spot_img
Home Blog Page 1982

ଏକଜିଟ ପୋଲ ନାଁରେ ଜାତୀୟ ସ୍ତରରେ ଚାଲିଛି ଫାର୍ସ

ଭୁବନେଶ୍ବର: ଏକଜିଟ ପୋଲ ନାମରେ ଜାତୀୟ ସ୍ତରରେ ଫାର୍ସ । ପଛରେ ବି ପଡିନାହାନ୍ତି ଆଞ୍ଚଳିକ ଚ୍ୟାନେଲ । ସର୍ଭେ ନାମରେ ନିର୍ଦ୍ଦିଷ୍ଟ ଦଳକୁ ପଲିଟିକାଲ ମାଇଲେଜ ଦେବାକୁ ଚାଲିଛି ଅପଚେଷ୍ଟା । ଖାମଖିଆଲି ଏକଜିଟ ପୋଲ ପ୍ରମାଣ କରୁଛି କିପରି ଚ୍ୟାନେଲ ହରାଉଛନ୍ତି ବିଶ୍ବସନୀୟତା । ସାମୟିକ ସ୍ବାର୍ଥ ଲାଗି ଗଣମାଧ୍ଯମର ଅପବ୍ଯବହାରକୁ ବିଭିନ୍ନ ସ୍ତରରେ କରାଯାଇଛି ସମାଲୋଚନା ।

ତଥ୍ଯ ନ ଜାଣି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ଯମ । ଏକଜିଟ ପୋଲ ନାମରେ ଚାଲିଛି କି ସଟ୍ଟା ବଜାର ? ଏସି ରୁମରେ ବସି ମନଗଢ଼ା ଭାବେ ହେଉଛି ତଥ୍ଯ ଆକଳନ । ଜାଣୁନାହାନ୍ତି ରାଜ୍ଯର ଆସନ ସଂଖ୍ଯା । ସର୍ଭେ ନାମରେ ନିର୍ଦ୍ଦିଷ୍ଟ ଦଳକୁ ପଲିଟିକାଲ ମାଇଲେଜ ଦେବାକୁ ଚାଲିଛି ଅପଚେଷ୍ଟା । ଏକଥା ଆମେ କହୁନୁ, ଆଉ ଏଥିରେ ସାମିଲ ଅଛନ୍ତି ଜାତୀୟ ସ୍ତରରେ ପ୍ରତିଷ୍ଠିତ ଗଣମାଧ୍ଯମ । ଜନଗଣଙ୍କୁ ବିଭ୍ରାନ୍ତ କରିବାକୁ ବିଫଳ ପ୍ରୟାସ । ସଠିକ୍ ତଥ୍ଯ ନଜାଣି କାହିଁକି ଏପରି କରାଯାଉଛି ହୀନ ଉଦ୍ଯମ ।

ଜୁନ ୧ର ନିର୍ବାଚନ ଫଳକୁ ନେଇ ସନ୍ଧ୍ଯାରେ ଆସିଥିଲା ଏକଜିଟ ପୋଲ । ସାରା ଦେଶବାସୀଙ୍କ ନଜର ରହିଥିଲା ଟିଭି ସ୍କ୍ରିନ ଉପରେ । ଗୋଟିଏ ନିର୍ଦ୍ଦିଷ୍ଟ ଦଳ ସପକ୍ଷରେ ଜନମତ ଦେଖାଇବାକୁ ଲାଗିଥିଲା ପ୍ରତିଯୋଗିତା । ରାଜ୍ଯର ଆସନ ସଂଖ୍ଯା ନେଇ ତାଳମେଳ ରଖିନାହାଁନ୍ତି ଜାତୀୟ ସ୍ତରର ଚ୍ୟାନେଲ । ରାଜସ୍ଥାନରେ ଲୋକସଭା ଆସନ ସଂଖ୍ଯା ୨୫ । ହେଲେ ନ୍ଯୁଜ-24 ଦର୍ଶାଇଲା ରାଜ୍ଯରେ ବିଜେପି ଜିତିବ ୩୩ ଆସନ । ହିମାଚଳ ପ୍ରଦେଶର ଆସନ ସଂଖ୍ୟା ୪ । ଜି-ନ୍ୟୁଜ କହିଲା ଏନଡିଏ ଲାଭ କରିବ ୪ରୁ ୬ ଆସନ । ହରିଆଣାରେ ୧୦ଟି ଲୋକସଭା ଆସନ ଥିବାବେଳେ କୁହାଗଲା ଏନଡିଏ ପାଇବ ୧୬ରୁ ୧୯ ଆସନ । ବିହାରରେ ଲୋକ ଜନଶକ୍ତି ପାର୍ଟି ଲଢୁଛି ୫ଟି ଆସନରେ । ମାତ୍ର ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ ଏଲଜେପି ପାଇବ ୪ରୁ ୬ ଆସନ ।

ଏବେ ଓଡ଼ିଶା ଉପରେ ନଜର ପକାନ୍ତୁ । ୨୦୧୯ ଲୋକସଭା କ୍ଷେତ୍ରରେ ଇଣ୍ଡିଆ ଟୁଡେ- ଆକ୍ସିସ ମାଇଁ ଇଣ୍ଡିଆ କହିଥିଲା ବିଜେପି ପାଇବ ୧୫ରୁ ୧୯ ଆସନ । ବିଜେଡିକୁ ମିଳିବ ୨ରୁ ୬ । କଂଗ୍ରେସକୁ ମିଳିବ ୦ରୁ ଗୋଟିଏ ଆସନ । ହେଲେ ବାସ୍ତବ ନିର୍ବାଚନ ଫଳାଫଳ ଏସବୁ ଆକଳନକୁ ଭୁଲ ପ୍ରମାଣିତ କରିଥିଲା । ସେହିପରି ରିପବ୍ଲକି-ସି ଭୋଟର କହିଥିଲା ବିଜେପିକୁ ୧୦, ବିଜେଡିକୁ ୧୧ ଓ କଂଗ୍ରେସକୁ କିଛି ଆସନ ମିଳିବ ନାହିଁ । ଟାଇମସ ନାଓ ଭିଏମଆର କହିଥିଲା-ବିଜେପିକୁ ୧୨, ବିଜେଡିକୁ ୮ ଓ କଂଗ୍ରେସକୁ କିଛି ଆସନ ମିଳିବ ନାହିଁ । ଟୁଡେଜ ଚାଣକ୍ଯ ନ୍ୟୁଜ ୨୪ କହିଥିଲା ବିଜେପିକୁ ୧୪, ବିଜେଡିକୁ ୭ ଓ କଗ୍ରେସକୁ କିଛି ଆସନ ମିଳିବ ନାହିଁ । ମାତ୍ର ସମସ୍ତ ତଥ୍ଯ ଭୁଲ୍ ପ୍ରମାଣିତ ହେଲା ।

ସେହିପରି ବିଧାନସଭା କ୍ଷେତ୍ରରେ ବି ୨୦୧୯ରେ ଏକଜିଟ ପୋଲ କରିଥିବା ସଂସ୍ଥା ହରାଇଲେ ବିଶ୍ବସନୀୟତା । କନକ ନ୍ଯୁଜ-ସମ୍ବାଦ ପ୍ରକାଶ କରିଥିଲା- ବିଜେପି ୨୫ରୁ ୩୪, ବିଜେଡିକୁ ୮୫ରୁ ୯୫ ଓ କଂଗ୍ରେସକୁ ୧୨ରୁ ୧୫ ଆସନ ମିଳିବ । ଇଣ୍ଡିଆ ଟୁଡେ ଆକ୍ସିସର ଆକଳନ ଥିଲା ବିଜେପିକୁ ୨୯ରୁ ୪୩, ବିଜେଡିକୁ ୮୯ରୁ ୧୦୫ ଓ କଂଗ୍ରେସକୁ ୮ରୁ ୧୨ ଆସନ ମିଳିବ । ହେଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ଏସବୁ ଭୁଲ ପ୍ରମାଣିତ ହେଲା ।

ଜୁନ ୪: ବିଜେଡିକୁ ମିଳିବ ୧୧୭ ଆସନ, ନବୀନ ହେବେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କାମ ଦେବନି ବିରୋଧୀଙ୍କ ହୀନ ରାଜନୀତି । ଷଷ୍ଠ ଥର ପାଇଁ ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ନିର୍ବାଚନ ପରେ ଏବେ ବୁଥ ବାହୁଡ଼ା ମତ । ଆସନ୍ତା ୪ ତାରିଖରେ ବହୁମତ ପାଇବ ବିଜେଡି । ୧୧୭ ଆସନ ଜିତି ବିଜେଡି ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବ । ୨୫ ବର୍ଷ ଧରି ରାଜ୍ୟର ଚାମ୍ପିଅନ୍ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ବିକାଶ ମନ୍ତ୍ର ଆଗରେ ବିରୋଧୀଙ୍କ ରଣନୀତି ସବୁଥର ପରି ଫେଲ ମାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେଡି ।

କାମ ଦେବନି ବିରୋଧୀଙ୍କ ଚାଲ୍‌ । ରାଜ୍ୟବାସୀଙ୍କୁ ପ୍ରଭାବିତ କରିପାରିନି ବିରୋଧୀଙ୍କ ହୀନ ରାଜନୀତି । ସତ ହେବାକୁ ଯାଉଛି ସକାଳ-ନନ୍ଦିଘୋଷ ଟିଭିର ବୁଥ ବାହୁଡ଼ା ମତ । ବିଧାନସଭାରେ ବିଜେଡିକୁ ୧୧୭ ଆସନ ମିଳୁଥିବା ବେଳେ ଲୋକସଭାରେ ୧୧ରୁ ୧୨ ଆସନ ହାତେଇବ ଦଳ । ୨୦୧୯ରେ ବି ବିରୋଧୀ ଜାତୀୟ ସ୍ତରର ବୁଥ ବାହୁଡ଼ା ମତକୁ ନେଇ ବାଜି ମାରିବେ କହୁଥିଲେ । କିନ୍ତୁ ବିଜେଡି ୧୧୨ ଆସନ ପାଇ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲେ ନବୀନ ପଟ୍ଟନାୟକ । ୨୦୨୪ରେ ବି ସମାନ ଧାରା ବଜାୟ ରହିବ ବୋଲି ବିଜେଡି ଦାବି କରିଛି । ଖୋଲାଖୋଲି ନ କହିଲେ ବି ନବୀନଙ୍କ ଲୋକପ୍ରିୟତା କାଏମ ରହିଥିବା କଂଗ୍ରେସ ସ୍ବୀକାର କରିଛି ।

ସ୍ବଚ୍ଛ ଓ ସ୍ଥିର ସରକାର ଦେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମକକ୍ଷ ନେତା ଆଉ କୌଣସି ରାଜନୈତିକ ଦଳ ତିଆରି କରିପାରିନି । ଏଥର ବିଜେପି ଯେପରି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ପ୍ରତି ବ୍ୟକ୍ତିଗତ ସ୍ତରକୁ ଓହ୍ଲାଇ ଯେତେ କଟୁ ମନ୍ତବ୍ୟ ରଖିଲା, ଗଣତନ୍ତ୍ର ଇତିହାସରେ ଏକ ଭୁଲ ପରମ୍ପରା ସୃଷ୍ଟି ହେଲା । ସେସବୁ ଭୋଟରଙ୍କୁ ପ୍ରଭାବିତ କରିପାରିନି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଯେତିକି ଲୋକସଭା ଆସନ ଜିତିଥିଲା ସେତିକି କିମ୍ବା ତାଠୁ କିଛି ଅଧିକ ଆସନ ହାସଲ କରିପାରେ ।

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ସମୟରେ ରାଜ୍ୟର ୨୧ ସଂସଦୀୟ କ୍ଷେତ୍ର ଓ ୧୪୭ ବିଧାନସଭା ଆସନରେ ବୈଜ୍ଞାନିକ ପଦ୍ଧତିରେ ସକାଳ-ନନ୍ଦିଘୋଷ ଟିଭି ପକ୍ଷରୁ ୨୯ ହଜାର ୪୦୦ ବୁଥ ବାହୁଡ଼ା ମତର ନମୁନା ବିଶ୍ଲେଷଣ କରାଯାଇଥିଲା । ଯେଉଁଥିରେ ସାମିଲ ଥିଲେ କର୍ମଜୀବୀ, କୃଷକ, ଶ୍ରମିକ, ନୂଆ ଭୋଟର ଓ ବିଭିନ୍ନ ବର୍ଗର ୪୪ ପ୍ରତିଶତ ମହିଳା ୫୬ ପ୍ରତିଶତ ପୁରୁଷ ।

ସିକ୍କିମରେ ଏସକେଏମ, ଅରୁଣାଚଳରେ ବିଜେପି ସରକାର

ଭୁବନେଶ୍ବର: ସାଧାରଣ ନିର୍ବାଚନ ସହ ଦେଶରେ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହୋଇଛି । ଆନ୍ଧ୍ର ପ୍ରଦେଶ, ସିକ୍କିମ, ଅରୁଣାଚଳ ପ୍ରଦେଶ ସହ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଛି । ଆଜି ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ଭୋଟ ଗଣତି ହୋଇଯାଇଥିବା ବେଳେ ବାକି ଦୁଇ ରାଜ୍ୟର ଭୋଟ ଗଣତି ଲୋକସଭା ସହ ଜୁନ ୪ ତାରିଖରେ ହେବ । ଆଜି ଗଣତି ହୋଇଥିବା ଦୁଇ ରାଜ୍ୟରେ ଶାସକ ଦଳ କ୍ଲିନ ସୁଇପ୍ କରି ପୁଣି ସରକାର ଗଢ଼ିବାକୁ ଯାଉଛନ୍ତି ।

ସିକ୍କିମରେ କ୍ଲିନ୍ ସୁଇପ୍ କରିଛି ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା SKM । ୩୨ଟି ଆସନ ମଧ୍ଯରୁ ଏହି ଦଳ ୩୧ଟି ଆସନ ଜିତିଛି । ଆଉ ଯେଉଁ ଗୋଟିଏ ମାତ୍ର ଆସନ ରହିଲା, ସେଠାରେ ବିଜୟୀ ହୋଇଛି ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ । ୨୦୧୯ରେ ସିକ୍କିମ ଡେମୋକ୍ରାଟିକ ଫଣ୍ଟକୁ ପରାସ୍ତ କରି SKM ବିଜୟୀ ହୋଇଥିଲା । ଏଥର SKM କ୍ଷମତାକୁ ଫେରିଛି । ପ୍ରେମ୍ ସିଂ ତାମଙ୍ଗ ପୁଣି ଥରେ ମୁଖ୍ଯମନ୍ତ୍ରୀ ହେବା ଏକ ରକମର ପକ୍କା । SDF ର ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ପୱନ କୁମାର ଚାମଲିଂ ଦୁଇଟି ଆସନରେ ଲଢିଥିଲେ ମଧ୍ଯ ଉଭୟ ଆସନରେ ହାରିଛନ୍ତି । ଏକଦା ଦେଶର ସବୁଠୁ ଅଧିକ ଦିନ ମୁଖ୍ଯମନ୍ତ୍ରୀ ରହିବାର ରେକର୍ଡ ପୱନ କୁମାର ଚାମଲିଂଙ୍କ ନାଁରେ ଥିଲା । କିନ୍ତୁ ତାଙ୍କ ଦଳର ଶୋଚନୀୟ ପରାଜୟ ଘଟିଛି । ୨୦୧୯ରେ SDFର ୨୫ ବର୍ଷ ଶାସନର ଅନ୍ତ ଘଟାଇଥିଲା SKM ।

ସେହିପରି ଅରୁଣାଚଳ ପ୍ରଦେଶରେ ପୁଣି କ୍ଷମତାକୁ ଫେରିଛି ବିଜେପି । ମୋଟ ୬୦ଟି ଆସନରୁ ବିଜେପି ଏଠାରେ ୪୬ଟି ସିଟ୍ ପାଇଛି । କଂଗ୍ରେସ ଗୋଟିଏ ସିଟ୍ ପାଇଥିବା ବେଳେ ଏନସିପି ୩ଟି ଓ ନ୍ଯାସନାଲ ପିପୁଲ୍ସ ପାର୍ଟି ୫ଟି ସିଟ୍ ପାଇଛି । ଏଠାରେ ପେମା ଖଣ୍ଡୁ ପୁଣି ଥରେ ମୁଖ୍ଯମନ୍ତ୍ରୀ ହୋଇପାରନ୍ତି । ପେମାଙ୍କ ସହିତ ୧୦ ବିଜେପି ପ୍ରାର୍ଥୀ ବିନା ପ୍ରତିନ୍ଦ୍ଵନ୍ଦ୍ଵିତାରେ ଜିତିଥିଲେ । ଗତ ଏପ୍ରିଲ ୧୯ ରେ ଅରୁଣାଚଳରେ ବିଧାନସଭା ନିର୍ବାଚନ ହୋଇଥିଲା । ଭୋଟ ହାର ଥିଲା ୮୨.୯୫ ପ୍ରତିଶତ ଥିଲା ।

କେମିତି ହେବ ଲୋକସଭା ଓ ବିଧାନସଭା ଭୋଟ ଗଣତି; କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ ?

ଭୁବନେଶ୍ବର:  ନିର୍ବାଚନର ମହାପର୍ବ ସରିଛି । ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଷ୍ଟ୍ରଙ୍ଗରୁମରେ ଇଭିଏମ ଥିବା ବେଳେ ଏବେ ଅପେକ୍ଷା ଜୁନ୍ ୪କୁ । ଆଉ ଦିନକ ପରେ ହେବ ଗଣତି । କେମିତି ହେବ ଗଣତି ? କାହା ଇଭିଏମ୍ ଆଗେ ଖୋଲିବ ? କାହାର ରେଜଲ୍ଟ ପ୍ରଥମେ ଆସିବ ? କେତେ ସମୟ ଚାଲିବ ଗଣତି ? ବିଧାୟକଙ୍କ ଆଗେ ସରିବ ନା ସାଂସଦଙ୍କ ? ଏସବୁକୁ ନେଇ ଦଳୀୟ ସମର୍ଥକ ଆଶା ଆଶଙ୍କାରେ ଥିବା ବେଳେ ଭୋଟର ବି ନଜର ରଖିଛନ୍ତି ।

ଜୁନ ୪କୁ ଦେଶବାସୀ ଅପେକ୍ଷା କରିଥିବା ବେଳେ ରାଜ୍ୟବାସୀଙ୍କ ନଜର ବି ବିଧାନସଭା ଉପରେ । କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ? କାହା ମୁଣ୍ଡରେ ଝୁଲୁଛି ଡେମୋକ୍ଲିସ ଖଣ୍ଡା ? କାହାର ପଲ୍ଲା କେତେ ଭାରି ? ଏସବୁ ସ୍ପଷ୍ଟ ହେବ ଜୁନ୍ ୪ ତାରିଖରେ । ପ୍ରତ୍ୟେକ ଲୋକସଭା ଅଧୀନରେ ରହିଛି ୭ଟି ଲେଖାଏଁ ବିଧାନସଭା ନିର୍ବାଚନମଣ୍ଡଳୀ । କେବଳ ଯାଜପୁର ଜିଲ୍ଲା ଏପରି ଏକ ଜିଲ୍ଲା, ଯେଉଁ ଜିଲ୍ଲାରେ ୭ଟି ଯାକ ବିଧାନସଭା ଗୋଟିଏ ଲୋକସଭା ଅଧୀନରେ ରହିଛି । ତେଣୁ ୭ଟି ଆସନର ଗଣତି ଗୋଟିଏ ଜାଗାରେ ହେଉଛି । ବାକି ସବୁ ଲୋକସଭା ଅଧୀନରେ ଥିବା ବିଧାନସଭା ଆସନ ଏକାଧିକ ଜିଲ୍ଲାରେ ଥିବାରୁ ଏହାର ଗଣତି ଭିନ୍ନ ଭିନ୍ନ ଜାଗାରେ ହେବ ।

ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ୭ଟି ଲେଖାଏଁ ଟେବୁଲରେ ଗଣତି କରାଯିବ । ୭ଟି ଟେବୁଲରେ ବିଧାନସଭାର ପ୍ରଥମ ୭ଟି ବୁଥର ଇଭିଏମ୍ ଖୋଲାଯିବ । ଏକା ବେଳେ ଅନ୍ୟ ୭ଟି ଟେବୁଲରେ ସେହି ବିଧାନସଭାର ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଥମ ୭ଟି ଇଭିଏମ୍ ଖୋଲାଯିବ । ପ୍ରତି ରାଉଣ୍ଡର ଫଳାଫଳ ସେଣ୍ଟ୍ରାଲ ଟେବୁଲକୁ ଯିବ ଏବଂ ସେହିଠାରୁ ସଂପୃକ୍ତ ନିର୍ବାଚନ ଅଧିକାରୀ ଫଳାଫଳ ସର୍ବସାଧାରଣଙ୍କ ପାଇଁ ଘୋଷଣା କରିବେ । ଏଥିପାଇଁ ରାଜ୍ୟରେ ଥିବା ୭୦ଟି ଭୋଟ ଗଣତି କେନ୍ଦ୍ରରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଭୋଟ ଗଣତି ପୂର୍ବରୁ ଇଭିଏମ ସବୁ ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ଘେରରେ ରଖାଯାଇଛି । ପ୍ରତି ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ସୁରକ୍ଷା ବଳ, ରାଜ୍ୟ ସୁରକ୍ଷା ବଳ ଓ ରାଜ୍ୟ ପୋଲିସକୁ ନେଇ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି ଲାଗିଥିବା ବେଳେ ବିଭିନ୍ନ ଦଳର ପ୍ରତିନିଧିମାନେ ମଧ୍ୟ ଷ୍ଟ୍ରଙ୍ଗରୁମ ପାଖରେ ଡେରା ପକାଇଛନ୍ତି ।

ଇଭିଏମ୍ ଗଣତି ପୂର୍ବରୁ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯିବ । ପ୍ରଥମ ରାଉଣ୍ଡର ଇଭିଏମ୍ ଫଳାଫଳ ସହ ପୋଷ୍ଟାଲ ବାଲଟ ଫଳାଫଳ ମିଶାଇ ଘୋଷଣା କରାଯିବ । ଜୁନ୍ ୪ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପ୍ରଶାସନ, ପୋଲିସ ବିଭାଗ ଓ ସୁରକ୍ଷା ବଳ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ପ୍ରତୀକ୍ଷାର ଅନ୍ତ: ମନ୍ତେଇ ନଦୀ ଉପରେ ହେଉଛି ପୋଲ, ଉପକୃତ ହେବେ ଲକ୍ଷାଧିକ ଲୋକ

ଭଦ୍ରକ: ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ । ପୂରଣ ହେଲା ଲୋକଙ୍କ ଦୀର୍ଘ ବର୍ଷର ଦାବି । ମନ୍ତେଇ ନଦୀ ଉପରେ ନିର୍ମାଣ ହେଉଛି ପୋଲ । ଉପକୃତ ହେବେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳର ଲକ୍ଷ ଲକ୍ଷ ଲୋକ । ଏଥିପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ ।

ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳର ମଝିରେ ଥିବା ମନ୍ତେଇ ନଦୀର ଚାରିବାଟିଆ ଘାଟରେ ସେତୁ ନିର୍ମାଣ ହେଉଛି । ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ । ଗମନାଗମନ ସୁଗମ ହେବ । ତିନି ଜିଲ୍ଲାକୁ ଫିଟିବ ରାସ୍ତା । ରାଜ୍ଯ ସରକାରଙ୍କ ପକ୍ଷରୁ ୫୮ କୋଟି ୭୨ ଲକ୍ଷ ଟଙ୍କା ଅଟକଳରେ ପୋଲ ନିର୍ମାଣ ହେଉଛି । ବେକେମ ଇମ୍ଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ପୋଲ ନିର୍ମାଣ ଆରମ୍ଭ କରିଥିବା ବେଳେ ୨ ବର୍ଷରେ ଶେଷ କରିବାକୁ ଲକ୍ଷ୍ଯ ରଖାଯାଇଛି ।

ମନ୍ତେଇ ନଦୀର ଏପାଖରେ ବାସୁଦେବପୁର ଓ ସେ ପାଖରେ ଚାନ୍ଦବାଲି । ମନ୍ତେଇ ନଦୀର ଚାରବାଟିଆ ଓ ବାଲିଆପାଳ ଘାଟରେ ଡଙ୍ଗା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରନ୍ତି । ନଦୀପାର ହେବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼େ । ପୋଲ ନିର୍ମାଣ ଆରମ୍ଭ ହୋଇଥିବାରୁ ଲୋକଙ୍କ ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି ।

ବେତ ଓ ବାଉଁଶ ସାମଗ୍ରୀ ମାଆଙ୍କୁ କରିଛି ସ୍ବାବଲମ୍ବୀ

କଟକ: ରୋଜଗାର ଦେଉଛି ବେତ ଓ ବାଉଁଶରେ ତିଆରି ସାମଗ୍ରୀ । ବାଉଁଶରେ ନାନା ରକମର ଜିନିଷ ତିଆରି କରି ରୋଜଗାର କ୍ଷମ ହୋଇପାରିଛନ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକ ପଦାମାଳ ବାଣେଶ୍ଵରନାସି ଗାଁର ମିଶନ ଶକ୍ତି ମହିଳା । ବର୍ତ୍ତମାନର ପ୍ଲାଷ୍ଟିକ ଯୁଗରେ ବେତ ସାଗଗ୍ରୀର ଚାହିଦା ଭଲ ରହିଛି । ଯାହାକୁ ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ମହିଳାମାନେ ।

ଆର୍ଥିକ ସ୍ତରରେ ସଶକ୍ତ ହେଉଛନ୍ତି ମହିଳା । ମିଶନ ଶକ୍ତି ଯୋଗାଇଛି ରୋଜଗାରର ରାହା । ରୋଜଗାର ଦେଉଛି ବାଉଁଶ ଓ ବେତ ନିର୍ମିତ ସାମଗ୍ରୀ । କଟକ ଜିଲ୍ଲା ନରସିଂହପୁର ବ୍ଲକ ପଦାମାଳ ବାଣେଶ୍ଵରନାସି ଗାଁର ମିଶନ ଶକ୍ତି ମହିଳା ବାଉଁଶରେ ଜିନିଷ ତିଆରି କରି ହୋଇପାରିଛନ୍ତି ରୋଜଗାର କ୍ଷମ । ମାଆ ମହାଲକ୍ଷ୍ମୀ ଉତ୍ପାଦିକା ଗୋଷ୍ଠୀର ମହିଳାମାନେ ବ୍ଯାଙ୍କରୁ ବିନା ସୁଧରେ ଋଣ ଆଣି ବେତ ଓ ବାଉଁଶରେ ତିଆରି କରୁଛନ୍ତି ନାନା ସାମଗ୍ରୀ । ବଜାରରେ ମଧ୍ଯ ଏହି ସମାଗ୍ରୀର ଚାହିଦା ଭଲ ରହିଛି । ଯାହାକୁ ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା ।

ବାଣେଶ୍ୱରନାସୀ ଗାଁର ମାଆ ମହାଲକ୍ଷ୍ମୀ ଉତ୍ପାଦିକା ଗୋଷ୍ଠୀର ୧୫ ଜଣ ସଦସ୍ୟା ଦିନ ରାତି ପରିଶ୍ରମ କରି କରି ବେତ ଓ ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି । ବେତ ଓ ବାଉଁଶରୁ ଫୁଲଦାନୀ, ଚପଲ ଷ୍ଟାଣ୍ଡ, ପରିବା ଷ୍ଟାଣ୍ଡ, ବାଉଁଶ ଦୋଳି, ଠାକୁର ଖଟୁଲି, ସେର, ଜାଳି, ପାଛିଆ ଭଳି ସାମଗ୍ରୀ ତିଆରି କରୁଛନ୍ତି । ସେଗୁଡିକୁ ସ୍ଥାନୀୟ ନରସିଂହପୁର ଓ ବଡମ୍ବା ଅଞ୍ଚଳର ବିଭିନ୍ନ ବଜାରରେ ବିକ୍ରି କରୁଛନ୍ତି । ବଜାରରେ ଏହା ୫୦୦ ଟଙ୍କାରୁ ଆରମ୍ଭ କରି ୮ ହଜାର ଟଙ୍କାରେ ବିକ୍ରି ହେଉଛି । ସେପଟେ ମିଶନ ଶକ୍ତି ସଦସ୍ଯାମାନଙ୍କୁ ସରକାରୀ ସ୍ତରରେ ଅର୍ଥ ଯୋଗାଇ ଦିଆଯିବ ବୋଲି ବିଡିଓ ନୀଳ ମାଧବ ସୁନା କହିଛନ୍ତି ।

ରଙ୍ଗ ରୁଟରେ ଗାଡି ଚଲାଉଥିଲେ ସାବଧାନ; ଲିକ ହୋଇଯିବ ଚକ୍

ଭୁବନେଶ୍ବର: ରଙ୍ଗ ରୁଟରେ ଗାଡି ଚଲାଉଛନ୍ତି କି ? ଯଦି ଏମିତି କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଚେକିଂ ବେଳେ ଚାଲାକ ହୋଇ ୟୁ ଟର୍ଣ୍ଣ ଦେଉଥିଲେ ଲିକ୍ ହୋଇଯିବ ଗାଡି । ଚକରେ ପଶି ଯିବ କଣ୍ଟା ।

ଅମାନିଆଙ୍କ ପାଇଁ ରଙ୍ଗ ରାଇଡ୍ ବ୍ୟାରିୟର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଗତକାଲି ଠାରୁ ଏହି ବ୍ୟାରିୟରକୁ ବ୍ୟବହାର କରାଯାଇ ୧୦ରୁ ଅଧିକ ଗାଡିକୁ ଲିକ କରାଯାଇଛି । ସେହିପରି ଯେଉଁମାନେ ଗାଡି ଡ୍ରାଇଭ ବେଳେ ମୋବାଇଲ ବ୍ୟବହାର କରୁଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ । ଏଥର ଗାଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ନୁହେଁ, ସିଧାସଳଖ ବ୍ୟବହାର ହେଉଥିବା ମୋବାଇଲକୁ ମଧ୍ୟ ଜବତ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ବିଗତ ୪ ଦିନରେ ଟ୍ରାଫିକ ଖିଲାପକାରୀଙ୍କ ୪ ଶହ ଗାଡି ଜବତ କରି ଅମାନିଆଙ୍କ ନିଦ ହଜାଇ ଦେଇଛି କମିଶନରେଟ ପୋଲିସ ।

ଧର୍ମଶାଳା ସ୍ବାଧୀନ ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ଧର୍ମଶାଳାରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ହିମାଂଶ ଶେଖର ସାହୁଙ୍କ ଦାଦାଗିରି । କାର୍ଯ୍ୟାନୁଷ୍ଠାନ ଦାବି କରି ସିଇଓଙ୍କ ନିକଟରେ ଫେରାଦ ହେଲେ ବିଜେଡି ପ୍ରତିନିଧି ମଣ୍ଡଳି । ଗତ ମେ’ ୨୭ରେ ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ଓ ସମର୍ଥକଙ୍କ ଉପରେ ସେ ଓ ତାଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେଡି ।

ଏନଏଚ ୫୩ ନିକଟରେ ଏକ ସ୍କର୍ପିଓରେ ଆସି ହିମାଂଶୁ ଦାଦାଗିରି କରିବା ସହ ବାଇକ ରାଲି ଉପରେ ଗାଡି ଚଢାଇ ଦେଇଥିଲେ । ପ୍ରଣବ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେହିପରି ପୋଲିଂ ବେଳେ ଏକ ବୁଥରେ ବି ପ୍ରଣବ ଓ ପିଏସଓଙ୍କ ଉପରେ ଆକ୍ରମଣ ହୋଇଥିଲା । ଏପରିକି ସୁନା ଚେନ ଓ ଟଙ୍କା ମଧ୍ଯ ଲୁଟି ନିଆଯାଇଥିଲା । ସେମାନେ ଧର୍ମଶାଳା ବ୍ଲକରେ ଥିବା କଳ୍ପତରୁ ଫାଉଣ୍ଡେସନ ଘର ଉପରେ ଆକ୍ରମଣ କରିବା ସହ ପ୍ରଣବଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇଥିଲେ । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓଙ୍କ ନିକଟରେ ଦାବି କରିଛି ବିଜେଡି ।

କାଲିମେଳାରେ ଡାକ୍ତରଙ୍କୁ ମାଓବାଦୀଙ୍କ ଅପହରଣ ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇ ନିଖୋଜ । ଗତରାତିରୁ ସେ ନିଖୋଜ ଅଛନ୍ତି। ଡାକ୍ତରଙ୍କ ସରକାରୀ କ୍ଵାର୍ଟର୍ସରୁ ସିପିଆଇ ମାଓବାଦୀ ବୋଲି ଲେଖାଥିବା ଏକ ଚିଠି ମିଳିଛି । ସରକାରୀ କ୍ଵାର୍ଟର୍ସ ଭିତରେ ଡାକ୍ତରଙ୍କ ମୋବଇଲ ଓ ଘର ବାହାରେ ବାଇକ ରହିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଙ୍କ ସହ କିଛି ଲୋକଙ୍କର ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଅପହରଣ କରାଯାଇଥିବାର ଅନୁମାନ କରାଯାଉଛି।

ଏସଡିପିଓ ସଚିନ ପଟେଲ ମେଡିକାଲକୁ ଯାଇ ତନାଘନା ଆରମ୍ଭ କରିବା ସହିତ ଚିଠି ଜବତ କରିଛନ୍ତି। ଡାକ୍ତରଙ୍କୁ ମାଓବାଦୀଙ୍କ ନାଁରେ କେହି ଦୁର୍ବୃତ୍ତ ଅପହରଣ କରିଥିବା ସନ୍ଦେହରେ ଖୋଳତାଡ଼ ଚାଲିଛି। ଏହି ଘଟଣା ପରେ ଡାକ୍ତରଙ୍କ ମହଲରେ ଆତଙ୍କ ଖେଳିଯାଇଛି।

ଭୋଟ ଗଣତି ପୂର୍ବରୁ କଂଗ୍ରେସର ମେଗା ରଣନୀତି

ନୂଆଦିଲ୍ଲୀ : ଆସନ୍ତା ଜୁନ ୪ରେ ଭୋଟ୍ ଗଣତି। ତା ପୂର୍ବରୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଜାତୀୟ କଂଗ୍ରେସ। ଆଜି ଦିଲ୍ଲୀରେ ବସିଛି କଂଗ୍ରେସର ଉଚ୍ଚସ୍ତରୀୟ ବୈଠକ। ଏଥିରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ସାଂସଦ ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ସମେତ ବହୁ ହେଭିୱେଟ ନେତା ସାମିଲ ହୋଇଛନ୍ତି।

ଏହି ବୈଠକରେ ଭିସି ଜରିଆରେ ଲୋକସଭା ପ୍ରାର୍ଥୀ, ସିଏଲପି ନେତା ଓ ପିସିସି ସଭାପତିମାନଙ୍କ ସହ ଆଲୋଚନା ହୋଇଛି। ବୈଠକରେ ଏକଜିଟ ପୋଲ ଫଳାଫଳ, ସମ୍ଭାବ୍ଯ ସରକାର ଗଠନ, ଜାତୀୟ ରାଜନୈତିକ ସ୍ଥିତି, ବିଭିନ୍ନ ରାଜ୍ଯର ଫଳାଫଳକୁ ଦୃଷ୍ଟିରେ ରଖି ଆଲୋଚନା କରାଯାଇଛି।

ସୂଚନା ଯୋଗ୍ୟଯେ, ଗତକାଲି ଇଣ୍ଡିଆ ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ବି ଅନୁଷ୍ଠିତ ହୋଇଥିଲା। ମଲ୍ଲିକାର୍ଜୁନ ଖଡଗେଙ୍କ ବାସ ଭବନରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ମମତା ବାନାର୍ଜୀଙ୍କ ବ୍ୟତୀତ ଅନ୍ଯାନ୍ଯ ମେଣ୍ଟ ନେତା ସାମିଲ ହୋଇଥିଲେ।