ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜୁ ଜନତା ଦଳରେ ସାମିଲ ହେଲେ ଦଶପଲ୍ଲା ଏନଏସି ଅଧ୍ୟକ୍ଷା ଇଂଜିନିୟର ପୁନମ ପ୍ରିୟଦର୍ଶିନୀ । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ପୂନମ ବିଜୁଜନତା ଦଳରେ ଯୋଗ ଦେବା ସହ ଏକାଧିକ ସମର୍ଥକ ସାମିଲ ହୋଇଛନ୍ତି । ସାଂସଦ ସସ୍ମିତ ପାତ୍ର ପୁନମଙ୍କୁ ଦଳକୁ ସ୍ୱାଗତ କରିଥିଲେ । ପୁନମ ପ୍ରିୟଦର୍ଶିନୀ ଦଳରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର , ବିଧାୟକ ଅରୁଣ ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ବିଜେଡିରେ ପୁନମ ପ୍ରିୟଦର୍ଶୀ ଯୋଗ ଦେଇଛନ୍ତି। ସେ ସ୍ବାଧୀନ ଭାବରେ ଦଶପଲ୍ଲା ଏନ୍ ଏ ସି ର ଚେୟାରମେନ୍ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରୁଥିଲେ । ସମସ୍ତଙ୍କ ସହଯୋଗରେ ଦଶପଲ୍ଲାର ବିକାଶ ହେବ ବୋଲି ସେ କହିଛନ୍ତି। ଦିନକୁ ଦିନ ବିଜୁଜନତା ଦଳ ଶକ୍ତିଶାଳୀ ହେଉଛି । ଆଗକୁ ଏଇ ଧାରା ଜାରି ରହିବ ବୋଲି ଅରୁଣ କୁମାର ସାହୁ ଦମ୍ଭୋକ୍ତି କରିଛନ୍ତି।
ବିଲେଇକୁ ବଞ୍ଚାଇବାକୁ ଯାଇ ଗଲା ୫ ଜୀବନ
ମୁମ୍ବାଇ: ମହାରାଷ୍ଟ୍ରରେ ଘଟିଯାଇଛି ଅଭାବନୀୟ ଘଟଣା। ବିଲେଇକୁ ଉଦ୍ଧାର କରିବାକୁ ଯାଇ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଅହମ୍ମଦ ନଗର ଜିଲ୍ଲାର ବୋଲି ଜଣାପଡିଛି।
ରିପୋର୍ଟ ଅନୁସାରେ, ଜିଲ୍ଲାର ନେବାସା ତହସିଲ ଅନ୍ତର୍ଗତ ଏକ ବିଲେଇ ବାୟୋଗ୍ୟାସ୍ ଭର୍ତ୍ତି କୂଅରେ ପଡ଼ିଯାଇଥିଲା। ତାକୁ ବଞ୍ଚାଇବାକୁ ଯାଇଥିବା ଜଣେ ପିଲା ବାହାରକୁ ନଆସିବାରୁ ଅନ୍ୟମାନେ ତଳକୁ ଓହ୍ଲାଇଥିଲେ । ଏମିତି ଭାବେ ପ୍ରାୟ ୬ ଜଣକ କୂଅକୁ ଓହ୍ଲାଇଥିଲେ। ତେବେ ବହୁ କଷ୍ଟରେ ଜଣକୁ ଜୀବନ୍ତ ଉଦ୍ଧାର କରାଯାଇଥିଲା ।
ଗୋବର ଭର୍ତ୍ତି ବାୟୋଗ୍ୟାସ୍ କୂଅରେ ଫସିବା ପରେ ସମସ୍ତେ ମୃତ୍ୟୁ ବରଣ କରିଛନ୍ତି। ପୋଲିସ ଏବଂ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ । ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା।
ପତଞ୍ଜଳି ମାମଲାର ଶୁଣାଣି; ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବିଜ୍ଞାପନ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ ମାମଲା। ସୁପ୍ରିମକୋର୍ଟରେ ଉତ୍ତର ରଖିଲେ କେନ୍ଦ୍ର ସରକାର। ଆୟୁଷ କିମ୍ବା ଆଲୋପାଥିକ ଔଷଧ ମଧ୍ଯରୁ କେଉଁଟିକୁ ବାଛିବେ ତାହା ଜଣେ ବ୍ଯକ୍ତିଙ୍କର ନିଜସ୍ବ ଇଚ୍ଛା। ଏନେଇ ଲୋକଙ୍କୁ ପ୍ରଭାବିତ କରିବା ଅନୁଚିତ ବୋଲି ସୁପ୍ରିମକୋର୍ଟ ରେ କହିଛନ୍ତି କେନ୍ଦ୍ର ସରକାର।
ପତଞ୍ଜଳି ଆୟୁର୍ବେଦ ଓ ଏହାର ପ୍ରତିଷ୍ଠାତା ତଥା ଯୋଗଗୁରୁ ରାମଦେବ ଓ ତାଙ୍କ ସହଯୋଗୀ ବାଲକ୍ରିଷ୍ଣାଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଆଜି ମାମଲାର ଶୁଣାଣି ବେଳେ କୋର୍ଟରେ ହାଜର ହୋଇଥିଲେ ବାବା ରାମଦେବ। ଲୋକଙ୍କୁ ବିଜ୍ଞାପନ ଜରିଆରେ ବିଭ୍ରାନ୍ତ କରୁଥିବା ଅଭିଯୋଗ କ୍ରମେ ଯୋଗଗୁରୁଙ୍କୁ ଭର୍ତ୍ସନା କରିଥିଲେ ସର୍ବୋଚ୍ଚ ଅଦାଲତ। ଏହା ସହ ଉପଯୁକ୍ତ ସତ୍ଯପାଠ ଦାଖଲ କରି ନଥିବାରୁ ରାମଦେବ ଓ ବାଲକ୍ରିଷ୍ଣାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ଅଦାଲତ।
ସେପଟେ ପତଞ୍ଜଳି ପ୍ରସଙ୍ଗରେ କେନ୍ଦ୍ର ଉପରେ ମଧ୍ୟ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏସବୁ ଦିଗରେ କେନ୍ଦ୍ର ସରକାର କିପରି ଆଖି ବନ୍ଦ କରି ବସିଛନ୍ତି। କେନ୍ଦ୍ର ସରକାର ନିଜ ସଫେଇରେ କହିଛନ୍ତି, ତଥାକଥିତ ମ୍ଯାଜିକ ମେଡିସିନଗୁଡିକର ବିଜ୍ଞାପନ ବିରୋଧରେ ପଦକ୍ଷେପ ନେବା ଲାଗି ରାଜ୍ଯଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡରୁ କୋରୋନିଲ ଔଷଧ ଉପଶମ ଦେଉଥିବା ନେଇ ପତଞ୍ଜଳି ପକ୍ଷରୁ ଯେଉ ବିଜ୍ଞାପନ ପ୍ରକାଶ କରାଯାଉଥିଲା ତାହାକୁ ସ୍ଥଗିତ କରିବା ଲାଗି ନିର୍ଦ୍ଦେଶ ଦେଇଛି ଆୟୁଷ ମନ୍ତ୍ରାଳୟ।
ମହଙ୍ଗା ପଡିଲା ରାଜନୈତିକ ସଭାରେ ଯୋଗଦେବା; ୧୦୬ ସରକାରୀ ଅଧିକାରୀ ନିଲମ୍ବିତ
ମେଡାକ: ମହଙ୍ଗା ପଡିଲା ରାଜନୈତିକ ସଭାରେ ଯୋଗଦାନ। ଭାରତ ରାଷ୍ଟ୍ର ସମିତିର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା କାରଣରୁ ୧୦୬ ସରକାରୀ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ କମିଶନ। ତେଲଙ୍ଗାନା ମେ଼ଡାକ ଆସନରୁ ବିଆରଏସ ପ୍ରାର୍ଥୀ ତଥା ପୂର୍ବତନ ଆଇଏଏସ ଅଧିକାରୀ ପି. ଭେଙ୍କଟରମଣ ରେଡ୍ଡୀଙ୍କ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବା ଅଭିଯୋଗରେ ଇସିଆଇ ନେଇଛନ୍ତି କଡ଼ା ପଦକ୍ଷେପ।
ଇସିଆଇର ଅଭିଯୋଗ ଥିଲା ଯେ, ଗତ ଏପ୍ରିଲ ୭ରେ ମେଡାକ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ସିଦ୍ଦିପେଟ ବିଧାନସଭା ମଣ୍ଡଳୀରେ ଭେଙ୍କଟରମଣ ଏକ କାର୍ଯ୍ୟକ୍ରମ କରିଥିଲେ। ମାତ୍ର ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କଠାରୁ ସେ କୌଣସି ଅନୁମତି ନେଇନଥିଲେ। ଏହି ସଭାରେ ଭିଜୁଆଲ ସିସିଟିଭିରେ କଏଦ ହୋଇଥିଲା। ଆଚରଣ ସଂହିତାର ଗୁରୁତର ଉଲ୍ଲଂଘନ ହେତୁ ସଭାରେ ଯୋଗଦେଇଥିବା ୧୦୬ ସରକାରୀ କର୍ମଚାରୀଙ୍କ ବିରୋଧରେ ନିର୍ବାଚନ କମିଶନ କଡା ପଦକ୍ଷେପ ନେଇଛନ୍ତି।
ଏହି ଘଟଣାରେ ପ୍ରାର୍ଥୀ ଭେଙ୍କଟରମଣଙ୍କ ସମେତ ବିଆରଏସ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ସସପେଣ୍ଡ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଟେକନିକାଲ ଆସିଷ୍ଟାଣ୍ଟ, ଇଞ୍ଜିନିୟରିଂ କନସଲଟାଣ୍ଟ, କମ୍ପ୍ୟୁଟର ଅପରେଟର, କମ୍ୟୁନିଟି କୋଅର୍ଡିନେଟର, ଗ୍ରାମ୍ୟ ସଂଯୋଜକ, ଅଡିଟର ପ୍ରମୁଖ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଡିଆରଡିଏର କର୍ମଚାରୀ। ଏହି ବେଆଇନ ସଭା ନେଇ ବିଜେପି ପ୍ରାର୍ଥୀ ରଘୁନନ୍ଦନ ରାଓ ସହକାରୀ ରିଟର୍ଣ୍ଣିଂ ଅଧିକାରୀ, ଆରଡିସି ଓ ଡିଆରଡିଏ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଆସନ୍ତା ମେ ୧୩ରେ ଗୋଟିଏ ପର୍ଯ୍ୟାୟରେ ହେବ ତେଲଙ୍ଗାନାରେ ଲୋକସଭା ନିର୍ବାଚନ।ତା ପୂର୍ବରୁ ଏହି ଘଟଣା ରାଜନୈତିକ ସ୍ତରରେ ଚର୍ଚ୍ଚାର କାରଣ ହୋଇଛି।
ବିଶ୍ବରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକଙ୍କ ଜୀବନ ନେଉଛି ହେପାଟାଇଟିସ
ନୂଆଦିଲ୍ଲୀ: ବିଶ୍ବରେ ମାରାତ୍ମକ ରୂପ ନେଉଛି ହେପାଟାଇଟିସ। ବିଶ୍ବରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକଙ୍କ ଜୀବନ ନେଉଛି ହେପାଟାଇଟିସ। ଯକ୍ଷ୍ମାରେ ପ୍ରତିବର୍ଷ ଯେତିକି ଜୀବନ ଯାଉଛି ହେପାଟାଇଟିସରେ ବି ସେତିକି ଜୀବନ ଯାଉଛି ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ୧୮୭ଟି ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ୨୦୨୪ ଗ୍ଲୋବାଲ ହେପାଟାଇଟିସ ରିପୋର୍ଟରେ କୁହାଯାଇଛି ଯେ, ଭାଇରାଲ ହେପାଟାଇଟିସ ୨୦୧୯ରେ ବିଶ୍ବରେ ପ୍ରାୟ ୧୧ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ୨୦୨୨ରେ ସେହି ସଂଖ୍ୟା ହୋଇଥିଲା ୧୩ ଲକ୍ଷ ।
ସେମାନଙ୍କ ମଧ୍ୟରୁ ହେପାଟାଇଟିସ-ବିରେ ୮୩ ପ୍ରତିଶତ ଓ ହେପାଟାଇଟିସ-ସିରେ ୧୭ ପ୍ରତିଶତ ଲୋକପ୍ରାଣ ହରାଇଥିଲେ। ହେପାଟାଇଟିସ-ବି ଓ ହେପାଟାଇଟିସି-ସି ଯୋଗୁ ଦୈନିକ ୩ ହଜାର ୫୦୦ ଲୋକ ପ୍ରାଣ ହରାଉଥିବା ରିପୋର୍ଟରେ ଦର୍ଶାଯାଇଛି। କେବଳ ଭାରତ, ବାଂଲାଦେଶ, ଚୀନ, ଇଥିଓପିଆ, ଇଣ୍ଡୋନେସିଆ, ନାଇଜେରିଆ, ପାକିସ୍ତାନ, ଫିଲିପାଇନସ, ରୁଷିଆ ଓ ଭିଏତନାମରେ ମୋଟ ମୃତ୍ୟୁ ସଂଖ୍ୟାର ଦୁଇ ତୃତୀୟାଂଶ ଘଟିଥାଏ। ଏହି ୧୦ଟି ରାଷ୍ଟ୍ରରେ ହେପାଟାଇଟିସର ନିରାକରଣ, ଚିକିତ୍ସା, ନିରୂପଣ ଆଦି ନିମନ୍ତେ ଗୁରୁତ୍ବ ଦିଆଯାଇଥିବା କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।
ବିଶେଷ କରି ରୋଗ ନିରୂପଣ ଓ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ସଂଖ୍ଯା ଅଧିକ ହେଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ କହିଛନ୍ତି। ବିଶ୍ବରେ ୨୦୨୨ରେ ହେପାଟାଇଟିସ-ବିରେ ୨୫୪ନିୟୁତ ଲୋକ ଓ ହେପାଟାଇଟିସ-ସିରେ ୫୦ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ। ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ସଂଖ୍ଯା ୧୨ ପ୍ରତିଶତ ବୋଲି ଜଣାଯାଇଛି। ହେପାଟାଇଟିସର ଲକ୍ଷଣଗୁଡ଼ିକ ହେଲା- ଜ୍ବର, ସ୍ଥାଣୁତା, କ୍ଷୁଧାହାନି, ବାନ୍ତି ବାନ୍ତି ଲାଗିବା, ବାନ୍ତି, ତଳିପେଟ ଯନ୍ତ୍ରଣା, କଳା ପରିସ୍ରା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ଜଣ୍ଡିସ ।

