spot_img
Home Blog Page 1947

ଭୁଲ୍ କ୍ରମେ କେନ୍ଦ୍ରରେ ଗଠିତ ହେଲା ଏନଡିଏ ସରକାର : ମଲ୍ଲିକାର୍ଜୁନ ଖଡଗେ

ନନ୍ଦିଘୋଷ ବ୍ୟୁରୋ: ଭୁଲ୍ କ୍ରମେ କେନ୍ଦ୍ରରେ ଗଠିତ ହେଲା ଏନଡିଏ ସରକାର। ଯେ କୌଣସି ମୁହୂର୍ତ୍ତରେ ଏହି ସରକାରର ପତନ ଘଟିପାରେ ବୋଲି କହିଛନ୍ତି ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି ବିଜେପି ଏକାକୀ ୨୪୦ ଆସନ ଲାଭ କରିଛି ଯାହାକି ମ୍ଯାଜିକ ନମ୍ବର ୨୭୨ ଠାରୁ ଯଥେଷ୍ଟ କମ୍। ସରକାର ଗଠନ କ୍ଷେତ୍ରରେ ବିଜେପି ସହଯୋଗୀ ଦଳ ଉପରେ ନିର୍ଭର କରୁଛି । ଏହା ଏକ ସଂଖ୍ଯାଲଘୁ ସରକାର। ଏହି ସରକାରର ଯେକୌଣସି ଦିନ ପତନ  ଆସନ୍ନ। ତେବେ ଦେଶକୁ ଶକ୍ତିଶାଳୀ କରିବା ଲାଗି ସମସ୍ତଙ୍କୁ ଏକାଠି ହେବାକୁ ପଡିବ । ଏହା ସହ ବିହାରରେ ହୋଇଥିବା ମେଣ୍ଟ ସରକାର ପ୍ରତି କଟାକ୍ଷ ପ୍ରଦର୍ଶନ କରିଛନ୍ତି ଖଡଗେ । ୨୦୨୪ରେ ବିଜେପି ଯେତେ ଆସନ ପାଇଛି ୧୯୯୧ରେ କଂଗ୍ରେସ ବି ସେତିକି ଆସନ ପାଇଥିଲା । ତେଣୁ ନରସିହ୍ମା ରାଓଙ୍କ ନେତୃତ୍ବରେ କଂଗ୍ରେସ ଏକ ସଂଖ୍ଯାଲଘୁ ସରକାର ଗଠନ କରିଥିଲା ।

ରାଉରକେଲା ଝରାବାହଲରେ ଚର୍ଚ୍ଚରେ ଡକାୟତି, ଦୁଇ ଫାଦରଙ୍କୁ ବାନ୍ଧି ୪ ଲକ୍ଷ ଲୁଟ୍

ରାଉରକେଲା: ରାଉରକେଲା ଝରାବାହଲ କ୍ୟାଥୋଲିକ ଚର୍ଚ୍ଚରେ ଡକାୟତି। ୧୨ ରୁ ୧୫ ଜଣ ଡକାୟତ ଦୁଇ ଜଣ ଫାଦରଙ୍କୁ ଆକ୍ରମଣ କରି ୪ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଚର୍ଚ୍ଚର ତାଲା ଭାଙ୍ଗି ଓ ଫାଦରଙ୍କୁ ବାନ୍ଧି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଆହତ ଦୁଇ ଫାଦରଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ପଠାଯାଇଛି।

ଜୁନ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଜୁନ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ । ପୂର୍ବଦିନ ଅର୍ଥାତ ୨୫ ତାରିଖ ମଧ୍ଯାହ୍ନ ସୁଦ୍ଧା ପ୍ରାର୍ଥୀଙ୍କ ନାମ ଦାଖଲ କରିବା ଲାଗି ପ୍ରସ୍ତାବ ଦିଆଯାଇଛି । ଆସନ୍ତା ଜୁନ ୨୪ରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ବସିବ ଏବଂ ଏହା ଜୁଲାଇ ୩ ଯାଏ ଚାଲିବ । ଏହି ଅଧିବେଶନରେ ନୂଆ ସାଂସଦମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ଜୁନ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଓ ରାଜ୍ଯସଭାର ମିଳିତ ଅଧିବେଶେନରେ ଉଦବୋଧନ ଦେବେ । ଏହା ସହ ଆସନ୍ତା ପାଞ୍ଚ ବର୍ଷ ଲାଗି ନୂଆ ସରକାରର ରୋଡମ୍ଯାପ ସମ୍ପର୍କରେ ସୂଚନା ଦେବେ । ବାଚସ୍ପତି ପଦ ଲାଗି ଯେ କୌଣସି ସଦସ୍ଯ ନିଜର ପସନ୍ଦ ମୁତାବକ ପ୍ରାର୍ଥୀଙ୍କ ନାମ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ଦେଇପାରିବେ । ଅଧିବେଶନର ପ୍ରଥମ ଦୁଇଦନ ନୂଆ ସାଂସଦଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବାଚସ୍ପତି ପଦ ଲାଗି ଜେଡିୟୁ ଓ ଟିଡିପି ମଧ୍ୟରେ ବଳ କଷାକଷି ଚାଲିଥିବା ଜଣାଯାଇଛି ।

ଭୁବନେଶ୍ବରରେ ପହଞ୍ଚିଲା ୨ ଓଡ଼ିଆଙ୍କ ମୃତଦେହ

ଭୁବନେଶ୍ବର: କୁଏତରୁ ଫେରିଲା ୨ ଓଡ଼ିଆଙ୍କ ମୃତଦେହ । ମହମ୍ମଦ ଜହୁର ଏବଂ ସନ୍ତୋଷ ଗୌଡଙ୍କ ମୃତଦେହ ଭୁବନେଶ୍ବରରେ ପହଞ୍ଚିଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ସେଠାରେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମରଶରୀର ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଉଭୟଙ୍କ ପରିବାର ଲୋକ ଅପେକ୍ଷା କରିଥିଲେ । କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ଦୁଇ ଓଡ଼ିଆଙ୍କ ହେଲେ, ଆଠଗଡ ତିଗିରିଆ ଅଞ୍ଚଳର ମହମ୍ମଦ ଜହୁର ଓ ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗ୍ରାମର ସନ୍ତୋଷ ଗୌଡ । କୁଏତ ଅଗ୍ନିକାଣ୍ଡ ଘଟଣାରେ ମୋଟ ୪୯ ମୃତକଙ୍କ ମଧ୍ଯରୁ ୪୫ ଜଣ ହେଉଛନ୍ତି ଭାରତୀୟ ।

ରାଇଘର ଥାନା ହାତୀବେନା ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ହାତୀବେନା ଗ୍ରାମରେ ଗୋଷ୍ଠୀ ସଂଘର୍ଷ। ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ରାଇଘର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କିଛି ପରିବାରକୁ ସାମାଜିକ ବାସନ୍ଦକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି।

ଚା‘ ଦୋକାନୀ ଉପରକୁ ଫିଙ୍ଗିଲେ ତତଲା ଚା‘

ସାଲେପୁର: ଦୁବୃର୍ତ୍ତଙ୍କ ଅମାନବୀୟ କାଣ୍ଡ । ତତଲା ଚା’ ହାଣ୍ଡି ଢାଳିଲେ ଦୁର୍ବୃତ୍ତ। କଟକ ନରଦା ପଞ୍ଚାୟତ ନାନପୁରର ଘଟଣା। ପହିଲି ରଜ ସନ୍ଧ୍ୟାରେ ଚା’ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ରବୀନ୍ଦ୍ର ତରାଇଙ୍କ ଉପରକୁ କିଛି ଗରମ ଚା’ ଫୋପାଡିଥିଲେ ଦୁବୃର୍ତ୍ତ। କେବଳ ଚା‘ ଫିଙ୍ଗିନଥିଲେ ଗାଳିଗୁଲଜ ବି କରିଥିଲେ। ଗୁରୁତର ଅବସ୍ଥାରେ ରବୀନ୍ଦ୍ର ତରାଇଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲା ।  ଏ ସଂପର୍କରେ ପରିବାର ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଦିନକୁ ଦିନ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ଯ ବଢିବାରୁ ଏଭଳି କାଣ୍ଡ ଘଟିଥିବା ସନ୍ଦେହ ହେଉଛି।

ବେଗୁନିଆ-ବାଘମାରି ରାସ୍ତାରେ ଓଲଟିଲା ବସ

ଖୋର୍ଦ୍ଧା : ୫୭ ନଂ ଜାତୀୟ ରାଜପଥର ବେଗୁନିଆ-ବାଘମାରି ରାସ୍ତାରେ ଓଲଟିଲା ବସ । ବସଟି ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଆହତ ହୋଇଥିବା ଦୁଇ ଜଣ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଉ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ବସ ଷ୍ଟିଂୟରିଂ ତ୍ରୁଟି ବାହାରିବାରୁ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା ବସ । ସ୍ଥାନୀୟ ଲୋକେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

ଆଜି ରଜ ସଂକ୍ରାନ୍ତି, ଚାଲିଛି ଦୋଳି ଖେଳ

ଭୁବନେଶ୍ବର: ଆଜି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ଉଠୁଛି ପଡୁଛି ଗାଁ ଦାଣ୍ଡ । ଦୋଳି ଖେଳରେ ମସଗୁଲ ଝିଅ, ବୋହୂ  । ସବୁଠି ଉତ୍ସାହର ମାହୋଲ  । ଆଦ୍ୟ ଆଷାଢର ପହିଲି ପୁଲକରେ ପୁଲ୍ଲକିତ ଧରା । ରଜପର୍ବର ମୁଖ୍ୟ ଆକର୍ଷଣ କୁହାଯାଉଥିବା ଦୋଳି ଘରେ ଘରେ ବନ୍ଧା ହେବା ସହ ବିଭିନ୍ନ ସ୍ଥାନରେ ଦୋଳିର ଆୟୋଜନ କରାଯାଇଛି। ଦୋଳିଖେଳିବାକୁ ପିଲାଠାରୁ କିଶୋରୀଙ୍କ ପର୍ଯ୍ୟନ୍ତ ଭିଡ଼ ଦେଖିବାକୁ ମିଳୁଛି। ପ୍ରତି ଗାଁ ଗାଁରେ ଆୟୋଜନ ହୋଇଛି ଦୋଳି ଖେଳ ପ୍ରତିଯୋଗିତା  । ରଜପାନ ଖିଆ, ଦୋଳିରେ ଝୁଲିବା, ଲୁଡୁ, ତାସ୍ ଖେଳ ଓ ବନ୍ଧୁଶଙ୍ଖୁଳା ମଧ୍ୟରେ ଉତ୍ସବମୁଖର ହୋଇଉଠେ ପରିବେଶ।

ରାଜଧାନୀ  ବି ହୋଇ ଉଠିଛି ଉତ୍ସବମୁଖର । ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ରଜ ମହୋତ୍ସବ । କେତେକ ସ୍ଥାନରେ କବାଡ଼ି ପ୍ରତିଯୋଗିତା ହେଉଛି । କୁମାରୀ ଝିଅମାନେ ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ନେଉଛନ୍ତି ରଜ ଦୋଳିର ମଜା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି ।

ଆଗକୁ ଅଗ୍ରସର ହେଉଛି ମୌସୁମୀ, ୧୭ ତାରିଖରୁ ବଡ଼ ବର୍ଷା !

ଭୁବନେଶ୍ବର: ଆସନ୍ତା ୧୭ ତାରିଖରୁ ରାଜ୍ଯରେ ହେବ ବଡ଼ ବର୍ଷା । ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଖୁବ୍ ଶୀଘ୍ର ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ । ଏଥିପାଇଁ ଅନୁକୂଳ ହେଉଛି ପାଗ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ୧୭ ତାରିଖରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, ନୟାଗଡ଼ ରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ୧୮ ରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୭ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ଏବଂ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ । କାଳବୈଶାଖୀ ବର୍ଷା ହେଲେ ମଧ୍ୟ ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ହଟ୍ ଆଣ୍ଡ ହ୍ୟୁମିଡ ପାଣିପାଗ ସ୍ଥିତି ଦେଖାଦେବ। ଚଳିତ ବର୍ଷ ଜୁନ ୮ ତାରିଖ ସ୍ୱାଭାବିକ ସମୟର ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିଥିଲା ଓଡ଼ିଶା । ହେଲେ ନିଷ୍କ୍ରିୟ ହୋଇ ମାଲକାନଗିରି ଜିଲ୍ଲାରେ ରହିଥିଲା । ପରେ କୋରାପୁଟ ଜିଲ୍ଲାକୁ ଚୁଇଁଥିବାବେଳେ ପ୍ରାୟ ୭ ଦିନ ପରେ ପୁଣି ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ହୋଇଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ମଣିପୁରର ଜିରିବାନ ଜିଲ୍ଲାରେ ଆଶ୍ରୟ ନେବାରେ ଲାଗିଛନ୍ତି ଶହ ଶହ ବିପନ୍ନ

ନନ୍ଦଘୋଷ ବ୍ୟୁରୋ : ସରୁନି ମଣିପୁରବାସୀଙ୍କ ଦୁର୍ଦ୍ଦଶା। ଦିନକୁ ଦିନ ବଢୁଛି ଶରଣାର୍ଥୀଙ୍କ ସଂଖ୍ଯା। ଜିରିବାନ ଜିଲ୍ଲା ସମେତ ଅନ୍ଯାନ୍ଯ ସ୍ଥାନରେ ଆଶ୍ରୟ ନେବାରେ ଲାଗିଛନ୍ତି ଶହ ଶହ ଶରଣାର୍ଥୀ। ଗତ ବର୍ଷ ମେ ମାସରୁ ମେଇତେଇ ଓ କୁକୀ ସମ୍ପ୍ରଦାୟ ମଧ୍ଯରେ ସଂଘାତ ଆଭ୍ଯନ୍ତରୀଣ ଭାବେ ଜାରି ରହିଥିବା ସୂଚନା ମିଳିଛି। କିଛି ଦିନ ତଳେ ଜଣେ ମେଇତେଇ ନାଗରିକଙ୍କ ମୃତଦେହ ମିଳିବାକୁ ନେଇ ଶାନ୍ତି ପ୍ରତିଷ୍ଠା ସମ୍ପର୍କରେ ଆସିଛି ସସପେନସ।

ସେପଟେ ଜିରିବାମର ଶହ ଶହ ଲୋକ ପଡୋଶୀ ଆସାମର କାଚାରକୁ ଚାଲିଯାଇଥିବା ଦେଖାଯାଇଛି। କ୍ଯାବିନେଟ ବୈଠକରେ ମୁଖ୍ଯମନ୍ତ୍ରୀ ଏନ. ବୀରେନ ସିଂ ସ୍ଥିତି ସମୀକ୍ଷା କରିବା ସହ ପୁନଃ ଥଇଥାନ ଲାଗି କ୍ଯାବିନେଟ ସବକମିଟି ଗଠନ ଲାଗି କହିଥିଲେ। ହେଲେ ରାଜ୍ଯରେ ସ୍ଥିତି ସୁଧୁରୁନାହିଁ। ଗତ ୬ ତାରିଖରେ ମୃତଦେହ ମିଳିବା ପରେ କିଛି ସ୍ଥାନରେ ପୁଣି ଦୁଇ ସମ୍ପ୍ରଦାୟ ମଧ୍ଯରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସେପଟେ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ବିଭିନ୍ନ ମେଇତେଇ ସଂଗଠନ। ଗତ ବୁଧବାର ପୂର୍ବ ଇମ୍ଫାଲ ଓ କାଙ୍ଗପୋକେପି ଜିଲ୍ଲା ସୀମାରେ ଉତ୍ତେଜନା ଦେଖିବାକୁ ମିଳିଥିଲା।