ଆସିକା : ଆସିକା ବିଧାୟକଙ୍କ ଅଡିଓ ଭାଇରାଲ ପ୍ରସଙ୍ଗ। ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲା ବିଜେଡି। ଆସିକା ବିଜେପି ବିଧାୟକ ବାଲି ଲିଜଧାରୀମାନଙ୍କୁ ମାସିକିଆ ବଟି ମାଗିବାର ଅଡିଓ ଦୁଇ ଦିନ ହେଲା ବିଭିନ୍ନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ସମ୍ପୁକ୍ତ ଅଡିଓରେ ଆସିକା ବିଧାୟିକ ବିଭିନ୍ନ ବାଲି ମାଫିଆ ମାନଙ୍କୁ ମାସିକିଆ ଚାନ୍ଦା ମାଗିବା ପ୍ରସଙ୍ଗକୁ ନେଇ ଆସିକା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଆସିକା କଳିଙ୍ଗ ରୋଡ ଠାରେ ଥିବା ବିଜୁ ଜନତା କାର୍ଯ୍ୟାଳୟରେ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ଅଧ୍ଯକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ପୂର୍କ୍ତ ଭାଇରଲ ଅଡିଓର ସତ୍ୟାସତ୍ୟତା ଯାଞ୍ଚ କରିବା ସହ କାର୍ଯ୍ୟାନୁଷ୍ଠନ ଦାବି କରି ବିଜେପି ଉପରେ ବର୍ଷିଛନ୍ତି ଆସିକା ବିଜେଡିର ବରିଷ୍ଠ ନେତା ମାନେ ।
ଇସ୍ରାଏଲ ଉପରେ ୩ ଶହରୁ ଅଧିକ ରକେଟ୍ ମାଡ଼
ଲେବାନନ: ମଧ୍ଯପ୍ରାଚ୍ଯରେ କାୟା ମେଲାଉଛି ଯୁଦ୍ଧ ଘନଘଟା। ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ । ଆଉ ଏହାର ଜବାବ ଇସ୍ରାଏଲ ଉପରେ ୩ ଶହରୁ ଅଧିକ ରକେଟ୍ ମାଡ଼ କରି ଦେଇଛି ହେଜବୁଲ୍ଲା । ହେଜବୁଲ୍ଲା ହେଉଛି ଲେବାନନର ଏକ ଆତଙ୍କବାଦୀ ସଂଗଠନ । ଇସ୍ରାଏଲର ସେନା ଶିବିରକୁ ଟାର୍ଗେଟ କରି ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ।
କିଛିଦିନ ତଳେ ଇରାନରେ ଆତ୍ମଗୋପନ କରିଥିବା ହମାସର ମିଲିଟାରୀ ମୁଖ୍ଯକୁ ହତ୍ଯା କରାଯାଇଥିଲା । ଏଥିରେ ଇସ୍ରାଏଲର ହାତ ଥିବା ଅଭିଯୋଗ କରି ପ୍ରତିଶୋଧ ନେବାକୁ ଖୋଲାଖୋଲି ଘୋଷଣା କରିଥିଲେ ଇରାନ ଓ ହେଜବୁଲ୍ଲା । ସେମାନେ ଆକ୍ରମଣ କରିବା ଆଗରୁ ହିଁ ଲେବାନନରେ ଥିବା ହେଜବୁଲ୍ଲା ସଂଗଠନ ଉପରେ ବୋମା ପକାଇଥିଲା ଇସ୍ରାଏଲ । ଆଉ ଏହି ଆକ୍ରମଣକୁ ନେଇ ଇସ୍ରାଏଲ କହିଛି, ନିଜ ସୁରକ୍ଷା ଦୃଷ୍ଟିରୁ ଏହି ଆକ୍ରମଣ କରାଯାଇଛି । ବାହ୍ଯ ଆକ୍ରମଣକୁ ପ୍ରତିହତ କରିବାକୁ ନିଜ ସୀମାରେ ଇସ୍ରାଏଲ ଯୁଦ୍ଧ ବିମାନ ମଧ୍ଯ ମୁତୟନ କରିଛି । ଏହାସହ ଦେଶରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ହମାସ । ଏଥିରେ ପ୍ରାୟ ୧୨ ଶହ ଲୋକଙ୍କ ମୃତ୍ଯୁ ହୋଇଥିଲା । ଶତାଧିକ ଲୋକଙ୍କୁ ବନ୍ଧକ କରି ରଖିଛି ହମାସ । ପାଲଟା ଜବାବରେ ଇସ୍ରାଏଲ ଗାଜା ଉପରେ ସାମରିକ କାର୍ଯ୍ଯାନୁଷ୍ଠାନ ଜାରି ରଖିଛି । ପୂରା ଗାଜା ଧ୍ଵଂସସ୍ତୁପରେ ପରିଣତ ହୋଇଥିବା ବେଳେ ୪୦ ହଜାରରୁ ଅଧିକ ପାଲେଷ୍ଟାଇନବାସୀଙ୍କ ମୃତ୍ଯୁ ଘଟି ସାରିଛି । ଏମାନଙ୍କ ମଧ୍ଯରୁ ଅଧିକାଂଶ ହେଉଛନ୍ତି ଶିଶୁ ଓ ମହିଳା । ଅନ୍ତର୍ଜାତୀୟ ସମୁଦାୟ, ଜାତିସଂଘ, ବିଭିନ୍ନ ମାନବାଧିକାର ସଂଗଠନର ଉଦବେଗ ସତ୍ତ୍ଵେ ଗାଜାର ବେସାମରିକ ଲୋକଙ୍କ ମୃତ୍ଯୁ କମିନାହିଁ।
କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କଲେ, ମଟନ ଭୋଜି ଖାଇଲେ
ଲଇକେରା: ସ୍ବାମୀ ସବୁଦିନ ମାରଧର କରିବା ସହ ଦେଉଥିଲେ ଅକଥନୀୟ ଅତ୍ୟାଚାର । ନିର୍ଯାତନା ସବୁ ସୀମା ଟପି ଯାଇଥିଲା । ସ୍ବାମୀଙ୍କ ଅତ୍ୟାଚାରକୁ ବିରୋଧ କରି ଥରେ ଉଠାଇ ଦେଲେ ହାତ । ବାସ୍ ସବୁ ଭୁଲ ତାଙ୍କର ହୋଇଗଲା । ଯେଉଁ ସ୍ବାମୀ ପ୍ରତିଦିନ ତାଙ୍କୁ ମାଡ଼ ମାରୁଥିଲେ ସେ ହୋଇଗଲେ ସୁନା ପୁଅ । ସ୍ବାମୀଙ୍କୁ ହାତ ଉଠାଇ ଥିବାରୁ ଗାଁରେ ବସିଲା କଙ୍ଗାରୁ କୋର୍ଟ । ଆଉ ମହିଳାଙ୍କୁ ଲଣ୍ଡା କରିବା ସହ ଭଟନ ଭୋଜି ଖାଇଲେ ପେଟ କାଙ୍ଗାଳି ଗାଁ ଲୋକେ ।
ଏମିତି ଏକ ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ରାଉତବାହାଲ ଗାଁରେ । କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କରାଯାଇଛି । ଏହାସଂ ମଟନ, ଦେଶୀ କୁକୁଡ଼ା ଭୋଜି ମଧ୍ୟ ଖାଇଛନ୍ତି ଲୋକେ । ଏହାସହ ଜରିମାନା ନାଁରେ ୫ ହଜାର ଟଙ୍କା ଦାଦାବଟି ଆଦାୟ କରିଛନ୍ତି ।
ଅଭିଯୋଗ ଅନୁସାରେ ଗାଁର ମହେନ୍ଦ୍ର କିସାନ ପ୍ରତିଦିନ ପତ୍ନୀଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରୁଥିଲେ । ଦିନେ ଅତ୍ୟାଚାର ସହି ନପାରି ମହେନ୍ଦ୍ର କିସାନଙ୍କୁ ହାତ ଉଠାଇ ଦେଇଥିଲେ ତାଙ୍କ ପତ୍ନୀ । ଏହି ଘଟଣାକୁ ନେଇ ମହେନ୍ଦ୍ର ଜାତି ସମାଜର ଦ୍ୱାରସ୍ଥ ହୋଇଥିଲେ । ଜାତି ସମାଜର ବିଶିଷ୍ଠ ନ୍ୟାୟ ଦେବା ନାଁରେ ମହିଳାଙ୍କ ମୁଣ୍ଡରେ ସବୁ ଦୋଷ ଝାଡି ଦେଲେ ।
ମାଆକୁ ନିର୍ଯାତନା ଦିଆଯାଉଥିବା ଶୁଣିବା ପରେ ମହିଳାଙ୍କ ପୁଅ ଘଟଣା ସ୍ଥଳରେ ପହଞ୍ଚି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
ସୁନାଖଣି ଆଡ଼ସ ପଞ୍ଚାୟତବାସୀଙ୍କ ମନରେ ଭରି ଦେଇଛି ଦୁଃଖ, ରାତିରେ ଲୋକଙ୍କୁ ହେଉନି ନିଦ
ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଆଡ଼ସ ପଞ୍ଚାୟତବାସୀଙ୍କ ନିଦ ହଜି ଯାଇଛି । ଯେବେଠାରୁ ପଞ୍ଚାୟତ ଅଞ୍ଚଳରେ ସୁନା ଖଣି ଥିବା ସରକାର ଘୋଷଣା କରିଛନ୍ତି ସେବେଠାରୁ ଲୋକଙ୍କ ଆଖିକୁ ନିଦ ନାହିଁ । ଆପଣ ଭାବୁଥିବେ ନିଜ ଘରଡିହ ତଳେ ସୁନାଖଣି ଥିବା ଖୁସିରେ ଲୋକେ ଶୋଉ ନାହାନ୍ତି । ହେଲେ ଏହା ସତ ନୁହେଁ । ସୁନାଖଣି କଥା ଜଣାପଡ଼ିବା ପରେ ବିସ୍ଥାପିତ ହେବା କଥା ଚିନ୍ତା କରି ଆଖିରୁ ନିଦ ହଜି ଯାଇଛି ।
ସୂଚନାଯୋଗ୍ୟ, ଦେବଗଡ଼ର ଆଡସ ପଞ୍ଚାୟତ ଏକ ବ୍ରାଣ୍ଡ ପାଲଟି ଯାଇଛି । କେବଳ ରାଜ୍ୟ ନୁହେଁ, ଦେଶ ବିଦେଶରେ ଏବେ ଏହି ପଞ୍ଚାୟତର ନାଁ । କାରଣ ପଞ୍ଚାୟତର ମାଟି ତଳେ ରହିଛି ସୁନାଖଣି । ସରକାରଙ୍କ ଘୋଷଣା ପରେ ଗାଁରେ ହେଉ କି ଛକ ବଜାରରେ ସବୁଠି କେବଳ ସୁନାଖଣି ଚର୍ଚ୍ଚା । ହେଲେ ଏହି ଚର୍ଚ୍ଚା ପଞ୍ଚାୟତବାସୀଙ୍କୁ ଖୁସି ଦେବା ବଦଳରେ ସେମାନଙ୍କ ହୃଦୟରେ ଭରିଦେଇଛି ଦୁଃଖ । ସୁନା ଖଣିରୁ ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହେଲେ ସେମାନଙ୍କୁ ବିସ୍ଥାପିତ ହେବା ଆଶଙ୍କା ଘାରିଛି । ଏପରିକି ରାତିରେ ନିଦ ହେଉ ନଥିବା ବୟୋଜେଷ୍ଠ ବ୍ୟକ୍ତିମାନେ କହିଛନ୍ତି ।
ବିଧାନସଭାରେ ଆଡସ ପଞ୍ଚାୟତରେ ସୁନାଖଣି ବାହାରିବା ଘଟଣା ଆଲୋଚନା ହେବା ପରେ ଆଗକୁ ଏହାର ନିଲାମୀ କରାଯିବା ନେଇ ମନ୍ତ୍ରୀଙ୍କ ଘୋଷଣା ଅଞ୍ଚଳବାସୀଙ୍କ ମନରେ ଛନକା ଭରି ଦେଇଛି । ଏବେ ପିଲାଛୁଆଙ୍କ ଭବିଷ୍ୟତକୁ ନେଇ ସନ୍ଦିହୀନ ହୋଇପଡ଼ିଛନ୍ତି ପଞ୍ଚାୟତବାସୀ ।
ILS ବୈଜ୍ଞାନିକ ସନ୍ଦିପ ମିଶ୍ର ଆତ୍ମହତ୍ୟା କରିନାହାନ୍ତି, ହୃଦରୋଗରେ ପରଲୋକ
ଭୁବନେଶ୍ବର: ଆଇଏଲଏସ ବୈଜ୍ଞାନିକ ସନ୍ଦିପ ମିଶ୍ରଙ୍କ ପରଲୋକ । ହୃଦରୋଗରେ ତାଙ୍କର ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ପୋଲିସ ପ୍ରଥମେ କହିଥିଲା । ହେଲେ ତାଙ୍କ ମୃତ୍ୟୁ ହୃଦରୋଗ କାରଣରୁ ହୋଇଥିବା ଜଣାପଡିଛି । ସ୍ତନ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ଥିଲା ଉଲ୍ଲେଖନୀୟ ଅବଦାନ ।
ପରିବାର ଲୋକେ ସନ୍ଦିପଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରିଛନ୍ତି । ପରିବାର ପକ୍ଷରୁ କୁହାଯାଇଛି ପ୍ରଥମେ ଫୁଡ୍ ପଏଜନ ଓ ପରେ ହୃଦରୋଗ ସମସ୍ୟାରୁ ଚାଲିଗଲା ଜୀବନ । ୫୬ ବର୍ଷ ବୟସରେ ଗତକାଲି କ୍ୟାପିଟାଲ ହସ୍ପିଟାଲରେ ହୃଦରୋଗରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି । ସନ୍ଦୀପଙ୍କ ବିୟୋଗରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଆଇଏଲଏସର ଜଣେ ସୁନାମଧନ୍ୟ ବୈଜ୍ଞାନିକ ଥିଲେ ସନ୍ଦୀପ ମିଶ୍ର । ବିଦେଶରୁ ପାଠ ପଢା ଶେଷ ପରେ ୨୦୦୬ ମସିହାରୁ ସତ୍ୟନଗରରେ ରହୁଥିଲେ । ତାଙ୍କର ପତ୍ନୀ ଓ ୧୦ ବର୍ଷର ପୁଅ ମଧ୍ୟ ରହିଛନ୍ତି । ସ୍ତନ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଉଲ୍ଲେଖନୀୟ । ଖବର ପାଇବା ପରେ ସ୍ଥାନୀୟ ଲୋକେ ଘରେ ପହଞ୍ଚିଛନ୍ତି । ଖାରବେଳନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

