spot_img
Home Blog Page 1914

କିପରି ରହିବ ବିଜେଡିର ନିର୍ବାଚନୀ ଇସ୍ତାହାର ରୂପରେଖ, ବସିଲା ଦଳର ପ୍ରଥମ ବୈଠକ

 

ଭୁବନେଶ୍ୱର: କିପରି ରହିବ ବିଜେଡିର ନିର୍ବାଚନୀ ଇସ୍ତାହାର ରୂପରେଖ। ସେନେଇ ଶଙ୍ଖ ଭବନରେ କମିଟିର ପ୍ରଥମ ଇସ୍ତାହାର କମିଟି ବୈଠକ ଆରମ୍ଭ ହୋଇଛି। ଗତ ବୁଧବାର ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା ବିଜେଡି। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଉପସଭାପତି ଦେବୀ ମିଶ୍ରଙ୍କ ସମେତ ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରାଙ୍କ ସହ ମୋଟ ୭ ଜଣ ସହ-ଅଧ୍ୟକ୍ଷ ରହିଛନ୍ତି । ଅମର ପଟ୍ଟନାୟକଙ୍କୁ ଆବାହକ ଭାବେ ଦାୟିତ୍ଵ ଦିଆଯାଇଛି। ୨୫ ଜଣ ସଦସ୍ୟ ରହିଛନ୍ତି।

ବିଜେଡି ସରକାରକୁ ଆସିଲେ ଲୋକଙ୍କ ପାଇଁ କ’ଣ କରିବ ସେ ନେଇ ପ୍ରସ୍ତୁତ ହେବ ଇସ୍ତାହାର। ଏହି କମିଟିର ପରାମର୍ଶ ଆଧାରରେ ପ୍ରସ୍ତୁତ ହେବ ଇସ୍ତାହାର।

ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମପ୍ରବାହ, ୧୭ରୁ ୨୦ ଯାଏଁ ସାଂଘାତିକ ସ୍ଥିତି

ଭୁବନେଶ୍ୱର: ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମପ୍ରବାହ। ଆସନ୍ତା ୧୭ ରୁ ୨୦ ଯାଏଁ ସାଙ୍ଘାତିକ ସ୍ଥିତି। ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ୧୫ ଡିଗ୍ରୀ ଯାଏଁ ବଢିବ ପାରଦ । ଅଧିକାଂଶ ସହରର ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଆଜିଠୁ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବଢିବ। ପରବର୍ତ୍ତୀ ୪ ରୁ ୫ ଦିନ ମଧ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ। ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିଭଳି ୧୫ ତାରିଖରେ ଉପକୂଳ ସହ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି । ୧୬ ତାରିଖରେ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, ଯାଜପୁର, ନୟାଗଡ, ବୌଦ୍ଧ, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ମହଙ୍ଗା ପଡୁଛି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ମୋହ, ୩ଟି ସାଧାରଣ ନିର୍ବାଚନରେ ୪୬ କୋଟି ଟଙ୍କା ବାଜ୍ୟାପ୍ତି

ନୂଆଦିଲ୍ଲୀ: ମହଙ୍ଗା ପଡୁଛି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ମୋହ। ଆବଶ୍ୟକତା ନଥିବା ସହ ଜନ ସମର୍ଥନ ନଥିବା ସତ୍ତ୍ବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଫଳ ହେବା ଉଦାହରଣକୁ ନେଇ ପ୍ରକାଶ ପାଇଛି ରିପୋର୍ଟ। ଗତ ତିନୋଟି ସାଧାରଣ ନିର୍ବାଚନରେ ୨୧ ହଜାର ପ୍ରାର୍ଥୀଙ୍କ ପ୍ରାୟ ୪୬ କୋଟି ଟଙ୍କା ବାଜ୍ୟାପ୍ତି ହୋଇଛି। ୨୦୦୯, ୨୦୧୪, ୨୦୧୯ ନିର୍ବାଚନର ଏହି ତଥ୍ୟ ପଦାକୁ ଆସିଛି।

ଭାରତୀୟ ନିର୍ବାଚନ କମିଶନ ନିୟମାବଳୀ ଅନୁସାରେ, ଜଣେ ଲୋକସଭା ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବାବେଳେ ୨୫ ହଜାର ଟଙ୍କା ଜମାଦେବାକୁ ପଡିଥାଏ। ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ଏହି ପରିମାଣ ରହିଛି ପ୍ରାୟ ୧୨ ହଜାର ଟଙ୍କା। ସର୍ଭେ ଅନୁସାରେ ୧୯୯୯ ପରଠାରୁ ଲଗାତାର ଭାବେ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅମାନତ ହରାଉଥିବାରୁ ସେମାନଙ୍କ ଦ୍ବାରା ଜମା ହୋଇଥିବା ଅର୍ଥ ବି ବାଜ୍ଯାପ୍ତ ହେଉଛି । ୨୦୦୯ ମସିହାରେ ୮ ହଜାର ୭୦ ଜଣ ପ୍ରାର୍ଥୀ ଥିବାବେଳେ ସେମାନଙ୍କ ମଧ୍ଯରୁ ଜମାରାଶି ହରାଇଥିଲେ ୬ ହଜାର ୮୨୯ ପ୍ରାର୍ଥୀ। ୨୦୧୪ ମସିହାରେ ୮ ହଜାର ୨୫୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜମା ଅର୍ଥ ହରାଇଥିଲେ ୭ ହଜାର ପ୍ରାର୍ଥୀ। ୨୦୧୯ ମସିହାରେ ୮ ହଜାର ୫୪ ପ୍ରାର୍ଥୀଙ୍କ ମଧ୍ୟରୁ ଜମା ରାଶି ହରାଇଥିଲେ ୬ ହଜାର ୯୨୩ ପ୍ରାର୍ଥୀ। ଇସିଆଇ ତଥ୍ଯ ଅନୁସାରେ ୨୦୦୯, ୨୦୧୪, ୨୦୧୯ ନିର୍ବାଚନରେ ପ୍ରାୟ ୮୫ ପ୍ରତିଶତ ପ୍ରାର୍ଥୀ ସିକ୍ଯୁରିଟି ଡିପୋଜିଟ ହରାଇଛନ୍ତି। ନିୟମ ଅନୁସାରେ ଦିଆଯାଇଥିବା ବୈଧ ଭୋଟର ଏକ ଷଷ୍ଠାଂଶ ହାସଲ କରିବାରେ ବିଫଳ ହେଲେ ଜଣେ ପ୍ରାର୍ଥୀଙ୍କ ଅମାନତ ରାଶି ବାଜ୍ଯାପ୍ତି ହୋଇଥାଏ।

୨୦୦୯ ରୁ ୨୦୧୯ ମଧ୍ୟରେ ମୋଟ ୨୪ ହଜାର ୩୭୫ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ। ସେମାନଙ୍କ ମଧ୍ୟରୁ ୨୦ ହଜାର ୭୫୨ ପ୍ରାର୍ଥୀ ଅମାନତ ରାଶି ହରାଇଥିଲେ। ୨୦୦୯ରେ ୧୫ କୋଟି ୫୯ ଲକ୍ଷ, ୨୦୧୪ ରେ ୧୪ କୋଟି ୫୭ ଲକ୍ଷ ଓ ୨୦୧୯ ରେ ୧୫ କୋଟି ୮୬ ଲକ୍ଷ ଟଙ୍କାର ଜମାରାଶି ବାଜ୍ଯାପ୍ତି ହୋଇଛି।

୧୯୫୧ ମସିହାରେ ହୋଇଥିବା ନିର୍ବାଚନରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ମୋଟ ପ୍ରାର୍ଥୀ ସଂଖ୍ୟା ଥିଲେ ୯ ହଜାର ୬୭ । ସେତେବେଳ ବାଜ୍ଯାପ୍ତ ଅର୍ଥ ପରିମାଣ ଥିଲା ୨୨ ଲକ୍ଷ ୮୦ ହଜାର ଟଙ୍କା । ସେତେବେଳେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଲାଗି ଜମାରାଶି ଥିଲା ୫ ଶହ ଟଙ୍କା । ଏସସି ଓ ଏସଟି ବର୍ଗର ପ୍ରାର୍ଥୀଙ୍କ ଲାଗି ଜମାରାଶି ଥିଲା ୨୫୦ ଟଙ୍କା।

ସରକାରୀ କର୍ମଚାରୀଙ୍କୁ ଧମକ ଦେଉଛନ୍ତି ବିଜେପି ନେତା ପ୍ରଶାନ୍ତ ଓ ପ୍ରଦୀପ

ଭୁବନେଶ୍ୱର: ଆଶା ଦିଦି, ଅଙ୍ଗନୱାଡି କର୍ମୀଙ୍କୁ ବିଜେପି ଅପମାନିତ ଓ ଧମକାଉଛି। ବିଜେପି କର୍ମୀ ବାରମ୍ବାର ସରକାରୀ କର୍ମୀଙ୍କୁ ଧମକାଉଛନ୍ତି। ଓଡ଼ିଶା ବିଜେପିର କିଛି ନେତା ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି। ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଓ ପ୍ରଦୀପ ପାଣିଗ୍ରାହୀ ସରକାରୀ କର୍ମଚାରୀଙ୍କୁ ଧମକ ଦେଉଥିବା ବିଜେଡି ଅଭିଯୋଗ କରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜିବ କୁମାରଙ୍କୁ ସାକ୍ଷାତ କରି ବିଜେଡି ଏନେଇ ତା’ର ଅଭିଯୋଗ ରଖିଛି ।
ସିଇଓଙ୍କୁ ସାକ୍ଷାତ କରିବା ପରେ ସାମ୍ବାଦିକଙ୍କ ଆଗରେ ନିଜ ପ୍ରତିକ୍ରିୟା ରଖି ସାଂସଦ ସସ୍ମିତ ପାତ୍ର କହିଥିଲେ ଯେ, ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବ ଗଣମାଧ୍ୟମ ଓ ସରକାରୀ କର୍ମଚାରୀଙ୍କୁ ଧମକ ଦେଉଛନ୍ତି। ସସ୍ମିତ ପାତ୍ର କହିଛନ୍ତି ଯେ, ପ୍ରଶାନ୍ତ ଖୋଲାଖୋଲି ଜଙ୍କିଆରେ ଜଣେ ସାମ୍ବାଦିକଙ୍କୁ ପିଟିଛନ୍ତି । କେବଳ ଏତିକି ନୁହେଁ ସେ ରାତିରେ ମଦ ପିଇ ଜଙ୍କିଆ ଥାନାକୁ ଯାଇ ପୋଲିସକୁ ଧମକାଇଥିଲେ। ଏଫଆଇଆର ନରଖିବାକୁ ସେ ପୋଲିସକୁ କହିଥିଲେ। ଏହା ପୂର୍ବରୁ ସେ ଜଙ୍କିଆ ଥାନା ଅଧିକାରୀଙ୍କୁ ଫୋନ ଯୋଗେ ଧମକ ଦେଇଥିଲେ। ଫୋନରେ ଧମକ ଦେବା ପରେ ପ୍ରଶାନ୍ତ ଜଗଦ୍ଦେବ ରାତି ୧୦.୩୦ରେ ଥାନାରେ ପହଂଚି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଧମକ ଦେଇଥିଲେ ବୋଲି ସାଂସଦ ସସ୍ମିତ ପାତ୍ର ସାମ୍ବାଦିକଙ୍କୁ କହିଛନ୍ତି।

ସେହିଭଳି ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଖୋଲାମଞ୍ଚରୁ ନିର୍ବାଚନୀ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସରକାରୀ କର୍ମଚାରୀଙ୍କୁ ଗଣମାଧ୍ୟମ ସାମ୍ନାରେ ଧମକାଇଥିଲେ ବୋଲି ସସ୍ମିତ ଅଭିଯୋଗ କରିଛନ୍ତି। ଗଞ୍ଜାମ ଓ ଗଜପତି ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ପ୍ରଦୀପ ଧମକାଉଥିବା ବିଜେଡି ଅଭିଯୋଗ କରିଛି।
ଅଭିଯୋଗ ସତ୍ତ୍ୱେ ବିଜେପି ନେତା ଓ କର୍ମୀଙ୍କ ଦାଦାଗିରି ଜାରିଥିବାରୁ ସେମାନେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଆସିବାକୁ ବାଧ୍ୟ ହୋଇଛନ୍ତି ବୋଲି ସସ୍ମିତ କହିଛନ୍ତି। କେବଳ ଏତିକି ନୁହେଁ ସସ୍ମିତ ବିଜେପି ନେତାଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନାମ ନେଇ ଦାଦାଗିରିର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ନାମରେ ବିଜେପି ନେତା ଦାଦାଗିରି କରୁଛନ୍ତି। ସେମାନେ ନିର୍ବାଚନ କମିଶନଙ୍କ ନାମରେ ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି। ନିର୍ବାଚନୀ କାର୍ଯ୍ଯକ୍ରମରେ ସାମିଲ ଥିବା ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଦ୍ୱାରା କେମିତି ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ ?
ବିଜେପି ନେତା ଓ କର୍ମୀ ବିଭିନ୍ନ ଭାବରେ ଧମକ ଦେଉଛନ୍ତି। ତହସିଲଦାର, ବିଡିଓ ଓ ପୋଲିସ ଅଧିକାରୀଙ୍କୁ ଓଡ଼ିଶା ବିଜେପିର ନେତା ଧମକ ଦେଉଛନ୍ତି ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

ପ୍ରାର୍ଥୀତ୍ବ ନେଇ ବିଜେପିରେ କନ୍ଦଳ, ବୀରମହାରାଜପୁର ବିଜେପି ପ୍ରାର୍ଥୀଙ୍କୁ ଦୃଢ଼ ବିରୋଧ

ସୁବର୍ଣ୍ଣପୁର: ପ୍ରାର୍ଥୀତ୍ବ ନେଇ ବିଜେପିରେ କନ୍ଦଳ। ସୁବର୍ଣ୍ଣପୁର ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କୁ ଆଶାୟୀ ନେତା ଓ ତାଙ୍କ ସମର୍ଥକ ଦୃଢ଼ ବିରୋଧ କରିଛନ୍ତି। ବିଜେପି ଟିକେଟ ଆଶାୟୀ ଥିବା ଆନନ୍ଦ ବାରିକଙ୍କୁ ଟିକେଟ ନମିଳି ରଘୁନାଥ ଜଗଦଳାଙ୍କୁ ଟିକେଟ ମିଳିଛି। ଯାହାକୁ ନେଇ ଆନନ୍ଦ ବାରିକ ଏବଂ ସମର୍ଥକମାନେ ବିରୋଧ କରିବା ସହିତ ରାଜ୍ୟ ନେତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରଘୁନାଥ ଜଗଦଳାଙ୍କ ଟିକେଟ କାଟି ଆନନ୍ଦ ବାରିକଙ୍କୁ ଟିକେଟ ଦେବା ପାଇଁ ସମର୍ଥକମାନେ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ୨୦୧୪ ନିର୍ବାଚନରେ ବିଜେପି ଟିକେଟ ପାଇ ହାରିଥିଲେ ଆନନ୍ଦ ବାରିକ। ସେ କହିଛନ୍ତି ଯେ, ବୀରମହାରାଜପୁରରେ ଆମେ ବିଜେପିର ମୂଳଦୁଆ ପକାଇ ଥିବା ବେଳେ ଅନ୍ୟମାନେ ଟିକେଟ ପାଇବେ, ଏହା ଚଳିବ ନାହିଁ। ଆନନ୍ଦ ବାରିକଙ୍କୁ ଟିକେଟ ନମିଳିଲେ ରଘୁନାଥ ଜଗଦଳାଙ୍କୁ ତୀବ୍ର ବିରୋଧ କରାଯିବ ବୋଲି ଆନନ୍ଦଙ୍କ ଗୋଷ୍ଠୀ ଚେତାବନୀ ଦେଇଛନ୍ତି।

ତେନ୍ତୁଳିଖୁଣ୍ଟି ବ୍ଲକରେ ପାଞ୍ଚ ଖଣ୍ଡ ଗ୍ରାମବାସୀ ପ୍ରଥମ ଥର ଦେବେ ଭୋଟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ଥିବା ପାଞ୍ଚ ଖଣ୍ଡ ଗ୍ରାମବାସୀ ପ୍ରଥମ ଥର ପାଇଁ ନିଜ ଗାଁରେ ମତଦାନ କରିବେ। ଏହି ପାଞ୍ଚ ଖଣ୍ଡ ଗ୍ରାମବାସୀ ବିଧାନସଭା ଓ ଲୋକସଭା ଭୋଟ ପାଇଁ ଜଳ ଭଣ୍ଡାର ପାର ହୋଇ ମତଦାନ କରିବାକୁ ଆସିବାକୁ ପଡୁଥିଲେ। ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଜଳବନ୍ଦୀ ଅଂଚଳରେ ମତଦାନ ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ହେବାକୁ ଥିବା ଏହି ମତଦାନକୁ ସୁବ୍ୟବସ୍ଥିତ କରିବା ପାଇଁ ଆଗେଇ ଆସିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ନବରଙ୍ଗପୁର ଏଡିଏମ ନବୀନ ନାୟକ ଓ ମହେଶ୍ୱର ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାର ହୋଇ ପ୍ରଥମ ଥର ପାଇଁ ହେବାକୁ ଥିବା ଟାଙ୍ଗନୀ କୋଟ ଓ ଗୁରୁମାଇଁ ଗୁଡା ବୁଥରେ ପହଞ୍ଚିଛନ୍ତି।

ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ପଂଚାୟତ ଅନ୍ତର୍ଗତ ତଥା ଜଳଭଣ୍ଡାର ଅପରପାର୍ଶ୍ୱ ଟାଙ୍ଗନୀ କୋଟ, ଗୁରୁମାଇଁ ଗୁଡା, ବାଗ୍ରା, ତଳଙ୍ଗ ଓ ଝଲାଗୁଡା ଏଭଳି ପାଞ୍ଚଟି ଗାଁ ରହିଛି । ଏହି ପାଞ୍ଚଟି ଗ୍ରାମରେ ୪୩୧ ଜଣ ଭୋଟର ଅଛନ୍ତି। ତେବେ ଟାଙ୍ଗନୀ କୋଟ ଗ୍ରାମରେ ହୋଇଥିବା ବୁଥରେ ଟାଙ୍ଗନୀକୋଟ, ଝଲାଗୁଡା ଓ ବାଗ୍ରା ଗ୍ରାମର ଭୋଟର ମତଦାନ କରିବେ। ସେହିଭଳି ଗୁରୁମାଇଁ ଗୁଡା ଠାରେ ହୋଇଥିବା ବୁଥରେ ଗୁରୁମାଇଁ ଗୁଡା ଓ ତଳଙ୍ଗ ଗ୍ରାମର ଭୋଟର ମତଦାନ କରିବେ।

FBI ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ଭାରତୀୟ

ବ୍ୟୁରୋ ରିପୋର୍ଟ: ଯୁକ୍ତରାଷ୍ଟ୍ରର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ଜାରି କରିଛି ୧୦ ମୋଷ୍ଟ ୱାଣ୍ଟେଡଙ୍କ ତାଲିକା। ଏହି ତାଲିକାରେ ଜଣେ ଭାରତୀୟଙ୍କ ନାଁ ରହିଛି । FBI ଏହି ମୋଷ୍ଟ ୱାଣ୍ଟେଡଙ୍କ ଉପରେ ୨କୋଟି ୯୦ଲକ୍ଷ ୨୮ହଜାର ୨୫ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଛି। ସୋସିଆଲ ମିଡିଆ X ରେ FBI ଏହି ସୂଚନା ଦେଇଛି।

ସୂଚନା ମୁତାବକ, FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅହମ୍ମଦାବାଦର ବିରାମଗାମ ଅଞ୍ଚଳର ଭଦ୍ରେଶ କୁମାର ପଟେଲଙ୍କ ନାମ ରହିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ୨୦୧୫ ମସିହାରୁ ଭଦ୍ରେଶ ଫେରାର ଅଛନ୍ତି।

ସୂଚନା ଅନୁଯାୟୀ, ମେରିଲ୍ୟାଣ୍ଡ ରାଜ୍ୟ ହାନୋବରରେ ଥିବା ଡଙ୍କିନ୍ ଡୋନାଟ୍ସ କଫି ସପ୍ ଭିତରେ ଭଦ୍ରେଶ ତାଙ୍କର ୨୧ ବର୍ଷିୟା ସ୍ତ୍ରୀ ପଲକକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଥିଲେ। ଘଟଣା ସମୟରେ ଗ୍ରାହକମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

WTOP ରିପୋର୍ଟ ଅନୁଯାୟୀ, ହତ୍ୟାକାଣ୍ଡର ପ୍ରାୟ ଏକ ମାସ ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ଝଗଡା ହେଉଥିଲା। ପଲକ ପଟେଲ ଭାରତକୁ ଫେରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ସ୍ୱାମୀ ଏହାକୁ ବିରୋଧ କରୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଭଦ୍ରେଶ ସ୍ତ୍ରୀ ପଲକକୁ ହତ୍ୟା କରିଥିଲା। ଏହାପରେ ଭଦ୍ରେଶ ଫେରାର ହୋଇ ଯାଇଥିଲେ। FBI ଭଦ୍ରଶ ପଟେଲଙ୍କୁ ଜଣେ ହତ୍ୟାକାରୀ ତଥା ବପଜ୍ଜନକ ଅପରାଧୀ କହିଛି। ଏହା ପୂର୍ବରୁ FBI ଭଦ୍ରେଶକୁ ଧରିବା ପାଇଁ ତାଲିକା ଏବଂ ପୁରଷ୍କାର ରାଶି ଘୋଷଣା କରିଥିଲା ।

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପ୍ରୟାସ

ପୁରୀ: ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। ଶ୍ରୀମନ୍ଦିରର ସିଂହଦ୍ୱାରରେ ପ୍ରତିହାରୀ ସେବକଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲିଠାରୁ ସକାଳେ ଓ ସଂଧ୍ୟା ବେଳେ ଦୁଇ ଜଣ ପ୍ରତିହାରୀ ସେବକ ସିଂହଦ୍ଵାରରେ ମୁତୟନ ରହିବେ। ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ପ୍ରତିହାରୀ ନିଯୋଗ। ପରବର୍ତ୍ତୀ ପର୍ଯ୍ୟାୟରେ ଚାରି ଦୁଆରରେ ପ୍ରତିହାରୀ ସେବାୟତ ମୁତୟନ ରହି ଅଣହିନ୍ଦୁ ମାନଙ୍କ ପ୍ରବେଶକୁ ରୋକିବେ ବୋଲି ସୂଚନା ମିଳିଛି।

ତେବେ ରେକର୍ଡ ଅଫ ରାଇଟସ୍ ଅନୁଯାୟୀ ପୂର୍ବରୁ ପ୍ରତିହାରୀ ସେବାୟତ ମାନେ ଶ୍ରୀମନ୍ଦିର ଚାରିଦୁଆର ମୁତୟନ ରହୁଥିବା ବେଳେ, ଏବେ କିଛି ଦିନ ହେବ ସେ ବ୍ୟବସ୍ଥା ବନ୍ଦ ରହିଛି। ତେବେ ପୁର୍ନବାର ପ୍ରତିହାରୀ ସେବାୟତ ମାନେ ସିଂହଦ୍ଵାର ଫିଟିବା ସମୟରେ ଓ ସଂଧ୍ୟାଧୂପ ପରେ ସେଠାରେ ମୁତୟନ ରହିବେ ବୋଲି ନିଯୋଗ ପକ୍ଷରୁ ସୂଚନା ମିଳିଛି। ଶ୍ରୀମନ୍ଦିର ଶୃଙ୍ଖଳା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ପ୍ରତିହାରୀ ନିଯୋଗ। ପ୍ରତିହାରୀ ସେବାୟତ ସିଂହଦ୍ଵାରରେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସମସ୍ତ ତିନି ଦୁଆରରେ ମୁତୟନ ରହିଲେ ଅଣହିନ୍ଦୁ ପ୍ରବେଶ ଉପରେ ରୋକ୍ ଲାଗିବ ବୋଲି ଆଶା କରାଯାଉଛି।


                

୪୦ ଫୁଟ୍ ଗଭୀର ବୋରଓ୍ବେଲ ଭିତରକୁ ଖସିପଡିଲା ୬ବର୍ଷର ଶିଶୁ

ବ୍ୟୁରୋ ରିପୋର୍ଟ: ପୁଣି ବୋରଓ୍ବେଲକୁ ଖସି ପଡିଲା ଶିଶୁ। ମଧ୍ୟପ୍ରଦେଶ ରେଓ୍ବା ଜିଲ୍ଲାରେ ଅଘଟଣ। ୪୦ ଫୁଟ୍ ଗଭୀର ବୋରଓ୍ବେଲ ଭିତରକୁ ଖସିପଡିଲା ୬ ବର୍ଷର ଶିଶୁ ପୁତ୍ର । ଶିଶୁଟି ଖେଳୁଥିବା ସମୟରେ ବୋରଓ୍ବେଲକୁ ଖସି ପଡିଥିଲା ।

ସୂଚନା ଅନୁୟାୟୀ, ଗତକାଲି ଅପରାହ୍ନ ୩ଟାରେ ଏହି ଘଟଣା ଘଟିଛି। ରେଓ୍ବା ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଶିଶୁଟି ୪୦ ଫୁଟ ଗଭୀରରେ ଅଟକି ରହିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। SDRF ଟିମ ଉଦ୍ଧାର କାର୍ଯ୍ୟ କରୁଥିବା ଥିବା ବେଳେ ବାରାଣାସୀରୁ NDRF ଟିମକୁ ଡକାଯାଇଛି। ଅଧିକାରୀମାନେ ପାଇପ ସାହାର୍ଯ୍ୟରେ ଅମ୍ଳଜାନ ଯୋଗାଉଛନ୍ତି। ଏଥି ସହ ସିସିଟିଭି ମାଧ୍ୟମରେ ଶିଶୁଟି ଉପରେ ନଜର ରଖାଯାଇଛି।

ବରଦାନ ସାଜିଛି ବିଶ୍ବ ଦକ୍ଷତା କେନ୍ଦ୍ର, ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀରେ ନିଯୁକ୍ତି ପାଉଛନ୍ତି ଓଡ଼ିଆ ଯୁବକ ଯୁବତୀ

ଭୁବନେଶ୍ୱର: ବରଦାନ ସାଜିଛି ବିଶ୍ବ ଦକ୍ଷତା କେନ୍ଦ୍ର। ଅତ୍ଯାଧୁନିକ ବିଷୟରେ ତାଲିମ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କମ୍ପାନୀରେ ନିଯୁକ୍ତି ପାଉଛନ୍ତି ଓଡ଼ିଆ ଯୁବକ ଯୁବତୀ। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ୨୦୨୩-୨୪ ବ୍ୟାଚରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗରେ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଭିତରୁ ୪୩ ଜଣ ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ, ନିପନ୍ ଷ୍ଟିଲ ଏବଂ ହିଣ୍ଡାଲକୋ ଭଳି ପ୍ରମୁଖ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ଟାଟା ଷ୍ଟିଲରେ ୩୭ ଜଣ, ଆର୍ସେଲର ମିତ୍ତଲ, ନିପନ୍ ଷ୍ଟିଲରେ ୩ ଜଣ ଏବଂ ହିଣ୍ଡାଲକୋରେ ୩ ଜଣ ନିଯୁକ୍ତ ହୋଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରହି କାମ କରିବାର ସୁଯୋଗ ପାଇବେ।

ସେହିପରି ସ୍କୁଲ ଅଫ୍ ସର୍ଭିସେସ ବିଭାଗ ଅଧୀନରେ ଦୁଇଟି ପାଠ୍ୟକ୍ରମରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଭିତରୁ ୩୦ ଜଣ IHCL ଏବଂ ରମ୍ଭା ପ୍ୟାଲେସରେ ନିଯୁକ୍ତି ସୁଯୋଗ ପାଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ସହିତ ଦେଶର ବିଭିନ୍ନ ସ୍ଥାନରେ କାମ କରିବାର ସୁଯୋଗ ପାଇବେ। ଏଥିପାଇଁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏହି ସୁଯୋଗ ଦେଇ ଭବିଷ୍ଯତ ଗଢିଥିବାରୁ ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ତାଲିମ ଦିଆଯାଉଛି। ଏଠାରୁ ତାଲିମ ଶେଷ କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ପ୍ରତିବର୍ଷ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।