spot_img
Home Blog Page 1789

ଗୁଳି ମାରି ୧୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ଗୁଳି ମାରି ୧୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ଖଇରା ଥାନା କୁପାରୀ ନିକଟ ବ୍ଯାଙ୍କ ଆଗରୁ ଲୁଟ୍ ହୋଇଛି । ବ୍ଯାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ଦୁଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠୁ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ଅନୁସାରେ, ପେଟ୍ରୋଲ ପମ୍ପ କର୍ମଚାରୀ ଅଜୟ ମହାପାତ୍ର ଓ ବିଷ୍ଣୁପଦ ମହାପାତ୍ର ଏକ ବାଇକରେ ୧୨ ଲକ୍ଷ ଟଙ୍କା ନେଇ ବ୍ଯାଙ୍କକୁ ଜମା କରିବାକୁ ଯାଉଥିଲେ । ବ୍ଯାଙ୍କ ଆଗରେ ଦୁଇଟି ପଲସର ଗାଡ଼ିରେ ୪ ଦୁର୍ବୃତ୍ତ ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଟଙ୍କା ବ୍ଯାଗକୁ ଛଡ଼ାଇନେବା ପରେ ଦୁଇ ରାଉଣ୍ଡ ଗୁଳି ମାରିଥିଲେ । ବିଷ୍ଣୁଙ୍କ ଗୋଡ଼ରେ ଗୋଟିଏ ଗୁଳି ବାଜିଥିବାବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଚମ୍ପଟ ମାରିଛନ୍ତି । ଖଇରା ପୋଲିସ ମାମଲାର ତଦନ୍ତ କରୁଛି ।

ଆସନ୍ତା ୪୮ ଘଣ୍ଟା ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ: ତୁହାକୁ ତୁହା ବର୍ଷାରେ ଭିଜୁଛି ଓଡ଼ିଶା। ଆସନ୍ତା ୪୮ ଘଣ୍ଟା ପାଇଁ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି  l ବିଶେଷ ଭାବେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିବାର ସମ୍ଭାବନା ରହିଛି l ୧୩ ତାରିଖରେ କୋରାପୁଟ , ରାୟଗଡ଼ା, କନ୍ଧମାଳ,  ନବରଙ୍ଗପୁର, କଳାହାଣ୍ଡିରେ ପ୍ରବଳ ବର୍ଷା ହେବ l ୧୩ ତାରିଖ ପରେ ବର୍ଷା ପରିମାଣ ସାମାନ୍ୟ କମିବ l ଗତ ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ରାୟଗଡ଼ାରେ ୫୨ ମିମି ରେକର୍ଡ କରାଯାଇଛି ।  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧୬.୫ ମିମି ରେକର୍ଡ କରାଯାଇଛି । ହେଲେ ଏହି ସମୟ ମଧ୍ୟରେ ୨୫୫ ମିମି ସ୍ଵାଭାବିକ ବର୍ଷା ହେବା କଥା l ବର୍ତ୍ତମାନ ରାଜ୍ୟରେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି l ପୁରୀ ରେ ବର୍ତ୍ତମାନ ପାଗ ମେଘୁଆ ରହିଛି ।

ବିଲଡରଙ୍କ ବିରୋଧ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲେ ଯୁବରାଜ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟରେ ବିଲଡରଙ୍କ ବିରୋଧରେ ମାମଲା ଦାୟର କଲେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ । ଯୁବରାଜ କିଣିଥିବା ଫ୍ଲାଟକୁ ନେଇ ବିଲଡର ଜଣକ ତାଙ୍କୁ ହଇରାଣ କରୁଥିବା ନେଇ ହାଇକୋର୍ଟରେ ପହଞ୍ଚିଛନ୍ତି । ମଙ୍ଗଳବାର ଯୁବରାଜଙ୍କ ମାମଲାକୁ ଶୁଣିଥିବାବେଳେ ବିଲଡରଙ୍କୁ ନୋଟିସ ଜାରି କରିଛନ୍ତି । ତେବେ କହି ରଖୁଛୁ କି,ଦିଲ୍ଲୀର ହୋଜଖାସରେ ବିଲଡରଙ୍କ ପାଖରେ ଏକ ଫ୍ଲାଟ ବୁକ କରିଥିଲେ । ୨୦୨୩ରେ ବିଲଡର ତାଙ୍କୁ ଫ୍ଲାଟ ହସ୍ତାନ୍ତର କରିବାର ଥିଲା । ତେବେ ବିଲଡର ତାଙ୍କ ଫ୍ଲାଟରେ ଦାମୀ ସାମଗ୍ରୀ ପରିବର୍ତ୍ତେ ଖରାପ ସାମଗ୍ରୀ ଲଗାଇଥିବା ଅଭିଯୋଗ କରିଥିଲେ ଯୁବରାଜ । ତେବେ ଏଯାବତ ବିଲଡର ତାଙ୍କୁ ଖେଳାଉଥିବା ଅଭିଯୋଗ ଆଣିଛନ୍ତି ଯୁବରାଜ ।

କଳକୀ ଦେଖିଲା ଭଳି ’ଦିମାଗ’ ଓଡ଼ିଆ-ବିହାର ଦର୍ଶକଙ୍କର ନାହିଁ

ନନ୍ଦିଘୋଷ ବ୍ୟୁରୋ: ବିହାର ଏବଂ ଓଡ଼ିଶାର ଲୋକଙ୍କ ପାଇଁ ନୁହେଁ ’କଳକୀ’ ସିନେମା । ଏହା ପାଶ୍ଚାତ୍ୟ ଦେଶ ହୋଇଥିବାବେଳେ ବିହାର ଏବଂ ଓଡ଼ିଶାର ଲୋକେ ଏହାକୁ ବୁଝି ପାରିବେ ନାହିଁ । ନିଜର ୟୁଟ୍ୟୁବ ଚ୍ୟାନେଲରେ ’କଳକୀ’ ୨୮୯୮ ସିନେମାର ରିଭ୍ୟୁ ଦେବାକୁ ଯାଇ ଏଭଳି କହିଛନ୍ତି ଜଣାଶୁଣା ଅଭିନେତା ମୁକେଶ ଖାନ୍ନା । ଯାହାକୁ ନେଇ ଏବେ ସେ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ ହେବାରେ ଲାଗିଛନ୍ତି । ୟୁଜର୍ସମାନେ ତାଙ୍କୁ ବିଭିନ୍ନ କମେଣ୍ଟ କରିବା ସହ ଟ୍ରୋଲ ମଧ୍ୟ କରୁଛନ୍ତି । ଯେଉଁ ବୌଦ୍ଧିକସ୍ତରରେ ଏହି ଫିଲ୍ମଟି ନିର୍ମାଣ କରାଯାଇଛି ଏହାକୁ ଓଡ଼ିଶା ଏବଂ ବିହାରର ଦର୍ଶକମାନେ ବୁଝି ପାରିବେ ନାହିଁ । ଏହା ହଲିଉଡ ପାଇଁ ଉପଯୁକ୍ତ । କାହିଁକି ନାଁ ସେମାନଙ୍କର ବୁଝିବାର ଶକ୍ତି ଅଧିକ ରହିଥାଏ । ତାଙ୍କର ଅପମାନଜନକ ମନ୍ତବ୍ୟ ପାଇଁ ୟୁଜର୍ସମାନେ କମେଣ୍ଟ କରିଥିବାବେଳେ ଓଡ଼ିଆ ଲୋକେ ମଧ୍ୟ ନିନ୍ଦା କରିଛନ୍ତି । କହି ରଖୁଛୁ କି, ମହାଭାରତରେ ଅଭିନୟ କରିବା ସହ ଶକ୍ତିମାନରେ ନିଜର ବଳିଷ୍ଠ ଅଭିନୟ ପାଇଁ ଦର୍ଶକଙ୍କ ମହଲରେ ଢ଼େର ପ୍ରଶଂସା ଆଦରିଥିବା ମୁକେଶ ଖାନ୍ନାଙ୍କ ଏଭଳି ଟିପ୍ପଣୀକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ବେଶ ନିନ୍ଦା କରାଯାଉଛି ।

https://twitter.com/mimicracyy/status/1809255069755551885?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1809255069755551885%7Ctwgr%5E58e5f37a70d3d2362ab7c35f5bcfa8af4bb68366%7Ctwcon%5Es1_&ref_url=https%3A%2F%2Fwww.news18.com%2Fmovies%2Fkalki-2898-ad-not-for-bihar-and-odishas-audience-says-mukesh-khanna-gets-trolled-shame-on-you-8958947.html

ହାଥରସ୍ ଦଳାଚକଟା : ୬ ଅଧିକାରୀ ସସପେଣ୍ଡ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ହାଥରସ୍ ଦଳାଚକଟା ଘଟଣାରେ କାର୍ଯ୍ଯାନୁଷ୍ଠାନ। ଏସଆଇଟିର ସୁପାରିଶ ଅନୁସାରେ ୬ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ସେମାନେ ହେଲେ ସ୍ଥାନୀୟ ଏସଡିଏମ୍, ସିଓ, ତହସିଲଦାର, ଇନସପେକ୍ଟର ଓ ଫାଣ୍ଡି ଅଧିକାରୀ। ନିଜ କର୍ତ୍ତବ୍ଯରେ ଅବହେଳା ଅଭିଯୋଗରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏସଆଇଟି ତଦନ୍ତରୁ ଜାଣିପାରିଛି, କାର୍ଯ୍ଯକ୍ରମର ଆୟୋଜକ, ତହସିଲର ପ୍ରଶାସନ ଓ ପୋଲିସ ନିଜ କର୍ତ୍ତବ୍ଯରେ ଅବହେଳା କରିଛନ୍ତି। ପୁରା ଘଟଣାର ତଦନ୍ତ କରୁଥିବା ଏସଆଇଟି ୧୧୯ ଜଣଙ୍କ ବୟାନ ରେକର୍ଡ କରିଛି ଏବଂ ଆଜି ଏକ ରିପୋର୍ଟ ଦାଖଲ କରିଛି। ଏଥିରେ ସତସଙ୍ଗ ଆୟୋଜନ କରିଥିବା କମିଟିକୁ ଏହି ଅଘଟଣ ପାଇଁ ଦାୟୀ କରାଯାଇଛି। ଯେତେ ଲୋକଙ୍କ ପାଇଁ ଅନୁମତି ଦିଆଯାଇଥିଲା, ତାଠାରୁ ଅଧିକ ଲୋକଙ୍କୁ ସତସଙ୍ଗକୁ ନିମନ୍ତ୍ରଣ କରାଯାଇଥିଲା। ତାଛଡ଼ା ସ୍ଥାନୀୟ ଅଧିକାରୀମାନେ ଏହି କାର୍ୟ୍ଯକ୍ରମକୁ ଏତେ ଗୁରୁତର ସହିତ ନେଇନଥିଲେ। କିମ୍ବା ଉପରିସ୍ଥ ବରିଷ୍ଠ ଅଧିକାରୀଙ୍କୁ ମଧ୍ଯ ଏ ସଂପର୍କରେ ଜଣାଇନଥିଲେ। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯାଇଛି। ଏସଡିଏମ୍ ନିଜେ ସତସଙ୍ଗ ସ୍ଥଳ ପରିଦର୍ଶନ ନ କରି କାର୍ୟ୍ଯକ୍ରମ ପାଇଁ ଅନୁମତି ଦେଇଥିବାର ଜଣାପଡ଼ିଛି।

ସୂଚନାଯୋଗ୍ୟ ଜୁଲାଇ ୨ରେ ହାଥରସର ଫୁଲାରି ଗାଁରେ ହୋଇଥିବା ସତସଙ୍ଗରେ ହୋଇଥିଲା ଦଳାଚକଟା । ଏଥିରେ ୧୨୧ ଜଣଙ୍କର ମୃତ୍ଯୁ ହୋଇଥିଲା। ମୁଖ୍ଯ ଅଭିଯୁକ୍ତ ଦେବପ୍ରକାଶ ମଧୁକରଙ୍କୁ ଗିରଫ କରାଯାଇଛି।

ରତ୍ନଭଣ୍ଡାର ପ୍ରସଙ୍ଗ: ବିଜୟଙ୍କ ତେରେଚ୍ଛା ବାଣ

ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ତେରେଚ୍ଛା ବାଣ ମାରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ରତ୍ନଭଣ୍ଡାର ଖୋଲି ଯାଞ୍ଚ କରିବା ନେଇ ଗଠିତ ନୂଆ କମିଟିକୁ ସେ ସ୍ବାଗତ କରିଛନ୍ତି । କିନ୍ତୁ ପୁରୁଣା କମିଟି ଯେଉଁପରି ଭାଙ୍ଗିଦିଆଗଲା ତାହା ଠିକ୍ ହେଲାନି ବୋଲି କହିଛନ୍ତି । ପୂର୍ବ ଯାଞ୍ଚ କମିଟି ଅଧ୍ଯକ୍ଷ ଜଷ୍ଟିସ ପଶାୟତ ଜଣେ ବରିଷ୍ଠ ଏବଂ ଅଭିଜ୍ଞ ଲୋକ। ତାଙ୍କୁ ଅପମାନଜନକ ଭାବେ ବିଦା କରାଯାଇଛି । ତେଣୁ ନୂଆ କମିଟି ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି ବୋଲି ବିଜୟ କହିଛନ୍ତି । ତେବେ ମନ୍ଦିର ପରିଚାଳନା କମିଟି ତୁରନ୍ତ ରତ୍ନଭଣ୍ଡାର ଷ୍ଟାଟସ ରିପୋର୍ଟ ରତ୍ନଭଣ୍ଡାର କମିଟିକୁ ହସ୍ତାନ୍ତର କରୁ ବୋଲି ସେ ଦାବି କରିଛନ୍ତି ।

୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ତାହା କମିଟି ନିକଟରେ ରହିଛି । ଏହା ପରେ ୧୯୮୨ ଏବଂ ୧୯୮୫ ମସିହାରେ ଆବଶ୍ୟକତା ଦୃଷ୍ଟିରୁ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । କିଛି ଅଳଙ୍କାର ଏବଂ ରୂପା ସେଥିରୁ ବାହାର କରାଯାଇଛି । ସେ ଷ୍ଟାଟସ୍ ରିପୋର୍ଟ ପରିଚାଳନା କମିଟି ନିକଟରେ ରହିଛି । ସେ ରିପୋର୍ଟ ରତ୍ନଭଣ୍ଡାର କମିଟିକୁ ହସ୍ତାନ୍ତର ହେବା ଦରକାର ବୋଲି ବିଜୟ ମହାପାତ୍ର କହିଛନ୍ତି । ଏହା ବ୍ୟତୀତ ଯେତେ ଦିନ ଏଏସଆଇ କାମ କରିବ ସେତିକି ଦିନ ପାଇଁ ଅସ୍ଥାୟୀ ଭଣ୍ଡାର ନିର୍ମାଣ ହେଉ । ଏଥିପାଇଁ ସେ ବିମଳା ମନ୍ଦିର ପଛ ପଟ କିମ୍ବା ମନ୍ଦିର ଭିତର ସାକ୍ଷୀ ଗୋପାଳ ମନ୍ଦିର ପାଖ ସ୍ଥାନକୁ ବାଛିବାକୁ ପରାମର୍ଶ ଦେଇଛନ୍ତି । ଚିହ୍ନଟ କରି କଡ଼ା ସୁରକ୍ଷାର ସହ ରତ୍ନ ସବୁକୁ ରଖାଯାଇପାରିବ । ଏସବୁ ଦିଗ ଉପରେ କମିଟି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ବିଜୟ କହିଛନ୍ତି ।

୧୪ରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର: ଜଷ୍ଟିସ ବିଶ୍ବନାଥ ରଥ

ପୁରୀ: ୧୪ରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ସେ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଆସିଲେ ରତ୍ନଭଣ୍ଡାର ଖୋଲାଯିବ। ସର୍ବସମ୍ମତି କ୍ରମେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ସରକାରଙ୍କୁ ନିବେଦନ କରାଯିବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ ।

ଚାବି ଥାଉ କି ନ ଥାଉ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ରତ୍ନଭଣ୍ଡାର ଖୋଲିବା ପରେ ଏହାର ରକ୍ଷଣାବେକ୍ଷଣ ଓ ଗଣତି ନେଇ ପଦକ୍ଷେପ ନିଆଯିବ। ଏ ନେଇ ପରିଚାଳନା କମିଟି ନିଷ୍ପତ୍ତି ନେବେ। ଏଥିପାଇଁ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଇଛି । ଯେଉଁଠି କି ପ୍ରଥମେ ରତ୍ନ ସ୍ଥାନାନ୍ତରିତ କରାଯିବ। ପରେ ସ୍ବର୍ଣ୍ଣକାରଙ୍କ ଦ୍ଵାରା ରତ୍ନର ମୂଲ୍ୟାୟନ କରାଯିବ। ଆଜି ଏସଓପି ଉପରେ ମଧ୍ୟ ଆଲୋଚନା ହୋଇଛି। ଠାକୁରଙ୍କ ନୀତିକାନ୍ତି କି ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନ ହେବ ସେ ନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ଯକ୍ଷ ଜଷ୍ଟିସ ବିଶ୍ବନାଥ ରଥ ।

ଓଭର ବ୍ରିଜ ଦବିବା ଘଟଣା: NHAI ଓ ନିମ୍ନମାନର କାମକୁ ଦାୟୀ କଲେ ମେୟର

ଭୁବନେଶ୍ବର: ଭୁବନେଶ୍ବର ଆଇଗିଣିଆ ୧୬ ନମ୍ବର ଜାତୀୟ ରାଜପଥରେ ଓଭର ବ୍ରିଜ୍ ଦବିବା ଘଟଣାରେ NHAI କୁ ଦାୟୀ କରାଯାଇଛି। ଏଥିରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି। ଆଜି ବିଏମସି ମେୟର ସୁଲୋଚନା ଦାସ ଘଟଣାସ୍ଥଳ ପରିଦର୍ଶନ କରି କହିଛନ୍ତି, ବ୍ରିଜ ନିର୍ମାଣର ମାତ୍ର ୬ ମାସରେ ଦବିବା ଆଶ୍ଚର୍ଯ୍ଯର କଥା। ବ୍ୟସ୍ତ ବହୁଳ ରାସ୍ତାର ଏଭଳି ଅବସ୍ଥା ମୃତ୍ୟୁକୁ ନିମନ୍ତ୍ରଣ କରୁଛି। ଟେକ୍ନିକାଲ ଟିମ୍ ଏହି ଓଭର ବ୍ରିଜ ସହିତ ସମସ୍ତ ନିର୍ମାଣଧୀନ ବ୍ରିଜ ଯାଞ୍ଚ କରନ୍ତୁ ବୋଲି ଦାବି କରିଛନ୍ତି ସୁଲୋଚନା ଦାସ। ରାସ୍ତା ଦବିବାର କାରଣ ଜାଣିବା ନିହାତି ଦରକାର। ନଚେତ୍ ବିହାର ଭଲି ଅବସ୍ଥା ଓଡ଼ିଶାରେ ମଧ୍ୟ ହେବ ବୋଲି ସେ ଆଶଙ୍କା କରିଛନ୍ତି।

ସେପଟେ NHAI ର ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହ କହିଛନ୍ତି, ଓଭରବ୍ରିଜ ଜଳବନ୍ଦୀ ହେବା ଦ୍ବାରା ସିପେଜ୍ ହୋଇ ରାସ୍ତା ଦବିଛି। ଯାଞ୍ଚ କରିବାର ଦାୟିତ୍ଵ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦିଆଯାଇଛି। କେବଳ ଆଇଗିଣିଆ ନୁହେଁ, ଅନ୍ଯ ବ୍ରିଜରେ ମଧ୍ଯ ଜଳବନ୍ଦୀ ସମୟରେ ଯାଞ୍ଚ କରି ତଦାରଖ ଓ ମରାମତି କରିବାକୁ କୁହାଯାଇଛି। ଯଦି ନିମ୍ନର କାମ ହୋଇଥିବା ଜଣା ପଡ଼େ, ତେବେ କାର୍ଯ୍ଯାନୁଷ୍ଠାନ ହେବ।

ଋଷ ସେନାରେ ସାମିଲ ଭାରତୀୟ ସ୍ୱଦେଶ ଫେରିବେ

ନନ୍ଦିଘୋଷ ବ୍ୟୁରୋ: ମଜଭୁତ ହେବ ଭାରତ- ରୁଷିଆ ସମ୍ପର୍କ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ଯରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା। ଦୁଇ ଦିନିଆ ରୁଷିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମସ୍କୋରେ ପହଞ୍ଚିଛନ୍ତି । ଆଜି ରୁଷିଆ ଗସ୍ତର ଦ୍ୱିତୀୟ ଦିନ । ଏହାପୂର୍ବରୁ ରାଷ୍ଟ୍ରପତି ପୁଟିନ ତାଙ୍କ ବାସଭବନରେ ମୋଦୀଙ୍କ ପାଇଁ ରାତ୍ରୀ ଭୋଜନ ଆୟୋଜନ କରିଥିଲେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଯେଉଁଥିରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ବାସ୍ତବରେ, ଉଭୟ ନେତା ଋଷର ସେନାରେ ଭାରତୀୟ ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୁଟିନ ସମସ୍ତ ଭାରତୀୟଙ୍କୁ ଋଷ ସେନାରୁ ମୁକ୍ତ କରିବାକୁ ରାଜି ହୋଇଛନ୍ତି।

ଋଷର ସେନାରେ ଯୋଗ ଦେଇଥିବା ଭାରତୀୟଙ୍କ ସୂଚନା ଏବଂ ତଥ୍ୟ ଉପରେ ମିଳିତ ଭାବେ ଉଭୟ ଦେଶ କାର୍ଯ୍ୟ କରିବେ। ଏଜେଣ୍ଟଙ୍କ ପ୍ରତାରଣା ଯୋଗୁଁ ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାୟ ୨୦୦ ଲୋକ ଫସି ରହିଛନ୍ତି। ଏଜେଣ୍ଟମାନେ ଭାରତୀୟଙ୍କୁ ଚାକିରି ଲୋଭ ଦେଖାଇ ଋଷକୁ ପଠାଇବାକୁ କହି ସେମାନଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଯାଇଥିଲା। ଏହି ଯୁଦ୍ଧରେ ଦୁଇ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି।

ଦୁଇ ରାଷ୍ଟ୍ର ମଧ୍ଯରେ କୌଶଳଗତ ସମ୍ପର୍କ ବୃଦ୍ଧି ଲାଗି ଦୁଇ ନେତା ରଖିଛନ୍ତି ଭିଜନ। ଆଜି ମସ୍କୋରେ ୨୨ତମ ଭାରତ-ରୁଷିଆ ସମ୍ମିଳନୀରେ ଦୁଇ ନେତା ଯୋଗ ଦେବା ସହ ଶକ୍ତି, ବାଣିଜ୍ଯ ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଆଲୋଚନା କରିବେ। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ ହୋଇଥିବାରୁ ୟୁକ୍ରେନ ପ୍ରସଙ୍ଗ ବି ସ୍ଥାନ ପାଇବା ସମ୍ଭାବନା ରହିଛି। ଦ୍ବିପାକ୍ଷିକ ସମ୍ମିଳନୀ ପୂର୍ବରୁ ମୋଦିଙ୍କ ଲାଗି ପୁଟିନ ଏକ ଡିନର ଆୟୋଜିତ କରିଥିଲେ। ଦଶନ୍ଧି ଧରି ଦୁଇ ଦେଶ ମଧ୍ଯରେ ସ୍ବାସ୍ଥ୍ଯ, ନିବେଶ, ଶିକ୍ଷା, ସଂସ୍କୃତି, ଶକ୍ତି, ବାଣିଜ୍ୟ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ସହଯୋଗିତା ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ଭାରତ ନିନ୍ଦା କରିନାହିଁ। ଆଜି ମସ୍କୋରୁ ଅଷ୍ଟ୍ରିଆ ଅଭିମୁଖେ ଗସ୍ତ କରିବେ ମୋଦି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ନେଇ ନିଜ ନିଜ ପ୍ରେମିକ ସହ ଛୁ ମାରିଲେ ୧୧ ମହିଳା

ନନ୍ଦିଘୋଷ ବ୍ୟୁରୋ: ଗରିବଙ୍କ ମୁଣ୍ଡକୁ ଛାତ ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ଗରିବ ଲୋକଙ୍କୁ ଆର୍ଥିକ ସହାୟତା ମିଳୁଛି । କିନ୍ତୁ ଉତ୍ତରପ୍ରଦେଶରୁ ଏମିତି ଏକ ଖବର ଆସିଛି ଯାହାକୁ ଶୁଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆବାସ ଯୋଜନାରେ ମିଳୁଥିବା ଟଙ୍କାକୁ ନେଇ ଫେରାର ହୋଇଛନ୍ତି ମହିଳା । ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶରେ ଚର୍ଚ୍ଚା ଜୋରଧରିଛି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ୧୧ ଜଣ ମହିଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତିର ଟଙ୍କା ନେଇ ନିଜ ପ୍ରେମୀକଙ୍କ ସହ ଛୁ ମାରିଛନ୍ତି। ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ, ଯେଉଁ ମହିଳାମାନେ ଟଙ୍କା ନେଇ ତାଙ୍କ ପ୍ରେମୀକଙ୍କ ସହ ଫେରାର ହୋଇଛନ୍ତି ସେମାନଙ୍କ ସ୍ୱାମୀ ଏହି ଘଟଣା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଛନ୍ତି। ଘର ନିର୍ମାଣ ପାଇଁ ପ୍ରଥମ କିସ୍ତିରେ ଆସିଥିବା ଟଙ୍କାକୁ ନେଇ ଫେରାର ପତ୍ନୀ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଯାହା ଚିନ୍ତାର କାରଣ ପାଲଟିଛି । ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ପ୍ରଶାସନ ସେମାନଙ୍କର ଦ୍ୱିତୀୟ କିସ୍ତିର ଟଙ୍କାକୁ ବନ୍ଦ କରିଦେଇଛନ୍ତି । ଏଥି ଯୋଗୁଁ ବ୍ୟକ୍ତିମାନେ ଅଧାରେ ଅଟକିଛନ୍ତି ନା ମିଳିଲା ଘର ନା ମିଳିଲା ସ୍ତ୍ରୀ। ଏହି ଘଟଣା ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରୁ ଆସିଛି।

ସୂଚନା ମିଳିଛି ଯେ, ୨ ହଜାର ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୧୧ ଜଣ ମହିଳା ପିଏମ ଆବାସ ଯୋଜନାର ମିଳିଥିବା ୪୦ ହଜାର ଟଙ୍କା ନେଇ ନିଜ ସ୍ୱାମୀଙ୍କୁ ଛାଡି ପ୍ରେମିକଙ୍କ ସହିତ ପଳାଇ ଯାଇଥିଲେ।