spot_img
Home Blog Page 2078

ଋଷର ବିରୋଧୀ ଦଳ ନେତା ଆଲେକ୍ସିଙ୍କ ସନ୍ଦେହଜନକ ମୃତ୍ୟୁ, ବାଇଡେନ କହିଲେ ପୁଟିନ ଦାୟୀ

0

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରମୁଖ ସମାଲୋଚକ ତଥା ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁକୁ ନେଇ ବଢ଼ିଲା ବିବାଦ । ଜେଲରେ ତାଙ୍କର ମୃତ୍ୟୁକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ତାଙ୍କୁ ମିଳିଥିବା ୧୯ ବର୍ଷ ଜେଲଦଣ୍ଡାଦେଶକୁ ନେଇ ପୁଟିନଙ୍କୁ ବିଭିନ୍ନ ପାଶ୍ଚାତ୍ୟ ରାଷ୍ଟ୍ର ସମେତ ଅନେକ ମାନବାଧିକାର ସଂଗଠନ ସମାଲୋଚନା କରିଆସୁଥିଲେ ।

ନିଜ ଓକିଲଙ୍କ ଜରିଆରେ ଆଲେକ୍ସି ନିୟମିତ ବିଭିନ୍ନ ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିଆସୁଥିଲେ । ପ୍ରଥମେ ତାଙ୍କୁ ମସ୍କୋ ନିକଟସ୍ଥ ଏକ ଜେଲରେ ରଖାଯାଇଥିବାବେଳେ ପରେ ତାଙ୍କୁ ମସ୍କୋ ଠାରୁ ୨ ହଜାର କିଲୋମିଟର ଦୂର ସାଇବେରିଆ ଅନ୍ତର୍ଗତ ଆଇକେ-3 ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଗତ ୧୬ ତାରିଖରେ ଜେଲରେ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଲେକ୍ସି ଚାଲୁଚାଲୁ ହଠାତ ଅସୁସ୍ଥ ହୋଇଥିଲେ ଏବଂ ଚିକିତ୍ସା ସତ୍ତ୍ବେ ସେ ବଞ୍ଚିପାରିଲେ ନାହିଁ ବୋଲି ସରକାରୀ ଭାବେ କୁହାଯାଇଥିଲା । ତେବେ ମୃତ୍ୟୁ ସମ୍ପର୍କରେ କିଛି ସୂଚନା ଦିଆଯାଇ ନଥିଲା ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପ୍ରେସ ସଚିବ ।

ଋଷରେ ଦୁର୍ନୀତି ବିରୋଧରେ ସର୍ବଦା ସ୍ବରଉତ୍ତୋଳନ କରିଆସୁଥିଲେ ୪୭ ବର୍ଷୀୟ ଆଲେକ୍ସି । ଗତ 2021ରେ ସେ ଜର୍ମାନୀରୁ ସ୍ବଦେଶ ଫେରିବା ପରେ ତାଙ୍କୁ ଜେଲରେ ଭର୍ତ୍ତି କରିଦିଆଯାଇଥିଲା । ସ୍ନାୟୁକୁ ନଷ୍ଟ କରୁଥିବା ଏକ ଗ୍ୟାସ ନୋଭିଚୋକ ଜରିଆରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ସେ ଚିକିତ୍ସା ଲାଗି ଜର୍ମାନୀ ଯାଇଥିଲେ । ସେପଟେ ଆଲେକ୍ସିଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ସେ କହିଛନ୍ତି ଆଲେକ୍ସିଙ୍କ ମୃତ୍ୟୁ ତାଙ୍କ ଲାଗି ଆଶ୍ଚର୍ଯ୍ୟଜନକ ନୁହେଁ । ଦୁର୍ନୀତି, ହିଂସା ବିରୋଧରେ ଆଲେକ୍ସି ଲଢୁଥିଲେ । ତାଙ୍କ ମୃତ୍ୟୁ ଲାଗି ପୁଟିନ ହିଁ ଦାୟୀ ବୋଲି କହିଛନ୍ତି ବାଇଡେନ । ବଡ଼କଥା ହେଉଛି 2021 ଜୁନରେ ଜେନେଭରେ ଆଲେକ୍ସିଙ୍କ ସମ୍ପର୍କରେ ପୁଟିନଙ୍କୁ ବାଇଡେନ କହିଥିଲେ- ଯଦି ଆଲେକ୍ସିଙ୍କ ମୃତ୍ୟୁ ଘଟେ ତେବେ ତାହା ପୁଟିନଙ୍କ ଲାଗି କ୍ଷତିର କାରଣ ହେବ । ସେପଟେ ପୁଟିନଙ୍କ ଲାଗି ଦଣ୍ଡ ଦାବି କରିଛନ୍ତି ପତ୍ନୀ ୟୁଲିଆ ନାଭାଲନାୟା।

ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ସହିପାରିଲେନି, ଝୁଲି ପଡିଲେ ପୁଅ

ବଲାଙ୍ଗୀର: ଗ୍ୟାସ ସିଲିଣ୍ଡର ଫାଟି ପରିବାରର ୪ ଜଣଙ୍କ ମୃତ୍ୟୁ ପରେ ୧୯ ବର୍ଷୀୟ ପୁଅର ଆତ୍ମହତ୍ୟା। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବେଲପଡ଼ା ଥାନା କାନୁଟ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ଆତ୍ମହତ୍ଯା କରିଥିବା ମୃତକ ହେଲେ ଦ୍ରୋଣ ମହାକୁର । ଗତ ୧୦ ତାରିଖରେ ମାଳତୀ ମହାକୁରଙ୍କ ଘରର ଗ୍ୟାସ ସିଲିଣ୍ଡର୍ ଫାଟିଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଥିଲା ।

୧୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ୧୬ ତାରିଖରେ ମାଳତୀ ମହାକୁରଙ୍କୁ ମିଶାଇ ୩ ଜଣ ପ୍ରାଣ ହରାଇଥିଲେ । ଏଥିରେ ମିୟମ୍ରାଣ ହୋଇ ମୃତ ମାଳତୀଙ୍କ ପୁଅ ଦ୍ରୋଣ ମହାକୁର ଆତ୍ମହତ୍ୟା କରିଛନ୍ତି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ୩ ଜଣଙ୍କ ମୃତଦେହ ଘରକୁ ଆସି ଥିବା ବେଳେ ମାଳତୀ ମହାକୁରଙ୍କ ଶବ ଘରେ ପହଞ୍ଚି ନଥିବା ସୂଚନା ମିଳିଛି ।

ଖଣ୍ଡଗିରି ପାଦଦେଶରେ ଆଧ୍ୟାତ୍ମିକ ପରିବେଶ, ଭିଡ ଜମାଇଲେଣି ବାବା

0

ଭୁବନେଶ୍ବର: ଖଣ୍ଡଗିରିରେ ଆରମ୍ଭ ହୋଇଛି କୁମ୍ଭମେଳା। ଜାଗମରା ନାଗାମଠରୁ ବାହାରିଛି ଅନନ୍ତ କେଶରୀଙ୍କ ଯାତ୍ରା। ବୁଲିବୁଲି ରାଣୀ ହଂସପୁର ଯାତ୍ରା କରିବେ ଅନନ୍ତ କେଶରୀ। କିମ୍ବଦନ୍ତୀ ଅନୁସାରେ ୧୯୧୨ ମସିହା ପୂର୍ବରୁ ଖଣ୍ଡଗିରି ପାହାଡ଼ ଉପରେ ବିରାଜମାନ ଥିଲେ ପ୍ରଭୁ ଅନନ୍ତ କେଶରୀ। କିନ୍ତୁ ୧୯୧୨ ମସିହା ପରେ ତାଙ୍କୁ ଜାଗମରା ନାଗା ମଠରେ ଅବସ୍ଥାପିତ କରାଯାଇଥିଲା ।

ସେବେଠାରୁ ପ୍ରଭୁ ଅନନ୍ତ କେଶରୀ ବିରାଟ ପଟୁଆରରେ ବାଜା, ବାଣ ସହିତ ଜାଗମରା ନାଗା ମଠରୁ ଉଦୟଗିରି ହଂସପୁରକୁ ପାହାଡ଼ରେ ଥିବା ରାଣୀ ହଂସପୁର ଯାତ୍ରା କରିଥାନ୍ତି। ପରମ୍ପରା ଅନୁସାରେ ଅନନ୍ତ କେଶରୀ କୌଣସି ଛାତ ବା ଛାମୁଣ୍ଡିଆ ତଳେ ଯାଆନ୍ତି ନାହିଁ। ଫଳରେ ତାଙ୍କୁ ଖଣ୍ଡଗିରି ବ୍ରିଜ୍ ତଳେ ନିଆଯାଏ ନାହିଁ। ଅନନ୍ତ କେଶରୀଙ୍କ ପଟୁଆର ଖଣ୍ଡଗିରି ଥାନା ସମ୍ମୁଖ ଜାତୀୟ ରାଜପଥ ପାର ହୋଇଥାନ୍ତି।

ଅନନ୍ତ କେଶରୀ ଉଦୟଗିରି ପାହାଡ଼କୁ ଯାତ୍ରା କରିବା ସହିତ ସେଠାରେ ଥିବା ଲଳିତା କୁଣ୍ଡରେ ଚାପ ଖେଳିବା ପରେ ମଧ୍ୟରାତ୍ରରେ ଠାକୁର ନିଜ ମଠକୁ ଫେରିଥାନ୍ତି। ରାଣୀହଂସପୁରକୁ ଯାତ୍ରା ସମୟରେ ପଟୁଆର ଯାଇଥାଏ ମାତ୍ର ଫେରିବା ସମୟରେ ସାଙ୍ଗରେ ପଟୁଆର ଫେରି ନ ଥାଏ  । ପ୍ରତ୍ୟାବର୍ତ୍ତନକୁ ସମ୍ପୂର୍ଣ୍ଣ ଗୋପନୀୟ ବୋଲି କୁହାଯାଏ। ଅନନ୍ତ କେଶରୀଙ୍କ ଯାତ୍ରା ସମାଗମ ହେଉଥିବା ବେଳେ ରଙ୍ଗ ବେରଙ୍ଗର ଆତସବାଜି ପ୍ରଦର୍ଶନ ହୋଇଥିଲା।

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲୋଡିବେ ଆସ୍ଥା ଭୋଟ୍

0

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବାରମ୍ବାର ସମନ ମଧ୍ୟରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲୋଡିବେ ଆସ୍ଥାଭୋଟ । ଆପ୍ ବିଧାୟକଙ୍କୁ ନେବା ଲାଗି ବିଜେପି ଉଦ୍ୟମ କରୁଥିବା ଅଭିଯୋଗ କରିଆସୁଥିବା କେଜ୍ରିଓ୍ବାଲ ଲୋଡିବେ ଆସ୍ଥା ଭୋଟ । ବିଧାନସଭାରେ ନିଜ ଶକ୍ତି ପ୍ରଦର୍ଶନ କରିବେ କେଜ୍ରିଓ୍ବାଲ । ସେପଟେ ୫ ଥର ସମନ ସତ୍ତ୍ବେ କାହିଁକି ଇଡିରେ ହାଜର ହେଲେନି ସେ ନେଇ ରାଉସ ଆଭେନ୍ୟୁ କୋର୍ଟରେ ଉତ୍ତର ରଖିଛନ୍ତି କେଜ୍ରିୱାଲ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ରେ ହେବ।

ଦିଲ୍ଲୀ ମଦନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ବାରମ୍ବାର ସମନ ଜାରି କରି ଆସୁଥିବାବେଳେ ମନୀଷ ସିସୋଦିଆ ଓ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇସାରିଛି । ଆସନ୍ତା ୧୯ ତାରିଖରେ ହାଜର ହେବା ଲାଗି କେଜ୍ରିଓ୍ବାଲଙ୍କୁ ଷଷ୍ଠ ସମନ ଜାରି କରିସାରିଛି ଇଡି। ପୂର୍ବରୁ କେଜ୍ରିଓ୍ବାଲ କହିଥିଲେ ତାଙ୍କ ଦଳର ଦୁଇ ଜଣ ବିଧାୟକଙ୍କୁ ବିଜେପି ନେଇଯିବା ଲାଗି ଉଦ୍ୟମ କରୁଛି ବୋଲି ସେହି ବିଧାୟକମାନେ ତାଙ୍କ ନିକଟରେ ସୂଚନା ଦେଇଥିଲେ।

ବିଜେପିରେ ଯୋଗଦେବା ଲାଗି ୨୧ ଜଣ ବିଧାୟକ କୁଆଡେ ସହମତି ପ୍ରକାଶ କରିଛନ୍ତି ଏବଂ ସେମାନଙ୍କୁ ୨୫ କୋଟି ଟଙ୍କା ଯଚାଯାଇଛି ବୋଲି ସେହି ୨ ବିଧାୟକ ସୂଚନା ଦେଇଥିଲେ ବୋଲି କହିଛନ୍ତି କେଜ୍ରିଓ୍ବାଲ । ଦ୍ବିତୀୟ ଥର ଲାଗି କେଜ୍ରିଓ୍ବାଲ ଆସ୍ଥା ଭୋଟ ଚାହିଁଛନ୍ତି । ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ରହିଛନ୍ତି ୬୨ ବିଧାୟକ । ସେପଟେ ବିଭିନ୍ନ ମାମଲାରେ ଆଜି କୋର୍ଟରେ ହାଜର ହେବେ କେଜ୍ରିଓ୍ବାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂ ଓ ସତ୍ୟେନ୍ଦ୍ର ଜୈନ । କେଜ୍ରିଓ୍ବାଲ, ସିସୋଦିଆ ଓ ସଞ୍ଜୟ ମଦ ନୀତି ମାମଲାରେ ଏବଂ ୧ କୋଟି ୪୭ ଲକ୍ଷ ଟଙ୍କାର ବେଆଇନ ସମ୍ପତ୍ତି ଠୁଳ ମାମଲାରେ ସତ୍ୟେନ୍ଦ୍ର ହାଜର ହେବେ ।

ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ପୁରୀ: ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ 5T ଅଧ୍ୟକ୍ଷ। ମନ୍ଦିର ପରିସରରେ ପ୍ରାୟ ୪୫ ମିନିଟ ରହିବା ପରେ ବାହାରକୁ ଆସିଥିଲେ। ପରେ ଶ୍ରୀମନ୍ଦିର ପ୍ରରିକ୍ରମା ମାର୍ଗରେ ପ୍ରଦକ୍ଷିଣ କରିଥିଲେ 5T ଅଧ୍ୟକ୍ଷ।

ଏହି ସମୟରେ ଶୁଭେଚ୍ଛୁଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ କାର୍ତ୍ତିକ ପାଣ୍ଡିଆନ୍। ରାଜ୍ୟସଭା ସାଂସଦ ପ୍ରାର୍ଥୀ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ସାଙ୍ଗରେ ରହିଥିଲେ। ପ୍ରଦୀକ୍ଷଣ ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ 5T ଅଧ୍ୟକ୍ଷ ।

୮୭ ବର୍ଷ ପରେ ସାକାର ହେବ ଓଡ଼ିଆ ଚଳଚ୍ଚିତ୍ରର ସ୍ୱପ୍ନ, ପୁନଃଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ

କଟକ: ଓଡ଼ିଆ ସଂସ୍କୃତି ସହ ଓଡ଼ିଆ ଫିଲ୍ମ ଅଙ୍ଗାଅଙ୍ଗୀ ଜଡ଼ିତ । ପୁରୁଣା ଚଳଚ୍ଚତ୍ରରେ ଲୁଚି ରହିଛି ଓଡ଼ିଶା ସଂସ୍କୃତିର ଚିତ୍ର । ଏହାର ପୁନଃ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ରୟାସ । ସାକାର ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ରର ଦୀର୍ଘ ୮୭ ବର୍ଷ ପରେ ସ୍ୱପ୍ନ । ଉଦଘାଟିତ ହେବ ଓଡ଼ିଆ ଚଳଚ୍ଚିତ୍ରର ଅଭିଲେଖାଗାର ବା ଫିଲ୍ମ ଅର୍କଇଭସ । ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ OFDC ଅଧୀନ କଟକ ବକ୍ସିବଜାର ସ୍ଥିତ ଚଳଚ୍ଚିତ୍ର ଭବନ ପରିସରରେ ଏହାକୁ ପ୍ରତିଷ୍ଠା କରାଯିବ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ମୁଖ୍ୟାଳୟରେ ଥିବା ବୋର୍ଡ ରୁମକୁ ଏଭଳି ଏକ ଅଭିଲେଖାଗାରର ରୂପ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ଏଭଳି ପରିକଳ୍ପନାକୁ ରୂପ ଦେଇଛି OFDC । ଓଡ଼ିଆ ସିନେମାରେ ହଜିଯାଉଥିବା ଅତୀତକୁ ଫୁଣି ଖୋଜିବାର ଏହି ପ୍ରୟାସକୁ ସଭିଏଁ ସ୍ବାଗତ କରିଛନ୍ତି। ୧୯୩୬ ସୀତା ବିବାହ ଠାରୁ ଓଡ଼ିଆ ଚଳଚ୍ଚିତ୍ର ଜନ୍ମ । ଆଜି ଓଡ଼ିଆ ଚଳଚ୍ଚିତ୍ର ୮୭ ବର୍ଷରେ ପାଦ ଥାପିଛି ।

ସଂରକ୍ଷଣ ଅଭାବରୁ ଏହାରି ଭିତରେ ଅନେକ ପୁରୁଣା ଚଳଚ୍ଚିତ୍ର ହଜିଯିବାକୁ ବସିଲାଣି । ତେଣୁ ଦ୍ବିତୀୟ ଚଳଚିତ୍ର ଲଳିତା ସହ ରଘୁ ଅରକ୍ଷିତ, ଶ୍ରୀଲୋକନାଥ, ସୂର୍ଯ୍ୟମୁଖୀ , ସଂସାର, ରକ୍ତ ଗୋଲାପ ଭଳି କୋଡିଏ ଉର୍ଦ୍ଧ୍ବ ଚଳଚ୍ଚିତ୍ରକୁ ପ୍ରଥମ ପର୍ଯ୍ୟାୟରେ ସଂଗ୍ରହ କରାଯାଇଛି । ଏହାସହ ଜଡିତ ନଥି, ସିନେ ପତ୍ରିକା, ପୋଷ୍ଟର କିଛି ବିରଳ ଲେଖା, ପୁସ୍ତକ, କୃତିକୁ ଡିଜିଟାଇଜ କରାଯାଇଛି । ଏ ସବୁର ପଦର୍ଶନୀ ସହ ଜନ ସାଧାରଣ, ସିନେମା, ସଂସ୍କୃତି, ଐତିହ୍ୟପ୍ରେମୀ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।

ଇସ୍ରୋ ଆଜି ଲଞ୍ଚ କରିବ INSAT-3DS ସାଟେଲାଇଟ୍

0

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଶନିବାର ଦିନ ପାଣିପାଗର ସଠିକ୍ ଆକଳନ କରୁଥିବା ଉପଗ୍ରହ INSAT-3DS ଲଞ୍ଚ କରିବ। ଶ୍ରୀହାରିକୋଟା ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଅପରାହ୍ନ ୫ଟା ୩୦ମି.ରେ ଉତକ୍ଷେପଣ ହେବ ଏହି ସାଟେଲାଇଟ୍। ଏହି ଉପଗ୍ରହକୁ GSLV Mk II ରକେଟ୍ ଦ୍ୱାରା ଉତକ୍ଷେପଣ କରାଯିବ। ଏହା ଉଡ଼ାଣ ଭରିବାର ପ୍ରାୟ ୨୦ ମିନିଟ୍ ପରେ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ ଅର୍ବିଟରେ ନିୟୋଜିତ ହେବ।

ଜାନୁଆରୀ ୧, ୨୦୨୪ରେ PSLV-C58 / EXPOSAT ମିଶନ୍ ଆରମ୍ଭ ହେବା ପରେ ଏହା ହେଉଛି ISROର ଚଳିତ ବର୍ଷର ଦ୍ୱିତୀୟ ମିଶନ । ଏହା INSAT-3D ସିରିଜର ସପ୍ତମ ଉଡାଣ ହେବ । ଏହି ସିରିଜର ଶେଷ ସାଟେଲାଇଟ୍ INSAT-3DR ୨୦୧୬ ସେପ୍ଟେମ୍ବର ୮ରେ ଉତକ୍ଷେପଣ କରାଯାଇଥିଲା।

INSAT-3DS କଣ କରିବ?
୨୨୭୪ କିଲୋଗ୍ରାମ ବିଶିଷ୍ଟ ଏହି ଉପଗ୍ରହ କାର୍ଯ୍ୟକ୍ଷମ ହେବା ପରେ ଏହା ପୃଥିବୀ ବିଜ୍ଞାନ ବିଭାଗ, ପାଣିପାଗ ବିଭାଗ (ଆଇଏମଡି), ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସିନ୍ ଟେକ୍ନୋଲୋଜି, ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଏବଂ ଭାରତୀୟ ରାଷ୍ଟ୍ରୀୟ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ବିଭାଗକୁ ସେବା ଯୋଗାଇବ।

୫.୧୭ ମିଟର ଲମ୍ବା ରକେଟ୍ ଇମେଜର୍ ପେଲୋଡ୍, ସାଉଣ୍ଡର୍ ପେଲୋଡ୍, ଡାଟା ରିଲେ ଟ୍ରାନ୍ସପଣ୍ଡର ଏବଂ ସାଟେଲାଇଟ୍ ଏଡେଡ୍ ସର୍ଚ୍ଚ ଏବଂ ରେସ୍କ୍ୟୁ ଟ୍ରାନ୍ସପଣ୍ଡର ବହନ କରିବ । ଯାହା ମେଘ, କୁହୁଡି, ବର୍ଷା, ବରଫ ଏବଂ ଏହାର ଗଭୀରତା, ଅଗ୍ନି, ଧୂଆଁ, ସ୍ଥଳ ଏବଂ ମହାସାଗର ଅଧ୍ୟୟନ ପାଇଁ ବ୍ୟବହୃତ ହେବ।

ଭୁଶୁଡିବାରେ ଲାଗିଛି ଇଣ୍ଡିଆ ମେଣ୍ଟ, ପଞ୍ଜାବରେ ଏକାକୀ ଲଢିବ ଆପ୍‌

0

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟକୁ ଝଟକା ପରେ ଲାଗୁଛି ଝଟକା। ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ମେଣ୍ଟ ଭୁଶୁଡିବାରେ ଲାଗିଛି। ମମତା ବାନାର୍ଜୀ, ନୀତୀଶ କୁମାର ଏବ ଜୟନ୍ତ ଚୋୌଧୁରୀ ମେଣ୍ଟରୁ ଦୂରେଇ ଯାଇଛନ୍ତି। ଏବେ ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ମଧ୍ୟ କଂଗ୍ରେସ ଠାରୁ ଦୂରେଇ ଯାଉଥିବା ଦେଖିବାକୁ ମିଳୁଛି।

ପୂର୍ବରୁ ଆମ ଆଦମି ପାର୍ଟି ପଞ୍ଜାବରେ ଏକାକୀ ଲଢିବ ବୋଲି ଘୋଷଣା କରିସାରିଛି। ବିହାର, ପଶ୍ଚିମବଂଗରେ ମେଣ୍ଟ ଗଣିତ ପରିବର୍ତ୍ତନ ହୋଇଛି। ପ୍ରଥମେ ମମତା ବାନାର୍ଜୀ ମୁହଁ ଫେରାଇବା ପରେ ନିକଟରେ ମେଣ୍ଟର ନେତୃତ୍ଵ ନେଉଥିବା ନୀତୀଶ କୁମାର ଇଣ୍ଡିଆ ମେଣ୍ଟରୁ ଦୂରେଇ ଯାଇଛନ୍ତି। ବର୍ତ୍ତମାନ ନ୍ୟାସନାଲ କନଫରେନ୍ସ ସହ ଦିଲ୍ଲୀ ଏବ ପଞ୍ଜାବ ମଧ୍ୟ ମେଣ୍ଟରୁ ବାହାରି ଯିବାକୁ ବସିଛନ୍ତି। ଜଣେ ଜଣେ କରି ନେତା ଇଣ୍ଡିଆ ମେଣ୍ଟରୁ ବାହାରିବାରେ ଲାଗିଛନ୍ତି।

ଜୋରସେରରେ ଇଣ୍ଡିଆ ମେଣ୍ଟର ଏକଜୁଟ ଆରମ୍ଭ ହୋଇଥିଲା। ଏକାଧିକ ଦଳ ଏହି ମେଣ୍ଟରେ ରହି ଏନଡିଏ ମେଣ୍ଟକୁ ପରାସ୍ତ କିବାକୁ ପଣ କରିଥିଲେ। ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ଯରେ ସିଟ ଭାଗବଣ୍ଟାକୁ ନେଇ ଆଲୋଚନା ଚାଲିଥିବାବେଳେ ଗୋଟି ଗୋଟି କରି ସିଟରେ ପ୍ରାର୍ଥୀ ଘୋଷଣା କରିଚାଲିଛି ଆମ ଆଦମି ପାର୍ଟି। ଏହି ଗଣତିକୁ ଦେଖିଲେ ଦୁଇ ଦଳ ମଧ୍ଯରେ ମେଣ୍ଟ ହେବା ସମ୍ଭାବନା କମ ରହିଛି। ପୂର୍ବରୁ ମଧ୍ଯ ନୀତୀଶ ପାର୍ଟି ମଧ୍ଯ ସିଟ୍ ଭାଗବଣ୍ଟା ପୂର୍ବରୁ କିଛି ଆସନରେ ନିଜର ପ୍ରାର୍ଥୀ ଘୋଷଣା କରି ଦେଇଥିଲା।

ଭାରତ-ଇଂଲଣ୍ଡ ଟେଷ୍ଟ; ତୃତୀୟ ଦିନରେ ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

0

ରାଜକୋଟ: ଭାରତ ଇଂଲଣ୍ଡ ରାଜକୋଟ ଟେଷ୍ଟ। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତର ପ୍ରଥମ ଇନିଂସରେ ୪୪୫ ରନ୍ ଜବାବରେ ଇଂଲଣ୍ଡ ଦମଦାର ଆରମ୍ଭ କରିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨ ୱିକେଟ ହରାଇ କରିଛି ୨୦୭ ରନ। ଆଜି ରାଜକୋଟ ଟେଷ୍ଟର ତୃତୀୟ ଦିନ ଥିବାବେଳେ ଏକ ବଡ଼ ସ୍କୋର ଅଭିମୁଖେ ଯାଉଛି ଇଂଲଣ୍ଡ । ଇଂଲଣ୍ଡର ବେନ ଡକେଟ ୧୩୩ ରନ କରି ଅପରାଜିତ ଅଛନ୍ତି। ଜୋ ରୁଟ ୯ ରନ କରି ଖେଳୁଛନ୍ତି।

ଆଜି ପୁଣି ତୃତୀୟ ଦିନରେ ବ୍ୟାଟିଂ ଆରମ୍ଭ କରିବ ଇଂଲଣ୍ଡ। ସେପଟେ ପ୍ରଥମ ଇନିଂସରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ୪୪୫ ରନ କରିଥିଲା। ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ପାଳି ଖେଳିଥିଲେ। ରୋହିତ ଶର୍ମା ସର୍ବାଧିକ ୧୩୧ ଏବଂ ରବୀନ୍ଦ୍ର ଜାଡେଜା ୧୧୨ ରନ କରିଥିଲେ। ପାଞ୍ଚ ଟିକିଆ ଏହି ଟେଷ୍ଟ୍ ସିରିଜରେ ଉଭୟ ଟିମ୍ ୧-୧ରେ ବରାବର ରହିଛନ୍ତି। ତୃତୀୟ ମ୍ୟାଚ୍ ଜିତି ଦୁଇ ଦଳ ସିରିଜ୍ କବଜା ଲକ୍ଷ୍ୟରେ ଅଛନ୍ତି।

ଆଜିଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା, ଅଧଘଣ୍ଟା ଆଗରୁ ପହଞ୍ଚିବାକୁ ପରାମର୍ଶ

ଭୁବନେଶ୍ବର: ଆଜିଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା। କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫ ଜଣ ଓ ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ଦେବେ ପରୀକ୍ଷା । ସେଥିପାଇଁ ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଛି। ଗତକାଲି ଠାରୁ ବିଜ୍ଞାନରେ ପରୀକ୍ଷା ଆରମ୍ଭ ହୋଇଛି । ଏଥିରେ ୧ଲକ୍ଷ ୧୬ ହଜାର ୪୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

ପ୍ରତିଦିନ ଗୋଟିଏ ସିଟିଂ ଦିନ ୧୦ ଟା ରୁ ୧ଟା ହେଉଛି ପରୀକ୍ଷା। ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦେଇଛି ଯୁକ୍ତ ଦୁଇ ପରିଷଦ । ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଖାତା ମିଳିବ । ୫ ମିନିଟ୍ ପୂର୍ବରୁ ଦିଆଯିବ ପ୍ରଶ୍ନପତ୍ର । ପରୀକ୍ଷା ଲାଗି ଭିନ୍ନକ୍ଷମ ମାନଙ୍କୁ ଏକ ଘଣ୍ଟା ଅଧିକ ସମୟ ମିଳିବ ।ଉତ୍ତର ଖାତାରେ ନିଜର ରୋଲ୍ ନମ୍ବର, ରେଜିଷ୍ଟ୍ରେସନ୍ ନମ୍ବର ଠିକ୍ ଭାବରେ ଠିକ୍ ଜାଗାରେ ଲେଖିବାକୁ ପଡ଼ିବ । ପ୍ରଶ୍ନ ପତ୍ରର ସେଟ୍ କୋଡକୁ ନିର୍ଭୁଲ ଭାବରେ ଲେଖିବା ସହ ଉପସ୍ଥାନ ଖାତାରେ ନିଜର ରୋଲ୍ ନମ୍ବର ଦେଖି ଉପସ୍ଥାନ ଦେବେ । ପରୀକ୍ଷା ହଲକୁ କଳା ବଲ୍ ପେନ୍ ଏବଂ ଆଡମିଟ୍ କାର୍ଡ ବ୍ଯତୀତ ଅନ୍ଯ ଜିନିଷ ନେବା ନିଷେଧ କରାଯାଇଛି ।

ଉତ୍ତର ଖାତାର ସିରିୟଲ୍ ନମ୍ବର ଏବଂ ପୃଷ୍ଠା ସଂଖ୍ଯା ଭଲଭାବରେ ଦେଖିବାକୁ ପଡ଼ିବ । ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ଯା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ କୌଣସି ଆଡିସନାଲ ସିଟ୍ ଦିଆଯିବ ନାହିଁ । ପ୍ରଶ୍ନ ପତ୍ରରେ ରୋଲ୍ ନମ୍ବର ଛଡା ଦାଗ ବି ଲଗାଇବାକୁ ହେବନି । ନେହେଲ ଛାତ୍ରଛାତ୍ରୀ ମାନେ ମାଲପ୍ରାକ୍ଟିସ ହେବେ । ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଏହାର ଲାଇଭ ଷ୍ଟିମିଂର ବ୍ୟବସ୍ଥା କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ୍ କୌଣସି ପ୍ରଶ୍ନ ପତ୍ରକୁ ବିଶ୍ୱାସ ନ କରିବାକୁ ଉଚ ମାଧ୍ୟମ ଶିକ୍ଷା ପରିଷଦର ପକ୍ଷରୁ ପରାମର୍ଶ ଦିଆଯାଇଛି ।