ନିମାପଡ଼ା ନିର୍ବାଚନ ମଣ୍ଡଳୀରେ କିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: କିଏ ହାତେଇବ ନିମାପଡା ଗଡ଼? ତାରିଖ ଘୋଷଣା ପରେ ସରଗରମ ହେଉଛି ନିମାପଡା ରାଜନୀତି। ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ ଓ ୩୨ଟି ପଞ୍ଚାୟତ ସହିତ ଗୋପ ବ୍ଲକର ୧୪ଟି ପଞ୍ଚାୟତକୁ ନେଇ ଗଠିତ ନିମାପଡା ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀରେ ୩ ପିଢି ହେବ ବିଜେଡିର ଦବଦବା ରହି ଆସିଛି।

ପୁରୀ ଜିଲ୍ଲାର ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ନିର୍ବାଚନ ମଣ୍ଡଳୀଟି ହେଉଛି ନିମାପଡା। ଏଠାରେ ମେଟ ଭୋଟର ହେଲେ ୨ଲକ୍ଷ ୪୬ହଜାର ୭୨୬ ଜଣ ଭୋଟର। ପୁରୁଷ ଭୋଟର ସଂଖ୍ୟା ୧ଲକ୍ଷ ୨୬ହଜାର ୩୧୦, ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୦ହଜାର ୪୦୮ରହିଛି। ସମୁଦାୟ ୨୮୦ଟି ବୁଥ କରାଯାଉଥିବା ବେଳେ ଏଥିରେ ୬୦ରୁ ଉର୍ଦ୍ଧ୍ବ ସମ୍ବେଦନଶୀଳ ବୁଥ ରହିଛି। ଏଥର ନିର୍ବାଚନ ପାଇଁ ସମୀର ଦାସଙ୍କ ବଦଳରେ ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି।

୨୦୦୦ରୁ ୨୦୦୯ମସିହା ପର୍ଯ୍ୟନ୍ତ ୨ଟି ପିଢ଼ି ଏଠାରେ ମେଣ୍ଟ ସରକାରରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ ବିଜେପିର ବାଇଧର ମଲ୍ଲିକ। ୨୦୦୦ମସିହାରେ  ତାଙ୍କୁ ମିଳିଥିଲା ୫୨ହଜାର ୩୫୧ଖଣ୍ଡ ଭୋଟ ଏବଂ ତାଙ୍କ ସହ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସର ରବୀନ୍ଦ୍ର କୁମାର ସେଠୀଙ୍କୁ ମିଳିଥିଲା ୨୭ହଜାର ୭୫୧ ଖଣ୍ଡ ଭୋଟ। ସ୍ଵାଧୀନରୁ ପ୍ରାର୍ଥୀ ହୋଇଥିବା ବେଣୁଧର ସେଠୀଙ୍କୁ ମଧ୍ୟ ମିଳିଥିଲା ୨୪ହଜାର ୬୬୨ଖଣ୍ଡ ଭୋଟ। ୨୦୦୪ ମସିହା ନିର୍ବାଚନରେ ୧ଲକ୍ଷ ୩୪ହଜାର ୯୭୫ ଜଣ ଭୋଟର ମତ ସାବ୍ୟସ୍ତ କରିଥିବା ବେଳେ ବାଇଧରଙ୍କୁ ମିଳିଥିଲା ୬୧ ହଜାର ୪୨୧ ଖଣ୍ଡ ଭୋଟ। ମେଣ୍ଟ ଥିଲେ ମଧ୍ୟ ସମୀରଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ସମର୍ଥନ ଯୋଗୁ ସ୍ଵାଧୀନ ପ୍ରାର୍ଥୀ ଭାଗିରଥି ରାଉତ ପାଇଥିଲେ ୩୩ ହଜାର ୧୪୧ଖଣ୍ଡ ଭୋଟ।

ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇ ଲଢ଼ୁଥିବା ରବୀନ୍ଦ୍ର କୁମାର ସେଠୀଙ୍କୁ ମିଳିଥିଲା ୩୭ ହଜାର ୧୭୯ଖଣ୍ଡ ଭୋଟ। ୨୦୦୯ ମସିହାରେ ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ସମୀର ରଞ୍ଜନ ଦାଶ। ପ୍ରଥମ ଥର ନିର୍ବାଚନ ଲଢ଼ି ୩୯ ହଜାର ୧୫୪ ଖଣ୍ଡ ଭୋଟରେ ଜିତିଥିଲେ। ୨୦୧୪ମସିହାରେ ୨୯ ହଜାର ୬୩୭ ଏବଂ ୨୦୧୯ ମସିହାରେ ୩୨ହଜାର ୮ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ। ୨୦୧୯ମସିହାରେ ସେହିପରି ବିଜେଡିର ସମୀରଙ୍କୁ ଟକ୍କର ଦେଇଥିଲେ ବିଜେପିର ପ୍ରଭାତୀ ପରିଡା। କିନ୍ତୁ ପଛରେ ପଡିଯାଇଥିଲେ। ପ୍ରତି ନିର୍ବାଚନରେ ବିଜେଡିର ଭୋଟହାର ୫୦ ପ୍ରତିଶତରୁ ଉର୍ଦ୍ଧ୍ବ ରହିଆସୁଥିଲା। ୨୦୦୯ମସିହାରୁ କ୍ରମାଗତ ଭାବେ ନିମାପଡ଼ାରେ ବିଜେଡିର ଦବଦବା ବଢି ଚାଲିଛି। ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଉନୟନ ଓ ବିକାଶ ମୂଳକ କାର୍ଯ୍ୟ ପାଇଁ ବିଜେଡିର ଲୋକ ପ୍ରିୟତା ଅକ୍ଷୁଣ୍ଣ ରହିଛି।