spot_img
Home Blog Page 1713

ନବୀନଙ୍କ ଗୁରୁମନ୍ତ୍ର, ଗାଁ ଗାଁରେ ସଚେତନ କରିବେ ବିଜୁ ମହିଳା ଜନତା ଦଳ

ଭୁବନେଶ୍ବର: ଆହୁରି ଅଧିକ ସଂଗଠିତ ଓ ସୁଦୃଢ ହେବ ବିଜୁ ମହିଳା ଜନତା ଦଳ । ଗାଁ ଗାଁରେ ବିଜେପି ସରକାର ପ୍ରତାରଣା ନେଇ ଲୋକଙ୍କୁ କରିବ ସଚେତନ । ଏଥିପାଇଁ ଆଜି ଶଙ୍ଖ ଭବନରେ ଆୟୋଜିତ ହୋଇଛି ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ । କାର୍ଯ୍ଯକ୍ରମରେ ବିଜୁ ମହିଳା ଜନତା ଦଳର ବରିଷ୍ଠ ନେତ୍ରୀଙ୍କ ସମେତ ସାଙ୍ଗଠନିକ ଦାୟିତ୍ୱରେ ଥିବା କର୍ମକର୍ତ୍ତା ଯୋଗ ଦେଇଛନ୍ତି ।

ବିଭିନ୍ନ ଜିଲ୍ଲାର ମହିଳା ସଭାନେତ୍ରୀ ଓ ବ୍ଲକ ସଭାନେତ୍ରୀମାନେ ମଧ୍ଯ ଉପସ୍ଥିତ ଅଛନ୍ତି । କାର୍ଯ୍ଯକ୍ରମରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗଦେଇ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ଦଳର ମହିଳା ସଂଗଠନ କିଭଳି ଆହୁରି ସୁଦୃଢ଼ ହେବ ସେନେଇ ଆଲୋଚନା କରାଯାଉଛି । ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ସରକାରକୁ ଆସିବା ପରେ ପୂରଣ କରୁ ନଥିବାରୁ ତୃଣମୂଳସ୍ତରରେ ଏନେଇ ଅଧିକ ସଚେତନତା କରାଯିବ । ବିଜେପି ସରକାରର ଭତ୍ତା ଓ ସୁଭଦ୍ରା ପ୍ରତାରଣା ସମ୍ପର୍କରେ ଗାଁ ଗାଁରେ ସଚେତନ କରିବେ ମହିଳା କର୍ମୀ ।

ବିଜୟଙ୍କ ୪୦୦ କୋଟି ‘ଗୋଟ୍‌’ରେ ଧୋନି, ନିର୍ଦ୍ଦେଶକ ଖୋଲିଲେ ଗୁମର

0

ଚେନ୍ନାଇ: ସାଉଥ ସୁପରଷ୍ଟାର ଥାଲାପଥି ବିଜୟ ତାଙ୍କର ଆଗାମୀ ଫିଲ୍ମ ଦ ଗ୍ରେଟେଷ୍ଟ ଅଫ ଅଲ ଟାଇମ (ଗୋଟ୍‌)କୁ ନେଇ ଏବେ ଚର୍ଚ୍ଚାରେ  । ଆସନ୍ତା ୫ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ଫିଲ୍ମ  । ରିଲିଜ୍ ପୂର୍ବରୁ ଥାଲାପଥି ବିଜୟଙ୍କ ଫିଲ୍ମ ବହୁତ ଲାଭ ପାଇଲାଣି। ଅଗ୍ରୀମ ବୁକିଂରେ ବେଶ୍‌ ଲାଭ କରୁଛି ଗୋଟ୍‌  । ପୂର୍ବରୁ ଖବର ଆସିଥିଲା ​​ଯେ ଏମଏସ ଧୋନି ମଧ୍ୟ ଏହି ସୁପରଷ୍ଟାରଙ୍କ ଫିଲ୍ମରେ ନଜର ଆସିବେ ।

 

ଏମଏସ ଧୋନି ଏବଂ ଥାଲାପଥୀ ବିଜୟ ତାମିଲନାଡୁର ଦୁଇ ଭେଟେରାନ୍ ତାରକା  । ଫିଲ୍ମ ଇଣ୍ଡଷ୍ଟ୍ରିରେ ବିଜୟଙ୍କ ଏକ ବଡ଼ ଷ୍ଟାରଡମ୍ ଥିବାବେଳେ ଏମ୍ଏସ୍ ଧୋନିଙ୍କ ଏହି ରାଜ୍ୟରେ ବହୁ ପ୍ରଶଂସକ ଅଛନ୍ତି । ଏହାର ଅନ୍ୟତମ କାରଣ ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଚେନ୍ନାଇ ସୁପର କିଙ୍ଗ୍ସ (CSK)। ଧୋନିଙ୍କୁ ତାମିଲନାଡୁର ପୋଷ୍ୟପୁତ୍ର ମଧ୍ୟ କୁହାଯାଇପାରେ। ସୋସିଆଲ ମିଡିଆରେ ଖବର ଆସିଥିଲା ​​ଯେ ଧୋନି ବିଜୟଙ୍କ ଫିଲ୍ମରେ ଏକ ସ୍ୱତନ୍ତ୍ର ଭୂମିକାରେ ନଜର ଆସିବେ। ଏପରିକି କ୍ରିକେଟ୍ ଷ୍ଟାଡିୟମରୁ ବିଜୟଙ୍କ ଏକ ସଟ୍ ଫିଲ୍ମର ଟ୍ରେଲରରେ ପ୍ରଦର୍ଶିତ ହୋଇଛି, ଯାହା ପ୍ରଶଂସକଙ୍କ ଆଶାକୁ ଆହୁରି ବଢାଇ ଦେଇଛି।

 

ସମସ୍ତ ଗୁଜବ ଉପରେ ସ୍ପଷ୍ଟୀକରଣ ଦେଇ ନିର୍ଦ୍ଦେଶକ କହିଛନ୍ତି ଯେ ଧୋନିଙ୍କ ଫିଲ୍ମରେ କୌଣସି କାମ ନାହିଁ। ତେବେ ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି ଯେ ସେ ପ୍ରଥମେ ଫିଲ୍ମରେ ଧୋନିଙ୍କ ଛୋଟ ଭୂମିକା ଯୋଜନା କରିଥିଲେ କିନ୍ତୁ ତାହା ସଫଳ ହୋଇନଥିଲା। ଭେଙ୍କଟ ପ୍ରଭାସ ଆହୁରି କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏକ କ୍ରିକେଟ୍ ମ୍ୟାଚ୍ ଚିତ୍ରିତ ହୋଇଛି  । ଏହାକୁ ଧ୍ୟାନରେ ରଖି ଉଭୟ ଫ୍ରାଞ୍ଚାଇଜର ପ୍ରମୁଖ କ୍ରିକେଟରଙ୍କ ଚିତ୍ର ରହିବ  ।

 

ନିର୍ଦ୍ଦେଶକଙ୍କ ବିବୃତ୍ତି ପରେ ପ୍ରଶଂସକମାନେ ଟିକେ ନିରାଶ ହୋଇଛନ୍ତି, କିନ୍ତୁ ସେମାନଙ୍କର ଭୁଲ ଧାରଣା ଦୂର ହୋଇଯାଇଛି। ପ୍ରଶଂସକଙ୍କ ପାଇଁ ଥାଲାପଥି ବିଜୟଙ୍କ ନାମ ଯଥେଷ୍ଟ ବୋଲି ବିଶ୍ୱାସ କରାଯାଏ। ତାଙ୍କର ବିଶ୍ୱସ୍ତ ପ୍ରଶଂସକ ଅଛନ୍ତି, ଯେଉଁମାନେ ନିଶ୍ଚିତ ଭାବରେ ତାଙ୍କ ଚଳଚ୍ଚିତ୍ର ଦେଖିବା ପାଇଁ ଥିଏଟରକୁ ଯିବେ  । ଆଡଭାନ୍ସ ବୁକିଂ ଦୃଷ୍ଟିରୁ ଫିଲ୍ମ ଚମତ୍କାର ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧି ଅଛନ୍ତି ପ୍ରଶଂସକ ।

ଡ୍ରୋନ ବି ଧରିପାରୁନି ବହରାଇଚର ଗଧିଆ, ଜାଣନ୍ତୁ କାରଣ

ମଥୁରା: ଉତ୍ତର ପ୍ରଦେଶର ବହରାଇଚ ଗଧିଆ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ଜୀବନ ନେଇ ସାରିଲେଣି  । ଏମାନଙ୍କ ମଧ୍ୟରେ ୮ ଜଣ ଶିଶୁ ରହିଛନ୍ତି  । ଅତିକମରେ ୨୫ ଜଣ ଆହତ ହୋଇଛନ୍ତି  । ବହରାଇଚର ଅତି କମରେ ୫୦ଟି ଗାଁରେ ଗଧିଆଙ୍କ ଆତଙ୍କ ଖେଳିଯାଇଛି  । ବନବିଭାଗର ଟିମ ବର୍ତ୍ତମାନ ସୁଦ୍ଧା ୪ଟି ଗଧିଆକୁ ଧରିପାରିଛି  । କିନ୍ତୁ ନରଭକ୍ଷକ ଗଧିଆଙ୍କୁ ଏବେବି ଧରାପଡି ନାହାନ୍ତି  । ସେମାନଙ୍କୁ ଧରିବା ପାଇଁ ଡ୍ରୋନର ନାଇଟ ଭିଜନ କ୍ୟାମେରାର ସହାୟତା ନିଆଯାଇଥିଲା  । ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ସରକାର କହିଛନ୍ତି ଯଦି ଗଧିଆ ଧରାପଡୁ ନାହାନ୍ତି ତେବେ ସେମାନଙ୍କୁ ଗୁଳି କରିଦିଆଯାଉ  ।

 

ଯଦି କେବେ ମଣିଷ ପଶୁ ଲଢେଇ ହୁଏ ବା କୌଣସି ପଶୁ ଆହତ ହୋଇଥାଏ ତେବେ ସହଜ ଶିକାର କରିବାକୁ ଚାହିଁଥାଏ ପଶୁ  । ଏଭଳି କ୍ଷେତ୍ରରେ ମଣିଷ ଛୁଆ ଗଧିଆକୁ ସହଜ ଟାର୍ଗେଟ ବୋଲି ଲାଗିଥାଏ । ଗଧିଆ ଗୋଷ୍ଠୀଙ୍କ ମଧ୍ୟରୁ ଜଣଙ୍କ ମୁହଁରେ ଯଦି ମଣିଷ ରକ୍ତ ଲାଗିଯାଏ ତେବେ ଅନ୍ୟ ଗଧିଆ ମାନେ ଏହି ସମାନ ପାର୍ଟନ ଫଲୋ କରିଥାନ୍ତି । ବହରାଇଚ ମାମଲାରେ ବି ଗୋଟିଏ ଗଧିଆ ଛୋଟା ଥିବା ଜଣାପଡିଛି  । ସମ୍ଭବତଃ ସେହି ଗଧିଆ ପ୍ରଥମେ ହିଁ ମଣିଷର ଶିକାର କରିଥାଇପାରେ  ।

 

ଗଧିଆ ନିଜ ଆକାର ଠୁ ଛୋଟ ଜନ୍ତୁଙ୍କ ଶିକାର କରିଥାଏ  । ଛୋଟ ଛେଳି ଓ ମେଣ୍ଢାଙ୍କୁ ଶିକାର କରିଥାଏ ଗଧିଆ  । ଏହା ଏପରି ପଶୁ ଖୋଜିଥାନ୍ତି ଯାହାକୁ ଆରାମରେ ଦାନ୍ତରେ କାମୁଡି ଶିକାର କରିପାରିବେ  । ମଣିଷର ଦୁଇ ତିନି ବର୍ଷର ଶିଶୁ ଏଥିପାଇଁ ପ୍ରଜୁଯ୍ୟ ହୋଇଥାନ୍ତି  । ସେମାନେ ସହଜରେ ପ୍ରତିରୋଧ ନ କରିବା ଯୋଗୁଁ ଗଧିଆ ଶିକାର ସହଜ ହୋଇଥାଏ  ।

 

ଗଧିଆ ବହୁତ ଚତୁର ପଶୁ ହୋଇଥାନ୍ତି । ନିଜ ମଧ୍ୟରେ କମ୍ୟୁନିକେସନ ବହୁତ ଭଲ ରହିଥାଏ  । ଏମାନଙ୍କ ଉଚ୍ଚତା ବହୁତ କମ ହୋଇଥିବାରୁ ଚାଷଜମିରେ ଲୁଚି ଲୁଚି ଏମାନେ ଚଳପ୍ରଚଳ କରିଥାନ୍ତି  । ଫଳରେ ଏମାନେ ସହଜରେ ଦୃଶ୍ୟମାନ ହୁଅନ୍ତି ନାହିଁ  । ଏଥିପାଇଁ ଏମାନଙ୍କୁ ଧରିବା ଚ୍ୟାଲେଞ୍ଜପୂର୍ଣ୍ଣ ରହିଥାଏ  । ଗଧିଆଙ୍କ ଗୋଷ୍ଠୀରେ ଏକ ଉଲଫା (ଶକ୍ତିଶାଳୀ) ଗଧିଆ ସାମିଲ ଥାଏ  । ଯିଏକି ଅନ୍ୟ ଗଧିଆଙ୍କୁ ଲିଡ୍‌ କରିଥାଏ  । ଯେପର୍ଯ୍ୟନ୍ତ ସେହି ଗଧିଆ ଧରା ନପଡିଛି ପୁରା ଗୋଷ୍ଠୀକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡେ  । ବହରାଇଚ ମାମଲାରେ ସମ୍ଭବତଃ ଉଲଫା ଗଧିଆଟି ଧରା ପଡିନାହିଁ  । ଏଣୁ ଏବେ ସୁଦ୍ଧା ଆକ୍ରମଣ ବନ୍ଦ ହେବାର ନାଁ ନେଉନାହିଁ  ।

ଆଧାରକାର୍ଡ ସଂଶୋଧନ କରିବାକୁ ସୋରରେ ଦଳାଚକଟା

ସୋର: ଆଧାରକାର୍ଡ ସଂଶୋଧନ କରିବାକୁ ଧାଁଦୌଡ଼, ଦଳଚକଟା । ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଆଧାରକାର୍ଡ ସଂଶୋଧନ କରିବା ପାଇଁ ସୋରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ଯ ।

ରାତି ପାହିବା ଆଗରୁ ଜନସେବା କେନ୍ଦ୍ର ଓ ଡାକଘର ଆଗରେ ଲାଗିଛି ଲମ୍ବା ଲାଇନ । ଏମିତିକି ଠେଲାପେଲା ସହ ଦଳଚକଟା ସ୍ଥିତି ବି ଉପୁଜିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଆଧାର କାର୍ଡରେ ସଂଶୋଧନ ଆବଶ୍ଯକ ପଡ଼ୁଛି । କିଏ ଫୋନ ନମ୍ବର ଲିଙ୍କ କରିବାକୁ ତ ଆଉ କିଏ ନାଁ ସଂଶୋଧନ କରିବାକୁ ଲମ୍ବା ଲାଇନରେ ଠିଆ ହେଉଛି ।

ଏପରିକି ଆଧାର ସାଇଟ ମଧ୍ଯ କାମ କରୁନି । ଆବଶ୍ଯକ ଭିତ୍ତିଭୂମି ନଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମହିଳାଙ୍କ ପାଇଁ ସୁରକ୍ଷିତ ଦେଶର ଏହି ୫ ସହର

ନନ୍ଦିଘୋଷ ବ୍ୟୁରୋ: କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆମ ଦେଶରେ ପ୍ରତି ୨୦ ମିନିଟରେ ଜଣେ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି  । ଏଭଳି ଅଭିଯୋଗ ସାମନାକୁ ଆସିବା ପରେ ଦେଶରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି  । ଅପରାଧ ହାର, ସର୍ବସାଧାରଣ ପରିବହନ ସ୍ଥିତି, ରାତି ସମୟରେ ସୁରକ୍ଷା, ଆଇନ ବ୍ୟବସ୍ଥା ଓ ସାମାଜିକ ବାତାବରଣକୁ ନେଇ ଏହି ୫ ସହର ମହିଳାଙ୍କ ପାଇଁ ସର୍ବୋତ୍ତମ ଅଟେ  ।

ଅପେକ୍ଷାକୃତ କମ ଅପରାଧ ଦର ଓ ଭଲ ଆଧାରଭୂତ ସଂରଚନା ପାଇଁ ଜଣାଯାଏ ମହାରାଷ୍ଟ୍ରର ପୁଣେ  । ଯୁବପୀଢୀଙ୍କ ଜନସଂଖ୍ୟା ବହୁଳ ଓ ପ୍ରଗତିଶୀଳ ସଂସ୍କୃତି କାରଣରୁ ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ ଅଟେ  । ସାଧାରଣ ପରିବହନ ଓ ମହିଳା ସୁରକ୍ଷା ମାମଲାରେ ଏହି ସହର ଆଗରେ ରହିଛି  ।

 ଦେଶର ଅନ୍ୟ ସହର ମୁକାବିଲାରେ କର୍ଣ୍ଣାଟକର ବେଙ୍ଗାଲୁରୁ ସୁରକ୍ଷିତ ସହର ଭାବେ ଗଣାଯାଏ  । କସମୋପଲିଟାନ ସଂସ୍କୃତି, ଆଇଟି କମ୍ପାନୀ ହବ୍‌ ଓ ପରିବେଶ ମହିଳାଙ୍କ ସୁରକ୍ଷା ପାଇଁ ଅନୁକୂଳ ରହିଥାଏ  । ପ୍ରାୟ ରାତି ସାରା ଉଜାଗର ରହିଥାଏ ବେଙ୍ଗାଲୁରୁ ସହର  ।

ମହିଳାଙ୍କ ସୁରକ୍ଷା ପାଇଁ ତେଲାଙ୍ଗାନାର ହାଇଦ୍ରାବାଦ ସହର ପ୍ରାୟ ନୂଆ ପ୍ରୟାସ କରିଆସୁଛି  । ମହିଳାଙ୍କ ସୁରକ୍ଷା ଦେବା ପାଇଁ ସର୍ବସାଧାରଣ ସ୍ଥାନ ତଥା ବସ ମେଟ୍ରୋ,ଟ୍ୟାକ୍ସି ଅଟୋ ଆଦିରେ ସି ଟିମ୍‌ ସମସ୍ତ ବ୍ୟବସ୍ଥା କରିଆସୁଛି  ।

 ଋଢିବାଦୀ ସଂସ୍କୃତି କାରଣରୁ ତାମିଲନାଡୁର ଚେନ୍ନାଇ ମହିଳାଙ୍କ ପାଇଁ ସୁରକ୍ଷିତ ଅଟେ  । ଏଠାରେ ବସ ଓ ମେଟ୍ରୋରେ ମହିଳାଙ୍କ ସଂରକ୍ଷିତ ସିଟ୍‌ର ବ୍ୟବସ୍ଥା କରାୟାଇଛି  । ସେହିପରି ଅପରାଧ ହାର ଅନ୍ୟ ସହର ତୁଳନାରେ ଏଠାରେ କମ ରହିଛି  ।

 ମହିଳାଙ୍କ ପାଇଁ ଗୁଜୁରାଟର ଅହମ୍ମଦାବାଦ ସୁରକ୍ଷିତ ସହର ରୂପେ ବିବେଚନା କରାଯାଏ । ଏଠାରେ ଅପରାଧ ହାର ଅନ୍ୟ ସହର ମୁକାବିଲାରେ କମ ହୋଇଥାଏ  । ସହରର ପରିଚ୍ଛନ୍ନତା, ସୁରକ୍ଷିତ ସର୍ବସାଧାରଣ ସ୍ଥାନ ଓ ସମ୍ମାନଜନକ ସାମାଜିକ ବାତାବରଣ ମହିଳାଙ୍କ ପାଇଁ ଅନୁକୂଳ ସ୍ଥାନ ହୋଇଥାଏ  ।

 

ଆଜିବି ବାଙ୍କୀରେ ୨୦ ଟଙ୍କାରେ ମିଳୁଛି ଏକ କିଲୋ ମାଛ

ବାଙ୍କୀ: ଆଜି ବି ବାଙ୍ଗୀରେ ୨୦ ଟଙ୍କାରେ ମିଳୁଛି କେଜିଏ ମାଛ। ବାଙ୍କୀ ବଜାର ନିକଟସ୍ଥ ତାରିଣୀ ଛକରେ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି ଚୁନା ମାଛ । ଗତକାଲି ମଧ୍ଯ ଏଠାରେ ମାଛ କେଜିକୁ ୨୦ ଟଙ୍କା ରହିଥିବା ବେଳେ ଆଜି ବି ସମାନ ଦାମ ରହିଛି।

ମହାନଦୀ ଜଳସ୍ତର କମିଥିବାରୁ ସ୍ଥାନୀୟ ମତ୍ସ୍ଯଜୀବୀଙ୍କ ଜାଲରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ପଡିଥିଲା । କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ଜାଲରେ ପଡ଼ିଥିବା ବେଳେ ,ମାଛ ନଷ୍ଟ ହୋଇଯିବା ଭୟରେ ୨୦ ଟଙ୍କାରେ ମାଛ ବିକ୍ରି କରିଦେଇଛନ୍ତି ମତ୍ସ୍ଯଜୀବୀ । ୨୦ ଟଙ୍କାରେ ମାଛ କିଣିବାକୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଜଣେ ଜଣେ ଗ୍ରାହକ ୫ କିଲୋ ଲେଖାଏଁ ମାଛ କିଣିନେଉଥିବା ନେଇ କହିଛନ୍ତି ।

କେଉଁଠି ଜୀବନ ନେଇଗଲା ବିଦ୍ୟୁତ ତାର କେଉଁଠି ଜୀବନ ନେଲା ହାତୀ

ରାୟଗଡ଼ା: ଗୁଣୁପୁରରେ ହାତୀ ମୃତ । ଫୁଲପୁଟି ସାନ ନଦୀ ବ୍ରିଜ୍ ନିକଟରୁ ହାତୀର ମୃତଦେହ ଠାବ ହୋଇଛି । ବିଦ୍ୟୁତ୍ ଖୁଣ୍ଟ ପାଖରେ ହାତୀଟିର ମୃତଦେହ ପଡ଼ିରହିଛି । ହାତୀ ମୃତ୍ୟୁର କାରଣ ଅଷ୍ପଷ୍ଟ ରହିଥିବାବେଳେ ବିଦ୍ଯୁତ ଆଘାତରୁ ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୩ରୁ ୪ଦିନ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ୨ଟି ହାତୀ ବୁଲୁଥିଲେ । ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ କରୁଥିଲେ । ଗତକାଲି ରାତିରେ ମଧ୍ଯ ହାତୀ ଦୁଇଟି ଖାଦ୍ଯ ସନ୍ଧାନରେ ଗାଁରେ ବଲୁଥିଲେ । ଏହି ସମୟରେ ବିଦ୍ଯୁତ ଆଘାତ ଲାଗି ଗୋଟିଏ ହାତୀର ମୃତ୍ଯୁ ହୋଇଥିବା ସନ୍ଦେହ କରାଯାଉଛି ।

ସେପଟେ ହାତୀ ଘଉଡାଇବା ହେଲା କାଳ। ବଣାଇ ବନବିଭାଗ ସହ ହାତୀ ଘଉଡାଇବା ବେଳେ ଜଣେ ମୃତ। ମୁଣ୍ଡା ବସ୍ତିର ଗୋବିନ୍ଦ ମୁଣ୍ଡା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ବଣାଇ ବନାଞ୍ଚଳ ସରସରାର କୁଲୁକୁତାରେ ଅଘଟଣ। କୁଲୁକୁତା ମୁଣ୍ଡା ବସ୍ତି ନିକଟରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା। ଗୋବିନ୍ଦ ମୁଣ୍ଡା ବନବିଭାଗ ସହ ହାତୀ ଘଉଡାଇବାକୁ ବାହାରିଥିଲେ। ହାତୀ ଘଉଡାଇବା ବେଳେ ହାତୀ ଆକ୍ରମଣ କରିଥିଲା।

ଘଟଣାସ୍ଥଳରେ ବନବିଭାଗ ଉପସ୍ଥିତ ରହିଛି। ମୃତଦେହ ଉଦ୍ଧାର କରି ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ଗାଁରେ ଉତ୍ତେଜନା ଦେଖାଦେଇଛି l

୫ ମହଲାରୁ ଡେଇଁ ଜୀବନ ହାରିଲେ ଭୁବନେଶ୍ବର ଆଇଆଇଟି ଛାତ୍ରୀ

ଭୁବନେଶ୍ୱର: ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ହେଲେ ବିଟେକ ତୃତୀୟ ବର୍ଷର କ୍ରୀତିକା ରାଜ । ୫ ମହଲାରୁ ଡେଇଁ ସେ ଆତ୍ମହତ୍ଯା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀଙ୍କ ଘର ବାହାର ରାଜ୍ଯରେ ।

ସହପାଠୀଙ୍କ କହିବାକୁ ଅନୁସାରେ କିଛିଦିନ ଧରି ସେ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ । ତେବେ ଆତ୍ମହତ୍ଯାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । କଲେଜ ତରଫରୁ ମୃତ ଛାତ୍ରୀଙ୍କ ପରିବାରକୁ ଖବର ଦିଆଯାଇଛି ।

ଏହି ଫିଲ୍ମ ପାଇଁ ରଜନୀକାନ୍ତଙ୍କୁ ୨୮୦ କୋଟି ଓ ନାଗାର୍ଜୁନଙ୍କୁ ମାତ୍ର ୨୪ କୋଟି

ହାଇଦ୍ରାବାଦ: ରଜନୀକାନ୍ତଙ୍କ ଆଗାମୀ ବଡ ପ୍ରୋଜେକ୍ଟ ଅକ୍ଟୋବର ୧୦ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ।  ନାମ ହେଉଛି – ଭେଟ୍ଟିଆନ୍  । ଏହି ଚଳଚ୍ଚିତ୍ରର  ରିଲିଜ ପାଇଁ ପଥ ପରିଷ୍କାର ହୋଇଯାଇଛି  । ଏହାର କାରଣ ହେଉଛି ସାଉଥ ସୁପରଷ୍ଟାର ସୂର୍ଯ୍ୟା, ତାଙ୍କ ଚଳଚ୍ଚିତ୍ର କାଙ୍ଗୁଭାର ରିଲିଜ ଡେଟ୍‌କୁ ସ୍ଥଗିତ ରଖିଛନ୍ତି। କିନ୍ତୁ ତାଙ୍କର ଆଉ ଏକ ଚଳଚ୍ଚିତ୍ର କୁଲିକୁ ନେଇ ଚର୍ଚ୍ଚା ଚାଲିଛି। ଯେଉଁ ଫିଲ୍ମର ସୁଟିଂ ୫ ଜୁଲାଇରେ ହାଇଦ୍ରାବାଦରେ ଆରମ୍ଭ ହୋଇଛି  ।

କିଛି ସମୟ ପୂର୍ବରୁ ଏହି ଚଳଚ୍ଚିତ୍ରର ୩ ମିନିଟର ଘୋଷଣା ଭିଡିଓ ମୁକ୍ତିଲାଭ କରିଛି ​​| ଏଥିରେ ରଜନୀକାନ୍ତଙ୍କ ଗଜବ ଅନ୍ଦାଜ ଦେଖିବାକୁ ମିଳିଛି ​​ । ଭିଡିଓରେ ସୁନା ଜିନିଷକୁ ଛାଡି ବାକି ସବୁକିଛି ବ୍ୟତୀତ କଳା ଏବଂ ଧଳା ଥିଲା  । ରଜନୀକାନ୍ତଙ୍କ ବ୍ୟତୀତ ନାଗାର୍ଜୁନ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିବେ।

 ଏକ ରିପୋର୍ଟରେ କୁହାଯାଇଛି ଯେ ରଜନୀକାନ୍ତ କୁଲି ପାଇଁ ୨୬୦ ରୁ ୨୮୦ କୋଟି ଟଙ୍କା ନେଇଛନ୍ତି। ତେବେ ନିର୍ମାତାମାନେ ଏନେଇ କିଛି ସ୍ପଷ୍ଟ କରିନାହାଁନ୍ତି। ନିକଟରେ ସିନେଜୋଶରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ଫିଲ୍ମରେ ନାଗାର୍ଜୁନଙ୍କୁ ୨୪ କୋଟି ଟଙ୍କାର ଅଫର ମିଳିଛି । ସେ ସାଇମନ୍ ନାମକ ଏକ ଡନ୍ ଭୂମିକାରେ ଅଭିନୟ କରୁଛନ୍ତି  । ଫିଲ୍ମରେ ଉଭୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି  । ତେବେ ନାଗାର୍ଜୁନଙ୍କ ପାଉଣା ରଜନୀକାନ୍ତଙ୍କ ତୁଳନାରେ ବହୁତ କମ୍ ଅଟେ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ପ୍ରତ୍ୟେକ ଅପଡେଟ୍ ପାଇଁ ଅପେକ୍ଷା କରିଛନ୍ତି  । ଚଳିତ ବର୍ଷ ଆରମ୍ଭରେ ରଜନୀକାନ୍ତଙ୍କ ଚଳଚ୍ଚିତ୍ର ଲାଲ ସଲାମକୁ ସେତେଟା ଭଲ ରେସପନ୍ସ ମିଳିନଥିଲା  ।

ଏହି ଚଳଚିତ୍ରରେ ରଜନୀକାନ୍ତଙ୍କ ଏକ କ୍ୟାମୋ ଥିଲା  । ଫିଲ୍ମର ନିର୍ମାଣ ଝିଅ ଐଶ୍ବର୍ଯ୍ୟାଙ୍କ କାନ୍ଧରେ ଥିଲା  । ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା ସତ  । କିନ୍ତୁ ଫିଲ୍ମର ସୁଟିଂ ପରେ କିଛି ଦୃଶ୍ୟ ନିଖୋଜ ହୋଇଯାଇଥିବା ଜଣାପଡିଛି। ଏହା ପରେ ପୁନର୍ବାର କିଛି ପାର୍ଟ ସୁଟିଂ ପାଇଁ ନିଶ୍ପତ୍ତି ନିଆଯାଇଥିଲା। ଯେତେବେଳେ ପୁନଃ ସୁଟ୍ ହୋଇପାରିଲା ନାହିଁ, ଅବଶିଷ୍ଟ ଫୁଟେଜ୍ ସହିତ ଫିଲ୍ମ ରିଲିଜ୍ ହେବାକୁ ପଡିଲା  ।

ଉତ୍ତର ପ୍ରଦେଶର ଯୁବତୀଙ୍କୁ ଦୁବାଇରେ ଫାଶୀଦଣ୍ଡ, ପିଏମଙ୍କୁ ପରିବାରର ନିବେଦନ

ବାନ୍ଦା: ଉତ୍ତର ପ୍ରଦେଶ ବାନ୍ଦା ଜିଲ୍ଲାର ଯୁବତୀ ଶାହଜାଦିଙ୍କୁ ଦୁବାଇରେ ମିଳିବ ଫାଶୀଦଣ୍ଡ  । ସେପ୍ଟେମ୍ବର ୨୧ରେ ଶହଜାଦିଙ୍କୁ ଫାଶୀଦଣ୍ଡ ହେବ ବୋଲି ଶୁଣାଣି କରିଛନ୍ତି ଦୁବାଇ କୋର୍ଟ  । ଶାହଜାଦିଙ୍କ ବାପାମା ପିଏମ ମୋଦି ଓ ସିଏମ ଯୋଗୀଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରି ଝିଅର ଜୀବନ ବଞ୍ଚାଇବା ପାଇଁ ନିବେଦନ କରିଛନ୍ତି  । ଶହଜାଦିଙ୍କୁ ଜୋର ଜବରଦସ୍ତ ଝିଅର ହତ୍ୟାରେ ଫସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ।

ଶାହଜାଦିଙ୍କ ପରିବାର ୟୁପିର ବାନ୍ଦା କୋର୍ଟରେ ଆଗ୍ରା ଯୁବକ ଉଜୈର, ତାଙ୍କ ପିଉସୀ ପିଇସା ସମେତ ୪ ଜଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି  । ଏ ସମସ୍ତ ଅଭିଯୁକ୍ତଙ୍କୁ ଜେରା କରିବାକୁ ଶାହଜାଦିଙ୍କ ବାପା ନିବେଦନ କରିଛନ୍ତି  ।  କୋର୍ଟର ଆଦେଶରେ ପୋଲିସ ଧାରା ୩୭୦, ୩୭୦ ଏ, ୪୧୯, ୪୨୦, ୩୮୬,୩୧୧ ଓ ୩୬୭ ଆଧାରରେ ମାମଲା ରୁଜୁ କରିଛି  ।

ବାନ୍ଦା ଜିଲ୍ଲା ମୁଗଲି ଗାଁ ବାସିନ୍ଦା ଶବ୍ବୀର ଖାନ୍‌ର ତିନି ଝିଅଙ୍କ ମଧ୍ୟରୁ ସବୁଠାରୁ ସାନ ଝିଅ ଶାହଜାଦି ୮ବର୍ଷ ବୟସରେ ଚୁଲିରେ ରୋଷେଇ କରିବା ସମୟରେ ଜଳି ଯାଇଥିଲେ  । ଜଳିବା ପରେ ତା ଚେହେରା ଖରାପ ହୋଇଯାଇଥିଲା । ଶାହଜାଦି ସେବେଠାରୁ ସେବା ମନୋବୃତ୍ତି ରଖି ଏକ ଏନଜିଓ ସଂସ୍ଥା ସହ ଜଡିତ ଥିଲେ  । ଏହାପରେ ଆଗ୍ରା ଯୁବକ ଉଜୈରଙ୍କ ସହ ଶାହଜାଦିଙ୍କ ଫେସବୁକରେ ବନ୍ଧୁତା ହୋଇଥିଲା  ।

ଶାହଜାଦିଙ୍କ ଚେହେରାର ଚିକିତ୍ସା ଦୁବାଇରେ କରିବା ପାଇଁ ଉଜୈର ତାଙ୍କୁ କହିଥିଲା  । ଦୁବାଇରେ ତାର ସମ୍ପର୍କୀୟ ରହୁଥିବାରୁ କିଛି ଅସୁବିଧା ହେବନି କହି ଶାହଜାଦିକୁ ଦୁବାଇ ନେଇଯାଇଥିଲା ଉଜୈର  । ଉଜୈର ତାଙ୍କ ଝିଅକୁ ଦେଢ ଲକ୍ଷ ଟଙ୍କାରେ ଦୁବାଇରେ ବିକ୍ରି କରିଥିବା ନେଇ ଶାହଜାଦିର ପରିବାର ଅଭିଯୋଗ କରିଛନ୍ତି  । ସେଠାରେ ତାଙ୍କ ଝିଅକୁ ଏକ ୪ ମାସ ଛୁଆର ମୃତ୍ୟୁ ମାମଲାରେ ଫସାଇ ଦିଆଯାଇଛି  । ଅଭିଯୋଗ ହୋଇଛି ଯେ ଶାହଜାଦି ମାଲିକଙ୍କ ଅସୁସ୍ଥ ଶିଶୁର ଠିକ ଭାବେ ଦେଖାଶୁଣା ନ କରିବାରୁ ଛୁଆର ମୃତ୍ୟୁ ହୋଇଥିଲା  । ନା ଝିଅକୁ ଦୁବାଇରୁ ଭାରତ ଆସିବାକୁ ଦିଆଯାଉଛି ନା ସେଠାରେ ଶାନ୍ତିରେ ରହିବାକୁ ଦିଆଯାଉଛି  । ଏବେ ସେଠାରେ ତାକୁ ମୃତ୍ୟୁଦଣ୍ଡ ଶୁଣାଣି କରାଯାଇଛି  ।