ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୂର ନେଇ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିିଂହ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଏହି ଅପରେସନ ବେଳେ ଇତିହାସ ରଚିଥିଲା ଭାରତୀୟ ବାୟୁସେନା । ପାକିସ୍ତାନର ୩୦୦ କିଲୋମିଟର ଭିତରକୁ ଯାଇ ଭାରତୀୟ ବାୟୁସେନା ଧ୍ଵଂସ କରିଥିଲା ଆତଙ୍କବାଦୀଙ୍କ ଆଡ୍ଡା। ଏପରିକି ଜବାବ ଦେବାକୁ ଭାରତୀୟ ସୀମା ପାଖକୁ ଆସିପାରିନଥିଲା ପାକିସ୍ତାନ। ଅତି କମ୍ ସମୟ ମଧ୍ୟରେ ଭାରତ ନିଜର ଲକ୍ଷ୍ୟ ପୂରଣ କରଥିଲା। ଅର୍ଥାତ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ଵଂସ କରିଥିଲା। ଏମିତି ଆକ୍ରମଣ ହୋଇଥିଲା ଯେ, ତୁରନ୍ତ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ଇସଲାମାବାଦ। ମିଲିଟାରି ଆକ୍ସନ ନେବା ପାଇଁ ସେନାକୁ ମିଳିଥିଲା ପୂର୍ଣ୍ଣ କ୍ଷମତା। ଏହି ଯୁଦ୍ଧ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ ଯେ, ସ୍ପଷ୍ଟ ଲକ୍ଷ୍ୟ ନେଇ ଏହା ଆରମ୍ଭ ହୋଇଥିଲା ଏବଂ ଖୁବ ଅଳ୍ପ ସମୟରେ ତାହା ପୂରଣ ହୋଇଥିଲା। ତେଣୁ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କରିବା ପରେ ଆମେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲୁ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ।
ଜୁବିନଙ୍କ ମୃତ୍ୟୁ ମାମଲାରେ ଆଉ ୨ ଗିରଫ
ନନ୍ଦିଘୋଷ ବ୍ୟୁରୋ : ଆସାମର ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଜୁବିନଙ୍କ ବନ୍ଧୁ ଶେଖର ଜ୍ୟୋତି ଗୋସ୍ଵାମୀ ଓ ଅମ୍ରିତପ୍ରଭା ମହନ୍ତ। ଜୁବିନଙ୍କ ବ୍ୟାଣ୍ଡରେ କାମ କରୁଥିଲେ ଉଭୟେ। ଅମ୍ରିତପ୍ରଭା ନିଜେ ଜଣେ କଣ୍ଠଶିଳ୍ପୀ। ଏମାନଙ୍କୁ ମିଶାଇ ଏହି ଘଟଣାରେ ଆସାମ ପୋଲିସ ଏସଆଇଟି ୪ ଜଣଙ୍କୁ ଗିରଫ କଲାଣି। ଜୁବିନଙ୍କ ମୃତ୍ୟୁ ସମୟରେ ଉଭୟ ଶେଖର ଓ ଅମ୍ରିତପ୍ରଭା ତାଙ୍କ ସାଙ୍ଗରେ ଥିଲେ। ଜୁବିନଙ୍କ ସହିତ ଶେଖର ଏକା ସାଙ୍ଗରେ ପହଁରୁଥିଲେ। ସେପଟେ ଅମ୍ରିତପ୍ରଭା ନିଜ ମୋବାଇଲରେ ପୁରା ଘଟଣାର ସୁଟିଂ କରିଛନ୍ତି।
୬ ଘଣ୍ଟା ଧରି ପଚରା ଉଚରା କରିବା ପରେ ଉଭୟଙ୍କୁ ଗିରଫ କରିଛି ଏସଆଇଟି। କୋର୍ଟ ଉଭୟଙ୍କୁ ୧୪ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ଆଗରୁ ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଓ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ ମ୍ୟାନେଜର ଶ୍ୟାମକାନୁ ମହନ୍ତଙ୍କୁ ବି ଗିରଫ କରାଯାଇଛି। ଏସଆଇଟି ଏବେ ସମସ୍ତଙ୍କୁ ଏକା ସାଙ୍ଗରେ ମୁହାଁମୁହିଁ ଜେରା କରିବ ବୋଲି ଜଣାପଡ଼ିଛି। ଏସଆଇଟି ତଦନ୍ତ ପାଇଁ ସିଙ୍ଗାପୁର ମଧ୍ୟ ଯିବ ବୋଲି ଜଣାପଡ଼ିଛି। ସେପଟେ ଜୁବିନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଭାରତୀୟ ଦୂତାବାସକୁ ଏହି ରିପୋର୍ଟ ଦିଆଯାଇଛି। ଏହି ପୋଷ୍ଟମର୍ଟମ ରିପୋର୍ଟକୁ ଆସାମ ପୋଲିସକୁ ହସ୍ତାନ୍ତର କରାଯିବ। ଏହା ପରେ ଜୁବିନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ସିଙ୍ଗାପୁରକୁ ନଷ୍ଟ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲକୁ ଯାଇଥିବା ବେଳେ ଜୁବିନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗତ ସେପଟେମ୍ଵର ୧୯ ରେ ଏହି ଘଟଣା ଘଟିଥିଲା। ସମୁଦ୍ରରେ ପହଁରିବାକୁ ଯାଇଥିବା ବେଳେ ପାଣିରୁ ଉଦ୍ଧାର ହୋଇଥିଲା ଜୁବିନଙ୍କ ମୃତଦେହ।
ଖୋଲୁଛି ବାବା ଚୈତନ୍ୟାନନ୍ଦଙ୍କ ଅନେକ ଗୁମର ; ୩ ମହିଳା ସହଯୋଗୀ ଗିରଫ
ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ବିବାଦୀୟ ଗଡମ୍ୟାନ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀଙ୍କ ଖୋଲିଛି ଆଉ ଅନେକ ଗୁମର। ଜେରାର ସମ୍ମୁଖୀନ ହୋଇଥିବା ବାବାଙ୍କ ୩ ମହିଳା ସହଯୋଗୀଙ୍କୁ ଗିରଫ କରାଯାଇଛି। ବାବାଙ୍କ ଚାପରେ ସେମାନେ ଛାତ୍ରୀମାନଙ୍କୁ ବିଭିନ୍ନ ଅସାଧୁ କାର୍ଯ୍ୟକଳାପରେ ଲିପ୍ତ କରିବା ଦିଗରେ କାର୍ଯ୍ୟ କରୁଥିଲେ। ଗିରଫ ୩ ମହିଳା ହେଲେ ଆସୋସିଏଟ ଡିନ ଶ୍ବେତା ଶର୍ମା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବନା କପିଲ ଓ ସିନିଅର ଫାକଲ୍ଟି କାଜଲ। ଛାତ୍ରୀଙ୍କୁ ଧମକ ଦେବା, କୁକାର୍ଯ୍ୟ ଲାଗି ପ୍ରୋତ୍ସାହିତ କରିବା, ପ୍ରମାଣ ନଷ୍ଟ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।
ବାବାଙ୍କ ନିକଟରୁ ୩ଟି ଫୋନ ଓ ଗୋଟିଏ ଆଇପ୍ୟାଡ ଜବତ କରାଯାଇଛି। ଗୋଟିଏ ଫୋନରେ କ୍ୟାମ୍ପସ ଓ ହଷ୍ଟେଲର ସିସିଟିଭି ଫୁଟେଜର ଆସେସ ରହିଥିଲା। ବାବାଙ୍କ ନିକଟରେ ଥିବା ୮ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ବି ସିଜ କରାଯାଇଛି। ବାବାଙ୍କ ବିରୋଧରେ ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟର ୧୭ ଛାତ୍ରୀ ଅଭିଯୋଗ ଆଣିବା ପରେ ଗିରଫ ହୋଇଥିଲେ ବାବା। ପୋଲିସ ହେପାଜତରେ ଥାଇ ଆଶ୍ରମରେ ଚାଲିଥିବା ବିଭିନ୍ନ କେଳଙ୍କାରୀ ସମ୍ପର୍କରେ ସୂଚନା ଦେବାରେ ଲାଗିଛନ୍ତି ବାବା। ଆଶ୍ରମ ସମ୍ପର୍କରେ ଅନେକ ଗୋପନୀୟ ତଥ୍ୟ ପୋଲିସ ହାତରେ ବି ଲାଗିଛି। ଗତ ରବିବାର ଆଗ୍ରାର ଏକ ହୋଟେଲରୁ ଗିରଫ କରାଯାଇଥିଲା।
ଭାରତ ଉପରେ ଟାରିଫ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ପୁଟିନଙ୍କ ନାଲିଆଖି
ନନ୍ଦିଘୋଷ ବ୍ୟୁରୋ : ଭାରତ ଉପରେ ଟାରିଫ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନାଲିଆଖି। ରୁଷ ସହ ଶକ୍ତି ସଂକ୍ରାନ୍ତ ବାଣିଜ୍ୟ ହ୍ରାସ ଲାଗି ଭାରତ ଉପରେ ଆମେରିକା ଯେଉଁ ଚାପ ପକାଉଛି ତାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ପୁଟିନ। ଏହାର ପ୍ରଭାବ ୱାଶିଂଟନ ଉପରେ ପଡ଼ିବ ବୋଲି ସେ କହିଛନ୍ତି। ୧୪୦ ଦେଶର ନିରାପତ୍ତା ଓ ଭୂରାଜନୈତିକ ବିଶେଷଜ୍ଞଙ୍କୁ ନେଇ ଦକ୍ଷିଣ ରୁଷର ସୋଚିରେ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇ ପୁଟିନ କହିଛନ୍ତି-ରୁଷର ଟ୍ରେଡ ପାର୍ଟନରଙ୍କ ଉପରେ ଆମେରିକା ଜାଣିଶୁଣି ଟାରିଫ ପ୍ରହାର କରୁଛି। ଏହା ଦ୍ବାରା ବିଶ୍ବରେ ଶକ୍ତି ଦରରେ ଅସ୍ଥିରତା ସୃଷ୍ଟି ହେବ। ପ୍ରଭାବରେ ଆମେରିକା ଫେଡେରାଲ ରିଜର୍ଭ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିବ ଯାହାକି ଆମେରିକା ଅର୍ଥନୀତିକୁ କ୍ଷତିଗ୍ରସ୍ତ କରିବ। ରୁଷଠାରୁ ଯଦି ଭାରତ ଶକ୍ତି କ୍ରୟ ନକରେ ତେବେ ଭାରତ ୧୦ ବିଲିୟନ ଡଲାର କ୍ଷତିର ସମ୍ମୁଖୀନ ହୋଇପାରେ। ଏହା ସହ ଆସନ୍ତା ଡିସେମ୍ବରରେ ଭାରତ ଆସିବେ ବୋଲି ସୂଚନା ଦେଇଥିଲେ। ଭାରତ ସହ ଘଟିଥିବା ବାଣିଜ୍ୟିକ ସମସ୍ୟାର ସମାଧାନ ଲାଗି ସେ ଗସ୍ତକାଳରେ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହରେ ପୁଟିନଙ୍କ ଗସ୍ତ ହୋଇପାରେ ବୋଲି ସୂଚନା ମିଳିଛି। ଡିସେମ୍ବର ୪ରୁ ୬ ମଧ୍ଯରେ କୌଣସି ଦିନ ପୁଟିନ ଭାରତ ଗସ୍ତରେ ଆସିପାରନ୍ତି ବୋଲି ଚର୍ଚ୍ଚା ହୋଇଛି। ତେବେ ସେ କେଉଁ ସହରକୁ ଗସ୍ତ କରିବେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଜୟପୁର, ଆଗ୍ରା କିମ୍ବା ଗୋଆ ମଧ୍ଯରୁ କୌଣସି ଗୋଟିଏ ସ୍ଥାନକୁ ପୁଟିନ ଆସିବା ସମ୍ଭାବନା ରହିଛି।
ଦୁର୍ଗା ପୂଜା ମଣ୍ଡପରେ ନାଚିବାକୁ ବାରଣ କରିବାରୁ ଶ୍ୱଶୁରଙ୍କୁ ପିଟିପିଟି ମାରି ଦେଲା ବୋହୂ
ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଶ୍ୱଶୁରଙ୍କୁ ପିଟିପିଟି ମାରିଦେଇଛନ୍ତି ବୋହୂ। ଦୁର୍ଗା ପୂଜା ମଣ୍ଡପରେ ନାଚିବାକୁ ବାରଣ କରିବାରୁ ବୋହୂ ଏପରି ଚରମ କାଣ୍ଡ । ଘଟଣାଟି ମୌଗଞ୍ଜ ଜିଲ୍ଲାରେ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ରାମରତିଙ୍କ ବୋହୂ ଏକ ଦୁର୍ଗା ପୂଜା ମଣ୍ଡପରେ ନୃତ୍ୟ ପ୍ରଦର୍ଶନ କରିବାକୁ ଯୋଜନା କରୁଥିଲେ। କିନ୍ତୁ ସେ ଏଥିରେ ବିରୋଧ କରିଥିଲେ। ଏଥିରେ ରାଗିଯାଇ ତାଙ୍କ ନାତି ସୋନୁ ଏକ କୋଦାଳରେ ଆକ୍ରମଣ କରିଥିଲେ ଏବଂ ତା’ପରେ ପୁଅ ବେଦପ୍ରକାଶ ଏବଂ ରାମରତିଙ୍କ ସ୍ତ୍ରୀ ତାଙ୍କୁ ଠେଙ୍ଗାରେ ପିଟିଥିଲେ। ଏହି ନିର୍ମମ ଆକ୍ରମଣରେ ୬୨ ବର୍ଷୀୟ ବୃଦ୍ଧଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୋଲିସ କହିଛି ଯେ ସେମାନେ ଘଟଣାର ୨୪ ଘଣ୍ଟା ମଧ୍ୟରେ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏବଂ ସେମାନଙ୍କ ଉପରେ ଧାରା ୧୦୩(୧) ଏବଂ ୩(୫) ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି।
ଚୌଦ୍ଵାର ଜେଲରୁ ଚମ୍ପଟ ମାରିଲେ ୨ହାର୍ଡକୋର ଅପରାଧୀ
ନନ୍ଦିଘୋଷ ବ୍ୟୁରୋ : ଚୌଦ୍ଵାର ଜେଲରୁ ଚମ୍ପଟ ମାରିଲେ ୨ହାର୍ଡକୋର ଅପରାଧୀ। ପାଣିକୋଇଲି ସୁନା ଦୋକାନୀ ମର୍ଡର କେସର ଅଭିଯୁକ୍ତ ଚୌଦ୍ଵାର ଜେଲରୁ ଖସି ଯାଇଥିବା ସୂଚନା। ଜେଲର ସେଲ କାଟି ଫେରାର୍ ହୋଇଯାଇଥିବା ଜଣାପଡିଛି। ଦଶହରା ପୂଜା ଚାଲିଥିବା ବେଳେ ଜେଲରେ ୱାର୍ଡରଙ୍କ ଅନୁପସ୍ଥିତି ଦେଖି ଫେରାର୍ ହୋଇଛନ୍ତି ଅପରାଧୀ। ଗତ ଜାନୁଆରୀ ୪ ତାରିଖରେ ଯାଜପୁର ପାଣିକୋଇଲି ବଜାରରେ ଥିବା ପଣ୍ଡା ଆଳଙ୍କାର ଲୁଟ କରିବା ପାଇଁ ଆସିଥିଲେ ଉଭୟ ଲୁଟେରା। ଆଳଙ୍କାର ଦୋକାନୀ ଉପରକୁ ଗୁଳିମାଡ କରିଥିଲେ। ଯେଉଁଥିରେ ଆଳଙ୍କାର ଦୋକାନୀ ପ୍ରାଣ ହରାଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ପରେ ସେମାନଙ୍କୁ ଯାଜପୁର ଜେଲକୁ ପଠାଇ ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ ପରେ ସେମାନଙ୍କୁ କଟକ ସ୍ପେଶାଲ ଜେଲ ଚୌଦ୍ଵାରକୁ ସ୍ଥାନାନ୍ତର କରାଯାଇଥିଲା।
୨୬ରୁ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ
ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨୬ରୁ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ। ୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ବିମାନ ସେବା ବାତିଲ ହୋଇଥିଲା। ୨୬ରୁ ବିମାନ ଯାତ୍ରା ସମ୍ପର୍କରେ ସୂଚନା ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ। ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ହେବା ସମ୍ପର୍କରେ ସହମତି ପ୍ରକାଶ ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯିବା ପରେ ଇଣ୍ଡିଗୋ ଏହି ସୂଚନା ଦେଇଛି। ବନ୍ଦ ରହିଥିବା ବିମାନ ସେବାକୁ ପୁନଃପ୍ରଚଳନ କରିବା ସଂକ୍ରାନ୍ତରେ ଦୁଇ ଦେଶ ମଧ୍ୟରେ ବୈଷୟିକ କଥାବାର୍ତ୍ତା ଚାଲୁ ରହିଥିଲା। ଗଲୱାନ ସଂଘର୍ଷ ପରେ ପରେ କୋଭିଡ ସମସ୍ୟା ଯୋଗୁ ବିମାନ ସେବା ଅଧିକ ପ୍ରଭାବିତ ହୋଇଥିଲା।

