spot_img
Home Blog Page 1953

ଅଚ୍ୟୁତ ସାମନ୍ତଙ୍କ ସହ ହେବ ସୁକାନ୍ତ ପାଣିଗ୍ରାହୀଙ୍କ ଟକ୍କର

ନନ୍ଦିଘୋଷ ବ୍ୟୁରୋ: ଚବିଶ ନିର୍ବାଚନରେ ହେବ କାଣ୍ଟେ କି ଟକ୍କର । ବିଜେଡି ବନାମ ବିଜେପି ମଧ୍ଯରେ ହେବ ରୋମାଞ୍ଚକର ଲଢେଇ । ପୂର୍ବରୁ ୧୮ ଲୋକସଭା ଆସନରେ କାହା ସହିତ କିଏ ଲଢିବ ସେନେଇ ସ୍ପଷ୍ଟ ସୂଚନା ମିଳିଥିବାବେଳେ ଏବେ ଅବଶିଷ୍ଟ ୩ ଲୋକସଭା ଆସନ ପାଇଁ ବି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । କନ୍ଧମାଳରେ ବିଜେଡିର ଅଚ୍ଯୁତ ସାମନ୍ତଙ୍କ ସହ ବିଜେପିର ସୁକାନ୍ତ କୁମାର ପାଣିଗ୍ରାହୀ ମୁହାଁମୁହିଁ ହେବେ । ସେହିପରି କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କୁ ଟକ୍କର ଦେବେ ବିଜେଡିର ସଂତୃପ୍ତ ମିଶ୍ର ଓ ଯାଜପୁରରେ ବିଜେଡିର ଶର୍ମିଷ୍ଠା ସେଠୀ ଏବଂ ବିଜେପିର ରବୀନ୍ଦ୍ର ନାରାୟଣ ବେହେରାଙ୍କ ମଧ୍ଯରେ ଟକ୍କର ଦେଖିବାକୁ ମିଳିବ ।

କଟକ, କନ୍ଧମାଳ ଓ ଯାଜପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ବର: ଓଡ଼ିଶା ପାଇଁ ଦ୍ବିତୀୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଅବଶିଷ୍ଟ ୩ ଲୋକସଭା ଆସନ କଟକ, କନ୍ଧମାଳ ଓ ଯାଜପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।  ଭର୍ତ୍ତୃହରି ମହତାବଙ୍କୁ ଦଳ କଟକ ଲୋକସଭା ପ୍ରାର୍ଥୀ କରିଥିବାବେଳେ ରବୀନ୍ଦ୍ର ନାରାୟଣ ବେହେରା ଯାଜପୁର ଓ ସୁକାନ୍ତ କୁମାର ପାଣିଗ୍ରାହୀ କନ୍ଧମାଳ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ତିନି ଆସନରେ ବିଜେପି ତାର ପ୍ରାର୍ଥୀ ବଦଳାଇଛି । ୨୦୧୯ରେ କଟକରୁ ପ୍ରକାଶ ମିଶ୍ର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ଏଥର ଦଳ ବିଜେଡିରୁ ଯାଇଥିବା ଭର୍ତ୍ତୃହରିଙ୍କୁ ଟିକେଟ ଦେଇଛି । ସେହିପରି କନ୍ଧମାଳରୁ ମହାମେଘବାହନ ଐରଖାରବେଳ ସ୍ବାଇଁଙ୍କ ବଦଳରେ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଯାଜପୁରରେ ଅମିୟ ମଲ୍ଲିକଙ୍କ ବଦଳରେ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ବିଜେପି ଟିକେଟ ଦେଇଛି । ପୂର୍ବରୁ ବିଜେପି ୧୮ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ।

ବିଜେପି ଦଳରେ ନେତା ମରୁଡି: ଶରତ ରାଉତ

ଭୁବନେଶ୍ବର: ବିଜେପି ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ସମ୍ପାଦକ ଶରତ ରାଉତ l ବିଜେପିର ଗ୍ରାଉଣ୍ଡରେ ବେସ ନାହିଁ ଓ ବିଜେପି ଦଳରେ ନେତା ମରୁଡି ଦେଖା ଦେଇଛି ବୋଲି ଶରତ ରାଉତ ଅଭିଯୋଗ କରିଛନ୍ତି l ବିଜେପିର ନେତା ନଥିବାରୁ ସେମାନେ ଅନ୍ୟ ଦଳର ନେତାଙ୍କୁ ନେଇ ଦଳ  ବଳ ଗୋଟାଉଛି l ବିଜେପି ଦଳର ସ୍ଥିତି ରାଜ୍ୟରେ ଦୁର୍ବଳ ଅଛି l ଆଜି ଯାଏ ବିଜେପି ରାଜ୍ୟରେ ତାହାର ସ୍ଥିତି ଜାହିର କରିପାରିନାହିଁ l ତେଣୁ ଆମଦାନୀ ନେତାଙ୍କୁ ସ୍ବାଗତ କରୁଛନ୍ତି l  ସେମାନେ ବିଜୁ ଜନତା ଦଳର ଅଲୋଡ଼ା ନେତାଙ୍କୁ ନେଇ ଦଳ ଭର୍ତ୍ତି କରୁଛନ୍ତି ବୋଲି କହି ଶରତ ରାଉତ କଟାକ୍ଷ କରିଛନ୍ତି ରାଜ୍ୟ ବିଜେପିକୁ l

 

ସବୁ ନେତା ଅପରାଧ ମୁକ୍ତ ହୋଇପାରୁଛନ୍ତି କି ?

ନନ୍ଦିଘୋଷ ବ୍ୟୁରୋ: ଅପରାଧ ମୁକ୍ତ ହେଉନାହାଁନ୍ତି ରାଜନେତା । କେତେବେଳେ ପ୍ରତିଦ୍ବନ୍ଦ୍ବୀ ଦଳର ଆକ୍ରୋଶ ତ କେତେବେଳେ ନିଜ ଅପରାଧିକ ଆଚରଣ । ଅପରାଧ ରେକର୍ଡରୁ ନେତାଙ୍କୁ ମୁକ୍ତି ମିଳୁନି । ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିବା ୫୧୪ ଜଣ ସାଂସଦଙ୍କ ଭିତରୁ ୪୪ ପ୍ରତିଶତଙ୍କ ନାମରେ ଅପରାଧୀକ ରେକର୍ଡ ରହିଛି । ୨୯ ପ୍ରତିଶତ ସାଂସଦ ହତ୍ୟା, ହତ୍ୟା ଉଦ୍ୟମ, ମହିଳା ବିରୋଧୀ ହିଂସାରେ ସାମିଲ । ଏଭଳି ରିପୋର୍ଟ ଦେଇଛି ଜାତୀୟ ଇଲେକ୍ସନ୍ ଓ୍ବାଚ୍ ଓ ଏଡିଆର୍ । ଅଭିଯୋଗ ହୋଇଛି ଏଭଳି ଭ୍ରଷ୍ଟ ନେତା ଶାସକ ଦଳରେ ସାମିଲ ହୋଇ ନିଜ କଳାକାରନାମାକୁ କ୍ଲିନ କରିବାରେ ସମର୍ଥ ହେଉଛନ୍ତି ।

ଗଣତନ୍ତ୍ରରେ ସ୍ବଚ୍ଛ ଇମେଜ୍ ଥିବା ନେତା ଭୋଟରଙ୍କ ପ୍ରଥମ ପସନ୍ଦ । ହେଲେ ସବୁ ନେତା ଅପରାଧ ମୁକ୍ତ ହୋଇପାରୁଛନ୍ତି କି ? ଏମିତି ହେଉନି । ନ୍ୟାସନାଲ ଇଲେକ୍ସନ୍ ଓ୍ବାଚ୍ ଓ ଏଡିଆର ରିପୋର୍ଟ । ୨୦୧୯ ସାଧାରଣ ନିର୍ବାଚନରେ ୫୧୪ ଜଣ ନିର୍ବାଚିତ ସାଂସଦଙ୍କ ଭିତରୁ ୨୨୫ ଜଣ ସେମାନଙ୍କ ନାମରେ ଅପରାଧିକ ରେକର୍ଡ ଥିବା ଘୋଷଣା କରିଛନ୍ତି । ୧୪୯ ଜଣଙ୍କ ବିରୋଧରେ ରହିଛି ଜଘନ୍ୟ ଅପରାଧ । ହତ୍ୟା, ହତ୍ୟା ଉଦ୍ୟମ, ସାମ୍ପ୍ରଦାୟିକ ହିଂସା, ଅପହରଣ ଓ ମହିଳା ବିରୋଧୀ ହିଂସାରେ ସଂଶ୍ଲିଷ୍ଟ । ୯ ଜଣଙ୍କ ନାମରେ କେବଳ ହତ୍ୟା, ମହିଳାଙ୍କ ବିରୋଧରେ ଅପରାଧ କରିଥିବା ୧୬ ଜଣ ସାଂସଦଙ୍କ ଭିତରୁ ୩ ଜଣଙ୍କ ବିରୋଧରେ  ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରାଜନୈତିକ ଶତ୍ରୁତା ଯୋଗୁ କେତେକଙ୍କ ବିରୋଧରେ ଅପରାଧୀକ ରେକର୍ଡ ଗଡ଼ୁଛି । କିନ୍ତୁ ମହିଳା ଦୁଷ୍କର୍ମ, ହତ୍ୟା ଭଳି ମାମଲାରେ କେତେକ ନେତା ନିଜ ଆଚରଣ ଯୋଗୁ ଏଭଳି କଳାକାରନାମାରେ ଲିପ୍ତ ରହିଛନ୍ତି ।

ଅପରାଧିକ ରେକର୍ଡ ଥିବା ନେତାଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି । ଆଉ ଅପରାଧିକ ରେକର୍ଡ ଥିବା ନେତାଙ୍କ ପ୍ରଥମ ପସନ୍ଦ ଶାସକ ଦଳ ବୋଲି ଅଭିଯୋଗ ହୋଇଛି । ଶାସକ ଦଳରେ ଯୋଗ ଦେଇ ଟିକେଟ୍ ହାତେଇଲେ ସେମାନଙ୍କ କଳା କାରନାମାକୁ ସହଜରେ ଘଣ୍ଟ ଘୋଡ଼ା ଯାଇପାରୁଛି । ନିର୍ବାଚନକୁ ଅବାଧ ଓ ସ୍ବଚ୍ଛ କରିବାକୁ ଭାରତୀୟ ନିର୍ବାଚନ କମିଶନ ବି ବଡ଼ ପଦକ୍ଷେପ ନେଉଛନ୍ତି । ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ପ୍ରାର୍ଥୀ କରାଗଲେ ସଂପୃକ୍ତ ପ୍ରାର୍ଥୀଙ୍କ ପାଇଁ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିବ । ଏତେସବୁ ପଦକ୍ଷେପ ପରେ ଅପରାଧିକ ରେକର୍ଡ ଥିବା ବ୍ୟକ୍ତି ନିର୍ବାଚନରେ ଭାଗ ନେଉଛନ୍ତି । ଶାସକ ଦଳରେ ସେମାନେ ଯୋଗଦେଇ ଦୁରାଚାରୀରୁ ସଦାଚାରୀ ହେଉଥିବା ଅଭିଯୋଗ ହୋଇଛି ।

 

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ବର: ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ଖରାର ପ୍ରକୋପକୁ ଦେଖି ରାଜ୍ଯ ସରକାରଙ୍କ ବଡ଼ ନିଷ୍ପତ୍ତି । ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲରେ ହେବ ସକାଳୁଆ କ୍ଲାସ । ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସଭିଙ୍କର ହେବ ସକାଳୁଆ ପାଠପଢା । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସକାଳ ୭ଟାରୁ ମଧ୍ଯାହ୍ନ ୧୧ଟା ୩୦ ଯାଏଁ କ୍ଲାସ କରାଯିବ । ସ୍କୁଲରେ ପାନୀୟ ଜଳ, ଓଆରଏସ ଏବଂ ଅନ୍ଯ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରଥଯାତ୍ରାରେ ଭିଡ଼ ଓ ଟ୍ରାଫିକ ପରିଚାଳନା ନେଇ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ

ପୁରୀ: ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଚଳିତବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଷୟ ତୃତୀୟା ଠାରୁ ସୁନାବେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି, ଭିଡ଼ ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ଆଇନ ଶୃଙ୍ଖଳା ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

ମେ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଜୁନ୍ ୨୨ ରେ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୭ ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଜୁଲାଇ ୧୫ ରେ ବାହୁଡା ଓ ୧୭ ତାରିଖରେରେ ସୁନାବେଶ । ୨୦୨୪ ରଥଯାତ୍ରା ପାଇଁ ଦିନ, ନୀତି ଧାର୍ଯ୍ଯ ହୋଇ ସାରିଥିବାବେଳେ ଏଥିପାଇଁ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସବୁ ବିଭାଗ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ଷ୍ଟାଣ୍ଡପୋଷ୍ଟ ପ୍ରସ୍ତୁତ ରଖିବାକୁ ପୁରୀ ଜନସ୍ବାସ୍ଥ୍ୟ ବିଭାଗ ଓ ପୌର ପାଳିକାକୁ ଦିଆଯାଇଛି ପରାମର୍ଶ । ସେହିପରି ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ବଡ଼ଦାଣ୍ଡ ସମେତ ଏହାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ଆବଶ୍ୟକୀୟ ମରାମତି, ଡ୍ରେନ୍ ସଫେଇ କରାଯିବ । ରାଜ୍ୟରେ ନିର୍ବାଚନ ଆଚରଣବିଧି ଜାରି ରହିଥିବାରୁ ନିୟମ ଅନୁପାଳନ ପୂର୍ବକ ସମସ୍ତ କାର୍ଯ୍ଯ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଭିଡ଼ ଓ ଟ୍ରାଫିକ ପରିଚାଳନା ନେଇ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ସହରରେ ଅପରାଧ ଓ ଅପରାଧିକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଆଣ୍ଟି କ୍ରାଇମ୍ ଡ୍ରାଇଭ୍ ଚାଲୁ ରହିଛି । ପୌର ପ୍ରଶାସନ ସହ ଆଲୋଚନା କରି ସହରରେ ପାର୍କିଂ ସ୍ଥଳ ଗୁଡିକ ନିରୂପରଣ କରିବା ପାଇଁ ବୈଠକ କରାଯିବ ବୋଲି କହିଛନ୍ତି ଏସପି ।‌ ସେହିପରି ବଡ଼ଦାଣ୍ଡରେ ଥିବା ଅସୁରକ୍ଷିତ କୋଠା ଗୁଡିକୁ ଚିହ୍ନଟ କରି ରଥଯାତ୍ରା ପୂର୍ବରୁ ପୂର୍ତ୍ତ ବିଭାଗ ଦ୍ବାରା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରଥ ନିର୍ମାଣ ନେଇ ଅସୁବିଧା ଯେପରି ନ ହୁଏ ତାହା ଉପରେ  ସ୍ବତନ୍ତ୍ର ଧ୍ୟାନ ଦିଆଯିବ ।

ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାହିଯାତ ପ୍ରସ୍ତୁତି ବୈଠକ

ପୁରୀ: ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାହିଯାତ ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଆସନ୍ତା ଏପ୍ରିଲ ୧୭ରୁ ମେ ୧ ତାରିଖ ପର୍ଯ୍ୟନ୍ତ ସାହିଯାତ ଅନୁଷ୍ଠିତ ହେବ । ଯାତ ପୂର୍ବରୁ ସଂପୂକ୍ତ ରାସ୍ତା ମରାମତି ଓ ଆଲୋକୀକରଣ ନିମନ୍ତେ ପୌରସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନଶୃଙ୍ଖଳା ନିମନ୍ତେ ସାହିପାଇଁ ଆବଶ୍ୟକୀୟ ପୋଲିସ ମୁତୟନ କରାଯିବ । ପାରସ୍ପରିକ ସହଯୋଗ ନିମନ୍ତେ ୮ ସାହି ଆଖଡାର ମୁରବିମାନଙ୍କୁ ନେଇ କମିଟି ଗଠନ କରାଯିବ । ସାହି ଯାତ ବୁଲିବା ପାଇଁ ରୁଟ ଚାଟ ପ୍ରଦାନ କରାଯିବ । ମେଢ ବାହାର କରିବା ନିମନ୍ତେ ସମୟସୀମା ନିର୍ଘଣ୍ଟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଉପ ଜିଲ୍ଲାପାଳ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଜିଲ୍ଲା ସଂସ୍କୃତି ଅଧିକାରୀ, ପୋଲିସ ଅଧିକାରୀଙ୍କ ସହ ୮ ସାହି ଆଖଡା ମୁରବି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

ଗରିବଙ୍କ ବଳ ୫ ଟଙ୍କିଆ ଆହାର, ମାଗଣା ରୋଗୀ ସେବା ସହ ସ୍ବଚ୍ଛ ପରିବେଶରେ ସ୍ବାଦିଷ୍ଟ ଭୋଜନ

କଟକ: ଆର୍ଥିକ ଅନାଟନ ମଧ୍ୟରେ ଦିନ କାଟୁଥିବା ଖଟିଖିଆ ମଣିଷଙ୍କ ପାଇଁ ରୋଗ ଏକ ଆତଙ୍କ । ହେଲେ ରାଜ୍ୟ ସରକାରଙ୍କ ନିଃଶୁଳ୍କ ଚିକିତ୍ସା ସେବା ସାଙ୍ଗକୁ ୫ ଟଙ୍କିଆ ଆହାର ଯୋଜନା ସେମାନଙ୍କୁ ବଳ ଯୋଗାଇଛି । ଏସସିବି ଓ କର୍କଟ ରୋଗ ପ୍ରତିଷ୍ଠାନ ପରିସରରେ ଖୋଲିଥିବା ଆହାର କେନ୍ଦ୍ର ଖାଦ୍ୟ ଚିନ୍ତା ଦୂର କରିବାରେ ସକ୍ଷମ ହୋଇଛି । ପ୍ରତିଦିନ ଏଠାରୁ ୩ ହଜାରରୁ ଉର୍ଦ୍ଧ ଲୋକ ଆହାର ପାଉଥିବା ବେଳେ ଏବେ ଲୋକଙ୍କ ଆବଶ୍ୟକତାକୁ ଦେଖି ଏହାର ସମ୍ପ୍ରସାରଣ ପାଇଁ ହୋଇଛି ଯୋଜନା।

ଗରିବଙ୍କୁ ମିଳିଛି ପେଟ ଓ ରୋଗ ସହ ଲଢିବାର ଶକ୍ତି । ଏହି ଶକ୍ତି ଯୋଗାଇ ଦେଇଛନ୍ତି ରାଜ୍ଯ ସରକାର । ମାଗଣା ଚିକିତ୍ସା ସେବା ସହ ୫ ଟଙ୍କାରେ ପେଟପୁରା ଖାଦ୍ଯ । ଖଟିଖିଆ ଲୋକଙ୍କ ପାଇଁ ସାଜିଛି ବଳ । କେଉଁ ରୋଗ କେତେବେଳେ କାହାକୁ ହେବ ସେ କଥା କହିବା ମୁସ୍କିଲ । ତେବେ ଗରିବଙ୍କ ପାଇଁ ଛୋଟ ହେଉବା ବଡ଼, ରୋଗ ହେଲେ ମାନସିକ ଶାରୀରିକ ଓ ଆର୍ଥିକସ୍ଥିତିକୁ ଦୋହଲାଇ ଦେଇଥାଏ । ତେବେ ରାଜ୍ୟ ସରକାରଙ୍କ ଯୋଗୁଁ ଆଉ ସେହି ଚିନ୍ତା ନାହିଁ । ମାଗଣା ରୋଗୀ ସେବା ସହ ସେମାନଙ୍କ ସମ୍ପର୍କୀୟ ମାନଙ୍କ କ୍ଷୁଧା ନିବାରଣ ପାଇଁ ୫ ଟଙ୍କିଆ ଆହାର ବ୍ୟବସ୍ଥା କରିଛନ୍ତି ରାଜ୍ଯ ସରକାର । ଏସସିବି ଓ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଖୋଲିଥିବା ଆହାର କେନ୍ଦ୍ରରୁ ଦିନରାତି ମିଶାଇ ୩ ହଜାରରୁ ଉର୍ଦ୍ଧ୍ବ ଆହାର ପାଉଛନ୍ତି । କେନ୍ଦ୍ରରେ ନିୟୋଜିତ ମିଶନ ଶକ୍ତି ମାଆ ମାନେ ମଧ୍ୟ ଏଭଳି ପୁଣ୍ୟ କାର୍ଯ୍ୟରେ ସାମିଲ ହୋଇଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ।

କଟକ ଏସସିବି ବଡ଼ ମେଡିକାଲ ରେଫେରରାଲ ହସ୍ପିଟାଲ ହୋଇଥିବାରୁ ପ୍ରତିଦିନ ଏଠାକୁ ଓଡିଶା ସମେତ ବାହାର ରାଜ୍ୟରୁ ହଜାର ହଜାର ରୋଗୀ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ 60 ପ୍ରତିଶତ ଆହାର ଉପରେ ନିର୍ଭର କରୁଛନ୍ତି । ସ୍ଵଚ୍ଛ ପରିବେଶରେ ପେଟପୁରା ସୁସ୍ୱାଦୁ ଖାଦ୍ଯ ମିଳୁଥିବାରୁ ସମସ୍ତେ ଖୁସ୍ । ଚାହିଦାକୁ ଦେଖି ଏସସିବି ଅଧିକାରୀଙ୍କ ଅନୁରୋଧକ୍ରମେ ଏହାକୁ ସାମ୍ପ୍ରସାରଣ ପାଇଁ ଯୋଜନା ହୋଇଛି । ୫ ଟଙ୍କିଆ ଆହାର ଯୋଗୁଁ ଏସସିବିକୁ ଆସୁଥିବା ରୋଗୀ ଓ ପରିବାର ଲୋକଙ୍କ ମୁହଁରେ ହସ ଆଣିଦେଇଛି । ଏଥିପାଇଁ ରାଜ୍ଯ ସରକାରଙ୍କୁ ପ୍ରଶଂସା କରିଛନ୍ତି ରୋଗୀ ଓ ତାଙ୍କ ପରିବାର ।

କୋଟିଆ ଲୋକଙ୍କୁ ପୁଣି ନିଜଆଡକୁ ଟାଣିବାକୁ ଚକ୍ରାନ୍ତ କରୁଛି ଆନ୍ଧ୍ର

ନନ୍ଦିଘୋଷ ବ୍ୟୁରୋ: ଉଭୟ ଆନ୍ଧ୍ର ଏବଂ ଓଡିଶାର ଲୋକସଭା ଓ ବିଧାନସଭା ନିମନ୍ତେ ନିର୍ବାଚନ ଆସନ୍ତା ମେ ମାସ ୧୩ ତାରିଖ ଦିନ ଅନୁଷ୍ଠିତ ହେବ । କୋଟିଆର ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଆନ୍ଧ୍ର ପକ୍ଷରୁ ଚକ୍ରାନ୍ତ ଚଳାଇଛି । ହେଲେ ପୂର୍ବପରି କୋଟିଆ ବାସୀ ଓଡିଶାରେ କିପରି ଭୋଟ ଦେବେ ଓଡିଶା  ପ୍ରଶାସନ ପକ୍ଷରୁ ରଣନୀତି ଜାରି ରହିଛି ।

ସୁଧୁରୁନି ଆନ୍ଧ୍ର । କୋଟିଆ ଲୋକଙ୍କୁ ପୁଣି ନିଜଆଡକୁ ଟାଣିବା ପାଇଁ କରୁଛି ଚକ୍ରାନ୍ତ । ମିଛ ପ୍ରତିଶ୍ରୁତି ଦେଇ ଚଳାଇଛି ପ୍ରଚାର । ହେଲେ ସବୁ ଚାଲକୁ ଭଣ୍ଡୁର କରିବାକୁ ପ୍ରସ୍ତୁତ କୋରାପୁଟ ପ୍ରଶାସନ । ଲୋକଙ୍କୁ ସଚେତନ କରିବା ସହ ଦେଇଛି ରାଜ୍ୟ ସରକାରଙ୍କ ବିକାଶର ହିସାବ । ଆସନ୍ତା ମେ ମାସ ୧୩ ତାରିଖରେ ଚତୁର୍ଥ ପର୍ଯ୍ଯାୟ ଭୋଟ ହେବ। ୧୩ରେ ପଟାଙ୍ଗୀରେ ଭୋଟ ହେବାକୁ ଥିବା ବେଳେ ସେହି ଦିନ ଅନ୍ଧ୍ରପଦ୍ରେଶର ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବେ । ଏନେଇ ବାରମ୍ବାର କୋଟିଆରେ ଅନୁପ୍ରବେଶ କରି କୋଟିଆ ଲୋକଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ ଚଲାଇଛି ଆନ୍ଧ୍ର ।

ଆନ୍ଧ୍ର କୋଟିଆ ପଞ୍ଚାୟତକୁ ପାଞ୍ଚଟି ପଞ୍ଚାୟତରେ ବିଭକ୍ତ କରିଛି । ପାଟୁସିନେରୁ, ପଗୁଣସିନେରୁ, ଗଞ୍ଜାଇଭାଦରା,ସାରିକି ଓ କୁରୁକୁଟି ପଞ୍ଚାୟତ ଭାବେ ବିଭାଜନ କରିଛି। ଉକ୍ତ ପଞ୍ଚାୟତ ଗୁଡ଼ିକରେ ମୋଟ ୨୫୫୪ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। କୋଟିଆ ବିବାଦକୁ ନେଇ ସୁପ୍ରିମ କୋର୍ଟରେ ମକଦ୍ଦମା ଲାଗି ରହିଥିବା ବେଳେ ସୁପ୍ରିମ କୋର୍ଟ ଉଭୟ ଓଡିଶା ଓ ଆନ୍ଦ୍ର କୁ ସ୍ଥିତାବସ୍ଥା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥଳେ ଆନ୍ଦ୍ର ସପକ୍ଷରେ କୋଟିଆବାସୀ ଅଛନ୍ତି ବୋଲି ପ୍ରମାଣିତ କରିବାକୁ ହିନ ଚକ୍ରାନ୍ତ ଚଳାଇଛି । ହେଲେ ଏହି ଚକ୍ରାନ୍ତକୁ ଫେଲ କରିଛନ୍ତି କୋରାପୁଟ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି । ଲୋକଙ୍କୁ ସଚେତନ କରିବା ସହିତ ଓଡିଶାର ନିର୍ବାଚନରେ ସାମିଲ ହୋବାକୁ ଲୋକଙ୍କୁ ଅପିଲ କରିଛନ୍ତି ।

ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତରେ ସମୁଦାୟ ୫,୫୦୨ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ । ପୁରୁଷ ଭୋଟରଙ୍କ ସଂଖ୍ୟା ୨୫୮୯ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨୯୧୩ ରହିଛି । କୋଟିଆ ପଞ୍ଚାୟତର ଲୋକେ ସୁବିଧାରେ ଭୋଟ ଦେବା ପାଇଁ କୋରାପୁଟ ପ୍ରଶାସନ ପକ୍ଷରୁ ୯ଟି ମତଦାନ କେନ୍ଦ୍ର କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାଷନ୍ କୋଟିଆ ଗ୍ରାମପୁଂଜକୁ  ଗସ୍ତକରି ଭୋଟଦେବାକୁ  ଭୋଟରଙ୍କୁ  ସଚେତନ କରୁଛନ୍ତି । କୋଟିଆର ଜନସାଧାରଣ ମଧ୍ୟ ଓଡିଶା ଲୋକସଭା ଓ ବିଧାନସଭା ନିର୍ବାଚନରେ ଭାଗ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । କୋଟିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 150 କୋଟି ଟଙ୍କାର ବିକାଶ ମୂଳକ କାର୍ଯ୍ୟ କରିଛନ୍ତି । କୋଟିଆରେ ସ୍କୁଲ , ରାସ୍ତାଘାଟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଛି। ତେଣୁ କୋଟିଆବାସୀ ଓଡିଶାର ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଭୋଟ ଦେବାକୁ ଆଗ୍ରହ ଦେଖାଇଛନ୍ତି ।

 

ଜମୁଛି ପଞ୍ଚୁଦୋଳ ମେଳନ

କେନ୍ଦ୍ରାପଡ଼ା: ପଞ୍ଚୁ ଦୋଳ ମେଳନ ଉତ୍ସାହ। ସବୁଠି ହୋଲି ଗୋଟିଏ ଦିନରେ ପାଳନ ହେଉଥିବା ବେଳେ କେନ୍ଦ୍ରାପଡାରେ ପଞ୍ଚୁ ଦୋଳ ନିଆରା ଢଙ୍ଗରେ ପାଳନ ହେଉଛି। ଦୂର ସ୍ଥାନରୁ ଆସି ପହଞ୍ଚିଛି ଦୋଳ ବିମାନ। ଏଥିସହ ଧୁମଧାମରେ ଅନୁଷ୍ଠିତ ହୋଇଛି ଯାଜପୁର ଧର୍ମଶାଳାର ଐତିହାସିକ ମୁନସୀ ମେଳଣ। ସୁସଜିତ ଦୋଳ ବିମାନରେ ଝୁଲି ଝୁଲି ଆସିଲେ ଦୋଳ ଗୋବିନ୍ଦ।

କେନ୍ଦ୍ରାପଡାରେ ପାଳନ ହେଉଛି ପଞ୍ଚୁ ଦୋଳ। ସବୁଠି  ହୋଲି ଗୋଟିଏ ଦିନରେ ପାଳନ ହେଉଥିବା ବେଳେ ପଞ୍ଚୁ ଦୋଳରେ କିନ୍ତୁ ନିଆରା ଢଙ୍ଗରେ ପଞ୍ଚୁ ଦୋଳ ପାଳନ ହେଉଛି। ବାଲିପାଟଣାର ପ୍ରଖ୍ୟାତ ଦେବତା ଲମାନଜୀଉ, ଗୋବିନ୍ଦଜୀଉ, ଗୋପାଳଜୀଉ ଏବଂ ଅନେକ ସୁଦୂର ବିମାନ ଆସି ପହଂଚିଥାନ୍ତି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ପାଖରେ।  ଏହାପରେ ଭୋଗ ଲାଗି କରାଯାଇଥାଏ ।  ଚଳିତ ବର୍ଷ ହୋଲିକୁ ସୁରକ୍ଷିତରର ସହ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ହୋଇଛି।

ଧୁମଧାମରେ ଅନୁଷ୍ଠିତ ହୋଇଛି ଯାଜପୁର ଧର୍ମଶାଳାର ଐତିହାସିକ ମୁନସୀ ମେଳଣ। ସୁସଜିତ ଦୋଳ ବିମାନରେ  ଝୁଲି ଝୁଲି ଆସୁଛନ୍ତି ଦୋଳ ଗୋବିନ୍ଦ। ମୁନସୀ ବାବୁ ଆରମ୍ଭ କରିଥିବା ଏହି ମେଳଣ ୧୪୮ବର୍ଷରେ ପହଞ୍ଚିଛି। ଚଳିତ ବର୍ଷ ଛୋଟ ବଡ଼ ୩୫ଟି ବିମାନ ମେଳଣରେ ସାମିଲ ହୋଇଥିଲା। ବାଜା ସଂକୀର୍ତନ ସହ ପାରମ୍ପରିକ ଲଉଡ଼ିଖେଳରେ ପ୍ରକମ୍ପିତ ହୋଇଥିଲା ପରିବେଶ। ମେଳଣ ବୁଲିବା ସହ ରାଧା କୃଷ୍ଣଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ବହୁ ସଂଖ୍ଯାରେ ଶ୍ରଦ୍ଧାଳୁ। ମେଳଣରେ ପୋଲିସ ଓ ଜନତା ପରସ୍ପର ମଧ୍ୟରେ ଫଗୁ ଖେଳିଥିଲେ। ମେଳଣ ପଡିଆରେ ବ୍ୟବସାୟୀ ମାନେ ଭଳିକି ଭଳି ସାମଗ୍ରୀ ବିକ୍ରି କରିଥିଲେ।