spot_img
Home Blog Page 1998

ଭାରତ ବିରୋଧୀ ମୁଇଜ୍ଜୁଙ୍କ ବିଜୟ, ମାଲଦ୍ବୀପ ନିର୍ବାଚନରେ ଦଳକୁ ବହୁମତ

ମାଲେ: ମାଲଦ୍ୱୀପରେ ଅନୁଷ୍ଠିତ ସଂସଦ ନିର୍ବାଚନରେ ​​ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ନେତୃତ୍ୱରେ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ୬୦ରୁ ଅଧିକ ଆସନ ଜିତି ବହୁମତ ହାସଲ କରିଛି। ଏହି ନିର୍ବାଚନ ଦେଶର ରାଷ୍ଟ୍ରପତି ମୁଇଜ୍ଜୁଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ମାଲଦ୍ବୀପରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଉଭୟ ଭାରତ ଏବଂ ଚୀନ୍ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ବପୂର୍ଣ୍ଣ ରହିଥି୍ଲା  ।

ନିର୍ବାଚନ ଆୟୋଗ ଦେଇଥିବା ସୂଚନା ଅନୁଯାୟୀ, ୨ ଲକ୍ଷ ୭ ହଜାର ୬୯୩ ଜଣ ଭୋଟ୍ ଦେଇଛନ୍ତି। ଏହି ଅନୁଯାୟୀ ଦେଶରେ ୭୨.୯୬ ପ୍ରତିଶତ ମତଦାନ ହୋଇଥିଲା। ଏଥିରେ ୧ ଲକ୍ଷ ୪ ହଜାର ୮୨୬ ପୁରୁଷ ଏବଂ ୧ ଲକ୍ଷ ୨ ହଜାର ୮୬୭ ମହିଳା ଅନ୍ତର୍ଭୁକ୍ତ  । ମୋଟ୨ ଲକ୍ଷ ୮୪ ହଜାର ୬୬୩ ଜଣ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିଲେ।

ଦେଶର ସଂସଦୀୟ ନିର୍ବାଚନ ପାଇଁ ୬ଟି ଦଳର ୩୬୮ ଜଣ ପ୍ରାର୍ଥୀ ରହିଥିଲେ। ଏହି ୬ଟି ଦଳ ମଧ୍ୟରେ ମୁଇଜ୍ଜୁଙ୍କ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି), ମୁଖ୍ୟ ବିରୋଧୀ ମାଲଦ୍ୱୀପ ଡେମୋକ୍ରାଟ୍ ପାର୍ଟି (ଏମଡିପି) ଏବଂ ୧୩୦ ଜଣ ସ୍ବାଧୀନ ପ୍ରାର୍ଥୀ ମଇଦାନରେ ଥିଲେ । ପିଏନସିରୁ ୯୦ ଜଣ ପ୍ରାର୍ଥୀ, ଏମିଡିପିରୁ ୮୯ ଜଣ, ଡେମୋକ୍ରାଟ୍ସରୁ ୩୯, ଜାମହୋରୀ ପାର୍ଟି (ଜେପି)ରୁ ୧୦, ମାଲଦ୍ୱୀପ ବିକାଶ ଆଲାଇନ୍ସ (ଏମଡିଏ) ଏବଂ ଆଡାଲାଥ ପାର୍ଟି (ଏପି)ରୁ ଚାରିଜଣ ଏବଂ ମାଲଦ୍ୱୀପ ନ୍ୟାସନାଲ ପାର୍ଟି (ଏମଏନପି)ରୁ ଦୁଇଜଣ ପ୍ରାର୍ଥୀ ରହିଥିଲେ।

ମୁଇଜ୍ଜୁଙ୍କ ନେତୃତ୍ୱାଧୀନ ପିଏନସି ୯୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ୬୦ରୁ ଅଧିକ ସିଟ୍ ଜିତିଛି, ଯାହା ପ୍ରାୟ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଟ୍ରେଣ୍ଡ ଅନୁଯାୟୀ ମୁଇଜ୍ଜୁଙ୍କ ନେତୃତ୍ୱାଧୀନ ପିଏନସି ୬୭ଟି ସିଟ୍ ଜିତିଛି । ଏହା ପଛକୁ ଏମଡିପି ୧୨ଟି ସିଟ୍ ଏବଂ ସ୍ବାଧୀନ ପ୍ରାର୍ଥୀମାନେ ୧୦ଟି ସିଟ୍ ଜିତିଛନ୍ତି। ଅବଶିଷ୍ଟ ଆସନ ଅନ୍ୟ ଦଳକୁ ଯାଇଥିଲା।

ଚୀନ୍‌ର ଜଣେ ସମର୍ଥକ ନେତା ଭାବରେ ମୁଇଜ୍ଜୁଙ୍କ ପାଇଁ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ରହିଥିଲା  । ନିର୍ବାଚନର କିଛି ଦିନ ପୂର୍ବରୁ ବିରୋଧୀ ଦଳ ୨୦୧୮ ମସିହା ଦୁର୍ନୀତି ରିପୋର୍ଟ ଲିକ୍ ହେବା ପରେ ରାଷ୍ଟ୍ରପତିଙ୍କ ବିରୋଧରେ ଯାଞ୍ଚ ଦାବି କରିଥିଲେ। ତେବେ ମୁଇଜୁ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ବ୍ୟତୀତ ମୁଇଜୁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସାଂସଦମାନେ ତାଙ୍କ ତିନି ଜଣ ପ୍ରାର୍ଥୀଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିବାକୁ ରୋକ ଲଗାଇଥିଲେ  ।

 

ସଫେଇ କର୍ମଚାରୀଙ୍କ ଝିଅ ବାହାଘର କଲା ପୋଲିସ, ଏସପି ସାଜିଲେ ଭାଇ

ଚୁରୁ: ରାଜସ୍ଥାନର ଚୁରୁ ପୋଲିସ ମାନବିକତାର ପରିଚୟ ଦେଇଛି  । ଏଠାକାର ମ୍ୟୁନସିପାଲଟିରେ କାର୍ଯ୍ୟରତ ଜଣେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ଝିଅ ବାହାଘର ସମ୍ପୂର୍ଣ୍ଣ କରିଚି ଚୁରୁ ପୋଲିସ  । ଖୋଦ ଏସପି ସଫେଇକର୍ମୀ ମାୟା ଦେବୀଙ୍କ ଭାଇ ସାଜି ସବୁ ପରମ୍ପରା ପାଳନ କରିଛନ୍ତି  ।

ଚୁରୁର ସଦର ଥାନା ଏବଂ ପୋଲିସ ଲାଇନରେ କାର୍ଯ୍ୟରତ ଅଛନ୍ତି ମାୟା ଦେବୀ  । ସେ ମାସିକ ୧୧୬୦ ଟଙ୍କା ପାଇ ପରିବାର ପ୍ରତିପୋଷଣ କରିଥାନ୍ତି । ମାୟାଦେବୀଙ୍କ ୬ ଜଣ ପୁଅଝିଅ ଅଛନ୍ତି  । ମାୟା ଦେବୀଙ୍କ ଚତୁର୍ଥ ଝିଅର ନିକଟରେ ବିବାହ ସ୍ଥିର ହୋଇଥିଲା  । ଯେଉଁ ଖବର ଜଣାପଡିବା ପରେ ସଦର ଥଖାନା ପୋଲିସ ଲାଇନର  ଯବାନ ମାନେ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ  ।

ପୋଲିସକର୍ମୀ ମାନେ ଏ ସମ୍ପର୍କରେ ଏସପିଙ୍କୁ ଜଣାଇବା ପରେ ସେ ମାୟାଦେବୀଙ୍କ ଘରେ ପହଞ୍ଚି ପ୍ରଥମେ ତାଙ୍କୁ ଭଉଣୀ କରିଥିଲେ  । ଏହାପରେ ଭାଇର କର୍ତ୍ତବ୍ୟ କରିବାକୁ ଯାଇ ସବୁ ପୋଲିସକର୍ମୀ ମିଶି ତାଙ୍କୁ ଦେଢ ଲକ୍ଷ ଟଙ୍କା ନଗଦ ରାଶି, ୨୦ ଡ୍ରେସ ଓ ୩ହଳ ଅଳଙ୍କାର ଆଭୂଷଣ ପ୍ରଦାନ କରିଥିଲେ  ।

 

ଦିଲ୍ଲୀରେ ବ୍ୟାପିଛି ବିଷାକ୍ତ ଧୂଆଁ, ଘର ଛାଡିଲେଣି ସ୍ଥାନୀୟ ଲୋକେ

ନୂଆଦିଲ୍ଲୀ: ଖରା ଆରମ୍ଭରୁ ଗାଜିପୁର ଅଳିଆଗଦା ଜଳିବା ଆରମ୍ଭ କରିଛି  । ରବିବାର ସନ୍ଧ୍ୟାରୁ ଜଳୁଛି ଅଳିଆଗଦା  । ପବନ ବହିବା ଯୋଗୁଁ ଛଅ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ନିଆଁ  । ଏତେ ଧୂଆଁ କାରଣରୁ ଲୋକଙ୍କୁ ନିଶ୍ବାସ ନେବାରେ ସମସ୍ୟା ଦେଖାଦେଇଛି  । ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି  । ଖବର ଲେଖାଯିବା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ  ।

ମିଥେନ ଗ୍ୟାସ କାରଣରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି  । ଅଗ୍ନିକାଣ୍ଡର କାରଣ ଖୋଜା ଚାଲିଛି  । ଦିନକ ପୂର୍ବରୁ ଅଳିଆଗଦାରୁ ଧୂଆଁ ଉଠୁଥିୁବା ଦେକିବାକୁ ମିଳିଥିଲା  । ସନ୍ଧ୍ୟା ସୁଦ୍ଧା ନିଆଁ ଚାରିଆଡେ ବ୍ୟାପିଥିଲା  । ଅଗ୍ନିକାଣ୍ଡ ଏତେ ଭୀଷଣ ଥିଲା ଯେ ଆଇଇପି ଏକ୍ସଟେନସନ, ଗାଜିପୁର, ମୟୂର ବିହାର, ଖୋଡା ଓ ଇନ୍ଦିରାପୂରମ ପର୍ଯ୍ୟନ୍ତ ନିଆଁ ବ୍ୟାପିଥିଲା  । ସ୍ଥାନୀୟ ବାସିନ୍ଦାଙ୍କୁ ନିଶ୍ବାସ ନେବାରେ ସମସ୍ୟା ହେବା ସହ ଆଖି ଜଳାପୋଡା ମଧ୍ୟ ହେଉଛି  ।

ଏନଏଚ ୯ ସମେତ ଆଖପାଖରେ ଯାଇଥିବା ରାସ୍ତାରେ ଚାଳକଙ୍କୁ ମଧ୍ୟ ଏହି ସମସ୍ୟା ଦେଇ ଗତି କରିବାକୁ ପଡିଥିଲା  । ଧୂଆଁ ଅଧିକ ବଢିବା ପରେ ଗାଜିପୁର ନିକଟ ମୂଲା କଲୋନୀର ଅଧିକାଂଶ ଲୋକେ ଘର ଛାଡି ନଜ ସମ୍ପର୍କୀୟଙ୍କ ଘରକୁ ପଳାଇଛନ୍ତି  ।

ପାକିସ୍ତାନ ସଂସଦରୁ ଲୁଟି ନେଲେ ସାଂସଦଙ୍କ ଜୋତା

ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତାନରେ ଭୋକ, ଦାରିଦ୍ର୍ୟ ପରେ ଏବେ ନୂଆ ଘଟଣା ଦେଖିବାକୁ ମିଳିଛି । ପଡୋଶୀ ଦେଶରେ ଏପରି କିଛି ଘଟିଛି ଯେଉଁଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲଜ୍ଜିତ ହେବାକୁ ପଡିଛି । ଦେଶ ପାଇଁ ଏହାର ସଂସଦ ଗଣତନ୍ତ୍ରର ସବୁଠାରୁ ପବିତ୍ର ସ୍ଥାନ ଭାବରେ ପରିଗଣିତ ହୁଏ, କିନ୍ତୁ ଲୁଟେରାମାନେ ପାକିସ୍ଥାନ ସଂସଦକୁ ଟାର୍ଗେଟ କରିଛନ୍ତି। ପାକିସ୍ତାନରେ ସାଂସଦ ଏବଂ ଅନ୍ୟ କର୍ମଚାରୀଙ୍କ ଜୋତା ସଂସଦ ଭିତରୁ ଚୋରି ହୋଇଛି।

ସଂସଦ ଭିତରେ ନିର୍ମିତ ମସଜିଦରେ ଶୁକ୍ରବାର ପ୍ରାର୍ଥନା ସଭା ଚାଲିଥିଲା । ଶୁକ୍ରବାର ଦିନ ପାକିସ୍ତାନ ସଂସଦରେ ଅନେକ ସାଂସଦ, ଅଧିକାରୀ ଏବଂ ସାମ୍ବାଦିକ ଶୁକ୍ରବାର ପ୍ରାର୍ଥନା କରୁଥିବାବେଳେ ଚୋରି ହୋଇଥିଲା।

 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ସଂସଦରୁ ପ୍ରାୟ ୧୨ ହଳ ଜୋତା ଚୋରି ହୋଇଛି। ଜୋତା ଚୋରି ହେବା ପରେ ଅନେକ ସାଂସଦ ଖାଲି ପାଦରେ ଫେରିଥିଲେ। କୁହାଯାଉଛି ଯେ ନାମାଜଙ୍କ ସମୟରେ ଅନେକ ସୁରକ୍ଷା ଅଧିକାରୀ ଉପସ୍ଥିତ ନଥିଲେ ଯେଉଁଥିପାଇଁ ଏହି ଚୋରି ଘଟଣା ଘଟିଥିଲା। ଏହି ମାମଲା ସାମ୍ନାକୁ ଆସିବା ପରେ ଯୁଗ୍ମ ସଚିବ ଏବଂ ପୋଲିସ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି।

 

ଜଣେ ସାମ୍ବାଦିକ ଏବଂ ବାରଜଣ କର୍ମଚାରୀଙ୍କ ଜୋତା ଚୋରି ହୋଇଛି। ଏପରିକି ଏଠାରେ ଥିବା ଅତିଥିମାନଙ୍କ ଜୋତା ମଧ୍ୟ ଚୋରି ହୋଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମଣିପୁରର ୧୧ ବୁଥ୍‌ରେ ସାନି ମତଦାନ, ହିଂସା ଯୋଗୁଁ ମତଦାନ ବ୍ୟାଘାତ ହୋଇଥିଲା

ଇମ୍ଫାଲ: ଆଜି ମଣିପୁରର ୧୧ ବୁଥରେ ସାନି ମତଦାନ । ଏପ୍ରିଲ ୧୯ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ହିଂସା, ଦଙ୍ଗା, ବୁଥ୍ ଜବରଦଖଲ ଆଦି କାରଣରୁ କେତେକ ପୋଲିଂ ବୁଥରେ ମତଦାନ ବ୍ୟାଘାତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ୧୧ଟି ବୁଥରେ ସାନି ମତଦାନ ଲାଗି ନିର୍ଦ୍ଦେଶ ଦେଇଥିଲେ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଇନ୍ନର ମଣିପୁର ଲୋକସଭା ଆସନର ଏହି ବୁଥଗୁଡିକରେ ସାନି ମତଦାନ ହେବ । ଖୁରାଇ ବିଧାନସଭା କ୍ଷେତ୍ର ଅଧୀନରେ ଥିବା ଦୁଇଟି ବୁଥ୍, କ୍ଷେତ୍ରିଗାଁରେ ଚାରିଟି ବୁଥ୍, ଉରିପୋକରେ ତିନିଟି ଆଦି ବୁଥରେ ମତଦାନ ହେବ । ସାନି ମତଦାନକୁ ଦୃଷ୍ଟିରେ ରଖି ଏହି ସବୁ ସ୍ଥାନରେ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି କରାଯାଇଛି । ନିର୍ବାଚନ ସମୟରେ ବ୍ୟାପକ ଅନିୟମିତତା ଘଟିଥିବା ନେଇ କେତେକ ପ୍ରାର୍ଥୀ ଅଭିଯୋଗ କରିବା ପରେ ନିର୍ବାଚନ ଅଧିକାରୀ ଏହି ନିଷ୍ପତ୍ତି ନେଇଥିଲେ । ପ୍ରଥମ ପର୍ଯ୍ୟାୟରେ ରାଜ୍ଯରେ ୬୯ ପ୍ରତିଶତ ମତଦାନ ହୋଇଥିଲା ।

ବିଜୁଳି ଘଡଘଡି ବର୍ଷା ସତ୍ତ୍ବେ ବି ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ଅସହ୍ଯ ଖରାରେ ଆକ୍ତାମାକ୍ତା ଓଡ଼ିଶା । ଆଜି ବି ମିଳିବନି ତାତିରୁ ତ୍ରାହି । ସିଭିୟର ହିଟ୍ଓ୍ବେଭ୍ ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆଜି ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି ଏବଂ ନୂଆପଡାରେ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୨୩ ତାରିଖରେ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ଆଜି ୧୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡା, ନବରଙ୍ଗପୁର, ନୂଆପଡା, କୋରାପୁଟ ଏବଂ ମାଲକାନଗିରିରେ ଝଡତୋଫାନ ହେବା ସମ୍ଭାବନା ରହିଛି । ତେବେ କାଳବୈଶାଖୀ ବର୍ଷା ହେଲେବି ଜାରି ରହିବ ଗ୍ରୀଷ୍ମ ପ୍ରବାହ ।

ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କୁ ବିରୋଧ

ନନ୍ଦିଘୋଷ ବ୍ୟୁରୋ: ଯୋଉଠି ପାଦଦେଲେ ସେଇଠି ବିରୋଧ । ଟିଟିଲାଗଡ଼ରେ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କୁ ପୂରାଇ ଦେଉନାହାନ୍ତି ଜନସାଧାରଣ । ଆଜି ଟିଟିଲାଗଡ଼ର ୧୧ ନମ୍ବର ୱାର୍ଡକୁ ପ୍ରଚାର ପାଇଁ ଯାଇଥିବାବେଳେ ପୁଣି ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ନବୀନ ଜୈନ । ଆଉ ଜନସାଧାରଣ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଗତ ପୌର ନିର୍ବାଚନରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ଯକ୍ତି ବିଜେପିର ଚେୟାରମ୍ଯାନ ପ୍ରାର୍ଥୀ ମମତା ଦେବୀଜୈନଙ୍କ ସମର୍ଥନରେ ପ୍ରଚାର କରିଥିଲେ । ପରବର୍ତ୍ତୀ ସମୟରେ  ସେହି ବ୍ଯକ୍ତି ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କ ପରିବାର ଓ ସ୍ଥାନୀୟ ଲୋକ ସହାୟତା ପାଇଁ ନବୀନ ଜୈନଙ୍କ ପାଖକୁ ଯାଇଥିଲେ । ହେଲେ ସେ ସାହାଯ୍ୟ  ଦୂରର କଥା ଘରୁ ବି  ବାହାରିନଥିଲେ । ପରବର୍ତ୍ତୀ ସମୟରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସହାୟତାରେ ତାଙ୍କର ଚିକିତ୍ସା କରାଯାଇଥିଲା । ଏଣୁ ସେଦିନ ଦେଖାଦେଇନଥିବା ନେତା ଆଜି କଣ ପାଇଁ ଆସିଛ ବୋଲି ପ୍ରଶ୍ନ ପଚାରିବା ସହ ମିଛ ପ୍ରଚାର କରୁଥିବାରୁ ତାଙ୍କୁ ଘଉଡ଼ାଇଦେଇଥିଲେ । ପୂର୍ବରୁ ସଇଁତାଳ ବ୍ଲକର ବିଭିନ୍ନ ସ୍ଥାନରେ ମଧ୍ଯ ନବୀନ ଜୈନ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି ।

ବିଜେପିର ଜୟପୁର ବିଧାନସଭା ପ୍ରାର୍ଥୀ ହେଲେ ଗୌତମ ସାମନ୍ତରାୟ

ବିଜେପିର ଜୟପୁର ବିଧାନସଭା ପ୍ରାର୍ଥୀ ଘୋଷଣା ହୋଇଛି। ଏହି ଆସନରୁ ଲଢିବେ ଗୌତମ ସାମନ୍ତରାୟ। ଏହି ଆସନରୁ ବିଜେଡିରୁ ଲଢୁଛନ୍ତି ଇନ୍ଦିରା ନନ୍ଦ। କଂଗ୍ରେସରୁ ପ୍ରାର୍ଥୀ ଅଛନ୍ତି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ଏହି ହାଇଭୋଲଟେଜ ସିଟରେ ଏଥର କଡା ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବ।

ବିଜେପି ନେତାଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ

ନନ୍ଦିଘୋଷ ବ୍ୟୁରୋ: ବିଜେପି ନେତାଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପ୍ରସଙ୍ଗରେ କଡ଼ା ଆଭିମୁଖ୍ଯ ଗ୍ରହଣ କଲେ ରାଜ୍ଯ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ । ୨୪ ଘଣ୍ଟା ଭିତରେ ଅଭିଯୋଗ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ । ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର,  ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ନିର୍ବାଚନ ମଣ୍ଡଳି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ବିରୋଧରେ ଆସିଥିଲା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବଲପୁର ବିଜେପି ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଦଳୀୟ କାର୍ଯ୍ୟ ପାଇଁ ସରକାରୀ କାର୍ଯ୍ୟାଳୟ ବ୍ଯବହାର କରିବା ସହ ଏନସିସି କ୍ଯାଡେଟ୍ ଓ ଅଫିସରଙ୍କ ସହ ଆଲୋଚନା ଓ ନିର୍ବାଚନ ପ୍ରଚାର କରୁଥିବା ବିଜେଡି ଅଭିଯୋଗ କରିଥିଲା । ସପ୍ରମାଣ ଅଭିଯୋଗ ପରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଏବଂ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳିରେ ନିର୍ବାଚନୀ ରାଲି ବେଳେ ଜଣେ ନାବାଳକଙ୍କୁ ବ୍ଯବହାର କରିଥିବା ଅଭିଯୋଗ ହୋଇଥିଲା । ଏହାର ସଚିତ୍ର ଓ ସପ୍ରମାଣ, ତଥ୍ଯ ବିଜେଡି ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଥିଲା । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳିରେ ନିର୍ବାଚନ ରାଲି ବେଳେ ତାଙ୍କ ସହ ଭୁବନେଶ୍ବର ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ଉପସ୍ଥିତ ଥିବା ମଧ୍ଯ ଅଭିଯୋଗ ହୋଇଥିଲା ।

ଢେଙ୍କାନଳରେ କିଏ ହେବ ବିଜୟୀ?

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ରାଜନୀତିରେ ଢେଙ୍କାନାଳ ସବୁବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଢେଙ୍କାନାଳ ଲୋକସଭା କ୍ଷେତ୍ର ସହିତ ବିଜେଡିର ଗଡ ଢେଙ୍କାନାଳ ସଦର ବିଧାନସଭା କ୍ଷେତ୍ର। ଢେଙ୍କାନାଳ ବିଧାନସଭା କ୍ଷେତ୍ରରେ ୪ଥର ହାରିବା ପରେ ବି ପଦ୍ମ ଫୁଟାଇବାକୁ ଜୋରଦାର ପ୍ରୟାସ କରୁଛି ବିଜେପି। ତେବେ ସବୁଠୁ ପଛରେ ପଡିଯାଇଛି କଂଗ୍ରେସ। ଆଉ ଏହି ସବୁ ଭିତରେ କାହା ଉପରେ ଭରସା କରିବେ ଭୋଟର। ବିକାଶକୁ ନା ପ୍ରାର୍ଥୀକୁ ଦେବେ ପ୍ରାଧାନ୍ୟ । କାହାର ହେବ ଢେଙ୍କାନାଳ ତାକୁ ନେଇ ଚାଲିଛି ଅଙ୍କକଷା।

ଢେଙ୍କାନାଳ,ଗଂଦିଆ ଓ ଛଦେସକୁ ନେଇ ଗଠିତ ଢେଙ୍କାନାଳ ବିଧାନସଭା  କ୍ଷେତ୍ର । ବିଜେଡିର ଗଡ ଭାବେ ପରିଚିତ ଏହି ନିର୍ବାଚନ ମଣ୍ଡଳୀରେ ଏଥର କାହା ସପକ୍ଷରେ ଯିବ ଜନମତ ? କିଏ ମାରିବ ବାଜି ? ତାକୁ ନେଇ ଆରମ୍ଭ ହୋଇ ଗଲାଣି କଳ୍ପନା ଜଳ୍ପନା । ଏଠାରେ ଅଛନ୍ତି ୨ ଲକ୍ଷ ୬୭ ହଜାର ୩୧୭ ଜଣ ଭୋଟର । ସେଥିମଧ୍ୟରୁ ପୁରୁଷ ଭୋଟର ୧ଲକ୍ଷ ୩୭ ହଜାର ୨୧୬ ଜଣ ,ମହିଳା ଭୋଟର ୧ ଲକ୍ଷ ୩୦ହଜାର ୭୦ଜଣ । ଅନ୍ୟାନ ଭୋଟର ମାତ୍ର ୩୧ ଜଣ । ଢେଙ୍କାନାଳ ସଦର ବିଧାନସଭାରେ ଏଥର ତ୍ରିମୁଖୀ ଲଢେଇ ହେବା ସମ୍ଭାବନା ଅଧିକ । ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ସୁଧୀର କୁମାର ସାମଲ । ବିଜେପି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି କୃଷ୍ଣଚନ୍ଦ୍ର ପାତ୍ର । ସେପଟେ ଏହି ଦୁହିଁଙ୍କୁ ଟକ୍କର ଦେବାକୁ କଂଗ୍ରେସ ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ସୁଶ୍ମିତା ସିଂ ଦେଓ  । ତେବେ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ପ୍ରଚାର ।

୨୦୦୦ ମସିହା ନିର୍ବାଚନରେ ବିଜେପି ବିଜେଡ଼ି ମେଣ୍ଟ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ୨୯ ହଜାର ୭୬୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିଲେ । ୨୦୦୪ ନିର୍ବାଚନରେ କଂଗ୍ରେସ ଦଳରୁ ସୁଧିର କୁମାର ସାମଲ ୫୩ ହଜାର ୪୭୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୦୯ ନିର୍ବାଚନରେ ଏନସିପି ଓ ବିଜେଡ଼ି ମେଣ୍ଟ ହୋଇଥିଲା ଏନସିପି ଦଳରୁ ନବିନ ନନ୍ଦ ୫୧ ହଜାର ୧୧୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ  । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସରୋଜ କୁମାର ସାମଲ ୬୮ ହଜାର ୯୮୦ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ ।

ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ୬୫ ହଜାର ୫୦୫ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ସିଦ୍ଧେଶ୍ୱରୀ ପ୍ରସାଦ ମିଶ୍ର ୩୦ ହଜାର ୬୪୩ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ  ସୁଧିର କୁମାର ସାମଲ ୮୯ ହଜାର ୫୩୬ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ୬୮ହଜାର ୮୯୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନବିନ ନନ୍ଦ ୨୪ହଜାର ୭୮୮ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ । ଗତ ପାଞ୍ଚ ବର୍ଷ ମଧ୍ୟରେ ଢେଙ୍କାନାଳରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଠାରେ ଶିକ୍ଷା ,ସ୍ଵାସ୍ଥ୍ଯ, ରାସ୍ତାଘାଟ,ପାନୀୟ ଜଳ ସାଙ୍ଗକୁ ବସଷ୍ଟାଣ୍ଡ ,ପାର୍କ ଓ କପିଳାସ ଆଦିର ହୋଇଛି ରୂପାନ୍ତର ।