ପର୍ଯ୍ୟଟକଙ୍କୁ ଉନ୍ନତ ମାନର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଥିବା ବେଳେ ଏହା ଉପରେ ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଆସିଛି ପାର୍ବଣ ଋତୁ । ଶ୍ରୀକ୍ଷେତ୍ରରେ ଜମିବ ପର୍ଯ୍ଯଟକଙ୍କ ଭିଡ଼ । ଛୁଟି କାଟିବାକୁ ଆସିବେ ରାଜ୍ଯ ତଥା ରାଜ୍ଯ ବାହାର ଶ୍ରଦ୍ଧାଳୁ । ଏବେଠାରୁ ପୁରୀର ସମସ୍ତ ହୋଟେଲ ଗୁଡ଼ିକରେ ବୁକିଂ ଆରମ୍ଭ ହୋଇଗଲାଣି । ବିଗତ କିଛି ବର୍ଷ ମଧ୍ୟରେ ଏଠାରେ ଅହେତୁକ ସଂଖ୍ୟାରେ ପର୍ଯ୍ୟଟକ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ବେଳାଭୂମିରେ ସ୍ୱତନ୍ତ୍ର ସୁବିଧା କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ଅନଲାଇନ ବୁକିଂବେଳେ ଅନେକ ସମୟରେ ଠକେଇର ଶିକାର ହେଉଛନ୍ତି ପର୍ଯ୍ଯଟକ । ତେଣୁ ଏହି ସମସ୍ଯାର ସମାଧାନ ସହ ସ୍ବତନ୍ତ୍ର ବ୍ଯବସ୍ଥା କରିବାକୁ ବୁଦ୍ଧିଜୀବୀ ଓ ପର୍ଯ୍ଯଟକ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।
ଲଗାତର ପର୍ଯ୍ଯଟକଙ୍କ ଭିଡ଼ ଯୋଗୁଁ ପୁରୀରେ ହୋଟେଲ ଶିଳ୍ପ ବୃଦ୍ଧି ପାଇବାରେ ଲାଗିଛି । ପର୍ଯ୍ୟଟକ ମାନଙ୍କର ସୁବିଧା ନେଇ ପୁରୀରେ ହୋଟେଲ ସଙ୍ଘ ଓ ଟୁର ଅପରେଟର ମାନେ ଯଥା ସମ୍ଭବ ପ୍ରଚେଷ୍ଟା କରି ଆସୁଛନ୍ତି । ତେଣୁ ଏଥର ପୂଜା ଋତୁରେ ପର୍ଯ୍ଯଟକଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ପର୍ଯ୍ୟଟକଙ୍କୁ ଉନ୍ନତ ସେବା ଯୋଗାଇ ଦେବାକୁ ହୋଟେଲ ମାଲିକଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ । ଚଳିତ ବର୍ଷ ବେଳାଭୂମି, ଶ୍ରୀମନ୍ଦିର ଦର୍ଶନ ଓ ସାତପଡ଼ା ପର୍ଯ୍ଯଟନ କ୍ଷେତ୍ରରେ ସ୍ବତନ୍ତ୍ର ବ୍ଯବସ୍ଥା କରିବାକୁ ପ୍ରଶାସନ ଲକ୍ଷ୍ଯ ରଖିଛି ।
ଭୋଗୁଛନ୍ତି ଡିଜିଟାଲ ଯନ୍ତ୍ରଣା, ପୂର୍ବ ସରକାରଙ୍କ ଯୋଜନାକୁ ମନେପକାଇଲେ ହିତାଧିକାରୀ
ନନ୍ଦିଘୋଷ ବ୍ୟୁରୋ: ଡିଜିଟାଲ ଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମାଞ୍ଚଳ ଲୋକେ । ସୁଭଦ୍ରା ଯୋଜନା ପାଇଁ ଆଧାର ଲିଙ୍କ୍ ଓ ରାସନକାର୍ଡ ଅପଡେଟ୍ ପାଇଁ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସୁଭଦ୍ରା ଯୋଜନା ପାଇଁ ଆଧାର ଲିଙ୍କ୍ କରିବାକୁ ମହିଳାମାନେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେଉଛନ୍ତି । ସେହିପରି ରାସନ କାର୍ଡ ପାଇଁ E KYC କରିବାକୁ କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ଦାଦନ ଶ୍ରମିକମାନେ ଭୋକ ଉପାସରେ ଅପେକ୍ଷା କରୁଛନ୍ତି । କିଛିଦିନ ହେଲାଣି ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକର ବିଭିନ୍ନ ଆଧାର କେନ୍ଦ୍ରରେ ଏବେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଏଥିପାଇଁ ଲୋକମାନେ ଇଣ୍ଟରନେଟ ସମସ୍ୟାକୁ ଦୋଷାରୋପ କରୁଥିବା ବେଳେ ପୂର୍ବ ସରକାରଙ୍କ ଯୋଜନାକୁ ମନେ ପକାଇଛନ୍ତି । ପୂର୍ବ ସରକାର ସମୟରେ ସରକାରୀ ଯୋଜନା ଗୁଡିକ ସୁବ୍ୟବସ୍ଥିତ ଭାବେ ପରିଚାଳିତ ହେଉଥିବା ହୀତାଧିକାରୀ କହିଛନ୍ତି ।
ଅଙ୍ଗନବାଡ଼ି କେନ୍ଦ୍ରରେ ଆଣ୍ଠୁଏ ପାଣି
ନନ୍ଦିଘୋଷ ବ୍ୟୁରୋ: ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି । କେମିତି ପଢିବେ ପିଲା ଏବେ ସେଇ ଚିନ୍ତା। ଆନନ୍ଦପୁର ଉପଖଣ୍ଡ ହାଟତିହି ବ୍ଲକର ଦଧିବାମନପୁର ଅଙ୍ଗନବାଡି କେନ୍ଦ୍ରରେ କଷ୍ଟେମଷ୍ଟେ ପଢୁଛନ୍ତି ପିଲା। ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ରରେ ୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶ୍ରେଣୀଗୃହ ଭିତରେ ପାଣି ଯୋଗୁଁ ଅଙ୍ଗନବାଡି କର୍ମୀଙ୍କୁ ବାଧ୍ୟହୋଇ ପିଲାଙ୍କୁ ଛୁଟି କରିବାକୁ ପଡୁଛି। ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରୁଥିବା ବେଳେ ଯଥାଶୀଘ୍ର ଏହାର ସମାଧାନ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ।
ଅଙ୍ଗନବାଡ଼ି କେନ୍ଦ୍ରରେ ଆଣ୍ଠୁଏ ପାଣି। ବିପଦ ଶଙ୍କୁଳ ଅବସ୍ଥାରେ ବସୁଛନ୍ତି ଛାତ୍ର ଛାତ୍ରୀ। କେତେବେଳେ କେଉଁଠାରେ ପାଠ ପଢ଼ାଯିବ ତାକୁ ନେଇ ଚିନ୍ତାରେ ଅଙ୍ଗନବାଡି କର୍ମୀ। ଆନନ୍ଦପୁର ଉପଖଣ୍ଡ ହାଟତିହି ବ୍ଲକର ଦଧିବାମନପୁର ଅଙ୍ଗନବାଡି କେନ୍ଦ୍ରର ଏ ଦୃଶ୍ଯ। ଅସରାଏ ବର୍ଷାରେ ଘର ଭିତରେ ପାଣି ଭର୍ତ୍ତି ହୋଇ ଯାଉଛି। ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ରରେ ୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଗୋଟିଏ ଘରେ ସମସ୍ତେ ଜାକିଯୁକି ହୋଇ ବସୁଛନ୍ତି।
ଶ୍ରେଣୀଗୃହ ଭିତରେ ପାଣି ଯୋଗୁଁ ଅଙ୍ଗନବାଡି କର୍ମୀଙ୍କୁ ବାଧ୍ୟହୋଇ ପିଲାଙ୍କୁ ଛୁଟି କରିବାକୁ ପଡୁଛି। ପ୍ରଶାସନିକ ସ୍ତରରେ ସମସ୍ତେ ଏହି କେନ୍ଦ୍ରର ଅବସ୍ଥା ବାବଦରେ ଜାଣିଥିଲେ ବି ଆଜି ପର୍ଯ୍ୟନ୍ତ ନୂତନ ଘର ନିର୍ମାଣ ହୋଇପାରିନଥିବା ଅଭିଯୋଗ ହୋଇଛି। ପ୍ରଶାସନ ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରୁଥିବା ବେଳେ ଯଥାଶୀଘ୍ର ଏହାର ସମାଧାନ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ।
ଶ୍ରମିକ ହୋଇ ଯାଇଥିଲେ, ଶବ ହୋଇ ଫେରିଲେ
ନନ୍ଦିଘୋଷ ବ୍ୟୁରୋ: ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ l ଘରକୁ ଫେରିଲା ମୃତ ଶରୀର। ଗଞ୍ଜାମ ଆସିକା ସିଦ୍ଧନଇ ବାଦଗଡ ଗାଁରେ ଶୋକାକୂଳ ପରିବେଶ। କାନ୍ଦ ବୋବାଳିରେ ଫାଟି ପଡୁଛି ବାଦଗଡ଼ ଗାଁ l ହାଇଦ୍ରାବାଦରୁ ଦାଦନ ଶ୍ରମିକଙ୍କ ମୃତ ଦେହ ଗାଁରେ ପହଞ୍ଚିବା ପରେ ସମସ୍ତ ସ୍ତବ୍ଧ। ମୃତ ଶ୍ରମିକ ହେଲେ ଗୌରବ ସାହୁ l ହାଇଦ୍ରାବାଦରେ ହଠାତ ତାଙ୍କର ମୃତ୍ୟୁ ହେଇଥିଲା l ସାଙ୍ଗ ସାଥି ଓ କମ୍ପାନୀ ସହାୟତାରେ ଗାଁକୁ ଫେରିଛି ମୃତ ଶରୀରl ଗୋଟିଏ ବୋଲି ରୋଜଗରିଆ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର। ରୋଜଗାରିଆ ପୁଅର ମୃତ୍ଯୁ ପରେ କେମିତି ଚଳିବ ପରିବାର ସେଇ ଚିନ୍ତା।
ଖାଇବା ବିଲ୍ ମାଗିବାରୁ ୱେଟର ଉପରେ ଶୁଝାଇଲେ ରାଗ
ନନ୍ଦିଘୋଷ ବ୍ୟୁରୋ: ୱେଟରଙ୍କ ସହ ବର୍ବରତା। ଖାଇବା ବିଲ୍ ମାଗିବାରୁ ୱେଟର ଉପରେ ଶୁଝାଇଲେ ରାଗ । ନିଜ କାରରେ ୱେଟରଙ୍କୁ ଘୋଷାରି ନେଲେ ୧ କି.ମି.ରୁ ଅଧିକ ବାଟ । ସିସିଟିଭିରେ କଏଦ୍ ହେଲା ଦୃଶ୍ୟ । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରରେ। ଶନିବାର ମେହେକର-ପନ୍ଦରପୁର ପାଲଖୀ ରାଜପଥସ୍ଥିତ ହୋଟେଲକୁ ଖାଇବାକୁ ଆସିଥିଲେ ତିନି ଜଣ । ସମସ୍ତେ ଖାଇସାରିବା ପରେ ପାର୍କିଂରେ ଥିବା କାର୍ ପାଖକୁ ଚଲିଆସିଥିଲେ । ବିଲ ପୈଠ ପାଇଁ ୱେଟରଙ୍କୁ କ୍ୟୁଆର୍ କୋଡ୍ ସ୍କାନର ଆଣିବାକୁ ପଠାଇଥିଲେ । ୱେଟର୍ ଜଣକ ସ୍କାନର ଆଣି ଆସିବା ପରେ ଯୁକ୍ତିତର୍କ ହୋଇଥିଲା । ହଠାତ୍ ଜଣେ ଗ୍ରାହକ ଦୌଡ଼ି ଯାଇ କାର୍ ଭିତରେ ପଶି ପଳାଇ ଯିବାକୁ ଚେଷ୍ଟା କରିଥିଲେ । ମାତ୍ର ୱେଟର୍ କାର୍ର ଡୋର୍କୁ ଭିଡି ଧରିବାରୁ ପ୍ରାୟ ୧ କିଲୋମିଟର୍ ବାଟ ଘୋଷାରି ହୋଇଯାଇଥିଲେ । କେବଳ ସେତିକି ନୁହେଁ ରାତି ତମାମ୍ ୱେଟରଙ୍କୁ ମାଡ଼ ମାରିଥିଲେ । ଅଭିଯୁକ୍ତ ମାନେ ତାଙ୍କ ପକେଟରୁ ସବୁ ଟଙ୍କା ଛଡାଇନେଇଥିଲେ । ଏ ନେଇ ୱେଟର ଜଣଙ୍କ ପୋଲିସରେ ଅଭିଯୋଗ କରିଥିବା ସୂଚନା ।

