spot_img
Home Blog Page 183

ଲୋକାରଣ୍ୟ ପରିବେଶ: ଶୀତୁଆ ସନ୍ଧ୍ୟାରେ ମତୁଆଲା କଲା ମକର ମହୋତ୍ସବ

ଲୋକାରଣ୍ୟ ପରିବେଶ । ଶୀତୁଆ ସନ୍ଧ୍ୟାରେ ମତୁଆଲା କଲା ମକର ମହୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ । ଖୋର୍ଦ୍ଧା ବାଘମାରି ଅଟ୍ରି ଉଷ୍ଣ ପ୍ରସବଣ ପରିସରରେ ପ୍ରତିବର୍ଷ ପରି ଚଳିତ ଥର ଚାଲିଥିଲା ମକର ମହୋତ୍ସବ । ମକର ସଂକ୍ରାନ୍ତି ଠାରୁ ୫ ଦିନ ଧରି ଚାଲିଥିବା ମହୋତ୍ସବଟି ଗତକାଲି ଶେଷ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନୟାଗଡ଼ ବିଧାୟକ, ଭାପୁର ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ଅତିଥି ଯୋଗ ଦେଇଥିଲେ ।

ମକର ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ବହୁ ପ୍ରତିଭାବନ ବ୍ୟକ୍ତି ବିଶେଷ ଓ କଳାକାରଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଛି । ୫ ଦିନ ଧରି ଚାଲିଥିବା ମକର ମହୋତ୍ସବ ଦର୍ଶକଙ୍କ ଠାରୁ ଆରମ୍ଭ କରି କଳାକାର, ରାଜନେତା, ସମାଜସେବୀ ସମସ୍ତଙ୍କୁ ଢେର୍ ଆନନ୍ଦ ଦେଉଥିଲା ।

ସ୍କୁଲ ଆଗରେ ମୁକୁଳା ପଡିଛି ଡ୍ରେନ: ଅସ୍ଵାସ୍ଥ୍ୟକର ପରିବେଶରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ସ୍କୁଲ ସାମ୍ନାରେ ନାଳ ନର୍ଦ୍ଦମା । ମୁକୁଳା ପଡିଛି ଡ୍ରେନ । ଚାରିଆଡେ ପଡିଛି କୁଢକୁଢ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ଅସ୍ଵାସ୍ଥ୍ୟକର ପରିବେଶରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ ।  ଏ ହେଉଛି ଗଞ୍ଜାମ ସାନଖେମୁଣ୍ଡି ବ୍ଲକ କଉଡିଆର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ । ବିଦ୍ୟାଳୟ ଚାରିପାଖେ କୁଢକୁଢ ଅଳିଆ ଗଦା ହୋଇଛି । ଯାହା ଫଳରେ ଡ୍ରେନ ଜାମ ହୋଇ ନର୍ଦ୍ଦମା ପାଣି ରାସ୍ତା ଉପରେ ଲହଡ଼ି ମାରୁଛି । ମଶା ମାଛିଙ୍କ ବଂଶ ବୃଦ୍ଧି ହେଉଛି । ଅସ୍ଵାସ୍ଥ୍ୟକର ପରିବେଶ ଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଭଳି ସଂକ୍ରମଣ ଶିକାର ହେଉଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ସ୍କୁଲ ଚତୁଃପାର୍ଶ୍ଵରେ ଦୀର୍ଘ ବର୍ଷ ଧରି ଅଳିଆ ଆବର୍ଜନା ପଡିରହିଛି । ନାଳ ନର୍ଦ୍ଦମା ପାଣି ରାସ୍ତାରେ ଲହଡି ଭାଙ୍ଗୁଥିବା ବେଳେ ସେଥିରେ ପୋକ ସାଲୁବାଲୁ ହେଉଛନ୍ତି । ସ୍ଥାନୀୟ ପ୍ରଶାସନ ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ଅଳିଆ ଆବର୍ଜନା ସଫା କରିବାକୁ ଦାବି ହୋଇଛି । ଅନ୍ୟପଟେ ଗ୍ରାମବାସୀ ହିଁ ଅଳିଆ ପକାଉଥିବାରୁ ଏଭଳି ସ୍ଥିତି ଉପୁଜୁଛି ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ । କେବେ ବିଦ୍ୟାଳୟ ପାର୍ଶ୍ଵରୁ ଅଳିଆ ଆବର୍ଜନା ସଫା ହେଉଛି ? ଛାତ୍ରଛାତ୍ରୀ କେବେ ସ୍ଵାସ୍ଥ୍ୟକର ପରିବେଶରେ ପାଠ ପଢୁଛନ୍ତି ? ତାକୁ ହିଁ ଅପେକ୍ଷା ।

ଠିକାଦାରଙ୍କ ମନମାନି, ଅଧାଗଢା ଅବସ୍ଥାରେ ରହିଛି ସେତୁ କାମ

ସରିଲାଣି ଡେଡଲାଇନ । ସରିଲାନି କିନ୍ତୁ କାମ । ଠିକାଦାରଙ୍କ ମନମାନିରୁ ଆଗେଇ ପାରୁନି ବାତୋ- ଆମ୍ବୋ ସେତୁ କାମ । ଅଧାଗଢା ଅବସ୍ଥାରେ ବୈତରଣୀ ନଦୀ ଗର୍ଭରେ ହୋଇଛି ଠିଆ । କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀ ଉପରେ କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ଯୋଗାଯୋଗ ସୁଗମ ପାଇଁ ସେତୁ ନିର୍ମାଣ କରିବାକୁ ଟେଣ୍ଡର ଆହ୍ଵାନ କରିଥିଲେ ପୂର୍ବ ସରକାର । ୫୨୦ ମିଟର ଲମ୍ବ ପୋଲ ପାଇଁ ୩୧ କୋଟି ୯୫ ଲକ୍ଷ ଟଙ୍କାର ଅଟକଳ କରାଯାଇ ଟେଣ୍ଡର ପ୍ରସ୍ତୁତ ହୋଇଥିଲା । ୨୦୨୪ ଜାନୁଆରୀ ୪ ତାରିଖ ସୁଦ୍ଧା କାମ ଶେଷ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ଠିକାଦାରଙ୍କ ମନମାନିରୁ ସେତୁ କାମ ସରିବାର ନାଁ ଧରୁନି ।

ଘଷିପୁରା ବ୍ଲକ ବାତୋ ଅଞ୍ଚଳରୁ ହାଟଡିହି ବ୍ଲକ ଆମ୍ବୋ ଅଞ୍ଚଳ ମଧ୍ୟରେ ବାଧକ ସାଜିଛି ବୈତରଣୀ ନଦୀ । ସେତୁ କାମ ସରୁନଥିବାରୁ ୫ଟି ପଞ୍ଚାୟତର ଲୋକେ ବିପଦଶଙ୍କୁଳ ଅବସ୍ଥାରେ ଭରା ନଦୀରେ ଡଙ୍ଗାରେ ଯାଆସ କରୁଛନ୍ତି । ଆମ୍ବୋ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଡଙ୍ଗାରେ ନଦୀ ପାର ହୋଇ ବାତୋ ଅଞ୍ଚଳକୁ ପଢିବାକୁ ଯାଉଛନ୍ତି । ବର୍ଷା ଦିନେ କଲେଜ ଯାଇ ନପାରି ନାନା ଅସୁବିଧା ଭୋଗୁଛନ୍ତି । ଅନ୍ୟପଟେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରି କାର୍ଯ୍ୟର ଅଗ୍ରଗତି ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ । କେବେ ବାତୋ- ଆମ୍ବୋ ସେତୁ ନିର୍ମାଣ କାମ ଶେଷ ହେଉଛି ? ୫ ଗୋଟି ପଞ୍ଚାୟତବାସୀ କେବେ ସୁବିଧାରେ ଯାଆସ କରୁଛନ୍ତି ? ତାହା ଉପରେ ସମସ୍ତଙ୍କ ନଜର ରହିଛି ।

RTO ବ୍ୟବସ୍ଥାର ଗଜବ ଚିତ୍ର: ଅଟୋକୁ ବିନା ହେଲମେଟର ଫାଇନ

ଅଟୋକୁ ବିନା ହେଲମେଟର ଫାଇନ । ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ଗୋଟିଏ ଅଟୋ ଗାଡି ନାଁରେ କଟାଯାଇଛି ବିନା ହେଲମେଟ ଚାଲାଣ । ନିଜ ଅଟୋର ପଲ୍ୟୁସନ ସାର୍ଟିଫିକେଟ କରିବାକୁ ଯିବା ବେଳେ ନଜରକୁ ଆସିଛି ଏଭଳି ସାଙ୍ଘାତିକ ତ୍ରୁଟି । ଅଟୋ ଚାଳକ ରାମକୃଷ୍ଣ ନାଥଙ୍କ ନିଜ ଅଟୋ ନମ୍ବର OD 22 E 9731ର ପ୍ରଦୂଷଣ ଯାଞ୍ଚ କରିବାକୁ ଯାଇଥିଲେ । ସେହି ସମୟରେ ଗାଡି ନାମରେ ଏକ ହଜାର ଟଙ୍କାର ବକେୟା ଫାଇନ୍ ଦେଖାଇଥିଲା । ତାହା ଗାଡିର କାଗଜପତ୍ର କିମ୍ବା ପଲ୍ୟୁସନ ପାଇଁ ନୁହେଁ, ବରଂ ହେଲମେଟ ନପିନ୍ଧିବା କାରଣରୁ କଟାଯାଇଛି l ମୋଟର ଯାନ ଅଧିନିୟମ ଅନୁଯାୟୀ କେବଳ ଦୁଇ ଚକିଆ ଯାନ ପାଇଁ ହେଲମେଟ୍ ବାଧ୍ୟତାମୂଳକ । କିନ୍ତୁ ତିନି ଚକିଆ ଅଟୋ ପାଇଁ ହେଲମେଟ୍ ଚାଲାଣ କଟିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି I ଏହି ଚାଲାଣଟି ଆଜିର ନୁହେଁ, ବରଂ 17 ନଭେମ୍ବର 2021 ମସିହାର ବୋଲି ଜଣା ପଡ଼ିଛି। ତେବେ ଏହି ତ୍ରୁଟି ପାଇଁ ରାମକୃଷ୍ଣ ହଇରାଣ ହେବା ସହ ତାଙ୍କ ଗାଡିର ପଲ୍ୟୁସନ୍ ସାର୍ଟିଫିକେଟ୍ ଅଟକି ରହିଛି।

ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା: କାର ଉପରେ ଚଢ଼ିଗଲା ଆଉ ଏକ କାର

ଭୁବନେଶ୍ବର ପଳାଶୁଣିରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା । କାର ଉପରେ ଚଢ଼ିଗଲା ଆଉ ଏକ କାର । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ୨ଟି କାରକୁ ଜବତ କରି ଛାନବିନ ଚଳାଇଛି ।

ବଡ଼ବିଲରେ ବଡ଼ ଧରଣର ଡକାୟତି: ୫ କୋଟି ଟଙ୍କାର ସୁନା ଅଳଙ୍କାର ଓ ୮ ଲକ୍ଷ ଟଙ୍କା ଲୁଟ୍

କେନ୍ଦୁଝର ଜିଲ୍ଲା ବଡ଼ବିଲରେ ବଡ଼ ଧରଣର ଡକାୟତି। ମହାରାଷ୍ଟ୍ର ବ୍ୟାଙ୍କ ଶାଖାରେ ହୋଇଛି ଡକାୟତି। ୫ କୋଟି ଟଙ୍କାର ସୁନା ଅଳଙ୍କାର ଓ ୮ ଲକ୍ଷ ଟଙ୍କା ନେଇଯାଇଛନ୍ତି ଦୁର୍ବୃତ୍ତମାନେ। ଅଭିଯୋଗ ଅନୁସାରେ ୫ଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ଗ୍ରାହକ ଭାବେ ବ୍ୟାଙ୍କ ମ୍ୟାନେଜରଙ୍କୁ ଭେଟିଥିଲେ। ତା ପରେ ହଠାତ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଏକ କୋଠରୀରେ ବନ୍ଦ କରି ଦେଇଥିଲେ। ତା ପରେ ଲକର୍ ର ଚାବି ଆଣି ଟଙ୍କା ସୁନା ନେଇ ଫେରାର ମାରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି।

ଚାଷୀଙ୍କ ଅଧିକାର ଓ ହକ ପାଇଁ ବରପାଲିରେ ବିଜେଡିର ଗର୍ଜନ

ବରଗଡ଼ ଜିଲ୍ଲା ବରପାଲିରେ ବିଜେଡିର ଗର୍ଜନ। ଚାଷୀ ସମାବେଶ କରି ଗର୍ଜିଛି ବିଜେଡି। ବିଭିନ୍ନ ଚାଷୀ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଚାଷୀଙ୍କ ହକ ଓ ଅଧିକାର ପାଇଁ ଏହି ଲଢେ଼ଇ ବୋଲି କହିଛି ଦଳ। ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ସରକାର ଚାଷୀଙ୍କୁ ପ୍ରତାରଣା କରିଛନ୍ତି। ସେପଟେ ଚାଷୀଙ୍କୁ ହଇରାଣ ନ କରିବାକୁ ଚେତାବନୀ ଦେଇଛନ୍ତି ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ। ସେହିପରି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଦାବି କରିଛନ୍ତି ସରକାର ତୁରନ୍ତ କଟନୀ ଛଟନୀ ବନ୍ଦ କରନ୍ତୁ। ସେହିପରି ବିଜେପୁରର ପୂର୍ବତନ ବିଧାୟିକା ରୀତା ସାହୁ ମଧ୍ୟ ବିଜେପି ସରକାର ଉପରେ ବର୍ଷିଥିଲେ। ଶେଷରେ ବରପାଲି ତହସିଲଦାରଙ୍କୁ ଭେଟି ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ଧାନ କିଣା ଠିକରେ ନ କଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି।

ରାତିରେ ବାରମ୍ବାର ନିଦ ଭାଙ୍ଗୁଛି କି ? ହେଇଯାଆନ୍ତୁ ସାବଧାନ ଆସିପାରେ ବଡ଼ ସମସ୍ୟା !

ନନ୍ଦିଘୋଷ ବ୍ୟୁରୋ: ଭଲ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଯଦି ରାତିରେ ଆପଣଙ୍କର ବାରମ୍ବାର ନିଦ ଭାଙ୍ଗୁଥାଏ ତାହେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ନୂତନ ଗବେଷଣା ଅନୁଯାୟୀ ବାରମ୍ବାର ନିଦ ଭାଙ୍ଗିବା ହୃଦସ୍ପନ୍ଦନ ପାଇଁ ଗମ୍ଭୀର ସମସ୍ୟା  ଆଣିପାରେ। ଯଦି ଏହି ସମସ୍ୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗି ରହେ ତେବେ ଏହା ଅନେକ ବିପଦପୂର୍ଣ୍ଣ ରୋଗର ଆଶଙ୍କା ବୃଦ୍ଧି କରେ। ଗବେଷଣା ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ରତି ରାତିରେ ଅତି କମରେ ୭ ରୁ ୮ ଘଣ୍ଟା ଶୋଇବା ଗୁରୁତ୍ୱପୂର୍ଣ୍ଣ।

ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟ, ଯେଉଁମାନଙ୍କର ବାରମ୍ବାର ନିଦ ଭାଙ୍ଗୁଛି ସେମାନଙ୍କର ବ୍ଲଡପ୍ରେସର ହେବାର ଆଶଙ୍କା ଥାଏ। ନିଦରେ ବାଧା ଶରୀରକୁ ସମ୍ପୂର୍ଣ୍ଣ ବିଶ୍ରାମ ଦେବାରେ ବାଧା ଦିଏ, ଯାହା ହୃଦୟର କାର୍ଯ୍ୟକୁ ପ୍ରଭାବିତ କରେ। ଗବେଷଣା ଏହା ମଧ୍ୟ ସୂଚାଇ ଦିଏ ଯେ ବାରମ୍ବାର ନିଦରେ ବାଧା ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିପାରେ।

ରାତିରେ ଶୋଇବା ସମୟରେ ହୃଦୟ ବିଶ୍ରାମ ନେଇଥାଏ ଏବଂ ରକ୍ତଚାପ ସ୍ୱାଭାବିକ ରହିଥାଏ କିନ୍ତୁ ଯେତେବେଳେ ନିଦ ବାରମ୍ବାର ବାଧାପ୍ରାପ୍ତ ହୁଏ ସେତେବେଳେ ହୃଦୟ ଉପରେ ଚାପ ବୃଦ୍ଧି ପାଏ। ଏହା ପ୍ରଦାହ ସୃଷ୍ଟି କରିପାରେ ଯାହାଫଳରେ ହୃଦଘାତର ଆଶଙ୍କା ବୃଦ୍ଧି ପାଏ। ଯେଉଁ ଲୋକମାନଙ୍କର ଏଭଳି ସମସ୍ୟା ଥାଏ ସେମାନଙ୍କ ହୃଦରୋଗର ଆଶଙ୍କା ୩୦ ପ୍ରତିଶତ ବଢ଼ିଯାଏ।ରାତିରେ ଅନେକ ଥର ଉଠିବା ଅର୍ଥ ହେଉଛି ଶୋଇବା ପରେ ମଧ୍ୟ ମସ୍ତିଷ୍କ ଅତ୍ୟଧିକ ସକ୍ରିୟ ରହିଥାଏ। ଏହାର ଏକ ପ୍ରମୁଖ କାରଣ ହେଉଛି ଆପଣ କୌଣସି ବିଷୟରେ ଅଧିକ ଚିନ୍ତା କରନ୍ତି କିମ୍ବା ମାନସିକ ଚାପରେ ଥାଆନ୍ତି। ମାନସିକ ଚାପ ସ୍ପଷ୍ଟ ଭାବରେ ହୃଦୟକୁ ପ୍ରଭାବିତ କରେ କାରଣ ମାନସିକ ଚାପ ହୃଦଘାତ ପାଇଁ ଏକ ବିପଦର କାରଣ। ତେଣୁ ଯଦି ଆପଣଙ୍କର ବାରମ୍ବାର ରାତିରେ ନିଦ ଭାଙ୍ଗୁଛି ତେବେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି କିଛି ଲୋକଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ।

କେଉଁ ଲୋକମାନଙ୍କ ପ୍ରତି ଅଧିକ ବିପଦ ?

ରୋଗରେ ପୀଡିତ ଲୋକମାନେ

ମାନସିକ ଚାପରେ ରହୁଥିବା ଲୋକମାନେ

ରାତିରେ ମୋବାଇଲ୍ କିମ୍ବା ଟିଭି ଦେଖୁଥିବା ଲୋକ

ଏହି ବିପଦକୁ କିପରି ଏଡାଇବା ?

ଶୋଇବା ପୂର୍ବରୁ ମୋବାଇଲ୍ ଫୋନ୍ ଏବଂ ସ୍କ୍ରିନ୍ ଠାରୁ ଦୂରରେ ରୁହନ୍ତୁ

ପ୍ରତିଦିନ ସଠିକ ସମୟରେ ଶୋଇବାକୁ ଯିବା ଏବଂ ଉଠିବାର ଅଭ୍ୟାସ କରନ୍ତୁ

ରାତିରେ ଚା କିମ୍ବା କଫି ପିଅନ୍ତୁ ନାହିଁ

ମାନସିକ ଚାପ ନିଅନ୍ତୁ ନାହିଁ

ସର୍ବଦା ଯୋଗ କରନ୍ତୁ

 

ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନିତୀନ ନବୀନ

ବିଜେପିରେ ଆରମ୍ଭ ହେବ ‘ନିତୀନ ନବୀନ’ ଯୁଗ । ଆରମ୍ଭ ହୋଇଛି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା । ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନିତୀନ ନବୀନ । ଆଜି ସେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଅଧ୍ୟକ୍ଷ ପଦବି ଲାଗି ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ନିତୀନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ସେମାନଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଅଧ୍ୟକ୍ଷ ମଧ୍ୟ ନାମାଙ୍କନ ବେଳେ ଉପସ୍ଥିତ ଅଛନ୍ତି । ଦିନ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ଲାଗି ସମୟ ଧାର୍ଯ୍ୟ କରାଯାଇଥିବାବେଳେ ୪ଟାରୁ ୫ଟା ଯାଏଁ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ଚାଲିବ । ସଂଧ୍ୟା ୫ଟାରୁ ୬ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ଲାଗି ସମୟ ସ୍ଥିର ହୋଇଛି । ଅଧିକ ପ୍ରାର୍ଥିପତ୍ର ଦାଖଲ ହେଲେ ୨୦ ତାରିଖରେ ଅର୍ଥାତ କାଲି ନିର୍ବାଚନ ହୋଇ ଫଳ ଘୋଷଣା କରାଯିବ । ତେବେ ନିତୀନ ଏକାକୀ ନାମାଙ୍କନ ଭରୁ ଥିବାବେଳେ ମୈଦାନରେ କୌଣସି ପ୍ରତିଦ୍ବନ୍ଦ୍ବୀ ନାହାଁନ୍ତି । ତେଣୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ । ଆସନ୍ତାକାଲି ବିଧିବଦ୍ଧ ଫଳ ଘୋଷଣା ହେବ ଏବଂ ନୂଆ ଅଧ୍ୟକ୍ଷ କାଲି ହିଁ ଦାୟିତ୍ବ ଗ୍ରହଣ କରିବେ ।

୨୪ କ୍ୟାରେଟ ସୁନା ଦର ପ୍ରାୟ ୧ ଲକ୍ଷ ୫୦ ହଜାର: ରୁପା କିଲୋ ୩ ଲକ୍ଷ ୫ ହଜାର ଟଙ୍କା

ରେକର୍ଡ଼ ଛୁଇଁଛି ସୁନା ଓ ରୁପା ଦର। ଆଜି ଦିନ ୧୧ଟାଦ ବେଳକୁ ୨୪ କ୍ୟାରେଟ ସୁନା ଦର ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ଚୁଇଁଛି। ସେହିପରି ରୁପା କିଲୋ ୩ ଲକ୍ଷ ୫ ହଜାର ଟଙ୍କାକୁ ବଢ଼ିଛି। ଗତକାଲି ୨୪ କ୍ୟାରେଟ ସୁନା ଦର ଥିଲା ୧ ଲକ୍ଷ ୪୬ ହଜାର ଟଙ୍କା। ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ବଢ଼ି ହୋଇଛି ୧ ଲକ୍ଷ ୪୮ ହଜାର ୮୫୦ ଟଙ୍କା। ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୩୧ ହଜାର ୮୦୦ ଟଙ୍କାରୁ ବଢ଼ି ହୋଇଛି ୧ ଲକ୍ଷ ୩୩ ହଜାର ୫୫୦ ଟଙ୍କା।

ସେହିପରି ଗତକାଲି ରୁପା କିଲୋ ଥିଲା ୨ ଲକ୍ଷ ୯୫ ହଜାର ଟଙ୍କା। ଆଜି ଅନ୍ତରାଷ୍ଟ୍ରୀୟ ବଜାରରେ କାରବାର ଆରମ୍ଭ ହେବା ପରେ ରୁପା କିଲୋ ପିଛା ୧୦ ହଜାର ଟଙ୍କା ବଢ଼ି ହୋଇଛି ୩ ଲକ୍ଷ ୫ ହଜାର ଟଙ୍କା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଜ ଟ୍ରମ୍ପଙ୍କ ବାଣିଜ୍ୟ ଟାରିଫ ଯୁଦ୍ଧ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିଛି। ସାରା ବିଶ୍ବରେ ଲାଗି ରହିଛି ରାଜନୀତି ଅସ୍ଥିରତା। ଗୋଟିଏ ପଟେ ଇରାନ ଓ ଆମେରିକା ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିବାବେଳେ ଗ୍ରିନଲ୍ୟାଣ୍ଡ କବଜା କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆନୁଷ୍ଠାନିକ ଘୋଷଣା ଏବେ ମଧ୍ୟପ୍ରାନ୍ତରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି। ଏହାଯୋଗୁ ଅନ୍ତରାଷ୍ଟ୍ରୀୟ ଅଂଶଧନ ବଜାର କାରବାର ବହୁ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି। ଯାହାଯୋଗୁ ସୁନା ଓ ରୁପାରେ ପୁଞ୍ଜି ବିନିଯୋଗ କରିବାକୁ ନିବେଶକାରୀଙ୍କ ଭିତରେ ଚାହିଦା ବୃଦ୍ଧି ପାଉଛି।

ଖାଲି ସେତିକି ନୁହେଁ, ମଧ୍ୟପ୍ରାଚ୍ୟ ଦେଶରେ ଅସ୍ଥିରତା ସ୍ଥିତି ଲାଗି ରହିବାରୁ ସୁନା ଓ ରୁପା ପରି ମୂଲ୍ୟବାନ ଧାତବ ପରିବହନ ମଧ୍ୟ ପ୍ରଭାବିତେ ହୋଇଛି। ଫଳରେ ଚାହିଦା ତୁଳନାରେ ଷ୍ଟକ କମ ଆସୁଛି। ଚୀନ, ଆମେରିକା, ଜାପାନର କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁନା କିଣି ଷ୍ଟକ ରଖିଚାଲିଛନ୍ତି। ଗ୍ରିନଲ୍ୟାଣ୍ଡ ଦଖଲ କରିବାକୁ ଟ୍ରମ୍ପଙ୍କ ଜିଦରେ ଇଉରୋପ ରାଷ୍ଟ୍ରସମୂହ ବିରୋଧ କରୁଛନ୍ତି। ନାଟୋ ଓ ଜାତିସଂଘକୁ ମଧ୍ୟ ଏକ ପ୍ରକାର ଅପ୍ରାସଙ୍ଗିକ କରିବାକୁ ପଛାଇନାହାନ୍ତି ଆମେରିକା ରାଷ୍ଟ୍ରପତି। ଆଗାମୀ ଦିନରେ ସୁନା ଓ ରୁପା ଦର ଆହୁରି ବଢ଼ିବ। ଆଜି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ପ୍ରତି ଆଉନସ ବା ୩୦ ଗ୍ରାମ ପିଛା ବଢ଼ି ୪ ହଜାର ୬୮୯ ଡଲାର ରହିଥିବା ବେଳେ ରୁପା ୩୦ ଗ୍ରାମ ପିଛା ହୋଇଛି ୯୪ ଆମେରିକୀୟ ଡଲାର।