spot_img
Home Blog Page 1890

୮ମାସର ଗର୍ଭବତୀ ହୋଇ ମଧ୍ୟ କର୍ତ୍ତବ୍ୟ କରିଚାଲିଛନ୍ତି ଏସପି ନିବେଦିତା

ଭୋପାଳ: ଏସପି ନିବେଦିତା ନାଇଡୁ, ଯାହାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଆଠ ମାସର ଗର୍ଭବତୀ ହୋଇ ମଧ୍ୟ ସେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ପଛଘୁଞ୍ଚା ଦେଇନାହାଁନ୍ତି।

ନିବେଦିତା ନାଇଡୁ ମା ହେବାକୁ ଯାଉଥିଲେ ମଧ୍ୟ ଦେଶ ପାଇଁ କର୍ତ୍ତବ୍ୟ କରିବାକୁ ଭୁଲି ନାହାଁନ୍ତି । ଆଠ ମାସର ଗର୍ଭବତୀ ଥିବା ସତ୍ବେ ନିବେଦିତା ନାଇଟ୍ ପାଟ୍ରୋଲିଂ ଠାରୁ ଆରମ୍ଭ କରି ଜିଲ୍ଲା ଚେକିଂ ପର୍ଯ୍ୟନ୍ତ ସବୁ କରୁଛନ୍ତି। ଖାଲି ଏତିକି ନୁହେଁ ତାଙ୍କ ସ୍ୱାମୀ ବାହାର ସହରରେ କାମ କରୁଥିବା ବେଳେ ସେ ନିଜକୁ ସମ୍ଭାଳିବା ସହ ଘରେ ତିନି ବର୍ଷର ଝିଅର ମଧ୍ୟ ଲାଳନପାଳନ ଏକାକୀ କରୁଛନ୍ତି । ଏହାସହିତ ସେ ଦେଶ ପ୍ରତି ଥିବା କର୍ତ୍ତବ୍ୟ ପାଳନ କରିବାରେ ଆଦୌ ଦ୍ୱିଧା କରିନାହାଁନ୍ତି। ଏହି କର୍ତ୍ତବ୍ୟନିଷ୍ଠ ଏସପିଙ୍କ ଏକ ଭିଡ଼ିଓ ଭାଇରାଲ୍ ହୋଇଛି, ଯାହା ପରେ ସବୁଠୁ ତାଙ୍କୁ ପ୍ରଶଂସା କରାଯାଉଛି ।

ଭିଡିଓରେ ସେ ଜଣେ ପୋଲିସ କର୍ମଚାରୀଙ୍କ ସହ ରାତିରେ କାହା ଘରେ ପହଞ୍ଚିଛନ୍ତି। ଭିଡିଓରେ ତାଙ୍କ ବେବି ବମ୍ପ୍ ମଧ୍ୟ ସ୍ପଷ୍ଟ ଦେଖାଯାଉଛି । ତେବେ ସାଧାରଣତଃ ଗର୍ଭବତୀ ସମୟରେ ମହିଳାମାନେ ଆରାମ କରିଥାନ୍ତି । ଏପରିକି ସମସ୍ତ କାର୍ଯ୍ୟରତ ମହିଳାଙ୍କ ପାଖରେ ମାଟରନିଟି ଛୁଟି ନେବା ଅଧିକାର ରହିଛି। କିନ୍ତୁ ମଧ୍ୟପ୍ରଦେଶ ଉମରିଆର ଏସପି ନିବେଦିତା ଜଣେ ମା’ର କର୍ତ୍ତବ୍ୟ ପାଳନ କରିବା ପୂର୍ବରୁ ଦେଶ ପ୍ରତି କର୍ତ୍ତବ୍ୟକୁ ଆଗ ପାଳନ କରିଚାଲିଛନ୍ତି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବାହାରକୁ ବାହାରିଲେ କ’ଣ କରିବେ, ସଚେତନ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଯାହା ଫଳରେ ଅନେକ ସ୍ଥାନରେ ଅଂଶୁଘାତ ଭଳି ଖବର ସାମ୍ନାକୁ ଆସୁଛି।ଅଂଶୁଘାତ ଏଡ଼ାଇବା ପାଇଁ ଟାଣ ଖରାରେ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଜରୁରୀ ହେଲେ ଛତା, ପାଣି ନେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

 

ନିର୍ବାଚନ ଡ୍ୟୁଟିରେ ଥିବା BLOଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ଡ୍ୟୁଟିରେ ଥିବା ବେଳେ BLOଙ୍କ ମୃତ୍ୟୁ। ମୃତକ ହେଲେ ବିଂଝାରପୁର ବ୍ଲକ ନଛିପୁର ଗ୍ରାମର ମନୋରଞ୍ଜନ ସାହୁ। ସେ ୧୫୭ ନମ୍ବର ବୁଥରେ ବୁଥ ଲେଭଲ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସେ ଆଜି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ନୀଳଗିରିରେ ଭୋଟ ଦେବାକୁ ଆସି ଟଳିପଡିଲେ ବୃଦ୍ଧ। ମୃତକ ଜଣଙ୍କ ହେଲେ ସୁରେନ୍ଦ୍ର ମହାନ୍ତି । ଇଶ୍ୱରପୁର ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ନୀଳଗିରି ନିର୍ବାଚନମଣ୍ଡଳି ଇଶ୍ୱରପୁର ପଂଚାୟତର ୧୫୯ ନଂ ବୁଥରେ ବୃଦ୍ଧ ସୁରେନ୍ଦ୍ର ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଭୋଟ ଦେବାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି। ଅତ୍ଯଧିକ ଖରା ଏବଂ ଗୁଳୁଗୁଳି ପାଇଁ ସ୍ବାସ୍ଥ୍ଯବସ୍ଥା ବିଗିଡିଯାଇଥିବା ଆଶଙ୍କା।

୩୦ ବୁଥରେ ଇଭିଏମ ଅଚଳ ଖବରରେ ସତ୍ୟତା ନାହିଁ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ଏହି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀର ୩୦ଟି ବୁଥରେ ଇଭିଏମ ଅଚଳ ବୋଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଖବର ପ୍ରସାରଣ କରିଥିଲା।

କିନ୍ତୁ ଏହି ଖବର ସତ୍ୟ ନୁହେଁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଯଦି ସନ୍ଦେହ ହୁଏ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଖବର ପ୍ରଦାନ କରନ୍ତୁ ବୋଲି କହିଛନ୍ତି। ଏପରି ତଥ୍ୟ ଟିଭିରେ ପ୍ରସାରଣ ହେବା ଦ୍ୱାରା ଜନମତ ପ୍ରଭାବିତ ହେବ ବୋଲି କହିଛନ୍ତି ସିଇଓ।

ଅନ୍ୟପଟେ ମହାକାଳପଡ଼ାରେ ନିର୍ବାଚନ ପ୍ରକ୍ରିୟା ସ୍ବାଭାବିକ୍ ଚାଲିଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ। ଯେଉଁ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଇଭିଏମ୍ ତ୍ରୁଟି ବୋଲି ଖବର ପ୍ରସାରଣ କରିଛି, ତାହା ମିଥ୍ୟା ବୋଲି ସେ କହିଛନ୍ତି।

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ। ଫ୍ଲାଇଟର କ୍ରୁ ମେମ୍ବରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ବୋମା ଧମକ ମିଳିବା ପରେ ଅଧିକାରୀମାନେ  ବିମାନରେ  ଯାଞ୍ଚ ଆରମ୍ଭ କରିଥିଲେ।

ପ୍ରଥମେ ଇଣ୍ଡିଗୋ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ବିମାନରେ ଛାନଭିନ୍ନ କରାଯାଇଥିଲା। ତେବେ ଇଣ୍ଡିଗୋକୁ ଏଭଳି ଧମକ ଦିଆଯିବା ପ୍ରଥମ ଘଟଣା ନୁହେଁ।

ରିପୋର୍ଟ ଅନୁସାରେ, ଶନିବାର ସକାଳ ପ୍ରାୟ ୮ଟା ୪୦ମି. ଧମକ ପୂର୍ଣ୍ଣ ଚିଠି ମିଳିବା ପରେ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଇଣ୍ଡିଗୋ କ୍ରୁ ସଦସ୍ୟଙ୍କୁ ମିଳିଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା, ‘‘ଡୁ ନଟ୍ ଲ୍ୟାଣ୍ଡ ବମ୍ବେ… ୟୁ ଲ୍ୟାଣ୍ଡ ବମ୍ ବ୍ଲାଷ୍ଟ‘‘ । ଯାହାପରେ ସବୁଠି ଆତଙ୍କ ଖେଳିଯାଇଥିଲା। ତେବେ ଇଣ୍ଡିଗୋର ଏହି ଫ୍ଲାଇଟକୁ ଏୟାରପୋର୍ଟରେ ଆଇସୋଲେଟ୍ କରି ରଖାଯାଇଛି।

ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ, ଜାଣନ୍ତୁ କେଉଁଠି କେତେ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ମତଦାନ। ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ । ତେବେ ନଜର ପକାନ୍ତୁ କେଉଁଠି କେତେ…

ବିଧାନସଭା ନିର୍ବାଚନମଣ୍ଡଳୀ-

ଆଳି- ୭.୪୦%, ବଡ଼ସାହି- ୫.୩୭%, ବାଲେଶ୍ୱର- ୭.୮୦%, ବାଲିକୁଦା (ଏରସମା)- ୮.୧୮%, ବାଙ୍ଗିରିପୋଷୀ- ୬.୯୪%, ବଡ଼ଚଣା- ୬%, ବରି- ୭%, ବାରିପଦା-୭.୨୫%, ବସ୍ତା-୬.୨୫%, ବାସୁଦେବପୁର-୫.୩୦%, ଭଦ୍ରକ- ୬.୮୫%, ଭଣ୍ଡାରିପୋଖରୀ- ୯.୭୦%, ଭୋଗରାଇ- ୭.୫୧%, ବିଞ୍ଝାରପୁର-୮%, ଚାନ୍ଦବାଲି-୮.୨୦%, ଧାମନଗର- ୯.୩୦%, ଧର୍ମଶାଳା-୯%, ଜଗତସିଂହପୁର-୮.୨୦%, ଯାଜପୁର-୭.୫୦%, ଜଳେଶ୍ୱର- ୭.୪୫, ଯଶିପୁର-୭.୬୧%, କାକଟପୁର-୯.୬୦%, କେନ୍ଦ୍ରାପଡା- ୮.୭୦%, କୋରେଇ-୬.୫୦%, ମହାକାଳପଡା-୭%, ମାହାଙ୍ଗା-୫.୪୦%, ମୋରଡା-୬.୨୫%, ନିଆଳି-୯%, ନୀଳଗିରି-୧୧.୮୦%, ନିମାପଡା-୮.୨୦%, ପାରାଦୀପ-୮.୧%, ପାଟକୁରା-୮.୫୦%, ରାଇରଙ୍ଗପୁର-୭.୫୩%, ରାଜନଗର-୮%, ରେମୁଣା-୬.୧୦, ସାଲେପୁର-୬.୧୦%, ସାରସକଣା- ୭.୯୬%, ସୀମୁଳିଆ-୭.୭୦%, ସୋର-୭.୯୦%, ସୁକିନ୍ଦା-୧୦%, ତିର୍ତ୍ତୋଲ-୮.୫୧%, ଉଦଳା-୭.୯୦%

ଲୋକସଭା ନିର୍ବାଚନମଣ୍ଡଳୀ-

ବାଲେଶ୍ୱର- ୭.୪୬%, ଭଦ୍ରକ-୭.୭୯%, ଜଗତସିଂହପୁର- ୮.୫୪%, ଯାଜପୁର-୭.୭୪%, କେନ୍ଦ୍ରାପଡା-୭.୨୭%, ମୟୂରଭଞ୍ଜ- ୭.୩୩%

 

 

 

ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ନିକଟରେ ଅଗ୍ନିକାଣ୍ଡ, ଜଳିଗଲା ଗେଟ୍ ଓ ବ୍ଯାରିକେଡ୍

ପୁରୀ: ପୁରୀରେ ଭୟାବହ ଅଗ୍ନିକାଣ୍ଡ। ଭୋରରୁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ନିକଟରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ହୁତୁହୁତୁ ହୋଇ ଜଳିଲା ଫାଇବର ଗେଟ ଓ ବ୍ଯାରିକେଡ୍ । ନିଆଁ ଏତେ ଭୟଙ୍କର ଥିଲା ଯେ ପାଖକୁ ବି ଯିବା ଅସମ୍ଭବ ହୋଇପଡ଼ୁଥିଲା।

ଅଗ୍ନିକାଣ୍ଡରେ ପ୍ରାୟ ୧୦ଟି ଫାଇବର ଗେଟ୍ ସମ୍ପୂର୍ଣ୍ଣ ଜଳିଯାଇଛି । ଏହାସହ ପାଖରେ ଥିବା ଗଛ ଓ ଅନ୍ଯାନ୍ଯ ସାମଗ୍ରୀ ବି ଜଳିଯାଇଛି। ନାକଚଣା ଦ୍ୱାର ଓ ପାଚେରୀ ବି କ୍ଷତିଗ୍ରସ୍ତ ହୋଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ

ଭୁବନେଶ୍ୱର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ। ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନଧରି ଅସୁସ୍ଥ ରହି ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମଧୁମେହ, ଉଚ୍ଚ ରକ୍ତଚାପ, ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ ମାଗୁଣି। କିଛିଦିନ ପୂର୍ବେ ଭୁବନେଶ୍ଵରରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

ଆଜି ସକାଳୁ କେନ୍ଦୁଝରଗଡ଼ ପୌରପାଳିକାର ପୁରୁଣା ସହର ସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଛି। ମାଗୁଣିଙ୍କ ଦେହାନ୍ତରେ ପୂରା କେନ୍ଦୁଝର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। କେନ୍ଦୁଝର ପୁରୁଣା ସହରର ବୈଦ୍ୟରାଜ ସାହିର ମାଗୁଣି ଚରଣ କୁଅଁର।

ପରିଚୟ ତାଙ୍କର କାଠି କଣ୍ଢେଇ କାରିଗର। ବୟସର ଅପରାହ୍ନରେ ବି ମାଗୁଣି କାଠ ଖୋଦେଇ, ମୃଣ୍ମୟୀ ମୂର୍ତ୍ତି ଓ ସିମେଣ୍ଟ ମୂର୍ତ୍ତି ତିଆରିରେ ସିଦ୍ଧହସ୍ତ ଥିଲେ। ଏକାଧାରରେ ସେ ଜଣେ କାଠି କଣ୍ଢେଇ ଶିଳ୍ପୀ, କାଠ, ମାଟି, ପଥର ଓ ସିମେଣ୍ଟର ନିଖୁଣ ମୂର୍ତ୍ତି କାରିଗର। ଜିଲ୍ଲା, ରାଜ୍ୟ ସହ, ଦେଶ ବିଦେଶରେ ତାଙ୍କ କଣ୍ଢେଇ ନୃତ୍ୟର ଆଦର ବେଶ୍ ଅଧିକ ରହିଛି। ବିଗତ ୭୦ବର୍ଷ ହେବ ସେ ନିଜ ସାଧନା ଜାରି ରଖିଥିଲେ, ଗତବର୍ଷ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

୨୦୦୪ ମସିହାରେ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦତ୍ତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ୨୦୧୩ ମସିହାରେ ଓଡିଶା ସରକାରଙ୍କ ସର୍ବୋଚ୍ଚ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୨୦୧୪ ମସିହା ପାଇଁ ଓଡିଶା ନୃତ୍ୟ ଏକାଡେମୀ ପକ୍ଷରୁ ଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରୁଚିବୁଦ୍ଧ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଦେଶରେ ୭ମ ପର୍ଯ୍ୟାୟ ମତଦାନ ଆରମ୍ଭ, ଚାଲିଛି ନେତାଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଆଜି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେଉଛି।

ଏହି ପର୍ଯ୍ୟାୟରେ ୮ଟି ରାଜ୍ୟର ୫୭ଟି ଲୋକସଭା ଆସନରେ ଭୋଟିଂ ଚାଲିଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଛି ମତଦାନ। ଆଜି ଉଭୟ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ୧୩ଟି, ପଶ୍ଚିମବଙ୍ଗରେ ୯, ବିହାରରେ ୮, ଓଡିଶାରେ ୬, ହିମାଚଳ ପ୍ରଦେଶରେ ୪, ଝାଡଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଏକାକୀ ଲୋକସଭା ଆସନ ପାଇଁ ମତଦାନ ହେଉଛି ।

ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ, ହିମାଚଳ ପ୍ରଦେଶର ହମିରପୁରରୁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ବିହାରର ପାଟନା ସାହିବରୁ ରବି ଶଙ୍କର ପ୍ରସାଦ ଏବଂ ହିମାଚଳ ପ୍ରଦେଶର ମଣ୍ଡିରୁ ଅଭିନେତା କଙ୍ଗନା ରଣାୱତଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । କିଏ ମାରିବ ବାଜି ତାହା ନିର୍ଦ୍ଧାରଣ କରୁଛନ୍ତି ଜନତା।

କଂଗ୍ରେସର ମନୀଷ ତେୱାରୀ ଚଣ୍ଡିଗଡ଼ରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବିକ୍ରମଦିତ୍ୟ ସିଂ ହିମାଚଳ ପ୍ରଦେଶର ମଣ୍ଡି ଏବଂ ବାରଣାସୀରୁ ଅଜୟ ରାୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମମତା ବାନାର୍ଜୀଙ୍କ ଭଣଜା ତଥା ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ହୀରାଖଣ୍ଡରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

 

ଓଡ଼ିଶାରେ ଚାଲିଛି ଶେଷ ପର୍ଯ୍ୟାୟ ଭୋଟିଂ, ନେତା ବାଛୁଛନ୍ତି ଜନତା

ଭୁବନେଶ୍ୱର: ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା କ୍ଷେତ୍ରରେ ମତଦାନ ଆରମ୍ଭ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ନିର୍ବାଚନ ଅନୁଷ୍ଠିତ ହେଉଛି । ମଇଦାନରେ ରହିଛନ୍ତି ବହୁ ହେଭିୱେଟ । ଏକାଧିକ ମନ୍ତ୍ରୀ, ଟାଣୁଆ ବିଧାୟକ, ରାଜ୍ଯ ବିଜେପି ସଭାପତିଙ୍କ ସମେତ ପୂର୍ବତନ ପିସିସି ସଭାପତି ମଧ୍ୟ କରୁଛନ୍ତି ଭାଗ୍ୟ ପରୀକ୍ଷା ।

ସେହିପରି ୪୨ଟି ବିଧାନସଭା କ୍ଷେତ୍ର ଯଥା ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବଡସାହି, ବାରିପଦା, ମୋରଡା, ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ବିଂଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ନିଆଳି, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ାରେ ମଧ୍ୟ ମତଦାନ ସାବ୍ୟସ୍ତ କରୁଛନ୍ତି ଜନତା ।