spot_img
Home Blog Page 1923

କେନ୍ଦୁଝର ଝୁମ୍ପୁରାରେ ନିଜର ଅନୁଭୂତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର: କେନ୍ଦୁଝର ଝୁମ୍ପୁରା ଗସ୍ତରେ ଯାଇ ସାଧାରଣ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ। ଝୁମ୍ପୁରାରେ ନିଜର ଅନୁଭୂତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଝୁମ୍ପୁରା ଦୁର୍ଗା ପଡ଼ିଆରେ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ, ପ୍ରଥମରୁ ଦଶମ ଶ୍ରେଣୀ ଯାଏ ଝୁମ୍ପୁରା ବଜାରକୁ ପ୍ରତି ବୁଧବାର ମା’ଙ୍କ ସହିତ ହାଟ କରିବାକୁ ଆସୁଥିଲି। ୧୯୯୩ରୁ ୧୯୯୭ ଯାଏ ଝୁମ୍ପୁରା ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିରରେ ଗୁରୁଜୀ ରହିଥିଲି। ଝୁମ୍ପୁରା ସହରର ପ୍ରତ୍ୟେକ ଲୋକଙ୍କ ସହ ମୁଁ ସିଧାସଳଖ ମିଶିଛି। ସରକାର ଶପଥ ଗ୍ରହଣର ୧ ଘଣ୍ଟା ପରେ କ୍ୟାବିନେଟ ବୈଠକରେ ଧାନର MSP କ୍ୱୁଇଣ୍ଟାଲ ପିଛା ୩୧୦୦ ଟଙ୍କା କରିବାକୁ କମିଟି ଗଠନ କରାଯାଇଛି। ସରକାର ଶପଥ ଗ୍ରହଣର ୧ ଘଣ୍ଟା ପରେ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଗଲା ଯେ, ସୁଭଦ୍ରା ଯୋଜନାରେ ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଭାଉଚର ଦିଆଯିବ। ଜନତାଙ୍କ ଆଶୀର୍ବାଦରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଲେ ନୂଆ ସରକାର।

ସେହିପରି ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ କରାଗଲା। କେନ୍ଦୁଝରରେ ଥିବା ଖଣିଜ ସମ୍ପଦର ସୁବିନିଯୋଗ କରି ସୁନାର କେନ୍ଦୁଝର ଗଢିବା। ମୋତେ ଆପଣମାନେ ଗୁରୁ ଦାୟିତ୍ୱ ଦେଇଛନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଯଦି କାହାର ଫୋନ ଉଠାଇ ନପାରିଲି କିମ୍ବା କାହା ସହିତ କରମର୍ଦ୍ଦନ କରିପାରିଲିନି ତେବେ ମନ ଦୁଃଖ କରିବେନି। ମୁଖ୍ୟମନ୍ତ୍ରୀ ହେବା ପରେ ଲୋକଙ୍କ ଦୁଃଖ ବୁଝିବାକୁ ପ୍ରୟାସ ଜାରି ରଖିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଭର୍ତ୍ତୃହରିଙ୍କୁ ବିରୋଧ କଂଗ୍ରେସର ଓଡ଼ିଶା ବିରୋଧୀ ମନୋଭାବ: ବିଜେପି

ଭୁବନେଶ୍ବର: ସଂସଦରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ କଂଗ୍ରେସ ବିରୋଧ କରିବା ପ୍ରସଙ୍ଗ । ସାମ୍ବାଦିକ ସମ୍ମିଳନୀ ଜରିଆରେ କଂଗ୍ରେସକୁ ବିଜେପିର ଟାର୍ଗେଟ । ଭର୍ତ୍ତୃହରିଙ୍କୁ ବିରୋଧ କଂଗ୍ରେସର ଓଡିଶା ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଥିବା କହିଛି ବିଜେପି ଅଭିଯୋଗ ।

ଦଳ ପକ୍ଷରୁ କୁହାଯାଇଛି, କଂଗ୍ରେସ ସବୁବେଳେ ଓଡ଼ିଆ ବିରୋଧୀ । କଟକ ସାଂସଦ ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ ଭାର ନେଇଥିବା ବେଳେ ସଂସଦରେ ତାଙ୍କୁ ବିରୋଧ କରିଛି କଂଗ୍ରେସ, ଯାହା ନିନ୍ଦନୀୟ ।

ଦଳ ପକ୍ଷରୁ କୁହାଯାଇଛି, ଭର୍ତ୍ତୃହରି ଜଣେ ଅଭିଜ୍ଞ ରାଜନେତା । ସେ ଲଗାତର ୭ ଥର ସାଂସଦ ହୋଇଛନ୍ତି । ତାଙ୍କୁ ଏଭଳି  ଅପମାନ କରିବା ଉଚିତ ନୁହେଁ । ଅତୀତରେ କଂଗ୍ରେସ ସରକାର ସମୟରେ ଯେତେବେଳେ ଓଡିଶା ପାଇଁ ଅର୍ଥର ଆବଶ୍ୟକତା ଥିଲା ସେତେବେଳେ କଂଗ୍ରେସ ପ୍ରଧାନମନ୍ତ୍ରୀ କହିଥିଲେ ଟଙ୍କା ଗଛରେ ଫଳେ ନାହିଁ । ଏବେ ଓଡିଶା ଆଉ ଓଡ଼ିଆଙ୍କୁ ମୋଦୀ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ସର୍ବାଧିକ ପଦ୍ମ ପୁରସ୍କାର ଓଡିଶାକୁ ଦେଇଛନ୍ତି ମୋଦି ସରକାର । ଓଡ଼ିଶାର ଝିଅକୁ ସର୍ବୋଚ୍ଚ ଆସନରେ ବସାଇଛନ୍ତି । ଓଡ଼ିଆ ଅଧିକାରୀଙ୍କୁ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ।

ଏହାସହ ଓଡ଼ିଆ ବିରୋଧୀ ମନୋଭାବରୁ କ୍ଷାନ୍ତ ରହିବାକୁ କଂଗ୍ରେସକୁ ଚେତାବନୀ ଦେଇଛି ଦଳ । ଆସନ୍ତାକାଲି ଜୁନ ୨୫ ତାରିଖକୁ ବିଜେପି କଳା ଦିବସ ଭାବେ ପାଳନ କରିବ । ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରାଯିବ । ଦେଶର ସମସ୍ତ ରାଜ୍ୟରେ ମଧ୍ୟ ଏହାକୁ ପାଳନ କରାଯିବ । ଜରୁରୀକାଳୀନ ପରିସ୍ଥିତିର ବିଭୀଷିକାକୁ ଲୋକଙ୍କ ପାଖେ ରଖାଯିବ ବୋଲି ବିଜେପି କହିଛି ।

ମୋଦିଙ୍କ ଜରୁରୀ ପରିସ୍ଥିତି ମନ୍ତବ୍ୟକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ପ୍ରଥମ ଦିନରେ ଶାସକ-ବିରୋଧୀ ମୁହାଁମୁହିଁ । ସମ୍ବିଧାନକୁ ନେଇ ପ୍ରଥମ ପ୍ରଧାନମନ୍ତ୍ରୀ ମୋଦିଙ୍କ କଟାକ୍ଷ ପରେ ବିରୋଧୀଙ୍କ ଗର୍ଜନ । ଜରୁରୀକାଳୀନ ପରିସ୍ଥିତି ପ୍ରସଙ୍ଗ ଉଠାଇଥିବାରୁ ମୋଦିଙ୍କୁ କଡ଼ା ଜବାବ ଦେଇଛି କଂଗ୍ରେସ ।

କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ‘କେବଳ ଏହି କଥା କହି କହି କେତେ ଦିନ ଆଉ ଆପଣ କ୍ଷମତା ଉପଭୋଗ କରିବେ, ଶାସନ କରିବେ । ଆପଣ ତ ନିଜେ ୧୦ ବର୍ଷ ହେଲା ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ଜାରି କରିଛନ୍ତି ।’

ଆଜି ଅଷ୍ଟାଦଶ ଲୋକସଭା ଆରମ୍ଭ ହେବା ପୂର୍ବରୁ ଗୃହ ବାହାରେ ପ୍ରଧାନମନ୍ତ୍ରୀ ମୋଦି ଜରୁରୀ ପରିସ୍ଥିତି ପ୍ରସଙ୍ଗ ଉଠାଇଥିଲେ । ମୋଦି କହିଥିଲେ, ଜୁନ୍ ୨୫ ହେଉଛି ଭାରତୀୟ ଗଣତନ୍ତ୍ରର ଏକ କଳା ଦିନ । ଏହି ଦିନ ଗଣତନ୍ତ୍ର ଓ ସମ୍ବିଧାନକୁ ଧ୍ବଂସ କରି ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା । ଏହାକୁ କେହି ଭୁଲି ନାହାନ୍ତି । ଆସନ୍ତାକାଲି  ଏହି କଳା ଅଧ୍ଯାୟକୁ ୫୦ ବର୍ଷ ପୂରୁଛି । ଆମେ ଏକ ସମୃଦ୍ଧ ଗଣତନ୍ତ୍ରର ସଂକଳ୍ପ ନେବା ଯେମିତିକି କେହି ଏପରି କରିବାକୁ ଆଉ ସାହସ କରିପାରିବେ ନାହିଁ ।

୧୯୭୫ ଜୁନ ୨୫ରେ ଆନ୍ତଃ ସୁରକ୍ଷାକୁ ଆଳ କରି ଦେଶରେ ଜରୁରୀ ପରିସ୍ଥିତି ଜାରି କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । ଆସନ୍ତାକାଲି ଏହି ଘଟଣାକୁ ୫୦ ବର୍ଷ ପୂରଣ ହେଉଥିବାରୁ ମୋଦି ପରୋକ୍ଷରେ କଂଗ୍ରେସକୁ ଟାର୍ଗେଟ କରିଥିଲେ ।

ସେପଟେ ଆଜି ଅଷ୍ଟାଦଶ ଲୋକସଭାର ପ୍ରଥମ ଦିନରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ହାତରେ ସମ୍ବିଧାନ ଧରି ଏନଡିଏ ବିରୋଧରେ ବିକ୍ଷୋଭ କରିଛନ୍ତି । ପାର୍ଲାମେଣ୍ଟ ପରିସରରେ ଗାନ୍ଧି ମୂର୍ତ୍ତି ତଳେ, ଏପରିକି ସଂସଦର ପ୍ରବେଶ ଦ୍ବାରରେ ସେମାନେ ଧାରଣା ଦେଇଥିଲେ । ପରମ୍ପରାକୁ ଅଣଦେଖା କରି କଂଗ୍ରେସର ବରିଷ୍ଠ ସାଂସଦ କେ. ସୁରେଶଙ୍କ ବଦଳରେ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି କରାଯାଇଥିବାରୁ ଏହି ପ୍ରତିବାଦ କରାଯାଇଥିଲା । ବିରୋଧୀ ସାଂସଦ ଏକଜୁଟ ହୋଇ ଏହାର ବିରୋଧ କରିଛନ୍ତି । ରାହୁଲ ଗାନ୍ଧି କହିଛନ୍ତି, ସମ୍ବିଧାନକୁ ଯେପରି ଭାବେ ଅବମାନନା କରାଯାଉଛି, ଆମେ ତାହା ହେବାକୁ ଦେବୁ ନାହିଁ ।

ଯୌତୁକ ଜୁଇରେ ଚାଲିଗଲା ନବବଧୂଙ୍କ ଜୀବନ

ବାଙ୍କୀ : ଯୌତୁକ ଜୁଇରେ ଚାଲିଗଲା ନବବଧୂଙ୍କ ଜୀବନ। ଅଭିଯୋଗ ଆଣିଲେ ପରିବାର। ଅଭାବନୀୟ ଘଟଣା ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଶିଶୁଆ ଗାଁରେ। ଗତ ୩ ବର୍ଷ ତଳେ ଇନ୍ଦୁମତୀ ପାଟଣା ଗ୍ରାମର ପ୍ରବାସିନୀ ରାଉତ ଶିଶୁଆ ଗ୍ରାମର ପ୍ରଦୀପ ବେହେରାଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ବିବାହ ପରଠାରୁ ପ୍ରବାସୀନିଙ୍କୁ ଯୌତୁକ ଜନିତ ନିର୍ଯାତନା ଦେଇ ଆସୁଥିବା ବେଳେ ଆଜି ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଘଟଣାରେ ସମୃକ୍ତ ଥବା ଶାଶୁ,ସ୍ବାମୀ ଓ ଦିଅର ଫେରାର ଥିବାବେଳେ ଶଶୁରଙ୍କୁ ଅଟକ ରଖିଛି ବାଙ୍କୀ ପୋଲିସ।

ପ୍ରଥମ ଦିନରୁ ପାର୍ଲାମେଣ୍ଟରେ ହଙ୍ଗାମା; ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ନେଇ ପ୍ରତିବାଦ

ନୂଆଦିଲ୍ଲୀ : ଲୋକସଭାର ଅସ୍ଥାୟୀ ବାଚସ୍ପତି ଚୟନକୁ ନେଇ ଇଣ୍ଡିଆ ମେଣ୍ଟର ପ୍ରତିବାଦ ଓ ବିକ୍ଷୋଭ। ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କ ବଦଳରେ କଂଗ୍ରେସର କେ ସୁରେଶଙ୍କୁ ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦିଆଯିବା ଉଚିତ ବୋଲି ସେମାନେ ଦାବି କରିଛନ୍ତି। ହାତରେ ସମ୍ବିଧାନ ଧରି କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଓ ଅନ୍ଯ ମେଣ୍ଟ ସହଯୋଗୀ ପାର୍ଲାମେଣ୍ଟ ପରିସରରେ ପ୍ରତିବାଦ କରିଛନ୍ତି। ନିଜେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ ମଧ୍ଯ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ।

ଇଣ୍ଡିଆ ମେଣ୍ଟର କହିବା କଥା ହେଲା ପରମ୍ପରା ଅନୁସାରେ ଗୃହର ସବୁଠୁ ବରିଷ୍ଠ ସଭ୍ଯଙ୍କୁ ପ୍ରୋଟେମ୍ ସ୍ପିକର ଭାବେ ବଛାଯିବ ଉଚିତ । ଏହି ଦୃଷ୍ଟିରୁ ଦେଖିଲେ କେ ସୁରେଶ ଏହି ପଦ ପାଇଁ ଯୋଗ୍ଯ । ସେ ଆଠ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଆରପଟେ ଭର୍ତ୍ତୃହରି ମହତାବ ସପ୍ତମ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତେଣୁ କେ. ସୁରେଶ ହିଁ ପ୍ରୋଟେମ୍ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ହେବା କଥା। ଏହାର ଜବାବରେ ବିଜେପି ପକ୍ଷରୁ କୁହାଯାଇଛି- କଂଗ୍ରେସ ଆଗରୁ ଅନେକ ଥର ପରମ୍ପରା ଭାଙ୍ଗିଛି। ତା ଛଡ଼ା କେ ସୁରେଶ ଲଗାତର ଭାବେ ୮ ଥର ଲୋକସଭାକୁ ନିର୍ବାଚିତ ହୋଇନାହାନ୍ତି।

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ବସ୍ତି, ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ :  ସୁପ୍ରିମକୋର୍ଟରୁ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ବସ୍ତି । ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କ ଚୂଡାନ୍ତ ଶୁଣାଣିକୁ ଅପେକ୍ଷା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଜାମିନ ପାଇଁ ବ୍ଯାକୁଳ ଥିବା କେଜ୍ରିୱାଲଙ୍କୁ ଏପରି ନିର୍ଦ୍ଦେଶ ହତାଶ କରିଛି ।

ମାମଲାରେ ୨୬ ଜୁନରେ ପରବର୍ତ୍ତୀ ଶୁଣାଣି ହେବ । ମଦନୀତି ମାମଲାରେ ତଳ କୋର୍ଟଙ୍କ ଜାମିନକୁ ବିରୋଧ କରିଥିଲା ଇଡି । ଫଳରେ ଜାମିନ ପ୍ରଦାନ ପାଇଁ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଥିଲେ। ରୋକ ଲଗାଇବା ସହିତ ରାୟ ସଂରକ୍ଷିତ ରଖିଥିଲେ । ଏହାପରେ ରୋକ ଉଠାଇବା ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେଜ୍ରିୱାଲ । ତୁରନ୍ତ ଜାମିନ ଆଶା ନେଇ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ତାଙ୍କୁ ନିରାଶ ହେବାକୁ ପଡିଛି ।

କେନ୍ଦୁଝରରେ ମୁଖ୍ଯମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ବିଜେଡିର କଡ଼ା ଜବାବ

ଭୁବନେଶ୍ୱର :କେନ୍ଦୁଝରରେ ମୁଖ୍ଯମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ  । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଦୁର୍ଭାଗ୍ଯଜନକ । ଖଣି ଦୁର୍ନୀତି ହୋଇଥିଲା । ଏଥିରେ କାହାରିକୁ ଛଡାଯିବନି । ସେ ବିରୋଧୀ ଦଳରେ ଥିବାବେଳେ ସରକାରୀ ଦଳ ପକ୍ଷରୁ ତାଙ୍କୁ ମନ୍ତ୍ରିପଦ ଓ ଅନ୍ଯାନ୍ଯ ପ୍ରଲୋଭନ ଦିଆଯାଇଥିଲା ତାହା ଅତ୍ଯନ୍ତ ଦୁର୍ଭାଗ୍ଯପୂର୍ଣ୍ଣ । ସାମ୍ବାଦିକ ସମ୍ମିଳନୀ କରି ଏପରି କଡା ଜବାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ମୁଖ୍ଯମନ୍ତ୍ରୀ ଏବେ ବିରୋଧୀ ଦଳରେ ନାହାଁନ୍ତି । ସେ ଏବେ ରାଜ୍ଯର ମୁଖ୍ଯମନ୍ତ୍ରୀ । ସେ ଏପରି ଟିପ୍ପଣୀ ଦେବା ପୂର୍ବରୁ ଚିନ୍ତା କରିବାର ଥିଲା । ତାଙ୍କ ପଦ ମର୍ଯ୍ୟାଦା ବଂଚାଇ ରଖିବା ତାଙ୍କର କର୍ତ୍ତବ୍ଯ । ଯେଉଁଭଳି ସେ ଉକ୍ତି ରଖିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହଁ । ବିଜୁ ଜନତା ଦଳ ସଦାବେଳେ ପ୍ରସ୍ତୁତ ଅଛନ୍ତି ଯେକୌଣସି ପରିସ୍ଥିତି ଓ ଯେକୈାଣସି କଥାର ଜବାବ ଦେବାକୁ । ସେତେବେଳେ ଏହାକୁ ଗଣମାଧ୍ଯମରେ କାହିଁକି କହିଲେନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ଚାହିଁଥିଲେ ସେ ସେତେବେଳେ କେସ କରିପାରିଥାନ୍ତେ । ଏକଥା ନକରିକି ଏବେ ମୁଖ୍ଯମମନ୍ତ୍ରୀ ହେବା ପରେ ଏପରି ମନ୍ତବ୍ଯ ଦେବେ କେତେ ଦୂର ସମୀଚିନ ତାହା ସେ ତର୍ଜମା କରନ୍ତୁ । ତାଙ୍କ ଦଳର ସର୍ବୋଚ୍ଚ ନେତା କହିଛନ୍ତି, ଓଡ଼ିଶା ଖଣି ସଂସ୍କାରରେ ଆଗୁଆ ଅଛି । ସଂସଦରେ ତାଙ୍କ ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ଏହା ସ୍ବୀକାର କରିଛନ୍ତି । ଏହାକୁ କେମିତି ମୁଖ୍ଯମନ୍ତ୍ରୀ ଭୁଲିଯାଉଛନ୍ତି । ସଂଘୀୟ ବ୍ଯବସ୍ଥାରେ କିପରି ଶାସନ କରିବାକୁ ହୁଏ ତାହା ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କଠାରୁ ଶିକ୍ଷା କରିବା ଉଚିତ । କ୍ଷମତାକୁ ଆସିକି ବିରୋଧୀ ଦଳ ପରି ପ୍ରଳାପ କରିବା ଛାଡନ୍ତୁ । ରାଜ୍ଯବାସୀ ବିଜେପିକୁ ଜନମତ ଦେଇଛନ୍ତି । ତେଣୁ ସେ ତାଙ୍କ ପଦ ମର୍ଯ୍ୟାଦା ରକ୍ଷା କରିବା ଉଚିତ । ଏଭଳି ଉକ୍ତି ଯଦି ଗଣମାଧ୍ଯମରେ ରଖିବେ ତେବେ ତାହା ଶୋଭନୀୟ ନୁହେଁ ।

ସଂସଦରେ ପ୍ରତିଟି ବିଷୟକୁ ଶାଣିତ କରିବ ବିଜେଡି, ଗୃହରେ ଉଠାଇବ ଓଡ଼ିଶା ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗ

ଭୁବନେଶ୍ୱର : ସଂସଦରେ ପ୍ରତିଟି ବିଷୟକୁ ଶାଣିତ କରିବ ବିଜେଡି। ଗୃହରେ ଉଠାଇବ ଓଡ଼ିଶା ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗ। ସ୍ଵତନ୍ତ୍ର ରାଜ୍ଯ ପାହ୍ଯା, କୋଷ୍ଟାଲ ହାଇୱେ ସହ ସମ୍ବଲପୁର, ବାଲେଶ୍ଵର ଓ କୋରାପୁଟରେ ଏମ୍ସ ପ୍ରତିଷ୍ଠା ଦାବି କରିବ ବିଜେଡି। ନବୀନ ନିବାସରେ ବିଜେଡି ରାଜ୍ୟସଭା ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।

କେନ୍ଦୁପତ୍ରରୁ ଜିଏସଟି ଛାଡ ପ୍ରସଙ୍ଗ ଉଠାଇବ ବିଜେଡି। ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି। ଆଭିମୁଖ୍ୟ କଠୋର କରିବ ଦଳ। ଆବଶ୍ୟକ ପଡିଲେ ଗୃହ ମଧ୍ୟଭାଗକୁ ଓହ୍ଲାଇବ ବିଜେଡି। ନବୀନ ନିବାସରେ ବସିଥିବା ବୈଠକ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦଳୀୟ ସାଂସଦ। ରେଳବାଇ ସଂଯୋଗୀକରଣ, ବ୍ଯାଙ୍କିଂ ସେବା ସାଙ୍ଗକୁ ୩୩% ମହିଳା ସଂରକ୍ଷଣ ନେଇ ମଧ୍ଯ ଦାବି ଉଠାଇବ ଦଳ। ଟେଲିକମ ବିକାଶ, ମହାନଦୀ, ଆବାସ ଯୋଜନା ପ୍ରସଙ୍ଗ ଉଠିବ। ଆଦିବାସୀଙ୍କ ସ୍ଵାର୍ଥ ସମ୍ବଳିତ ବିକାଶ ପ୍ରସଙ୍ଗ ଉଠାଇବ ବୋଲି କହିଛି ବିଜେଡି।

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କେନ୍ଦୁଝର : ନିଜ ଗାଁ କେନ୍ଦୁଝର ରାଇକଳା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ସାଧାରଣ ଜନତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏବେ ରୋଡ୍ ଶୋରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଝୁମ୍ପୁରା ଦୁର୍ଗା ପଡିଆରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବା ସହିତ ଲୋକଙ୍କୁ ସମ୍ବୋଧିତ କରିବେ । ପରେ ନିଜ ଘର ରାଇକଳାରେ ମଧ୍ୟାହ୍ନ ଭୋଜନ କରିବେ ମୁଖ୍ୟମନ୍ତ୍ରୀ । ସେଠାରେ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଜୁଲାଇ ୧ରୁ ଲାଗୁ ହେବ ଆରବିଆଇର ନୂଆ ନିୟମ, ବଦଳିବ କ୍ରେଡିଟ୍ କାର୍ଡ ପେମେଣ୍ଟ ତରିକା

ନୂଆଦିଲ୍ଲୀ : ଯଦି ଆପଣ କ୍ରେଡିଟ୍ କାର୍ଡ ମାଧ୍ୟମରେ ବିଲ୍ ପେମେଣ୍ଟ୍ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ   । ବାସ୍ତବରେ, ଜୁନ୍ ମାସ ଶେଷ ହେବାକୁ କେବଳ କିଛି ଦିନ ବାକି ଅଛି, ଯାହା ପରେ ଜୁଲାଇ ମାସ ଆରମ୍ଭ ହେବ  । ଜୁଲାଇ ମାସ ଆରମ୍ଭ ହେବା ମାତ୍ରେ, କ୍ରେଡିଟ୍ କାର୍ଡ ମାଧ୍ୟମରେ ବିଲ୍ ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍ । କ୍ରେଡିଟ୍ କାର୍ଡ ବିଲ୍ ଦେୟ ସମ୍ବନ୍ଧରେ ଆରବିଆଇର କିଛି ନିୟମ ଜୁଲାଇ ୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା କ୍ରେଡିଟ୍ କାର୍ଡ ମାଧ୍ୟମରେ ବିଲ୍ ପେମେଣ୍ଟ ବ୍ୟବହାର କରୁଥିବା ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ପେମେଣ୍ଟ ପ୍ରକ୍ରିୟାକୁ ଆହୁରି ସୁବିଧା ଏବଂ ସୁରକ୍ଷିତ କରିବା ପାଇଁ ଆରବିଆଇ ଏପରି ନିଷ୍ପତ୍ତି ନେଇଛି ।

ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିର୍ଦ୍ଦେଶ ଦେଇଛି ଯେ, ଜୁନ୍ ୩୦ ପରେ ସମସ୍ତ କ୍ରେଡିଟ୍ କାର୍ଡ ଦେୟ ଭାରତ ବିଲ୍ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ପ୍ରକ୍ରିୟାକରଣ କରାଯିବା ଉଚିତ୍। ରିପୋର୍ଟ ଅନୁଯାୟୀ, HDFC ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କ ଏପର୍ଯ୍ୟନ୍ତ ବିବିପିଏସ୍ ସକ୍ରିୟ କରିନାହାଁନ୍ତି। ଏହି ବ୍ୟାଙ୍କଗୁଡିକ ଏପର୍ଯ୍ୟନ୍ତ ଆରବିଆଇର ନିର୍ଦ୍ଦେଶନାମା ଗ୍ରହଣ କରି ନାହାଁନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୮ ଟି ବ୍ୟାଙ୍କ BBPSରେ ବିଲ୍ ପେମେଣ୍ଟ ସକ୍ରିୟ କରିଛନ୍ତି |

BBPS କ’ଣ?

ବିବିପିଏସ୍ ବା ଭରତ ବିଲ୍ ପେମେଣ୍ଟ ସିଷ୍ଟମ୍ ହେଉଛି ବିଲ୍ ପେମେଣ୍ଟର ଏକ ସମନ୍ୱିତ ପ୍ରଣାଳୀ, ଯାହା ଗ୍ରାହକଙ୍କୁ ଅନଲାଇନ୍ ବିଲ୍ ପେମେଣ୍ଟ ସେବା ଯୋଗାଇଥାଏ  । ବିଲ୍ ପେମେଣ୍ଟ ପାଇଁ ଏହା ଏକ ପାରସ୍ପରିକ ପ୍ଲାଟଫର୍ମ  । ଏହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା NPCI ଅଧୀନରେ କାମ କରେ | UPI ଏବଂ RuPay ପରି ବିବିପିଏସ୍ ମଧ୍ୟ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆର ଅନ୍ତର୍ଭୁକ୍ତ ଅଟେ  । ବର୍ତ୍ତମାନ ପର୍ଯ୍ୟନ୍ତ ୨୬ ଟି ବ୍ୟାଙ୍କ ଏହାକୁ ସକ୍ରିୟ କରିନାହାଁନ୍ତି  ।