ସମ୍ବଲପୁର: ମହାଦେବଙ୍କ ମାନବୀୟଲୀଳା। ମର୍ତ୍ତମଣ୍ଡଳରେ ବିବାହ କରିବେ ବାବା ତ୍ରୈଲୋକ୍ୟନାଥ । ପବିତ୍ର ଶୀତଳଷଷ୍ଠୀରେ ଦେବଦମ୍ପତିଙ୍କ ସମ୍ପନ୍ନ ହେବ ବିବାହ କାର୍ଯ୍ୟ । ଆଜିଠୁ ଆରମ୍ଭ ହେବ ପତ୍ରପେଣ୍ଡି ପର୍ବ । ଏହାକୁ ମହାଦେବଙ୍କ ପାଇଁ କନ୍ୟାଖୋଜା ପର୍ବ ବୋଲି ମଧ୍ୟ କୁହାଯାଏ । ସନ୍ଧ୍ୟାରେ ସପ୍ତଋଷି ବାହାରି କନ୍ୟା ପିତାମାତାଙ୍କ ଘରେ ପହଞ୍ଚି ଶିବ ପାର୍ବତୀଙ୍କ ବିବାହ ସ୍ଥିର କରିବେ ସେଥିପାଇଁ ଉତ୍ସବ ମୁଖର ସମ୍ବଲପୁର ସହର ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ବିଜେପି ବୈଠକ
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ବାସଭବନରେ ଦଳର ପ୍ରମୁଖ ନେତାଙ୍କୁ ନେଇ ବସୁଛି ବୈଠକ। ପ୍ରଧାନମନ୍ତ୍ରୀଙ୍କ ଶପଥ ସମାରୋହ ଉତ୍ସବ ପୂର୍ବରୁ ଏହି ବୈଠକ ଡାକିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବୈଠକରେ ବିଜେପିର ବରିଷ୍ଠ ନେତା ଅମିତ ଶାହା, ରାଜନାଥ ସିଂହ, ବିଏଲ ସନ୍ତୋଷଙ୍କ ସହ ଅନ୍ଯ ପ୍ରମୁଖ ନେତା ଯୋଗ ଦେବାର କାଯ୍ଯକ୍ରମ ରହିଛି। ଯେଉଁଥିରେ ମଧ୍ଯପ୍ରଦେଶ ପୂର୍ବତନ ମୁଖ୍ଯମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ମଧ୍ଯ ସାମିଲ ଅଛନ୍ତି । ଶିବରାଜଙ୍କ ନେତୃତ୍ବରେ ଦଳ ରାଜ୍ଯରେ ୨୯ ସିଟ ଦଖଲ କରିପାରିଛି । ଏପରିକି ଶିବରାଜ ମଧ୍ଯ ନିଜେ ବୃହତ ମାର୍ଜିନରେ ବିଜୟୀ ହୋଇଛନ୍ତି । ତାଙ୍କୁ ବଡ଼ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ତେବେ ପୂର୍ବରୁ ଆସନ୍ତା ୮ ତାରିଖରେ ଲଗାତାର ତୃତୀୟଥର ଲାଗି ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା । ଏବେ ୯ ତାରିଖରେ ଶପଥ ଗ୍ରହଣ ହେବ ବୋଲି ଜଣାପଡିଛି । ଗତକାଲି ଏନଡିଏର ବସିଥିବା ବୈଠକରେ ସର୍ବସମ୍ମତକ୍ରମେ ନେତା ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ସାକ୍ଷାତ କରିବେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର। ନିର୍ବାଚିତ ସାଂସଦଙ୍କ ନୂତନ ତାଲିକା ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ। ଦେଶରେ କେଉଁ ଦଳ ସାଧାରଣ ନିର୍ବାଚନରେ ସଂଖ୍ଯାଗରିଷ୍ଠତା ଏ ନେଇ ତାଲିକା ପ୍ରଦାନ କରିବେ ଭାରତୀୟ ନିର୍ବାଚନ କମିଶନ। ଏହାପରେ ବିଧିବଦ୍ଧ ଭାବେ ସଂଖ୍ଯାଗରିଷ୍ଠତା ହାସଲ କରିଥିବା ଦଳକୁ ସରକାର ଗଠନ ଲାଗି ଆହ୍ଵାନ କରିବେ ରାଷ୍ଟ୍ରପତି।
ମୁହାଁମୁହିଁ ବାଇକ ଧକ୍କାରେ ବାପ ମୃତ, ପୁଅ ଗୁରୁତର
କଳାହାଣ୍ଡି: ମୁହାଁମୁହିଁ ବାଇକ ଧକ୍କାରେ ବାପ ମୃତ, ପୁଅ ଗୁରୁତର । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ନିକଟସ୍ଥ କେନ୍ଦୁ ବନ୍ଧ ଛକଠାରେ ଗୁରୁବାର ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, କୋମନା ବ୍ଲକର ଜେଠୁ ପାଲି ଗାଁର ଯଉବନ ତାଣ୍ଡି ଓ ପୁଅ ରାଜୀବ ତାଣ୍ଡି ଓ ଭାଗିରଥି ଜାଲ ନିଜ ଗାଁ ଅଭିମୁଖେ ଏକ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଘଟଣା ସ୍ଥଳରେ ଯଉବନଙ୍କ ମୃତ୍ୟୁ ହେଇଥିବା ବେଳେ ପୁଅ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏମ୍ ରାମପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ବିଷାକ୍ତ ସାପ କାମୁଡାରେ ଭାଇ ମୃତ ଭଉଣୀ ଗୁରୁତର
ସୁନ୍ଦରଗଡ: ବଣାଇଁ ଥାନା ଅନ୍ତର୍ଗତ କଟୁରିଧୁଆ ଗ୍ରାମରେ ଗତରାତିରେ ଘରେ ଶୋଇଥିବା ଅବସ୍ଥାରେ ଭାଇ ଭଉଣୀକୁ କାମୁଡିଲା ବିଷାକ୍ତ ସାପ। ସାପ କାମୁଡ଼ିବାରେ ୪ ବର୍ଷୀୟ ଭାଇ ସନ୍ଦୀପ ଓରାମଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ୧୨ ବର୍ଷୀୟ ଭଉଣୀ ଅଲିଶା ଓରାମ ଗୁରୁତର ହୋଇ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏବେ ଝଅର ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ଝିଅକୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ
ବାଲେଶ୍ୱର: ଝିଅକୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ। ବାସୁଦେବପୁର ଅନନ୍ତପୁର ବାଲିଛନ୍ଦା ଘାଟ ନିକଟରେ ଘଟିଛି ଅଘଟଣ । ବାଲିମେଣ୍ଢ ଅଞ୍ଚଳର ସୁନୀଲ ବାରିକ ଝିଅର ସାବତ୍ରୀ ଭାର ଦେଇ ଘରକୁ ଫେରୁଥିବା ବେଳେ କୌଣସି ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସୁନୀଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନନ୍ତପୁର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
ଦିଲ୍ଲୀରେ ଉତ୍କଟ ଜଳସଙ୍କଟ, ଦିନକୁ ଗୋଟିଏ ଥର ମିଳୁଛି ପାଣି
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଉତ୍କଟ ଜଳସଂକଟ। ତାତି ବଢିବା ସାଙ୍ଗକୁ ଦିଲ୍ଲୀର ବିଭିନ୍ନ ଅଂଚଳରେ ଦେଖାଦେଇଛି ଜଳ ସମସ୍ଯା। ଯୋଗାଣ ପାଇପରେ ଆସୁନି ପାଣି। ପାନୀୟ ଜଳ ପାଇଁ ସନ୍ତୁଳି ହେଉଛନ୍ତି ଲୋକେ। ଅନେକ ଅଂଚଳରେ ଟ୍ଯାଙ୍କର ଯୋଗେ ପାଣି ଯୋଗାଉଛନ୍ତି ଦିଲ୍ଲୀ ସରକାର। ଟ୍ଯାଙ୍କର ଆସିବାରେ ବିଳମ୍ବ ହେବା ମଧ୍ୟ କହୁଛନ୍ତି ଲୋକେ। ଅନେକ ସ୍ଥାନରେ ପ୍ରଦୂଷିତ ପାଣି ଆସୁଥିବାରୁ ସମସ୍ଯା ବଢିଛି। କେବଳ ଦିନକୁ ଗୋଟିଏ ଥର ପାଣି ଆସୁଥିବା ଲୋକେ କହିଛନ୍ତି। ଟ୍ଯାଙ୍କରରେ ଦିଆଯାଉଥିବା ପାଣି ମଇଳା ଥିବା କହିଛନ୍ତି। ପାଣି ନେବାକୁ ଶହ ଶହ ସଂଖ୍ଯାରେ ଲୋକେ ଭିଡ଼ ଲଗାଉଛନ୍ତି। ଗୋଟିଏ ଟ୍ଯାଙ୍କରେ ପାଣି ନେବାକୁ ଶହ ଶହ ସଂଖ୍ଯାରେ ପାଇପ ଲାଗିଛି। ପାଣି ସମସ୍ଯାର ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି। ଦିଲ୍ଲୀରେ ପାରଦ ମଧ୍ୟ ଉପରେ ରହିଛି। ମୁଙ୍ଗେଶପୁର ଅଂଚଳରେ ପାରଦ ୪୯ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା।
ଉତ୍ତରାଖଣ୍ଡରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘାଟିକୁ ଖସିଲା ଯାତ୍ରୀବାହୀ ଗାଡ଼ି ୬ ମୃତ
ଉତ୍ତରାଖଣ୍ଡ: ଦେବଭୂମି ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପାହାଡ଼ରୁ ଖାଲକୁ ଖସିଲା ଯାତ୍ରୀବାହୀ ଗାଡ଼ି। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହାତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କୁ ହଲଦ୍ଵାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନୈନିତାଲ ଜିଲ୍ଲା ଓଖଲକାଣ୍ଡା ନିକଟରେ ଘଟିଛି ଏ ଦୁର୍ଘଟଣା।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାର ୩ ସଦସ୍ୟ ଅଛନ୍ତି। ଏନେଇ ପୋଲିସର ତଦନ୍ତ ଜାରି ରହିଛି ।
ଇମ୍ରାନ ଖାଁଙ୍କ ଲାଗି ବଢିପାରେ ଅଡୁଆ, ଦଳୀୟ ନିର୍ବାଚନ ପ୍ରସଙ୍ଗରେ ଆଜି ଶୁଣାଣି କରିବେ ନିର୍ବାଚନ କମିଶନ
ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଲାଗି ବଢିପାରେ ଅଡୁଆ। ଦଳୀୟ ନିର୍ବାଚନ ପ୍ରସଙ୍ଗରେ ଶୁଣାଣି କରିବେ ପାକିସ୍ତାନ ନିର୍ବାଚନ କମିଶନ। ଏନେଇ ପାକିସ୍ତାନ ତେହରିକ-ଏ-ଇନସାଫ ଅଧ୍ଯକ୍ଷ ବାରିଷ୍ଟର ଗୌହର ଅଲ୍ଲୀ ଖାଁ ଓ ମୁଖପାତ୍ର ରାଉଫ ହାସନଙ୍କୁ ନୋଟିସ ଜାରି କରିଥିଲେ ନିର୍ବାଚନ କମିଶନ। ଗତ ମେ’ ୩୦ ତାରିଖରେ ଏହି ମାମଲାର ଶୁଣାଣି ହେବାର ଥିଲା । ମାତ୍ର କୋର୍ଟରେ ଖଣ୍ଡପୀଠଙ୍କ ସମୟାନୁସାରେ ଏହାକୁ ଜୁନ ୬କୁ ପରିବର୍ତ୍ତିତ କରାଯାଇଥିଲା । ଦଳ ଭିତରେ ହୋଇଥିବା ନିର୍ବାଚନ ପ୍ରସଙ୍ଗରେ ସବିଶେଷ ତଥ୍ଯ ଦାଖଲ କରିବା ଲାଗି ଇସି ନିର୍ଦ୍ଦେଶ ଦେଇଥିଲେ। ସାଂଗଠନିକ ସ୍ଥିତି ହରାଇବା ପରେ ଦଳର ବାସ୍ତବ ତଥ୍ଯଗୁଡିକୁ ଦାଖଲ କରିବାକୁ ପିଟିଆଇକୁ ନିର୍ଦ୍ଦେଶ ଦେଇଥିଲେ ଇସିପି। ଗତ ୨୦୨୩ ଡିସେମ୍ବର ୨୨ରେ ପିଟିଆଇର ନିର୍ବାଚନ ସଙ୍କେତ ବ୍ଯାଟକୁ ରଦ୍ଦ କରିଥିଲେ ନିର୍ବାଚନ କମିଶନ। ପରେ ସୁପ୍ରିମକୋର୍ଟ ପିଟିଆଇକୁ ନିର୍ବାଚନରେ ସାମିଲ ହେବା ଲାଗି ସବୁଜ ସଙ୍କେତ ଦେବା ସହ ସ୍ବାଧୀନ ଭାବେ ଲଢିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଗତ ମାର୍ଚ୍ଚ ୩ରେ ଅନୁଷ୍ଠିତ ହୋଇଥିଲା ପିଟିଆଇର ଦଳୀୟ ନିର୍ବାଚନ।

