spot_img
Home Blog Page 1799

ଆସନ୍ତା ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭା ଅଧିବେଶନ। ଜୁଲାଇ ୨୫ରେ ଉପସ୍ଥାପନ ହେବ ୨୦୨୪-୨୦୨୫ ଲାଗି ବଜେଟ। ୨୯ରେ ବଜେଟ ଉପରେ ହେବ ସାଧାରଣ ଆଲୋଚନା। ପ୍ରଥମ ଦିନ ରାଜ୍ଯପାଳଙ୍କ ଅଭିଭାଷଣ କାର୍ଯ୍ଯକ୍ରମ ଥିବା ବେଳେ ୨୩ରେ ଉପବାଚସ୍ପତି ନିର୍ବାଚନ ସମ୍ପର୍କିତ ଘୋଷଣା କରାଯିବ। ପରଦିନ ଅର୍ଥାତ୍ ୨୪ ତାରିଖରେ ହେବ ଉପବାଚସ୍ପତି ନିର୍ବାଚନ।

୩୦ରେ ଲେଖାନୁଦାନ ପ୍ରସ୍ତାବ ନେଇ ଆଲୋଚନା ହେବ। ସେପ୍ଟେମ୍ବର ୧୩ ତାରିଖ ଯାଏ ଚାଲିବ ଅଧିବେଶନ। ଅଗଷ୍ଟ ୨୦ରେ ବିଭାଗୀୟ ସ୍ଥାୟୀ କମିଟିମାନଙ୍କର ରିପୋର୍ଟ ଉପସ୍ଥାପନ ହେବ।

ପ୍ୟାରିସ ଅଲିମ୍ପିକ୍ସ: ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆସନ୍ତା ୨୬ରୁ ଆରମ୍ଭ ହେବ ପ୍ଯାରିସ ଅଲିମ୍ପିକ୍ସ । ଏଥିରେ ସାମିଲ ହେବାକୁ ଥିବା ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ରୀଡାରେ ସେମାନଙ୍କ ଅଭିଜ୍ଞତା ଦେଶବାସୀଙ୍କ ଲାଗି ମୂଲ୍ଯବାନ ହେବ ବୋଲି ଆଶା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଅବସରରେ ସେ କହିଛନ୍ତି, ଆସନ୍ତା ୨୦୩୬ ଭାରତ ଅଲିମ୍ପିକ୍ସ ଆୟୋଜନ କରିବା ଲାଗି ଆଶାବାଦୀ ରହିଛି । ଭାରତୀୟ ଟିମର ଅବଦାନ ଦେଶରେ ସ୍ପୋର୍ଟିଂ ବାତାବରଣ ସୃଷ୍ଟି କରିବ । ଦେଶରେ ଅଲିମ୍ପିକ୍ସର ଭିତ୍ତିଭୂମି ପ୍ରତିଷ୍ଠା ଲାଗି ଉଦ୍ଯମ ଜାରି ରହିଛି । ଏହି ଅବସରରେ ଷ୍ଟାର ନୀରଜ ଚୋପ୍ରାଙ୍କ ସହ ପୁରୁଷ ହକି ଟିମ, ସୁଟିଂ, ବକ୍ସର ଟିମର ସଦସ୍ଯ ଉପସ୍ଥିତ ଥିଲେ । ଟିମର ପରଫର୍ମାନ୍ସ ୧୪୦ କୋଟି ଭାରତୀୟଙ୍କୁ ଉଦବୁଦ୍ଧ କରିବ ବୋଲି ଆଶାବାଦୀ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଅଲିମ୍ପିକ ପାଇଁ ଭାରତୀୟ ଟିମରେ ଅଛନ୍ତି ଓଡ଼ିଆ କ୍ରାଡ଼ାବିତ କିଶୋର ଜେନା ।

ଭିଜିଲାନ୍ସ ଜାଲରେ ତହସିଲଦାର, ଗାଡିରୁ ଲକ୍ଷାଧିକ ଟଙ୍କା ଜବତ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ । ସରକାରୀ ଗାଡିରୁ ଜବତ ହେଲା ୧ ଲକ୍ଷ ୧୫ ହଜାର ଟଙ୍କା । ହନୁମନ୍ତପୁର ଗ୍ରାମର ଗୋଟିଏ ଗୋଷ୍ଠୀ ଠାରୁ ଏହି ଟଙ୍କା ଲାଞ୍ଚ ନେଇଥିଲେ ତହସିଲଦାର । ସରକାରୀ ଜମିରେ ପଟ୍ଟା ପ୍ରଦାନ ପାଇଁ ଲାଞ୍ଚ ନେଇ ଗାଡି ଭିତରେ ରଖିଥିଲେ । ଇନ୍ସପେକ୍ଟର ତରୁଲତା ବେହେରା ନେତୃତ୍ୱରେ ଭିଜିଲାନ୍ସ ଟିମ୍ ତହସିଲଦାର ଗାଡ଼ିକୁ ଗୋଡ଼ାଇ ଧରିବା ପରେ ଏହି ଟଙ୍କା ଜବତ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ, ବିଚିତ୍ରାନନ୍ଦ ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ବୈଠକରେ ଯୋଗଦେବାକୁ ଆସିଥିଲେ । ବୈଠକ ସରିବା ପରେ ଚନ୍ଦ୍ରପୁର ଫେରିବା ପାଇଁ ବାହାରିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ଭିଜିଲାନ୍ସ ଟିମ୍ ଧରିବା ପରେ ଟଙ୍କା ଫୋପାଡି ଦେଇଥିଲେ ତହସିଲଦାର ବିଚିତ୍ରାନନ୍ଦ । ଟଙ୍କାକୁ ଜବତ କରିବା ପରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟ ଆଣି ତଦନ୍ତ କରୁଛି ଟିମ୍ । ଟିମରେ ଜୟପୁର ଭିଜିଲାନ୍ସ ଏଡିସନାଲ SP ପି.କେ. ନାୟକ, ରାୟଗଡ ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା, କନଷ୍ଟେବଳ ଭିଏସଏସ ଶର୍ମା, ଆନନ୍ଦ ବେହେରା ସାମିଲ ଥିଲେ ।

ପ୍ରଣବଙ୍କ ନାଁରେ ମିଛ ଖବର ପ୍ରସାରଣ, ନିର୍ଦ୍ଧିଷ୍ଟ ଟିଭି ଚ୍ୟାନେଲକୁ ଓକିଲ ନୋଟିସ୍

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ମିଛ, ଭିତ୍ତିହୀନ ଓ ଅସମ୍ମାନଜନକ ଖବର ପରିବେଷଣ କରିବାରୁ ଏକ ନିର୍ଦ୍ଧିଷ୍ଟ ଓଡ଼ିଆ ଟିଭି ଚ୍ୟାନେଲକୁ ଜାରି ହୋଇଛି ଓକିଲ ନୋଟିସ ।

ଏକ ପ୍ରତିଷ୍ଠିତ ପରିବାରରୁ ଆସିଥିବା ପ୍ରଣବ ପ୍ରକାଶ ଦାସ ବିଜେଡିରେ ଦୀର୍ଘ ବର୍ଷ ଧରି କାମ କରିବା ସହ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ପ୍ରଣବଙ୍କ ଗତ ୧୫ ବର୍ଷର ରାଜନୈତିକ ଜୀବନରେ ପୂର୍ବରୁ ତାଙ୍କ ନାଁରେ କୌଣସି ଅଭିଯୋଗ ବି ନାହିଁ । କିନ୍ତୁ ସମ୍ପୃକ୍ତ ଚ୍ୟାନେଲ ଉଦ୍ଦେଶ୍ୟମୂଳକ ଭାବେ ପ୍ରଣବଙ୍କ ଭାବମୂର୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ଲଗାତର ମିଛ ଖବର ପରିବେଷଣ କରୁଥିବା ତାଙ୍କ ଓକିଲ ତରଣୀକାନ୍ତ ମିଶ୍ର ନୋଟିସରେ ଦର୍ଶାଇଛନ୍ତି ।

ପ୍ରଣବଙ୍କ ସରକାରୀ କ୍ୱାର୍ଟର୍ସ ସମ୍ପର୍କରେ ବିଭ୍ରାନ୍ତିକର ଖବର ପରିବେଷଣ କରିବା ସହ ସମ୍ପୃକ୍ତ ଚ୍ୟାନେଲ ଏହାକୁ ସାରଥୀ ଆଶ୍ରମ ସହ ତୁଳନା କରିଥିଲା । ଏଥିସହ ସରକାରୀ କ୍ବାର୍ଟର୍ସରେ ଖଟିଆ ସେବା ହେଉଥିବା ଭଳି ମିଛ ଖବର ପରିବେଷିତ କରିଥିଲା । ଏପରିକି କ୍ୱାର୍ଟର୍ସକୁ ରଙ୍ଗଶାଳା ଓ ମଧୁଶାଳା ଭାବେ ଚିତ୍ରିତ କରି ସାଧାରଣରେ ପ୍ରଣବଙ୍କ ଭାବମୂର୍ତ୍ତୀ କ୍ଷୁର୍ଣ୍ଣ କରିବା ପାଇଁ ଉଦ୍ୟମ କରାଯାଇଥିବା ନୋଟିସରେ କୁହାଯାଇଛି ।

ସମ୍ପୃକ୍ତ ଚ୍ୟାନେଲ ଏଭଳି ମିଛ ଖବର ଦ୍ବାରା ଉଦ୍ଦେଶ୍ୟମୂଳକ ଭାବେ ପ୍ରଣବଙ୍କ ଚରିତ୍ର ସଂହାର କରିବାକୁ ଉଦ୍ୟମ କରିଛି । ଏସବୁ ଖବର ପରିବେଷଣ ଦ୍ୱାରା ପ୍ରଣବଙ୍କ ସମ୍ମାନ ହାନୀ ହୋଇଥିବାରୁ ସମ୍ପୃକ୍ତ ଚ୍ୟାନେଲ ଦ୍ୱାରା ପରିବେଷିତ ଖବରକୁ ମିଛ ବୋଲି ସ୍ୱୀକାର କରିବାକୁ ନୋଟିସରେ ଦର୍ଶାଯାଇଛି । ସମ୍ପୃକ୍ତ ଚ୍ୟାଲେନ କର୍ତ୍ତୃପକ୍ଷ ପ୍ରଣବଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ ଏଭଳି ଖବର ପରିବେଷଣରୁ ନିବୃତ୍ତ ରହିବାକୁ କୁହାଯାଇଛି । ନୋଟିସର ୧୫ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ ଚ୍ୟାନେଲ ବିରୋଧରେ ପ୍ରଣବ ପ୍ରକାଶ ମାନହାନୀ ମକଦ୍ଦମା କରିବାକୁ ବାଧ୍ୟ ହେବେ ବୋଲି ନୋଟିସରେ ଦର୍ଶାଯାଇଛି ।

କୁସୁମାକୁ ନିନ୍ଦିତ କରିବାକୁ ଚେଷ୍ଟା: ଯାଜପୁର ପୌରପାଳିକାର ସଫେଇ, କୁଚକ୍ରୀ କରୁଛନ୍ତି ବଦନାମ

ଯାଜପୁର: ଯାଜପୁର କୁସୁମାକୁ ନେଇ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ଯମ ଯେମିତି ଖବର ପ୍ରସାରଣ କରୁଛନ୍ତି, ତାକୁ କଡ଼ା ସମାଲୋଚନା କରିଛି ଯାଜପୁର ପୌରପାଳିକା । ଏକ ସାମ୍ବାଦିକ ସମ୍ମିଳନୀରେ ପୌରପାଳିକା କର୍ତ୍ତୃପକ୍ଷ କହିଛନ୍ତି, କୁସୁମା ହେଉଛି ଯାଜପୁରର ଅସ୍ମିତା । ସେହି ଅସ୍ମିତା ଉପରେ କୁଠାରଘାତ କରୁଛନ୍ତି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ । ଯେଉଁ କୁସୁମା ସାରା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି, ସେହି କୁସୁମାକୁ ସେମାନେ ନିନ୍ଦିତ କରୁଛନ୍ତି ।

ପୌରପାଳିକା ପକ୍ଷରୁ କହାଯାଇଛି, କୁସୁମା ପ୍ରକଳ୍ପ ଯାଜପୁର ପୌର ପରିଷଦ ଦ୍ବାରା ନିୟନ୍ତ୍ରିତ । ଏହାକୁ ଦେଖିବାକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସନ୍ତି । ଏଠାରେ ନିୟୋଜିତ ଅଧିକାଂଶ ସୁରକ୍ଷାକର୍ମୀ ମହିଳା । ଏଭଳି ଏକ ଗୌରବମୟ ପ୍ରକଳ୍ପକୁ ରଙ୍ଗଶାଳାର ଆଖ୍ୟା ଦେବା ଅତ୍ୟନ୍ତ ନିନ୍ଦନୀୟ । ଏହା ଯାଜପୁରବାସୀଙ୍କୁ ବ୍ୟଥିତ କରିଛି ।

ରଥଯାତ୍ରାରେ ସାମିଲ ହେବାକୁ ନବୀନଙ୍କ ନିମନ୍ତ୍ରଣ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଯୋଗ ଦେବାକୁ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ ମଣ୍ଡଳୀ । ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ଵରେ ସେବାୟତଙ୍କ ଏକ ପ୍ରତିନିଧି ଦଳ ଆଜି ନବୀନ ନିବାସ ଆସି ରଥଯାତ୍ରା ଦେଖିଯିବାକୁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

ସବୁ ବର୍ଷ ଭଳି ପୁରୀ ଯାଇ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଟାଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ସେବାୟତଙ୍କ ସହିତ ନବୀନ ପଟ୍ଟନାୟକ ବେଶ କିଛି ସମୟ କଥାବାର୍ତ୍ତା ବି ହୋଇଥିଲେ ।

ନିଜେ ଗଛ ଲଗାଇବା ସହ ଅନ୍ୟଙ୍କୁ ଗଛ ଲଗାଇବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିଜେ ଗଛ ଲଗାଇବା ସହିତ ଅନ୍ୟମାନଙ୍କୁ ବି ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଲେ ପରାମର୍ଶ । ଚଳିତବର୍ଷ ୫ କୋଟି ଗଛ ଲଗାଇବା ପାଇଁ ଯୋଜନା କରିଛି ବନ ବିଭାଗ । ଏକ ‘ପେଡ ମା କେ ନାମ’ କାର୍ଯ୍ୟକ୍ରମରେ ମାସକ ମଧ୍ୟରେ ଦେଢ ଲକ୍ଷ ଗଛ ଲଗାଇ ସାରା ଦେଶରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ରହିଛି । ୭୫ ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଏହି ମର୍ମରେ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ, ଜଙ୍ଗଲ ମନ୍ତ୍ରୀ, ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବିଧାୟକ ଡୁମୁଡୁମା ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କରିଛନ୍ତି ।

ଭବିଷ୍ୟତ ପାଇଁ ଗଛ ଜରୁରୀ । ବୃକ୍ଷ ହିଁ କମାଇ ପାରିବ ପରିବର୍ତ୍ତିତ ପରିବେଶର ପ୍ରତିକୂଳ ପ୍ରଭାବ । ଏଥିପାଇଁ ସମସ୍ତେ ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି । ରାଜ୍ୟର ୮ ହଜାରରୁ ଊର୍ଦ୍ଧ୍ବ ସ୍କୁଲ, ସମସ୍ତ ୩୧୪ ଆଦର୍ଶ ବିଦ୍ୟାଳୟ ଓ ଅନ୍ୟ ସ୍କୁଲ, କଲେଜରେ ବ୍ୟାପକ ଗଛ ଲଗାଯିବ । ଏଥର ୫ କୋଟି ଚାରା ମାଗଣାରେ ବାଣ୍ଟିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି । ରାଜ୍ୟରେ ୩୬.୭୧ ପ୍ରତିଶତ ଜଙ୍ଗଲ ଅଞ୍ଚଳ ରହିଛି, ଯାହାକି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ । ଅଧିକ ଜଙ୍ଗଲ ସୃଷ୍ଟିରେ ଓଡ଼ିଶା ଦେଶର ତୃତୀୟ ରାଜ୍ୟ । ଜୁନ୍ ୫ରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ଏକ ପେଡ ମା କେ ନାମ କାର୍ଯ୍ୟକମରେ ଓଡ଼ିଶା ୧ ଲକ୍ଷ ୪୮ ହଜାର ଗଛ ଲଗାଇ ସାରା ଦେଶରେ ଏକ ନମ୍ବରରେ ରହିଛି । ମୁଖ୍ୟମନ୍ତ୍ରୀ ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଦାରିଙ୍ଗବାଡିରେ ଲଗାଯିବ ଚେରି ବ୍ଲସମ ଫୁଲ ଗଛ । ପୂର୍ବରୁ ଏହି ଗଛ ଜାପାନ ସହ ଭାରତର କାଶ୍ମୀର ଭଳି ଥଣ୍ଡା ରାଜ୍ୟରେ ହେଉଥିଲା । ଓଡିଶାର କାଶ୍ମୀର ଭାବେ ପରିଚିତ ଦାରଙ୍ଗବାଡ଼ିରେ ହଜାରେ ଗଛ ପ୍ରାଥମିକ ପର୍ଯ୍ୟାୟରେ ଲାଗିବ । ଆଗାମୀ ଦିନରେ ଏଥିପାଇଁ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ୧୬ ହଜାର ୧୪୩ ବନ ସୁରକ୍ଷା ସମିତି, ୫୯୪ ପରିବେଶ ଉନ୍ନୟନ କମିଟି ୧୪ ବର୍ଗ କିଲୋମିଟର ଜଙ୍ଗଲର ସୁରକ୍ଷା ଦାୟିତ୍ବ ନେଇଛନ୍ତି । ଏଥିରେ ସାମିଲ ଅଛନ୍ତି ଜଙ୍ଗଲ ଆଖପାଖର ୨୦ ଲକ୍ଷ ପରିବାର । ବନ ମହୋତ୍ସବ ଅବସରରେ ନବରଙ୍ଗପୁରର ବନ ସୁରକ୍ଷା ସମିତି ରାଜ୍ୟର ଶ୍ରେଷ୍ଠ ସମିତି ଭାବେ ୨ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଜଙ୍ଗଲ ସୁରକ୍ଷା ଓ ଗଛ ଲଗାଇବା ପାଇଁ ସଚେତନତା ଉଦ୍ଦେଶ୍ୟରେ ସ୍କୁଲ ଓ କଲେଜ ପିଲାଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଜଙ୍ଗଲ ସୁରକ୍ଷା ଓ ସୃଷ୍ଟି ପାଇଁ କାମ କରୁଥିବା ବନ ସୁରକ୍ଷା ସମିତି ଓ ଏସଏଚଜିଙ୍କୁ ୭୫ ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ସାବାସି ଦେଇଛନ୍ତି ।

ଭୁବନେଶ୍ବର ଡୁମୁଡୁମା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବନ ମହୋତ୍ସବରେ ଅତିଥିମାନେ ବୃକ୍ଷରୋପଣ କରି ସବୁଜିମା ସୃଷ୍ଟି ପାଇଁ ବାର୍ତ୍ତା ଦେଇଥିଲେ । ଉତ୍ସବରେ ଜଙ୍ଗଲ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ଏକାମ୍ର ବିଧାୟକ ବାବୁ ସିଂହଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

କଂଗ୍ରେସ ଭବନ ଖଣ୍ଡଯୁଦ୍ଧ… ବିଜେପିର ଟେକା ପଥର ମାଡ଼ ପ୍ରତିବାଦରେ ରାଜଧାନୀରେ କଂଗ୍ରେସର ହଲ୍ଲାବୋଲ

ଭୁବନେଶ୍ବର: ଶାନ୍ତିପ୍ରିୟ ଓଡ଼ିଶାକୁ ଅଶାନ୍ତ କଲେ ଭୟାବହ ହେବ ପରିସ୍ଥିତି । ଗାଁ ଗାଁରେ ହେବ ଆନ୍ଦୋଳନ । ବିଜେପି ଅଫିସ ଭିତରେ ଧସେଇ ପଶିବାକୁ ପଛାଇବୁ ନାହିଁ । ଦୋେଈଙ୍କୁ ଧରାଯାଉ ନଥିବାରୁ ଆଜି ପୋଲିସ କମିଶନରେଟ ଆଫିସ ଘେରାଉ ବେଳେ ଏମିତି ଖୋଲା ଚେତାବନୀ ଦେଇଛି କଂଗ୍ରେସ । ମଙ୍ଗଳବାର କଂଗ୍ରେସ ଭବନ ସମ୍ମୁଖରେ ହୋଇଥିବା ଖଣ୍ଡଯୁଦ୍ଧକୁ ନେଇ କଂଗ୍ରେସ ଏମିତି ରଣହୁଙ୍କାର ଦେଇଛି । ଏହାସହ ଜିଲ୍ଲା ସ୍ତରରେ ବିଭିନ୍ନ ଏସପି ଅଫିସ ଆଗରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି ।

କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ଛାମୁଆ ସଂଗଠନ, ଛାତ୍ର, ଯୁବ, ମହିଳା କଂଗ୍ରେସ ସହିତ ବରିଷ୍ଠ ନେତା କରିଛନ୍ତି ମେଳି । ବିଜେପିର ଗୁଣ୍ଡାରାଜ ପ୍ରତିବାଦରେ ଗର୍ଜିଛଇ କଂଗ୍ରେସ । ଦଳ ଅଭିଯୋଗ କରିଛି, ଯୋଜନାବଦ୍ଧ ଭାବେ କଂଗ୍ରେସ ଭବନ ଆଗରେ ଗଣ୍ଡଗୋଳ କରିବା ସହିତ ବିଜେପି କର୍ମୀ ପଥର ମାଡ଼, ଗୋବର ମାଡ଼ କରିଥିଲେ । କ୍ଷମତାକୁ ଆସିବାର ଅହଙ୍କାରରେ କଂଗ୍ରେସ ଭବନ ଭିତରେ ପ୍ରବେଶ କରିବାକୁ ଉଦ୍ଯମ କରିଥିଲେ । ଏସବୁ ହୋଇଥିଲା ପୋଲିସ ସାମ୍ନାରେ । ହେଲେ ସବୁ ଦେଖୁଥିଲେ ବି କିଛି କରି ନଥିଲା ପୋଲିସ । ଦୋଷୀଙ୍କୁ ଗିରଫ ପାଇଁ କଂଗ୍ରେସ ୩ ଦିନର ଡେଡଲାଇନ ଦେଇଥିଲେ ବି ହାତବାନ୍ଧି ବସିଥିଲା ପୋଲିସ । ତେଣୁ ଆଜି ହଲ୍ଲାବୋଲ କରିବାକୁ ପଡ଼ିଥିବା କହିଛି କଂଗ୍ରେସ । ଏଯାଏଁ କାହିଁକି ପୋଲିସ କୌଣସି କାର୍ଯ୍ଯାନୁଷ୍ଠାନ ନେଇ ବୋଲି କଂଗ୍ରେସ ପଚାରିଛି ।

କଂଗ୍ରେସ ଭବନ ଆଗରେ ଯାହା ହେଲା, ତାକୁ ହିଟଲର୍ ଶାସନ ସହିତ ତୁଳନା କରିଛି ଦଳ । କଂଗ୍ରେସ କହିଛି, ପ୍ରଥମ ଥର ପାଇଁ କୌଣସି ରାଜନୈତିକ ଦଳ ଅନ୍ୟ ରାଜନୈତିକ ଦଳର ଅଫିସ ଉପରେ ଆକ୍ରମଣ କରିଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନେବାକୁ ପୋଲିସ କମିଶନରଙ୍କ ନିକଟରେ ଆଜି ଦାବି କରାଯାଇଛି । ଶାନ୍ତିପ୍ରିୟ ଓଡ଼ିଶା ଅଶାନ୍ତ ହେବା ପୂର୍ବରୁ ରାଜନୀତିର ଉପରକୁ ଯାଇ ପୋଲିସ କାର୍ଯ୍ୟାନୁଷ୍ଠାନ ନ ହେଲେ ଗାଁ ଗାଁରେ ଆନ୍ଦୋଳନ କରିବୁ । ଏପରିକି ବିଜେପି ଅଫିସରେ ଧସେଇ ପଶିବାକୁ ପଛାଇବୁ ନାହିଁ । ଶାନ୍ତିପ୍ରିୟ ଓଡ଼ିଶାକୁ ଅଶାନ୍ତ କଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ଗତ ମଙ୍ଗଳବାର ସନ୍ଧ୍ୟାରେ ରାଜଧାନୀରେ ଛାତି ଉପରେ ଥିବା କଂଗ୍ରେସ ଭବନ ସାମ୍ନାରେ ହୋଇଥିବା ଖଣ୍ଡଯୁଦ୍ଧ ପ୍ରତିବାଦରେ ବିଭିନ୍ନ ଏସପି ଅଫିସ ବି ଘେରାଉ କରିଛି କଂଗ୍ରେସ । ଏହି ଗଣ୍ଡଗୋଳ ନେଇ ବିଜେପିକୁ କଂଗ୍ରେସ ତରଫରୁ ସିଧାସଳଖ ନିଶାନା କରାଯାଇଥିଲେ ମଧ୍ଯ ବିଜେପି କୌଣସି ପ୍ରତିକ୍ରିୟା ଦେଇନାହିଁ ।

ASO ମୋରା ମାରାଣ୍ଡିଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ

ଭୁବନେଶ୍ବର: ଏଏସଓ ମୋରା ମାରାଣ୍ଡିଙ୍କ ଆତ୍ମହତ୍ଯାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କେହି । ଏଏସଓଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ପୁଅର ଏଭଳି ମୃତ୍ଯୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର । ମୋରାଙ୍କ ଆତ୍ମହତ୍ୟା ସରକର୍ମୀଙ୍କୁ ବି କରିଛି ତାଜୁବ । କର୍ମକ୍ଷେତ୍ରରେ ଅତ୍ୟଧିକ ଚାପକୁ ଦାୟୀ କରିଛନ୍ତି ଭିଣୋଇ । ସେପଟେ କ୍ଯାପିଟାଲ ହସ୍ପିଟାଲରେ ମୋରାଙ୍କ ଶବ ବ୍ଯବଚ୍ଛେଦ କରାଯାଇଛି ।

ମୋରା ମାରାଣ୍ଡି । ୬ ମାସ ତଳେ ଲୋକସେବା ଭବନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ କାର୍ଯ୍ୟରେ ଯୋଗଦେଇ ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗରେ କାର୍ଯ୍ୟରତ ଥିଲେ । ଆଚାର୍ଯ୍ୟ ବିହାର ଉତ୍କଳ ଭିଲ୍ଲା ଆପାର୍ଟମେଣ୍ଟ ନିକଟରେ ଥିବା ହଷ୍ଟେଲରେ ଭଡାରେ ରହୁଥିଲେ । କିନ୍ତୁ ହଠାତ ଝୁଲନ୍ତା ଅବସ୍ଥାରେ ମିଳିଥିଲା ମୋରାଙ୍କ ମୃତଦେହ । ରୁମମେଟ ଖାଇବାକୁ ଡାକିବା ବେଳେ ଏଭଳି ଅବସ୍ଥା ଦେଖି ପୋଲିସକୁ ଖବର ଦେଇଥିଲେ । ସେପଟେ ପରିବାର ଲୋକେ ପୁଅର ଏଭଳି ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ।

କ୍ୟାପିଟାଲ ହସ୍ପିଟାଲରେ ହୋଇଛି ମୃତଦେହ ବ୍ୟବଚ୍ଛେଦ । ସେପଟେ ଲୋକସେବା ଭବନରେ କାମ କରୁଥିବା ସହକର୍ମୀମାନେ ଏଭଳି ଖବର ପାଇ ଅବାକ ହୋଇ ଯାଇଛନ୍ତି । ଜଣେ ଯୁବତୀଙ୍କ ସହ ଅଧିକାଂଶ ସମୟ କଥା ହେଉଥିଲେ ମୋରା । ତେବେ ଏ ସମ୍ପର୍କରେ ଅବଗତ ନଥିଲା ପରିବାର । ସେପଟେ କାର୍ଯ୍ୟ କ୍ଷେତ୍ରରେ ଅତ୍ୟଧିକ ଚାପକୁ ମଧ୍ୟ ଦାୟୀ କରିଛନ୍ତି ମୋରାଙ୍କ ଭିଣୋଇ ।

ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରିଛି । ପୋଷ୍ଟମର୍ଟମ ରିପୋର୍ଟ ଓ ସାକ୍ଷୀଙ୍କ ବୟାନ ପରେ ମୁତ୍ଯୁ ପଛର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ୍ କହିଛି ।

କଟକରେ ସ୍ଥାୟୀ ଡାକ୍ତର ବିନା ଚାଲିଛି ଘରୋଇ ହସ୍ପିଟାଲ, ନର୍ସ ଓ କମ୍ପାଉଣ୍ଡର ଦେଖୁଛନ୍ତି ରୋଗୀ

କଟକ: ବେପାର ସର୍ବସ୍ବ ପାଲଟିଛି କି ସ୍ବାସ୍ଥ୍ଯସେବା ? ରୋଗୀଙ୍କ ଜୀବନ ସହ ଚାଲିଛି ଖେଳ । ସ୍ଥାୟୀ ଡାକ୍ତରଙ୍କ ବିନା ଚାଲୁଛି ଘରୋଇ ହସ୍ପିଟାଲ । ରୋଗୀଙ୍କୁ ଦେଖୁଛନ୍ତି ନର୍ସ ଆଉ କମ୍ପାଉଣ୍ଡର । କଲ କଲେ ଆସି ପରାମର୍ଶ ଦେଇ ଯାଉଛନ୍ତି ଡାକ୍ତର । ଏ ହେଉଛି କଟକର ସ୍ବାସ୍ଥ୍ୟସେବା ସ୍ଥିତି ।

କଟକ ଏସସିବି ବଡ ମେଡିକାଲକୁ ଲାଗି ରହିଛି ମାଳମାଳ ହସ୍ପିଟାଲ ନର୍ସିଂହୋମ । କିନ୍ତୁ ଶତକଡା ୯୦ ଭାଗ ହସ୍ପିଟାଲରେ ନାହାନ୍ତି ସ୍ଥାୟୀ ଡାକ୍ତର । ହସ୍ପିଟାଲ ପଞ୍ଜିକରଣ ହାତେଇବା ପାଇଁ ଡାକ୍ତରୀ ଲାଇସେନ୍ସ ଦେଇ ଚଳାଉଛନ୍ତି ନର୍ସିଂହୋମ । ଦଲାଲଙ୍କ ମାଧ୍ୟମରେ ରୋଗୀକୁ ଭର୍ତ୍ତି କରି ସ୍ବସ୍ଥ୍ଯ ସେବା ନାଁରେ ଚଳାଇଛନ୍ତି ବ୍ଯବସାୟ । ଫଳରେ ରୋଗୀଙ୍କ ଜୀବନ ସଂକଟରେ ପଡୁଥିବା ଅଭିଯୋଗ ହୋଇଛି । ଏନେଇ ସିଡିଏମଓଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

ନିକଟରେ ଆଡ୍ରୋନିସ ହସ୍ପିଟାଲରେ ତୃଟିପୂର୍ଣ୍ଣ ଚିକିତ୍ସା ପାଇଁ ରୋଗୀଙ୍କ ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହାର କାରଣ ଜାଣିବା ପାଇ ସିଡିଏମଓଙ୍କୁ ଚିଠି ଲେଖିଛି ପୋଲିସ୍ । କେମିତି କେଉଁ ପରିସ୍ଥିତିରେ ରୋଗୀର ମୃତ୍ଯୁ ହେଲା ? ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ କ’ଣ ବ୍ୟବସ୍ଥା ଅଛି ? ଚିକିତ୍ସା ଆରମ୍ଭରୁ ଡାକ୍ତର ଉପସ୍ଥିତ ଥିଲେ କି ନାହିଁ ? ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲଖ କରାଯାଇଛି ।

ବୁଧବାର ମଙ୍ଗଳାବାଗ କାଠ ଗୋଲାରେ ଥିବା ଆଡ୍ରୋନିସ ହସ୍ପିଟାଲରେ ସର୍ଜରୀ ପାଇଁ ଆସିଥିବା ୧୪ ବର୍ଷର ନାବାଳକ ରଶ୍ମି ରଞ୍ଜନ ମଲ୍ଲିକଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀ ଚିକିତ୍ସା କରାଯାଉଥିବାରୁ ତାର ମୃତ୍ଯୁ ହୋଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ ପରିବାର ।