spot_img
Home Blog Page 1684

ରାଜଧାନୀରେ ମାତିଲେ ଲୁଟେରା, କଳା ପଲସରରେ ଆସି ଝାମ୍ପିନେଲେ ୫ ଲକ୍ଷ

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଦିନ ଦ୍ବିପ୍ରହରରେ ମାତିଲେ ଲୁଟେରା। କଳା ପଲସରରେ ଆସି ଝାମ୍ପିନେଲେ ୫ ଲକ୍ଷ ଟଙ୍କା। ଭୁବନେଶ୍ବର ସିଆରପି ଛକ ଆକ୍ସିସ ବ୍ୟାଙ୍କ ବହାରେ ଘଟଣା। ବାସୁଦେବ ମହାରଣା ନାମକ ଜଣେ ବ୍ୟକ୍ତି ଆକ୍ସିସ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ସ୍କୁଟି ନିକଟରେ ଠିଆ ହୋଇଥିବା ବେଳେ, ଟଙ୍କା ଝାମ୍ପି ନେଇଛନ୍ତି ହେଲମେଟ ପିନ୍ଧା ଦୁର୍ବୃତ୍ତ।

ଏଥିସହ ୭୦ ହଜାର ଟଙ୍କାର ଲାପଟପ୍ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ବି ନେଇ ଯାଇଛନ୍ତି ଲୁଟେରା। ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ଲୁଟର ଶିକାର ହୋଇଥିବା ବାସୁଦେବ ଏବେ ରାଜଧାନୀରେ ସାଧାରଣ ଲୋକ ଅସୁରକ୍ଷିତ ବୋଲି କହିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଇସ୍ତଫା ଦେବାକୁ ରାଜି

କୋଲକତା: ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରଙ୍କ ସହ ଲାଗି ରହିଥିବା ଅଚଳା ଅବସ୍ଥା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ନିଜ ପଦରୁ ଇସ୍ତଫା ଦେବାକୁ ରାଜି ଥିବା ସୂଚନା ଦେଇଛନ୍ତି। ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି।

ଆଜି ସେମାନଙ୍କ ସହ ମମତା ବାନାର୍ଜୀ ଆଲୋଚନା କରିବାର ଥିଲା। ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ ୨ ଘଣ୍ଟା କାଳ ଅପେକ୍ଷା କରି ରହିଥିଲେ ମଧ୍ୟ ଆନ୍ଦୋଳନକାରୀ ଡାକ୍ତର ଆସି ନଥିଲେ। ଏହାକୁ ନେଇ ମମତା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ସେ ଲୋକଙ୍କ ସ୍ୱାର୍ଥ ପାଇଁ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କରିଛନ୍ତି।

ମମତା କହିଛନ୍ତି, ଆମ ସରକାର ଅପମାନିତ ହୋଇଛନ୍ତି। ମୁଁ ମୁଖ୍ୟମନ୍ତ୍ରୀ ପଦ ଚାହେଁ ନାହିଁ। ମୁଁ ପୀଡ଼ିତା ପରିବାରକୁ ନ୍ୟାୟ ମିଳୁ ବୋଲି ଚାହୁଁଛି। ସାଧାରଣ ଲୋକ ହସ୍ପିଟାଲରେ ଚିକିତ୍ସିତ ହୋଇପାରନ୍ତୁ ବୋଲି ମୁଁ ଚାହୁଁଛି। ଅଧିକାଂଶ ଡାକ୍ତର ବୈଠକ ପାଇଁ ରାଜି ଥିବା ଅଛନ୍ତି। କିନ୍ତୁ କିଛି ଲୋକ କେବଳ ବିଭ୍ରାଟ ସୃଷ୍ଟି କରିବା ଲକ୍ଷ୍ୟରେ ଅଛନ୍ତି ବୋଲି କହିଛନ୍ତି ମମତା ବାନାର୍ଜୀ।

ଲେଡି ଡନ୍‌ଙ୍କ ଇସାରାରେ ଅଟୋ ଚାଳକକୁ ନିର୍ଦ୍ଧୁମ ପିଟିଲେ ନିଶାସକ୍ତ ଯୁବକ

ଭୁବନେଶ୍ୱର: ଜୟଦେବ ବିହାର ପାଲହାଇଟ୍ସ ନିକଟରେ ଅଟୋ ଚାଳକକୁ ନିର୍ଦ୍ଧୁମ ପିଟିଲେ କିଛି ନିଶାସକ୍ତ ଯୁବକ । ଅଟୋ ପାର୍କିଂକୁ ନେଇ ପ୍ରଥମେ ବଚସା ଓ ପରେ ମାରପିଟ ଆରମ୍ଭ ହୋଇଯାଇଥିଲା । ଅଟୋ ଚାଳକଙ୍କୁ ଟେକି ନେଇ ନିର୍ଦ୍ଧୁମ ପିଟିବା ସହ ଅପହରଣ କରିବାକୁ ଉଦ୍ୟମ କରିଥିଲେ ନିଶାସକ୍ତ ଯୁବକ । ଜଣେ ଲେଡି ଡନଙ୍କ ଇସାରାରେ ୪ ଜଣ ଅସାମାଜିକ ଯୁବକ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।

ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଲୁହା ରଡ଼ ଓ ପ୍ଲାଷ୍ଟିକ ପାଇପରେ ଅଟୋ ଚାଳକଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଅଟୋଚାଳକ ସୁରେନ୍ଦ୍ର ରାଉଳଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି ସ୍ଥାନୀୟଲୋକ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଅସାମାଜିକ ଯୁବକମାନେ ଚମ୍ପଟ ମାରିଥିଲେ । କିଛି ସମୟରେ ଘଟଣାସ୍ଥଳରେ ପିସିଆର ପୋଲିସ ପହଞ୍ଚି ଉଭୟ ଲେଡିଡନ୍ ଓ ଆହତ ଅଟୋ ଚାଳକଙ୍କୁ ଥାନାକୁ ନେଇଛି ପୋଲିସ । ରାଜଧାନୀରେ ଏଭଳି ଆକ୍ରମଣ ଓ ଅପହରଣ ଉଦ୍ୟମ ଘଟଣା ଲୋକଙ୍କ ଭିତରେ ଭୟ ସୃଷ୍ଟି କରିଛି ।

ପ୍ରଜାକୋର୍ଟ କରି ଦୁଇ ଜଣଙ୍କୁ ଫାଶୀଦଣ୍ଡ ଦେଲେ ମାଓବାଦୀ

ବିଜାପୁର: ମାଓବାଦୀ ଗ୍ରାମବାସୀ ସମ୍ମୁଖରେ ପ୍ରଜାକୋର୍ଟ କରି ଦୁଇ ଜଣଙ୍କୁ ଦେଲେ ଫାଶୀ ଦଣ୍ଡ।ଛତିଶଗଡ ବିଜାପୁର ଜିଲ୍ଲା ଜଣ୍ଡାଲାଟରେ ଘଟିଛି ଏପରି ଘଟଣା। ପୋଲିସ ଇନଫରର୍ମର ଅଭିଯୋଗ ପରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।ପ୍ରଜାକୋର୍ଟରେ ମଦଭି ସୁଜା ଏବଂ ପୋଡିୟମ କୋସାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ମାଓବାଦୀ।

ମାଓବାଦୀ ଗଡ ଭାଙ୍ଗି ଯାଉଥିବା ବେଳେ ସାଧାରଣ ଲୋକଙ୍କୁ ଭୟଭୀତ କରାଇବା ପାଇ ଏପରି ଘଟଣା ପ୍ରଥମ ଥର କରିଛନ୍ତି।ଦୁଇ ଜଣକ ଛାତିରେ ପୋଷ୍ଟର ଲଗାଇ ଦେଇଛନ୍ତି ମୃତ୍ୟୁ ଦଣ୍ଡ।ଘଟଣା ପରେ ପୋଲିସ ଘଟଣା ସ୍ଥଳକୁ ଯାଇଛି। ପୋଲିସ ଇନଫରମର ବାହାନାରେ ମାଓବାଦୀମାନେ ଏକ ଜନ ଅଦାଲତ କରି ଦୁଇ ଗ୍ରାମବାସୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।

ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ଉଭୟଙ୍କୁ ଫାଶୀ ଦିଆଯାଇଥିବା ଘଟଣା ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ଲିଫଲେଟ୍ ଛାଡିଥିବା ବେଳେ ଏଥିରେ ଭିରମଗଡ ଏରିଆ କମିଟି ଦ୍ଵାରା ମୃତ୍ୟୁ ଦଣ୍ଡ ଦିଆଯାଇଥିବା ଉଲ୍ଲେଖ ରହିଛି। ଦୁଇ ଦିନ ପୂର୍ବେ ଜାପେମାର୍କା ଗାଁର ମାଧବୀ ସୋଜା ଏବଂ ପୋଡିୟମ୍ କୋସା ନକ୍ସଲମାନଙ୍କ ଦ୍ୱାରା ଅପହରଣ ହୋଇଥିଲେ। ଏହା ସହିତ ମର୍ଟୁରର ଏକ ହଷ୍ଟେଲରେ ପଢ଼ୁଥିବା ପୋଡ଼ିୟମ୍ ହିଦମା ନାମକ ଜଣେ ଛାତ୍ରଙ୍କୁ ମଧ୍ୟ ଅପହରଣ କରାଯାଇଥିଲା।

ନକ୍ସଲମାନେ ଜାପେମାର୍କା ଗ୍ରାମ ଜଙ୍ଗଲରେ ସେମାନଙ୍କ ପାଇଁ ପ୍ରଜାକୋର୍ଟ କରିଥିଲେ। ଗ୍ରାମବାସୀଙ୍କ ଉପସ୍ଥିତିରେ ମାଓବାଦୀମାନେ ଏହି ତିନି ଜଣଙ୍କୁ ପୋଲିସ ସୂଚନାଦାତା ବୋଲି ଅଭିହିତ କରିଥିଲେ। ଏହା ପରେ ନକ୍ସଲମାନେ ଗ୍ରାମବାସୀଙ୍କ ଉପସ୍ଥିତିରେ ମାଧବୀ ସୋଜା ଏବଂ ପୋଡିୟମ୍ କୋସାଙ୍କୁ ହତ୍ୟା କରିଥିଲେ। ତାଙ୍କୁ ସମସ୍ତ ଗ୍ରାମବାସୀଙ୍କ ସମ୍ମୁଖରେ ଏକ ଗଛରେ ଟାଙ୍ଗି ଦିଆଯାଇଥିଲା। ଫଳସ୍ୱରୂପ ଉଭୟଙ୍କର ମୃତ୍ୟୁ ହୋଇଥିଲା।

ପୋଡିୟମ୍ ହିଡମା ନାମକ ଛାତ୍ରଙ୍କୁ ମାଓବାଦୀମାନେ ଚେତାବନୀ ଦେଇ ଛାଡି ଦେଇଥିଲେ। ଖବର ମୁତାବକ ପରିବାର ଲୋକଙ୍କୁ ଏପରିକି ଗ୍ରାମବାସୀଙ୍କୁ ମଧ୍ୟ ପୋଲିସକୁ ନ ଜଣାଇବାକୁ ଧମକ ଦେଇଛନ୍ତି। ଉଭୟ ମୃତକଙ୍କ ଶବ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା।

ଆଖି ବୁଜିଲେ ସିପିଆଇ(ଏମ) ନେତା ସୀତାରାମ ୟେଚୁରୀ

ନୂଆଦିଲ୍ଲୀ: ସିପିଆଇ(ଏମ) ସାଧାରଣ ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀଙ୍କ ପରଲୋକ  । ୭୨ ବର୍ଷ ବୟସରେ ଆଖି ବୁଜିଛନ୍ତି ସୀତାରାମ ୟେଚୁରୀ  । ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ସେ ଆଖି ବୁଜିଛନ୍ତି  ।

ଫୁସଫୁସ ଜନିତ ସଂକ୍ରମଣ କାରଣରୁ ସେ ଏମ୍ସର ଆଇସିୟୁରେ ଭର୍ତ୍ତି ହୋଇଥିଲେ  । ଦୀର୍ଘଦିନରୁ ସେ ଭେଣ୍ଟିଲେଟରରେ ଥିଲେ  । ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ରହିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି । ୨୦୧୫ରୁ ସେ ସିପିଆଇଏମର ସାଧାରଣ ସମ୍ପାଦକ ଦାୟିତ୍ବ ନେଇଛନ୍ତି  ।

ସିପିଏମ ପଲିଟିବ୍ଯୁରୋର ସଦସ୍ଯ ଥିଲେ ସୀତାରାମ ୟେଚୁରୀ । ୨୦୦୫ରୁ ୨୦୧୭ ଯାଏ ସେ ରାଜ୍ଯସଭା ସଦସ୍ଯ ଥିଲେ  । ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଜେଏନୟୁରୁ ଶିକ୍ଷାଲାଭ କରିଥିବା ସୀତାରାମ ଏସଏଫଆଇର ଜଣେ ଟାଣୁଆ ନେତା ଥିଲେ  । ସୀତାରାମ ସିପିଏମରେ ୧୯୭୫ରେ ଯୋଗ ଦେଇଥିଲେ ।

ଜେଏନୟୁର ୩ ଥର ସଭାପତି ଥାଇ ଦେଖାଇଥିଲେ ପରାକାଷ୍ଠା । ୧୯୯୨ରେ ସେ ହୋଇଥିଲେ ପଲିଟିବ୍ଯୁରୋ ସଦସ୍ଯ । ୟୁପିଏ ସରକାର ଅମଳରେ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ଚିଠା କମିଟିରେ ଥିଲେ ସୀତାରାମ ।

ଆସନ୍ତା ୧୮ରୁ ଯୁକ୍ତ ଦୁଇ ଫର୍ମ ପୂରଣ ଆରମ୍ଭ, ଅକ୍ଟୋବର ୪ରୁ ଜୋରିମାନା

ଭୁବନେଶ୍ବର: ଯୁକ୍ତ ଦୁଇ ଫର୍ମ ଫିଲଅପ୍ ପାଇଁ ଆସିଲା ତାରିଖ। ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମ ପୂରଣ। ୧୮ ସେପ୍ଟେମ୍ବରରୁ ୧ ଅକ୍ଟୋବର ଯାଏଁ ଚାଲିବ ଫର୍ମ ପୂରଣ। ଯେଉଁମାନେ ଏହି ତାରିଖରେ ଫର୍ମ ପୂରଣ କରିପାରିବେ ନାହିଁ ସେମାନେ ଅକ୍ଟୋବର ୪ରୁ ୧୪ ଯାଏଁ ୨୦୦ ଟଙ୍କା ଜୋରିମାନାରେ ଫର୍ମପୂରଣ କରିପାରିବେ।

ସେହିପରି ୬୦୦ ଟଙ୍କା ଜୋରିମାନାରେ ନଭେମ୍ବର ୧୧ ରୁ ୧୮ ଯାଏଁ ଫର୍ମପୂରଣ କରିହେବ। ୨୦୨୫ ବାର୍ଷିକ ପରୀକ୍ଷା ପାଇଁ ହେବ ଫର୍ମ ଫିଲଅପ୍। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଇଁ ଫର୍ମପୂରଣ କରାଯିବ। ସମସ୍ତ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ କରିବେ ଫର୍ମ ପୂରଣ। ଏନେଇ ଉଚ୍ଚ ମାଧ୍ଯମିକ ଶିକ୍ଷା ପିରଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଗଣେଶ ପୂଜା ଭସାଣିରେ ବନ୍ଧୁକ ଧରି ନାଚିଲେ କର୍ପୋରେଟର

ଭୁବନେଶ୍ବର: ବନ୍ଧୁକ ଧରି ନାଚିଲେ ଜୀବନ ରାଉତ । ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ ଗଣେଶ ପୂଜା ବେଳେ ବନ୍ଧୁକ ଧରି ନାଚିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗତକାଲି ରାତିରେ ୟୁନିଟ ୯ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ପ୍ରଶ୍ନ ଉଠୁଛି ଯଦି ଯୁବପିଢି ଖେଳନା ବନ୍ଧୁକ ଧରି ରିଲସ କରୁଛନ୍ତି ତେବେ ତାକୁ ନେଇ ପଚରାଉଚରା କରୁଛି ପୋଲିସ । କିନ୍ତୁ ରାଜଧାନୀର ଛାତି ଉପରେ ଜଣେ ରାଜନେତା ଏଭଳି କଲେ କେମିତି ? ପୂର୍ବରୁ ଜୀବନଙ୍କ ନାଁ ରେ ଅନେକ ମାମଲା ରହିଛି । କିଛିଦିନ ତଳେ ପଳାଶୁଣି ଛକରେ ଜଣେ ପେଟ୍ରୋଲିଂ କରୁଥିବା ପୋଲିସକୁ ମାଡ଼ ମାରି  କର୍ପୋରେଟର ଜଣଙ୍କ ଗିରଫ ହୋଇଥିଲେ।

ନୂଆଁଖାଇ ଚାନ୍ଦାକୁ ନେଇ ଦୁଇ ଗୋଷ୍ଠୀ ମଧ୍ଯରେ ବିବାଦ, ଟାଙ୍ଗିଆ ଚୋଟରେ ୨ ଜଣ ଗୁରୁତର

କେନ୍ଦୁଝର: ନୂଆଁଖାଇ ଚାନ୍ଦାକୁ ନେଇ ଦୁଇ ଗୋଷ୍ଠୀ ମଧ୍ଯରେ ବିବାଦ। ଟାଙ୍ଗିଆ ଚୋଟରେ ୨ ଜୁଆଙ୍ଗ ବ୍ଯକ୍ତି ଗୁରୁତର । ତେଲକୋଇ ମେଡିକାଲରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ତାଳପଦା ପଞ୍ଚାୟତ ଗୁରୁମ ଚାନ୍ଦପଶି ଗାଁରେ ନୂଆଁଖାଇ ପର୍ବ ପାଇଁ ପ୍ରତି ପରିବାରରୁ ଚାନ୍ଦା ସଂଗ୍ରହ କରାଯାଉଥିଲା । ଆଜି ପୂର୍ବାହ୍ନରେ ଗ୍ରାମବାସୀ ମୁଣ୍ଡା ସାହିକୁ ଚାନ୍ଦା ସଂଗ୍ରହ ପାଇଁ ଯାଇଥିଲେ। ସେମାନେ ଚାନ୍ଦା ଦେବାକୁ ମନା କରିବାରୁ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମୁଣ୍ଡା ସାହିର ସାଗର ମୁଣ୍ଡା ନାମକ ଜଣେ ଯୁବକ ଚିନ୍ତା ଜୁଆଙ୍ଗଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା। ବାପାକୁ ଉଦ୍ଧାର କରିବାକୁ ଯାଇ ପୁଅ ବୈକୁଣ୍ଠ ଜୁଆଙ୍ଗ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏହାକୁ ନେଇ ଗାଁରେ ତିକ୍ତତା ସୃଷ୍ଟି ହୋଇଛି ।

ଇନ୍ଦୋରରେ ଲଜ୍ଜା: ୨ ଆର୍ମି ଅଫିସରଙ୍କୁ ଆକ୍ରମଣ କରିବା ସହ ମହିଳା ବନ୍ଧୁଙ୍କୁ ଗଣଦୁଷ୍କର୍ମ

ନନ୍ଦିଘୋଷ ବ୍ୟୁରୋ : ମଧ୍ଯପ୍ରଦେଶରେ ଇନ୍ଦୋରରେ ଲଜ୍ଜା। ୨ ଆର୍ମି ଅଫିସରଙ୍କୁ ଆକ୍ରମଣ କଲେ ୮ ଦୁର୍ବୃତ୍ତ । ଦୁଇ ଜଣ ଯୁବ ସେନା ଅଫିସରଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଜଣେ ମହିଳା ବନ୍ଧୁଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ କରାଯାଇଛି। ମଧ୍ଯପ୍ରଦେଶର ଇନ୍ଦୋରରେ ଘଟିଛି ଘଟଣା। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ଯରୁ ଜଣଙ୍କର ଅପରାଧ ରେକର୍ଡ ଥିବା ସୂଚନା ମିଳିଛି।

ଏହି ଦୁଇ ସେନା ଅଫିସର ଇନ୍ଦୋରର ମହୁ ଆର୍ମି କଲେଜରେ ଟ୍ରେନିଂ ନେଉଥିଲେ। ସେମାନେ ଦୁଇ ବାନ୍ଧବୀଙ୍କ ସହ ଛୋଟିଜାମସ୍ଥିତ ଫାୟାରିଂ ରେଞ୍ଜ ନିକଟସ୍ଥ ଏକ ସ୍ପଟକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ସେମାନେ ସେହି ସ୍ପଟରେ ଥିବାବେଳେ ୮ ଜଣ ଦୁର୍ବୃତ୍ତ ଅକସ୍ମାତ ସେଠାରେ ପହଞ୍ଚି ସେମାନଙ୍କୁ ପିସ୍ତଲ, ଛୁରି ଓ ଲାଠି ଦେଖାଇ ଭୟଭୀତ କରିବା ସହ ଆକ୍ରମଣ କରିଥିଲେ। ପରେ ସେମାନଙ୍କ ନିକଟରେ ଯାହା ଥିଲା ତାହାକୁ ଅପରାଧୀମାନେ ଲୁଟି ନେଇଥିଲେ। ଏହା ସହ ସେମାନେ ଜଣେ ଅଫିସର ଓ ଜଣେ ମହିଳାଙ୍କୁ ପଣବନ୍ଦୀ ଭାବେ ନେଇଯିବା ସହ ୧୦ ଲକ୍ଷ ଟଙ୍କା ମାଗିଥିଲେ। ତେବେ ଜଣେ ଅଫିସର ଚତୁରତାର ସହ ଏ  ବିଷୟ କମାଣ୍ଡିଂ ଅଫିସରଙ୍କୁ ଜଣାଇଥିଲେ। ପୋଲିସ  ଅଫିସର ଓ ମିଲିଟାରୀ ପର୍ସୋନେଲ ସେଠାରେ ପହଞ୍ଚିବା ବେଳେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ୨ ଆର୍ମି ଅଫିସର ଓ ୨ ବାନ୍ଧବୀଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲ ପରୀକ୍ଷା ଲାଗି ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଛି। ଦୁଇ ବାନ୍ଧବୀଙ୍କ ମଧ୍ଯରୁ ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି।

 

ହଦଗଡ଼ ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହଦଗଡ଼ ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଏନେଇ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ । ଅଭିଯୋଗ ଅନୁସାରେ, ବାଲିଆ ଗାଁର ମନ୍ଦର ରାଉତଙ୍କ ପୁଅ ହଦଗଡ଼ ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢନ୍ତି । ଅନ୍ଯଛାତ୍ରମାନେ ତାଙ୍କୁ ବାରମ୍ବାର ମାରପିଟ କରିବା ସହ ରାଗିଂ କରୁଥିବା ଅଭିଯୋଗ ହୋଇଛି । ପୂର୍ବରୁ ରାଗିଂ ହେବାନେଇ ଛାତ୍ରଙ୍କ ପରିବାର ସ୍କୁଲ ଅଧ୍ଯକ୍ଷଙ୍କୁ ଜଣାଇଥିଲେ । ପରେ ଆଲୋଚନା କରି ଆପୋଷ ବୁଝାବଣା ହୋଇଥିଲା। ହେଲେ କିଛି ଅସାମାଜିକ ଛାତ୍ରଙ୍କ ଦୌରାତ୍ମ୍ଯ ଦିନକୁ ଦିନ ବଢିବା ଯୋଗୁଁ ସଂପୃକ୍ତ ଛାତ୍ର ଦୁଶ୍ଚିନ୍ତାରେ ରହୁଥିଲେ। ଖରାଛୁଟି ପୂର୍ବରୁ ମାଡ଼ ଭୟରେ ଛାତ୍ର ଘରେ ୮ ମାସ ରହିଥିଲେ । ପୁଣିଥରେ ବୁଧବାର କ୍ଲାସ ଚାଲିଥିବା ସମୟରେ କିଛି ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।