spot_img
Home Blog Page 2090

ଗୁଣୁପୁରରେ ଦୁଇ ଶତାୟୁ ଭୋଟରଙ୍କୁ ସମ୍ବର୍ଦ୍ଧନା

ଦୁଇ ଶତାୟୁ ଭୋଟରଙ୍କୁ ସମ୍ମାନିତ କଲା ଜିଲ୍ଲା ପ୍ରଶାସନ। ଗୁଣୁପୁର ପୌରପରିଷଦ ଶାନ୍ତି ନଗରର ଗୌରଚନ୍ଦ୍ର ପାଢୀ ଓ ବେବର୍ତ୍ତା ସାହିର ଗୁଣ ମଞ୍ଜରୀ ବେବର୍ତ୍ତାଙ୍କୁ ସମ୍ମାନ। ଉଭୟ ବୃଦ୍ଧ ଓ ବୃଦ୍ଧାଙ୍କ ବୟସ ଶହେ ପାର ହୋଇଛି। ଖବର ଲୋକ ଲୋଚନକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଉଭୟଙ୍କୁ ସମ୍ମାନିତ କରିଛନ୍ତି।

ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ, ଗୁଣୁପୁର କିରନଦୀପ କୌରଙ୍କ ତତ୍ୱାବୋଧାନରେ ଏହି ଦୁଇ ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁଣମଞ୍ଜରୀ ବେବର୍ତ୍ତାଙ୍କ ବୟସ ୧୦୭ ଓ ଗୌରଚନ୍ଦ୍ର ପାଢ଼ୀଙ୍କ ବୟସ ୧୦୪ ହେବ।

ଅନୁଗୁଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଟ୍ରକ୍ ଧକ୍କାରେ ୩ ମୃତ

ଅନୁଗୁଳ: ପୁଣି ଜାତୀୟ ରାଜପଥ ୫୫ ନେଲା ଜୀବନ। ଅନୁଗୁଳ ଜିଲ୍ଲା ପଞ୍ଚମହଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଚାପାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣ ଯୁବକ ଏକ ମୋଟର ସାଇକେଲରେ ଅନୁଗୁଳ ଆଡକୁ ଆସୁଥିବା ବେଳେ ପଞ୍ଚମହଲା ନିକଟରେ ଟ୍ରକ ପଛରୁ ଧକ୍କା ଦେଇଥିଲା। ୩ ଜଣଙ୍କୁ ଟ୍ରକ କିଛି ବାଟ ଘୋଷାଡି ନେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ମୃତକ ୩ ଜଣ ହେଲେ ଡେରେଜାଙ୍ଗ ଗାଁର ଛୋଟୁ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ଓ କୃପା ପ୍ରଧାନ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ କରାଯାଇଛି। ଦୀର୍ଘ ବର୍ଷ ଧରି ୫୫ ନମ୍ବର ଜାତୀୟ ରାଜପଥ କାମ ଚାଲିଥିଲେ ବି ଏପର୍ଯ୍ୟନ୍ତ ସରୁନି। କାମ ସରୁନଥିବାରୁ ମରଣଯନ୍ତା ପାଲଟିଛି NH-55।

ପ୍ରତିଦିନ ଦୁର୍ଘଟଣା ଘଟିବା ସହ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି। ତଥାପି କେନ୍ଦ୍ରମନ୍ତ୍ରୀଙ୍କ ଚିନ୍ତା ନାହିଁ। ଆଉ କେତେ ଜୀବନ ଗଲେ କେନ୍ଦ୍ରମନ୍ତ୍ରୀଙ୍କ ନିଦ ଭାଙ୍ଗିବ। ଏବେ ନିର୍ବାଚନ ଥିବାରୁ ଅନେକ ବଡ଼ ବଡ଼ ଭାଷଣ ଦେଉଛନ୍ତି। କିନ୍ତୁ ୫୫ ନମ୍ବର ଜାତୀୟ ରାଜପଥ କାମ ପ୍ରତି କାହିଁକି କେନ୍ଦ୍ରମନ୍ତ୍ରୀ କର୍ଣ୍ଣପାତ କରୁନାହାନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କଟକ ମଙ୍ଗୁଳି ଛକ ଠାରୁ ଢେଙ୍କାନାଳ ଅନୁଗୁଳ ଦେଇ ସମ୍ବଲପୁରକୁ ଯାଇଛି ଏନଏଚ-୫୫ ଜାତୀୟ ରାଜପଥ । ବିଶେଷ କରି କଟକ, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁରର ଲାଇଫ ଲାଇନ୍ ଏହି ରାସ୍ତା । ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଦୁଇ ବର୍ଷ ଭିତରେ ଶେଷ ହେବା କଥା। ହେଲେ ପୂରିବାକୁ ଯାଉଛି ୭ ବର୍ଷ । ଏନଏଚଆଇ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ଅନୁଯାୟୀ ରାସ୍ତା କାମ ମାର୍ଚ୍ଚ ୩୦ରେ ସରିବା କଥା ହେଲେ ଆଜି ପର୍ଯ୍ଯନ୍ତ କାର୍ଯ୍ଯ ସରିପାରିନାହିଁ । ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ସଡ଼କ ସୁରକ୍ଷା କମିଟିକୁ ଖାତିର କରୁନାହାଁନ୍ତି ଏନଏଚ କର୍ତ୍ତୃପକ୍ଷ। ଆଞ୍ଚଳିକ ପରିବହନ ବିଭାଗର ସୂଚନା ଅନୁଯାୟୀ ୨୦୨୩ ମସିହାରେ ୪୦୫ଟି ଦୁର୍ଘଟଣା ଘଟିଥିବା ବେଳେ ୧୮୫ ଜଣଙ୍କର ଜୀବନ ଯାଇଛି । ୪୦୩ ଜଣ ଆହତ ହୋଇଛନ୍ତି। ସେହିପରି ଜାତୀୟ ରାଜପଥରେ ୨୦୨୪ ମାର୍ଚ୍ଚ ଭିତରେ ୧୫ଟି ଦୁର୍ଘଟଣାରେ ୨୨ ଜଣଙ୍କର ଜୀବନ ଗଲାଣି।

କଳସ ଯାତ୍ରାରେ ନାଚିବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୮ ଆହତ

କୋରାଇ: ଯାଜପୁର କୋରାଇ ଥାନା ଆଲୋଡ଼ା ଗ୍ରାମରେ ହିଙ୍ଗୁଳା ପୂଜା ଅବସରରେ କଳସ ଯାତ୍ରାରେ ନାଚିବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ। ଉଭୟ ପକ୍ଷରୁ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ସେପଟେ ଅଭିଯୋଗ ପାଇବା ପରେ ପୋଲିସ ୧୧ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା।

ସୂଚନା ଅନୁସାରେ, ଗ୍ରାମରେ ଗତ ୩ ଦିନ ଧରି ଚାଲିଥିବା ହିଙ୍ଗୁଳା ପୂଜାର ଗତକାଲି ଉଦଯାପନ ଦିବସ ଥିଲା। ଏହି ଅବସରରେ ଗତକାଲି ରାତିରେ କଳସ ଶୋଭାଯାତ୍ରା ହେଉଥିବା ସମୟରେ କୗେଣସି କାରଣରୁ ଠେଲାପେଲାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ପରିସ୍ଥିତି ଆହୁରି ବିଗିଡିବା ସହ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୮ ଜଣ ଆହତ ହୋଇଥିବା ବେଳେ ୧୧ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି କୋରାଇ ପୋଲିସ।

ଥମୁନି ଶିମିଳିପାଳ ନିଆଁ; ବାରିପଦା ସର୍କଲର ୫୪ ସ୍ଥାନ ଜଳୁଛି

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଲିଭୁନି ନିଆଁ। ଶିମିଳିପାଳ ଅଭୟାରଣ୍ୟ ଓ ଏହାର ପାଦଦେଶରେ ଥିବା ଜଙ୍ଗଲ ସମେତ ବାରିପଦା ସର୍କଲରେ ଆଜି ୫୪ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ।

ଏହା ମଧ୍ୟରୁ କେବଳ ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ଅର୍ଥାତ୍ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳର ୩୫ଟି ସ୍ଥାନ ଅନ୍ତର୍ଭୁକ୍ତ । ସଂପୃକ୍ତ ଅଂଚଳରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ନିଆଁକୁ ଆୟତ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଫଳରେ ନିଆଁ ବ୍ୟାପକ ଭାବରେ ଜଙ୍ଗଲରେ ମାଡୁଥିବା ଜଣାପଡିଛି।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୯ ତୁଳନାରେ ଭୋଟ୍ କେମିତି ହୋଇଛି ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ମତଦାନ ପ୍ରଥମ ପର୍ଯ୍ୟାୟ ଭୋଟିଂ ସହ ସମାନ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମୋଟ୍ ୬୧ ପ୍ରତିଶତ ମତଦାନ ହୋଇଥିଲା।

ଯେଉଁଥିରେ ତ୍ରିପୁରାରେ ସର୍ବାଧିକ ଭୋଟ୍ ପ୍ରତିଶତ ୮୦.୩୨ ପ୍ରତିଶତ ଭୋଟିଂ ହୋଇଥିଲା। ଯେତେବେଳେ କି ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୪ ପ୍ରତିଶତ ମତଦାନ ହୋଇଥିଲା। ୨୦୧୯ ତୁଳନାରେ, ୨୦୨୪ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ପ୍ରତିଶତ କମ୍ ରହିଥିଲା । ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ରାଜ୍ୟରେ ଭୋଟିଂ କମ୍ ହୋଇଥିବା ଆକଳନ ହୋଇଛି ।

୨୦୧୯ ମସିହାରେ ୬୭ ପ୍ରତିଶତ ମତଦାନ ହୋଇଥିଲା | ଗତ ଲୋକସଭା ନିର୍ବାଚନରେ ​​ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୯୫ଟି ଲୋକସଭା ଆସନରେ ମତଦାନ ହୋଇଥିଲା। ଏଭଳି ଭାବରେ ୧୯୦ ଲୋକସଭା ଆସନରେ ଭୋଟିଂ ସରିଛି । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ୍ ଗ୍ରହଣ କରାଯାଇଥିଲା। ଅପରପକ୍ଷେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ମେ ୭ରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ କରାଯିବ।

 ଦ୍ୱିତୀୟ ପର୍ଯ୍ୟାୟରେ କେଉଁ ରାଜ୍ୟଗୁଡ଼ିକର କେତେ ଆସନରେ ମତଦାନ?

କେରଳର ସମସ୍ତ ୨୦ଟି ସିଟ୍, କର୍ଣ୍ଣାଟକର ୨୮ ସିଟ୍ ମଧ୍ୟରୁ ୧୪ ସିଟ୍, ରାଜସ୍ଥାନର ୧୩ ସିଟ୍, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ୮-୮ ସିଟ୍, ମଧ୍ୟପ୍ରଦେଶରେ ୬ ସିଟ୍, ଆସାମ ଏବଂ ବିହାରରେ ୫-୫ ସିଟ୍, ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ୩-୩ଟି ସିଟ୍, ମଣିପୁର, ତ୍ରିପୁରା ଏବଂ ଜାମ୍ମୁ କାଶ୍ମୀରର ୧-୧ ଆସନରେ ଶୁକ୍ରବାର ଦିନ ମତଦାନ ଅନୁଷ୍ଠିତ ହୋଇଥିଲା।

 

ମଣିପୁରରେ ଥମୁନି ହିଂସା; କୁକି ଉଗ୍ରବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ

ମଣିପୁର: ମଣିପୁରରେ ଜାରି ରହିଥିବା ହିଂସା ଥମିବାର ନାଁ ନେଉନାହିଁ । ଲୋକସଭା ନିର୍ବାଚନର ଗୋଟିଏ ଦିନ ପରେ କୁକି ଉଗ୍ରବାଦୀମାନେ ନାରସେନା ଅଞ୍ଚଳରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌)  ର ଦୁଇ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି।

ଏହି ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି। ଏସମ୍ପର୍କରେ ମଣିପୁର ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, କୁକି ଉଗ୍ରବାଦୀମାନେ ରାତି ୧୨ଟା ୩୦ମି.ରୁ ଭୋର୍ ୨ଟା ୧୫ମି. ଯାଏଁ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନ ବିଷ୍ଣୁପୁର ଜିଲ୍ଲାର ନାରସେନା ଅଞ୍ଚଳରେ ନିୟୋଜିତ CRPF ର ୧୨୮ ବାଟାଲିୟନର ସଦସ୍ୟ ଥିଲେ।

ଅପରପକ୍ଷେ ଏହି ଆକ୍ରମଣରେ ଆଉ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି । ପାହାଡ ଶୀର୍ଷରୁ ଉଗ୍ରବାଦୀ ମାନେ ଆକ୍ରମଣ କରୁଥିବା ବେଳେ କ୍ୟାମ୍ପ ଉପରେ ବୋମା ମାଡ଼ ମଧ୍ୟ କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ଆକ୍ରମଣକାରୀଙ୍କୁ ଖୋଜିବାରେ ଲାଗିଛନ୍ତି ଯବାନ ।

ଗତ ବର୍ଷ ମେ ୩ ରେ ମଣିପୁରରେ ହିଂସା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏପର୍ଯ୍ୟନ୍ତ ୨୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସୁରକ୍ଷା ବାହିନୀ ସହିତ ଜଡିତ ଲୋକମାନେ ମଧ୍ୟ ହିଂସାର ଶିକାର ହୋଇଛନ୍ତି।

ମହଙ୍ଗା ପଡିଲା ଇରାନ ସହ ସମ୍ପର୍କ

ଇରାନ: ମହଙ୍ଗା ପଡିଲା ଇରାନ ସହ ସମ୍ପର୍କ। ଭାରତର ୩ ଫାର୍ମ ସମେତ ୧୨ରୁ ଅଧିକ କମ୍ପାନୀ, ବ୍ଯକ୍ତିବିଶେଷ ଓ ଜାହାଜ ଉପରେ କଟକଣା ଲଗାଇଲା ଆମେରିକା। ଇରାନ ସହ ବେଆଇନ କାରବାର, ମାନବବିହୀନ ବାୟୁ ଯାନ ବା ୟୁଏଭି ହସ୍ତାନ୍ତର ଆଦି କାରଣରୁ ଏହି ପଦକ୍ଷେପ ନିଆଯାଇଛି। ୟୁକ୍ରେନରେ ଯୁଦ୍ଧ ଚାଲିଥିବାବେଳେ ରୁଷିଆକୁ ଇରାନୀୟ ୟୁଏଭି ବିକ୍ରି କରିବା ଅଭିଯୋଗ ଆମେରିକାକୁ ଉତକ୍ଷିପ୍ତ କରିଛି।

ଇରାନର ବିଭିନ୍ନ ବ୍ଯାବସାୟିକ କାର୍ଯ୍ୟକଳାପ ତଦାରଖ କରୁଥିବା ସାହାରା ଥଣ୍ଡର ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଭାରତର ଜେନ ସିପିଙ୍ଗ, ପୋର୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଜ, ସି ଆର୍ଟ ସିପ୍ ମ୍ଯାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ଉପରେ ଏହି କଟକଣା ଜାରି ହୋଇଛି। ଇରାନ ପ୍ରତିରରକ୍ଷା ମନ୍ତ୍ରାଳୟ ଓ ଆର୍ମଡ ଫୋର୍ସେସ ଲଜିଷ୍ଟିକ୍ସ ପକ୍ଷରୁ ବିକ୍ରିବଟା ଦାୟିତ୍ବ ନେଇଥିବା ଇରାନୀୟ ସାମରିକ ସଂସ୍ଥା ସାହାରା ଥଣ୍ଡର ପକ୍ଷରୁ ଚୀନ, ରୁଷିଆ, ଭେନିଜୁଏଲାକୁ ସାମରିକ ଅସ୍ତ୍ରଶସ୍ତ୍ର ଓ ଅନ୍ଯାନ୍ଯ ସାମଗ୍ରୀ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ସେହିପରି ଇରାନସ୍ଥିତ ଏସିଆ ମେରାଇନ କ୍ରାଉନ ଏଜେନ୍ସି ବିରୋଧରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ହୋଇଛି।

ତାତିରେ ସିଝୁଛି ଓଡ଼ିଶା, ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ତାତିରେ ସିଝୁଛି ଓଡ଼ିଶା। ଜାରି ରହିଛି ଗ୍ରୀଷ ପ୍ରବାହ। ରାଜ୍ୟକୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରୁ ପ୍ରଚୁର ମାତ୍ରାରେ ପ୍ରବେଶ କରୁଥିବା ଗରମ ଶୁଷ୍କ ପବନ ପ୍ରଭାବରେ ଏଭଳି ସ୍ଥିତି ଲାଗି ରହିଛି। ଆହୁରି ୪ଦିନ ପର୍ଯ୍ୟନ୍ତ ହିଟ୍ଓ୍ବେଭ୍ ସ୍ଥିତି ଲାଗି ରହିବ। ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ।

ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସିଭିୟର ହିଟ୍ଓ୍ବେଭ ପାଇଁ ୨୩ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୩୦ ତାରିଖ ବେଳକୁ ରାଜ୍ୟରେ ସାମାନ୍ୟ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖାଦେବ। ସିଭିୟର ହିଟ୍ଓ୍ବେଭ୍ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି।  ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

ଡାକ୍ତରଖାନା ପରିସରରେ ରହିବନି ଔଷଧ ଦୋକାନ

ନନ୍ଦିଘୋଷ ବ୍ୟୁରୋ : ଡାକ୍ତରଖାନା ପରିସରରୁ ଔଷଧ ଦୋକାନ ହଟିବ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସମସ୍ତ ସିଡିଏମଓଙ୍କ ସମେତ ଏମକେସିଜି ମେଡିକାଲ ଓ ଭିମସାର ମେଡିକାଲ କଲେଜର ଡିନ୍ ଓ ଅଧ୍ୟକ୍ଷଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୨୦୧୫ରେ  ମେଡିକାଲ୍ କ୍ୟାମ୍ପସ ମଧ୍ୟରେ ଥିବା ଔଷଧ ଦୋକାନୀ ଲାଇସେନ୍ସ ଅବଧି ବୃଦ୍ଧି କରିବାକୁ ଆବେଦନ କରିଥିଲେ । ହାଇକୋର୍ଟ ସମସ୍ତ ଆବେଦନର ଶୁଣାଣୀ କରି ଲାଇସେନ୍ସ ଅବଧି ବୃଦ୍ଧିକୁ ନାକଚ କରିଦେବା ସହ ମେଡିକାଲ କ୍ୟାମ୍ପସରେ ନୂଆ ଔଷଧ ଦୋକାନ ଖୋଲିବା ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ । କିଛି ଔଷଧ ଦୋକାନଙ୍କ ଲାଇସେନ୍ସ ଅବଧି ସରିଯାଇଥିଲେ ମଧ୍ୟ,କୋର୍ଟଙ୍କ ଅନ୍ତରୀଣ ଆଦେଶ ବଳରେ ଔଷଧ ଦୋକାନ ଗୁଡିକ ଚାଲୁରହିଥିଲା । ୧୯.୦୪.୨୪ରେ ହାଇକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରି ମେଡିକାଲ କ୍ୟାମ୍ପସ ଭିତରେ ଥିବା ସମସ୍ତ ଔଷଧ ଦୋକାନକୁ ନୋଟିସ ଜାରି କରିବାର ୧୫ ଦିନ ମଧ୍ୟରେ ଖାଲି କରିବା ସହ ସମସ୍ତ ବକେୟା ପାଉଣା ସଂଗ୍ରହ କରିବାକୁ ନିର୍ଦ୍ଦେଶ ନେଇଛନ୍ତି ।

ମହିଳାମାନଙ୍କୁ ଘରୁ ଡାକିଆଣିଲେ, ହାତରେ ଖଲି ଧରେଇ ଲୋକହସା କଲେ

ଆଠମଲ୍ଲିକ : ସମ୍ବଲପୁର ସାଂସଦୀୟର କ୍ଷେତ୍ର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ, କିଶୋର ନଗର ବର ପଡିଆ ଠାରେ, ବିଜେପିର ନିର୍ବାଚନ ପ୍ରଚାର ସଭାକୁ, ବିଜେପି କର୍ମୀ ମାନେ ସକାଳୁ ଆଖ ପାଖ ଗାଁ ମହିଳା ମାନଙ୍କୁ ଘରୁ ଡାକିଆଣି  ମହିଳାମାନଙ୍କୁ  ଖାଇବାକୁ ଦେଇନଥିଲେ ଫଳରେ ହାତରେ ଖଲି ଧରି ଲୋକହସା କରିଥିଲେ । ଅସହ୍ୟ ହେବାରୁ ଭୋକରେ ଡହଳ ବିକଳ ହେଉଥିବା ମହିଳାମାନେ ଅତିଷ୍ଟ ହୋଇଥିଲେ । ସମ୍ବଲପୁର ବିଜେପି ସାଂସଦ ପାର୍ଥି ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ଦଳକୁ ବିରୋଧ କରିବା ସହ ସମାଲୋଚନ କରିଥିଲେ । ଯାହାର ଭିଡ଼ିଓ ଏବେ ଶୋଇସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ଅନ୍ୟ ପଟେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ରେ ଏପ୍ରିଲି ୨୪ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ଼ ଶୋରେ ବିଜେପି ନେତାଙ୍କ ଗାଡ଼ି ସାଧାରଣ ଜନତାଙ୍କୁ ମଡ଼େଇ ଚାଲି ଯାଇଥିଲା । ସେପଟେ ଆଠମଲ୍ଲିକ ଥାନା ସମୁଖରେ ନାବାଳକ ଓ ନାବାଳିକା ଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ପ୍ରଚାରେ  ହାତରେ ଦଳୀୟ ପତାକା ଧରାଇ ଭବିଷ୍ୟତକୁ ଅନ୍ଧାର ଆଡେ ଠେଲିଦେଉଛି  ବିଜେପି । ଏ ସବୁକୁ ନେଇ ଆଠମଲ୍ଲିକ ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।