ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପିତା ଅନୀଲଙ୍କ ଆତ୍ମହତ୍ୟାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ସେ କାହିଁକି ଏଭଳି ଏକ ଚରମ ପନ୍ଥା ଆପଣାଇଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଫରେନସିକ ଟିମ ମଧ୍ୟ ମଲାଇକାଙ୍କ ପିତାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟା ପଛର କାରଣ ଖୋଜା ଚାଲିଥିବାବେଳେ ବଲିଉଡର କଳାକାରଙ୍କ ସହ ବନ୍ଧୁ ପରିଜନମାନେ ପହଞ୍ଚି ସମବେଦନା ଜଣାଇଛନ୍ତି । ମଲାଇକାଙ୍କ ପୂର୍ବତନ ସ୍ବାମୀ ଅରବାଜ ଖାନ ମଧ୍ୟ ଏଭଳି ଏକ ଦୁଃଖ ସମୟରେ ପହଞ୍ଚି ସମବେଦନା ଜଣାଇଛନ୍ତି । ଅନ୍ୟପଟେ ପ୍ରେମିକ ଅର୍ଜୁନ କପୁର ମଧ୍ୟ ମଲାଇକାଙ୍କ ସହ ଘରେ ପହଞ୍ଚିଛନ୍ତି ।
ଭଡ଼ା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କେନ୍ଦ୍ରାପଡା: ଭଡ଼ା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡେରାବିଶ ବ୍ଲକରେ। ସୂଚନା ମୁତାବକ ଡେରାବିଶ ଥାନା ଅନ୍ତର୍ଗତ ଓଲଡି ଗାଁର ଶମ୍ଭୁନାଥ ବେହେରା ଧର୍ମଶାଳା ଥାନା ଜାରକା ଦେଉଳି ଗାଁର ରଶ୍ମିତା ମଳିକଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ପତି ଓ ପତ୍ନୀ ଓଲଡି ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ରଶ୍ମିତାଙ୍କୁ ସ୍ଵାମୀ ଯୌତୁକ ନିର୍ଯ୍ଯାତନା ଦେଉଥିବା ନେଇ ସେ ଘର ଲୋକଙ୍କୁ ଜଣାଇଥିଲେ। ମଙ୍ଗଳବାର ଝିଅ ମରିଯିବା କଥା ଶୁଣିବା ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ପରେ ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ଥାନାରେ ଜ୍ଵାଇଁ ଶମ୍ଭୁନାଥ ବେହେରାଙ୍କ ନାମରେ ହତ୍ୟା ଅଭିଯୋଗ କରିଥିଲେ ରଶ୍ମିତାଙ୍କ ବାପା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ଯବିଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ବଢୁଛି ନବୀନଙ୍କ କ୍ରେଜ୍: ଭସାଣିରେ ବାଜିଲା ‘ହେ… ନବୀନ ବାବୁ, ଆମେ ତୁମ ଫ୍ୟାନ୍’
ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦିନ ବଢିବାରେ ଲାଗିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ୍ । ଗଣେଶ ପୂଜାର ମେଢ ବୁଲିବା ବେଳେ ଲୋକଙ୍କ ଭିଡ ହେଉ କି ବିଭିନ୍ନ ଜନହିତକାର ଯୋଜନା ଭିଡ଼ଓ ସାମ୍ନାକୁ ଆସୁଛି। ପ୍ରତିଟି କ୍ଷେତ୍ରରେ ନବୀନଙ୍କୁ ଲୋକ ମନେ ପାଉଥିବା ସ୍ପଷ୍ଟ ଅନୁମେୟ ହେଉଛି । ମଙ୍ଗଳବାର ବାଲେଶ୍ବର ଅଞ୍ଚଳରେ ଗଣେଶ ପୂଜା ଭଷାଣିବେଳେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଭସାଣରେ ଡ଼ିଜେ ଗୀତ ବଦଳରେ ବାଜୁଥିଲା ‘ହେ… ନବୀନ ବାବୁ, ଆମେ ତୁମ ଫ୍ୟାନ୍’ । ଭସାଣି ଶୋଭାଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଭୁଥିଲା ଏହି ଗୀତ। ଯୁବକମାନେ ହାତକୁ ଟେକି ନାଚି ନାଚି ଗଜାନନଙ୍କୁ ବିଦାୟ ଦେଉଥିବାର ଦୃଶ୍ୟ ନିଆରା ଭାବ ସୃଷ୍ଟି କରିଥିଲା।
‘ଆସନ୍ତା ମାର୍ଚ୍ଚ ୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଜୁଳି ସଂଯୋଗ କରାଯିବ’
ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ରାଜ୍ୟରେ ବିଜୁଳି ସଂକଟ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ସମସ୍ତ ରାଜସ୍ଵ ଗାଁକୁ କେବେ ବିଜୁଳି ସଂଯୋଗ ନେଇ କରିଥିଲେ ପ୍ରଶ୍ନ। ତେବେ ଆସନ୍ତା ମାର୍ଚ୍ଚ ୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଜୁଳି ସଂଯୋଗ କରାଯିବ। ବିଧାନସଭାରେ ଏହି ଘୋଷଣା କଲେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ପ୍ରଶ୍ନକାଳରେ ବିଜୁଳି ସଂଯୋଗ ନେଇ ଜୋରଦାର ଆଲୋଚନା ହୋଇଥିଲା। ଅପହଞ୍ଚ ଅଂଚଳରେ କିପରି ବିଜୁଳି ସଂଯୋଗ ଦିଆଯିବ ତାହା ଉପରେ ଶାସକ ଓ ବିରୋଧୀ ବିଧାୟକ ଶକ୍ତି ମନ୍ତ୍ରୀକୁ ବାରମ୍ବାର ପ୍ରଶ୍ନ କରିଥିଲେ। ସ୍ମାର୍ଟ ମିଟର ଅବ୍ୟବସ୍ଥା ନେଇ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ଉତ୍ତର ରଖିଥିଲେ ଶକ୍ତିମନ୍ତ୍ରୀ। କହିଲେ, ଶକ୍ତି ସଂରକ୍ଷଣ ଶିଖ, ମାଗଣାରେ ବିଜୁଳି ପାଇବା ଆଶା ରଖନାହିଁ। କୌଣସି ସେବା ମାଗଣାରେ ମିଳିବ ଆଶା ରଖନାହିଁ। ଉପଭୋକ୍ତାଙ୍କୁ ସଚେତନତା ପାଇଁ ଭିଡିଓ ଏବଂ ମେସେଜ ଦିଆଯାଉଛି। ଅନେକ ସମୟରେ ସ୍ଵିଚ୍ ଅଫ୍ କେହି କରୁନାହାଁନ୍ତି।
ଗୃହରେ ଶକ୍ତିମନ୍ତ୍ରୀ ଉଦାହରଣ ଦେଇ କହିଥିଲେ ମୋବାଇଲ ଚାର୍ଜର ସ୍ଵିଚ୍ କେହି ବନ୍ଦ କରୁନାହାଁନ୍ତି। ଏହାଦ୍ୱାରା ଅଧିକ ବିଲ୍ ଆସିଥାଏ। ସବୁ ବିଧାୟକ ଉପଭୋକ୍ତାମାନଙ୍କୁ ସଚେତନ କରନ୍ତୁ ବୋଲି ନିବେଦନ କଲେ। ମିଟର ଅସୁବିଧା ଥିଲେ କମ୍ପାନୀ କର୍ତ୍ତୃପକ୍ଷ ପହଞ୍ଚି ସମସ୍ୟା ଦୂର କରିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କଲେ ୩୦୦ ୟୁନିଟ୍ ମାଗଣା ମିଳିବ ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂହଦେଓ ।
ହିଟ୍ ଆଣ୍ଡ ରନ ମାମଲା: ବନ୍ଧା ହେଲା କାର ମାଲିକ ସୁଶୀଲ ସାହୁ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅଞ୍ଚଳରେ ହିଟ୍ ଆଣ୍ଡ ରନ ମାମଲା। ବନ୍ଧା ହେଲା କାର ମାଲିକ ସୁଶୀଲ ସାହୁ। କାର ମାଲିକ ସୁଶୀଲ ସାହୁକୁ ଗିରଫ କଲା ବେଲପଡା ପୋଲିସ । ଗିରଫ ସୁଶୀଲ ଜଣେ ଢାବା ମାଲିକ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ମଙ୍ଗବାଳ ସନ୍ଧ୍ୟାରେ ଅତ୍ୟଧିକ ମଦ୍ୟପାନ କରି ତିନି ଯୁବତୀ ଉପରେ କାର ଚଢାଇ ଦେଇଥିଲା ସୁଶୀଲ। ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇ ଚିକିତ୍ସାଧିନ ଅଛନ୍ତି। ନୁନହାଡ ଗାଁ ବସଷ୍ଟାଣ୍ଡ ନିକଟରେ ତିନି ଯୁବତୀ ଠିଆ ହୋଇଥିବାବେଳେ ସେମାନଙ୍କ ଉପରେ କାର୍ ଚଢିଯାଇଥିଲା । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଓ ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଜଣଙ୍କୁ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ହେଲେ ଭୋଲେଶ୍ବରୀ ମାଝୀ । ପ୍ରତିମା ଧରୁଆ ଓ ଜେମନ୍ତୀ ମାଝୀଙ୍କ ଚିିକିତ୍ସା ଚାଲିଛି।
ଗଣେଶ ଭସାଣି ବେଳେ ଛୁରାମାଡ଼, ଜଣେ ମୃତ
ଆଠଗଡ଼: ଗଣେଶ ମୂର୍ତ୍ତି ଭସାଣି ବେଳେ ଅଘଟଣ । ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି। ଆଠଗଡ଼ ଖୁଣ୍ଟୁଣି ଥାନା ଅନ୍ତର୍ଗତ ଧୁରୁସିଆ ଗାଁର ଘଟଣା। ଗତକାଲି ରାତିରେ ଗଣେଶ ମୂର୍ତ୍ତି ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଛୁରାମାଡ ହୋଇଥିବା ଜଣାପଡିଛି। ଛୁରାମାଡ଼ରେ ଉଭୟ ପକ୍ଷରୁ ପାଞ୍ଚ ଜଣ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ଗୁରୁତରଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ କଟକରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଗୁରୁତରଙ୍କ ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଏବେବି ଲାଗି ରହିଛି ଉତ୍ତେଜନା। ଗାଁରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ବିନା ଅନୁମତିରେ ଚାଲିଥିଲା ଭସାଣି। ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

