ନନ୍ଦିଘୋଷ ବ୍ୟୁରୋ: ପୋଲିସକୁ ଚକମା ଦେଇ ଫେରାର ଅଭିଯୁକ୍ତକୁ ବର୍ଷେ ପରେ ଗିରଫ କଲା ପୋଲିସ୍ । ଜଣେ ନାବାଳିକାକୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ୍ ଦ୍ବାରା ଗିରଫ ହୋଇଥିଲା ଅଭିଯୁକ୍ତ କାଳିଆ ବେହେରା । ତେବେ ପୋଲିସକୁ ଚକମା ଦେଇ ଥାନାରୁ ଫେରାର ହୋଇଯାଇଥିଲା । ପୋକ୍ସୋ ଆକ୍ଟରେ ପୋଲିସ ଥାନାକୁ ଆଣିଥିବାବେଳେ ଚକମା ଦେଇ ଫେରାର ହୋଇଯାଇଥିଲା । ତେବେ ବର୍ଷେ ପରେ ପୁଣି କାଳିଆକୁ ଗିରଫ କରିଛି ଭୁବନେଶ୍ବର ଲିଙ୍ଗରାଜ ଥାନା ପୋଲିସ୍ । ୨୦୨୩ ଅକ୍ଟୋବର ୧୦ରେ ଓଲ୍ଡ ଟାଉନ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିଲେ । ୧୪ ତାରିଖରେ ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ ।୧୭ ତାରିଖରେ ନାବାଳିକଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ କାଳିଆକୁ ଗିରଫ କରିଥିଲା ପୋଲିସ୍ । ତେବେ ପୋଲିସ ହେପାଜତରୁ ଚକମା ଦେଇ ଫେରାର ହୋଇଯାଇଥିଲା କାଳିଆ । ଗିରଫ ଭୟରେ ବିଭିନ୍ନ ଜିଲ୍ଲାରେ ଲେବର କାମ କରୁଥିଲା । ଆଜି ଭୁବନେଶ୍ବର ଆସିଥିବାବେଳେ ତାକୁ କାବୁ କରିଛି ପୋଲିସ୍ ।
ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ଯାଇଥିବା ବିଜେଡି ଟିମ୍
ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ମାଲକାନଗିରି ଗସ୍ତରେ ଯାଇଥିବା ବିଜେଡି ପ୍ରତିନିଧି ଦଳ। ମାଲକାନଗିରିରୁ ଫେରିବା ପରେ ଦଳ ସଭାପତିଙ୍କୁ ଦେଇଛନ୍ତି ରିପୋର୍ଟ। ପ୍ରକଳ୍ପ ହେଲେ ମୋଟୁ ଓ ପଡିଆ ବ୍ଲକ ଜଳମଗ୍ନ ହେବ। ଉଭୟ ବ୍ଲକର ବହୁ ଲୋକ ବିସ୍ଥାପିତ ହେବେ । ଜିଲ୍ଲାର ଆଦିବାସୀ ଲୋକଙ୍କୁ ଘର ଛାଡିବାକୁ ପଡିବ। ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୧୫ ହଜାର କୋଟିର ବ୍ୟବସ୍ଥା କରିଛନ୍ତି। ଓଡ଼ିଶାର ଦାବିକୁ ଅଣଦେଖା କରି ଏକପାଖିଆ ଭାବେ ପ୍ରକଳ୍ପ ହେଉଛି ବୋଲି କହିଛି ବିଜେଡି। ତେଣୁ ଏ ଦିଗରେ ରାଜ୍ୟ ସରକାର ନିଜର ମତ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ। ଆଗାମୀ ଦିନରେ ଏନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛି ବିଜେଡି।
କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ହତ୍ୟା ମାମଲା : ଆସନ୍ତାକାଲି ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ନନ୍ଦିଘୋଷ ବ୍ୟୁରୋ: କୋଲକାତାରେ ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ପ୍ରତିବାଦରେ ସାରା ଦେଶରେ ତେଜୁଛି ଅସନ୍ତୋଷ। ଆସନ୍ତାକାଲି ବିଭିନ୍ନ ଡାକ୍ତରୀ ସଂଘ କାର୍ଯ୍ଯବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଆନ୍ଦୋଳନରୁ ଜରୁରୀ ସେବାକୁ ବାଦ୍ ଦିଆଯିବ। ଆଜି ଅନେକ ସ୍ଥାନରେ ଡାକ୍ତରମାନେ ପ୍ରତିବା କରିଛନ୍ତି। କ୍ଯାଣ୍ଡେଲ ଜାଳି ପ୍ରତିବାଦ ଜଣାଇଛନ୍ତି। ସେପଟେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଏଥିରେ ସନ୍ତୁଷ୍ଟ ନୁହନ୍ତି ଡାକ୍ତରମାନେ। ମହିଳା ଡାକ୍ତରଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ସେପଟେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଦେଇଛନ୍ତି ଚେତାବନୀ। ଯଦି ମାମଲାର ଶୀଘ୍ର ସମାଧାନ କରାନଯାଏ, ତେବେ ସିବିଆଇ ହାତରେ ମାମଲା ଦେବାକୁ ପଛାଇବେ ନାହିଁ ବୋଲି କହିଛନ୍ତି ମମତା।
ଗୋଲ୍ଡ ମେଡାଲିଷ୍ଟ ଜ୍ବାଇଁଙ୍କୁ ଶ୍ବଶୂର ଦେବେ ଗିଫ୍ଟ
ନନ୍ଦିଘୋଷ ବ୍ୟୁରୋ: ଗୋଲ୍ଡ ମେଡାଲିଷ୍ଟ ଜ୍ବାଇଁଙ୍କୁ ମଇଁଷି ଗିଫ୍ଟ ଦେବେ ଶ୍ବଶୂର । ଅଲମ୍ପିକ ପଦକ ବିଜେତାଙ୍କୁ କିଏ କେତେ ପ୍ରକାର ଦାମୀ ଉପହାର ଦେଇ ସମ୍ମାନିତ କରୁଥିବା ବେଳେ ପାକିସ୍ତାନରେ ଦେଖିବାକୁ ମିଳିଛି ଠିକ୍ ଏହାର ବିପରୀତ କଥା । ଗାଁ ପରିବେଶରୁ ସଂଘର୍ଷ କରି ପ୍ୟାରିସ ଅଲିମ୍ପିକରେ ପହଞ୍ଚିଥିବା ଆଥଲେଟ ଅରଶଦ ନଦୀମଙ୍କୁ ମିଳିବ ମଇଁଷି ଉପହାର । ତାଙ୍କ ଶ୍ବଶୂର ମହମ୍ମଦ ନୱାଜ ଜ୍ବାଇଁ ନଦୀମଙ୍କୁ ମଇଁଷି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ନଦୀମଙ୍କ ଗାଁରେ ମଇଁଷି ଦେବା ବହୁତ ମୂଲ୍ୟବାନ ଓ ସମ୍ମାନଜନକ ଉପହାର ହୋଇଥାଏ ।
ନଦୀମ ଜାଭଲିନ ଥ୍ରୋରେ ବିଶ୍ବ ବିଜୟୀ ହୋଇଛନ୍ତି ସତ କିନ୍ତୁ ଏବେବି ସେହି ଝାଟିମାଟି ଘରେ ସେ ରହୁଛନ୍ତି । ଗାଉଁଲି ମଫସଲ ଅଞ୍ଚଳରେ ନିଜ ପରିବାର ସହ ଜୀବନ ବିତାଉଛନ୍ତି ନଦୀମ । ନଦୀମଙ୍କ ଶ୍ବଶୁର କହିଛନ୍ତି ଯେ ବିବାହ ସମୟରେ ସେ ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ କିନ୍ତୁ ଖେଳପ୍ରତି ତାଙ୍କର ଇଚ୍ଛାଶକ୍ତି ସେତେବେଳେ ବି ଦୃଢ ଥିଲା । ଏଥିପାଇଁ ନଦୀମ ପ୍ରତିଦିନ ଚାଷଜମିରେ ଜାଭଲିନ ଫୋପାଡିବା ଅଭ୍ୟାସ ଜାରି ରଖିଥିଲେ ।
ପାକିସ୍ତାନର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅରଶଦ ନଦୀମ ସ୍ବଦେଶ ଫେରିବା ପରେ ତାଙ୍କୁ ବିପୁଳ ସ୍ବାଗତ କରିଛନ୍ତି ପ୍ରଶଂସକ । ସ୍ବର୍ଣ୍ଣ ପଦକ ଜିତିବା ପରେ ପରିବାରକୁ ଭେଟି ଭାବବିହ୍ବଳ ହୋଇପଡିଥିଲେ ନଦୀମ । ପାକିସ୍ତାନରେ ନଦୀମଙ୍କ ସ୍ବାଗତ ୱାଟର କ୍ୟାନନ ସ୍ୟାଲୁଟରେ ହୋଇଥିଲା । ଜାତୀୟ ନାୟକଙ୍କ ଭଳି ନଦୀମଙ୍କୁ ସ୍ବାଗତ କରିଥିଲା ପାକିସ୍ତାନ । ହଜାର ହଜାର ପ୍ରଶଂସକ ନଦୀମଙ୍କୁ ଦେଖିବା ପାଇଁ ବିମାନ ବନ୍ଦରରେ ଭିଡ ଜମାଇଥିଲେ ।
ପ୍ୟାରିସ ଅଲିମ୍ପିକରେ ଜାଭଲିନ ଥ୍ରୋରେ ୯୨.୯୭ ମିଟର ଜାଭଲିନ ଫୋପାଡି ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନଦୀମ । ଭାରତର ନୀରଜ ଚୋପ୍ରାଙ୍କୁ ହରାଇ ନଦୀମ ଏହି ରେକର୍ଡ କରିଛନ୍ତି ।
ଆସିଲା ଇଣ୍ଡିଆ ରାଙ୍କିଂ ୨୦୨୪ ତାଲିକା, ଓଭରଅଲ୍ କାଟେଗୋରୀରେ ଓଡ଼ିଶାର ରହିଛି ୩ ଅନୁଷ୍ଠାନ
ନନ୍ଦିଘୋଷ ବ୍ୟୁରୋ: ଆସିଲା ଇଣ୍ଡିଆ ରାଙ୍କିଂ ୨୦୨୪ ତାଲିକା । ଦେଶର ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକୁ ଏଥିରେ ରାଙ୍କି କରାଯାଇଥିବାବେଳେ ଚଳିତ ବର୍ଷ ୧୬ଟି କ୍ୟାଟେଗୋରୀରେ ରାଙ୍କିଂ କରାଯାଇଛି । ଓଭରଅଲ୍ କାଟେଗୋରୀରେ ଓଡ଼ିଶାର ରହିଛି ୩ ଅନୁଷ୍ଠାନ । ଦୁଇଟି ପାହାଚ ଉପରକୁ ଉଠି ୨୪ ନମ୍ବରରେ ସୋଆ ବିଶ୍ବବିଦ୍ଯାଳୟ ରହିଥିବାବେଳେ ୨୮ ରେ କିଟ ଏବଂ ୩୪ ନମ୍ବରରେ NIT ରାଉରକେଲା ରହିଛି । ସେହିଭଳି ବିଶ୍ବବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୧୪ ନମ୍ବର ରହିଥିବା ବେଳେ କିଟ ୧୫ ନମ୍ବରରେ ରହିଛି । ଟପ୍ ୫୦ ସରକାରୀ ବିଶ୍ବବିଦ୍ଯାଳୟ ବର୍ଗରେ ୪୨ ନମ୍ବରରେ ଓଡ଼ିଶାର ଉତ୍କଳ ବିଶ୍ବବିଦ୍ଯାଳୟ ରହିଛି ।
ଟପ ୫୦ ଗବେଷଣାକାରୀ ସଂସ୍ଥା ବର୍ଗରେ ୩୦ ନମ୍ବରରେ NIT ରାଉରକେଲା, ୪୬ରେ କିଟ ଓ ସୋଆ ୫୦ ନମ୍ବରରେ ରହିଛି । ବିଶେଷକରି ସୋଆ ଏଥର ଭଲ ପ୍ରଦର୍ଶନ କରିଛି । ରାଙ୍କିଂର ନବମ ସଂସ୍କରଣରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୪ ତମ ସ୍ଥାନ ହାସଲ କରି ସୋଆ ଗୋଟିଏ ପାହାଚ ଉପରକୁ ଉଠିଛି । ଡିମ୍ଡ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କ୍ୟାଟେଗୋରୀରେ ଗତ ବର୍ଷ ୨୭ତମ ସ୍ଥାନରେ ସୋଆ ଥିବା ବେଳେ ଚଳିତ ବର୍ଷ ଏଥିରେ ଉନ୍ନତି ଘଟି ୨୬ ତମ ସ୍ଥାନରେ ପହଂଚିଛି । ମେଡିକାଲ୍ ସାଇନସ କ୍ୟାଟେଗୋରୀରେ ଦେଶରେ ସୋଆ ୨୧ ତମ, ଡେଣ୍ଟାଲ ଏବଂ ଲ’ କ୍ୟାଟେଗୋରୀରେ ନବମ ସ୍ଥାନରେ ରହିଛି ।
ସେହିପରି ମ୍ୟାନେଜମେଂଟ ସାଇନସ କ୍ୟାଟେଗୋରିରେ ୬୨ତମ ଏବଂ ରିସର୍ଚ୍ଚ କ୍ୟାଟେଗୋରିରେ ୫୦ ତମ ସ୍ଥାନ ହାସଲ କରିଛି ସୋଆ । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଅବସରରେ ଖୁସି ବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟର ଅଧ୍ଯାପକ, ଗବେଷକ ଏବଂ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋଆକୁ ଆହୁରି ଉଚ୍ଚକୁ ନେବା ନିମନ୍ତେ ସେମାନଙ୍କର ଏହି ଉଦ୍ୟମକୁ ଜାରି ରଖିବା ନିମନ୍ତେ ପ୍ରୋତ୍ସାହିତ କରିଛନ୍ତି । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟର ଏହି ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ବିଶ୍ୱବିଦ୍ୟାଳୟକୁ ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଶ୍ରେଷ୍ଠ ୧୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନିତ କରିବା ପାଇଁ କଠିନ ପରିଶ୍ରମ ଜାରି ରଖିବା ନିମନ୍ତେ ଆହ୍ୱାନ ଦେଇଛନ୍ତି ।
ବିଜେଡି ସୁପ୍ରିମୋଙ୍କୁ ଭେଟିଲେ, ଆଲୋଚନା କଲେ
ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଓ ନବରଙ୍ଗପୁର ବ୍ଲକ ଓ ପଞ୍ଚାୟତ ପ୍ରତିନିଧି ତଥା ଭଦ୍ରକର ପୌର ପରିଷଦର ସଭ୍ୟ। ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ଏହି ପ୍ରତିନିଧି ଦଳ। ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ସେମାନେ କାମ ଜାରି ରଖିବେ ବୋଲି ଜଣାଇଛନ୍ତି। ଲୋକଙ୍କ ସାଥିରେ ରହି ଦଳର କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ନବୀନ। ପ୍ରତିନିଧି ଦଳରେ ପୁରୀ ବିଧାୟକ ସୁନୀଲ ମହାନ୍ତି, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ପୂବର୍ତନ ମନ୍ତ୍ରୀ ପ୍ରଫୁଲ ସାମଲ, ସଞ୍ଜୟ ଦାସବର୍ମା, ରମେଶ ମାଝୀ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହ ବହୁ ନେତା ଆଲୋଚନା କରିଥିଲେ।
ପକ୍ଷୀ ପ୍ରେମରେ ବୁଦ୍ଧିରାମ
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଆସିକା କେ.ଲଛମନ ପୋଲି ଗାଁର ଉଚ୍ଚଶିକ୍ଷିତ ଯୁବକ ବୁଦ୍ଧିରାମ । ପିଲାଟି ଦିନରୁ ପଶୁ ପକ୍ଷୀଙ୍କ ପ୍ରତି ରହିଛି ଅନେକ ଦୁର୍ବଳତା । ପେଶାରେ ବାପାଙ୍କ ଛୋଟିଆ ଚାହା ଦୋକାନରେ ବାପାଙ୍କୁ ସାହାର୍ଯ୍ଯ କରିବା, କିନ୍ତୁ ନିଶା ଘାରିଛି ପଶୁ ପ୍ରେମୀ । ବର୍ତ୍ତମାନ ଶହେରୁ ଅଧିକ ପାରା ରଖି ସେମାନଙ୍କୁ ଖାଇବା ଦେବା ସହିତ ଯତ୍ନ ନେଉଛନ୍ତି ବୁଦ୍ଧିରାମ ।
ପକ୍ଷୀପ୍ରେମୀ ମଣିଷଟିଏ । ଗଞ୍ଜାମ ଜିଲ୍ଲା ଆସିକା କେ.ଲଛମନ ପୋଲି ଗାଁର ଉଚ୍ଚଶିକ୍ଷିତ ଯୁବକ ବୁଦ୍ଧିରାମ । ପିଲାଟି ଦିନରୁ ତାଙ୍କର ପଶୁ ପକ୍ଷୀଙ୍କ ପ୍ରତି ରହିଛି ଅହେତୁକ ଦୁର୍ବଳତା । ସାତ ବର୍ଷ ବୟସରୁ ପଶୁ ପକ୍ଷୀଙ୍କୁ ଆଦରି ନେଇଛନ୍ତି ବୁଦ୍ଧିରାମ । ହେଲେ ଗତ ସାତ ବର୍ଷ ହେଲା ଘରେ ଆଣି ରଖିଛନ୍ତି ଧଳା ପାରା । ବର୍ତ୍ତମାନ ଶହେରୁ ଅଧିକ ପାରା ରଖି ନିଜକୁ ପଶୁପକ୍ଷୀ ପ୍ରେମୀ ମଣିଷଟିଏ ଭାବେ ପରିଚିତ କରିପାରିଛନ୍ତି । ପାରା ମାନଙ୍କୁ ଠିକ ସମୟରେ ଖାଦ୍ୟ ଦେବା ସହ ୟୁଟ୍ଯୁଭ ଦେଖି ସେମାନଙ୍କର ସ୍ଵାସ୍ଥ୍ଯ ପ୍ରତି ଧ୍ଯାନ ଦେଉଛନ୍ତି । ବୁଦ୍ଧିରାମଙ୍କ ଏଭଳି କାର୍ଯ୍ୟ ଦେଖି ନିଜ ପରିବାର ବାପା, ମା ମଧ୍ଯ ବେଶ ଖୁସି ଅନୁଭବ କରିବା ସହ ପୁଅକୁ ମଧ୍ୟ ସହଯୋଗ କରୁଛନ୍ତି ।
ପିଲାଟି ଦିନରୁ ପଶୁ ପକ୍ଷୀଙ୍କୁ ନିଜ ପରିବାର ଭାବି ସେମାନଙ୍କୁ ଘରକୁ ଆଣି ସେମାନଙ୍କ ଯତ୍ନ ନେଇଥାନ୍ତି ବୁଦ୍ଧିରାମ । ଆଜି ସେ ଶହେଟି ପାରାକୁ ପାଖରେ ରଖି ସେମାନଙ୍କ ଯତ୍ନ ନେବା ସହିତ ଅନ୍ଯ ଯୁବକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଆସନ୍ତାକାଲିଠୁ ବଢିବ ବର୍ଷା, ଏହିସବୁ ଜିଲ୍ଲାରେ ପ୍ରବଳ ଛେଚିବ
ନନ୍ଦିଘୋଷ ବ୍ୟୁରୋ: ଘୂର୍ଣ୍ଣିବଳୟ ସାଙ୍ଗକୁ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ଆସନ୍ତାକାଲିଠୁ ବଢିବ ବର୍ଷା । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ସୁନ୍ଦରଗଡ଼,ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜରେ ରହିବ ବର୍ଷାର ପ୍ରଭାବ । ୬ ଜିଲ୍ଲାରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୪ ତାରିଖ ପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୧୮ ତାରିଖକୁ ବଦଳିବ ପାଗ । ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୬୩୪ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏବେବି ୯ ପ୍ରତିଶତ ନିଅଁଟିଆ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ଓ ବାକି ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।
କେନ୍ଦ୍ରସରକାର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟରେ କନଭର୍ଜେନ୍ସ କର୍ମଶାଳା
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରସରକାର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟରେ କନଭର୍ଜେନ୍ସ କର୍ମଶାଳା ଅନୁଷ୍ଠିତ ହୋଇଛି । କେନ୍ଦ୍ରସରକାରଙ୍କ ଅଧୀନରେ ଥିବା ରାଜ୍ଯ ଶ୍ରମ ଓ କର୍ମଚାରୀ ବୀମା ନିଗମ, ଭବିଷ୍ଯନିଧି ପାଣ୍ଠି, ସମାଜ କଲ୍ଯାଣ, DGFASLI, ନ୍ଯାସନାଲ କ୍ଯାରିୟର ସର୍ଭିସ ସେଣ୍ଚର, ଶ୍ରମ, ଖଣି ଓ ନିରାପତ୍ତା ଓ ନ୍ଯାସନାଲ କ୍ଯାରିୟର ସର୍ଭିସ ସେଣ୍ଚର SCJST ବିଭାଗର ସଚିବ ଓ ଅତିରିକ୍ତ ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ । ହିତାଧିକାରୀ ମାନଙ୍କୁ ESI ପକ୍ଷରୁ ଦିଆଯାଇଥିବା ସମସ୍ତ ଯୋଜନାର କିପରି ଲାଭ ଉଠାଇ ପାରିବେ ସେ ନେଇ ଆଲୋଚନା କରାଯାଇଥିଲା । ଲଭାର୍ଥୀମାନେ ସ୍ବାସ୍ଥ୍ୟସେବା ଠୁ ଆରମ୍ଭ କରି ଆର୍ଥିକ ସହାୟତା ପର୍ଯ୍ୟନ୍ତ ସବୁ ପ୍ରକାରର ସୁବିଧା ପାଇବେ । ଏଥିସହ ESIC ସହ ଆଧାର ନମ୍ବର ଯୋଡିବା ବର୍ତ୍ତମାନ ସମୟରେ ବେଶ୍ ଗୁରତ୍ବପୂର୍ଣ । ଆଧାର ନମ୍ବର ଯୋଡିବା ଦ୍ଵାରା କିପରି ହିତାଧିକାରୀ ଅଧିକ ସୁବିଧା ପାଇପାରିବେ ସେ ନେଇ ମଧ୍ୟ ସଚେତନତା କରାଯାଇଛି । AAA+ ଆପ ମାଧ୍ୟମରେରେ ସମସ୍ତ କାମ କରିପାରିବେ ହିତାଧିକାରୀ । କର୍ମଚାରୀ ରାଜ୍ୟ ବୀମା ବା ESI ହେଉଛି ବିଶ୍ବର ସର୍ବୋତ୍ତମ ସ୍ବାସ୍ଥ୍ୟ ବୀମା ସ୍କିମ୍ । ଏଣୁ ESI ଉପଭୋକ୍ତା ଓ ସେମାନଙ୍କ ପରିବାରବର୍ଗ ଏହାର ଫାଇଦା ନେବା ଉଚିତ୍ ବୋଲି କହିଛନ୍ତି ESIର ଆଂଚଳିକ ନିର୍ଦ୍ଦେଶକ ସୁକାନ୍ତ ଚନ୍ଦ୍ର ଦାସ ।
ବହୁଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ
ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ । ଜର୍ମାନୀ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ୭ ବର୍ଷ ସଜା ପାଇଥିବା ଅଭିଯୁକ୍ତ ବିତ୍ତିହୋତ୍ର ମହାନ୍ତିଙ୍କର ମୃତ୍ୟୁ ହୋଇଯାଇଛି । ବିତ୍ତିହୋତ୍ର ହେଉଛନ୍ତି ବରିଷ୍ଠ ଆଇପିଏସ ବିଦ୍ୟା ଭୂଷଣ ମହାନ୍ତିଙ୍କ ପୁଅ । ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ କ୍ୟାନ୍ସରରେ ତାଙ୍କର ମୃତ୍ୟୁ ଘଟିଛି। ଏପ୍ରିଲ ୧୨, ୨୦୦୬ରେ ରାଜସ୍ଥାନର ଅଲୱାରରେ ଜଣେ ଜର୍ମାନୀ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିଲେ ବିତ୍ତିହୋତ୍ର । ମା’ ଙ୍କ ଅସୁସ୍ଥତା ନେଇ ପାରୋଲରେ ଆସିଥିବା ବେଳେ ଫେରାର ହୋଇଯାଇଥିଲେ ଏହି ଅଭିଯୁକ୍ତ। ପରେ ପୁଣି ୨୦୧୩ରେ ସେ ଗିରଫ ହୋଇଥିଲେ । ଏକ ବ୍ୟାଙ୍କରୁ କାର୍ଯ୍ୟରତ ଥିବା ବେଳେ କେରଳରୁ ଧରା ପଡ଼ିଥିଲେ ବିତ୍ତିହୋତ୍ରକ୍ୟାନ୍ସରରେ ଗତ କିଛିଦିନ ଧରି ସେ ପୀଡିତ ଥିଲେ । ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କର ମୃତଦେହ ଏମ୍ସ ଭୁବନେଶ୍ୱରରେ ବ୍ୟବଚ୍ଛେଦ କରାଯାଇଛି ।

