ପୁରୀ: ପୁରୀରେ ପହଞ୍ଚିଲା ରଥ ଦଉଡି। ୩ରଥ ପାଇଁ ୨୬ରଥ ଦଉଡି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଏଥିରେ ୧୪ ରଥଟଣା, ୧୨ କଡନ ଦଉଡି ରହିଛି । ଦଉଡି ଯୋଗାଉଛି ଓଡ଼ିଶା କଏର କର୍ପୋରେସନ । ଏନେଇ ଶ୍ରୀମନ୍ଦିର ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି। ରଥଟଣା ପାଇଁ ରଥ ଦଉଡିର ଲମ୍ବ ୨୨୦ ଫୁଟ ହୋଇଥିବା ବେଳେ ଏହାର ଗୋଲେଇ ରହିଛି ୮ ଇଞ୍ଚ । ସେହିପରି ଅନ୍ୟ ଦଉଡି଼ର ଗୋଲେଇ ଚାରି ଇଞ୍ଚ ରହିଛି। ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା।
କାହା ସପକ୍ଷରେ ଯିବ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ?
ନନ୍ଦିଘୋଷ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନର ବିଗୁଲ ବାଜିବା ପରେ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସରଗରମ ହୋଇଛି ରାଜନୀତି। ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ବାଲିକୁଦା -ଏରସମା ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନର ପାଣିପାଗ ଉଷ୍ମ ହେବାରେ ଲାଗିଛି। ଏଠାରେ ପାଖାପାଖି ୩ ଲକ୍ଷ ଭୋଟର। ବାଲିକୁଦା ବ୍ଲକର ୩୦ଟି ପଞ୍ଚାୟତ ଓ ଏରସମା ବ୍ଲକର ୨୫ଟି ପଞ୍ଚାୟତକୁ ନେଇ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ।
ଜଗତସିଂହପୁର ଜିଲ୍ଲାର ୪ ଟି ବିଧାନସଭା କ୍ଷେତ୍ରରୁ ବାଲିକୁଦା-ଏରସମା ଅନ୍ଯତମ। ବାଲିକୁଦା ବ୍ଲକର ୩୦ଟି ପଞ୍ଚାୟତ ଓ ଏରସମା ବ୍ଲକର ୨୫ଟି ପଞ୍ଚାୟତକୁ ନେଇ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଗଠିତ। ଏଠାରେ ଜୁନ ୧ ତାରିଖରେ ମତଦାନ ହେବ। ସମୁଦାୟ ୨ ଲକ୍ଷ ୬୭ ହଜାର ୭୯୦ ଜଣ ମତଦାତା ଅଛନ୍ତି। ସେଥିରୁ ପୁରୁଷ ୧ ଲକ୍ଷ ୩୯ ହଜାର ୬୧୫, ମହିଳା ୧ ଲକ୍ଷ ୨୮ ହଜାର ୩୩୯ ଓ ତୃତୀୟ ଲିଙ୍ଗୀ ୨୬ ଜଣ ମତଦାତା ଅଛନ୍ତି। ଚଳିତ ନିର୍ବାଚନରେ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ନଳିନୀ ସ୍ୱାଇଁଙ୍କୁ ଟିକେଟ୍ ଦେଇଥିବା ବେଳେ ବିଜେପି ପ୍ରାର୍ଥୀ ହୋଇଛନ୍ତି ସତ୍ୟ ସାରଥୀ ମହାନ୍ତି। ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ନିର୍ବାଚନୀ ମାହୋଲ ଜମିଲାଣି।
୨୦୦୯ ମସିହାରୁ ଏଠାରେ ବିଜେଡି ଲଗାତାର ଭାବେ ବିଜୟର ବାନା ଉଡ଼ାଇ ଚାଲିଛି। ବିଜେଡିର ପ୍ରଶାନ୍ତ କୁମାର ମୁଦୁଲି ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ। ୨୦୧୯ ମସିହାରେ ରଘୁନନ୍ଦନ ଦାସ ବିଜେପି ଦଳରୁ ଆସି ବିଜେଡି ଟିକେଟ ପାଇ ଜିତିଥିଲେ। ୨୦୧୯ରେ ବାଲିକୁଦା- ଏରସମା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କୁ ୧୦୩, ୮୧୪ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କୁ ୪୯, ୨୩୧ ଖଣ୍ଡ ଭୋଟ ମିଳିଥିଲା। ବିଜେପିରୁ ଦାମୋଦର ରାଉତ ୩୭,୬୧୧ ଖଣ୍ଡ ଭୋଟ ପାଇଥିଲେ। ବାଲିକୁଦା- ଏରସମାରେ ପ୍ରଚାର ଜମି ଆସିଲାଣି। ଜୁନ ୧ ତାରିଖରେ ଭୋଟଗ୍ରହଣ କରାଯିବ। ଲୋକମାନେ ବିକାଶମୂଳକ କାମକୁ ଫୋକସ କରୁଛନ୍ତି। ଭୋଟ ଗଣତି ପରେ ଜଣା ପଡ଼ିବ କାହା ମୁଣ୍ଡରେ ଭୋଟର ହାତୀ ସୁନା କଳସ ଢାଳୁଛନ୍ତି।
ବିଜେଡିରେ ମିଶିଲେ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସ ନେତା
ଭୁବନେଶ୍ବର: କୋରାପୁଟ ପଟାଙ୍ଗୀରେ ବଢ଼ିଲା ବିଜେଡିର ବଳ । ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ ନେତା । ଶଙ୍ଖ ଭବନରେ ବିଜେଡି ସାଂସଦ ସସ୍ମିତ ପାତ୍ର, ମୁଖପାତ୍ର ପ୍ରିୟବ୍ରତ ମାଝୀ ଓ ପଟାଙ୍ଗୀ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । କୋରାପୁଟର ପୂର୍ବତନ ବ୍ଲକ ଚେୟାରମ୍ଯାନ ରୋବେଲ କଦମ , ପୂର୍ବତନ ପ୍ରଶାସକ ଗୋପାଳ ଚନ୍ଦ୍ର ସାହୁ , କୋଟିଆର ସମାଜସେବୀ ରବିନ କୁମାର ପାଙ୍ଗି , ପୂର୍ବତନ ବିଜେପି ବ୍ଲକ ଚେୟାରମେନ ତୁଲା ଲୁଲୁ , କଂଗ୍ରେସ ନେତା ଦୈତାରି ହନ୍ତାଳ , ପୂର୍ବତନ ଶିକ୍ଷକ ସୁକୁମାର ବିଶ୍ବାଳ , ମୋହନ ରାୟ , ପୂର୍ବତନ ନନ୍ଦପୁର ସରପଂଚ ଦମଦାର କୁସଙ୍ଗି ପ୍ରମୁଖଙ୍କ ସହ ସମର୍ଥକମାନେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ତରଫରୁ ସାଂସଦ ସସ୍ମିତ ପାତ୍ର ସମସ୍ତଙ୍କୁ ସ୍ବାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଭିଏଁ ବିଜେଡିରେ ମିଶିଥିବା କହିଛନ୍ତି ।
ନିମାପଡ଼ା ନିର୍ବାଚନ ମଣ୍ଡଳୀରେ କିଏ ମାରିବ ବାଜି?
ନନ୍ଦିଘୋଷ ବ୍ୟୁରୋ: କିଏ ହାତେଇବ ନିମାପଡା ଗଡ଼? ତାରିଖ ଘୋଷଣା ପରେ ସରଗରମ ହେଉଛି ନିମାପଡା ରାଜନୀତି। ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ ଓ ୩୨ଟି ପଞ୍ଚାୟତ ସହିତ ଗୋପ ବ୍ଲକର ୧୪ଟି ପଞ୍ଚାୟତକୁ ନେଇ ଗଠିତ ନିମାପଡା ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀରେ ୩ ପିଢି ହେବ ବିଜେଡିର ଦବଦବା ରହି ଆସିଛି।
ପୁରୀ ଜିଲ୍ଲାର ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ନିର୍ବାଚନ ମଣ୍ଡଳୀଟି ହେଉଛି ନିମାପଡା। ଏଠାରେ ମେଟ ଭୋଟର ହେଲେ ୨ଲକ୍ଷ ୪୬ହଜାର ୭୨୬ ଜଣ ଭୋଟର। ପୁରୁଷ ଭୋଟର ସଂଖ୍ୟା ୧ଲକ୍ଷ ୨୬ହଜାର ୩୧୦, ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୦ହଜାର ୪୦୮ରହିଛି। ସମୁଦାୟ ୨୮୦ଟି ବୁଥ କରାଯାଉଥିବା ବେଳେ ଏଥିରେ ୬୦ରୁ ଉର୍ଦ୍ଧ୍ବ ସମ୍ବେଦନଶୀଳ ବୁଥ ରହିଛି। ଏଥର ନିର୍ବାଚନ ପାଇଁ ସମୀର ଦାସଙ୍କ ବଦଳରେ ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି।
୨୦୦୦ରୁ ୨୦୦୯ମସିହା ପର୍ଯ୍ୟନ୍ତ ୨ଟି ପିଢ଼ି ଏଠାରେ ମେଣ୍ଟ ସରକାରରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ ବିଜେପିର ବାଇଧର ମଲ୍ଲିକ। ୨୦୦୦ମସିହାରେ ତାଙ୍କୁ ମିଳିଥିଲା ୫୨ହଜାର ୩୫୧ଖଣ୍ଡ ଭୋଟ ଏବଂ ତାଙ୍କ ସହ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସର ରବୀନ୍ଦ୍ର କୁମାର ସେଠୀଙ୍କୁ ମିଳିଥିଲା ୨୭ହଜାର ୭୫୧ ଖଣ୍ଡ ଭୋଟ। ସ୍ଵାଧୀନରୁ ପ୍ରାର୍ଥୀ ହୋଇଥିବା ବେଣୁଧର ସେଠୀଙ୍କୁ ମଧ୍ୟ ମିଳିଥିଲା ୨୪ହଜାର ୬୬୨ଖଣ୍ଡ ଭୋଟ। ୨୦୦୪ ମସିହା ନିର୍ବାଚନରେ ୧ଲକ୍ଷ ୩୪ହଜାର ୯୭୫ ଜଣ ଭୋଟର ମତ ସାବ୍ୟସ୍ତ କରିଥିବା ବେଳେ ବାଇଧରଙ୍କୁ ମିଳିଥିଲା ୬୧ ହଜାର ୪୨୧ ଖଣ୍ଡ ଭୋଟ। ମେଣ୍ଟ ଥିଲେ ମଧ୍ୟ ସମୀରଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ସମର୍ଥନ ଯୋଗୁ ସ୍ଵାଧୀନ ପ୍ରାର୍ଥୀ ଭାଗିରଥି ରାଉତ ପାଇଥିଲେ ୩୩ ହଜାର ୧୪୧ଖଣ୍ଡ ଭୋଟ।
ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇ ଲଢ଼ୁଥିବା ରବୀନ୍ଦ୍ର କୁମାର ସେଠୀଙ୍କୁ ମିଳିଥିଲା ୩୭ ହଜାର ୧୭୯ଖଣ୍ଡ ଭୋଟ। ୨୦୦୯ ମସିହାରେ ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ସମୀର ରଞ୍ଜନ ଦାଶ। ପ୍ରଥମ ଥର ନିର୍ବାଚନ ଲଢ଼ି ୩୯ ହଜାର ୧୫୪ ଖଣ୍ଡ ଭୋଟରେ ଜିତିଥିଲେ। ୨୦୧୪ମସିହାରେ ୨୯ ହଜାର ୬୩୭ ଏବଂ ୨୦୧୯ ମସିହାରେ ୩୨ହଜାର ୮ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ। ୨୦୧୯ମସିହାରେ ସେହିପରି ବିଜେଡିର ସମୀରଙ୍କୁ ଟକ୍କର ଦେଇଥିଲେ ବିଜେପିର ପ୍ରଭାତୀ ପରିଡା। କିନ୍ତୁ ପଛରେ ପଡିଯାଇଥିଲେ। ପ୍ରତି ନିର୍ବାଚନରେ ବିଜେଡିର ଭୋଟହାର ୫୦ ପ୍ରତିଶତରୁ ଉର୍ଦ୍ଧ୍ବ ରହିଆସୁଥିଲା। ୨୦୦୯ମସିହାରୁ କ୍ରମାଗତ ଭାବେ ନିମାପଡ଼ାରେ ବିଜେଡିର ଦବଦବା ବଢି ଚାଲିଛି। ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଉନୟନ ଓ ବିକାଶ ମୂଳକ କାର୍ଯ୍ୟ ପାଇଁ ବିଜେଡିର ଲୋକ ପ୍ରିୟତା ଅକ୍ଷୁଣ୍ଣ ରହିଛି।
ଟେଲିଗ୍ରାମ ଜରିଆରେ ସାଇବର ଠକେଇ
ନନ୍ଦିଘୋଷ ବ୍ୟୁରୋ: ଟେଲିଗ୍ରାମ ଜରିଆରେ ସାଇବର ଠକେଇ। ୧୧ ଲକ୍ଷ ଠକେଇ ପରେ ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ । ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। ୨୦ ପ୍ରତିଶତ ସୁଧ ଦେବାକୁ କହି ଜଣଙ୍କ ଠାରୁ ପାଖାପାଖି ୧୨ ଲକ୍ଷ ଠକିନେବା ପରେ ୩ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ। ସକାଳୁ ୫ ହଜାର ଦେଲେ ରାତିରେ ମିଳିବ ୬ ହଜାର। ଇଜି ମନି ପାଇବା ଆଶାରେ ଲକ୍ଷାଧିକ ଟଙ୍କା ଠକେଇ। ରାଜ୍ୟ ବାହାରେ ରହି ଅପରେଟ କରୁଛି ମାଷ୍ଟରମାଇଣ୍ଡ । ଆର୍ଥିକ କାରବାର ଘଟଣାରେ RBI କୁ ଚିଠି ଲେଖିଲା କମିଶନରେଟ ପୋଲିସ୍ । ଆପଣ ଟେଲିଗ୍ରାମ ବ୍ୟବହାର କରୁଛନ୍ତି କି ? ଯଦି ବ୍ୟବହାର କରୁଛନ୍ତି ତେବେ ବେନାମୀ ଲିଙ୍କ ପ୍ରତି ହୋଇଯାଆନ୍ତୁ ସାବଧାନ। ଲୋଭର ବଶବର୍ତ୍ତୀ ହୋଇ ଲିଙ୍କ କ୍ଲିକ କଲେ ଆପଣ ହୋଇପାରନ୍ତି ବର୍ବାଦ। ଗତ ଫେବୃଆରୀ ୨ ତାରିଖରେ ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଗାଁର ଅବଦୁଲ ଆକବର ଖାଁ ସାଇବର ଥାନାରେ ଏକ ଅଭିଯୋଗ ଆଣିଥିଲେ । ଅନଲାଇନ ପ୍ଲାଟଫର୍ମରେ ଚାକିରୀ ଓ ମୋଟା ଅଙ୍କର ସୁଧ ଦେବାର ଲୋଭ ଦେଖାଇ ଏକ ଟେଲିଗ୍ରାମ ଲିଙ୍କ ତାଙ୍କ ପାଖକୁ ପଠାଇଥିଲା ଠକ । ପ୍ରଥମେ ୫ ହଜାର ଟଙ୍କା ଖର୍ଚ୍ଚ କରି ୨୪ ଘଣ୍ଟା ମଧ୍ୟରେ ହଜାରେ ଟଙ୍କା ଲାଭ ପାଇଥିଲେ ଅଭିଯୋଗକାରୀ । ପରେ ଲୋଭର ବସବର୍ତ୍ତୀ ହୋଇ ଟଙ୍କା ଲଗାଇବା ପରେ ୧୬ ଟି ବ୍ୟାଙ୍କ ଆକାଉଣ୍ଟ ରୁ ଚାଲିଯାଇଥିଲା ୧୧ ଲକ୍ଷରୁ ଉର୍ଦ୍ଧ ଟଙ୍କା । ଅଭିଯୋଗ ପାଇବା ପରେ ପୋଲିସ, ଏୟାରଫିଲଡ଼ ଅଞ୍ଚଳର ତୃପ୍ତି ରଞ୍ଜନ ପାତ୍ର, ସ୍ତ୍ରୀ ବନଲତା ସାହୁ, ବଲାଙ୍ଗୀର ଅଞ୍ଚଳର ମାନସ ରଞ୍ଜନ ସୁନା, ସୁନ୍ଦରପଦା କଣ୍ଟିଲୋର ନିହାର ରଞ୍ଜନ ପାଇକରାୟଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ମାଷ୍ଟରମାଇଣ୍ଡ ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାରା ଦେଶରେ ଏହି ଟେଲିଗ୍ରାମ ଠକେଇ ଚାଲିଛି । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଛାନଭିନ ଜାରି ରହିଛି। ଫେକ ଡକ୍ୟୁମେଣ୍ଟ ବ୍ୟବହାର କରାଯାଇ ୪୬ ଟି ମ୍ୟୁଲ ଆକାଉଣ୍ଟ ଜରିଆରେ ଠକେଇ ହୋଇଛି । ମ୍ୟୁଲ ଆକାଉଣ୍ଟ ଜରିଆରେ ୪୬ ଲକ୍ଷ ଟ୍ରାଞ୍ଜକସନ ହୋଇଥିବା ଜାଣିବାକୁ ପାଇଛି ପୋଲିସ। ଏ ସମ୍ପର୍କରେ ଖୁବଶୀଘ୍ର ଆରବିଆଇକୁ ଅବଗତ କରାଯିବ। ସେପଟେ ଏଭଳି ଠକେଇରୁ କିଭଳି ବର୍ତ୍ତିବେ, ସେ ନେଇ ସାଇବର ଥାନା ପକ୍ଷରୁ ଜାରି ହୋଇଛି ଆଡଭାଇଜରି।
ରେଢାଖୋଲରେ ବିଜେପିରେ ଅସନ୍ତୋଷ, ଦେବେନ୍ଦ୍ର ମହାପାତ୍ରଙ୍କ ପ୍ରାର୍ଥୀତ୍ବକୁ ବିରୋଧ
ରେଢ଼ାଖୋଲ: ଟିକେଟ ଘୋଷଣା ପରେ ବିଜେପିରେ ବିବାଦ। ରେଢାଖୋଲରେ ବିଜେପି କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ବିଜେପି କର୍ମୀ। ଆଶାୟୀ ପ୍ରାର୍ଥୀ ଗୋବିନ୍ଦ ଅଗ୍ରୱାଲ ଦୀର୍ଘ ଦିନ ଧରି ବିଜେପି ପାଇଁ କାମ କରି ଲୋକପ୍ରିୟତା ସାଉଁଟିଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ ଦେବା ବଦଳରେ ଦେବେନ୍ଦ୍ର ମହାପାତ୍ରଙ୍କୁ ଟିକେଟ ଦେଇଛି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ବିଜେପି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେପି କର୍ମୀ। ଯେପର୍ଯ୍ୟନ୍ତ ରେଢାଖୋଲର ପ୍ରାର୍ଥୀ ପରିବର୍ତ୍ତନ କରାଯାଇନି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। ଦେବେନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ ପରିବର୍ତ୍ତନ କରାଯାଇ ଗୋବିନ୍ଦ ଅଗ୍ରୱାଲଙ୍କୁ ତୁରନ୍ତ ଟିକେଟ ଦେବାକୁ ଦାବି କରିଛନ୍ତି ଗୋବିନ୍ଦଙ୍କ ସମର୍ଥକ।
ରାଜଧାନୀରେ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିଲେ ସାବଧାନ
ଭୁବନେଶ୍ବର: ମହିଳାଙ୍କୁ ଦୁର୍ବ୍ୟବହାର ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼। ଏଭଳି ମେସେଜ ଦେଇ କମିଶନରେଟ ପୋଲିସ ଆରମ୍ଭ କରିଛି HER ବା High Efficiency Response । କୌଣସି କର୍ମଜୀବୀ ମହିଳାଙ୍କୁ ଦୁର୍ବ୍ୟବହାର ବା ମହିଳାଙ୍କୁ ନିର୍ଯ୍ୟାତନା ଘଟଣାରେ ଆକ୍ସନ ନେଉଛି ଏହି ଟିମ । କିଛିଦିନ ତଳେ ହାଇଟେକ ମେଡ଼ିକାଲ କଲେଜର ଜଣେ ନର୍ସଙ୍କୁ ଦୁର୍ବ୍ୟବହାର ଘଟଣାରେ ଆକ୍ସନ ନେଇଛି ପୋଲିସ । ସେହିଭଳି ଗତକାଲି ରାମ ନବମୀ ବେଳେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଟିମର ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ସୁରକ୍ଷା। ଏ ଟିମ ର ନେତୃତ୍ୱ ନେଉଛନ୍ତି ଏସିପି ଅଞ୍ଜନା ଟୁଡୁ । ମୋଟ ୧୪ ଜଣ ମହିଳା ପୋଲିସ ଅଫିସର ଏହି ଟିମ ର ମେମ୍ବର ରହିଛନ୍ତି । ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ନମ୍ବର ହେଉଛି ୬୩୭୨୫୦୦୪୦୦। ଯେଉଁମାନେ ଅସୁବିଧା ସମୟରେ ଏହି ନମ୍ବରକୁ କଲ କରିବେ ସେମାନଙ୍କ ନମ୍ବର ମଧ୍ୟ ଗୋପନ ରଖାଯିବ। ପୋଲିସ ମଧ୍ୟ ଅଧିକାଂଶ କେସରେ ନିଜ ତରଫରୁ କେସ ରୁଜୁ କରୁଛି। ପିସିଆର ନମ୍ବର ୧୧୨ କୁ କଲ କଲେ ମଧ୍ୟ ଏହି ନମ୍ବରକୁ ଡାଇଭର୍ଟ କରାଯାଉଛି। ଖଟି, ମାର୍କେଟ, ପାର୍କ ରେ ସାଦା ପୋଷାକରେ ପଇଁତରା ମାରୁଛନ୍ତି ଏହି ମହିଳା ସ୍କ୍ୱାର୍ଡ। ଆଗକୁ ଏହି ଟିମ ମହିଳାଙ୍କୁ ଦୁର୍ବ୍ୟବହାର ଓ ନିର୍ଯ୍ୟାତନା ଘଟଣାରେ ଅଭିଯୁକ୍ତଙ୍କୁ ଦୃଢ଼ ହସ୍ତରେ ଦମନ କରିବ ବୋଲି କହିଛନ୍ତି ଡିସିପି।
କାଲି ଦେଶରେ ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ୍
ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ-୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଶେଷ ହୋଇଛି। ଆସନ୍ତା ୧୯ ତାରିଖ ଦିନ ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ୧୦୨ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏଥର ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ଜୁନ୍ ୧ରେ ମତଦାନ ପ୍ରକ୍ରିୟା ଶେଷ ହେବ ଏବଂ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିବସରେ ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସ ପକ୍ଷରୁ ମାରାଥନ ପ୍ରଚାର ଦେଖିବାକୁ ମିଳିଛି। ଉଭୟ ଦଳର ବରିଷ୍ଠ ନେତାମାନେ ବିଭିନ୍ନ ରାଜ୍ୟରେ ରାଲି, ରୋଡ୍ ସୋ ଏବଂ ଘରକୁ ଘର ପ୍ରଚାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ଓ ତ୍ରିପୁରାରେ ୨ଟି ମେଗା ରାଲିରେ ଉଦ୍ବୋଧନ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କର୍ଣ୍ଣାଟକରେ ଦୁଇଟି ରାଲିରେ ଉଦ୍ବୋଧନ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେରଳରେ ୩ଟି ରାଲି କରିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଆଜି ଉତ୍ତରପ୍ରଦେଶର ଶାହରଣପୁରରେ ଏକାଧିକ ଜନସଭାରେ ଉଦ୍ବୋଧନ ଦେଇଛନ୍ତି।
ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ରାଜନୈତିକ ସଭାରେ ଯୋଗଦେବା
ବୌଦ୍ଧ: ରାଜନୈତିକ ସଭାରେ ଯୋଗଦେଇ ଫସିଲେ ସରକାରୀ ଶିକ୍ଷକ। ବୈଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବଉଳସିଙ୍ଗା ସରକାରୀ ଅପର ପ୍ରାଇମେରି ସ୍କୁଲର ସହକାରୀ ଶିକ୍ଷକ ରୋହିତେଶ୍ବର ମଲ୍ଲିକ ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ଏକ ରାଜନୈତିକ ସଭାରେ ଯୋଗଦେଇଥିଲେ। ଏନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେଣୁ ଗୁରୁବାର ତାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ।ପୂର୍ବରୁ ଏସମ୍ପର୍କରେ ଜିଲ୍ଲାରେ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଥିବା ବେଳେ ଜଣଙ୍କୁ ନିଲମ୍ବନ କରାଯାଇଥିଲା। ଗୁରୁବାର ପୁଣି ଜଣେ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ।
ନାମାଙ୍କନ ଭରିଲେ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ
ନବରଙ୍ଗପୁର: ନାମାଙ୍କନ ଦାଖଲ କଲେ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ନିର୍ବାଚନ ମଣ୍ଡଳି ମଧ୍ଯରେ ରହିଛି ନବରଙ୍ଗପୁର । ଏଣୁ ସମର୍ଥକଙ୍କ ସହ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୁଜବଳ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏବେଠୁ ନିର୍ବାଚନକୁ ଜୋରଦାର କରିବା ସହ ଦଳ ଭଲ ପ୍ରଦର୍ଶନ କରିବାକୁ ସେ ଆଶା ରଖିଛନ୍ତି ।

