ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ସମସ୍ତ ଶକ୍ତି ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଛି । କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀଙ୍କୁ ଆଜି ତ୍ରିପୁରା ମୋହିନୀ ବେଶରେ ସଜ୍ଜିତ କରାଯାଇଛି । କୋଣାର୍କ ପୁରୀ ବେଳା ମାର୍ଗସ୍ଥିତ ପବିତ୍ର କୁଶଭଦ୍ରା ନଦୀର ମୁହାଣ ନିକଟରେ ଅବସ୍ଥିତ ରାଜ୍ୟର ଅଷ୍ଠଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ମା ରାମଚଣ୍ଡୀଙ୍କ ପୀଠ । ମା ରାମଚଣ୍ଡୀଙ୍କୁ ନେଇ ରହିଛି ଅନେକ କିମ୍ବଦନ୍ତୀ । ରାଜ୍ୟର ବହୁ ପ୍ରାଚୀନ ଶକ୍ତି ପୀଠ ମାନଙ୍କ ମଧ୍ୟରେ ଅନ୍ୟତନ ମା ରାମଚଣ୍ଡୀ । ସାରଳା ମହାଭାରତ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଲଙ୍କାକୁ ସେତୁ ବାନ୍ଧିବା ପୂର୍ବରୁ ଏହି ପୀଠରେ ମାଙ୍କ ପୂଜାର୍ଚନା କରି ଚଣ୍ଡୀପାଠ କରିଥିଲେ । ତ୍ରେତୟା ଯୁଗରୁ ଏହି ଶକ୍ତିପୀଠ ମା ରାମଚଣ୍ଡୀ ଭାବେ ନାମିତ ହୋଇ ପୂଜିତ ହେଉଛନ୍ତି । ମା ରାମଚଣ୍ଡୀ ଆଜି ତ୍ରିପୁରା ମୋହିନୀ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି । ପାର୍ବଣର ଏହି ମହାର୍ଘ୍ୟ ସମୟରେ ମାଙ୍କୁ ଦର୍ଶନ କରି କରୁଣା ଲାଭ କରିବା ପାଇଁ ମାଙ୍କ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଛି ।
ଚଳିତବର୍ଷ ହବିଷ୍ୟାଳୀ ଯୋଜନାରେ ଅନ୍ତର୍ଭୁକ୍ତ ହେବେ ମାତ୍ର ୨୫ ଶହ, ସରକାରଙ୍କ ପାରିବା ପଣିଆକୁ ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ବର: ଚଳିତବର୍ଷ ପୁରୀରେ ହବିଷ୍ୟାଳୀ ଯୋଜନାରେ କେବଳ ୨୫ ଶହ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଏନେଇ ଆଗାମୀ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ପଞ୍ଜିକରଣ ଆରମ୍ଭ ହେବା ସହ ଯୋଗ୍ୟ ହିତାଧିକାରୀ ୧୭ ତାରିଖ ଦିନ ପୁରୀରେ ପହଞ୍ଚି ଯୋଜନାରେ ଅନ୍ତର୍ଭୁକ୍ତ ହେବେ । ତେବେ ୪ଟି ଶିବିରରେ ମାଆମାନଙ୍କ ମାଗଣାରେ ରହିବା, ମହାପ୍ରସାଦ ସେବନ, ଦର୍ଶନ ଓ ପୂଜାପାଠର ବ୍ୟବସ୍ଥା ସହ ଆନୁସଙ୍ଗିକ ସୁବିଧା ଯୋଗାଇଦେବ ପ୍ରଶାସନ । ସ୍ପଟ ପଞ୍ଜିକରଣକୁ ମନା କରାଯାଇଥିବା ବେଳେ ସଂଖ୍ୟା ୨୫ ଶହ ମଧ୍ୟରେ ସୀମିତ ରହିଥିବାରୁ ରାଜ୍ଯ ସରକାରଙ୍କ ପାରିବା ପଣିଆ ଉପରେ ଆକ୍ଷେପ କରିଛନ୍ତି ସଂସାଦ ଓ ସେବାୟତ ।
ୱେବସାଇଟ୍ redistrict.odisha.gov.in ମାଧ୍ୟମରେ ହାବିଷ୍ୟାଳୀମାନେ ପଞ୍ଜିକରଣ କରିପାରିବେ । ଆଗାମୀ ୬ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପ୍ରକ୍ରିୟା । ଚଳିତବର୍ଷ ସ୍ପଟ ପଞ୍ଜିକରଣ ହେବ ନାହିଁ । କେବଳ ୨୫ ଶହ ହବିଷ୍ଯାଳୀଙ୍କ ପାଇଁ ୪ଟି ଶିବିରରେ ହେବ ବ୍ଯବସ୍ଥା । ଆସନ୍ତା ୧୭ ତାରିଖରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଶିବିରରେ ରଖାଯିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।
ଗତ ବିଜେଡି ସରକାର ସମୟର ଏକ ପ୍ରମୁଖ ଯୋଜନା ଥିଲା ହବିଷ୍ଯାଳୀ ଯୋଜନା । ଏହାଦ୍ବାରା ବହୁ ଗରିବ ଗୁରୁବା ମାଆମାନେ ଉପକୃତ ହେଉଛନ୍ତି । ଗତବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩୨ ଶହ ମାଆ ଏହି ଯୋଜନାରେ ଉପକୃତ ହୋଇଥିଲେ । ଚଳିତବର୍ଷ ସଂଖ୍ୟା ବୃଦ୍ଧି ହେବ ପରିବର୍ତ୍ତେ କମାଇ ଦିଆଯାଇଥିବାରୁ ବିଜେପି ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟସଭା ସାଂସଦ । ପୂର୍ବରୁ ସ୍ପଟ ପଞ୍ଜିକରଣ ବ୍ୟବସ୍ଥା ଥିବା ବେଳେ ଚଳିତବର୍ଷ ଏହାକୁ ଉଠାଯାଇଥିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସାଂସଦ ।
ହୀରାକୁଦ ଜଳଭଣ୍ଡାରକୁ ଭୂମିକମ୍ପ ଡର, ୬୭ ବର୍ଷ ପରେ ସୁରକ୍ଷା ନେଇ ହେବ ସର୍ଭେ
ଭୁବନେଶ୍ବର: ବିପଦରେ ହୀରାକୁଦ ଜଳଭଣ୍ଡାର । ରାଜ୍ୟର ସର୍ବବୃହତ ନଦୀବନ୍ଧ ପ୍ରତି ରହିଛି ଭୂମିକମ୍ପ ଡର । ୬୭ ବର୍ଷ ପରେ ଏହାର ସୁରକ୍ଷା ନେଇ ହେବ ସର୍ଭେ । କେନ୍ଦ୍ର ସରକାରଙ୍କ ପାଇଲଟ ଯୋଜନାରେ ସାମିଲ ହୋଇଛି ହୀରାକୁଦ ଜଳଭଣ୍ଡାର । ଅକ୍ଟୋବର ୨୨ ଓ ୨୩ ତାରିଖ ଦୁଇଦିନ ଧରି ଜୟପୁରର ଏମଏନଆଇଟି ସଂସ୍ଥା ହୀରାକୁଦ ସୁରକ୍ଷା ନେଇ ସର୍ଭେ କରିବେ । ଜଳଭଣ୍ଡାରର ଇନଫ୍ଲୋ ଓ ଆଉଟ ଫ୍ଲୋ ନିୟନ୍ତ୍ରଣ କରିବାକୁ ହୋଇଥିବା ରୁଲ୍ କର୍ଭ ନିୟମରେ ବି ହୋଇପାରେ ପରିବର୍ତ୍ତନ । ଜଳଭଣ୍ଡାରରେ ପଟୁମାଟି ଜମା ହୋଇ ଜଳଧାରଣ କ୍ଷମତା କମୁଥିବାରୁ ରୁଲ୍ କର୍ଭ ଉପରେ ପୁର୍ନବିଚାରର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ କହିଛନ୍ତି ।
ହୀରାକୁଦ ନଦୀବନ୍ଧର ହେବ ବିସ୍ତୃତ ସର୍ଭେ । ଭୂମିକମ୍ପ ଜୋନ୍ ୨ରୁ ୩କୁ ଉନ୍ନୀତ ହୋଇଛି ମହାନଦୀ ବେସିନ । ହୀରାକୁଦ ଡ୍ୟାମ ଭୂମିକମ୍ପ ସମ୍ଭାଳିବା ପାଇଁ କେତେ ସକ୍ଷମ ? ୧୯୫୭ରେ ନିର୍ମିତ ଏହି ନଦୀବନ୍ଧ ୬୭ ବର୍ଷ ପରେ କେତେ ସୁଦୃଢ ରହିଛି ? ଏସବୁ ଜାଣିବା ପାଇଁ ଡ୍ୟାମ ନିରାପତ୍ତା ବିଭାଗ ପକ୍ଷରୁ କରାଯିବ ବ୍ୟାପକ ସର୍ଭେ । ଜୟପୁରର ମାଲଭିୟା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଟେକ୍ନୋଲୋଜି ହୀରାକୁଦର ବାସ୍ତବ ସ୍ଥିତି ନୀରିକ୍ଷଣ କରିବ । ଅକ୍ଟୋବର ୨୨ ଓ ୨୩ରେ ଏହାର ଷ୍ଟ୍ରକଚର, ଡିଜାଇନ ବାବଦରେ ବିସ୍ତୃତ ସର୍ଭେ ହେବ । ଜଳସମ୍ପଦ ବିଭାଗ ପକ୍ଷରୁ ଏ ନେଇ ମହାନଦୀ ଡିଭିଜନକୁ ଚିଠି ଲେଖି ପ୍ରସ୍ତୁତ ରହିବା ସହ ଆବଶ୍ୟକୀୟ ତଥ୍ୟ ଦେବାକୁ କୁହାଯାଇଛି ।
୧୯୫୭ରେ କେନ୍ଦ୍ରୀୟ ଜଳ କମିଶନ ହୀରାକୁଦ ନଦୀବନ୍ଧର ଡିଜାଇନକୁ ଅନୁମୋଦନ କରିଥିଲେ । ସମୟ ବଦଳିବା ଅନୁସାରେ ନୂଆ ନୂଆ ସମସ୍ୟା ବି ସାମ୍ନାକୁ ଅସୁଛି । ହୀରାକୁଦ କେବଳ ଓଡ଼ିଶା ଗର୍ବ ଗୌରବ ନୁହଁ, ବରଂ ହୀରାକୁଦ ଡ୍ୟାମ ଉପରେ ୧୬ଟି ଜିଲ୍ଲା ନିର୍ଭରଶୀଳ । ଏସବୁ ଦୃଷ୍ଟିକୋଣରୁ ହୀରାକୁଦର ସୁରକ୍ଷା ବି ଜରୁରୀ । କେନ୍ଦ୍ର ସରକାର ନୂଆ କରି ଡ୍ୟାମ ନିରାପତ୍ତା ମନ୍ତ୍ରାଳୟ ଖୋଲିବା ପରେ ଦେଶର କିଛି ଡ୍ୟାମ ସୁରକ୍ଷା ବାବଦରେ ପାଇଲଟ ଭିତ୍ତିରେ ସର୍ଭେ କାମ କରିବାକୁ ଯାଉଛନ୍ତି । ଏଥିରେ ହୀରାକୁଦ ସ୍ଥାନ ପାଇଛି । ସୁରକ୍ଷା ସାଙ୍ଗକୁ ପଟୁମାଟି ଯୋଗୁଁ ଜଳଭଣ୍ଡାରର ଜଳଧାରଣ କ୍ଷମତା କମି ଚାଲିଛି । ଜଳଭଣ୍ଡାରକୁ କେତେ ପାଣି ଆସୁଛି ଓ କେତେ ପାଣି ଯାଉଛି, ତାହା ନିର୍ଦ୍ଧାରଣ କରିବାକୁ ରୁଲ କର୍ଭ ନିୟମ ରହିଛି । ଏଥିରେ ବି ପରିବର୍ତ୍ତନ ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି ।
ସର୍ଭେ ପୂର୍ବରୁ ହୀରାକୁଦର ବିଗତ ବର୍ଷର ଅନେକ ତଥ୍ୟ ମାଗିଛି ଏମଏନ୍ଆଇଟି ସଂସ୍ଥା । ୧୬ଟି ଜିଲ୍ଲାରେ ଜଳସେଚନ, ବିଜୁଳି ଉତ୍ପାଦନ, ଶିଳ୍ପକୁ ପାଣି ଯୋଗାଣ ସବୁ କିଛି ନିର୍ଭର କରୁଛି ହୀରାକୁଦର ସୁରକ୍ଷା ଉପରେ ।
ସୁନା ବଜାରରେ ନିଆଁ: କିଣିବା ଛାଡନ୍ତୁ, ଚାହିଁବା ମାନ
ଭୁବନେଶ୍ବର: ଦିନକୁ ଦିନ ଆକାଶ ଛୁଆଁ ହେଉଛି ସୁନା ଦର । ୨୪ କ୍ଯାରେଟ ସୁନା ୧୦ ଗ୍ରାମ ପିଛା ୭୫ ହଜାର ଟଙ୍କା ପାର୍ କଲାଣି । ୨୨ କ୍ଯାରେଟ ଦର ୭୦ ହଜାର ପାଖାପାଖି । ମନ ଥିଲେ ବି ଦରକୁ ଦେଖି ଦୋକାନରୁ ମୁହଁ ଫେରାଇ ନେଇଛନ୍ତି ଗ୍ରାହକ, ହାତବାନ୍ଧି ବସିଛନ୍ତି ବ୍ଯବସାୟୀ ।
ପାର୍ବଣରେ ସୁନା ଦର ହେଲାଣି ଅସମ୍ଭାଳ । ଆଗକୁ ହାତ ମାରି ହେବନି । ଲଗାତାର କିଛି ମାସ ହେଲା ସୁନା ଦର ବଢି ସର୍ବକାଳୀନ ସ୍ତରରେ ପହଞ୍ଚିଲାଣି । ୨୪ କ୍ଯାରେଟ ସୁନା ୧୦ ଗ୍ରାମ ପିଛା ପାର କଲାଣି ୭୫ ହଜାର । ୨୨ କ୍ଯାରେଟ ୭୦ ହଜାର ପାଖାପାଖି । ତଥ୍ଯ କହୁଛି କେବଳ ଚଳିତବର୍ଷ ସୁନା ୧୨ ହଜାର ଟଙ୍କା ମହଙ୍ଗା ହେଲାଣି । ଜାନୁଆରୀ ଏକ ତାରିଖରେ ୨୪ କ୍ଯାରେଟ ସୁନା ୧୦ ଗ୍ରାମ ପିଛା ଥିଲା ପ୍ରାୟ ୬୩ ହଜାର । ଯାହାକି ଏବେ ୭୫ ହଜାର ପାର୍ କଲାଣି । ଯାହାକୁ ନେଇ ଉଭୟ ଗ୍ରାହକ ଓ ବ୍ଯବସାୟୀ ଚିନ୍ତାରେ ପଡ଼ିଛନ୍ତି ।
କାହିଁକି ଦିନକୁ ଦିନ ଅମୁଲମୂଲ ହେଉଛି ସୁନା ?
କୁହାଯାଉଛି ସୁନା ଏକ ଭରସାଯୋଗ୍ଯ ନିବେଶ । ଉଚ୍ଚ ମୁଦ୍ରାସ୍ପ୍ରୀତି ଓ ବିନିମୟ ମୁଦ୍ରା ମୂଲ୍ଯରେ ଅସ୍ଥିରତା ଯୋଗୁଁ ଲୋକେ ସୁନାରେ ନିବେଶ କରୁଛନ୍ତି । ଷ୍ଟକ କିମ୍ବା ବଣ୍ଡ ମୂଲ୍ଯରେ ହ୍ରାସ ଘଟିଲେ ସୁନାରେ ନିବେଶ ବଢିଥାଏ । ଏହାଛଡ଼ା ମଧ୍ଯପ୍ରାଚ୍ଯରେ ଉତ୍ତେଜନା ପାଇଁ ବିଶ୍ବ ବଜାର ହ୍ରାସ ଘଟିଛି । ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଗୋଲ୍ଡ ମାର୍କେଟ ଉପରେ । ଫଳରେ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଏଭଳି ଚଢା ଦାମକୁ ଦେଖି ମନ ଥିଲେ ସୁନା କିଣିବାକୁ ହାତ ଯାଉନି ।
ସେହିପରି ଗତ ୨୯ ତାରିଖରେ ରୁପା ସର୍ବାକାଳୀନସ୍ତର ୯୪ ହଜାର ୨୮୦ ଟଙ୍କାକୁ ଛୁଇଁଥିଲା । ପରେ ଦର ହ୍ରାସ ପାଇ ଏବେ କେଜି ପିଛା ୯୦ ହଜାର ୯୩୦ ଟଙ୍କାରେ ପହଞ୍ଚିଛି ।
୫ ବର୍ଷ ପରେ ପଦାକୁ ବାହାରିଲେ ଇରାନ ସୁପ୍ରିମ ଲିଡର ଖୋମେଇନି, ମୁସଲିମ ଏକତା ପାଇଁ ଦେଲେ ଆହ୍ବାନ
ନୂଆଦିଲ୍ଲୀ: ମଧ୍ଯପ୍ରାଚ୍ଯ ଅସ୍ଥିରତା ମଧ୍ଯରେ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଖୋମେଇନିଙ୍କୁ ଗର୍ଜନ । ମୁସଲିମ ଏକତା ଲାଗି ମୁସଲିମ ରାଷ୍ଟ୍ରଙ୍କୁ ଦେଇଛନ୍ତି ଆହ୍ବାନ । ଇସ୍ରାଏଲର ଟପ୍ ଟାର୍ଗେଟରେ ଥିବା ଖୋମେଇନି ପ୍ରଥମ ଥର ଲାଗି ୫ ବର୍ଷରେ ଦେଇଛନ୍ତି ଉଦବୋଧନ । ହିଜବୁଲ୍ଲା ମୁଖ୍ଯ ହସନ ନସରଲ୍ଲାଙ୍କ ମରଶରୀରକୁ ଏକ ଗୋପନ ସ୍ଥାନରେ ସମାଧି ଦିଆଯାଇଛି । ଦକ୍ଷିଣାଞ୍ଚଳ ଲେବାନନ ଛାଡି ଚାଲିଯିବା ଲାଗି ଲୋକଙ୍କୁ ନିର୍ଦ୍ଦେଶ ଦେଇଛି ଆଇଡିଏଫ ।
ଇରାନର ଶତ୍ରୁଙ୍କୁ କରାଯିବ ପରାସ୍ତ । ମଧ୍ଯପ୍ରାଚ୍ଯର ଅଶାନ୍ତ ପରିବେଶ ମଧ୍ଯରେ ଦେଶବାସୀଙ୍କୁ ଏପରି ଉଦବୋଧନ ଦେଇଛନ୍ତି ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଖୋମେନେଇ । ମୁସଲିମ ଏକତା ଲାଗି ମୁସଲିମ ରାଷ୍ଟ୍ରଙ୍କୁ ଦେଇଛନ୍ତି ଆହ୍ବାନ । ଶୁକ୍ରବାର ଅଭିଭାଷଣରେ ସେ ଲେବାନନ ଓ ପାଲେଷ୍ଟାଇନବାସୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ତେହରାନର ଅଲ ଅକସା ମସଜିଦରୁ ହଜାର ହଜାର ଲୋକଙ୍କୁ ଏହି ଆହ୍ବାନ ଦେଇଛନ୍ତି ଖୋମେଇନି । ଏହାସହ ଇସ୍ରାଏଲ ଉପରେ ଇରାନ କରିଥିବା ହମଲାକୁ ଯଥାର୍ଥ ଦର୍ଶାଇଛନ୍ତି ।
ସେ କହିଛନ୍ତି, ହମାସ ଓ ହିଜବୁଲ୍ଲା ବିରୋଧରେ ଇସ୍ରାଏଲ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରୁ । ଇସ୍ରାଏଲର ଟପ୍ ଟାର୍ଗେଟରେ ଥିବା ଖୋମେଇନି ପ୍ରଥମ ଥର ଲାଗି ୫ ବର୍ଷରେ ଏହି ଉଦବୋଧନ ଦେଇଛନ୍ତି । ନିଜ ଅଭିଭାଷଣରେ ନିହତ ହିଜବୁଲ୍ଲା ନେତା ହସନ ନସରଲ୍ଲାଙ୍କୁ ସେ ପ୍ରଶଂସା କରିଛନ୍ତି । ନସରଲ୍ଲାଙ୍କ ଅନୁପ୍ରେରଣା ଅନୁସାରେ ସମସ୍ତେ କାର୍ଯ୍ୟ କରିବେ ବୋଲି ସେ ଆହ୍ବାନ ଦେଇଛନ୍ତି । ଏହାସହ ହିଜବୁଲ୍ଲା ସଂଗଠନ ଏକ ପବିତ୍ର ସଂଗଠନ ବୋଲି ସେ କହିଛନ୍ତି । ଲେବାନନର ଜିହାଦରେ ସମସ୍ତେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି । ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ଯଥାର୍ଥ କହିଛନ୍ତି ସୁପ୍ରିମ ଲିଡର । ଇହୁଦିମାନେ ମୂଳପୋଛ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି ।
ସେପଟେ ଲେବାନନ ଉପରେ ଇସ୍ରାଏଲ ଜାରି ରଖିଛି ଏୟାରଷ୍ଟ୍ରାଇକ । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୩୭ ଜଣ । ଆହତ ହୋଇଛନ୍ତି ୧୫୦ । ଦାହିୟେ ସ୍ଥିତ ହିଜବୁଲ୍ଲା ମୁଖ୍ୟାଳୟରେ ଗତ ସେପ୍ଟେମ୍ବର ୨୭ରେ ହୋଇଥିବା ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ ହିଜବୁଲ୍ଲା ନେତା ହସନ ନସରଲ୍ଲା । ହିଜବୁଲ୍ଲା ମୁଖ୍ଯ ହସନ ନସରଲ୍ଲାଙ୍କ ମରଶରୀରକୁ ଏକ ଗୋପନ ସ୍ଥାନରେ ସମାଧି ଦିଆଯାଇଛି । ଅନୁକୂଳ ପରିବେଶ ଉପୁଜିଲେ ତାଙ୍କର ପ୍ରକୃତ ଶେଷକୃତ୍ଯ ହେବ ।
ତେଣେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ମଧ୍ଯପ୍ରାଚ୍ଯରେ ସେପରି କୌଣସି ପୂର୍ଣ୍ଣକାଳୀନ ଯୁଦ୍ଧ ହେବ ନାହିଁ । ଅନ୍ଯପଟେ ଇରାନ ଉପରେ ପ୍ରତିଶୋଧ ନେବା ଲାଗି ଇସ୍ରାଏଲ ଯୋଜନା କରୁଥିବା ସୂଚନା ମିଳିଛି । ଦକ୍ଷିଣାଞ୍ଚଳ ଲେବାନନ ଛାଡି ଚାଲିଯିବା ଲାଗି ଲୋକଙ୍କୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ ସାମରିକ ବାହିନୀ । ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ଲୋକ ଭିଟାମାଟି ଛାଡିଥିବା କୁହାଯାଇଛି ।
ସେପଟେ ଇସ୍ରାଏଲ ହମଲାରେ ପ୍ରାଣ ହରାଇଛନ୍ତି ହିଜବୁଲ୍ଲାର ନୂଆ ଚିଫ୍ ହୋଶେମ ସଫିଦ୍ଦିନ । କିଛି ଦିନ ତଳେ ହିଜବୁଲ୍ଲା ନେତା ହସନ ନସରଲ୍ଲାର ମୃତ୍ଯୁ ପରେ ସେ ନେଇଥିଲା ଦାୟିତ୍ଵ । ୨୦୧୭ରେ ସଫିଦ୍ଦିନକୁ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା ଆମେରିକା ।

