ବାଲେଶ୍ବର: ବିଜେପିର ତୁଙ୍ଗ ନେତାଙ୍କ ରାଲିରେ ଲୋକ ନାହାନ୍ତି । ଫାଙ୍କା ଫାଙ୍କା ରାଲିରେ ଆସିଲେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏହି ବରିଷ୍ଠ ବିଜେପି ନେତାମାନେ ଆଜି ବାଲେଶ୍ବର ଜିଲ୍ଲା ଗସ୍ତରେ ଆସିଥିଲେ । ହେଲିକେପ୍ଟର ଯୋଗେ ନୋସିରେ ପହଞ୍ଚିବା ପରେ ସେଠାରୁ ସହରର ମାହେଶ୍ବରୀ ଭବନକୁ ଏକ ବାଇକ୍ ରାଲିର ଆୟୋଜନ କରାଯାଇଥିଲା । ନେତାମାନେ ନୋସିରୁ ବାହାରିବା ପରେ ଫାଙ୍କା ଫାଙ୍କା ରାଲିରେ ଶୋଭାଯାତ୍ରା କରାଯାଉଥିବା ଦେଖିବାକୁ ମିଳିଥିଲା । ସେଠାରୁ ଆସିବା ପରେ ମାହେଶ୍ବରୀ ଭବନରେ ଏକ ରୁଦ୍ଧଦ୍ବାର ବୈଠକରେ ଯୋଗଦେଇଥିଲେ । ରାଲିରେ ଲୋକ ନାହାନ୍ତି, ସମର୍ଥନ ମଧ୍ଯ ନାହିଁ । ହେଲେ ଗଣମାଧ୍ୟମକୁ କହିଥିଲେ ଏଥର ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ଗଢିବେ ।
କିରଗିସ୍ତାନରେ ବିଦେଶୀ ଛାତ୍ରଙ୍କ ହଷ୍ଟେଲ ଉପରେ ଆକ୍ରମଣ
କିରଗିସ୍ତାନରେ ଅନ୍ଯ ଦେଶର ଛାତ୍ରଙ୍କ ଉପରେ ଆକ୍ରମଣ । ଏଥିପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଦବେଗ। ରାଜଧାନୀ ବିସକେକ୍ ରେ ବିଦେଶୀ ଛାତ୍ରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ବଢ଼ିବାରେ ଲାଗିଛି । ବିଦେଶୀ ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲକୁ ଟାର୍ଗେଟ କରୁଛନ୍ତି ଗଣ୍ଡଗୋଳକାରୀ। ଏପରିକି ପାକିସ୍ତାନ, ଭାରତ, ବାଂଲାଦେଶର ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲ ଉପରେ ଆକ୍ରମଣ କରାଯାଉଛି। ତେଣୁ ସ୍ଥିତି ନ ସୁଧୁରିବା ଯାଏ ହଷ୍ଟେଲରୁ ବାହାରକୁ ନ ଆସିବାକୁ ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ପିଲାଙ୍କୁ ଦିଆଯାଇଛି ପରାମର୍ଶ। ଦୂତାବାସ ସହିତ ଯୋଗାଯୋଗ ରଖିବା ପାଇଁ ଜାରି କରାଯାଇଛି ନମ୍ବର। ସେହି ନମ୍ବରଟି ହେଲା 0555710041 । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ଵିଟ କରି ଲେଖିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି। କିରଗିସ୍ତାନରେ ପ୍ରାୟ ୧୫ ହଜାର ଭାରତୀୟ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।
ଆସନ୍ତାକାଲି କେନ୍ଦୁଝର ଜିଲ୍ଲାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ରବିବାର କେନ୍ଦୁଝର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳିକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ୧୦ଟା୧୫ ମିନିଟରେ ପ୍ରଥମେ ସଦର ନିର୍ବାଚନମଣ୍ଡଳିର ସିଲିସୁଆଁ ଫୁଟବଲ ପଡ଼ିଆରେ ବିମାନ ଯୋଗେ ଅବତରଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଠାରେ ୪୦ ହଜାର ଲୋକଙ୍କର ବସିବା ପାଇଁ ଆୟୋଜନ କରାଯାଇଥିବା ବେଳେ, ୫ଟି ନିର୍ବାଚନମଣ୍ଡଳିର ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ଏହାପରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ନିର୍ବାଚନମଣ୍ଡଳିର ହାଟଡିହି ନିକଟ ଅଣା ଫୁଟବଲ୍ ପଡିଆରେ ୧୧ଟା ୧୫ ମିନିଟରେ ପହଞ୍ଚି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମ ପାଇଁ ପୋଲିସ୍ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।
ଚାଲିଛି ରଥକାମ
ପୁରୀ: ପୁରୀ ଶ୍ରୀନଅର ସାମ୍ନା ରଥଖଳାରେ ଚାଲିଛି ରଥ ନିର୍ମାଣ କାମ । ନିହାଣ ଓ ମୁଗୁର ମାଡ଼ରେ ସୃଷ୍ଟି ହୋଇଛି ଭିନ୍ନ ପରିବେଶ । ୩ ରଥର ୪୨ଟି ତୁମ୍ବର ଗୋଲେଇ କାର୍ଯ୍ୟ ସରିବା ପରେ ଏବେ ବିନ୍ଧ କରାଯାଉଛି । ପ୍ରତି ତୁମ୍ବରେ ୧୬ ଯୋଡ଼ା ବିନ୍ଧ କରାଯିବ । କରତି ସେବକମାନେ ତୁମ୍ବ ଘେରର ବଳକା ଅଂଶ କାଟୁଛନ୍ତି l ଆସନ୍ତା ୨୨ ତାରିଖରେ ନୃସିଂହ ଚତୁର୍ଦଶୀ ଦିନ ରୂପକାର ସେବକ ମାନେ ରଥ ଖଳାରେ ଯୋଗଦାନ କରି କୋଣ ଗୁଜ ଅନୁକୂଳ କରିବେ l ପରମ୍ପରା ଅନୁଯାଇ ମହାପ୍ରଭୁଙ୍କ ରଥକାର୍ଯ୍ୟ ଅନୁକୂଳ କରାଯିବା ପରେ ରଥ ନିର୍ମାଣ କରାଯାଏ l ଶନିବାର ରଥ ନିର୍ମାଣରେ ୧୧୦ ରୁ ଉର୍ଦ୍ଧ୍ବ ସେବକ ନିୟୋଜିତ ହୋଇଛନ୍ତି । ଚକ ପ୍ରସ୍ତୁତିରେ ଲାଗିଛନ୍ତି ବିଶ୍ବକର୍ମା, ଭୋଇ ସେବକ, କରତି ସେବକ l ଗୁରୁବାର ତିନି ରଥର ମୁଖ୍ୟ ବିଶ୍ବକର୍ମା ବିନ୍ଧ ଅନୁକୂଳ କରିଥିଲେ । ଏବେ ସମସ୍ତ ବିଶ୍ବକର୍ମା ତୁମ୍ବ ଖୋଦେଇରେ ଲାଗିଛନ୍ତି । ତାଳଧ୍ବଜ ରଥର ୧୪ଟି ଚକ, ନନ୍ଦିଘୋଷ ରଥର ୧୬ଟି ଚକ ଚକ ଓ ଦର୍ପଦଳନ ରଥର ୧୨ଟି ଚକ । ମୋଟ୍ ୪୨ଟି ଚକର ୪୨ଟି ତୁମ୍ବ ରେ ବିନ୍ଧ କରାଯାଉଛି । ଭୋଇ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯନ୍ଧା ଗାଡ଼ ଖୋଳିବେ । ସେଠାରେ ସିଙ୍ଗଡ଼ା ବାଡ଼ିଆ କରି ତୁମ୍ବର ବିନ୍ଧରେ ଅର ଫିଟ୍ ହେବ । ପରେ ରଥଖଳାଲେ ବିଲେଇ ବାଡ଼ିଆ ପ୍ରକ୍ରିୟାରେ ସିଙ୍ଗଡ଼ାରେ ପହି ପିନ୍ଧାଇ ଚକ ପ୍ରସ୍ତୁତ କରାଯିବ ।

