spot_img
Home Blog Page 1875

ଓଡ଼ିଶାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚି ହେଲିକପ୍ଟର ଯୋଗେ ସାଲେପୁର ଗସ୍ତ କରିଛନ୍ତି। ସାଲେପୁରରେ ସାଧାରଣସଭାକୁ ସମ୍ବୋଧନ କରିବେ ରାହୁଲ । ୨ଟା ୧୫ରେ ଭୁବନେଶ୍ୱର ଫେରିଆସିବେ । ସାଲେପୁର ସଭାରେ କଂଗ୍ରେସ କର୍ମୀ ଓ ନେତାଙ୍କୁ ରାହୁଲ ଗୁରୁମନ୍ତ୍ର ଦେବେ । ସଭାରେ ୪ଟି ଲୋକସଭା ଆସନ- କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଏବଂ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗ ଦେଇଛନ୍ତି। ରାହୁଲଙ୍କ ପାଇଁ ଦଳୀୟ କର୍ମୀ ଉତ୍ସାହିତ ଅଛନ୍ତି।

ଚାକିରୀ ସହ UPSC ପାଇଁ କରୁଥିଲେ ପ୍ରସ୍ତୁତି; ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି IAS ଟପ୍ପର ଅନିମେଶ

ନନ୍ଦିଘୋଷ ବ୍ୟୁରୋ : ନିକଟରେ ପ୍ରକାଶ ପାଇଛି ସବୁଠୁ କଠିନ ପରୀକ୍ଷା ୟୁପିଏସସିର ରେଜଲ୍ଟ  ଆଉ ଏଥିରେ ଦ୍ୱିତୀୟ ସ୍ଥାନରେ ଟପ୍ପର ହୋଇଛନ୍ତି  ଅନିମେଶ ପ୍ରଧାନ । ଯାହାଙ୍କ ପରିଶ୍ରମର କାହାଣୀ ଯୁବପିଢିଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ । ସେ ଚାକିରି ସହ  ୟୁପିଏସସି ପାଇଁ କରୁଥିଲେ ପ୍ରସ୍ତୁତି ।

ଓଡ଼ିଶାର ଅନୁଗୁଳ ସହର ବାସିନ୍ଦା ଅନିମେଶ ପ୍ରଧାନ ୟୁପିଏସସିରେ ଅଲ୍ ଇଣ୍ଡିଆ ରାଙ୍କ୍-୨ ହାସଲ  କରିଛନ୍ତି । ଯେଉଁଠି ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଘଣ୍ଟା ଘଣ୍ଟା ଧରି ପାଠ ପଢନ୍ତି, ଅନ୍ୟପକ୍ଷେ ଚାକିରୀ ସହ ପାଠ ପଢି ଟପ୍ପର ହୋଇଛନ୍ତି ଅନିମେଶ । ଆହୁରି ମଧ୍ୟ ସେ ତାଙ୍କର ପ୍ରଥମ ପ୍ରୟାସରେ ହିଁ ଏହିପରି ବଡ଼ ସଫଳତା ପାଇଛନ୍ତି ।

ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ୟୁପିଏସି ଅନ୍ୟତମ । ଅନେକ ପରୀକ୍ଷାର୍ଥୀ ପ୍ରଥମ ପ୍ରୟାସରେ ୟୁପିଏସସି କ୍ଲିୟର କରିପାରନ୍ତି ନାହିଁ । କିନ୍ତୁ ଚାକିରୀ ସହ ପାଠ ପଢି ଏଭଳି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି ଅନିମେଶ ଓ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା  । ସେ ଡିଏଭି ପବ୍ଲିକ୍ ସ୍କୁଲରେ ପାଠ ପଢୁଥିଲେ । ଏହା ପରେ ସେ ଏନଆଇଟି ରାଉରକେଲାରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିଛନ୍ତି । ଏଥି ସହିତ ସେ ଇଣ୍ଡିଆନ୍ ଅଏଲ୍ କମ୍ପାନୀରେ ଇନର୍ଫରମେଶନ ସିଷ୍ଟମ ଅଫିସର ଭାବେ କାର୍ଯ୍ୟରତ ଥିଲେ।

ଅମିମେଶ କହିଛନ୍ତି ଯେ, ସେ ଚାକିରୀ ସହ ପାଠପଢିବା ପାଇଁ ତାଙ୍କୁ ବହୁତ କମ୍ ସମୟ ମିଳୁଥିଲା । ସେଥିପାଇଁ ସେ କେବଳ ୫ରୁ ୬ ଘଣ୍ଟା ହିଁ ପଢିପାରୁଥିଲେ  । ଏପରି କି ସେ କୌଣସି କୋଚିଙ୍ଗ ମଧ୍ୟ ନେଇନଥିଲେ ଏବଂ ସେ ଘରେ ରହି ସେଲ୍ଫ ଷ୍ଟଡି କରୁଥିଲେ  । ଅନେକ ସମୟରେ ପଢିବାକୁ ସମୟ ମଧ୍ୟ ହେଉନଥିଲା  । ତଥାପି ସେ ହାର ମାନିନଥିଲେ  । ନିଜର କଠିନ ପ୍ରରିଶ୍ରମ ଏବଂ ଦୃଢ ମନୋବଳ ପାଇଁ ଆଜି ଏ ସଫଳତାର ଶୀର୍ଷ ଛୁଇଁ ପାରିଛନ୍ତି ।

କଂଗ୍ରେସକୁ ବଡ଼ ଧରଣର ଧକ୍କା : ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ମୁଖ୍ଯ ଅରବିନ୍ଦର ସିଂ ଲଭଲି

ନୂଆଦିଲ୍ଲୀ : ନିର୍ବାଚନ ଋତୁରେ କଂଗ୍ରେସକୁ ବଡ଼ ଧରଣର ଧକ୍କା। ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ମୁଖ୍ଯ ଅରବିନ୍ଦର ସିଂ ଲଭଲି। ଆମ୍ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟକୁ ବିରୋଧ କରି ସେ ଇସ୍ତଫା ଦେଇଥିବା କୁହାଯାଇଛି। ଏଆଇସିସି ମୁଖ୍ଯ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପତ୍ର ଲେଖି ସେ କହିଛନ୍ତି- ଆପ ସହ ମେଣ୍ଟ କରିବାକୁ ନେଇ ଦିଲ୍ଲୀ କଂଗ୍ରେସ ଶାଖା ବିରୋଧ କରିଆସୁଥିଲା। କଂଗ୍ରେସ ବିରୋଧରେ ଆପ୍ ନାନା ଅଭିଯୋଗ କରିଥିବା ସତ୍ତ୍ବେ ସେହି ଦଳ ସହ ମେଣ୍ଟ କରାଯାଇଛି। ଏହା ସହ ଦଳର ସାଧାରଣ ସମ୍ପାଦକ ଦାୟିତ୍ବରେ ଥିବା ଦୀପକ ବାବାରିଆଙ୍କ ବାରମ୍ବାର ହସ୍ତକ୍ଷେପକୁ ମଧ୍ଯ ବିରୋଧ କରି ସେ ପଦତ୍ଯାଗ କରିଥିବା କହିଛନ୍ତି।

ଦିଲ୍ଲୀରେ ଆପର ଅଭିନବ ବିକ୍ଷୋଭ, ବିଭିନ୍ନ ସ୍ଥାନରେ ଯୁବ କର୍ମୀଙ୍କ ‘ୱାକ ଫର କେଜରିୱାଲ ଅଭିଯାନ’

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପ୍ରତିବାଦରେ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ଅଭିନବ ବିକ୍ଷୋଭ। ଶହ ଶହ ଦଳୀୟ କର୍ମୀ ଦିଲ୍ଲୀରେ ଆୟୋଜନ କରିଛନ୍ତି ‘ୱାକ ଫର କେଜରିୱାଲ ଅଭିଯାନ’। ଦିଲ୍ଲୀ ମଦନୀତି ମାମଲାରେ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରଠାରୁ ଦେଶବ୍ଯାପୀ ବିଭିନ୍ନ ରାଜ୍ଯରେ ବିଭିନ୍ନ ଉପାୟରେ ଆନ୍ଦୋଳନ ଜାରି ରଖିଛନ୍ତି ଆପ୍ କର୍ମୀ।

ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି, ଦିଲ୍ଲୀରେ ଏବେ ଜେଲ କା ଜବାବ ଭୋଟ ସେ ଅଭିଯାନ ଜାରି ରହିଛି। ଆପର ଯୁବଶାଖା ପକ୍ଷରୁ ୱାକାଥନ ଆୟୋଜିତ ହୋଇଛି। ଆପକୁ ଦମନ କରିବା ଲାଗି କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ବିରୋଧରେ ଆପ ଏହି ବିକ୍ଷୋଭ କରିଛି। ମନ୍ତ୍ରୀ ଆତିଶି କହିଛନ୍ତି- ଦିଲ୍ଲୀ ମୁଖ୍ଯମନ୍ତ୍ରୀ କେଜରିୱାଲଙ୍କ ସମର୍ଥନରେ ସାରା ଦିଲ୍ଲୀବାସୀ ରହିଛନ୍ତି। ଆପ୍ ଯେପରି ନିର୍ବାଚନ ପ୍ରଚାର କରିପାରିବ ନାହିଁ ସେଥିଲାଗି ଉଦ୍ଯମ କରାଯାଉଛି।

ୟୁପି ବୋର୍ଡ ଟପ୍ପର ପ୍ରାଚୀଙ୍କ ଉପରେ ବିଜ୍ଞାପନ ଛପାଇ ଅଡୁଆରେ ଏହି କମ୍ପାନୀ

ନୂଆଦିଲ୍ଲୀ : ବିଜ୍ଞାପନକୁ ନେଇ ଅଡୁଆରେ ବମ୍ବେ ଶେଭିଙ୍ଗ୍ କମ୍ପାନୀ । ନିକଟରେ  ୟୁପି ବୋର୍ଡରେ ଦଶମ ଶ୍ରେଣୀର ଟପ୍ପର ପ୍ରାଚୀ ନିଗମଙ୍କୁ ନେଇ ଏକ ବିଜ୍ଞାପନ ରିଲିଜ୍ କରିଥିଲା ଏହି କମ୍ପାନୀ । ଯାହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଅନେକ ଲୋକ ଏପରି ବିଜ୍ଞାପନରେ ପ୍ରାଚୀଙ୍କ ଅପମାନ କରାଯାଇଥିବା ନେଇ କଡ଼ା ସମାଲୋଚନା କରିଛନ୍ତି ଏବଂ ଏହା ଉପରେ କଡ୍ଡା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଦାବି କରିଛନ୍ତି ।

ବାସ୍ତବରେ ୟୁପି ବୋର୍ଡର ରେଜଲ୍ଟ ଆସିବା ପରେ ଟପ୍ପର ପ୍ରାଚୀ ନିଗମଙ୍କ ମୁହଁରେ ଥିବା ବାଳକୁ ନେଇ ଅନେକ ଟ୍ରୋଲ କରାଯାଇଥିଲା  । ଯାହାକୁ ଦେଖି ପ୍ରାଚୀଙ୍କ ମନୋବଳ ଦୃଢ କରିବା ପାଇଁ ବମ୍ବେ ଶେଭିଙ୍ଗ କମ୍ପାନୀ ତରଫରୁ ଖବରକାଗଜର ପ୍ରଥମପୃଷ୍ଠାରେ ଏକ ବିଜ୍ଞାପନ ଛପାଯାଇଥିଲା । କିନ୍ତୁ ଏଥିରେ ଲେଖାହୋଇଥିବା ଏକ ଲାଇନକୁ ନେଇ ଅନେକ ସମାଲୋଚନା କରାଯାଉଛି ।

ବମ୍ବେ ଶେଭିଙ୍ଗ କମ୍ପାନୀ ଏହି ବିଜ୍ଞାପନରେ ପ୍ରାଚୀଙ୍କୁ ସମ୍ବୋଧିତ କରି ଲେଖିଛନ୍ତି କି, ପ୍ରିୟ ପ୍ରାଚୀ, ସେମାନେ ଆଜି ତୁମ ବାଳକୁ ନେଇ ଟ୍ରୋଲ କରୁଛନ୍ତି , କିନ୍ତୁ କାଲି ସେମାନେ ତୁମର ଏଆଇଆରକୁ ପ୍ରଶଂସା କରିବେ  । ବିଜ୍ଞାପନ ଶେଷରେ ଲେଖା ହୋଇଛି କି, ଆମେ ଆଶା କରୁଛୁ ଯେ, ତୁମକୁ କେବେ ବି ଆମ ରେଜର ବ୍ୟବହାର କଲେ ଟ୍ରୋଲ କରାଯିବ ନାହିଁ । ଏପରି ଲାଇନ ଲେଖାଯାଇ ପ୍ରାଚୀଙ୍କ ଅପମାନ କରାଯାଇଛି ବୋଲି ଲୋକେ ସମାଲୋଚନା କରିଛନ୍ତି ।

ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଣଧୀନ ଛାତ

ପରୀ : ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ଛାତ। ଘଟଣାସ୍ଥଳରେ ୩ ଶ୍ରମିକ ଉଦ୍ଧାର। ଅନ୍ୟ ଜଣେ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି। କାମ କରୁଥିଲେ ୫ ଜଣ ଶ୍ରମିକ। ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଜଣେ ଶ୍ରମିକ ସୁରକ୍ଷିତ ଥିବା ବେଳେ, ଅନ୍ୟ ଜଣେ ଫଶି ରହିଥିବା ଆଶଙ୍କା କରାଯାଉଛି।

 

କୋଟାରେ ପୁଣି ଆଉ ଏକ ଛାତ୍ର ନିଖୋଜ, ନିଟ୍ ପାଇଁ କରୁଥିଲେ ପ୍ରସ୍ତୁତି

କୋଟା : କୋଚିଙ୍ଗ ସହର କୋଟାରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୋଟାରେ ରହି ନିଟ୍ ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ର ନିଖୋଜ ଥିବା ଜଣାପଡିଛି । ଛାତ୍ର ଜଣକ ପାଖାପାଖି ୮ ଦିନ ଧରି ନିଖୋଜ ଅଛନ୍ତି । ସେ ଉତ୍ତର ପ୍ରଦେଶରେ ଥିବା ସନ୍ଦେହରେ ପୋଲିସର ଏକ ଟିମକୁ ୟୁପି ପଠାଯାଇଛି । ସେଠାରେ ତାକୁ ପୋଲିସ ଖୋଜାଖୋଜି କରୁଛି କିନ୍ତୁ ଏଯାଏଁ କିଛି ସୁରାଗ ମିଳିନାହିଁ ।

ସୂଚନା ଅନୁଯାୟୀ, ନିଖୋଜ ଛାତ୍ର ଜଣକ ୟୁପିର କୁଶୀନଗରର ବାସିନ୍ଦା । ସେ ଅନେକ ଦିନ ଧରି କୋଟାରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ସେ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକ ୩-୪ ଦିନ ପୂର୍ବରୁ ହିଁ  ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ରେଲଓ୍ୱେ ଷ୍ଟେସନ, ବସଷ୍ଟାଣ୍ଡ ତଥା ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖିଛି ।

ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି , ଆହୁରି ୫ ଦିନ ଅସହ୍ୟ ତାତି

ଭୁବନେଶ୍ୱର : ରେକର୍ଡ ଭାଙ୍ଗୁଛି ତାତି । ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆହୁରି ୫ ଦିନ ଅସହ୍ୟ ତାତି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ତାତି ପାଇଁ ଆଜି ୧୩ ଜିଲ୍ଳାକୁ ରେଡ ଆଲର୍ଟ ଜାରି ହୋଇଛି। ଉତ୍ତରର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ଅଧିକ ରହିବ । ଏନେଇ ୧୫ ଜିଲ୍ଲାକୁ ଅରେଞ୍ଜ ଓ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ବିଶେଷକରି ଆଗାମୀ ତିନିଦିନ ପର୍ଯ୍ୟନ୍ତ ୩୦ ଟି ଜିଲ୍ଲା ଚେତାବନୀ ପରିସରରେ ରହିବ।

ତିନି ଦିନ ପରେ ଓଡ଼ିଶାରେ ହିଟ୍ ୱେଭର ସ୍ଥିତିରେ ପରିବର୍ତ୍ତନ ସମ୍ଭାବନା ରହିଛି । ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗତକାଲି ୪୪.୭ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଥିବାବେଳେ ତାପଛକୁ ରହିଥିଲା ଭୁବନେଶ୍ୱର ଓ ବାରିପଦା । ଭୁବନେଶ୍ବରରେ ୪୪.୬ ଡିଗ୍ରୀ ଏବଂ ବାରିପଦାରେ ୪୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ସେହିପରି ୩୩ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରହିଥିଲା ।

ନିର୍ବାଚନ ପରିଚାଳନା ପାଇଁ ମୁତୟନ ହେବେ ୧୬୫ କମ୍ପାନୀ ସିଏପିଏଫ୍

ଭୁବନେଶ୍ୱର : ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ୧୬୫ କମ୍ପାନୀ ସିଏପିଏଫ୍ ମୁତୟନ ହେବେ । ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ତଥା ନିରପେକ୍ଷ ରୂପେ ପରିଚାଳନା କରିବା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତରେ ରଖିବାକୁ ବ୍ଯାପକ ବ୍ଯବସ୍ଥା କରାଯାଉଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ମୋଟ ୧୩୩ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଥିଲେ । ଏହା ମଧ୍ୟରୁ ୯୬ କମ୍ପାନୀ ଇନସିଟୁ ମୁତୟନ ହୋଇଥିବାବେଳେ ୩୭ କମ୍ପାନୀ ଡାଇରେକ୍ଟ ଇଣ୍ଡକସନ୍ ଭାବରେ ମୁତୟନ ହୋଇଥିଲେ । ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜ୍ୟରେ ୧୬୫ କମ୍ପାନୀ ସିଏପିଏଫ୍ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି । ଏହା ମଧ୍ୟରୁ ୮୩ କମ୍ପାନୀ ଇନ୍ସିଟୁ ମୁତୟନ ଓ ୮୨ କମ୍ପାନୀ ଡାଇରେକ୍ଟ ଇଣ୍ଡକ୍ସନ୍ ମାଧ୍ଯମରେ ମୁତୟନ ହେବେ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ କମ୍ପାନୀ ସିଏପିଏଫ୍ ଜବାନ୍ ମୁତୟନ ହୋଇସାରିଛନ୍ତି । ସେମାନେ ବିଭିନ୍ନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟରେ ଫ୍ଲାଗ୍ମାର୍ଚ୍ଚ ଆଦି କରୁଛନ୍ତି । ମତଦାତାମାନେ ଏକ ସୁରକ୍ଷିତ ପରିବେଶ ମଧ୍ୟରେ ଯେଭଳି ଭାବେ ଉତ୍ସାହର ସହିତ ମତଦାନ କରିବେ ତାକୁ ଧ୍ୟାନରେ ରଖି ଏସବୁ କାର୍ଯ୍ୟ କରାଯାଇଛି । ମଇ ୧ ତାରିଖରେ ଆହୁରି ୪୮ କମ୍ପାନୀ ଓ ମଇ ୯ ତାରିଖରେ ୪୨ କମ୍ପାନୀ ସିଏପିଏଫ୍ ଜବାନ୍ କାର୍ଯ୍ୟରେ ଯୋଗଦେବେ । ଏହା ଫଳରେ ସର୍ବମୋଟ ମୁତୟନ କମ୍ପାନୀ ୧୬୫ରେ ପହଞ୍ଚିବ । ଏହା ମଧ୍ୟରୁ ୨୫ କମ୍ପାନୀ ଷ୍ଟ୍ରଙ୍ଗ ରୁମ୍ର ସୁରକ୍ଷା ଦାୟିତ୍ୱରେ ରହିବେ । ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ସାମଗ୍ରିକ ନିର୍ବାଚନ ପ୍ରକ୍ରିୟା ଶାନ୍ତଶୃଙ୍ଖଳା ଓ ତ୍ରୁଟିଶୂନ୍ୟ ଭାବରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ପୁଣି ଅଧ୍ୟକ୍ଷ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ

ଇସଲାମାବାଦ : ପାକିସ୍ତାନ ମୁସଲିମ ଲିଗ(ଏନ)ର ପୁଣି ଅଧ୍ୟକ୍ଷ ହେବେ ତିନି ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ଚୀନ ଗସ୍ତରୁ ଫେରିବା ପରେ ଦଳର ନେତୃତ୍ବ ନେବେ ସରିଫ । ପାନାମା ପେପର୍ସ ମାମଲାରେ କୌଣସି ସାଧାରଣ ପଦବୀରେ ରହିପାରିବେ ନାହିଁ ବୋଲି ସାତ ବର୍ଷ ତଳେ ଅର୍ଥାତ ୨୦୧୭ରେ ସୁପ୍ରିମକୋର୍ଟ ଦର୍ଶାଇଥିବାରୁ ସେ ଅଧ୍ୟକ୍ଷ ପଦ ତ୍ଯାଗ କରିଥିଲେ ।

ଆସନ୍ତା ମେ ୧୧ତାରିଖରେ ଦଳର ଅଧ୍ଯକ୍ଷ ଭାବେ ତାଙ୍କୁ ନିର୍ବାଚିତ କରାଯିବ । ଦରିଆପାରି ଅଞ୍ଚଳରେ ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ କ୍ରମେ ସରିଫ ଦୋଷୀ ସାବ୍ଯସ୍ତ ହେବା ପରେ ତାଙ୍କୁ ପଦତ୍ଯାଗ କରିବାକୁ ପଡିଥିଲା । ପିଏମଏଲ-ଏନ ନେତା ରାଣ ସାନାଉଲ୍ଲା କହିଛନ୍ତି- ନଓ୍ବାଜଙ୍କୁ ପୁଣି ଅଧ୍ଯକ୍ଷ କରିବା ଲାଗି ଦଳର ବୈଠକରେ ନିଷ୍ପତ୍ତି ହୋଇଛି ।

ଅତୀତରେ ହୋଇଥିବା ଷଡ଼ଯନ୍ତ୍ର କ୍ରମେ ତାଙ୍କୁ ପଦତ୍ଯାଗ କରିବାକୁ ପଡିଥିଲା । ମାତ୍ର ସମସ୍ତ ଅଭିଯୋଗରୁ କୋର୍ଟ ତାଙ୍କୁ ମୁକ୍ତି ଦେବା ପରେ ସେ ଅଧ୍ଯକ୍ଷ ପଦ ସମ୍ଭାଳିବା ନିଶ୍ଚିତ ହୋଇଛି ବୋଲି କହିଛନ୍ତି ସାନାଉଲ୍ଲା । ଦୁର୍ନୀତି ମାମଲାରେ ଛନ୍ଦି ହୋଇଯିବା ପରେ ଲଣ୍ଡନ ଚାଲିଯାଇଥିଲେ ନଓ୍ବାଜ । ଗତବର୍ଷ ଅକ୍ଟୋବରରେ ସେ ଆତ୍ମନିର୍ବାସନ ସାରି ଲଣ୍ଡନରୁ ସ୍ବଦେଶ ଫେରିବା ସହ ନିର୍ବାଚନରେ ଭାଗ ନେଇଥିଲେ । ମାତ୍ର ତାଙ୍କ ଦଳ ପୂର୍ଣ୍ଣ ସଂଖ୍ଯା ଗରିଷ୍ଠତା ହାସଲ ନ କରିବାରୁ ତାଙ୍କ ଭାଇ ଶେହବାଜ ପ୍ରଧାନମନ୍ତ୍ରୀ ହୋଇଥିଲେ ।