ନୟାଗଡ଼: ନାମାଙ୍କନ ଦାଖଲ କଲେ ଖଣ୍ଡପଡ଼ା ବିଜେଡି ପ୍ରାର୍ଥିନୀ ସାବିତ୍ରୀ ପ୍ରଧାନ । ୧୫ ହଜାରରୁ ଅଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରାରେ ଯାଇ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଶାଳ ରାଲିରେ ବିଜେଡିର କଟକ ଲୋକସଭା ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଖଣ୍ଡପଡ଼ା ବିଜେଡି ପର୍ଯ୍ୟବେକ୍ଷକ ଅମିତ ମଲ୍ଲିକ ଯୋଗଦେଇଥିଲେ । ଖଣ୍ଡପଡ଼ାର ସେବା କରିବାକୁ ସୁଯୋଗ ଦେଇଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସାବିତ୍ରୀ । ନିର୍ବାଚନରେ ବିଜେଡି ବଡ଼ ବ୍ଯବଧାନରେ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଲିଭୁନି ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ, ଜଳିଗଲାଣି ୧୧୪୫ ହେକ୍ଟର ଜଙ୍ଗଲ
ଡେରାଡୁନ: ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ଥମିବା ନାଁ ନେଉନି । ଅଲମୋଡା ଓ ବାଗେଶ୍ବର ସମେତ ଅଧିକାଂଶ ଜିଲ୍ଲାରେ ଜଙ୍ଗଲ ଜଜୁଛି । ଅଲମୋଡା ଜିଲ୍ଲା ଜଙ୍ଗଲ ନିଆଁ ଧୀରେ ଧୀରେ ଅନିୟନ୍ତ୍ରିତ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମସ୍ତ ଜିଲ୍ଲାଧିକାରୀଙ୍କୁ ଏକ ସପ୍ତାହର ନୋଟିସ ଜାରି କରି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ବର୍ଷ ନଭେମ୍ବର ୧ରୁ ବର୍ତ୍ତମାନ ସୁଦ୍ଧା ଉତ୍ତରାଖଣ୍ଡ ଜଙ୍ଗଲରେ ୯୧୦ଟି ଅଗ୍ନିକାଣ୍ଡ ଘଟଣା ଘଟିସାରିଛି । ଏହାଦ୍ବାରା ୧୧୪୫ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଜଙ୍ଗଲ ଧୂଆଁ ଯୋଗୁଁ ଲୋକଙ୍କୁ ନିଶ୍ବାସ ନେବାରେ ସମସ୍ୟା ଉପୁଜୁଛି ।
ଗୁରୁବାର ବାଡାହାଟ ରେଞ୍ଜ ଜଙ୍ଗଲରେ ଲାଗିଥିବା ନିଆଁ ରବିବାର ସୁଦ୍ଧା ନିୟନ୍ତ୍ରଣ ହୋଇପାରିନାହିଁ । ଏହା ଛଡା ମୁଖେମ ରେଞ୍ଜର ଡାଙ୍ଗ, ପୋଖରୀ ଗାଁରେ ଲାଗିଥିବା ଡୁଣ୍ଡା ରେଞ୍ଜରେ ଚାମକୋଟ ଓ ଦିଲସୋଡ କ୍ଷେତ୍ରକୁ ବି ଜଙ୍ଗଲ ନିଆଁ ବ୍ୟାପିଛି । ବନ ବିଭାଗ ରିପୋର୍ଟ ଅନୁସାରେ ବନାଗ୍ନି ଯୋଗୁଁ ଉତ୍ତରକାସୀ ବନ ବିଭାଗରେ ୧୯.୫ ହେକ୍ଟର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି ।
ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକ ଘରେ ଇଡି ରେଡ୍, ନଗଦ ୨୦ କୋଟି ଟଙ୍କା ଜବତ
ରାଞ୍ଚି: ଲୋକସଭା ନିର୍ବାଚନ ସମୟରେ ଝାଡଖଣ୍ଡରେ ଇଡିର ବଡ ରେଡ୍ । ରାଞ୍ଚିରେ ଇଡି ଅନେକ ସ୍ଥାନରେ ଚଢାଉ କରୁଛି। ଝାଡଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମଙ୍କ ପିଏସ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏହି ଚଢାଉରେ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଛି । ତଦନ୍ତକାରୀ ଟିମ ଆହୁରି ଟଙ୍କାଗଣା ମେସିନ ମଗାଇଛି । ଇଡି ଏବେବି ଜବତ ଟଙ୍କା ଗଣୁଛି ।
ଇଡି ଅଧିକାରୀଙ୍କ ଦ୍ବାରା ରିଲିଜ୍ ହୋଇଥିବା ଭିଡିଓରେ ନୋଟଗୁଡିକ କିପରି ଘରେ ଠୁଳ କରାଯାଇଛି ତାହା ଦେଖିବାକୁ ମିଳିଛି। ନୋଟ୍ ଗୁଡ଼ିକୁ ବ୍ୟାଗ, ସୁଟକେସ୍ ଏବଂ ପଲିଥିନରେ ରଖାଯାଇଥିଲା । ଅଧିକାରୀମାନେ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ଖୋଜୁଛନ୍ତି।
ଇଡି ଗତ ଫେବୃଆରୀ ୨୦୨୩ରେ ଅର୍ଥ ହେରଫେର ମାମଲାରେ ଝାଡଖଣ୍ଡ ଗ୍ରାମୀଣ ବିକାଶ ବିଭାଗ ମୁଖ୍ୟ ବୀରେନ୍ଦ୍ର ରାମଙ୍କୁ ଗିରଫ କରିଥିଲା । ସେତେବେଳେ ଏହି ଟଙ୍କା ମନ୍ତ୍ରୀ ଆଲମଗିରି ଆଲମଙ୍କ ହୋଇଥିବା ଅଭିଯୋଗ ହୋଇଥିଲା ।
PMLA ଅଧୀନରେ ପ୍ରାୟ ୧୨ ସ୍ଥାନରେ ଚଢାଉ କରାଯାଇଛି। ନିଲମ୍ବିତ ମୁଖ୍ୟ ଯନ୍ତ୍ରୀ ବିରେନ୍ଦ୍ର ରାମଙ୍କ ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ଘରେ ମଧ୍ୟ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
।

