spot_img
Home Blog Page 1670

ଆଜି ଭୁବନେଶ୍ବର ଆସିବେ ଅଲିମ୍ପିକ୍ସ ପଦକ ବିଜେତା ଇଣ୍ଡିଆନ ହକି ଟିମ

ପୁରୀ: ବାଲୁକା କଳା ମାଧ୍ୟମରେ ଇଣ୍ଡିଆନ ହକି ଟିମକୁ ସ୍ଵାଗତ । ପୁରୀ ବେଳାଭୂମିରେ ବାଲୁକା କଳା ଜରିଆରେ ସ୍ୱାଗତ ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  । ପ୍ୟାରିସ ଅଲିମ୍ପିକରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  । ଓଡିଶା ପକ୍ଷରୁ ଭାରତୀୟ ହକି ଦଳକୁ ସ୍ୱାଗତ କରିବା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି  ।

ସୁଦର୍ଶନ ପଟ୍ଟନାୟକ ଏବଂ ପୁରୀ କ୍ରୀଡା ବିଭାଗର ମିଳିତ ଉଦ୍ୟମରେ ସମୁଦ୍ରକୂଳରେ ସୁନ୍ଦର ବାଲୁକା କଳା ନିର୍ମାଣ କରି ହକି ଦଳକୁ ସ୍ୱାଗତ କରାଯାଇଛି  । ପୁରୀର କୁନି କୁନି ହକି ଖେଳାଳି ଉପସ୍ଥିତ ରହି ଭାରତୀୟ ହକି ଦଳକୁ ସ୍ୱାଗତ ଜଣାଇଛନ୍ତି  । ହକି ଦଳକୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ ଲାଗି ସୁନ୍ଦର ବାଲୁକା କଳା ନିର୍ମାଣ କରାଯାଇଛି  ।

ଆଜି ଭୁବନେଶ୍ଵର ଆସିବେ ଅଲିମ୍ପିକ୍ସ ପଦକ ବିଜେତା ଭାରତୀୟ ହକି ଦଳ । ଦିନ ୧୨ ଟା ୩୦ ମିନିଟରେ ବିମାନବନ୍ଦରରେ ସେମାନେ ପହଞ୍ଚିବେ। ହକି ଖେଳାଳିଙ୍କୁ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧନା ଦିଆଯିବ। ମୁଖ୍ଯମନ୍ତ୍ରୀ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବେ। ଏହି ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ। ହକି ଖେଳାଳିମାନେ ଏକ ଶୋଭାଯାତ୍ରାରେ ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ଯନ୍ତ ଆସିବେ।

ଆଗାମୀ ଦିନରେ ହକି ଟିମରେ ଯେମିତି ଅଧିକରୁ ଅଧିକ ଓଡ଼ିଆ ଖେଳାଳି ସାମିଲ ହେବେ, ସେଥିପାଇଁ ରାଜ୍ଯ ସରକାର ଚେଷ୍ଟା କରିବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ। ୨୦୩୬ ଅଲମ୍ପିକ୍ସ ଆୟୋଜନ କରିବାକୁ ଭାରତ ସରକାର ବିଚାର କରୁଥିବା କହିଛନ୍ତି ସୂର୍ଯ୍ଯବଂଶୀ ସୂରଜ।

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ  ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ନ କରିବେ ।

ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ଓ ଏକ ସ୍ୱତନ୍ତ୍ର ନୀତି । ଏନେଇ ଆଜି ଅପରାହ୍ନ ୫ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଅର୍ଥାତ ପ୍ରାୟ ଚାରି ଘଣ୍ଟା ଧରି ଏହି ନୀତି ଚାଲିବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ |

ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ବର: ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ଲାଗି (ରିଜର୍ଭେସନ ବଚାଓ ସଂଘର୍ଷ ସମିତି) ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପକ୍ଷରୁ ଆହ୍ବାନ କରାଯାଇଛି। ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଚକ ବନ୍ଦ ରହିବ।

ଏହାକୁ କିପରି ସଫଳ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ବାବାସାହବ ଡ. ଭୀମରାଓ ଆମ୍ବଡେକର ସମ୍ବିଧାନରେ ଅନୁସୂଚିତ ଜାତି ଓ ଜନଜାତମାନଙ୍କୁ ଯେଉଁ ଅଧିକାର ଦେଉଛନ୍ତି, ସେଥିରେ କାଣ୍ଟଛାଣ୍ଟ କରାଯିବା ଅନୁଚିତ। ନିକଟରେ ସୁପ୍ରିମକୋର୍ଟ ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ କୋଟାର ଉପବର୍ଗୀକରଣ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ।

ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିରେ ଥିବା ସ୍ଵଚ୍ଛଳ ବର୍ଗଙ୍କୁ ବାଦ୍ ଦେଇ ଅବହେଳିତ, ନିଷ୍ପସିତମାନଙ୍କୁ ଅଧିକ ସଂରକ୍ଷଣ ସୁବିଧା ପ୍ରଦାନ କରିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ୭ ଜଣିଆ ବୃହତ୍ତ ଖଣ୍ଡପୀଠ ରାୟ ଶୁଣାଇଥିଲେ। ଏହାକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସେପଟେ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକସେବା ଭବନ ଓ ଖାରବେଳ ଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡି କରିବାକୁ ର୍ନିର୍ଦ୍ଦେଶ ଦିଆଯାଇଛି । ପ୍ରବେଶ ଓ ପ୍ରସ୍ତାନ ନେଇ ନିର୍ଦ୍ଦେଶନାମ ବି ଜାରି ହୋଇଛି ।

ସକ୍ରିୟ ରହିଛି ଲଘୁଚାପ, ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ଓ ତତସଲଗ୍ନ ଅଂଚଳରେ ସକ୍ରିୟ ରହିଛି ସଦୃଶ ଲଘୁଚାପ। ଏହାସହ ରାଜ୍ୟ ଉପରେ ମୌସୁମୀ ଟ୍ରପ ଲାଇନ ବି ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ପାଇଁ ସୁନ୍ଦରଗଡ, ସମ୍ବଲପୁର, ଦେଓଗଡ ଓ ଝାରସୁଗୁଡା ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୨୨ ରୁ କମିବ ପ୍ରଭାବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ ରୁ ଏଯାବତ ୭୧୦.୫ ମିମି ବର୍ଷା ରେକର୍ଡ ହୋଇଛି। ଏବେ ବି ୧୧ ପ୍ରତିଶତ ନିଆଣ୍ଟିଆ ବର୍ଷା ରହିଛି। ୮୦୧. ୫ ମିମି ବର୍ଷା ସ୍ୱାଭାବିକ ରହିବା କଥା । ୨ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

ମମତା ମହାନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ମମତା ମହାନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ମମତାଙ୍କ ନାଁ ଘୋଷଣା କରିଛି ବିଜେପି । ନିକଟରେ ବିଜେଡି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ମମତା ।

ଆଜି ମମତାଙ୍କ ନାଁରେ ମୋହର ମାରିଛି ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ରାଜ୍ୟସଭା ପ୍ରାର୍ଥୀ ଭାବେ ତାଙ୍କୁ ଚୟନ କରାଯାଇଥିବାରୁ ସେ ଓଡ଼ିଶା ପାଇଁ କାମ କରିବେ ବୋଲି କହିଛନ୍ତି ମମତା ମହାନ୍ତ ।

ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ନଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଏଣିକି ଡଙ୍ଗାରେ ଲାଇଫ ଜ୍ୟାକେଟ୍ ନରଖିଲେ ହେବ କାର୍ଯ୍ୟାନୁଷ୍ଠାନ । ଡଙ୍ଗାରେ ଲାଇଫ ଜ୍ୟାକେଟ ସହ ଲାଇସେନ୍ସ, ରେଟ୍ ଚାଟ ଓ ଆବଶ୍ୟକ ପାଣି ରଖିବେ ଡଙ୍ଗା ମାଲିକ । ନିୟମ ପାଳନ ନକଲେ ସଂପୃକ୍ତ ଯାତ୍ରୀବାହୀ ଡଙ୍ଗାକୁ ବନ୍ଦ କରିଦିଆଯିବ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୃଷ୍ଣପ୍ରସାଦ ତହସିଲଦାର ଓ ବିଡିଓ ।

ଯାନ୍ତ୍ରିକ ତ୍ରୁଟି ଓ ଚାଳକଙ୍କ ଅସାବଧାନତା ପାଇଁ ଚିଲିକା ମଝିରେ ବାରମ୍ୱାର ଡଙ୍ଗା ଅଟକି ରହୁଥିବା ଅଭିଯୋଗ ହେଉଛି । ଯାତ୍ରୀ ଭୟଭୀତ ଅବସ୍ଥାରେ ଘଣ୍ଟା ଘଣ୍ଟା ଧରି ଚିଲିକା ଭିତରେ ଅଟକି ରହୁଛନ୍ତି । ସମସ୍ୟାର ସମାଧାନ ପାଇଁ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ନେଇ କୃଷ୍ଣପ୍ରସାଦ ବ୍ଲକ୍ ଅଧିକାରୀ ଅମିୟ କୁମାର ପଣ୍ଡା ଓ ତହସିଲଦାର ଅଭିଷେକ ସାହୁଙ୍କ ତତ୍ବାବଧାନରେ, କୃଷ୍ଣପ୍ରସାଦ ଆଇଆଇସି, ଅଗ୍ନିଶମ ବିଭାଗ ଅଧିକାରୀ, ଫରେଷ୍ଟ ଅଧିକାରୀ, ଡଙ୍ଗା ମାଲିକ ଓ ଚାଳକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା । ଯେଉଁ ଡଙ୍ଗା ମାଲିକ ଓ ଚାଳକମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଡଙ୍ଗା ବନ୍ଦ କରି ଦିଆଯିବ ବୋଲି କଡ଼ା ଦିର୍ଦ୍ଦେଶ ଦିଆଯାଇଛି ।

ଦନ୍ତାହାତୀ ରାମୁର ମୃତ୍ୟୁ ଚନ୍ଦକା ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଉଠାଇଲା ପ୍ରଶ୍ନ

ଭୁବନେଶ୍ବର: ଚନ୍ଦକା ଜଙ୍ଗଲର ଦନ୍ତାହାତୀ ରାମୁର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଛି ବୋଲି ବନ୍ୟପ୍ରାଣୀ ମୁଖ୍ୟ ସୂଚନା ଦେଇଛନ୍ତି । କିପରି ଓ କେଉଁ ସ୍ଥିତିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ରାମୁ, ଚାଲିଛି ତାର ତଦନ୍ତ । ଆଗକୁ ଚନ୍ଦକା ଜଙ୍ଗଲରେ ଥିବା ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ କଡା ପଦକ୍ଷେପ ନିଆଯିବ ବୋଲି ପିସିସିଏଫ କହିଥିବା ବେଳେ ହାତୀଙ୍କ ସୁରକ୍ଷାରେ ବନ ବିଭାଗର ବିଫଳତା ପୁଣି ଥରେ ସାମ୍ନାକୁ ଆସିଛି ।

ମନୁଷ୍ୟଜନିତ ତ୍ରୁଟି ଯୋଗୁଁ ଚନ୍ଦକା ଅଭୟାରଣ୍ୟରେ ଦନ୍ତାହାତୀ ରାମୁର ମୃତ୍ୟୁ । ଚନ୍ଦକା ଡିଏଫଓଙ୍କଠାରୁ ବନ୍ୟପ୍ରାଣୀ ମୁଖ୍ୟ, ସମସ୍ତେ ମର୍ମାହତ । ହେଲେ ଦୋଷ ମୁଣ୍ଡାଇବାକୁ କେହି ନୁହଁନ୍ତି ପ୍ରସ୍ତୁତ । ଚନ୍ଦକା ଜଙ୍ଗଲର ସବୁଠାରୁ ଶାନ୍ତ ଗଜରାଜ ରାମୁ ବିଦ୍ୟୁତ ଆଘାତରେ ୪୦ ବର୍ଷ ବୟସରେ ଚାଲିଯାଇଛି । କାହାର ତ୍ରୁଟି ଯୋଗୁଁ ଏପରି ହେଲା ତା’ର କାରଣ ଜାଣିବାକୁ ଚାଲିଛି ତଦନ୍ତ । ବ୍ୟବଚ୍ଛେଦ ରିପୋର୍ଟରୁ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ଘଟିଛି ବୋଲି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ ।

ଚୁନକୋଳି ବସ୍ତି ପାଖରେ ଥିବା କଦଳୀ ଖାଇବାକୁ ଯାଇ ବିଦ୍ୟୁତ ଆଘାତ ପାଇଛି କି ପଶୁ ଶିକାର ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସି ରାମୁର ମୃତ୍ୟୁ ହୋଇଛି, ତାର ତଦନ୍ତ ଚାଲିଛି । ଯୁଗ୍ମ ଭାବେ ବିଦ୍ୟୁତ ଓ ବନ ବିଭାଗର ଅଧିକାରୀମାନେ ତଦନ୍ତ କରୁଛନ୍ତି । ଚନ୍ଦକା ପାଚେରୀ କଡେ ରହୁଥିବା ବସ୍ତିରେ ଅନେକ ବେଆଇନ ବିଦ୍ୟୁତ ସଂଯୋଗ ଥିବାରୁ ସବୁ ଦିଗ ପ୍ରତି ତଦନ୍ତ କରାଯାଉଛି । ଆଗକୁ ୨୪ ଘଣ୍ଟିଆ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ରାତିରେ ଅବସରପ୍ରାପ୍ତ ସୈନିକମାନଙ୍କୁ ନେଇ ଥିବା ସ୍ୱତନ୍ତ୍ର ସ୍କ୍ୱାର୍ଡ ସହ ଅନ୍ୟ ବନ୍ୟାଜନ୍ତୁଙ୍କ ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯିବ । ବିସ୍ତୃତ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପିସିସିଏଫ ।

ଚନ୍ଦକାର ଆଇକନିକ ହାତୀ ଥିଲା ରାମୁ । ଅଭୟାରଣ୍ୟ ଭିତରେ ଥିବା ରାମୁର ମୃତ୍ୟୁ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠୁ ଶକ୍ତିଶାଳୀ ହାତୀ ଥିଲେ ବି କେବେ କାହାକୁ ଆକ୍ରମଣ କରି ନଥିଲା । ରାମୁ ମୃତ୍ୟୁର ରହସ୍ୟ କେବେ ଫିଟିବ, ତା’ଉପରେ ସମସ୍ତଙ୍କ ନଜର ଥିବା ବେଳେ ରାମୁର ସ୍ମୃତିକୁ ସାଇତି ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି । ବନ୍ୟପ୍ରାଣୀ ବିଶେଷଜ୍ଞ ପିସିସିଏଫଙ୍କୁ ରାମୁର କଙ୍କାଳକୁ ଗୋଡିବାରୀ ଜଙ୍ଗଲରେ ସାଇତି ରଖିବା ସହ ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି । ରିଜିଓନାଲ ନାଚୁରାଲ ମ୍ୟୁଜିୟମରେ ଶଙ୍କର ହାତୀର କଙ୍କାଳ ଭଳି ରାମୁର କଙ୍କାଳ ପର ପିଢୀ ପାଇଁ ପ୍ରଦର୍ଶିତ କରିବାକୁ ଯୋଜନା ହେଉଛି । ଏହା ଉପରେ ଗମ୍ଭୀରତାର ବିଚାର ଚାଲିଛି ବୋଲି ପିସିସିଏଫ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ

ଭୁବନେଶ୍ବର: ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ସଚିବ ସ୍ତରୀୟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ସଚିବଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅଭିବୃଦ୍ଧି ତ୍ୱରାନ୍ୱିତ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ । ବିଭିନ୍ନ ବିଭାଗ, ବିଶେଷ କରି ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା ବିଭାଗଗୁଡିକ ଆବଶ୍ୟକ ସ୍ଥଳେ ଅଧିକ ଟେକନିକାଲ ମେନପାଓ୍ବାର ନିଯୁକ୍ତ କରି କାର୍ଯ୍ୟକ୍ରମଗୁଡିକୁ ଆଗେଇ ନେବା ଉଚିତ୍ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ୨୦୩୬ ଓ ୨୦୪୭ ପାଇଁ ବଡ ଭିଜନ୍ ରଖି କାମ ଆରମ୍ଭ କରିଛନ୍ତି, ତେଣୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏହାକୁ ଦୃଷ୍ଟିରେ ରଖି ସମ୍ମିଳିତ ଭାବେ, ଟିମ୍ ସ୍ପିରିଟ୍ ନେଇ କାମ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବୈଠକରେ ଏପ୍ରିଲ-ଜୁଲାଇ ଅବଧିର ୨୦୨୩-୨୪ ଓ ୨୦୨୪-୨୫ ପାଇଁ ଏକ ତୁଳନାତ୍ମକ ଆୟ ବ୍ୟୟର ହିସାବ ଉପସ୍ଥାପନ କରିଥିଲେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର । ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।

କିଏ ନିଜ ଭୋଟ କଲା ନାକଚ; ରୋଚକ ମୋଡରେ ନିମାପଡ଼ା ଏନଏସି, ସମୀର ବାଉଳା

ନିମାପଡ଼ା: ନିଜ ଭୋଟକୁ କିଏ କଲା ନାକଚ ? ନିମାପଡା ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ଏନଏସିର ରାଜନୀତି ଏକ ରୋଚକ ମୋଡରେ ପହଞ୍ଚିଛି । ପ୍ରକୃତରେ କିଏ ସେହି କାଉନସିଲର ଯିଏ ନିଜ ଭୋଟକୁ ନାକଚ କରିଛି, ତାକୁ ନେଇ ବିଜେପି ଶିବିରରେ ଚାଲିଛି ତନାଘନା । ଅନାସ୍ଥା କାଟ ଖାଇଯିବା ପରେ ବିଜେଡିରୁ ଯାଇ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ମଧ୍ୟ ବାଉଳା ଚାଉଳା ହେଉଛନ୍ତି ।

ବିଜେପି ସମର୍ଥିତ ଯେଉଁ ୮ଜଣ କାଉନସିଲର ଆଜି ଭୋଟ ଦେବାକୁ ଯାଇଥିଲେ ସମସ୍ତଙ୍କୁ ଗୋପ ବ୍ଲକର ବାଙ୍କେଶ୍ବର ମହାଦେବ ମନ୍ଦିରକୁ ଡାକି ସମୀର ଦାଶଙ୍କ ଲୋକମାନେ ପଚରା ଉଚରା କରିବାରେ ଲାଗିଛନ୍ତି । ଠାକୁରଙ୍କ ନିୟମ କରାଇ କିଏ ନାକଚ କରିଛି ଭୋଟ ବୋଲି ପଚାରୁଛନ୍ତି । ଏହା ସିକ୍ରେଟ ବ୍ୟାଲଟ ଭୋଟିଂ ହୋଇଥିବାରୁ କିଏ ନାକଚ କରିଛି ତାହା ଜାଣିବା ସମ୍ଭବ ନୁହେଁ ।

ବିଜେଡିରେ ସମୀର ଥିବା ବେଳେ ଯେଉଁ କାଉନସିଲରମାନେ ଜିତିଥିଲେ, ସେମାନଙ୍କ ମଧ୍ୟରୁ ୫ଜଣ ସମୀର ଦାଶଙ୍କ ଖାସ ଲୋକ ବୋଲି କୁହାଯାଉଥିଲା । ହେଲେ ନିମାପଡା ଟିକେଟ ନପାଇବାରୁ ସମୀର ବିଜେପିକୁ ଡିଆଁ ମାରିଥିଲେ । ଏବେ ନିର୍ବାଚନ ପରେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ଯୋଗୁଁ ବିଜେଡିର ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଅଣାଯାଇଥିଲା । ବିଜେପି ସମର୍ଥିତ କାଉନସିଲର ଓ ସମୀରଙ୍କ ୫ ଜଣ ଅନୁଗତଙ୍କୁ ମିଶାଇଲେ ଅନାସ୍ଥା ସପକ୍ଷରେ ୮ ଜଣଙ୍କ ଭୋଟ ହେବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଆଜି ଭୋଟ ବେଳେ ୮ ଜଣଙ୍କ ମଧ୍ୟରୁ ଜଣେ ତାଙ୍କ ଭୋଟ ନାକଚ କରିଦେଇଥିଲେ । ଫଳରେ ଅନାସ୍ଥା କାଏମ ରଖିବା ନିମନ୍ତେ ଆବଶ୍ୟକ ହେଉଥିବା ୮ ଜଣଙ୍କ ସମର୍ଥନ ମିଳିପାରି ନଥିଲା ଓ ଅନାସ୍ଥା କାଟ ଖାଇଥିଲା । ସୂଚନା ମଧ୍ୟ ରହିଛି ଯେ, ଏହି କାଉନସିଲରମାନଙ୍କୁ ଗଲା ୪ ଦିନ ଧରି ଅନ୍ୟତ୍ର ନେଇ ରଖାଯାଇଥିଲା । କିଛି ଜଣଙ୍କୁ ଅନାସ୍ଥା ସପକ୍ଷରେ ଭୋଟ ଦେବା ପାଇଁ ଧମକ ଚମକ ମଧ୍ୟ ଦିଆଯାଉଥିଲା । କିନ୍ତୁ ଆଜି ସବୁ ଫସର ଫାଟିଯାଇଛି ।

୨୩ରେ ସ୍ଥାନାନ୍ତର ହେବ ଭିତର ଓ ବାହାର ରତ୍ନଭଣ୍ଡାରର ଖାଲି ଆଲମିରା ଓ ସିନ୍ଦୁକ

ପୁରୀ:  ଆସନ୍ତା ୨୩ରେ ସ୍ଥାନାନ୍ତର ହେବ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଓ ସିନ୍ଦୁକ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଅନୁଷ୍ଠିତ ହେବ ।

ଖାଲି ଆଲମିରା ଓ ସିନ୍ଦୁକଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମ୍ ନିକଟସ୍ଥ ଏକ ଗୃହରେ ସୁରକ୍ଷିତ ରଖାଯିବ l ଏହି ଦିନ ଶ୍ରୀଜିଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି  l

୨୩ ତାରିଖ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ଗୋଟାଏରୁ  ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ ।

ଗତ ଜୁଲାଇ ୧୪ ଓ ୧୮ ତାରିଖ ଦିନ ଯଥାକ୍ରମେ ବାହାର ଓ ଭିତର ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ଭିତରେ ଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ଓ ମୂଲ୍ଯବାନ ସାମଗ୍ରୀ ସ୍ଥାନାନ୍ତରଣ ହୋଇସାରିଛି ।