spot_img
Home Blog Page 1782

ହେରାପଞ୍ଚମୀ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିଲେ ମାଆ ଲକ୍ଷ୍ମୀ

ନନ୍ଦିଘୋଷ ବ୍ୟୁରୋ: ଜନ୍ମବେଦୀରେ ମହାପ୍ରଭୁଙ୍କ ମାନବୀୟ ଲୀଳା । ପତି-ପତ୍ନୀ ସମ୍ପର୍କର ଅଦଭୁତ ଦୃଶ୍ଯ ଦେଖି ଭାବବିହ୍ବଳ ହେଲେ ଶ୍ରଦ୍ଧାଳୁ । ହେରାପଞ୍ଚମୀ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିଲେ ମାଆ ଲକ୍ଷ୍ମୀ । ପରମ୍ପରା ଅନୁସାରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଆଳତି ନୀତି ଶେଷ ପରେ ଶ୍ରୀମନ୍ଦିରରୁ ବିଜେ କରିଥିଲେ ମହଲଷ୍ମୀ । ଘଣ୍ଟ,ଛତା ପଟୁଆରରେ ମହାଲଷ୍ମୀ ବିମାନରେ ବିଜେ କରି ବଡଦାଣ୍ଡ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ଅଭିଳାସାରେ ଆସିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ନନ୍ଦିଘୋଷ ରଥ ନିକଟରେ ପହଂଚିବା ପରେ ସେଠାରେ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା । ପରେ ମହାଲଷ୍ମୀଙ୍କ ବିମାନ ଜଗମୋହନ ହୋଇ ଗୁଣ୍ଡିଚା ମନ୍ଦିର ଭିତରକୁ ବିଜେ କରିଥିଲା । ତେବେ ସେହି ସମୟରେ ସନ୍ଧ୍ୟା ଧୂପ ଭୋଗ ବସିଥିବା ହେତୁ ଜଗନ୍ନାଥଙ୍କର ଦର୍ଶନ ପାଇନଥିଲେ ମହାଲଷ୍ମୀ । ମହାପ୍ରଭୁଙ୍କର ଅଧରଚୁମ୍ବିତ ମାଳାପାଇ ଲଷ୍ମୀ ଠାକୁରାଣୀ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ସମୟରେ ଅଭିମାନରେ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗିବା ସହ ହେରାଗୋହରି ସାହି ରାସ୍ତା ଦେଇ ଶ୍ରୀମନ୍ଦିରକୁ ଫେରିଥିଲେ । ପତି-ପତ୍ନୀଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଶରଧାବାଲିରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ହେରାପଞ୍ଚମୀରେ ମାତା ଆସିଥିବା ଜାଣିପାରି ଫେରିବା ପାଇଁ ମନସ୍ତ କରିଛନ୍ତି କାଳିଆ ସାଆନ୍ତ ।

ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ

ନନ୍ଦିଘୋଷ ବ୍ୟୁରୋ: ବଦଳିଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ । ନୂଆ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ହୋଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ପାଢ଼ୀ । ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏବେ ସେ କୃଷି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଏହି ଦାୟିତ୍ବ ସହ ସେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଭାବେ ମଧ୍ଯ କାମ କରିବେ । ଅରବିନ୍ଦ ପୂର୍ବରୁ ୨୦୧୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ । ଚଳିତବର୍ଷ ରଥଯାତ୍ରାରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଛି । ଚାରିଦ୍ବାର ଖୋଲିବା ପରେ ଶ୍ରୀମନ୍ଦିରରେ ଅଣାୟତ ଭିଡ଼, ରଥଯାତ୍ରା ସମୟରେ ଦଳାଟଚକଟାରେ ଜଣଙ୍କର ମୃତ୍ଯୁ ସହ ଆଡ଼ପ ପହଣ୍ଡି ବେଳେ ଖୋଦ୍ ବଡ଼ଠାକୁର ମୁହଁମାଡ଼ି ପଡ଼ିଯିବା ଚିନ୍ତାର କାରଣ । ବ୍ଯବସ୍ଥାରେ ତ୍ରୁଟିକୁ ଲକ୍ଷ୍ଯରେ ରଖି ରାଜ୍ଯ ସରକାର ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ବଦଳାଇଥିବା ଚର୍ଚ୍ଚା ହେଉଛି । ଆଗକୁ ବାହୁଡ଼ା ଯାତ୍ରା ସହ ଅନ୍ଯାନ୍ଯ ନୀତିକାନ୍ତି କିଭଳି ସୁରୁଖୁରୁରେ ସମାପନ ହେବ ତାହା ଅରିବନ୍ଦଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଆବେଦନ ପ୍ରସଙ୍ଗ, ଆଜି ଆସିବ ସଂରକ୍ଷିତ ରାୟ

ନନ୍ଦିଘୋଷ ବ୍ୟୁରୋ: ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ କେଜ୍ରିୱାଲରଙ୍କ ଆବେଦନ ପ୍ରସଙ୍ଗ । ଆଜି ସଂରକ୍ଷିତ ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପକାନ ଦତ୍ତାଙ୍କୁ ନେଇ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ୧୭ ମଇରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଶୁଣାଣି ସମୟରେ ଉପଯୁକ୍ତ ପ୍ରମାଣପତ୍ର ଦାଖଲ କରିବାକୁ ଅଦାଲତ ଇଡିକୁ ନିର୍ଦ୍ଦେଶ ଦେଇଥିଲେ । ଇଡି ଦେଇଥିବା ଲିଖିତ ତଥ୍ଯକୁ ପଢିବା ପରେ ସୁପ୍ରିମକୋର୍ଟ କହିଥିଲେ, ପୂର୍ବତନ ଉପମୁଖ୍ଯମନ୍ତ୍ରୀ ମନୀଷ ଶିଶୋଦିଆଙ୍କ ପରେ ଆଉ କଣ ସବୁ ନୂଆ ପ୍ରମାଣ ମିଳିଛି ? ସେସବୁର ଉପସ୍ଥାପନ କରିବାକୁ ଖଣ୍ଡପୀଠ ଇଡିକୁ ନିର୍ଦ୍ଦେଶ ଦେଇଥିଲେ । ନୂଆ ପ୍ରମାଣ ଆଧାରରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିବା ଦାବି କରିଥିବାରୁ ସୁପ୍ରିମକୋର୍ଟ ଏହାର ପ୍ରମାଣ ଇଡିକୁ ମାଗିଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ମାର୍ଚ୍ଚ ୨୧ ତାରିଖରେ ଇଡି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଜୁନ ୨୦ରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ଏହା ଉପରେ ଦିନକ ପରେ ଦିଲ୍ଲୀ ହାଇକୋର୍ଟ ଜାମିନରେ ରହିତାଦେଶ ଦେଇଥିଲେ ।  ସୁପ୍ରିମକୋର୍ଟରେ ତାର ଶୁଣାଣି ହେବା ଆଗରୁ ଜୁନ୍ ୨୫ରେ ସିବିଆଇ କେଜରିୱାଲଙ୍କୁ ଗିରଫ କରିଥିଲା।

ହାତରେ ଚିପ୍ ଲଗାଇଲେ ୩ ବର୍ଷ ପର୍ଯ୍ୟନ୍ତ ଗର୍ଭଧାରଣ ଚିନ୍ତାରୁ ମୁକ୍ତି

ଭୁବନେଶ୍ବର: ଚିପ୍ ରୋକୁଛି ଗର୍ଭଧାରଣ । ବିନା କଷ୍ଟରେ ମହିଳାଙ୍କ ବାମ ହାତରେ ଚିପକୁ ଇମ୍ପ୍ଲାଣ୍ଟ କଲେ ତିନି ବର୍ଷ ଯାଏଁ ଗର୍ଭଧାରଣ ଚିନ୍ତାରୁ ମୁକ୍ତି । ଏହାକୁ ଲଗାଇବା ବେଳେ କୌଣସି କଷ୍ଟ ବି ହେଉ ନାହିଁ । ଇଞ୍ଜେକ୍ସନ ନେବା ଭଳି ସମାନ୍ୟ କଷ୍ଟ ହେଉଥିବା ବେଳେ ସାଇଡ ଇଫେକ୍ଟ ବି କମ । ତେଣୁ ଆଗକୁ ଏହି ପଦ୍ଧତିର ବ୍ୟାପକ ବ୍ୟବହାର ପାଇଁ ଯୋଜନା କରୁଛି ସ୍ୱାସ୍ଥ୍ୟ ବିଭାଗ । ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯିବା ସହ ନୂତନ ପରିବାର ନିୟୋଜନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।

ଥରେ ଇମ୍ପ୍ଲାଣ୍ଟ କଲେ ତିନି ବର୍ଷ ଟେନସନ ନାହିଁ । ମହିଳାଙ୍କ ହାତରେ ଚିପ ଅଟକାଉଚି ଗର୍ଭଧାରଣ । ନୂତନ ପରିବାର ନିୟୋଜନ ବ୍ୟବସ୍ଥା ଇମ୍ପ୍ଲାଣ୍ଟ ପଦ୍ଧତିରେ ଏହା ସମ୍ଭବ ହେଉଛି । ଏହି ଇମ୍ପ୍ଲାଣ୍ଟ ପଦ୍ଧତି ବ୍ୟାପକ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଯୋଜନା କରିଛି । ବର୍ଷେ ତଳୁ ଦୁଇଟି ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଏହା ଆରମ୍ଭ ହୋଇଛି । ଏସସିବି ମେଡିକାଲ କଲେଜ, କଟକ ସିଟି ହସ୍ପିଟାଲ, ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ଓ ସିଟି ହସ୍ପିଟାଲରେ ଇମ୍ପ୍ଲାଣ୍ଟ ବ୍ୟବସ୍ଥା ସଫଳ ହୋଇଛି । ପ୍ରାୟ ୯୦୦ ମହିଳାଙ୍କୁ ଏହା ସଫଳତାର ସହ ଦିଆସରିଥିବାବେଳେ ଆଗକୁ ପରିବାର ନିୟୋଜନ କ୍ଷେତ୍ରରେ ଏହାକୁ ବ୍ୟାପକ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ଏହା ଏକ ଭଲ ଓ ଲଙ୍ଗ ଆକ୍ଟିଙ୍ଗ ରିଭରସେବଲ ମେଥଡ ବୋଲି କୁହାଯାଇଛି । ଏହାର ସାଇଡ ଇଫେକ୍ଟ ମଧ୍ୟ କମ । ଏହି ପଦ୍ଧତିରେ ଚିପଟି ବାମ ହାତ ଉପର ପାର୍ଶ୍ବରେ ଦିଆ ହୁଏ । ୩ ବର୍ଷ ଯାଏଁ ଏହା କାମ କରିବ । ୩ ବର୍ଷ ପରେ ଇମ୍ପ୍ଲାଣ୍ଟ ବାହାର କରାଗଲେ ମହିଳା ତୁରନ୍ତ ପ୍ରଜନନକ୍ଷମ ହେବେ ବୋଲି କୁହାଯାଇଛି ।

ଏହା ଲାଗିବା ବେଳେ ଇଂଜେକ୍ସନ ଭଳି ଲାଗେ । ଏହା ଲାଗିବାକୁ ମାତ୍ର ଦୁଇ ମିନିଟ ସମୟ ଲାଗିବ । ବାହାର କରିବାକୁ ବି ଦୁଇ ମିନିଟ ସମୟ ଲାଗିବ । ଏବେ ଓଡିଶାକୁ ୪୫୦୦ ଡୋଜ ମିଳିଛି ଓ ଏଯାଏଁ ୯୦୦ ବ୍ୟବହାର ହୋଇଛି । ଏହାକୁ ବ୍ୟାପକ କରିବାକୁ ଉଦ୍ୟମ ଚାଲିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏଥିସହିତ ଆଗାମୀ ଦିନରେ ପୁରୁଷ ବନ୍ଧ୍ୟାକରଣ ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି ବୋଲି କୁହାଯାଇଛି ।

ବିଶ୍ୱ ଜନସଂଖ୍ୟା ଦିବସରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ‘ବିକଶିତ ଭାରତର ପରିଚୟ ନୂତନ ପରିବାର ନିୟୋଜନ ପ୍ରତ୍ୟେକ ଦମ୍ପତିଙ୍କର ସମ୍ମାନ’ ଶୀର୍ଷକ ଥିମକୁ ଗୁରୁତ୍ୱ ଦିଆଯାଇଛି । ଅତ୍ୟାଧୁନିକ ଗର୍ଭ ନିରୋଧକ ପଦ୍ଧତିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଇଞ୍ଜେକସନ ଏମପିଏ ବା ଅନ୍ତରା ମାଧ୍ୟମରେ ୩ ମାସ ଯାଏଁ ଗର୍ଭବତୀ ହେବାର ଚିନ୍ତାରୁ ମୁକ୍ତି ମିଳିବା ସହ ଏହାଦ୍ବାରା ଯୌନ ସମ୍ପର୍କ ରଖିବାରେ କିଛି ସମସ୍ୟା ହୁଏ ନାହିଁ ବୋଲି କୁହାଯାଇଛି । ପରିବାର ନିୟୋଜନ ପାଇଁ ନୂଆ ମେଥଡ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ଇମ୍ପ୍ଲାଣ୍ଟ ପରୀକ୍ଷା ମୂଳକ ଭାବେ ଚାଲିଥିବାବେଳେ ଏହି ମେଥଡ ପ୍ରତି ଲୋକଙ୍କ ଆଗ୍ରହ ରହିଛି । କିନ୍ତୁ ଜନ୍ମ ନିୟନ୍ତ୍ରଣ ପାଇଁ ସ୍ଥାୟୀ ବ୍ୟବସ୍ଥାକୁ ଫୋକସ କରାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ରାଜ୍ୟର ବରଗଡ଼, ସୁବର୍ଣ୍ଣପୁର, କନ୍ଧମାଳ, ଦେବଗଡ଼, ନୂଆପଡା ଆଦି ଜିଲ୍ଲାରେ ପରିବାର ନିୟୋଜନ କାର୍ଯ୍ୟକ୍ରମ କ୍ଷେତ୍ରରେ ଭଲ କାମ ହେଉଛି । କିନ୍ତୁ ଉପକୂଳ ଅଞ୍ଚଳରେ ଅସ୍ଥାୟୀ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଲେ କେମିତି ହେବ ରତ୍ନର ଗଣତି ମଣତି ?

ପୁରୀ: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ । ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିସକୁ ରାଜ୍ଯ ସରକାର ଯାଞ୍ଚ କରୁଥିବା ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । ଏପଟେ କେଉଁଠି ରତ୍ନ ଗଣତି ହେବ, ଏସଓପିରେ କ’ଣ ରହିଛି ସେ ନେଇ ସ୍ପଷ୍ଟ ହୋଇ ନଥିବାବେଳେ ରତ୍ନ ସୁରକ୍ଷାରୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି ସେବାୟତ ।

୧୪ ତାରିଖ ପାଇଁ ରତ୍ନଭଣ୍ଡାର କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିରୁ ମିଳିସାରିଛି ଗ୍ରୀନ ସିଗନାଲ । ଅପେକ୍ଷା କେବଳ ସରକାରଙ୍କ ଘୋଷଣାକୁ । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ, କେମିତି ହେବ ମହାପ୍ରଭୁଙ୍କ ରତ୍ନ ଗଣତି ? କ’ଣ ରହିବ ଏସଓପି ? ଗଣତି ସମୟରେ କେଉଁଠି ରହିବ ବହୁମୂଲ୍ଯ ରତ୍ନ ? ବରିଷ୍ଠ ଦଇତାପତି ସେବାୟତଙ୍କ କହିଛନ୍ତି, ରତ୍ନ ଶ୍ରୀମନ୍ଦିର ବାହାରକୁ ଆସିବା ଅନୁଚିତ । ଶ୍ରୀମନ୍ଦିର ଭିତରେ ହିଁ କରାଯାଉଛି ରତ୍ନ ଗଣତି । ରତ୍ନଭଣ୍ଡାର ନିକଟରେ ଥିବା ଚାଙ୍ଗଡ଼ା ଘରେ ରତ୍ନ ରଖି ଗଣତି ମଣତି କରାଯାଉ । ଏହାଦ୍ବାରା ରତ୍ନର ରକ୍ଷଣାବେକ୍ଷଣ ସହ ସୁରକ୍ଷା ମଧ୍ଯ ସୁନିଶ୍ଚିତ ହୋଇପାରିବ । ତେବେ ରତ୍ନ ଗଣତି ସମୟରେ କିଏ କିଏ ଉପସ୍ଥିତ ରହିବେ ସେ ନେଇ ମଧ୍ଯ ଉଠିଛି ପ୍ରଶ୍ନ । ବିଭିନ୍ନ ବର୍ଗର ଆଉ କିଛି ସଦସ୍ଯଙ୍କୁ ସାମିଲ କରିବାକୁ ଦାବି ହେଉଛି । ଏସଓପି ସର୍ବସାଧାରଣ ହେବା ପରେ ତାହା ସ୍ପଷ୍ଟ ହେବ ।

ଏପଟେ ରତ୍ନଭଣ୍ଡାର ଖୋଲିବାକୁ ସରକାର ମଧ୍ଯ ଜୋରସୋରରେ ଚଳାଇଛନ୍ତି ପ୍ରସ୍ତୁତି । ଆଇନମନ୍ତ୍ରୀ କହିଛନ୍ତି, ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ । ଯାଞ୍ଚ କମିଟିର ସୁପାରିସକୁ ପରିଚାଳନା କମିଟି ମୋହର ମାରିସାରିଛି । ପରିଚାଳନା କମିଟିର ସୁପାରିସକୁ ଯାଞ୍ଚ କରାଯିବ । ଯେଉଁ ଏସଓପି ସୁପାରିସ ହୋଇଛି ତାକୁ ଅନୁଧ୍ଯାନ କରାଯିବ । ନୀତିକାନ୍ତି ସହ ଖାପ ଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ନିଆଯିବ ।

ଯଦି ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଏ, ସେତେବେଳେ ଶ୍ରୀଜିଉ ଆଡ଼ପ ମଣ୍ଡପରେ ଥିବେ । ଗର୍ଭଗୃହ ଦର୍ଶନ ବନ୍ଦ ରହିଥିବାରୁ ସେଦିନ ବିଶେଷ ଅସୁବିଧା ହେବ ନାହିଁ । ତେବେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପରେ ଯେପରି ଭକ୍ତଙ୍କ ଦର୍ଶନରେ ବାଧା ନଉପୁଜେ ସେଥିପ୍ରତି ଧ୍ଯାନ ଦେବାକୁ ମତ ପ୍ରକାଶ ପାଇଛି ।

ମୋହନ ସରକାରଙ୍କ ପ୍ରଥମ ବଜେଟ୍, ଚ୍ୟାଲେଞ୍ଜ ଅନେକ

ଭୁବନେଶ୍ବର: ପୂର୍ବ ଯୋଜନା ଚାଲୁ ରହିବ ନା ବନ୍ଦ ହେବ । ନିର୍ବାଚନୀ ପ୍ରତିଶ୍ରୁତି ବି ପାଳନ କରିବାକୁ ପଡ଼ିବ । ରାଜ୍ୟ ସରକାରଙ୍କ ପ୍ରଥମ ବଜେଟକୁ ନେଇ ଏପରି ଚାଲେଞ୍ଜ ସୃଷ୍ଟି ହୋଇଛି । ପୁରୁଣା ଯୋଜନା ସହ ନୂଆ ଯୋଜନା ଆରମ୍ଭ କରିବାକୁ ହେଲେ ରାଜ୍ୟ ରାଜକୋଷ ଉପରେ ବଢିବ ଚାପ । ତେଣୁ ବଜେଟର ଆକାର ବଢିଲେ ବଳକା ଅର୍ଥ କେଉଁଠୁ ଭରଣା କରାଯିବ । ତାକୁ ନେଇ ନୂଆ ସରକାର ଘାଣ୍ଟି ଚକଟି ହେଉଥିବା ବେଳେ ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ମଧ୍ୟ ଆଉ ଏକ ଆହ୍ବାନ । ଏଭଳି ସ୍ଥିତିରେ ପୂର୍ଣ୍ଣାଙ୍ଗ ବଜେଟ ଆକାର ୨ ଲକ୍ଷ ୬୦ ହଜାରୁ ୨ ଲକ୍ଷ ୭୦ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି ।

ମୋହନ ସରକାରଙ୍କ ପ୍ରଥମ ବଜେଟ୍‌ । ସୁଭଦ୍ରା, ଏମଏସପି, ଭତ୍ତା ଏସବୁ ପାଇଁ ହେବ ଅଧିକ ବ୍ୟୟ ବରାଦ । ଶିକ୍ଷା, ସ୍ବାସ୍ଥ୍ୟ ବାବଦରେ କେତେ ମିଳିବ ଅର୍ଥ ? ଯୁଗାନ୍ତକାରୀ ପଦକ୍ଷେପ ନେଇ ନବୀନ ସରକାର ରେକର୍ଡ଼ କରିଥିଲେ । କେନ୍ଦ୍ର ଅନୁଦାନ ଉପରେ ନିର୍ଭରଶୀଳତା କମାଇବାକୁ ନିଜସ୍ବ ସମ୍ବଳ ବୃଦ୍ଧି ଉପରେ ଜୋର ଦେଇଥିଲେ । ଏ ସରକାର ତାକୁ ଅବ୍ୟାହତ ରଖିବେ ନା ବିଭିନ୍ନ ଯୋଜନା ଚାଲୁ ରଖିବାକୁ କେନ୍ଦ୍ରର ହାତକୁ ଅନେଇବେ ? ମୋହନ ସରକାରଙ୍କ ପ୍ରଥମ ବଜେଟ୍‌କୁ ନେଇ ଏପରି ଚର୍ଚ୍ଚା ଆରମ୍ଭ ହୋଇଟାଇଛି ।

ଏଥର ବଜେଟ୍‌ ଆକାର ୨ ଲକ୍ଷ ୬୦ ହଜାର କୋଟିରୁ ୨ ଲକ୍ଷ ୭୦ ହଜାର କୋଟି ଛୁଇଁପାରେ । ହିସାବ ଦେଖିଲେ ପୂର୍ବ ସରକାର ଜିଏସଡିପିର ୪ ପ୍ରତିଶତ ରାଜସ୍ବ ବଳକା ରହୁଥିଲା । ଏହାସହ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଆଇନ ଅନୁଯାୟୀ ବିତ୍ତୀୟ ନିଅଣ୍ଟକୁ ୩ ପ୍ରତିଶତରେ ସୀମିତ ରଖିବାର ରେକର୍ଡ଼ ବଜାୟ ରହିବ ତ । କାଳିଆ, ବିଏସକେଓ୍ବାଇ ପାଇଁ ଅର୍ଥ ବ୍ୟୟ ବରାଦ ନକଲେ ବିଗିଡ଼ି ପାରେ ସରକାରଙ୍କ ସ୍ବାସ୍ଥ୍ୟ ।

ଗତ ଫେବ୍ରୁଆରୀରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ବ ନବୀନ ସରକାର ଆଣିଥିଲେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍‌ । ନିର୍ବାଚନ ଥିବାରୁ ୪ ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟିର ଲେଖାନୁଦାନ ଗୃହରେ ପାରିତ ହୋଇଥିଲା । କୃଷି ପାଇଁ ସ୍ବତନ୍ତ୍ର ବଜେଟ୍‌ ସହିତ ଚାଷ ଓ ଚାଷୀଙ୍କ ଆର୍ଥିକ ସହାୟତା ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଏବର ଡବଲ ଇଞ୍ଜିନ ସରକାର ଉପରେ ଚାଷୀ ଅଧିକ କ’ଣ ପାଇବେ ସେ ନେଇ ଆଶା ବାନ୍ଧିଛନ୍ତି । ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୫୦ରୁ ୬୦ ହଜାର କୋଟି ଆବଶ୍ୟକ ।  ଏହି ଅତିରିକ୍ତ ଖର୍ଚ୍ଚ କେଉଁଠୁ ଆଣିବେ ତାହା ସବୁଠୁ ବଡ଼ ପ୍ରଶ୍ନ ।

ଆସନ୍ତା ସମୟ ହେଉଛି ଯୁବପୀଢିଙ୍କର । ଚାକିରି ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ଯୁବକଙ୍କ ପାଇଁ ନୂଆ ସରକାର କି ସରପ୍ରାଇଜ ଆଣୁଛନ୍ତି ତା’ ଉପରେ ମଧ୍ୟ ନଜର ରହିଛି । ଏମିତି କିଛି ସମ୍ଭାବନା ଓ ଆଶାକୁ ନେଇ ମୁଖ୍ୟମନ୍ତ୍ରୀ ଆଜି ସବୁ ବିଭାଗୀୟ ସଚିବଙ୍କ ସହ ମାନସ ମନ୍ଥନ କରିଥିବା ବେଳେ ଶୁକ୍ରବାର ପୂର୍ବତନ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

CBI କବଜାରେ ନିଟ୍ ପେପର ଲିକର ମାଷ୍ଟର ମାଇଣ୍ଡ

ନୂଆଦିଲ୍ଲୀ: ସିବିଆଇ କବଜାରେ ନିଟ୍ କୋଶ୍ଚିନ ଲିକର ମାଷ୍ଟର ମାଇଣ୍ଡ । ନାଁ ରାକେଶ ରଞ୍ଜନ ଓରଫ୍ ରକି । ସେ ହିଁ ଏହି ପୂରା ଖେଳର କାର୍ପଟଦାର ବୋଲି ଜଣାପଡି଼ଛି । ତାକୁ ଗିରଫ କରିବା ପରେ ୧୦ ଦିନିଆ ହେପାଜତକୁ ନେଇ ସିବିଆଇ ।

କେମିତି ହୋଇଥିଲା ପ୍ରଶ୍ନପତ୍ର ଲିକ୍‌ ? ଆଉ କିଏ କିଏ ଏଥିରେ ସାମିଲ ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ରକିକୁ ଘାଣ୍ଟିବ ସିବିଆଇ । ଆଜି ମଧ୍ଯ ପଶ୍ଚିମବଙ୍ଗ ଓ ବିହାରର କେତେକ ସ୍ଥାନରେ ରେଡ୍ କରାଯାଇଛି । ସନ୍ଦେହ କରାଯାଉଛି ଝାଡ଼ଖଣ୍ଡର ହଜାରିବାଗରୁ ହିଁ ନିଟ୍ କୋଶ୍ଚିନ୍ ଲିକ୍ ହୋଇଥିଲା । ପ୍ରଶ୍ନପତ୍ର ପ୍ରଥମେ ଆସି ଷ୍ଟେଟ ବ୍ଯାଙ୍କରେ ରହିଥିଲା । ସେଠାରୁ ପରୀକ୍ଷା ସେଣ୍ଟରକୁ ନେବା ବାଟରେ ହିଁ ସିଲ୍ ଖୋଲି ପ୍ରଶ୍ନପତ୍ର ଲିକ୍ କରାଯାଇ ଥିବା ସନ୍ଦେହ ହୋଇଛି । ସେପଟେ ସୁପ୍ରିମକୋର୍ଟରେ ଆଜି ନିଜର ରିପୋର୍ଟ ଦାଖଲ କଲା ସିବିଆଇ । ଆସନ୍ତା ୧୮ରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି । ଗତକାଲି କୋର୍ଟରେ କେନ୍ଦ୍ର ସରକାର ଦାଖଲ କରିଥିଲେ ସତ୍ଯପାଠ । ଆସନ୍ତା ଜୁଲାଇ ତୃତୀୟ ସପ୍ତାହରୁ କାଉନସେଲିଂ ଲାଗି ସରକାର ଚାହୁଁଥିବା ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ।

ଯାଜପୁରବାସୀଙ୍କୁ ବଡ଼ ଧୋକ୍କା: ମେଡିକାଲ କଲେଜକୁ କେନ୍ଦ୍ର ସରକାରଙ୍କ ଅଣଦେଖା, କମାଇ ଦେଲେ ଅଧା ସିଟ୍

ଯାଜପୁର: ଯାଜପୁରବାସୀଙ୍କୁ ସହ କେନ୍ଦ୍ର ସରକାରଙ୍କ ବଡ଼ ଧୋକ୍କା । ଯାଜପୁର ମେଡିକାଲ କଲେଜକୁ ଅଣଦେଖା କଲେ କେନ୍ଦ୍ର ସରକାର । କାଟି ଦେଲେ ମେଡିକାଲ କଲେଜର ଅଧା ସିଟ୍ । ଚଳିତବର୍ଷ ୧୦୦ ନୁହେଁ ବରଂ ୫୦ଟି ଏମବିବିଏସ୍ ସିଟରେ ହେବ ଆଡମିଶନ ।

ଚଳିତବର୍ଷ ଯାଜପୁରର ଯଯାତିକେଶରୀ ମେଡିକାଲ କଲେଜରେ ୧୦୦ ଜଣ ଛାତ୍ରଛାତ୍ରୀ ଏମବିବିଏସରେ ନାମ ଲେଖାଇଥାଆନ୍ତେ । ଏଭଳି ପ୍ରତିଶ୍ରୁତି ପତ୍ର ପୂର୍ବରୁ ଭାରତ ସରକାରଙ୍କ ଜାତୀୟ ଆୟୁର୍ବିଜ୍ଞାନ ଆୟୋଗ ବା ଏନଏମସି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ହେଲେ ଦୁର୍ଭାଗ୍ଯର ବିଷୟ ଚଳିତବର୍ଷ ଯାଜପୁର ମେଡିକାଲ କଲେଜରେ ୧୦୦ ବଦଳରେ ୫୦ଟି ଏମବିବିଏସ୍ ସିଟରେ ନାମ ଲେଖାଇବା ପାଇଁ ଏନଏମସି ଅନୁମତି ପତ୍ର ବା ଲେଟର ଅଫ୍ ପରିମିଶନ୍ ଦେଇଥିବାର ଜଣାପଡ଼ିଛି ।

ଚଳିତ ମାସ ୬ ତାରିଖରେ ଜାତୀୟ ଆୟୁର୍ବିଜ୍ଞାନ ଆୟୋଗ ଯାଜପୁର ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଜାରି କରିଥିବା ଅନୁମତି ପତ୍ରରେ ଏହା ଉଲ୍ଲେଖ ରହିଛି । ଚିଠି ଅନୁସାରେ ଯାଜପୁର ମେଡିକାଲ କଲେଜ ସିଟ୍ ସଂଖ୍ୟାକୁ ୫୦କୁ ହ୍ରାସ କରାଯାଇଛି । ୨୦୧୮ ମସିହାରୁ ରାଜ୍ୟ ସରକାରଙ୍କ ତତ୍ତ୍ଵାବଧାନରେ ଯାଜପୁର ମେଡିକାଲ କଲେଜ କର୍ତ୍ତୃପକ୍ଷ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ଭିଭିଭୂମି ନିର୍ମାଣ କରିଛନ୍ତି । ଚଳିତବର୍ଷ ଯାଜପୁର ମେଡିକାଲ କଲେଜରେ ପ୍ରଥମ ଥର ପାଇଁ ନାମ ଲେଖାଯିବ । ନାମ ଲେଖାଇବା ପୂର୍ବରୁ ଜାତୀୟ ଆୟୁର୍ବିଜ୍ଞାନ ଆୟୋଗର ଏକ ଟିମ୍ ଜୁନ୍ ୨୪ ତାରିଖରେ ଯାଜପୁର ମେଡିକାଲ କଲେଜର ଭିଭିଭୂମି ତଦାରଖ କରିବାକୁ ଆସିଥିଲେ । ଯାଜପୁର ମେଡିକାଲ କଲେଜରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ୪୨୦ ବେଡ୍ ବିଶିଷ୍ଟ ହସ୍ପିଟାଲର ବ୍ୟବସ୍ଥା ରହିଛି । ଏଥିସହ ଏଏମସିର ଗାଇଡଲାଇନ୍ ମୁତାବକ ପ୍ରାକ୍ଟିକାଲ ଲ୍ୟାବ୍, ୫୦ ହଜାର ପୁସ୍ତକ ରହିଥିବା ଅତ୍ୟାଧୁନିକ ଲାଇବ୍ରେରୀ, ୨୧ଟି ଜାତୀୟ ଓ ୯ଟି ଆର୍ଥଦେଶୀୟ ଜର୍ନାଲ ଥିବା ମେଡିକାଲ ରିସର୍ଚ୍ଚ ଜର୍ନାଲ ସେଣ୍ଟର, ମ୍ୟୁଜିୟମ ଥିଏଟର, ୪ଟି ଲେକଚର ଥିଏଟର, ସାଉଣ୍ଡ୍ ପ୍ରୁଫ୍ ଅଡିଟୋରିୟମ୍, ଡିଜିଟାଲ କ୍ଲାସ୍ ରୁମ, ଛାତ୍ରଛାତ୍ରୀ ନିବାସ ଓ ଅନ୍ୟାନ୍ୟ ଭିଭିଭୂମିକୁ ଯାଜପୁର ମେଡିକାଲ କଲେଜ ପରିସରରେ ପରିଦର୍ଶକମାନେ ପ୍ରତ୍ୟକ୍ଷ କରିଥିଲେ ।

୧୦୦ ସିଟ୍ ବିଶିଷ୍ଟ ଯାଜପୁର ମେଡିକାଲ କଲେଜରେ ୨୦୨୪-୨୫ ଶିକ୍ଷାବର୍ଷରେ ନାମଲେଖା ନିମନ୍ତେ ୨୦୨୩ ମେ’ ମାସ ୧୦ ତାରିଖରେ ଇସି ମିଳିଥିଲା । ଭାରତ ସରକାରଙ୍କ ବିହିତ ଅନୁମତି କ୍ରମେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଡିଏମଇଟିଙ୍କୁ ଇସି ଜାରି କରିଥିଲେ । ଏନଏମସିର ମାପକାଠି ଓ ବିଭିନ୍ନ ସର୍ଭକୁ ପୂରଣ କରିବା ନିମନ୍ତେ ରାଜ୍ୟ ସରକାର ଆଙ୍କୁଲା, ବିନ୍ଧାଣ ଓ କିଆନାଳୀ କୂଳ ଅଞ୍ଚଳର ୪୦ ଏକର ଜମିକୁ ଯାଜପୁର ମେଡିକାଲ କଲେଜ ପାଇଁ ଉପଯୋଗ କରିଛନ୍ତି । ଏହି ଜମିରେ ମେଡିକାଲ କଲେଜର ପ୍ରଶାସନିକ ଭବନ, ଶିକ୍ଷା ପ୍ରକୋଷ୍ଠ, ୩୦୦ ବେଡ୍ର ଅତ୍ୟାଧୁନିକ ହସ୍ପିଟାଲ, ୫ ଶହ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ, ଡାକ୍ତର ଓ କର୍ମଚାରୀଙ୍କ ପାଇଁ ବାସଗୃହ ଆଦି ନିର୍ମାଣ ସରିଛି । ଯାଜପୁର ମେଡିକାଲ କଲେଜ ପୂର୍ବ ଭାରତର ଅଗ୍ରଣୀ ଗ୍ରୀନ୍ ଥିମ୍ ମେଡିକାଲ କଲେଜ ଭାବେ ଗଢ଼ି ତୋଳିବା ପାଇଁ ପୂର୍ବ ସରକାର ଉଦ୍ୟମ କରିଥିବା ବେଳେ କଲେଜର ସିଟ୍ ସଂଖ୍ୟା ୫୦ ପ୍ରତିଶତ ହ୍ରାସ ହେବା ଘଟଣା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ରାଜ୍ୟରେ ନୂତନ ଭାବେ ପୂର୍ବରୁ ସ୍ଥାପିତ ମେଡିକାଲ କଲେଜରେ ପୂର୍ବ ନିର୍ଦ୍ଧାରିତ ସିଟ୍ ସଂଖ୍ୟା ମୁତାବକ, କଲେଜରେ ଆଡମିଶନ ହେଉଥିବା ବେଳେ ଯାଜପୁର ମେଡିକାଲ କଲେଜର ସିଟ୍ ସଂଖ୍ୟା ୫୦ ପ୍ରତିଶତ ହ୍ରାସ ହେବା ଘଟଣା ଯାଜପୁରବାସୀଙ୍କୁ ବିସ୍ମିତ କରିଛି । ଏଥିସହ ଓଡ଼ିଶାର ମେଡିକାଲ କଲେଜ ସିଟ୍ ସଂଖ୍ୟା ଚଳିତବର୍ଷ ହ୍ରାସ ପାଇବାରୁ ମେଡିକାଲ କଲେଜରେ ପଢ଼ିବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ନବୀନ ସରକାରଙ୍କ ନିଷ୍ପତ୍ତିକୁ କପି ପେଷ୍ଟ କରୁଛି ବିଜେପି ସରକାର

ଭୁବନେଶ୍ବର: ବର୍ତ୍ତମାନର ବିଜେପି ସରକାର ନିଜର କିଛି ଯୋଜନା କରିପାରୁ ନାହାନ୍ତି କି ? ନୂଆ ସରକାରର କ୍ଯାବିନେଟ ନିଷ୍ପତ୍ତି ଦେଖିଲେ ତ ସେମିତି ଲାଗୁଛି । ଶ୍ରମିକଙ୍କ ମଜୁରୀ ବୃଦ୍ଧି ହେଉ କି ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି, ମୋହନ ଚରଣ ମାଝୀ ସରକାରର କ୍ଯାବିନେଟ ଯେଉଁ ପ୍ରସ୍ତାବ ଉପରେ ମୋହର ମାରିଛି, ସେଗୁଡ଼ିକ ପ୍ରକୃତରେ ନବୀନ ପଟ୍ଟନାୟକ ସରକାରଙ୍କ ନିଷ୍ପତ୍ତି । ବିରୋଧୀ ଆସନରେ ଥିବା ବେଳେ ବିଜେପି ଯୋଜନା ଭିତ୍ତିକ ଓ ଚୁକ୍ତି ଭିତ୍ତିକ ନିଯୁକ୍ତ ଉଚ୍ଛେଦ ପାଇଁ ଦାବି କରୁଥିଲା । ହେଲେ ଏବେ ନିଜେ କ୍ଷମତାକୁ ଆସିବା ପରେ ସେହି ଯୋଜନା ଭିତ୍ତିକ ନିଷ୍ପତ୍ତିକୁ ପ୍ରତ୍ଯାହାର କରିପାରିଲେ ନାହିଁ କି ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ନୂଆ ନିଯୁକ୍ତି ଦେଇପାରି ନାହାନ୍ତି । ଏହାକୁ ନେଇ ଯୋଗ୍ଯ ପ୍ରାର୍ଥୀଙ୍କଠାରୁ ଆରମ୍ଭ କରି ବିରୋଧୀମାନେ ରାଜ୍ଯ ସରକାରଙ୍କୁ ଘେରିଛନ୍ତି ।

ନବୀନ ସରକାରଙ୍କ ନିଷ୍ପତ୍ତିକୁ କେବଳ  କପି ପେଷ୍ଟ କରିଛନ୍ତି ଏବର ରାଜ୍ଯ ସରକାର । ଗତକାଲି କ୍ୟାବିନେଟରେ ୨୦ ହଜାର ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ଯେଉଁ ମୋହର ମରାଯାଇଛି ତାହା ନୂଆ ନିଯୁକ୍ତି ନୁହେଁ । ୭ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ପଟ୍ଟନାୟକ ଯେଉଁ କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ, ଏହା ହେଉଛି ସେହି ଶିକ୍ଷକ ପଦବୀ । ଭଲ ପ୍ରଦର୍ଶନ କରିଥିଲେ ନିଯୁକ୍ତିର ୩ ବର୍ଷ ପରେ ଯୋଜନା ଭିତ୍ତିକ ଉଠିଥାନ୍ତା ଓ ଲଗାତର ୬ ବର୍ଷର ଉତ୍ତମ ପ୍ରଦର୍ଶନ ପରେ ନିୟମିତ ହୋଇଥାନ୍ତେ ଶିକ୍ଷକ ।

ଏହି ଯୋଜନାକୁ ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ଜୋରଦାର ବିରୋଧ କରିଥିଲା । ଯୋଜନା ଭିତ୍ତିକ ଓ ଚୁକ୍ତି ଭିତ୍ତିକ ଉଚ୍ଛେଦ ଦାବିରେ ପ୍ରତିବାଦ କରିଥିଲା । ଏହାରି ଭିତରେ ୨୦୨୩ ନଭେମ୍ବର ସୁଦ୍ଧା ସିବିଟି ମାଧ୍ୟମରେ ପରୀକ୍ଷା କରାଯାଇଥିଲା । ଦୁଇ ମାସ ପରେ ବାହାରିଥିଲା ରେଜଲ୍ଟ । ଏଥିରେ ୧୮ ହଜାର ୭୮୮ ଜଣ ଯୋଗ୍ୟ ବିବେଚିତ ହୋଇଥିଲେ । ଏହା ଏପରି ରାଜନୈତିକ ମୋଡ଼ ନେଇଥିଲା ଯେ, ହାଇକୋର୍ଟକୁ କଥା ଯାଇଥିଲା ଓ ଯୋଗ୍ୟ ତାଲିକା ଉପରେ ଲାଗିଥିଲା ରୋକ । ଏହାରି ଭିତରେ ନୂତନ ଶିକ୍ଷକ ନିଯୁକ୍ତି କରି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଲା ବିଜେପି । ହେଲେ କୌଣସି ନୂଆ ଶିକ୍ଷକ ନିଯୁକ୍ତି ଦେଲେନି ସରକାର । କେବଳ ପୂର୍ବ ୧୮ ହଜାର ୭୮୮ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ଯେଉଁ ଅର୍ଡର ଦେଇଛନ୍ତି, ତାକୁ ହିଁ ରାଜ୍ୟ ସରକାର କ୍ୟାବିନେଟରେ ପାସ୍ କରିଛନ୍ତି । ବିଦ୍ଯାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ ମଧ୍ଯ ଏହି ଶିକ୍ଷକ ନିଯୁକ୍ତି ପୁରୁଣା ସରକାରଙ୍କ ଯୋଜନା ବୋଲି ପରୋକ୍ଷରେ ସ୍ବୀକାର କରିଛନ୍ତି ।

କ୍ଷମତାକୁ ଆସିବା ପାଇଁ ଆଶାୟୀ ଶିକ୍ଷକ ପ୍ରାର୍ଥୀଙ୍କୁ ବି ସ୍ଥାୟୀ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲା ବିଜେପି । ହେଲେ ତାହା ନ କରିବାରୁ ସେମାନେ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ପୁରୁଣା ବଦଳରେ ସ୍ଥାୟୀ ନିଯୁକ୍ତି ପାଇଁ ସେମାନେ ଦାବି କରିଛନ୍ତି । ସେମାନଙ୍କ ଦାବିରେ ସ୍ଵର ମିଶାଇଛନ୍ତି ବିଜେଡି ଓ କଂଗ୍ରେସ ।

ଶିକ୍ଷକ ନିଯୁକ୍ତିରେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରାଜ୍ଯ ସରକାରଙ୍କ ମୋହର ବାଜିଛି । ହେଲେ ପୂର୍ବ ସରକାରରୁ ହିଁ ଏହି ନିଯୁକ୍ତିର ରୂପରେଖ ଓ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏପରି ସ୍ଥିତିରେ ଶିକ୍ଷକଙ୍କ ନିଯୁକ୍ତିକୁ ଏକ ପ୍ରମୁଖ ମୁଦ୍ଦା କରି ନିର୍ବାଚନ ଲଢିଥିବା ବିଜେପି ସରକାରଙ୍କ ଆଭିମୁଖ୍ୟକୁ ଅନାଇ ବସିଛନ୍ତି ଯୋଗ୍ୟ ପ୍ରାର୍ଥୀ ।

ଓଡ଼ିଶାବାସୀଙ୍କ ସେବା ଯେମିତି କରୁଥିଲୁ, ସେମିତି ଆଗକୁ ବି ଜାରି ରହିବ: ବିଜେଡି

ଭୁବନେଶ୍ବର: ନିର୍ବାଚନ ପରାଜୟ ପରେ ପୁଣି ଥରେ ତୃଣମୂଳ ସ୍ତରରେ ଅଧିକ ସଶକ୍ତ ହୋଇ ଜନସେବା ଜାରି ରଖିବ ବିଜେଡି । ସଂଗଠନକୁ ନବକଳେବର କରି ଆଗକୁ ବଢୁଛି ଦଳ । ଓଡ଼ିଶାବାସୀଙ୍କ ପାଇଁ ଜାରି ରଖିଛି ସେବା । ରାଜ୍ୟବାସୀଙ୍କ ପାଇଁ ଯେମିତି କାମ କରୁଥିଲା, ସେମିତି କାର୍ଯ୍ୟ ଜାରି ରହିବ ବୋଲି କହିଛି ବିଜେଡି । ବିରୋଧୀ ଦଳ ଭାବେ ବିଜେଡିର ରାଜନୈତିକ ଏଜେଣ୍ଡାକୁ ରାଜନୈତିକ ସମୀକ୍ଷକଙ୍କ ପ୍ରଶଂସା ।

ଓଡିଶାବାସୀଙ୍କ ସେବାରେ ବିଜେଡି । ୨୦୨୪ ନିର୍ବାଚନ ପରେ ବିରୋଧୀ ଦଳ ଭୂମିକାରେ ଓଡ଼ିଶାବାସୀଙ୍କ ସ୍ବର ସାଜିଛି ଦଳ । ବିଭିନ୍ନ ପ୍ରସଙ୍ଗରେ ଦଳ ଶାଣିତ ସ୍ବର ଉଠାଇ ସରକାରଙ୍କୁ ଚେତାଇ ଦେବାରେ ଲାଗିଛି । ନିର୍ବାଚନ ଫଳାଫଳ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳ ତୃଣମୂଳ ସ୍ତରରେ ଆରମ୍ଭ କରିଛି କାମ । ଜୋରସୋରରେ ଲାଗିଛନ୍ତି ଦଳର ବରିଷ୍ଠ ନେତା ଓ ଛାମୁଆ ସଂଗଠନ । ଏହାରି ଭିତରେ ସାଂଗଠନିକ ସ୍ତରରେ ବି କିଛିଟା ପରିବର୍ତ୍ତନ କରିଛନ୍ତି ନବୀନ । ଛାମୁଆ ଛାତ୍ର ସଂଗଠନ ଦଳକୁ ଅଧିକ ମଜବୁତ କରିବା ସହ ଆଗକୁ ବିଭିନ୍ନ ଜନହିତ କାର୍ଯ୍ୟକ୍ରମ କରିବାକୁ ଅଣ୍ଟା ଭିଡ଼ିଛି । ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସହ ବିଜୁ ଛାତ୍ର ଜନତା ଦଳ ସବୁବେଳେ ଥିଲା, ଅଛି ଓ ଆଗକୁ ମଧ୍ୟ ରହିବ । ଛାତ୍ରଙ୍କ ବିଭିନ୍ନ ଦାବି ଓ ସମସ୍ୟା ସମାଧାନ ପାଇଁ ଦଳ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ।

୨୦୨୪ ନିର୍ବାଚନରେ ପରେ ବିଜେଡିର ରାଜନୈତିକ ଆଭିମୁଖ୍ୟକୁ ଭିନ୍ନ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ । ବିରୋଧୀ ଦଳ ଭାବେ ବିଜେଡି ଯେଉଁ ଭୂମିକା ଗ୍ରହଣ କରିଛି ଏଯାଏଁ ତାହା ସ୍ବାଗତ ଯୋଗ୍ୟ ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ କେ. ରବି ।

ଆଗକୁ ବିଧାନସଭା ବଜେଟ ଅଧିବେଶନ । ୫୧ ବିଧାୟକଙ୍କୁ ନେଇ ଗୃହରେ ବିରୋଧୀ ଦଳର ଭୂମିକା ତୁଲାଇବ ବିଜେଡି । ଖାଲି ସେତିକି ନୁହେଁ ରାଜସ୍ବାର୍ଥ ସାଙ୍ଗକୁ ଲୋକଙ୍କ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡିଛି ଦଳ ।