spot_img
Home Blog Page 1695

ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ନେଇ ଧର୍ମେନ୍ଦ୍ରଙ୍କ ଚିଠି ପରେ ବିଜେଡି କହିଲା ନିଯୁକ୍ତି କ୍ଷେତ୍ରରେ ତ୍ରୁଟି ଦେଖାଯିବ

ଭୁବନେଶ୍ବର: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦କୁ ପୁନଃ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିବାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ନେତା ଚିନ୍ମୟ ସାହୁ କହିଛନ୍ତି, ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ସୁଧାର ଆଣିବାକୁ ୨୦୨୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛ ଭାବରେ ସ୍ୱତନ୍ତ୍ର ପରୀକ୍ଷା ହୋଇଥିଲା । ପ୍ରିୟାପ୍ରୀତି ପୋଷଣ ବନ୍ଦ କରିବାକୁ ଏହି ପଦକ୍ଷେପ ନିଆଯାଇଥିଲା । ଯୋଗ୍ୟ ବ୍ଯକ୍ତି କୃତକାର୍ଯ୍ୟ ହୋଇ ବଡ଼ ବଡ଼ ସ୍ଥାନରେ ଅଛନ୍ତି । ତାକୁ ଉଚ୍ଛେଦ କରିବାକୁ ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେପି ଶାସିତ ରାଜ୍ୟରେ ନିଯୁକ୍ତିରେ ଯେଉଁପରି ଦୁର୍ନୀତିର ସିଣ୍ଡିକେଟ ହେଉଛି, ଓଡ଼ିଶାରେ ବି ସେମିତି କରିବାକୁ ଉଦ୍ଯମ କରାଯାଉଥିବା ସନ୍ଦେହ ହେଉଛି । ପୂର୍ବ ଆଇନରେ ସଂଶୋଧନ କରାଗଲେ ନିଯୁକ୍ତି କ୍ଷେତ୍ରରେ ଅନେକ ତ୍ରୁଟି ଦେଖାଯିବ ବୋଲି ଦଳ କ’ରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦ରେ ସଂଶୋଧନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଏଥିରେ ସେ ଉଲ୍ଲେଖ କରିଛନ୍ତି, ମୂଳ ଆଇନ ୧୯୮୯ରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା । ଏହି ଆଇନ ଶିକ୍ଷାନୁଷ୍ଠାନର ସ୍ୱାୟତତା, ଶିକ୍ଷାବିତଙ୍କ ସ୍ବାଧୀନତା ଓ ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରୁଛି । ୟୁଜିସି ଦ୍ୱାରା ନିର୍ଦ୍ଧାରିତ ଆଇନର ବ୍ୟବସ୍ଥା, ନିୟମ ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ନ୍ୟାୟିକ ନିର୍ଦ୍ଦେଶର ବିରୋଧୀ ଥିଲା ସେହି ଆଇନ । ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପଦ୍ଧତି ସମ୍ପର୍କରେ ଆଇନରେ ଥିବା ବ୍ୟବସ୍ଥା ୟୁଜିସି ନିୟମାବଳୀକୁ ବିରୋଧ କରୁଥିବା ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଥିଲେ । ତେଣୁ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସେ ଚିଠିରେ ଉଲ୍ଲେଖ କରିଥିଲେ ।

କୋଷ୍ଟାଲ ହାଇଓ୍ବେ ପ୍ରସଙ୍ଗରେ ବିଜେପିକୁ ବିଜେଡିର ଟାର୍ଗେଟ

ଭୁବନେଶ୍ବର: କୋଷ୍ଟାଲ ହାଇଓ୍ବେ ପ୍ରସଙ୍ଗକୁ ନେଇ ବିଜେପିକୁ ବିଜେଡିର ଟାର୍ଗେଟ । ଆଲାଇନମେଣ୍ଟ ନାଁରେ ୫ ବର୍ଷ ବିତିଲାଣି। କାମ ତ ଆରମ୍ଭ ହୋଇନି । ହେଲେ ଏବେ ପରିବେଶ ମଞ୍ଜୁରୀ କଥା କହୁଛି ବିଜେପି । ଯଦି ପରିବେଶ ମଞ୍ଜୁରୀ କଥା କହୁଛନ୍ତି, ଏହା କେନ୍ଦ୍ରର ଦାୟିତ୍ବ । କେଉଁଠୁ କେଉଁ ଯାଏଁ କୋଷ୍ଟାଲ ହାଇୱେ ହେବ, ସେ ନିଷ୍ପତ୍ତି ନେଇ ପାରିଥାନ୍ତେ। କିନ୍ତୁ ତାହା ବି କରୁନି ବିଜେପି ସରକାର କହି ଟାର୍ଗେଟ କରିଛି ବିଜେଡି ।

ଦଳ ପକ୍ଷରୁ କୁହାଯାଇଛି ନବୀନ ପଟ୍ଟନାୟକ ନିଜ ଶାସନ କାଳରେ କୋଷ୍ଟାଲ ହାଇୱେ ନିର୍ମାଣ ନେଇ ଆଲୋଚନା କରିଥିଲେ । ୨୦୧୮ରେ କୋଷ୍ଟାଲ ହାଇୱେ ସହ ବିଜୁ ଏକ୍ସପ୍ରେସ ୱେ କଥା ବି ଉଠିଲା । ତତ୍କାଳୀନ ରାଜ୍ୟ ସରକାର ନିଜେ ଦାୟିତ୍ୱ ନେଇ ଅଢେଇ ବର୍ଷରେ ଏହି କାମ କଲେ । ହେଲେ କୋଷ୍ଟାଲ ହାଇୱେରେ ଆଲାଇନମେଣ୍ଟ ନେଇ ଅନାବଶ୍ୟକୀୟ କେଁ ପୂରାଇଲା ବିଜେପି ।

ବିଜେଡି ପକ୍ଷରୁ ଆଗକୁ କୁହାଯାଇଛି, ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଣୁ ସେ ଏହି ସମସ୍ୟାର ସମାଧାନ କରନ୍ତୁ ।

ନବୀନ ସରକାର ଅନେକ ବିକାଶ ମୂଳକ କାର୍ଯ୍ୟ ଦିଗରେ କାମ କରୁଥିଲେ । କିନ୍ତୁ ଏବେର ବିଜେପି ସରକାର କାମ କମ କେବଳ ଚିତ୍କାର ଅଧିକ ବୋଲି କହିଛି ବିଜେଡି । ଡବଲ ଇଞ୍ଜିନ ସରକାର ବାରମ୍ବାର ରାଜ୍ୟକୁ ଅଣଦେଖା କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ନେତା ଲେନିନ୍ ମହାନ୍ତି ।

ଡ୍ୟାନ୍ସ ବାର୍ ଖୋଲିବା ଦାବିରେ ବାର୍ ଗାର୍ଲଙ୍କ ବିକ୍ଷୋଭ

ଭୁବନେଶ୍ବର: ଭୁବନେଶ୍ୱର ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ବାର ଗାର୍ଲଙ୍କ ବିକ୍ଷୋଭ । କାର୍ଯ୍ୟାଳୟ ଘେରିଲେ ଶତାଧିକ ବାର ଗାର୍ଲ । ଡ୍ୟାନ୍ସ ବାର୍ ଖୋଲିବା ଦାବିରେ ଏଭଳି ପ୍ରତିବାଦ କରିଛନ୍ତି ବାର୍ ଗାର୍ଲ ।

ଗତକାଲି ବାର ବନ୍ଦ ନେଇ ନିର୍ଦ୍ଦେଶ ଦେଇଥିଲେ ଅବକାରୀ ସୁପରିଟେଣ୍ଡେଣ୍ଟ । ରାଜଧାନୀର ବାରରେ ବାର ଗାର୍ଲ ନାଚି ପରିବେନି ବୋଲି କହିଥିଲେ । ଯେଉଁ ବାର ମାଲିକ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି । ଏପରିକି ଡିଜେ ମଧ୍ୟ ବ୍ୟବହାର କରପାରିବେ ନାହିଁ ବୋଲି କୁହାଯାଇଛି । ସୋସିଆଲ ମିଡିଆ ବିଜ୍ଞାପନରେ ସେମାନେ ମହିଳାଙ୍କୁ ଉତ୍ତେଜକ ମୂଳକ ପୋଷାକ ପରିଧାନ କରାଇ ଫଟୋ ପୋଜ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଥିଲା ।

ପୂର୍ବଦିନ ମାନଙ୍କରେ ବାର ଗାର୍ଲମାନଙ୍କୁ ମାନସିକ ଶାରୀରିକ ନିର୍ଯାତନା ଦେବା, ସେମାନଙ୍କୁ ଗ୍ରାହକଙ୍କ ସହ ରାତ୍ରି ଯାପନ କରିବାକୁ ବାଧ୍ୟ କରିବା, ଏପରିକି କିଛି ବାର ଗାର୍ଲ ଆତ୍ମହତ୍ୟା କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏଭଳି ବାରମ୍ବାର ଅଭିଯୋଗ ପରେ ଅବକାରୀ ବିଭାଗର ନିଦ ଭାଙ୍ଗିଥିଲା । ତୁରନ୍ତ ଯୁବତୀ ନିୟୋଜିତ ହେଉଥିବା ବାର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶତାଧିକ ଯୁବତୀ କଳ୍ପନା ସ୍ଥିତ ଅବକାରୀ ଥାନା କାର୍ଯ୍ୟାଳୟ ଘେରାଉ କରି ବାରଗୁଡିକୁ ତୁରନ୍ତ ଖୋଲିବାକୁ ଦାବି ରଖିଛନ୍ତି ।

ଟାର୍ଗେଟରେ ଅଗଷ୍ଟ ୧୫: ମାନବ ବୋମାରେ ହୋଇପାରେ ନରସଂହାର, ଦେଶରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ସ୍ବାଧୀନତା ଦିବସ । ଅଗଷ୍ଟ ୧୫ ତାରିଖରେ ବଡ଼ ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର । ଆତ୍ମଘାତୀ ମାନବ ବୋମା ଜରିଆରେ କରାଯାଇ ପାରେ ନରସଂହାର । ଏମିତି କିଛି ଆଶଙ୍କା ଥିବା ଗୁଇନ୍ଦା ରିପୋର୍ଟ ଆସିଛି । ଭିଆଇପିଙ୍କୁ ଆତଙ୍କବାଦୀ ଟାର୍ଗେଟ କରିପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।

ଖାଲି ସେତିକି ନୁହେଁ, ଗହଳି ଅଞ୍ଚଳ ବି ରହିପାରେ ସେମାନଙ୍କ ଟାର୍ଗେଟରେ । ଏମିତି ଗୁଇନ୍ଦା ସୂଚନା ମିଳିବା ପରେ ଆଲର୍ଟ ଜାରି କରାଯାଇଛି । ଏହାସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଛି ।

କିଛି ଦିନ ହେଲା ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ଯକଳାପ ବୃଦ୍ଧି ପାଇବା ନେଇ ମଧ୍ଯ ଉଦବେଗ ପ୍ରକାଶ ପାଇଛି । ଲସ୍କର ଏ ତୋଇବା, ଜୈଶ୍ ଏ ମହମ୍ମଦ, ଟିଆରଏଫ୍ ପରି ଆତଙ୍କବାଦୀ ସଂଗଠନକୁ ସବୁ ପ୍ରକାର ସାହାଯ୍ଯ କରୁଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ । ତେଣୁ ଅଧିକ ସତର୍କ ରହି ସବୁ ପ୍ରକାର ଆକ୍ରମଣକୁ ପ୍ରତିହତ କରିବାକୁ ସୁରକ୍ଷା ଏଜେନସିଗୁଡ଼ିକୁ କୁହାଯାଇଛି ।

କନ୍ଧମାଳରୁ ଆସିଥିବା ଚୋରା ଗଞ୍ଜେଇ ଭଦ୍ରକରେ ପଡ଼ିଲା ଧରା

ଭଦ୍ରକ: ଟାଟା ଏସିରେ ଗଞ୍ଜେଇ ଚୋରା ଚାଲଣା । କନ୍ଧମାଳରୁ ଭଦ୍ରକକୁ ହେଉଥିଲା ଚାଲାଣ । ଠିକଣା ସ୍ଥାନରେ ପହଞ୍ଚିବା ପୂର୍ବରୁ ମାଡ଼ି ବସିଲା ପୋଲିସ । ଭୁବନେଶ୍ବର ଖଣ୍ଡଗିରି ପୋଲିସ ଟାଟା ଏସିକୁ ବାକୁ କରିବା ସହ ଗଞ୍ଜେଇ ଜବତ କରିଛି ।

ଗଞ୍ଜେଇ ଚୋରା ଚାଲାଣର ଭିଡିଓ ପଦାକୁ ଆସିଛି । ଯେଉଁଥିରେ ଅତି ଚତୁରତାର ସହ ଗଞ୍ଜେଇକୁ ଏକ ଗାଡି ଯୋଗେ ନିଆଯାଉଛି । ଆଉ ଗୋଟିଏ ଭିଡିଓରେ ଡିଲ ପୂର୍ବରୁ କିପରି ଅଭିଯୁକ୍ତ ଗଞ୍ଜେଇର କ୍ବାଲିଟି ଚେକ କରୁଛି ତାହା ଦେଖିବାକୁ ମିଳିଛି । ଗଞ୍ଜେଇ ଅସଲି କି ନକଲି ତାହା ଚେକ କରାଯାଉଛି । ଅଭିଯୁକ୍ତ ଦୁଇ ଜଣ ହେଲେ ସଞ୍ଜୀବ ସେଠୀ ଏବଂ ବାଦଲ ମହାକୁଡ଼ ।

ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ବିବିଏ ପାଠ ପଢୁଆ ହୋଇଥିବା ବେଳେ ତାଙ୍କ ଘର କନ୍ଧମାଳ । ଗତକାଲି ଖଣ୍ଡଗିରି ଥାନାଧିକାରୀ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ନିଜ ଟିମ ସହ ଚଢ଼ାଉ କରି ବିଭିନ୍ନ ପାର୍ଶଲରେ ଥିବା ୧୦୧ କେଜି ଗଞ୍ଜେଇ ଜବତ କରିଛନ୍ତି । ୨୦୨୪ ମସିହାରେ ଭୁବନେଶ୍ୱର ୟୁପିଡ଼ିରେ ୪୨ଟି କେସ ରୁଜୁ ହୋଇଥିବା ବେଳେ ୭୬ ଜଣ ଗିରଫ ହୋଇଛନ୍ତି । ସମୁଦାୟ ୧ ହଜାର ୪୫ କେଜି ଗଞ୍ଜେଇ ଏଯାବତ ଜବତ ହୋଇଥିବା କହିଛନ୍ତି ପୋଲିସ କମିଶନର ।

ରିଲ୍ସ ନିଶାରେ ଭାଇଗିରି ଦେଖାଉଥିଲେ, ପୋଲିସ ପାଖରେ ଅଣ୍ଡର ଟେକିଂ ଲେଖି ଘରକୁ ଆସିଲେ

ଭୁବନେଶ୍ବର: ଯୁବପିଢୀଙ୍କୁ ଘାରିଛି ରିଲ୍ସ ନିଶା । ଆଉ ନିଶା ଏମିତି ଯେ ଡନକୁ ବି ଟପି ଯିବେ । କେତେବେଳେ ଅଭିମନ୍ୟୁ ଫିଲ୍ମର ଲିଡ ରୋଲରେ ଅଭିନୟ ତ ଆଉ କେତେବେଳେ ନିଜ ଗର୍ଲଫ୍ରେଣ୍ଡକୁ ନିଶା ଖାଇ କବିର ସିଂ ବନିଯିବାକୁ ଧମକ । ଟୁଇନ ସିଟିରେ ଭାଇଗିରି ଦେଖାଇବାକୁ ଯାଇ ଯୁବପିଢି ଏଭଳି ଭୟଙ୍କର ରିଲ୍ସ କରୁଛନ୍ତି । ଏମାନଙ୍କୁ ଘାରିଛି ଡନ ବନିବାର ନିଶା । ହାତରେ ଖଣ୍ଡା, ବନ୍ଧୁକ ଧରି ଖେଳାଉଛନ୍ତି ଆତଙ୍କ ।

ତେବେ ସୋସିଆଲ ମିଡିଆରେ ଏମିତି ରିଲ୍ସ ବନାଇ ଭାଇଗିରି ଦେଖାଉଥିବା ଯୁବକଙ୍କୁ ଏକଥା ଜଣାନାହିଁ ଯେ ସେମାନେ ଅଛନ୍ତି ପୋଲିସ ସ୍କାନରରେ । ସେମାନଙ୍କ ଟିକିନିକି ଖବର ରଖୁଛି ପୋଲିସ । ସେମାନଙ୍କ ସବୁ ଅପରାଧ ଉପରେ ରହିଛି ପୋଲିସର ଆଖି । ସୋସିଆଲ ମିଡିଆରେ ରିଲ୍ସ କରି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇଥିବା କିଛି ଯୁବକଙ୍କୁ ଧରିଛି ପୋଲିସ । ଏ ସବୁ ବନ୍ଧକ ଓ ମାରଣଶସ୍ତ୍ରର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ଏଭଳି କିଛି ଯୁବକଙ୍କୁ ଆଣି ପଚରାଉଚରା ବି କରିଛି । ଆଉ ଅଣ୍ଡର ଟେକିଂ ଲେଖି ଛାଡିଛି ।

ସୂଚନାଯୋଗ୍ୟ, ପୂର୍ବରୁ ଅମାନିଆ ରୋମିଓ ଓ ଲଭର ବୟଙ୍କ ବିରୋଧରେ ଆକ୍ସନ ନେଇଛି ପୋଲିସ । ସରକାରୀ ଜମିରେ ଥିବା ସେମାନଙ୍କ ଘର ଭାଙ୍ଗିଛି । ଏତେ ସବୁ ପରେ ମଧ୍ୟ ପୁଣି ଥରେ ଏଭଳି ଭିଡିଓ ଭାଇରାଲ ହେବା ପୋଲିସ ପାଇଁ ସୃଷ୍ଟି କରିଛି ଚ୍ୟାଲେଞ୍ଜ । ସ୍ୱାଧୀନତା ଦିବସ ଯୋଗୁଁ ସାରା ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ବେଳେ ଏଭଳି ଭିଡିଓକୁ ଗୁରୁତର ସହ ନେଇଛି ପୋଲିସ ।

୪ ବର୍ଷର ଶିଶୁକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଢେଙ୍କାନାଳ: ବୁଲୁଛନ୍ତି ଯୌନ ପିପାସୁ । ଘର ବି ସୁରକ୍ଷିତ ନୁହେଁ । ଏମିତି ଯୌନ ରାକ୍ଷସ ଦେଖୁ ନାହାନ୍ତି ବୟସ । ନିଜର ଭୋକ ମେଣ୍ଟାଇବାକୁ ଶିଶୁଙ୍କୁ ବି ଛାଡୁନାହାନ୍ତି । ଏମିତି ଏକ ଘଟଣାରେ ଡେଙ୍କାନାଳରେ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏକ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ତୁମୁସିଙ୍ଗା ପୋଲିସ ତାକୁ ବାନ୍ଧିଛି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଞ୍ଚଳରେ ଘଟିଛି ଏମିତି ଘଟଣା ।

ଅଭିଯୋଗ ଅନୁସାରେ ଥାନା ଅଞ୍ଚଳରେ ଜଣେ ୪ ବର୍ଷର ଶିଶୁ ଘରେ ଏକୁଟିଆ ଥିବାବେଳେ ଅଭିଯୁକ୍ତ ଜଣକ ତାକୁ ଦୁଷ୍କର୍ମ କରିଥିଲା । ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ l ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ପରେ ପୋସ୍କୋ ଆକ୍ଟ ୨୦୧୨ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି l

ଏସସିବି ମେଡିକାଲ କଲେଜରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: ଏସସିବିରେ ଲଜ୍ଜା। ଏସସିବିରେ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ । ଇସିଜି କରିବା ବାହାନାରେ ଦୁଷ୍କର୍ମ ଅଭିଯୋଗ  । କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତରଙ୍କ ନାଁରେ ଅଭିଯୋଗ ଆସିଛି  । ଏ ନେଇ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ପୀଡିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଛି ।

୧୬୧ ଧାରାରେ ବୟାନ ରେକର୍ଡ କରିଛି ପୋଲିସ । ଏହାପରେ ୧୬୪ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବ । ଡାକ୍ତରଙ୍କ ପରିବାର ଲୋକ ମଧ୍ୟ ପ୍ରତିଅଭିଯୋଗ କରିଥିବା ଜଣାପଡିଛି ।

ବଡ଼ ଠାକୁର ପଡ଼ିଯିବା ଘଟଣାର ତଦନ୍ତ ଆରମ୍ଭ, ବଳଭଦ୍ରଙ୍କ ବାଡଗ୍ରାହୀଙ୍କୁ ପଚରା ଉଚୁରା

ପୁରୀ: ଆଡପ ମଣ୍ଡପ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବଳଭଦ୍ରଙ୍କ ବାଡଗ୍ରାହୀଙ୍କୁ ପଚରା ଉଚରା କରିଛି ୩ ଜଣିଆ ଟିମ୍। ଏହା ସହିତ ଖୁଣ୍ଟିଆ ସେବକ, ପ୍ରତିହାରୀ ସେବକ, ଜେଟିପି, ଶ୍ରୀମନ୍ଦିର ପ୍ରଶାସନ ର ଅଧିକାରୀ ସମେତ ବରିଷ୍ଠ ଦଇତାପତି ସେବକଙ୍କୁ ପଚରା ଉଚରା କରାଯାଇଥିବା ଜଣାପଡ଼ିଛି। ଭିଡିଓ ଦେଖି ତିନି ଜଣିଆ କମିଟି ତଦନ୍ତ କରୁଛନ୍ତି।

ଏହି କମିଟିରେ ଅଛନ୍ତି ଏଡିଏମ୍, ନୀତି ପ୍ରଶାସକ, ସିଟି ଡିଏସପି। ଏହି ରଥଯାତ୍ରା ବେଳେ ବିରାଟ ବିଭ୍ରାଟ ହୋଇଥିଲା। ଆଡ଼ପ ମଣ୍ଡପକୁ ନିଆଯାଉଥିବା ବେଳେ ପହଣ୍ଡି ସମୟରେ ବଳଭଦ୍ର ମୁହଁମାଡ଼ି ପଡ଼ି ଯାଇଥିଲା। ଏପରି ଅଘଟଣ କେବେ ବି ହୋଇନାହିଁ। ଏତେ ବଡ଼ ଅଘଟଣ କିପରି ହେଲା, ଏଥିପାଇଁ ଦାୟୀ କିଏ, କାହା ଅବହେଳାରୁ ଏପରି ହୋଇଥିଲା, ସେସବୁର ଉତ୍ତର ଖୋଜୁଛି କମିଟି।

ଅନାସ୍ଥା ଭୟରେ ଗୋଡ ଧରି ମୁଣ୍ଡିଆ ମାରିଲେ ସରପଞ୍ଚ, ଭିଡିଓ ଭାଇରାଲ

ବଲାଙ୍ଗୀର: ସରପଞ୍ଚଙ୍କୁ ଘାରିଛି ଅନାସ୍ଥା ଭୟ। ତେଣୁ ୱାର୍ଡ ମେମ୍ବରଙ୍କୁ ଭୋଜି ଭାତ ଖାଇବାକୁ ଦେଇ ମୁଣ୍ଡିଆ ମାରୁଛନ୍ତି ସରପଞ୍ଚ। ବଲାଙ୍ଗୀର ତୁରେକେଲା ବ୍ଲକ ବଡବାଙ୍କୀର ସରପଞ୍ଚ ଡୋଳାଧର ବାଗଙ୍କ ମୁଣ୍ଡିଆ ମାରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଅନାସ୍ଥାରୁ ରକ୍ଷା ପାଇବା ପାଇଁ ୱାର୍ଡ ମେମ୍ବରମାନଙ୍କୁ ଭୋଜି ଭାତ ଦେଇ ମୁଣ୍ଡିଆ ମାରୁଥିବା ଚର୍ଚ୍ଚା ହେଉଛି। ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିବା ପାଇଁ ୱାର୍ଡ଼ମେମ୍ବର ମାନେ ବୈଠକ କରିଥିଲେ  । ଏହା ଜାଣିବା ପରେ ସରପଞ୍ଚ ଡୋଲାଧର ପହଂଚି ତାଙ୍କ ଭୁଲ୍ ହୋଇଗଲା ବୋଲି କହିଛନ୍ତି।  ଅନାସ୍ଥା ପ୍ରସ୍ତାବ ନ ଆଣିବାକୁ ମୁଣ୍ଡିଆ ମାରି ଗୋଡ଼ ହାତ ଧରୁଛନ୍ତି ସରପଞ୍ଚ।