spot_img
Home Blog Page 1876

ଖୁବଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଲାଗୁ ହୋଇପାରେ ଅଷ୍ଟମ ବେତନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି। ସରକାରୀ କର୍ମଚାରୀମାନେ ଅଷ୍ଟମ ବେତନ ଆୟୋଗ ସହିତ ଜଡିତ ଖୁସି ଖବର ପାଇବେ। ଭାରତୀୟ ରେଳ ବୈଷୟିକ ପର୍ଯ୍ୟବେକ୍ଷକ ସଂଘ ଏହି କମିଶନ ଗଠନ ପାଇଁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ଅଷ୍ଟମ ବେତନ କମିଶନ ଗଠନ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ ଅନେକ ସୁପାରିଶ ମଧ୍ୟ କରାଯାଇଛି  । ଯଦି ସରକାର ଆସୋସିଏସନର ଏହି ସୁପାରିଶକୁ ଗ୍ରହଣ କରନ୍ତି, ତେବେ ଏହା ସରକାରୀ କର୍ମଚାରୀଙ୍କ ପାଇଁ ଲାଭଦାୟକ ହେବ  ।

IRTSA ଏହାର ଚିଠିରେ ଅନେକ ପ୍ରମୁଖ ଦାବି ରଖିଛି । ପ୍ରଥମ ଦାବି ହେଉଛି ଯେ ଏକ ନୂତନ କେନ୍ଦ୍ରୀୟ ଦେୟ ଆୟୋଗ ଗଠନ  । ବିଭିନ୍ନ ଗୋଷ୍ଠୀର କର୍ମଚାରୀଙ୍କ ବେତନରେ ଥିବା ଅସମାନତାକୁ ସରକାର ହଟାଇବାକୁ ଆସୋସିଏସନ ଚାହୁଁଛି। ଏହା ବ୍ୟତୀତ ଦରମା ଏବଂ ଭତ୍ତା, କାର୍ଯ୍ୟବ୍ୟବସ୍ଥା, ପଦୋନ୍ନତି ପଥ ଏବଂ ପଦବୀ ବଣ୍ଟନ ସହ ଜଡିତ ସମସ୍ତ ଅସଙ୍ଗତିକୁ ହଟାଇବା ପାଇଁ ଆସୋସିଏସନ ଏକ ପେ କମିଶନ ଗଠନ କରିବା ପାଇଁ ଦାବି କରିଛି  । ଏହି ପ୍ରକ୍ରିୟାରେ ସମସ୍ତ ହିତାଧିକାରୀଙ୍କୁ ଜଡିତ କରିବା ଏବଂ ସେମାନଙ୍କ ମତାମତ ଲୋଡିବା ଉପରେ ମଧ୍ୟ ଚିଠିରେ ଗୁରୁତ୍ୱ ଦିଆଯାଇଛି।

ଆସୋସିଏସନ ଲେଖିଛି ଯେ କେନ୍ଦ୍ରୀୟ ଦେୟ ଆୟୋଗ ୧୦ ବର୍ଷର ନିୟମିତ ବ୍ୟବଧାନରେ ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା / ନଗଦ କିମ୍ବା ପ୍ରକାରର ପରିବର୍ତ୍ତନକୁ ଯାଞ୍ଚ, ସମୀକ୍ଷା, ବିକାଶ ଏବଂ ସୁପାରିଶ କରିବାକୁ ଚେଷ୍ଟା କରେ  । ଏଥିରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସମ୍ବନ୍ଧରେ ବିଭିନ୍ନ ବିଭାଗ, ଏଜେନ୍ସି ଏବଂ ସେବାଗୁଡିକର ବିଶେଷ ଆବଶ୍ୟକତା ମଧ୍ୟ ଅନ୍ତର୍ଭୁକ୍ତ  । ଏଥିରେ କୁହାଯାଇଛି ଯେ କେନ୍ଦ୍ର, ସରକାରୀ କର୍ମଚାରୀଙ୍କ ବେତନ, ଭତ୍ତା ଏବଂ ସେବା ଅବସ୍ଥାକୁ ପର୍ଯ୍ୟାୟକ୍ରମେ ସମୀକ୍ଷା କରିବା ପାଇଁ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସିପିସି ସ୍ଥାୟୀ ଯନ୍ତ୍ର ଗଠନ ପାଇଁ ପରାମର୍ଶ ଦେଇଛନ୍ତି। ଆସୋସିଏସନ ଏହା ମଧ୍ୟ କହିଛି ଯେ ଏହା ସରକାରଙ୍କ ତରଫରୁ ଏକ ଉତ୍ତର ଚାହୁଁଛି ଏବଂ ଖୁବ ଶୀଘ୍ର କେନ୍ଦ୍ର ଏହା ଉପରେ ନିଷ୍ପତ୍ତି ନେବ ବୋଲି ଆଶା କରୁଛି।

ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩

ଭୁବନେଶ୍ବର: ବିଜେଡିର ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା । ୩ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ । ବିଜେଡି ୧୪୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ । ଏବେ ଆଉ ୩ ଜଣ ପ୍ରାର୍ଥୀ ଘୋଷଣା ବାକି ରହିଛି ।

ସାଧାରଣ ନିର୍ବାଚନ ପାଇଁ ବଢୁଛି ତାତି । ସଭିଙ୍କ ନଜର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ । ଆସନ୍ତୁ ନଜର ପକାଇବା କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେଡି ୧୪୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ  ଏବେ ଆଉ ୩ ଜଣ ପ୍ରାର୍ଥୀ ଘୋଷଣା ବାକି ରହିଛି ।

ସେହିପରି କଂଗ୍ରେସ ଏଯାଏଁ ୧୩୯ ଜଣଙ୍କ ନାଁ ଘୋଷଣା କଲାଣି । ବିଜେପି ଏଯାଏଁ ୧୪୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେପି ଆଉ ୭ଟି ଆସନରେ ଏବଂ କଂଗ୍ରେସ ୮ ଆସନରେ ପ୍ରାର୍ଥୀ ଦେବାକୁ ବାକି ଅଛି ।

ଯୋଡି ଶଙ୍ଖରେ ଭୋଟ ଦେବାକୁ ଆହ୍ବାନ ଦେଲେ ସୁରେଶ ରାଉତରାୟ

ଭୁବନେଶ୍ବର: ଶଙ୍ଖ ପାଇଁ ସୁରଙ୍କ ପ୍ରଚାର । ଯୋଡି ଶଙ୍ଖରେ ଭୋଟ ଦେବାକୁ ଆହ୍ବାନ । ଶେଷରେ ବିଜେଡି ପାଇଁ ଖୋଲାଖୋଲି ପ୍ରଚାର କରିଛନ୍ତି ଜଟଣୀ ବିଧାୟକ ଭେଟରାନ ସୁରେଶ କୁମାର ରାଉତରାୟ । ଭୁବନେଶ୍ବର ପାଇଁ ବିଜେଡି ଲୋକସଭା ପ୍ରାର୍ଥୀ ତଥା ପୁଅ ମନ୍ମଥ ରାଉତରାୟ ଓ ଜଟଣୀ ବିଧାନସଭା ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କ ପାଇଁ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି ।

ଆଗରୁ କେବଳ ପୁଅ ମନ୍ମଥଙ୍କୁ ଭୋଟ ଦେବାକୁ କହୁଥିବା ସୁର ଏବେ ସିଧା ସଳଖ ବିଜେଡି ମଞ୍ଚରେ ଚଢି ଠାକୁରଙ୍କ ବେଲ ପତ୍ର ଧରି କର୍ମୀଙ୍କୁ ପ୍ରତିଜ୍ଞା କରାଇଛନ୍ତି । ସମସ୍ତେ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଶପଥ କରାଇଛନ୍ତି । ଏପରି ଦୃଶ୍ଯ ଆଜି ଜଟଣୀ ନିର୍ବାଚନ ମଣ୍ଡଳୀ ସୋମନାଥ ମନ୍ଦିର ନିକଟବର୍ତ୍ତୀ ଏକ ସଭାରେ ଦେଖିବାକୁ ମିଳିଛି ।

ମଞ୍ଚରେ ସୁର ଗୋଟିଏ ହାତରେ ମାଇକ ଧରି ଆର ହାତରେ ଠାକୁରଙ୍କ ବେଲ ପତ୍ର ପାଦୁକା ଦେଇ କର୍ମୀଙ୍କୁ ଭୋଟ ଦେବାକୁ ପ୍ରତିଜ୍ଞା କରାଇଛନ୍ତି । ଏହି ସଭାରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟ ଉପସ୍ଥିତ ଥିଲେ । ମନ୍ମଥ ଓ ବିଭୂତି ଏକ । ସମସ୍ତେ ଏକାଠି ହୋଇ ଆଗାମୀ ୨୫ ତାରିଖରେ ଯୋଡି ଶଙ୍ଖରେ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି ।

୮ ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ବର: ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା । ଆସିଲା ୮ ବିଧାନସଭା ଲାଗି ପ୍ରାର୍ଥୀ ତାଲିକା। ଚତୁର୍ଥ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି  ।

ତେଲକୋଇରୁ ଫକୀରମୋହନ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି। ସେହିପରି ଚମ୍ପୁଆରୁ ପ୍ରାର୍ଥୀ ହୋଇଛନ୍ତି ମୁରଲୀମନୋହର ଶର୍ମା। ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ପ୍ରାର୍ଥୀ ହୋଇଛନ୍ତି। ବାସୁଦେବପୁରରୁ ବାଣୀକଲ୍ଯାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ ପ୍ରାର୍ଥୀ ହୋଇଛନ୍ତି। ସାଲେପୁରରୁ ଅରିନ୍ଦମ ରଏ, କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳୀ ସେଠୀଙ୍କୁ ପ୍ରାର୍ଥୀ କରିଛି ବିଜେପି। ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିଛି।

ଟିକେଟ କଟିବା ପରେ କାନ୍ଦିଲେ କଂଗ୍ରେସ ପ୍ରାର୍ଥୀ ମୋହନ ହେମ୍ବ୍ରମ

ଭୁବନେଶ୍ବର: ଟିକେଟ କଟିବା ପରେ କାନ୍ଦିଲେ କଂଗ୍ରେସ ପ୍ରାର୍ଥୀ ମୋହନ ହେମ୍ବ୍ରମ । କହିଲେ ଦଳ ମୋ ପ୍ରତି ଅନ୍ୟାୟ କରିଛି  । ରାହୁଲ ଗାନ୍ଧୀଙ୍କ ଓଡ଼ିଶା ନ୍ୟାୟ ଯାତ୍ରା କାହା ପାଇଁ ବୋଲି ସେ ପଚାରିଛନ୍ତି । ଟିକେଟ ପାଇଁ ମୁଁ ଖର୍ଚ୍ଚ କରିଥିବା ୭ ଲକ୍ଷ ଟଙ୍କା ନଦେଲେ ପିସିସି ସଭାପତିଙ୍କ ନାଁରେ ଥାନାରେ ମାମଲା ରୁଜୁ କରିବି ବୋଲି କହିଛନ୍ତି। ଦଳରେ ଦୀର୍ଘ ଦିନ ଧରି କାମ କରି ଆମକୁ ଦଳ ନ୍ୟାୟ ଦେଇନାହିଁ  ।

ମୋହନ ହେମ୍ରମ କେନ୍ଦୁଝର ସାଂସଦ ପ୍ରାର୍ଥୀ ହୋଇଥିଲେ  । କାହିଁକି ତାଙ୍କ ଟିକେଟ କାଟି ଦେଲା ଦଳ  । ତାଙ୍କ ଜାଗାରେ ଯାହାକୁ ଦିଆ ଗଲା ସେ ଅମାନତ ରହିବ ନାହିଁ  । କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କୁ ଟିକେଟ ଦିଆଗଲାl ଏହା ପୂରା କେନ୍ଦୁଝର ଜିଲ୍ଲାକୁ ଅପମାନ ବୋଲି କହିଛନ୍ତି ମୋହନ  । 50 ହଜାର ଟଙ୍କା ବିଧାୟକ ଟିକେଟ ପାଇଁ ଦେଇଛି  । ଓଡ଼ିଶାରେ ମନୋନୀତ ହେଲି। ବିଧାୟକ ପାଇଁ ଦିଲ୍ଲୀ ଗଲା ବେଳେ ସାଂସଦ ଭାବେ ଟିକେଟ ମିଳିଲା ।

ଆଦିବାସୀ ପିଲା ଓ ମୁଁ ଉଚ୍ଚ ଶିକ୍ଷିତ  । କଣ ସାଂସଦ ଭାବେ ଲଢିବା ପାଇଁ ମୋର ଯୋଗ୍ୟତା ନାହିଁ ବୋଲି ପଚାରିଛନ୍ତି ମୋହନ  । ରାହୁଲ ଗାନ୍ଧୀ ନ୍ୟାୟ ଯାତ୍ରା ପାଇଁ ଆସିଛନ୍ତି, ଆମକୁ କାହିଁକି ନ୍ୟାୟ ମିଳୁନି । ଟିକେଟ କଟିବା ପରେ ନେତା କାନ୍ଦି କାନ୍ଦି ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି । ୭ ଲକ୍ଷ ଟଙ୍କା ନେଇଛନ୍ତି ପିସିସି ସଭାପତି  । ୪୮ଘଣ୍ଟା ଭିତରେ ଟଙ୍କା ନଦେଲେ ମତେ ମୁଁ ପିସିସି ସଭାପତିଙ୍କ ନା ରେ ମାମଲା ରୁଜୁ କରିବି ବୋଲି କହିଛନ୍ତି ମୋହନ ହେମ୍ବ୍ରମ।

ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ

ନୈନିତାଲ: ଉତ୍ତରାଖଣ୍ଡ ଜଙ୍ଗଲରେ ବେକାବୁ ନିଆଁ ଲିଭାଇବା ଦାୟିତ୍ବ ନେଇଛି ବାୟୁସେନା  । ନୈନିତାଲର ଲଡିଆକାଣ୍ଟା ନିଆଁ ଲିଭାଇବା ପାଇଁ ବାୟୁସେନା ନିୟୋଜିତ ହୋଇଛି  । ବନ ବିଭାଗ ଓ ସେନାର ପ୍ରୟାସ ପରେ ଖୋଦ ବାୟୁସେନା ଅଣ୍ଟା ଭିଡିଛି  ।

ନିଆଁ ଲିଭାଇବା ପାଇଁ ସକାଳ ୭ଟାରେ ଦୁଇ ହେଲିକପ୍ଟର ଭୀମତାଲ ହ୍ରଦରୁ ପାଣି ଉଠାଇ ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରିଛନ୍ତି  । ପାଣିର ଆବଶ୍ୟକତାକୁ ଦେଖି ପ୍ରଶାସନ ନୈନିତାଲର ସମସ୍ତ ହ୍ରଦରେ ଜଳକ୍ରୀଡା ବନ୍ଦ କରି ଦିଆଯାଇଛି  ।

ପାଖାପାଖି ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି  । ଏବେ କେବଳ ଲଡିଆକାଣ୍ଟା ନିଆଁକୁ ହେଲିକପ୍ଟର ସାହାଯ୍ୟରେ ଆୟତ୍ତ କରାଯାଇଛି  । କୁମାଉଁର ଅନ୍ୟ ଜଙ୍ଗଲରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବାୟୁସେନାର ସାହାଯ୍ୟ ନିଆଯିବ  । ଶନିବାର ସକାଳେ ଦୁଇଟି ହେଲିକପ୍ଟର ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ  । ସକାଳ ସାଢେ ୭ଟା ସୁଦ୍ଧା ପାଣି ଲିଫ୍ଟ କରାଯାଇ ନିଆଁ ଲିଭାଇବା କାମ ଆରମ୍ଭ କରିଥିଲା ବାୟୁସେନା  । ଶେଷରେ ଦୁଇ ଘଣ୍ଟା ପରିଶ୍ରମ ପରେ ସାଢେ ୯ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା  ।

ନିର୍ବାଚନ ପ୍ରଚାରକୁ ଯିବା ବେଳେ ଅଘଟଣ, ହେଲିକପ୍ଟରରୁ ଖସିଗଲା ଦିଦିଙ୍କ ପାଦ

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଲିକପ୍ଟରରୁ ଖସିପଡି ଆହତ ହୋଇଛନ୍ତି। ଚପରରେ ଚଢିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଦ ଖସି ଯାଇଥିଲା  । ଯେଉଁଥିପାଇଁ ସେ ଖସିପଡି ଆହତ ହୋଇଥିଲେ।  ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଦୁର୍ଗାପୁରରୁ ପ୍ରଥମ ସମାବେଶକୁ ସମ୍ବୋଧିତ କରିବା ପରେ ସିଏମ୍ ଆସାନସୋଲ ଯାଉଥିଲେ।

ଏହାପୂର୍ବରୁ ଏପ୍ରିଲ ୧୪ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। କୋଲକାତାର ସରକାରୀ ଏସଏସକେଏମ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମମତା । ଯାହା ପରେ ବର୍ତ୍ତମାନ ପୁଣି ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ  ।

 

ଲୋକସଭା ନିର୍ବାଚନ ପାଇଁ ମମତା ବାନାର୍ଜୀ ନିର୍ବାଚନ ରାଲିରେ ବ୍ୟସ୍ତ ରହୁଛନ୍ତି। ଗତ ୨୭ ଏପ୍ରିଲରେ ଘାଟ ପ୍ରାର୍ଥୀ ଦେବଙ୍କ ସମର୍ଥନରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ଏହି ରାଲିରେ ସେ ବିଜେପି ସରକାରକୁ ଆକ୍ରମଣ କରି ଏହାକୁ “ଚାକିରୀ ଖାଉଥିବା” ଦଳ ବୋଲି ସମ୍ବୋଧନ କରିଥିଲେ  । ପଶ୍ଚିମବଙ୍ଗର ପ୍ରାୟ ୨୬ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକଙ୍କ ଜୀବିକା ଛଡାଇବାକୁ ଷଡଯନ୍ତ୍ର କରିଥିବା ବିଜେପି ନେତାମାନଙ୍କୁ କ୍ଷମା କରିବେ ନାହିଁ ବୋଲି କହିଥିଲେ।

 

ପଶ୍ଚିମବଙ୍ଗର ୬ଟି ଆସନରେ ଏପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇଛି। ତୃତୀୟ ପର୍ଯ୍ୟାୟରେ ମାଲଦା ଉତ୍ତର ଏବଂ ମାଲଦା ଦକ୍ଷିଣର ଦୁଇଟି ଆସନରେ ମତଦାନ ଅନୁଷ୍ଠିତ ହେବ। ମେ ୨୫ରେ ଷଷ୍ଠ ପର୍ଯ୍ୟାୟରେ ଘାଟ ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ୨୦୧୪ରେ ଟିଏମସି ୪୨ଟି ସିଟ୍ ମଧ୍ୟରୁ ୩୪ଟି ଜିତିଥିବାବେଳେ ବିଜେପି ମାତ୍ର ୨ଟି ସିଟ୍ ଜିତିଥିଲା। କିନ୍ତୁ ୨୦୧୯ ରେ ବିଜେପି ୧୮ ଟି ଆସନ ହାତେଇ ଥିବାବେଳେ ଟିଏମସି ସଂଖ୍ୟା ୨୨କୁ ଖସି ଆସିଥିଲା।

ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର

ମହାକାଳପଡା: ମହାକାଳପଡା ଲୁଣା ନଦୀରେ ଅଘଟଣ । ବୁଡି ଯାଉଥିବା ବେଳେ ଜଣେ ନାବାଳିକା ଉଦ୍ଧାର ଅନ୍ଯ ଜଣେ ନାବାଳିକା ନିଖୋଜ। ମଙ୍ଗଳପୁର ପଞ୍ଚାୟତ ବନ୍ଧପଡା ଗ୍ରାମର ଦୁଇ ନାବାଳିକା ରାଜଲକ୍ଷ୍ମୀ ଓ ଲଭଲୀ। ସକାଳ ସାତଟାରେ ସାଙ୍ଗହୋଇ ଲୁଣାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗୋଡ଼ ଖସି ଯିବାରୁ ପ୍ରଥମେ ଲଭଲି ଲୁଣା ନଦୀରେ ଭାସିଯାଇଥିଲା । ଲଭଲି ବୁଡି ଯାଉଥିବା ବେଳେ ରାଜଲକ୍ଷ୍ମୀ ଉଦ୍ଧାର କରିବାକୁ ଚେଷ୍ଟା କରି ସେ ମଧ୍ୟ ଗଭୀର ପାଣିକୁ ଚାଲିଯାଇଥିଲା ।

ନିକଟରେ ଥିବା ଅନ୍ୟ ମହିଳା ମାନେ ରାଜଲକ୍ଷ୍ମୀକୁ ଟାଣି ଆଣିଥିଲେ। ହେଲେ ଗଭୀର ନଦୀରେ ଲଭଲି କିନ୍ତୁ ନିଖୋଜ ହୋଇଯାଇଥିଲା । ରାଜଲକ୍ଷ୍ମୀକୁ ଉଦ୍ଧାର କରି ପରିବାର ଲୋକେ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି । ତାର ସ୍ବାସ୍ଥ୍ୟ ଅବସ୍ଥା ସଂପୂର୍ଣ୍ଣ ଭଲ ରହିଥିବା ଜଣାପଡିଛି। ମହାକାଳପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଖୋଜ ଥିବା ଲଭଲିକୁ ଖୋଜାଖୋଜି ଜାରି ରଖିଛନ୍ତି । ବନ୍ଧପଡା ଗ୍ରାମର ଅମର ବେହେରାଙ୍କ ଝିଅ ଲଭଲି ବେହେରା ।

ଜୁନାଗଡ଼ରେ ଜନତାଙ୍କୁ 5T ଅଧ୍ୟକ୍ଷଙ୍କ ଆହ୍ୱାନ; ମୁଖ୍ୟମନ୍ତ୍ରୀଙ୍କୁ ଜିତାଇ ବିରୋଧୀଙ୍କ ମୁହଁ ବନ୍ଦ କରିଦିଅନ୍ତୁ

ଜୁନାଗଡ଼: ବିରୋଧୀ ଦଳ ସବୁବେଳେ ଅପପ୍ରଚାର କରୁଛନ୍ତି। ସେମାନଙ୍କୁ ମୁହଁତୋଡ ଜବାବ ଦିଅନ୍ତୁ। ଜୁନାଗଡରେ ନିର୍ବାଚନ ପ୍ରଚାର ସମୟରେ ଏଭଳି ଆହ୍ବାନ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କଳାହାଣ୍ଡି ସାଂସଦ ଓ ଜୁନାଗଡ ବିଧାୟକ ପ୍ରାର୍ଥୀଙ୍କୁ ଏତେ ଭୋଟରେ ଜିତାନ୍ତୁ ଯେ, ବିରୋଧୀ ଦଳର ମୁହଁ ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି।

ଜୁନାଗଡରେ ତାତିକୁ ଖାତିର ନକରି 5T ଅଧ୍ୟକ୍ଷଙ୍କ ପ୍ରଚାର ସଭାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଆଉ ମଞ୍ଚକୁ ଉଠିବା ପୂର୍ବରୁ ସେ ଲୋକଙ୍କ ଗହଣରେ ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ। ୨୦୧୯ରେ ଯେଉଁ ନେତା କଳାହାଣ୍ଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସେ ନିର୍ବାଚନ ପରେ ଆଉ ଦେଖାଦେଲେନି। ଜୁନାଗଡବାସୀ ୨୦୧୯ର ସାଂସଦ ତାଙ୍କ ପାଇଁ କଣ କରିଛନ୍ତି ବୋଲି ଥରେ ଭାବନ୍ତୁ ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ।

ଏହାସହ ଗତ ମେ ମାସରେ ମିଳିଥିବା ଆବେଦନ ଆଧାରରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ସେ ହିସାବ ଦେଇଛନ୍ତି। କେବଳ ଜୁନାଗଡ ନିର୍ବାଚନମଣ୍ଡଳୀ ପାଇଁ ୨୨୫ କୋଟିଙ୍କ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ମା ଲଙ୍କେଶ୍ବରୀ ମନ୍ଦିର ପାଇଁ ଅଢେଇ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ଇନ୍ଦ୍ରାବତୀ ଦକ୍ଷିଣ ପଟ କେନାଲ ପାଇଁ ୧୫୦ କୋଟି ଟଙ୍କା ମଂଜୁର ହୋଇଛି । ୨ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ବିନା ସୁଧରେ ଋଣ ମିଳିଛି । ଜୁନାଗଡର ୯୦ ହଜାର ହିତାଧିକାରୀ ବିଏସକେୱାଇ ଯୋଜନାରେ ସାମିଲ ହୋଇ ୩୦ କୋଟି ୪୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇଛନ୍ତି।

ତେବେ ଅନ୍ୟ ରାଜ୍ୟରେ ମାତ୍ର ୧୫ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳୁଥିବା ବେଳେ ଓଡିଶାରେ ୯୮ ପ୍ରତିଶତ ଛାତ୍ରଛାତ୍ରୀ ବୃତ୍ତି ପାଉଛନ୍ତି। ପୋଷ୍ଟ ମାଟ୍ରିକ ସ୍କଲାରସିପ ସହ ନୂଆ-ଓ ସ୍କଲାରସିପ ବି ପାଉଛନ୍ତି ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ଜୁନାଗଡ ପାଇଁ ଏତେ କାମ କରୁଛନ୍ତି, ଏବେ ତାଙ୍କୁ ସମ୍ମାନିତ କରିବାର ସମୟ ଆସିଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଆଜି ଟ୍ବିନସିଟିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ ଆଲର୍ଟ ଜାରି

ଭୁବନେଶ୍ୱର: ଆଜି ଟ୍ବିନ ସିଟିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଆଗାମୀ ୫ ଦିନ ପାଇଁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ଆହୁରି ବଢିବ ତାପମାତ୍ରା। ଫଳରେ ଆସନ୍ତାକାଲି ୧୩ ଜିଲ୍ଲାକୁ ରେଡ ଆଲର୍ଟ ଓ ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ଦୁଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ତିନି ଦିନ ପରେ ଓଡ଼ିଶାରେ ହିଟ୍ ୱେଭର ସ୍ଥିତିରେ ପରିବର୍ତ୍ତନ ସମ୍ଭାବନା ରହିଛି। ଦିନ ସାଢେ ୧୧ଟା ସୁଦ୍ଧା ୪୧.୪ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରରେ ତାପମାତ୍ର ୪୧.୨, କେନ୍ଦୁଝର ୪୦.୬, ବାଲେଶ୍ୱର ୪୦.୧, ସମ୍ବଲପୁର ୪୦, ଚାନ୍ଦବାଲି ୩୯.୬, ହୀରାକୁଦ ୩୯, ରାଉରକେଲା ୩୮.୬, ଗୋପାଳପୁର ୩୪.୪, ପୁରୀ ୩୪.୪ ଓ ପାରାଦୀପରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଗତ ୧୨ ଦିନ ହେବ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଲଗାତାର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ, ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି। ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି।