spot_img
Home Blog Page 1983

ପୁଣି ସିକ୍କିମରେ କ୍ଷମତାକୁ ଫେରିଲା ଏସକେଏମ୍

ବ୍ୟୁରୋ ରିପୋର୍ଟ:  ସିକ୍କିମରେ ପୁଣି ଏସକେଏମ୍ ସରକାର ! ପୁଣିଥରେ କ୍ଷମତାକୁ ଫେରିଲା ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା । ମୋଟ ୩୨ଟି ଆସନ ମଧ୍ଯରୁ ଏହି ଦଳ ୧୮ ଆସନରେ ବିଜୟୀ ହୋଇଥିବା ବେଳେ ଆଉ ୧୩ଟି ଆସନରେ ଆଗୁଆ ଅଛି। ଏସକେଏମ୍ ଏଠାରେ ଏକ ତରଫ ବିଜୟୀ ହାସଲ କରିଛି। ପ୍ରେମ ସିଂ ତାମଙ୍ଗ ପୁଣି ଥରେ ମୁଖ୍ଯମନ୍ତ୍ରୀ ହେବା ନେଇ ପକ୍କା ହୋଇଛି ।

ଅନ୍ୟପଟେ ବିରୋଧୀ ସିକିମ ଡେମାକ୍ରାଟିକ ଫ୍ରଣ୍ଟ ମାତ୍ର ଗୋଟିଏ ସିଟରେ ଜିତିଛି। ଏପରିକି ଏହି ଦଳର ପୂର୍ବତନ ମୁଖ୍ଯମନ୍ତ୍ରୀ ପୱନ କୁମାର ଚାମଲିଂ ଗୋଟିଏ ଆସନରେ ହାରିଥିବା ବେଳେ ଆଉ ଏକ ଆସନରେ ପଛୁଆ ଅଛନ୍ତି। ଏକଦା ଦେଶର ସବୁଠୁ ଅଧିକ ଦିନ ମୁଖ୍ଯମନ୍ତ୍ରୀ ରହିବାର ରେକର୍ଡ ପୱନ କୁମାର ଚାମଲିଂଙ୍କ ନାଁରେ ଥିଲା। ସେପଟେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏସକେଏମ୍‌ର କର୍ମୀମାନେ ଉତ୍ସବ ଆରମ୍ଭ କରିଦେଇଛନ୍ତି। ସିକ୍କିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତୋମାଙ୍ଗ ରେନକ ଓ ସୋରେଙ୍ଗ ଉଭୟ ଆସନରେ ଜିତିଛନ୍ତି। ସେ ଲଗାତର ଦ୍ୱିତୀୟ ଥର ପାଇଁ ଏଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଏକଜିଟ୍ ପୋଲରେ ଚମତ୍କାର: ଯେଉଁଠି ମୋଟ ଆସନ ସଂଖ୍ୟା ୨୫, ସେଠି ବିଜେପିକୁ ମିଳୁଛି ୩୩ ଆସନ !

ଭୁବନେଶ୍ୱର : ଶନିବାର ଦିନ ଅନ୍ତିମ ପର୍ଯ୍ୟାୟ ମତଦାନ ସହିତ ଦେଶରେ ନିର୍ବାଚନୀ ତାତି କିଛିଟା କମିଛି। ନେତାଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇ ଷ୍ଚ୍ରଙ୍ଗରୁମରେ ଅଛି । ଦେଶର କୌଣସି ହାୱାର ଅଭାବ ଭିତରେ ଲଢା ଯାଇଥିବା ଏହି ନିର୍ବାଚନରେ ବିଜେପି ‘ଅବକି ବାର ୪ଶୋ ପାର’ର ସ୍ଲୋଗାନରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ସହିତ ବିଜେପିର ୪ଶହ ପାର୍ ସ୍ଲୋଗାନରେ ଦମ ନଥିବା ଜଣା ପଡ଼ିଥିଲା । ଦେଶର ସେୟାର ମାର୍କେଟଠାରୁ ସଟ୍ଟା ବଜାର, ସବୁଠାରେ ବିଜେପିର ବିରାଟ ବିଜୟକୁ ନେଇ ଆଶଙ୍କା ବ୍ୟକ୍ତ କରାଯାଇଥିଲା। ନିର୍ବାଚନ ସରୁସରୁ ବିଜେପି ଏକକ ସଂଖ୍ୟାଗରିଷ୍ଠତା ପାଇବ କି ନାହିଁ ତାକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଥିଲା । ଏହାରି ଭିତରେ ଶନିବାର ଅନ୍ତିମପର୍ଯ୍ୟାୟ ନିର୍ବାଚନ ସରିବା ସହିତ ଦେଶର ପ୍ରାୟ ସବୁ ଚ୍ୟାନେଲ ଏକଜିଟ୍ ପୋଲ୍ ଆଣିଥିଲେ। ଏକାଧିକ ଏକଜିଟ୍ ପୋଲରେ ବିଜେପି ପୁଣିଥରେ ଲଗାତର ତୃତୀୟଥର ପାଇଁ କ୍ଷମତାକୁ ଆସୁଥିବା କଥା କୁହାଯାଇଛି । କିନ୍ତୁ ଏକଜିଟ୍ ପୋଲର ସତ୍ୟତା ଉପରେ ଏବେ ପ୍ରଶ୍ନ ଉଠିଲାଣି । କିଛି ଏକଜିଟ୍ ପୋଲରେ  ବିଜେପି ଗୋଟିଏ ଗୋଟିଏ ରାଜ୍ୟରେ ମୋଟ୍ ଲୋକସଭା ଆସନଠାରୁ ଅଧିକ ସିଟ୍ ଜିତୁଥିବା କଥା କୁହାଯାଇଛି । ଯାହାର କ୍ଲିପ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରାଜସ୍ଥାନରେ ମୋଟ୍ ଲୋକସଭା ଆସନ ଯେତିକି ନୁହେଁ ବିଜେପିର ସମ୍ଭାବ୍ୟ ସିଟ୍ ସଂଖ୍ୟା ତା’ଠାରୁ ଅଧିକ:

ନ୍ୟୁଜ୍ ୨୪ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ବିଜେପି ରାଜସ୍ଥାନରେ ୩୩ ଆସନ ଜିତୁଥିବା କଥା କୁହାଯାଇଛି । କିନ୍ତୁ ସତ ହେଉଛି ରାଜସ୍ଥାନରେ ଥିବା ଲୋକସଭା ଆସନ ସଂଖ୍ୟା ହେଉଛି ୨୫ । ଏମିତିରେ ବାକି ୮ ଆସନ ଏକଜିଟ୍ ପୋଲ୍ କରିଥିବା ସଂସ୍ଥା କେଉଁଠାରୁ ଆଣିଲା ବୋଲି ପ୍ରଶ୍ନ ଉଠୁଛି। ରାଜସ୍ଥାନରେ ବିଜେପିର ସ୍ଥିତି ଭଲ ନଥିବା କିଛି ରାଜନୈତିକ ବିଶ୍ଲେଷକ ଦାବି କରୁଥିବା ବେଳେ ୨୫ରୁ ୩୩ ଆସନ ବିଜେପିକୁ ଦେଇ ନ୍ୟୁଜ୍ ୨୪ ଲୋକହସା ହେଉଛି । ସୋସିଆଲ ମିଡିଆରେ ଚ୍ୟାନେଲକୁ ଟ୍ରୋଲ୍ କରାଯାଉଛି ।

ହିମାଚଳରେ ଏନଡିଏ ଜିତୁଛି ୬ରୁ ୮ ଆସନ !

ନ୍ୟୁଜ୍ ୨୪ ପରେ ଆଉଗୋଟିଏ ଚ୍ୟାନେଲ ତା’ର ଏକଜିଟ୍ ପୋଲରେ ବିଜେପି ନେତୃତ୍ୱାଧିନ ଏନଡିଏକୁ ହିମାଚଳ ପ୍ରଦେଶରେ ପ୍ରଚଣ୍ଡ ବହୁମତ ଦେଇଛି । ଜି-ନ୍ୟୁଜ୍ ତା’ର ଏଗଜିଟ୍ ପୋଲରେ ହିମାଚଳ ପ୍ରଦେଶରେ ଏନଡିଏ ୬ରୁ ୮ ଆସନ ଜିତିବ ବୋଲି କହିଛି । ତେବେ ସତ ହେଲା ହିମାଚଳ ପ୍ରଦେଶର ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି ୪ । ଯଦି ଜି ନ୍ୟୁଜ୍ କଥାକୁ ବିଶ୍ୱାସ କରାଯାଏ ତେବେ ପ୍ରଶ୍ନ ଉଠୁଛି ବାକି ୪ ଆସନ କୁଆଡୁ ଆସିବ ।

ସେହିଭଳି ଜି ନ୍ୟୁଜ୍ ଅନୁସାରେ ହରିଆନାରେ ବିଜେପି ୧୬ରୁ ୧୯ ଲୋକସଭା ଆସନ ଜିତିବ । ଏହା ଅଥିପାଇଁ ଚକିତ କରିବା ଭଳି ଖବର ଯେ, ହରିଆନାରେ ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି ୧୦ । ଏମିତିରେ ବିଜେପି ଶତପ୍ରତିଶତ ଷ୍ଟ୍ରାଇକ୍ ରେଟ୍ ହାସଲ କଲେ ବି ବିଜେପି କେମିତି ୧୬ରୁ ୧୯ ଆସନ ଜିତିବ ତାହା ଏକ ବଡ଼ ପ୍ରଶ୍ନ

ଲଢୁଛନ୍ତି ୫ ଆସନ,ଜିତିବେ ୬ !

ଆକ୍ସିସ୍-ମାଇ ଇଣ୍ଡିଆ ଏକଜିଟ୍ ପୋଲ ବିହାରରେ ଚିରାଗ ପାଶ୍ୱାନଙ୍କ ଦଳ ୬ ଆସନ ଜିତିବ ବୋଲି କହିଛି । ଏହି ଦାବି ଅବିଶ୍ୱସନୀୟ ଲାଗୁଛି । କାରଣ ବିହାରରେ ଏନଡିଏ ମେଣ୍ଟର ଅଂଶିଦାର ଚିରାଗଙ୍କ ଦଳ ମାତ୍ର ୫ ଆସନରୁ ନିର୍ବାଚନ ଲଢୁଛି । ଏମିତିରେ ତାଙ୍କ ଆସନ ଶତ ପ୍ରତିଶତ ଷ୍ଟ୍ରାଇକ୍ ରେଟ୍ କଲେ ବି କେମିତି ୬ ଆସନ ଜିତିବ ତାହା ଗୋଟିଏ ବଡ଼ ପ୍ରଶ୍ନ

 

ଡ୍ରେନ୍ ଭିତରୁ ଉଦ୍ଧାର ହେଲା ଗଳିତ ମୃତଦେହ

ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନା ନାକା ଗେଟ୍ ସମ୍ମୁଖରୁ ଯୁବକଙ୍କ ମୃତଦେହ ଉଦ୍ଧାର । ସକାଳୁ ଡ୍ରେନ ମଧ୍ୟରେ ଯୁବକଙ୍କ ଗଳିତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ଲୋକେ। ଏନେଇ ପୋଲିସକୁ ଖବର ଦେଇଥିଲେ । ଭରତପୁର ଥାନା ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା।

ତେବେ ମୃତକଙ୍କ ବୟସ ୩୦ରୁ ୩୫ ବର୍ଷ ହୋଇଥିବା ଅନୁମାନ କରାଯାଉଥିବା ବେଳେ କେହି ହତ୍ୟା କରି ଏଭଳି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ କେଉଁ କାରଣରୁ ହତ୍ୟା କରାଯାଇଛି ଏବଂ କିଏ ହତ୍ୟା କରିଛି ସେନେଇ ପୋଲିସ ତନାଘନା ଜାରି ରଖିଛି ।

ଅରୁଣାଚଳରେ ବିଜେପି, ସିକ୍କିମରେ ଏସକେଏମ କ୍ଷମତା ଦଖଲ କରିବ

ବ୍ୟୁରୋ ରିପୋର୍ଟ: ଅରୁଣାଚଳ ପ୍ରଦେଶରେ ପୁଣି କ୍ଷମତା ଦଖଲ କରିବ ବିଜେପି। ସେପଟେ ସିକ୍କିମରେ ପୁଣି ସରକାର ଗଠନ କରିବେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ବା ଏସକେଏମ। ଅରୁଣାଚଳ ପ୍ରଦେଶର ୬୦ ଆସନ ମଧ୍ଯରୁ ବିଜେପି ୩୩ରୁ ଅଧିକ ଆସନରେ ଅଗ୍ରଣୀ ରହିଛି। ନ୍ଯାସନାଲ ପିପୁଲ୍ସ ପାର୍ଟି ବା ଏନପିଇପି ୬ ଆସନରେ ଆଗୁଆ ରହିଛି।

ଅରୁଣାଚଳ ପ୍ରଦେଶର ମୁଖ୍ଯମନ୍ତ୍ରୀ ଥିବା ପେମା ଖାଣ୍ଡୁ ତୃତୀୟ ଥର ଲାଗି ହେବେ ମୁଖ୍ଯମନ୍ତ୍ରୀ। ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ୩୨ ଆସନ ବିଶିଷ୍ଟ ସିକ୍କିମରେ ସୁଇପ କରିଛି ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା। ପଛରେ ପଡିଛି ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ। ଏସକେଏମ ନେତା ପ୍ରେମ ସିଂ ତାମଙ୍ଗ ପୁଣି ଥରେ ମୁଖ୍ଯମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି। ସିକ୍କିମରେ ମୁଖ୍ଯତଃ ଶାସକ ଏସକେଏମ ଓ ପୱନ କୁମାର ଚାମଲିଂଙ୍କ ଏସଡିଏଫ ମଧ୍ଯରେ ଲଢେଇ ହୋଇଥିଲା। ଗତ ଏପ୍ରିଲ ୧୯ରେ ଦୁଇ ରାଜ୍ଯରେ ଭୋଟ ହୋଇଥିଲା। ଅରୁଣାଚଳ ପ୍ରଦେଶରେ ୮୨.୯୫ ପ୍ରତିଶତ ଭୋଟ ହୋଇଥିବାବେଳେ ସିକ୍କିମରେ ହୋଇଥିଲା ୭୯.୮୮ ପ୍ରତିଶତ ଭୋଟ।

ବାଣୀବିହାର ଓଭରବ୍ରିଜରେ ସିରିଜ ଦୁର୍ଘଟଣା

ଭୁବନେଶ୍ବର: ଭୁବନେଶ୍ବର ବାଣୀବିହାର ଓଭରବ୍ରିଜରେ ସିରିଜ ଦୁର୍ଘଟଣା। ଦୁଇଟି କାରକୁ ପଛରୁ ପିଟିଲା ଘରୋଇ ବସ । ଦୁର୍ଘଟଣାରେ କାର ଚାଳକ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ରସୁଲଗଡରୁ ବାଣୀବିହାର ପର୍ଯ୍ୟନ୍ତ ବହୁ ସମୟ ଧରି ଟ୍ରାଫିକ ଜାମ ରହିଥିଲା । ଶହୀଦନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି ।

ବିନା ଲିଖିତ ପରୀକ୍ଷାରେ CRPFରେ ଚାକିରି; ଦରମା ୫୫ ହଜାର  

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (CRPF) ମାଧ୍ୟମରେ ଦେଶ ସେବା କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ। ଏଥିପାଇଁ ଫିଜିଓଥେରାପିଷ୍ଟ ପଦବୀ ପାଇଁ CRPF ପକ୍ଷରୁ ନିଯୁକ୍ତି ଘୋଷଣା। ଯଦି ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଅଫିସିଆଲ ୱେବସାଇଟ୍ crf.gov.in ମାଧ୍ୟମରେ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ CRPF ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି।

ଏହି ନିଯୁକ୍ତି ମାଧ୍ୟମରେ CRPFରେ ଫିଜିଓଥେରାପିଷ୍ଟ ପଦବୀରେ ନିଯୁକ୍ତି କରାଯିବ । ଯଦି ଆପଣ ମଧ୍ୟ ଏହି CRPF ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଜୁନ୍ ୨୪ କିମ୍ବା ଏହା ପୂର୍ବରୁ ଆବେଦନ କରିପାରିବେ।

CRPFରେ ଫର୍ମ ପୂରଣ କରିବାର ଯୋଗ୍ୟତା କଣ ଆବଶ୍ୟକ ?

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଫିଜିଓଥେରାପିରେ ମାଷ୍ଟର ଡିଗ୍ରୀ ହାସଲ କରିଥିବେ । ଏଥିସହ, ଯୁବକଯୁବତୀମାନଙ୍କର ଏହି ସମ୍ପୃକ୍ତ କ୍ଷେତ୍ରରେ ଅଭିଜ୍ଞତା ଥିବା ଉଚିତ୍ ।

CRPF ପାଇଁ ଆବେଦନ କରିବାକୁ ବୟସ ସୀମା କେତେ ?
ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୪୦ ବର୍ଷରୁ କମ୍ ହେବା ଉଚିତ୍।

ଏହି ପୋଷ୍ଟଗୁଡିକରେ ଚୟନ ପରେ ପ୍ରାପ୍ତ ହେବାକୁ ଥିବା ଦରମା:

ଯଦି ଏହି ପଦବୀ ପାଇଁ କୌଣସି ପ୍ରାର୍ଥୀ ମନୋନୀତ ହୁଅନ୍ତି, ତେବେ ତାଙ୍କୁ ମାସିକ ୫୫ ହଜାର ଟଙ୍କା ଦରମା ମିଳିବ ।

ଆପଣ CRPFରେ ଚାକିରି କେମିତି ପାଇବେ ?
CRPF ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀ ସିଧାସଳଖ ସାକ୍ଷାତକର ମାଧ୍ୟମରେ ମନୋନୀତ ହେବେ ।

ତୀର୍ଥଯାତ୍ରାରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ

ବ୍ୟୁରୋ ରିପୋର୍ଟ: ତୀର୍ଥଯାତ୍ରାରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାମରୁ ଟିକେ ବ୍ରେକ ନେଇ ଆଧ୍ୟାତ୍ମିକ ଯାତ୍ରା ପାଇଁ ବାହାରିଯାଇଛନ୍ତି । ସେ ବର୍ତ୍ତମାନ ଉତ୍ତରାଖଣ୍ଡର କେଦାରନାଥ ଓ ବଦ୍ରିନାଥ ଗସ୍ତରେ ଅଛନ୍ତି। ରଜନୀକାନ୍ତ ରାଜ୍ୟର ପ୍ରସିଦ୍ଧ ତୀର୍ଥସ୍ଥାନ ଗୁଡିକ ବୁଲି ଆଶୀର୍ବାଦ ନେଉଥିବା ଭିଡିଓ ଏବଂ ଫଟୋରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ଖୁବ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ଏହା ପୂର୍ବରୁ ରଜନୀକାନ୍ତ ଆବୁଧାବିର BAPS ହିନ୍ଦୁ ମନ୍ଦିର ଯାଇଥିଲେ। ସେଠାର ଫଟୋ ଏବଂ ଭିଡିଓ ମନ୍ଦିରର ଅଫିସିଆଲ୍ ସାଇଟରେ ସେୟାର କରାଯାଇଥିଲା ।

ସୁପରଷ୍ଟାର ରଜନୀକାନ୍ତଙ୍କ ଅପକମିଙ୍ଗ ଫିଲ୍ମ ଭେଟ୍ଟାୟାନର ସୁଟିଂ ଶେଷ ହୋଇଛି । ଯାହା ଟି.ଜେ ଗାନାଭେଲଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ତାଙ୍କୁ ପୁଣିଥରେ ବଲିଉଡର ବିଗବି ଅମିତାଭ ବଚ୍ଚନଙ୍କ ସହ ଦେଖିବାକୁ ମିଳିବ। ଭେଟ୍ଟାୟାନ ଚଳିତ ବର୍ଷ ଅକ୍ଟୋବରରେ ମୁକ୍ତିଲାଭ କରିବ।

 

 

ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୯ ରେ ପହଞ୍ଚିଛି

ପୁରୀ: ନରେନ୍ଦ୍ର ପୁଷ୍କରିଣୀ ଦେବୀ ଘାଟ ଠାରେ ବାଣ ବିସ୍ଫୋରଣ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ଘଟଣାରେ ଅନ୍ୟ ୨୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆସନ୍ତା ଜୁନ ୫ତାରିଖ ଦିନ ଏହି ଘଟଣାକୁ ନେଇ କିଛି ଆପତ୍ତି ଅଭିଯୋଗ ଥିଲେ ଅପରାହ୍ନ ୩ଟାରୁ ୭ ମଧ୍ୟରେ ପୁରୀ ସର୍କିଟ ହାଉସ ଠାରେ ଜନ ସାଧାରଣ ସେମାନଙ୍କର ମତାମତ ନେଇ ସୂଚନା ପ୍ରଦାନ କରିପାରିବେ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏ ନେଇ ସୂଚନା ଦେଇଛନ୍ତି।

 

ଆଜି କୋର୍ଟରେ ଆତ୍ମସମର୍ପଣ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଆଜି କୋର୍ଟରେ ସରେଣ୍ଡର କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି ଗତକାଲି ଶେଷ ହୋଇଛି। ଆଜି ତାଙ୍କୁ ଦିଲ୍ଲୀର ରାଉଜ ଆଭେନ୍ଯୁ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ଅନ୍ତରୀଣ ଜାମିନ ଆବେଦନ ୭ ଦିନ ବୃଦ୍ଧି କରିବାକୁ ଆବେଦନ କରିଥିଲେ କେଜ୍ରିୱାଲ। ମେଡିକାଲ୍ ପରୀକ୍ଷା କରାଇବାର କାରଣ ଦର୍ଶାଇ କେଜ୍ରିୱାଲ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଆଉ ୭ ଦିନ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ଏ ଉପରେ ତୁରନ୍ତ ଶୁଣାଣି କରିପାରିବେ ନାହିଁ ବୋଲି ମନା କରିଦେଇଥିଲେ।

ଏହାପରେ ତଳ କୋର୍ଟକୁ ଯାଇଥିଲେ କେଜ୍ରିୱାଲ। ମାମଲାରେ ରାୟ ସଂରକ୍ଷିତ ରହିଛି। ଜାମିନ ଆବେଦନ ନେଇ ରାୟ ଆସିବ। ତେବେ ଜାମିନ ଅବଧି ସରୁଥିବାରୁ ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଲୋକସଭା ନିର୍ବାଚନ ଦର୍ଶାଇ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନରେ ଆସିଥିଲେ କେଜ୍ରିୱାଲ।

ବାହାନଗା ଟ୍ରେନ୍ ଟ୍ରାଜେଡି: କରମଣ୍ଡଳର କରୁଣ କାହାଣୀକୁ ପୂରିଲା ବର୍ଷେ

ନନ୍ଦିଘୋଷ ବ୍ୟୁରୋ ରିପୋର୍ଟ: ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ପୂରିଛି ବର୍ଷେ। ୨ ଜୁନ୍  ୨୦୨୩ ସନ୍ଧ୍ୟାରେ ଘଟିଥିଲା ଛାତିଥରା ଟ୍ରେନ୍ ଟ୍ରାଜେଡି। କେହି କିଛି ବୁଝିବା ଆଗରୁ କିଛି କ୍ଷଣ ମଧ୍ୟରେ ୩ଟି ଟ୍ରେନ୍ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୮୮ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସେହି କାଳ ରାତ୍ରିକୁ ପୂରିଛି ବର୍ଷେ। ହେଲେ ଆଜି ବି ଜୀବନ୍ତ ଅଛି ସେହି କାଳ ରାତ୍ରିର ଲୋମଟାଙ୍କୁରା ଦୃଶ୍ୟ।

ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ ରେଳବାଇର ଖଡ଼ଗପୁର ରେଳ ଡିଭିଜନ ଅନ୍ତର୍ଗତ ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ସନ୍ଧ୍ୟା ୬ଟା ୪୦ରେ ଘଟିଥିଲା ଦୁର୍ଘଟଣା। ୨ ନମ୍ବର ଟ୍ରାକରେ ଯାଉଥିବା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ ପ୍ରଥମେ ଉକ୍ତ ଟ୍ରାକରେ ଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଏହି ଧକ୍କାଟି ଏତେ ଭୟଙ୍କର ଥିଲା ଯେ ଅନ୍ୟ ଏକ ଟ୍ରାକରେ ଆସୁଥିବା ଯଶୋବନ୍ତପୁର ହାଓ୍ବଡା ଏକ୍ସପ୍ରେସ ଟ୍ରେନର ଶେଷ ଦୁଇଟି ବଗିରେ ବାଜିଥିଲା। ଯାହାକି ଦୀର୍ଘ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲା। ଫଳରେ ବଗି ଉପରେ ବଗି ଚଢ଼ିଯାଇଥିଲା। ଏପରିକି ରେଳ ଟ୍ରାକରୁ ବଗି ଛିଟିକି ଯାଇ ନୟନଯୋଡିକୁ ପଡ଼ିଥିବାବେଳେ ବହୁ ଯାତ୍ରୀ ସେଥିରେ ଚାପି ହୋଇ ରହିଯାଇଥିଲେ। ଏହି ଦୁର୍ଘଟଣାରେ ପାଖାପାଖି ୧୭ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କ ସମେତ ବହୁ ନେତା ମନ୍ତ୍ରୀ ଓ ରେଳ ବିଭାଗର ବରିଷ୍ଠ କର୍ମକର୍ତ୍ତା ପହଞ୍ଚିଥିଲେ। ଏନଡିଆରଏଫ, ଓଡ୍ରାଫ, ଓଡ଼ିଶା ପୋଲିସ ସମେତ ସ୍ଥାନୀୟ ଅଞ୍ଚଳର ଶହଶହ ସ୍ବେଚ୍ଛାସେବୀ ୨ ଦିନ ଧରି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ପ୍ରାୟ ୮୦ରୁ ଅଧିକ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ  ବାଲେଶ୍ବର, ଭଦ୍ରକ, ସୋର, କଟକ ବଡ଼ ଡାକ୍ତରଖାନା, ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଓ ଏମସରେ ଭର୍ତ୍ତି କରାଯାଇଥିଲା। ଆହତଙ୍କୁ ରକ୍ତ ଦେବା ପାଇଁ ବିଭିନ୍ନ ଡାକ୍ତରଖାନାରେ ସାଧାରଣ ଲୋକଙ୍କ ଧାଡ଼ି ଲାଗିଥିଲା।

ଏତେ ବଡ଼ ବିପର୍ଯ୍ୟୟ ସମୟରେ ଓଡ଼ିଆ ଲୋକମାନଙ୍କ ଏହି ମଣିଷପଣିଆ ସାରା ଦେଶ ପାଇଁ ଉଦାହରଣ ସାଜିଥିଲା। ରେଳ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୨ ମାସ ଧରି ଯାତାୟାତ ଠପ୍ ହୋଇଯାଇଥିଲା।