ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶରେ ରହୁଥିବା ଭାରତୀୟଙ୍କ ସତର୍କତା ଅବଲମ୍ବ କରିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି । ହିଂସାର ନୂଆ ପର୍ଯ୍ୟାୟ ଭିତରେ ଭାରତ ସରକାର ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପ ଲାଇନ୍ ଜାରି କରିଛନ୍ତି । ଏହି ନମ୍ବରରେ ଯୋଗାଯୋଗ କଲେ ଢାକାସ୍ଥିତ ଭାରତୀୟ ହାଇକମିଶନ ନିଜ ନାଗରିକଙ୍କୁ ସାହାଯ୍ୟ କରିବ।
ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ବାଂଲାଦେଶରେ ଜାରିଥିବା ହିଂସା ନୂଆ ରୂପ ନେଇଛି । ଏବେ ଦେଶରେ ଛାତ୍ର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ଦାବି କରିବା ଆରମ୍ଭ କଲେଣି । ହିଂସା ଉପରେ ନିୟନ୍ତ୍ରଣ ପାଇଁ ସରକାର ସମ୍ପୂର୍ଣ୍ଣ ଦେଶରେ ୪ ଅଗଷ୍ଟ ସଂଧ୍ୟା ୬ରୁ ଅନିଶ୍ଚିତକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ।
ହିଂସାର ନୂଆ ଲହରି ପରେ ଭାରତ ସରକାର ସେଠାରେ ରହୁଥିବା ନିଜ ନାଗରିକଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ହିଂସା କାରଣରୁ ବାଂଲାଦେଶରେ ଅନେକଙ୍କ ଜୀବନ ଗଲାଣି । ତାଜା ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ହିଂସାରେ ୯୧ ଜଣ ଆନ୍ଦୋଳନକାରୀ ଓ ୧୩ ଜଣ ପୋଲିସ କର୍ମୀଙ୍କ ଜୀବନ ଯାଇଛି ।
ଏମରଜେନ୍ସି ନମ୍ବର ଜାରି:
ଭାରତ ସରକାରଙ୍କ ଅନୁସାରେ ବାଂଲାଦେଶରେ ମୋଟ ୭ ହଜାର ଭାରତୀୟ ରହୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଭାରତୀୟ ହାଇକମିଶନଙ୍କ ପକ୍ଷରୁ ଶକ୍ତ ପରାମର୍ଶ ଜାରି କରାଯାଇଛି । ଭାରତ ସରକାର ନିଜ ନାଗରିକଙ୍କୁ ସତର୍କତା ଅବଲମ୍ବନ ସହିତ ଅଯଥାରେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ଭାରତୀୟ ହାଇକମିଶନ ଜରୁରୀକାଳିନ ସହାୟତା ନମ୍ବର ଜାରି କରିଛନ୍ତି । ନମ୍ବର ଗୁଡିକ ହେଉଛି +8801958383679, +8801958383680, +8801937400591 ଏହି ସବୁ ନମ୍ବରକୁ କଲ କରି ଭାରତୀୟ ନାଗରିକ ସହାୟତା ମାଗି ପାରିବେ ।
ବାଂଲାଦେଶରେ ବନ୍ଦ ଇଣ୍ଟରନେଟ୍
ଗତ ମାସରୁ ବାଂଲାଦେଶରେ ସ୍ଥିତି ସାମାନ୍ୟ ନାହିଁ । ଦେଶରେ ସଂରକ୍ଷଛଣକୁ ନେଇ ହିଂସା ଜାରି ରହିଛି । ଏବେ ଏହା ପୁରା ଦେଶକୁ ବ୍ୟାପିଛି । ଆନ୍ଦୋଳନକୁ ଦବାଇବା ପାଇଁ ବାଂଲାଦେଶ ସରକାର ସୁରକ୍ଷକର୍ମୀଙ୍କୁ ନିୟୋଜି କରିଥିବା ବେଳେ ଦେଶରେ ଇଣ୍ଟରନେଟ୍ ଉପରେ ବ୍ୟାନ ଲଗାଇଛନ୍ତି। ସୋସିଆଲ ମିଡିଆରେ ଯେମିତି ଫେକ୍ ନ୍ୟୁଜ୍ ପ୍ରସାରିତ ନହୁଏ ସେଥିପାଇଁ ସରକାର ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି । ବାଂଲାଦେଶରେ ଏବେ ଫେସବୁକ,ହ୍ୱାଟସଆପ୍,ମେସେଂଜର ଓ ଇନଷ୍ଟାଗ୍ରାମ ବନ୍ଦ ଅଛି ।
ସ୍କୁଲ,କଲେଜ ବନ୍ଦ
ଦେଶରେ ବ୍ୟାପିଥିବା ହିଂସା କାରଣରୁ ସ୍କୁଲ ଓ କଲେଜ ଗୁଡିକୁ ବନ୍ଦ ରଖାଯାଇଛି । ବାଂଲାଦେଶ ସରକାର ବର୍ତ୍ତମାନ ସୁଧା ୧୧ ହଜାର ଛାତ୍ରଛାତ୍ରୀଙ୍କୁ ଗିରଫ କରିଛନ୍ତି । ଏହ ସହିତ ପ୍ରଧାନମନ୍ତ୍ରୀ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ତଦନ୍ତର ଆଶ୍ୱାସନା ଦେଇଛନ୍ତି ।
ବାଂଲାଦେଶରେ ହିଂସାର ନୂଆ ପର୍ଯ୍ୟାୟ, ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି
କେନ୍ଦୁଝରରେ ୨୬ ଟିକିଆ ହାତୀପଲଙ୍କ ଉତ୍ପାତ; ଲୋକଙ୍କ ନିଦ ହଜାଇ ଦେଲେଣି ହାତୀପଲ
କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜରେ ୨୬ ଟିକିଆ ହାତୀପଲଙ୍କ ଉତ୍ପାତ । କଣ୍ଡରାପଶି ଗାଁକୁ ଫେରିଛନ୍ତି ୨୬ ଟିକିଆ ହାତୀପଲ । ଦୁଇ ଦିନ ହେଲା ହାତୀମାନେ ଚମ୍ପୁଆ ରେଞ୍ଜର ବାଲିବନ୍ଧ ଅଞ୍ଚଳକୁ ପଳାଇଥିଲେ । ଏବେ ହାତୀମାନେ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ପରିବା ଚାଷ ମଧ୍ୟ ନଷ୍ଟ କରିଦେଇଛନ୍ତି । ବିଭିନ୍ନ ଗାଁରେ ବହୁ ଘର ଭାଙ୍ଗିବା ସହ ଘରେ ଲୋକଙ୍କ ଘରୁ ଧାନଚାଉଳ ଖାଇଯାଉଛନ୍ତି । ସାରା ରାତି ଲୋକଙ୍କୁ ନାକେଦମ କରୁଛନ୍ତି ହାତୀ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବାବେଳେ ବନ ବିଭାଗ ହାତୀଙ୍କ ଉପରେ ନଜର ରଖିଛି । ହାତୀପଲ କିଭଲି ଗାଁ ମୁହାଁ ହେବେନି ସେନେଇ ବନ ବିଭାଗର ସ୍କ୍ବାଡ୍ ନଜର ରଖିଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା: ଓଡିଶାରେ ହିତାଧିକାରୀ, ଝାଡଖଣ୍ଡକୁ ଚାଲିଗଲା ଆବାସ ଟଙ୍କା
ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଯାପକ ଅନିୟମିତତା । ଘର ତିଆରି କରି ହଟହଟା ହିତାଧିକାରୀ । ହିତାଧିକାରୀଙ୍କ ଆକାଉଣ୍ଟଙ୍କୁ ଟଙ୍କା ଆସିବା ବଦଳରେ ଝାଡଖଣ୍ଡ ଚାଲିଗଲା ଆବାସ ଟଙ୍କା। ଏଭଳି ଘଟଣାଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝାଡବନ୍ଧଗୁଡା ପଞ୍ଚାୟତ ମୁଦୁଲିଗୁଡା ଗାଁରେ । ଗତ ୨୦୨୩ ମସିହା ଏପ୍ରିଲ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ଯମରେ ମୁଦୁଲିଗୁଡ଼ା ଗାଁର ପଦ୍ମନ ବିଷୋୟୀଙ୍କ ସ୍ତ୍ରୀ କନକ ବିଷୋୟୀଙ୍କୁ ଘର ପାଇଁ କାର୍ଯ୍ଯାଦେଶ ମିଳିଥିଲା । ନୂଆ ଆବାସ ତିଆରି କରିବା ଲାଗି ପୁରୁଣା ଘରକୁ ଭାଙ୍ଗି ଦେଇଥିଲେ ହିତାଧିକାରୀ। ଘର ତୋଳିବାକୁ ଧାର କରଜ କରି ପଥର, ବାଲି, ଇଟା ଜମା କରିଥିଲେ ଏବଂ ନୂଆ ଘର କାମ ଆରମ୍ଭ କରିଦେଇଥିଲେ । କନକ ବିଷୋୟୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଜମା ହୋଇଥିବା ନେଇ ସରକାରୀ କର୍ମଚାରୀ କହିଥିଲେ । କିନ୍ତୁ ତାହା କନକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇନଥିଲା । ଟଙ୍କା ପାଇଁ ବ୍ୟାଙ୍କକୁ ବାରମ୍ବାର ଦୌଡିବାକୁ ପଡିଥିଲା। ତଥାପି ଟଙ୍କା ମିଳି ନଥିଲା। ପରେ ଟଙ୍କା ନେଇ ଯାଞ୍ଚ କରିଥିଲେ କନକ । ହେଲେ ତାଙ୍କ ଆକାଉଣ୍ଟକୁ ଆସିବାକୁ ଥିବା ଟଙ୍କା ଝାଡଖଣ୍ଡର ଯୋଗେନ୍ଦ୍ର ମହନ୍ତଙ୍କ ଆକାଉଣ୍ଟକୁ ଚାଲିଯାଇଥିବା ନେଇ ଜାଣିବାକୁ ପାଇଥିଲେ । ହେଲେ ଦୀର୍ଘ ୧୪ ମାସ ଧରି ଟଙ୍କା ନ ପାଇବାରୁ ଉଧାର ଟଙ୍କା ପରିଶୋଧ ପାଇଁ ନିଜ ଜମି ବନ୍ଧକ ରଖିଛନ୍ତି ହିତାଧିକାରୀ ।
ଆବାସ ଟଙ୍କା ଝାଡଖଣ୍ଡ ଚାଲିଯାଇଥିବା ଜାଣି ହିତାଧିକାରୀ ଟଙ୍କା ଫେରି ପାଇବା ପାଇଁ ବ୍ଳକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଅଭିଯୋଗ କରିଥିଲେ । ହିତାଧିକାରୀଙ୍କ ଆଧାର କାର୍ଡ ଅନୁସାରେ ଟଙ୍କା ଟ୍ରାନ୍ସଫର ହେଉଥିବାରୁ ଏଥିରେ ବ୍ଲକ ପ୍ରଶାସନର ଭୁଲ ନ ଥିବା ପ୍ରକାଶ କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ପରୋକ୍ଷରେ ବ୍ଯାଙ୍କର କୌଣସି ତ୍ରୁଟି କାରଣରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ନଯାଇ ଝାଡଖଣ୍ଡ ଚାଲିଯାଇଥିବା ନେଇ କହିଛନ୍ତି । ଏଥିସହିତ ବ୍ଲକ ପ୍ରଶାସନ ତରଫରୁ ବ୍ୟାଙ୍କ କତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ଟଙ୍କା ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଥିବା ନେଇ ପ୍ରକାଶ କରିଛନ୍ତି ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।
ଅପରପକ୍ଷରେ ଗରିବ ହିତାଧିକାରୀ ଯେପରି ସରକାରୀ ଟଙ୍କା ଠିକ ସେ ପାଇପାରିବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ତାହା ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି ସାଧାରଣରେ କୁହାଯାଉଛି ।
ଲୋକ ବଦଳରେ ମାଟି ଖୋଳିବ ଜେସିବି: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବୟାନ ପରେ ତେଜିଲା ବିବାଦ
ଭୁବନେଶ୍ୱର: ମନରେଗା କାମରେ ନିୟୋଜିତ ହେବ ମେସିନ । ଲୋକ ବଦଳରେ ମାଟି ଖୋଳିବ ଜେସିବି । ଜେସିବି ମାଟି ଖୋଳିବ ଆଉ ଲୋକ ମାଟି ବୋହିବେ। ଏଭଳି ଉପାୟରେ ଦାଦନ ସମସ୍ୟାକୁ ଆସନ୍ତା ପାଞ୍ଚ ବର୍ଷରେ ଲୋପ କରିବାକୁ ଯୋଜନା କରାଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ସୂଚନା ପରେ ତେଜିଛି ବିବାଦ। ରାଜ୍ଯ ସରକାରଙ୍କୁ ଘେରି ସମାଲୋଚନା କରିଛନ୍ତି ବିରୋଧୀ ବିଜେଡି ଆଉ କଂଗ୍ରେସ ।
କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ କହିଛନ୍ତି, ମେସିନ ନୁହେଁ ଲୋକଙ୍କ ଦ୍ୱାରା ମନରେଗା କାମ ହେବାକଥା । ଲୋକଙ୍କୁ ୧୦୦ ଦିନିଆ କାମ ଦେବାକୁ ମନରେଗା ଯୋଜନା ହୋଇଥିଲା । ଏଥିରେ ମେସିନ କାମ କରିବାର ନିୟମ ନାହିଁ । ଜେସିବିରେ ମାଟି ଖୋଳିବା ଆଇନର ବିରୋଧାଚରଣ । ସେହିପରି ବିଜେଡି ବିଧାୟକ ଗଣେଶ୍ୱର ବେହେରା ରାଜ୍ଯ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ଡବଲ ଇଞ୍ଜିନ ସରକାର ଯଦି ଆଇନରେ ସଂଶୋଧନ କରିପାରିବେ ତାହେଲେ କରନ୍ତୁ । ମାତ୍ର ମେସିନରେ କାମ କରିବା ବେଆଇନ ।
ପ୍ୟାରିସ ଅଲିମ୍ପିକ୍ସ: ସେମିଫାଇନାଲରେ ଭାରତୀୟ ହକି ଟିମ୍
ନନ୍ଦିଘୋଷ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତୀୟ ହକି ଦଳ। କ୍ବାର୍ଟରରେ ଗ୍ରେଟ ବ୍ରିଟେନକୁ ହରାଇଲା ଟିମ୍ ଇଣ୍ଡିଆ। ପ୍ଯାନେଲ୍ଟି ସୁଟ୍ ଆଉଟରେ ୪-୨ ଗୋଲରେ ବିଜୟୀ ହୋଇଛି ଭାରତ । କ୍ବାର୍ଟରରେ ଭାରତ ଓ ଗ୍ରେଟ ବ୍ରିଟେନ ମଧ୍ଯରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟରେ ୧-୧ରେ ଡ୍ର ହୋଇଥିଲା ମ୍ଯାଚ୍ । ପରେ ପେନାଲ୍ଟି ସୁଟ ଆଉଟରେ ଶ୍ରୀଜେଶଙ୍କ ଚମତ୍କାର ପ୍ରଦର୍ଶନ ସହ ଭାରତ ବିଜୟୀ ହୋଇଛି । ଏହି ବିଜୟ ସହ ହକିରେ ଭାରତ ପାଇଁ ପୁଣି ଏକ ପଦକ ସମ୍ଭାବନା ସୃଷ୍ଟି ହୋଇଛି ।
ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତ ଏବଂ ଗ୍ରେଟ ବ୍ରିଟେନ ମଧ୍ୟରେ କ୍ବାର୍ଟର ଫାଇନାଲ ମୁକାବିଲା ଦେଖିବାକୁ ମିଳିଥିଲା । ଗତଥର ମଧ୍ଯ ଭାରତ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା । ଗତ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା । ୪୧ ବର୍ଷ ପରେ ଭାରତ ଟୋକିଓ ଅଲିମ୍ପିକ୍ସରେ ଏହି ପଦକ ହାସଲ କରିଥିଲା । ଆସନ୍ତା ୬ ତାରିଖରେ ଭାରତ ସେମିଫାଇନାଲ ମୁକାବିଲା ଖେଳିବ ।
ମହୀଶୂରରେ କୋଟି କୋଟି ଟଙ୍କାର ଜମି ସ୍କାମକୁ ନେଇ ଶାସକ- ବିରୋଧୀ ବଳ କଷାକଷି
ମହୀଶୂର : କର୍ଣ୍ଣାଟକ ମହୀଶୂରରେ ନାଟକୀୟ ମୋଡ ନେଲା ମୁଡା ସ୍କାମ । ମହୀଶୂରରେ କୋଟି କୋଟି ଟଙ୍କାର ଜମି ସ୍କାମକୁ ନେଇ ଶାସକ- ବିରୋଧୀ ବଳ କଷାକଷି। କଂଗ୍ରେସ ଓ ଅହିନ୍ଦା ସଂଗଠନ ପକ୍ଷରୁ ଗତ ୩ ତାରିଖରେ ବିଜେପି ଅଫିସ ଘେରାଉ ପରେ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ପଦଯାତ୍ରା କରିଛି ବିଜେପି ଓ ଜେଡିଏସ। ।
ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ଲାଗି ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ମହୀଶୂରରେ ବିଜେପି ଅଫିସ ଘେରାଉ କରିଥିଲା ଅହିନ୍ଦା ସଂଗଠନ । ମହୀଶୂର ନଗର ଉନ୍ନୟନ କର୍ତ୍ତୃପକ୍ଷ ବା ମୁଡାରେ ଦୁର୍ନୀତି ଅଭିଯୋଗ ଆଣି ସିଦ୍ଦରମୈୟା ସରକାରଙ୍କୁ ବିଜେପି ବଦନାମ କରିବା ଲାଗି ଯୋଜନା କରୁଛି ବୋଲି ଅଭିଯୋଗ କରିଥିଲେ ବିଭିନ୍ନ ସଂଗଠନ । ସେପଟେ ଦୁର୍ନୀତି ବିରୋଧରେ ଏନଡିଏ ପକ୍ଷରୁ ବେଙ୍ଗାଳୁରୁରୁ ମହୀଶୂରକୁ ୭ଦିନିଆ ପଦଯାତ୍ରା କରିଛନ୍ତି ଏନଡିଏ କର୍ମୀ । ସଂଖ୍ଯାଲଘୁ, ପଛୁଆ ବର୍ଗ ଓ ଦଳିତ ବର୍ଗଙ୍କ ପ୍ରତିନିଧିତ୍ବ କରିଆସୁଛି ଅହିନ୍ଦା ସଂଗଠନ ।
କର୍ଣ୍ଣାଟକ ରାଜ୍ଯ ପଛୁଆବର୍ଗ ସଚେତନ ଫୋରମ ସଭାପତି କେ.ଏସ. ଶିବରାମ କହିଛନ୍ତି- ସିଦ୍ଦରମୈୟାଙ୍କୁ ଅଯଥାରେ ବିଜେପି କର୍ମୀ ନିନ୍ଦିତ କରିଆସୁଛନ୍ତି । ଦୁର୍ନୀତି ନାମରେ ସରକାରଙ୍କୁ ବଦନାମ କରିବା ଲାଗି ସେମାନେ ଷଡ଼ଯନ୍ତ୍ର ଚଳାଇଛନ୍ତି । ମହୀଶୂରରେ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ଜମି ବଦଳରେ ଜମି ଯୋଗାଇବା ଘଟଣାରେ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରୁଛି ବିଜେପି । ଅହିନ୍ଦା ସଂଗଠନରେ ସାମିଲ ଅଛନ୍ତି ଡିଏସଏସ, ଜିଲ୍ଲା ଉପରା ସଂଘ, ଜିଲ୍ଲା କୁମ୍ବାରା ସଂଘ, ଜିଲ୍ଲା ବିଶ୍ବକର୍ମୀ ସଂଘ ଓ ବିଭିନ୍ନ ମୁସଲିମ ସଂଗଠନ । ମୁଡା ସ୍କାମର ପରିମାଣ ୫ ହଜାର କୋଟି ଟଙ୍କା ହେବ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି ।
ଇସ୍ରାଏଲ ବିରୋଧରେ ମେଣ୍ଟ ବାନ୍ଧିଲେ ଇରାନ, ହମାସ ଓ ହେଜବୁଲ୍ଲା
ନନ୍ଦିଘୋଷ ବ୍ୟୁରୋ : ମଧ୍ଯପ୍ରାଚ୍ଯରେ ଅବଶମ୍ଭାବୀ ଯୁଦ୍ଧ । ବଢିପାରେ କଳେବର । ଇସ୍ରାଏଲ ବିରୋଧରେ ମେଣ୍ଟ ବାନ୍ଧିଲେ ଇରାନ, ହମାସ ଓ ହେଜବୁଲ୍ଲା । ଆଞ୍ଚଳିକ ସ୍ତରରେ ଏକ ବଡ ଧରଣର ଯୁଦ୍ଧମୁହାଁ ମଧ୍ଯପ୍ରାଚ୍ୟ । ହମାସ ମୁଖ୍ଯ ଇସମାଇଲ ହାନିୟେ ଓ ହେଜବୁଲ୍ଲା ସାମରିକ ମୁଖ୍ଯ ଫାଉଦ ଶୁକରଙ୍କୁ ହତ୍ଯା ପରେ ରକ୍ତମୁଖା ହୋଇଛନ୍ତି ଇରାନ ଓ ସହଯୋଗୀ । ଇସ୍ରାଏଲ ଉପରେ କାତ୍ୟୁଷ ରକେଟ ମାଡ କରିଛି ହେଜବୁଲ୍ଲା ।
ତେବେ ଇସ୍ରାଏଲର କେବଳ ସାମରିକ ସ୍ଥଳୀ ନୁହେଁ ବରଂ ଦେଶ ଭିତରକୁ ଏହି ହମଲା କରିବା ଲାଗି ହେଜବୁଲ୍ଲାକୁ କହିଛି ଇରାନ । ହେଜବୁଲ୍ଲା ଆକ୍ରମଣରେ କିଛି ଲୋକ ମୃତାହତ ହୋଇଥିବାବେଳେ ଇସ୍ରାଏଲର ଡ୍ରୋନ ସିଷ୍ଟମ ଅନେକ ମିସାଇଲ ଓ ରକେଟକୁ ଧ୍ବଂସ କରିବାରେ ସମର୍ଥ ହୋଇଛି । ତେଣେ ଲେବାନନର ବାଜୁରିଏରେ ଇସ୍ରାଏଲ ଡ୍ରୋନ ହମଲାରେ ପ୍ରାଣ ହରିଛନ୍ତି ହେଜବୁଲ୍ଲାର ଜଣେ କମାଣ୍ଡର ଅଲି ଆବିଦ ଅଲି । ଲେବାନନରେ ବିଦେଶୀ ନାଗରିକଙ୍କ ଜୀବନ ବିପନ୍ନ ଥିବାରୁ ନିଜ ଦେଶର ନାଗରିକମାନଙ୍କୁ ତୁରନ୍ତ ଲେବାନନ ଛାଡିବା ଲାଗି ପରାମର୍ଶ ଦେଇଛନ୍ତି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ।
ଲେବାନନ ନ ଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି କାନଡା । ସ୍ଥିତି ପ୍ରତି ସତର୍କ ରହିବାକୁ ଭାରତୀୟମାନଙ୍କୁ ବି ଦିଆଯାଇଛି ପରାମର୍ଶ । ସେପଟେ ସ୍ଥିତିର ସମାଧାନ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି କାତାର, ଇଜିପ୍ଟ ଓ ଆମେରିକା । ଏହି ପରିସ୍ଥିତିରେ ଇରାନ ନୀରବ ରହିବାକୁ ଆହ୍ବାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେଣେ ଇରାନର ସମ୍ଭାବ୍ଯ ବିରୋଧରେ ସହଯୋଗର ହାତ ବଢାଇବା ଲାଗି ଆମେରିକା ଓ ବ୍ରିଟେନକୁ ଅନୁରୋଧ କରିଛି ଇସ୍ରାଏଲ । ମଧ୍ଯପ୍ରାଚ୍ଯରେ ନିଜ ସ୍ଥିତି ଜାହିର ଲାଗି ୟୁଏସଏସ ଆବ୍ରାହମ ଲିଙ୍କନ ଏୟାରକ୍ରାଫ୍ଟ କ୍ଯାରିଅରକୁ ପଠାଇବା ଲାଗି ନିର୍ଦ୍ଦେଶ ଦେଇସାରିଛି ଆମେରିକା । ସେପଟେ ହେଜବୁଲ୍ଲା ପରି ୟେମେନ, ଇରାକ ଓ ସିରିଆର ବହୁ ବିଦ୍ରୋହୀ ସଂଗଠନ ଇରାନ ସମର୍ଥନରେ ବାହାରିଛନ୍ତି ।

