spot_img
Home Blog Page 1714

ଜମ୍ମୁ କାଶ୍ମୀର କାଠଓ୍ବାରେ ସେନା ଗାଡି ଉପରେ ଆକ୍ରମଣ, ୫ ଯବାନ ସହିଦ

ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ କାଶ୍ମୀର କାଠଓ୍ବାରେ ସେନା ଗାଡି ଉପରେ ଆକ୍ରମଣ। ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ, ୬ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ ପାହାଡ ଭିତରେ ଲୁଚି ଗୁଳି ଚଳାଇବା ସହ ହ୍ୟାଣ୍ଡ ଗ୍ରେନେଡ ଫିଙ୍ଗିଥିଲେ। ଆତଙ୍କବାଦୀଙ୍କ ଆକ୍ରମଣର ପାଲଟା ଜବାବ ଦେଇଥିଲେ ଯବାନ। ଯବାନଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ତେବେ ପାହାଡିଆ ଅଞ୍ଚଳ ହୋଇଥିବାରୁ ଆଉ କିଛି ଆତଙ୍କବାଦୀ ଖସି ପଳାଇବାରେ ସକ୍ଷମ ହୋଇଛି। ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଗାଡିକୁ ଯାଞ୍ଚ କରାଯିବା ସହ ନାକାବନ୍ଦୀ କରି ତଳାସି ଅଭିଯାନ ଚଳାଇଛନ୍ତି ଯବାନ। ଗତ କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ି ଚାଲିଥିବା ବେଳେ, ଜବାବ ଦେଉଛନ୍ତି ଯବାନ।

ଜଗା ଦର୍ଶନ ସାରି ଫେରିବା ବେଳେ ଗାଡି ଦୁର୍ଘଟଣାରେ ୯ ଆହତ

ପୁରୀ: ଜଗା ଦର୍ଶନ ସାରି ଫେରିବା ବେଳେ ଗାଡି ଦୁର୍ଘଟଣାରେ ୯ ଆହତ , ଜଣେ ଗୁରୁତର। ବାଲିପାଟଣା ଥାନା ଅଠାନ୍ତରରୁ ୨ଟି ଗାଡିରେ ପ୍ରାୟ ୨0 ଜଣ ବ୍ୟକ୍ତି ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଯାଇଥିଲେ । ସୂଚନା ଅନୁଯାୟୀ, ମଙ୍ଗଳବାର ଭୋରୁ ଦର୍ଶନ ସାରି ଘରକୁ ଫେରିବା ବେଳେ ନିମାପଡା ଥାନା ଭାଟ ବନ୍ଧ ନିକଟରେ ଗୋଟିଏ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ସମସ୍ତ ଯାତ୍ରୀ ଗାଡି ଭିତରେ ଚାପି ହୋଇ ଯାଇଥିଲେ । ଗାଡ଼ି ଭିତରେ ଚାପି ହୋଇ ପ୍ରାୟ ୯ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର ଛବି ଲତା ବାରିକଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି ।

ରଥଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣା, ୨ ମୃତ

ବଲାଙ୍ଗୀର: ବଲାଙ୍ଗୀର ପାଟଣାଗଡ ରାସ୍ତା ଧୁବଳପଡା ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପାଟଣାଗଡ଼ରୁ ରଥ ଯାତ୍ରା ଦେଖି ଗୋଟିଏ ବାଇକରେ ତିନି ଜଣ ଯୁବକ ଫେରୁଥିବା ବେଳେ ଭାରସାମ୍ଯ ହରାଇ ବାଇକ ଦୁର୍ଘଟଣା ଘଟିଛି ।

ମୃତକ ହେଲେ ଚୁଡାପାଲି ଗାଁର ପ୍ରକାଶ ସାହୁ ଓ ଧୁବଳପଡା ଗାଁର ବିକାଶ ସାହୁ । ପାଟଣାଗଡ଼ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି।

ଆଜି ଯାଞ୍ଚ ହେବ ଶ୍ରୀମନ୍ଦିର ଗର୍ଭଗୃହ

ପୁରୀ: ପ୍ରତିବର୍ଷ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବା ସମୟରେ ଶ୍ରୀମନ୍ଦିରରେ ବାର୍ଷିକ ଯାଞ୍ଚ ଏବଂ ମରାମତି ହୋଇଥାଏ । ଏହି କ୍ରମରେ ଆଜି ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରାଯିବ। ଏଥିରେ ଏଏସଆଇ, ପୂର୍ତ୍ତ ବିଭାଗର ବିଶେଷଜ୍ଞ ସହ ଶ୍ରୀମନ୍ଦିର ବୈଷୟିକ କୋର କମିଟି ଏବଂ ମନ୍ଦିର ପ୍ରଶାସନର ଅଧିକାରୀମାନେ ସାମିଲ ହେବେ। ବିଶେଷ କରି ଗର୍ଭଗୃହ ସମେତ ରତ୍ନସିଂହାସନ, ନାଟମଣ୍ଡପ, ଜଗମୋହନ, ଗର୍ଭଗୃହର ପ୍ରଥମ ମହଲା ଓ ଦ୍ୱିତୀୟ ମହଲାର ରୁଟିନ ଯାଞ୍ଚ କରାଯିବ। ଏଥିସହ ଅଁଳାବେଢା ଏବଂ ଅନ୍ୟ ପାର୍ଶ୍ୱ ଦେବାଦେବୀ ମନ୍ଦିରର ଯାଞ୍ଚ ଓ ମରାମତି ହେବ।

ସୂଚନାଥାଉ କି, ଠାକୁର ଶ୍ରୀମନ୍ଦିରକୁ ଫେରିବା ବେଳକୁ କେଉଁ ସବୁ କାମ କରାଯିବ, ପୂର୍ବରୁ ଏଏସଆଇ ପକ୍ଷରୁ ଯୋଜନା କରାଯାଇଛି। ସେହିଭଳି ଯାଞ୍ଚ ସମୟରେ ଯାହା ଜଣାପଡିବ ତାହାର ମରାମତି କରାଯିବ। ଗତବର୍ଷ ରଥଯାତ୍ରା ସମୟରେ ଯେଉଁ ସବୁ ସ୍ଥାନରେ ଯୋଡ଼େଇ ମରାମତି କରାଯାଇଥିଲା ତାହାର ସ୍ଥିତି କେମିତି ରହିଛି ତାହାକୁ ମଧ୍ୟ ଯାଞ୍ଚ କରାଯିବ । ଗର୍ଭଗୃହରୁ କଳା ଆସ୍ତରଣ ଛଡାଯିବ ବୋଲି ଜଣାପଡିଛି ।

ସନ୍ଦେହଜନକ ଭାବେ ମିଳିଲା ନାବାଳିକାଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ସନ୍ଦେହଜନକ ଭାବେ ମିଳିଲା ନାବାଳିକାଙ୍କ ଝୁଲନ୍ତା ମୃତଦେହ । ମଞ୍ଚେଶ୍ୱର ଥାନା ଶ୍ରୀରାମନଗର ବସ୍ତିରୁ ଜଣେ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଉତ୍ତରପ୍ରଦେଶର ୧୪ ବର୍ଷୀୟ ନାବାଳିକାଙ୍କୁ ଘରେ ତାଲା ପକାଇ ରଖା ଯାଇଥିବା ବେଳେ, ଘର ଭିତରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ବାହାର ପଟୁ ତାଲା ପଡ଼ିଥିବା ବେଳେ ବେକରେ ଓଢ଼ଣୀ ଲଗାଇ ଝୁଲି ପଡିଛନ୍ତି ନାବାଳିକା ଜଣକ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ସାଇଣ୍ଟିଫିକ ଟିମ୍ ପହଞ୍ଚିବା ପରେ ଘଟଣାର ଅଧିକ ତଦନ୍ତ କରାଯିବ ।

ସେପଟେ ନାବାଳିକା ଜଣଙ୍କୁ କାମ କରାଇବା ପାଇଁ ଭୁବନେଶ୍ୱର ଅଣାଯାଇଥିବା ବେଳେ, ସେ ଜଣେ ପୁଅକୁ ଭଲ ପାଉଥିଲା । ତାକୁ ଘରେ ତାଲା ପକାଇ ରଖିବାରୁ ସେ ଆତ୍ମହତ୍ୟା କରିଥିବା କହିଛନ୍ତି ନାବାଳିକାକୁ ରଖିଥିବା ମହିଳା । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।

ରାଜ୍ୟରେ ଆରମ୍ଭ ହେଲା ଡେଙ୍ଗୁ ସଂକ୍ରମଣ, ଖୋର୍ଦ୍ଧାରେ ବଢ଼ିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଡେଙ୍ଗୁ ସଂକ୍ରମଣ। ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧାରେ ବଢ଼ିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଜାରି କରିଛି । ବିଗତ ୫ବର୍ଷ ଭିତରେ ଯେଉଁ ଅଞ୍ଚଳ ଡେଙ୍ଗୁ ହଟସ୍ପଟ୍ ରହିଥିଲା, ତାହାକୁ କୀଟତତ୍ତ୍ବବିତଙ୍କ ଦ୍ବାରା ଅନୁଶୀଳନ କରି ମ୍ୟାପିଂ କରିବା ଓ ସର୍ବେକ୍ଷଣ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣ ଦେଖିବାକୁ ମିଳିଥାଏ। ଏଥିପାଇଁ ଆଗୁଆ ସତର୍କ ରହିବା ସହ ଔଷଧ ଓ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।।

ଜିଲ୍ଲା ଓ ମ୍ୟୁନିସିପାଲଟି ସ୍ତରରେ ସବୁ ଅଂଶୀଦାରମାନଙ୍କୁ ନେଇ ବୈଠକ କରି ଏକ ଯୁଗ୍ମ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଗୁରୁତ୍ବ ଦିଆଯାଇଛି। ଜନସାଧାରଣଙ୍କୁ ସଚେତନ କରିବା ସହ କୀଟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଅନ୍ୟ ସହଯୋଗୀ ବିଭାଗ ସହ ସମନ୍ବୟ ରକ୍ଷା କରିବାକୁ କୁହାଯାଇଛି। ଟେଣ୍ଟିଂ, ଚିକିତ୍ସା ଓ ଠିକ୍ ସମୟରେ ରେଫରାଲକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ଓ ବ୍ଲକ ଆରଆରଟି ଦଳ ପ୍ରସ୍ତୁତ ରହିବେ। ହସ୍ପିଟାଲରେ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲିବା ସହ ସାପ୍ତାହିକ ସାଇନ-ଏ-ଡାଏ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ପାଖାପାଖି ୩ ଶହରୁ ଅଧିକ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ଏଥିରୁ ଜିଲ୍ଲାର ୫୦ ପ୍ରତିଶତ ରୋଗୀ କେବଳ ଭୁବନେଶ୍ୱରରୁ ବାହାରିଥିବା ଜଣାପଡିଛି।

ଟ୍ରେନ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ

ବାଲେଶ୍ୱର: ସୋର ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଅଘଟଣ। ଟ୍ରେନରେ କଟି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ପୁରୀ ହାୱଡା ଏକ୍ସପ୍ରେସ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ବାଇକରେ ଆସୁଥିବା ବେଳେ ରେଳ ଫାଟକ ପଡ଼ିଥିବାରୁ ଛିଡ଼ା ହୋଇଥିଲେ। କିନ୍ତୁ ଏହି ସମୟରେ ପଛରେ ବସିଥିବା ଯୁବକ ଜଣଙ୍କ ଟ୍ରେନ ସମ୍ମୁଖକୁ ଦୌଡିଥିବା ବେଳେ ଅନ୍ୟ ଜଣେ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ। ଫଳରେ ପୁରୀରୁ ହାଓ୍ବଡା ଅଭିମୁଖେ ଯାଉଥିବା ପୁରୀ ହାଓ୍ବଡା ସୁପରଫାଷ୍ଟ ଏକ୍ସପ୍ରେସ ଉଭୟଙ୍କୁ ଧକ୍କା ଦେବାରୁ ସେମାନଙ୍କ ଶରୀରର ବିଭିନ୍ନ ଅଂଶ ଖଣ୍ଡଖଣ୍ଡ ହୋଇ ପଡ଼ିଥିଲା।

ଖବର ପାଇ ସୋର ଆରପିଏଫ ଓ ବାଲେଶ୍ୱର ଜିଆରପି ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବାଲେଶ୍ୱର ପଠାଇଛି। ଦୁଇ ମୃତ ଯୁବକଙ୍କ ପରିଚୟ ମିଳିନାହିଁ।

ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ବିତୀୟ ବୈଠକ

ପୁରୀ: ଆଜି ପୁଣି ବସିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଗଠିତ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ବୈଠକ। କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ l ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରତ୍ନଭଣ୍ଡାର କେଉଁଦିନ ଖୋଲାଯିବ, ତା ଉପରେ ଆଲୋଚନା କରାଯିବ। କମିଟିର ପ୍ରଥମ ବୈଠକ ଗତ ୬ ତାରିଖରେ ବସିଥିବା ବେଳେ, ରତ୍ନଭଣ୍ଡାରର ଚାବି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଆଜି ସେହି ଡୁପ୍ଲିକେଟ୍ ଚାବିକୁ କମିଟି ସାମ୍ନାରେ ଉପସ୍ଥାପନ କରାଯିବ। ଟ୍ରେଜେରୀରେ ଥିବା ଡୁପ୍ଲିକେଟ୍ ଚାବିରେ ରତ୍ନଭଣ୍ଡାର ନଖୋଲିଲେ, ତାଲା ଭଙ୍ଗାଯିବ ବୋଲି ପୂର୍ବରୁ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା।

କେବେ ଫେରିବେ ସୁନୀତା? ମହାକାଶରେ ଫସିଛନ୍ତି ସୁନୀତା ୱିଲିୟମସ

ନନ୍ଦିଘୋଷ ବ୍ୟୁରୋ: କ’ଣ ହେବ ଭାରତୀୟ ଆମେରିକୀୟ ମହାକାଶଚାରିଣୀ ସୁନୀତା ୱିଲିୟମସଙ୍କ ଭାଗ୍ଯ। ଇତିହାସ ରଚିବାକୁ ଯାଇ ମହାକାଶରେ ଜୀବନ ଯୁଦ୍ଧ ଜାରି ରଖିଛନ୍ତି ସୁନୀତା। ବୋଇଂ ଷ୍ଟାରଲାଇନରେ ମହାକାଶ ମିଶନରେ ଯାଇଥିବା ସୁନୀତାଙ୍କ ପୃଥିବୀକୁ ଫେରିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କକ୍ଷପଥରେ ସ୍ପେସକ୍ରାଫ୍ଟର ଆୟୁଷ ୪୫ ଦିନ ରହିଛି। ଗତ ଜୁନ ୫ରେ ଏହି ସ୍ପେସକ୍ରାଫ୍ଟକୁ ମହାକାଶ ଛଡାଯାଇଥିଲା। ଏହି ଅଭିଯାନ ମାତ୍ର ୭ ଦିନ ଲାଗି ଉଦ୍ଦିଷ୍ଟ ଥିଲା। ମାତ୍ର ଷ୍ଟାରଲାଇନରର ସର୍ଭିସ ମଡ୍ଯୁଲରେ ତ୍ରୁଟି କାରଣରୁ ଏହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସରେ ଫସି ରହିଛି। ଗତ ମେ ୨୫ରେ ଏହାକୁ ଛଡାଯିବା ଲାଗି ଯୋଜନା କରାଯାଇଥିଲା। ମାତ୍ର ହିଲିୟମ ଲିକ୍ କାରଣରୁ ଏହାକୁ ସ୍ଥଗତି ରଖାଯାଇଥିଲା। ସୁନୀତାଙ୍କ ସହ ସହଯୋଗୀ ମହାକାଶଚାରୀ ଅଛନ୍ତି ବଚ୍ ୱିଲମୋର। ସ୍ପେସକ୍ରାଫ୍ଟକୁ ଆମେରିକାର କେପ କାନାଭେରାଲ ଷ୍ଟେସନରୁ ଲଞ୍ଚ କରାଯାଇଥିଲା। ମାତ୍ର ମହାକାଶରେ ଏହାର ରିଆକ୍ସନ କଣ୍ଟ୍ରୋଲ ସିଷ୍ଟମ ବା ଆରସିଏଫ ଅକାମି ହୋଇଯାଇଥିଲା। ଫଳରେ ମହାକାଶ ଅଭିଯାନର ସମୟ ବଢାଯିବା ସହ ସେମାନେ ନିରାପଦରେ କିପରି ପୃଥିବୀ ପୃଷ୍ଠକୁ ଫେରିବେ ସେଥିଲାଗି ବୈଜ୍ଞାନିକମାନେ ଆପ୍ରାଣ ଉଦ୍ଯମ ଜାରି ରଖିଛନ୍ତି।

ତେବେ ସ୍ପେସକ୍ରାଫ୍ଟର ଲିମିଟକୁ ୪୫ ଦିନରୁ ଅଧିକ କରିବାକୁ ଉଦ୍ଯମ କରାଯାଉଥିବା କହିଛନ୍ତି ସ୍ପେସ ଏଜେନ୍ସି ମ୍ଯାନେଜର ଷ୍ଟିଭ ଷ୍ଟିଚ। ଏବେ ପ୍ରଶ୍ନ ଉଠୁଛି ବିଳମ୍ବ କାରଣରୁ ବୋଇଂ ଷ୍ଟାରଲାଇନର ବିସ୍ଫୋରଣ ହେବନାହିଁ ତ। ପୂର୍ବରୁ ଗତ ୨୦୧୯ରେ ଷ୍ଟାରଲାଇନର ବି କକ୍ଷପଥରେ ପହଞ୍ଚିବାରେ ଅକ୍ଷମ ହୋଇଥିଲା। ତେବେ ସେଥିରେ କେହି ମହାକାଶଚାରୀ ନଥିଲେ। ପରେ ଜଣାଯାଇଥିଲା ଯେ ଅନବୋର୍ଡ କ୍ଲକକୁ ସଠିକ ଭାବେ ସେଟ୍ କରାଯାଇ ନଥିଲା। ମହାକାଶରେ ମାଧ୍ଯାକର୍ଷଣ ଶକ୍ତିର ଅଭାବ ଯୋଗୁ ଶରୀରର ତରଳ ପଦାର୍ଥ ଦୁର୍ବଳ ହୋଇଯାଏ ଏବଂ ଶରୀରର ବିଭିନ୍ନ ଅଂଶକୁ ଏହା ପ୍ରସାରିତ ହେଇପାରି ନଥାଏ। ଏହାର ପ୍ରଭାବ କିଡନୀ ଉପରେ ପଡିଥାଏ। ଫଳରେ ଡିହାଇଡ୍ରେସନ ସମେତ ଅନ୍ଯାନ୍ଯ ପ୍ରତିକୂଳ ପ୍ରଭାବ ଶରୀର ଉପରେ ପଡିଥାଏ ଯାହା ବିପଦପୂର୍ଣ୍ଣ। ଅତୀତରେ ଭାରତୀୟ-ଆମେରିକୀୟ ମହାକାଶଚାରୀ କଳ୍ପନା ଚାୱଲା ୧ ଫେବ୍ରୁଆରୀ ୨୦୦୩ରେ ପୃଥିବୀ ପୃଷ୍ଠକୁ ଫେରୁଥିବାବେଳେ ସ୍ପେସ ସଟଲ କଲମ୍ବିଆ ବାୟୁମଣ୍ଡଳରେ ମିଳାଇଯିବାରୁ କଳ୍ପନାଙ୍କ ସମେତ ୭ ଜଣଙ୍କର ପ୍ରାଣହାନି ଘଟିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ପୁଟିନଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ମଜଭୁତ ହେବ ଭାରତ- ରୁଷିଆ ସମ୍ପର୍କ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ଯରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଦୁଇ ରାଷ୍ଟ୍ର ମଧ୍ଯରେ କୌଶଳଗତ ସମ୍ପର୍କ ବୃଦ୍ଧି ଲାଗି ଦୁଇ ନେତା ରଖିଛନ୍ତି ଭିଜନ। ଆଜି ମସ୍କୋରେ ୨୨ତମ ଭାରତ-ରୁଷିଆ ସମ୍ମିଳନୀରେ ଦୁଇ ନେତା ଯୋଗ ଦେବା ସହ ଶକ୍ତି, ବାଣିଜ୍ଯ ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଆଲୋଚନା କରିବେ। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ ହୋଇଥିବାରୁ ୟୁକ୍ରେନ ପ୍ରସଙ୍ଗ ବି ସ୍ଥାନ ପାଇବା ସମ୍ଭାବନା ରହିଛି। ଦ୍ବିପାକ୍ଷିକ ସମ୍ମିଳନୀ ପୂର୍ବରୁ ମୋଦିଙ୍କ ଲାଗି ପୁଟିନ ଏକ ଡିନର ଆୟୋଜିତ କରିଥିଲେ। ଦଶନ୍ଧି ଧରି ଦୁଇ ଦେଶ ମଧ୍ଯରେ ସ୍ବାସ୍ଥ୍ଯ, ନିବେଶ, ଶିକ୍ଷା, ସଂସ୍କୃତି, ଶକ୍ତି, ବାଣିଜ୍ୟ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ସହଯୋଗିତା ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ଭାରତ ନିନ୍ଦା କରିନାହିଁ। ଆଜି ମସ୍କୋରୁ ଅଷ୍ଟ୍ରିଆ ଅଭିମୁଖେ ଗସ୍ତ କରିବେ ମୋଦି।

ଗତ ୨୦୨୧ ଡିସେମ୍ବର ୬ରେ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ ପୁଟିନ। ମସ୍କୋରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ରୁଷିଆ ଉପପ୍ରଧାନମନ୍ତ୍ରୀ ଦେନିସ ମାନ୍ତୁରୋଭ। ଏହି ଅବସରରେ ସେଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷ ଥର ଲାଗି ୪୧ ବର୍ଷ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅଷ୍ଟ୍ରିଆ ଗସ୍ତ କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରଠାରୁ ଏହା ହେଉଛି ମୋଦିଙ୍କ ପ୍ରଥମ ରୁଷିଆ ଗସ୍ତ। ଦ୍ବିପା୍କ୍ଷିକ ସମ୍ପର୍କ, ଆନ୍ତର୍ଜାତିକ ପ୍ରସଙ୍ଗ, ଆଞ୍ଚଳିକ ସ୍ଥିରତା ଆଦି ପ୍ରସଙ୍ଗରେ ଦୁଇ ନେତା କରିବେ ଆଲୋଚନା। ଶେଷ ଥର ଲାଗି ୨୦୧୫ରେ ମସ୍କୋ ଗସ୍ତ କରିଥିଲେ ମୋଦି। ବିଶେଷ କରି ଅସ୍ତ୍ରଶସ୍ତ୍ର ଓ ପ୍ରତିରକ୍ଷା ନେଇ ଦୁଇ ଦେଶ ମଧ୍ଯରେ ସମ୍ପର୍କ ମଜଭୁତ କରିବା ଲାଗି ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। ଯୁଦ୍ଧକୁ କେନ୍ଦ୍ର କରି ରୁଷୀୟ କମ୍ପାନିଙ୍କ ଉପରେ ପାଶ୍ଚାତ୍ଯ ରାଷ୍ଟ୍ରର କଟକଣା ପରେ ଭାରତ ଓ ଚୀନ ବର୍ତ୍ତମାନ ରହିଛନ୍ତି ରୁଷିଆର ପ୍ରମୁଖ ତୈଳ ପାର୍ଟନର। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଆଜି ଯାଏ ଭାରତ ରୁଷିଆକୁ ଦୋଷ ଦେଇନାହିଁ। କେବଳ ଶାନ୍ତିପୂର୍ଣ୍ଣ ସମସ୍ଯା ଚାହିଁଛି।