ନନ୍ଦିଘୋଷ ବ୍ୟୁରୋ: ପୁରୀ ଡେଲାଙ୍ଗରୁ ଆସି ଖୋର୍ଦ୍ଧାରେ ନିଖୋଜ।ନିଖୋଜ ବ୍ୟକ୍ତିଙ୍କ ନାମ ଗଦାଧର ନିଶଙ୍କ। ତାଙ୍କ ଘର ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗାଁରେ। ସେ ଜଣେ ବାସ୍ତୁବିତ ଭାବେ କାର୍ଯ୍ୟ କରୁଥିଲେ। ଗତ ୩ ତାରିଖ ଦିନ ଖୋର୍ଦ୍ଧାକୁ କୌଣସି କାମରେ ଆସିଥିଲେ। ହେଲେ ଏହାପରଠାରୁ ଆଉ ସେ ଘରକୁ ଫେରିନବା ନେଇ ତାଙ୍କ ଝିଅ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଖବର ପାଇ ଖୋର୍ଦ୍ଧଆ ନିକଟ ଏକ ଖଣି ଭିତରୁ ଏକ ବାଇକ୍ ଜବତ କରିଥିଲେ। ବାଇକର ନମ୍ବର ପ୍ଲେଟରୁ ଗଦାଧରଙ୍କ ଘରକୁ ଫୋନ କରି ଖବର ଦେଇଥିଲେ। ଘଟଣା ସ୍ଥଳରେ ନିଖୋଜ ବ୍ୟକ୍ତିଙ୍କ ପରିବାର ସହ ପୋଲିସ ଟିମ୍ ପହଞ୍ଚି ତନଘନା କରୁଛି। ସେଠାରେ ଗଦାଧରଙ୍କ ହେଲମେଟ, ଫାଇଲ, ବ୍ୟାଗ୍, ଚପଲ ସବୁ ପଡିଥିବା ଦେଖିଛନ୍ତି। ପୋଲିସ୍ ସନ୍ଧାନୀ କୁକୁରଙ୍କ ସହାୟତା ଲୋଡ଼ିଛି। ଗଦାଧରଙ୍କ ମୋବାଇଲ ରେକର୍ଡ ଟ୍ରାକ କରୁଛି। ଗୁରୁଜଙ୍ଗ ଅଞ୍ଚଳରେ ସିସିଟିଭି ଫୁଟେଜ ନେଇ ତଦନ୍ତ ଚଳାଇଥିବା କହିଛି ପୋଲିସ।
ପ୍ରେମିକାର ମୁଣ୍ଡ ଗଣ୍ଡି ଅଲଗା କରି ଫୋପାଡି ଦେଲା ନୃଂଶସ ପ୍ରେମିକ
ନନ୍ଦିଘୋଷ ବ୍ୟୁରୋ: ପ୍ରେମ ନେଲା ଜୀବନ। ପ୍ରେମିକାର ମୁଣ୍ଡ ଗଣ୍ଡି ଅଲଗା କରି ଫୋପାଡି ଦେଲା ନୃଂଶସ ପ୍ରେମିକ। ହତ୍ୟା ଘଟଣାର ଫର୍ଦ୍ଦାଫାସ କଲା ଉତ୍ତର ପ୍ରଦେଶ ପୋଲିସ।
ଜୁଲାଇ ୩୧ ରେ, ୟୁପିର ବହରାଇଚରେ ପୋଲିସକୁ ଏକ ବୁଦା ଭିତରୁ ମୃତଦେହ ମିଳିଥିଲା। ମୁଣ୍ଡ ନଥିବା ଯୋଗୁଁ ମୃତଦେହ ଚିହ୍ନଟ କରିବା ପୋଲିସ ପକ୍ଷରେ କଷ୍ଟ ହୋଇଥିଲା। ଏହି ମାମଲାରେ ପୋଲିସ ଅଧିକାରୀ ଏକ ଟିମ୍ ଗଠନ କରି ଛାନଭିନ୍ କରିଥିଲା। ଏହାପରେ ଉକ୍ତ ଅଞ୍ଚଳରେ ନିଖୋଜ ଥିବା ଝିଅମାନଙ୍କ ବିଷୟରେ ସୂଚନା ସଂଗ୍ରହ କରିଥିଲା। ତା’ପରେ ରୁପେଡିହାରେ ଶିବା ନାମକ ଜଣେ ୨୦ ବର୍ଷୀୟା ଝିଅ ନିଖୋଜ ଥିବା ଖବର ସାମ୍ନାକୁ ଆସିଥିଲା। ପୋଲିସ ଫଟୋଗ୍ରାଫ ସାହାଯ୍ୟରେ ମୃତଦେହ ଚିହ୍ନଟ କରିବାରେ ସଫଳ ହୋଇଥିଲା । ଝିଅର ପରିବାରକୁ ପୋଲିସ ସୂଚନା ଦେଇଥିଲା । ତେବେ ଶିବାକୁ କିଏ ଏବଂ କାହିଁକି ହତ୍ୟା କଲା ତାର ଅନୁସନ୍ଧାନରେ ଲାଗିପଡିଥିଲା ପୋଲିସ । ଶିବାର ମୋବାଇଲରୁ ପ୍ରେମିକ ଅରୁଣ ବିଷୟରେ ଜାଣିବାକୁ ପାଇଥିଲା ।
ପୋଲିସ କହିଛି, ଯେତେବେଳେ ତାଙ୍କ ମୋବାଇଲରୁ କଲ୍ ବିବରଣୀ ଏବଂ ମେସେଜ୍ ଚାଟ୍ ବାହାର କରାଯାଇଥିଲା, ସେତେବେଳେ ଜଣାପଡିଥିଲା ଯେ ମାଲିପୁର ପୋଲିସ ଷ୍ଟେସନ ବାସିନ୍ଦା ଶିବା ଅରୁଣ ସାଇନ ନାମକ ଏକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଅରୁଣ ତାଙ୍କ ମାମୁଁଙ୍କ ସହ ରୁପାଇଡିହା ପାଖରେ ଥିବା ଗାଁରେ ରହୁଥିଲେ। ଉଭୟ ସମାନ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ପରେ ଅରୁଣ ତାଙ୍କ ମାମୁଁଙ୍କ ଗାଁ ନିକଟ ଚାରଦା ଜାମୋଗ ଛକଠାରେ ଏକ ମେଡିକାଲ ଷ୍ଟୋରରେ କାମ କରିବା ଆରମ୍ଭ କରିଥିଲେ। ଶିବା ମଧ୍ୟ ତାଙ୍କୁ ଭେଟିବାକୁ ଆସୁଥିଲେ। ଗତ ଏକ ବର୍ଷ ମଧ୍ୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା ।
ଏହି ସମୟ ମଧ୍ୟରେ ଅଭିଯୁକ୍ତ ଅରୁଣଙ୍କ ବିବାହ ସ୍ଥିର ହୋଇଥିଲା। ଯାହା ପରେ ସେ ଶିବା ଠାରୁ ଅଲଗା ହେବାକୁ ଚାହୁଁଥିଲେ । କିନ୍ତୁ ଶିବା ଏଥିପାଇଁ ପ୍ରସ୍ତୁତ ନଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା।
ଏଥିରେ ଅରୁଣ କ୍ରୋଧିତ ହୋଇ ତାର ବନ୍ଧୁଙ୍କ ସହ ମିଶି ଶିବାକୁ ମାରିବାକୁ ଯୋଜନା କରିଥିଲେ । ଶିବାକୁ ଡକାଇ ଗଳା କାଟି ହତ୍ୟା କରିଥିଲା ପ୍ରେମକ। ଏହା ପରେ ମୁଣ୍ଡ କାଟି କେନାଲରେ ଫିଙ୍ଗି ଦେଇଥିଲା।
ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୧୪ଟି ଗେଟରେ ଜଳନିଷ୍କାସନ ଜାରି
ସମ୍ୱଲପୁର: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ଯାଜଳ ପ୍ରବେଶ ବଢିବାରେ ଲାଗିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୯.୭୩ ଫୁଟ । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ୨ ଲକ୍ଷ ୪୬ ହଜାର ୧୮୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ସ୍ଥିତିକୁ ଦେଖି ୧୪ ଟି ଗେଟରେ ଜଳନିଷ୍କାସନ ଜାରି ରହିଛି ।
ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗିରହିଥିବାରୁ ଆଗକୁ ଅଧିକ ପାଣି ପ୍ରବେଶ କରିପାରେ। ଫଳରେ ଅଧିକ ଗେଟ ଖୋଲିବାର ସମ୍ଭାବନା ରହିଛି । ଏଥିପାଇଁ ମହାନଦୀ ତଳ ମୁଣ୍ଡରେ ଥିବା ଜିଲ୍ଲା ଗୁଡ଼ିକୁ ସତର୍କତା ଜାରି କରାଯାଇଛି ।
ବୋହୂର ନାକ କାଟିଦେଲା ଶ୍ବଶୁର
ଆଠଗଡ଼: ବୋହୂର ନାକ କାଟିଲା ଶ୍ବଶୁର। ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁରେ ଘଟିଛି ଏଭଳି ଘଟଣା। ପାରିବାରିକ କଳହରୁ ଧାରୁଆ ଅସ୍ତ୍ରରରେ ଶ୍ବଶୁର ବୋହୂର ନାକ କାଟିଦେଇଛି। ଶ୍ବଶୁରଙ୍କ ଆକ୍ରମଣରେ ବୋହୂଙ୍କ ନାକ ସାମାନ୍ଯ କଟିଯାଇଛି। ତାଙ୍କୁ ଆହତ ଅବସ୍ଥାରେ ଗୁରୁଡ଼ିଝାଟିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଅଭିଯୋଗ ପରେ ଶ୍ବଶୁର ଅମର ବେହେରାଙ୍କୁ ପୋଲିସ ପଚରାଉଚରା କରୁଛି ।
ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରକୁ ସୁପ୍ରିମ ଝଟକା
ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରକୁ ବଡ଼ ସୁପ୍ରିମ ଝଟକା। ଦିଲ୍ଲୀ ମହାନଗର ନିଗମରେ ୧୦ ମନୋନୀତ ସଦସ୍ୟଙ୍କ ନିଯୁକ୍ତି ନେଇ ନିଷ୍ପତ୍ତି ନେଇପାରିବେ ଉପରାଜ୍ୟପାଳ। ଦିଲ୍ଲୀ ମହାନଗର ନିଗମରେ ୧୦ ପାର୍ଷଦଙ୍କ ନିଯୁକ୍ତି ନେଇ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ ପିଏସ ନରସିଂହା ଏବଂ ଜଷ୍ଟିସ ଜେବି ପାରଦିୱାଲାଙ୍କୁ ନେଇ ବେଞ୍ଚ ଏହି ରାୟ ପ୍ରଦାନ କରିଛନ୍ତି। ଏମସିଡିରେ ୧୦ ମନୋନୀତ ସଦସ୍ୟଙ୍କୁ ନିଯୁକ୍ତି ଦେଇପାରିବେ ଦିଲ୍ଲୀ ଉପରାଜ୍ୟପାଳ।
ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଙ୍କ ଏକ ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଦିଲ୍ଲୀର ଆପ ସରକାର। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆପ ସରକାରକୁ ବଡ଼ ଝଟକା ଲାଗିଛି। କୋର୍ଟ କହିଛନ୍ତି ଯେ, ମନୋନୀତ ସଦସ୍ୟଙ୍କ ନିଯୁକ୍ତି ଉପରାଜ୍ୟପାଳଙ୍କ ଅଧିକାର। ସରକାରଙ୍କ ବିନା ପରାମର୍ଶରେ ସେ ଏମସିଡିରେ ସଦସ୍ୟ ନିଯୁକ୍ତି କରିପାରିବେ। ୧୯୯୩ର ଅଧିନିୟମ ଅନୁସାରେ ଉପରାଜ୍ୟପାଳଙ୍କୁ ଏହି ଅଧିକାର ଦିଆଯାଇଛି। ଏଥିଲାଗି ଦିଲ୍ଲୀ ସରକାରଙ୍କ ପରାମର୍ଶର ଆବଶ୍ୟକତା ନାହିଁ। ଏମସିଡି ଅଧିନିୟମ ଅନୁସାରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଏହି ଅଧିକାର ମିଳିଛି। ଏହି ଅଧିକାର କାର୍ଯ୍ୟପାଳିକା ଅଧିକାର ହୋଇନଥିବାରୁ ଏଥିଲାଗି ପରାମର୍ଶ ନେବାର ଆବଶ୍ୟକ ନାହିଁ।
ଏହା ପୂର୍ବରୁ ଗତ ୧୭ ତାରିଖରେ ସୁପ୍ରିମକୋର୍ଟ ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଦିଲ୍ଲୀ ମହାନଗର ନିଗମରେ ମୋଟ ୨୫୦ ସଦସ୍ୟ ରହିଥିବାବେଳେ ୧୦ ମନୋନୀତ ସଦସ୍ୟ ରହିଛନ୍ତି। ଦିଲ୍ଲୀ ମହାନଗର ନିଗମରେ ଉପରାଜ୍ୟପାଳଙ୍କୁ ଏହି ଅଧିକାର ଦେବାର ଅର୍ଥ ହେଉଛି ଉପରାଜ୍ୟପାଳ ଚାହିଁଲେ ମହାନଗର ନିଗମକୁ କୌଣସି ସମୟରେ ଚାହିଁଲେ ଭଙ୍ଗ କରିପାରିବେ।
ସ୍ତ୍ରୀକୁ ବାଲଟିରେ ପିଟିପିଟି ମାରିଦେଲା ସ୍ବାମୀ
ବାଲେଶ୍ବର: ସ୍ତ୍ରୀକୁ ବାଲଟିରେ ପିଟିପିଟି ମାରିଦେଲା ସ୍ବାମୀ । ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ବାଣିଦା ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଲେ କଳ୍ପନା ମହାନ୍ତି । ଅଭିଯୋଗ ଅନୁସାରେ ଦମ୍ପତିଙ୍କ ମଧ୍ଯରେ ବିଭିନ୍ନ ସମୟରେ ପାରିବାରିକ କଳହ ଲାଗି ରହୁଥିଲା। ଆଜି ଉତ୍ତ୍ଯକ୍ତ ହୋଇ ସ୍ବାମୀ କାଦୁ ମହାନ୍ତି ସ୍ତ୍ରୀକୁ ବାଲଟିରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ଯୁ ହୋଇଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

