spot_img
Home Blog Page 2091

ଓଆରଏଚଡିସି ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଶକ୍ତ ଝଟକା

କଟକ: ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଶକ୍ତ ଝଟକା। ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ଦେଇଥିବା ରାୟକୁ କାଏମ ରଖିଲେ ହାଇକୋର୍ଟ। ଭିଜିଲାନ୍ସ କୋର୍ଟରୁ ମୋକିମ ଦୋଷୀ ସାବ୍ୟସ୍ତ ହେବା ସହିତ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥଲା। ଏହାକୁ ଚ୍ୟାଲେଞ୍ଜ କରି ମୋକିମ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଏହି ମାମଲାରେ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ଆବେଦନକୁ ଖାରଜ କରି ନିମ୍ନ ଅଦାଲତଙ୍କ ରାୟକୁ କାଏମ୍ ରଖିଛନ୍ତି ହାଇକୋର୍ଟ । ମୋକିମଙ୍କ ସହିତ ପୂର୍ବତନ ଆଇଏଏସ୍ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ସେମାନଙ୍କୁ ଜେଲ୍ ଦଣ୍ଡାଦେଶ ସହ ସମସ୍ତଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇଥିଲେ କୋର୍ଟ। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲରେ ରହିବେ ବୋଲି କୋର୍ଟ ତାଙ୍କ ରାୟରେ କହିଥିଲେ। ଏହି ମାମଲାରେ ତଳ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବାକୁ କହିଥିବା ବେଳେ ଆଜି ମୋକିମଙ୍କୁ ଶକ୍ତ ଝଟକା ଲାଗିଛି।

ଗତ ୨୦୨୨ ସେପ୍ଟେମ୍ବର ୨୯ ତାରିଖରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଥିଲେ। ଏହା ବିରୋଧରେ ମୋକିମ ହାଇକୋର୍ଟରେ ଅପିଲ କରିଥିଲେ। ହାଇକୋର୍ଟ ୨୦୨୨ ଅକ୍ଟୋବର ୧୯ ତାରିଖରେ ମୋକିମଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେବା ସହ ଶୁଣାଣୀ ଜାରି ରଖିଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚ୍ଯାଲେଞ୍ଜ କରି ଭିଜିଲାନ୍ସ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଗତ ସେପ୍ଟେମ୍ବର ୨୨ ତାରିଖରେ ଏହି ମାମଲାର ଶୁଣାଣୀ କରି ୬ ମାସରେ ଶୁଣାଣୀ ସାରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣୀ ଶେଷ କରିବା ସହ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।

ମହାପ୍ରଭୁଙ୍କୁ ଦର୍ଶନ କଲେ ମଣିପୁର ରାଜ୍ୟପାଳ

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମଣିପୁର ରାଜ୍ୟପାଳ ଅନୁସୟା ଉଇକି। କଡା ସୁରକ୍ଷା ମଧ୍ୟରେ ପୁରୀରେ ପହଞ୍ଚିବା ପରେ ପୁରୀ ପ୍ରଶାସନ ତରଫରୁ ରାଜ୍ୟପାଳଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରି ଆଶିର୍ବାଦ ନେଇଥିଲେ।

ଶ୍ରୀମନ୍ଦିରରୁ ବାହାରିବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଓ ଜଗନ୍ନାଥଙ୍କ ଏକ ପୁସ୍ତକ ତାଙ୍କୁ ପ୍ରଦାନ କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି ପ୍ରକଟ କରିବା ସହ ସମଗ୍ର ଦେଶରେ ଖୁସିର ବାତାବରଣ ରହୁ ଓ ବିଶେଷ କରି ମଣିପୁରରେ ଚାଲିଥିବା ହିଂସା ଦୂର ହୋଇ ଖୁସିର ବାତାବରଣ ଫେରିଆସୁ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ।

ବିଶ୍ବରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକଙ୍କ ଜୀବନ ନେଉଛି ହେପାଟାଇଟିସ

ନୂଆଦିଲ୍ଲୀ: ବିଶ୍ବରେ ମାରାତ୍ମକ ରୂପ ନେଉଛି ହେପାଟାଇଟିସ। ବିଶ୍ବରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକଙ୍କ ଜୀବନ ନେଉଛି ହେପାଟାଇଟିସ। ଯକ୍ଷ୍ମାରେ ପ୍ରତିବର୍ଷ ଯେତିକି ଜୀବନ ଯାଉଛି ହେପାଟାଇଟିସରେ ବି ସେତିକି ଜୀବନ ଯାଉଛି ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ୧୮୭ଟି ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ୨୦୨୪ ଗ୍ଲୋବାଲ ହେପାଟାଇଟିସ ରିପୋର୍ଟରେ କୁହାଯାଇଛି ଯେ, ଭାଇରାଲ ହେପାଟାଇଟିସ ୨୦୧୯ରେ ବିଶ୍ବରେ ପ୍ରାୟ ୧୧ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ୨୦୨୨ରେ ସେହି ସଂଖ୍ୟା ହୋଇଥିଲା ୧୩ ଲକ୍ଷ ।

ସେମାନଙ୍କ ମଧ୍ୟରୁ ହେପାଟାଇଟିସ-ବିରେ ୮୩ ପ୍ରତିଶତ ଓ ହେପାଟାଇଟିସ-ସିରେ ୧୭ ପ୍ରତିଶତ ଲୋକପ୍ରାଣ ହରାଇଥିଲେ। ହେପାଟାଇଟିସ-ବି ଓ ହେପାଟାଇଟିସି-ସି ଯୋଗୁ ଦୈନିକ ୩ ହଜାର ୫୦୦ ଲୋକ ପ୍ରାଣ ହରାଉଥିବା ରିପୋର୍ଟରେ ଦର୍ଶାଯାଇଛି। କେବଳ ଭାରତ, ବାଂଲାଦେଶ, ଚୀନ, ଇଥିଓପିଆ, ଇଣ୍ଡୋନେସିଆ, ନାଇଜେରିଆ, ପାକିସ୍ତାନ, ଫିଲିପାଇନସ, ରୁଷିଆ ଓ ଭିଏତନାମରେ ମୋଟ ମୃତ୍ୟୁ ସଂଖ୍ୟାର ଦୁଇ ତୃତୀୟାଂଶ ଘଟିଥାଏ। ଏହି ୧୦ଟି  ରାଷ୍ଟ୍ରରେ ହେପାଟାଇଟିସର ନିରାକରଣ, ଚିକିତ୍ସା, ନିରୂପଣ ଆଦି  ନିମନ୍ତେ ଗୁରୁତ୍ବ ଦିଆଯାଇଥିବା କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।

ବିଶେଷ କରି ରୋଗ ନିରୂପଣ ଓ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ସଂଖ୍ଯା ଅଧିକ ହେଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ କହିଛନ୍ତି। ବିଶ୍ବରେ ୨୦୨୨ରେ ହେପାଟାଇଟିସ-ବିରେ ୨୫୪ନିୟୁତ ଲୋକ ଓ ହେପାଟାଇଟିସ-ସିରେ ୫୦ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ। ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ସଂଖ୍ଯା ୧୨ ପ୍ରତିଶତ ବୋଲି ଜଣାଯାଇଛି। ହେପାଟାଇଟିସର ଲକ୍ଷଣଗୁଡ଼ିକ ହେଲା- ଜ୍ବର, ସ୍ଥାଣୁତା, କ୍ଷୁଧାହାନି, ବାନ୍ତି ବାନ୍ତି ଲାଗିବା, ବାନ୍ତି, ତଳିପେଟ ଯନ୍ତ୍ରଣା, କଳା ପରିସ୍ରା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ଜଣ୍ଡିସ ।

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହେଲା ବିଜେଡି। ନିର୍ବାଚନରେ ନିୟୋଜିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନାଲି ଆଖି ଦେଖାଉଥିବା ନେଇ ବିଜେଡିର ଏକ ଟିମ ସିଇଓଙ୍କୁ ଭେଟି ଫେରାଦ ହୋଇଛି ।

ପ୍ରଦୀପଙ୍କ କଥା ନ ମାନିଲେ ତାଙ୍କୁ ବଦଳି କରିଦେବା ପାଇଁ ବ୍ରହ୍ମପୁରର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଧମକ ଦେଉଛନ୍ତି। ସେଥିପାଇଁ ପ୍ରଦୀପଙ୍କ ବିରୁଦ୍ଧରେ ସିଇଓଙ୍କୁ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରିଛି ବିଜେଡି। ବିଜେଡି ସବୁବେଳେ ଗଣତନ୍ତ୍ରରେ ବିଶ୍ବାସ କରିଆସିଛି । ନିର୍ବାଚନ କମିଶନଙ୍କ ଉପରେ ମଧ୍ଯ ବିଜେଡି ବିଶ୍ବାସ ରଖିଆସିଛି । ତେଣୁ ଜନବିରୋଧୀ ନେତାଙ୍କ ନାଲି ଆଖି ବିରୋଧରେ ସିଇଓ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜେଡି ପ୍ରକାଶ କରିଛି।

ନିର୍ବାଚନୀ ଇସ୍ତାହାର କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର: ବିଜେଡି ପକ୍ଷରୁ ବୁଧବାର ଦିନ ନିର୍ବାଚନୀ ଇସ୍ତାହାର କମିଟି ଗଠନ କରାଯାଇଛି । ଏହି ଇସ୍ତାହାର କମିଟିରେ ୩୮ ଜଣିଆ ସଦସ୍ୟ ରହିଛନ୍ତି । ଇସ୍ତାହାର କମିଟିର ଅଧ୍ୟକ୍ଷ ହେଉଛନ୍ତି ଚନ୍ଦ୍ରଶେଖର ସାହୁ ।

ସେହିପରି କମିଟିରେ ୬ ଜଣଙ୍କୁ ସହ-ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଅମର ପଟ୍ଟନାୟକ ଆବାହକ ଦାୟିତ୍ୱ ନିର୍ବାହ କରିବେ। ଡ. ସସ୍ମିତ ପାତ୍ର ସହ-ଆବାହକ ଭାବେ ରହିଛନ୍ତି । ଜାଣନ୍ତୁ ୩୮ ଜଣିଆ ସଦସ୍ୟଙ୍କ ନାମ-

ଚନ୍ଦ୍ରଶେଖର ସାହୁ- ଇସ୍ତାହାର କମିଟି ଅଧ୍ୟକ୍ଷ,  ଦେବୀ ପ୍ରସାଦ ମିଶ୍ର- ଉପାଧ୍ଯକ୍ଷ, ପ୍ରତାପ ଦେବ- ଉପାଧ୍ୟକ୍ଷ, ସୁଦାମ ମାର୍ଣ୍ଡି- ଉପାଧ୍ୟକ୍ଷ, ମଙ୍ଗଳା କିଷାନ- ଉପାଧ୍ୟକ୍ଷ, ପଦ୍ମନାଭ ବେହେରା- ଉପାଧ୍ୟକ୍ଷ, କସ୍ତୁରୀ ମହାପାତ୍ର- ଉପାଧ୍ୟକ୍ଷ, ଅମର ପଟ୍ଟନାୟକ- ଆବାହକ, ସସ୍ମିତ ପାତ୍ର (ସହ-ଆବାହକ), ସୁକାନ୍ତ ମହାପାତ୍ର- ପ୍ରବାସୀ ଓଡ଼ିଶା ବିଶେଷଜ୍ଞ, ସ୍ବପ୍ନେନ୍ଦୁ ମହାନ୍ତି- ପ୍ରବାସୀ ଓଡ଼ିଶା ବିଶେଷଜ୍ଞ, ଅମିୟ ମିଶ୍ର- ପ୍ରବାସୀ ବିଶେଷଜ୍ଞ, ଅତନୁ ସବ୍ଯସାଚୀ ନାୟକ- ସଦସ୍ଯ, ଅଚ୍ଯୁତାନନ୍ଦ ସାମନ୍ତ- ସଦସ୍ଯ, ଅରୁଣ କୁମାର ସାହୁ- ସଦସ୍ଯ, ସଂତୃପ୍ତ ମିଶ୍ର-ସଦସ୍ଯ, ସଞ୍ଜୟ କୁମାର ଦାସବର୍ମା- ସଦସ୍ଯ, ସ୍ନେହାଙ୍ଗିନୀ ଛୁରିଆ- ସଦସ୍ଯ, ସୁଶାନ୍ତ ସିଂ- ସଦସ୍ଯ, ଦିବ୍ଯ ଶଙ୍କର ମିଶ୍ର- ସଦସ୍ଯ, ଶ୍ରୀମୟୀ ଶ୍ବେତାସ୍ନିଗ୍ଧା ମିଶ୍ର- ସଦସ୍ଯ, ଚିନ୍ମୟ ସାହୁ- ସଦସ୍ଯ, ଚିରଞ୍ଜୀବ ବିଶ୍ବାଳ-ସଦସ୍ଯ, ସୁବାସ ସିଂ- ସଦସ୍ଯ, ବ୍ଯୋମକେଶ ରାୟ- ସଦସ୍ଯ, ଦେବୀ ରଞ୍ଜନ ତ୍ରିପାଠୀ- ସଦସ୍ଯ, ରମେଶ ଚନ୍ଦ୍ର ମାଝୀ- ସଦସ୍ଯ, ଦିଲୀପ ତିର୍କୀ- ସଦସ୍ଯ, ରବି ନାରାୟଣ ନନ୍ଦ- ସଦସ୍ଯ, ଅମରେଶ ପତ୍ରୀ- ସଦସ୍ଯ, ଏସ.କେ. ନିଜାମୁଦ୍ଦିନ- ସଦସ୍ଯ, ତନ୍ମୟ ସ୍ବାଇଁ-ସଦସ୍ଯ, ଜ୍ଯୋତ୍ସ୍ନାରାଣୀ ପରିଡ଼ା- ସଦସ୍ଯ, ବିଷ୍ଣୁପ୍ରିୟା ଦାସ- ସଦସ୍ଯ, ସଞ୍ଜିତ ମହାନ୍ତି- ସଦସ୍ଯ, ପଙ୍କିଜିନୀ ମଙ୍ଗରାଜ- ସଦସ୍ଯ, ମାମିନା ନାୟକ- ସଦସ୍ଯ, କିଶୋର ଦେବତା- ସଦସ୍ଯ ।

ମା’ ମାହେଶ୍ୱରୀଙ୍କୁ ଦର୍ଶନ କରି ପ୍ରଚାର ଆରମ୍ଭ କଲେ ପ୍ରଣବ ପ୍ରକାଶ ଦାସ

ଆଠମଲ୍ଲିକ: ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଚାର ଜୋରଦାର। ବିଜେଡି ପକ୍ଷରୁ ପ୍ରଣବ ପ୍ରକାଶ ଦାସ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛନ୍ତି ପ୍ରଣବ। ଆଜି ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚି ମା’ ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଆଠମଲ୍ଲିକରେ ନିର୍ବାଚନ ପ୍ରଚାର କରିଛନ୍ତି।  ସାଙ୍ଗରେ ଅଛନ୍ତି ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ। ଲୋକଙ୍କୁ ଭେଟି ସମର୍ଥନ ସାଉଣ୍ଟୁଛନ୍ତି ପ୍ରଣବ।

ପଦାରେ ପଡ଼ିଲା କଂଗ୍ରେସର ଦଳୀୟ କନ୍ଦଳ

ବାଲିଗୁଡ଼ା: ପଦାରେ ପଡ଼ିଲା କଂଗ୍ରେସର ଦଳୀୟ କନ୍ଦଳ। ବର୍ତ୍ତମାନ ସମୟରେ ସାରା ଦେଶରେ କଂଗ୍ରେସ ନିଜର ସ୍ଥିତି ହରାଉଥିବା ବେଳେ କନ୍ଧମାଳ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଜେରଦାର ବିରୋଧ ହେଉଛି। ପର୍ଯ୍ୟବେକ୍ଷକ କୁନାଲ ବାନାର୍ଜୀଙ୍କ ଉପସ୍ଥିତିରେ ବାଲିଗୁଡ଼ା କଂଗ୍ରେସ ନେତା ଓ କର୍ମୀ ବିଧାୟକ ପ୍ରାର୍ଥୀ ସୁରଦା ପ୍ରଧାନଙ୍କୁ ବିରୋଧ କରିବା ସହ କଂଗ୍ରେସ ଭବନରେ ତୁମ୍ବି ତୋଫାନ୍ ଦେଖିବାକୁ ମିଳିଛି।

ଗତକାଲି ବାଲିଗୁଡ଼ା କଂଗ୍ରେସ ଭବନଠାରେ ପର୍ଯ୍ୟବେକ୍ଷକ କୁନାଲ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପର୍ଯ୍ୟବେକ୍ଷକ କୁନାଲ ବାନାର୍ଜୀଙ୍କ ସମେତ ଜି.ଉଦୟଗିରି ବିଧାୟକ ପ୍ରାର୍ଥୀ ପ୍ରଫୁଲ ପ୍ରଧାନ, ଜିଲ୍ଲା ସଭାପତି, ବାଲିଗୁଡା ନିର୍ବାଚନ ମଣ୍ଡଳୀର ୪ଟି ବ୍ଲକର କଂଗ୍ରେସ କର୍ମୀ ଓ ନେତା ଯୋଗ ଦେଇଥିଲେ। ବୈଠକରେ ବାଲିଗୁଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁରଦା ପ୍ରଧାନଙ୍କ ପ୍ରାର୍ଥୀତ୍ବକୁ କର୍ମୀମାନେ ଜୋରଦାର ବିରୋଧ କରିଥିଲେ।

ସେମାନଙ୍କ କହିବା କଥା ପୂର୍ବ ନିର୍ବାଚନରେ ସୁରଦା ସ୍ଵାଧୀନ ପ୍ରାର୍ଥୀଭାବେ ଛିଡ଼ା ହୋଇ କଂଗ୍ରେସକୁ ହରାଇଥିଲେ। ତାଙ୍କୁ ଦଳ କିଭଳି ପ୍ରାର୍ଥୀ କଲା? କିଛି ସମୟର ଆଲୋଚନା ପରେ ସୁରଦାଙ୍କ ସପକ୍ଷ ଓ ବିପକ୍ଷ କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସୁରଦା ପ୍ରଧାନଙ୍କ ଟିକେଟ କାଟି ଉପେନ୍ଦ୍ର ପ୍ରଧାନ କିମ୍ବା ସ୍ନେହଲତା ମଳିକଙ୍କୁ ଟିକେଟ ଦେବାକୁ ବୈଠକରେ ଦାବି କରାଯାଇଛି।

ରାଜନୀତି ମଇଦାନରେ ବୀରାପ୍ପାନଙ୍କ ଝିଅ ବିଦ୍ଯାରାଣୀ

କ୍ରିଷ୍ଣଗିରି: ଲୋକସଭା ନିର୍ବାଚନ ଲାଗି ପ୍ରଚାର ଜୋରଦାର। ମଇଦାନରେ ହାଇଭୋଲଟେଜ ଫାଇଟ। ଅବତୀର୍ଣ୍ଣ ହୋଇଛନ୍ତି ବିଭିନ୍ନ ଦଳର ରାଜନେତା। ସେପଟେ ସାରା ଦେଶକୁ ଦିନେ ଚହଲାଇଦେଇଥିବା ଜଙ୍ଗଲ ତସ୍କର ବୀରାପ୍ପାନଙ୍କ ଝିଅ ବିଦ୍ଯାରାଣୀ ବି ପରୀକ୍ଷା କରୁଛନ୍ତି ଭାଗ୍ୟ।

ତାମିଲନାଡୁ କ୍ରିଷ୍ଣଗିରି ଲୋକସଭା ଆସନରୁ ସେ ନାମ୍ ତାମିଲାର କାଚି ବା ଏନଟିକେ ଦଳରୁ ହୋଇଛନ୍ତି ପ୍ରାର୍ଥୀ। ସ୍ଥାନୀୟ ଅଞ୍ଚଳର କୃଷକ ଓ ମହିଳାଙ୍କ ବିକାଶ ଲାଗି ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ସେ କହିଛନ୍ତି- ଲୋକଙ୍କ ମୁଖପାତ୍ର ହେବାକୁ ସେ ପ୍ରସ୍ତୁତ। କ୍ରିଷ୍ଣଗିରି ଅଞ୍ଚଳରେ ପର୍ଯ୍ୟାପ୍ତ ଚାଷଜମି ରହିଛି। ହେଲେ ପାଣି ନାହିଁ। ଅନେକ ଶିକ୍ଷିତ ଯୁବକଯୁବତୀ ବେକାର ଅଛନ୍ତି। ଯଦି ତାଙ୍କୁ ପାର୍ଲାମେଣ୍ଟ ଯିବା ଲାଗି ସୁଯୋଗ ମିଳେ ତେବେ ଏସବୁ ସମସ୍ଯାର ସମାଧାନ ଲାଗି ସେ କାର୍ଯ୍ୟ କରିବେ। ଯଦି କୌଣସି ଦଳ ଏହି ସବୁ ସମସ୍ଯାର ସମାଧାନ କରିବା ଲାଗି ଆଗେଇ ଆସେ ତେବେ ସେହି ଦଳର ପ୍ରାର୍ଥୀଙ୍କୁ ସେ ସମର୍ଥନ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ବିଦ୍ଯାରାଣୀ।

ଚଡକ ଯାତ୍ରାର ତୃତୀୟ ଅର୍ଘ୍ୟ; ଆଜି ରାକ୍ଷସୀକୁ ବିବାହ କରିବେ ମହାଦେବ

ବାଲେଶ୍ୱର: ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ଵର ଚଡକ ଯାତ୍ରାର ଆଜି ତୃତୀୟ ଅର୍ଘ୍ୟ। ଆଜି ଯାତ୍ରାର ମହାନ ପର୍ବ କାମିନା ବିବାହ। ଆଜି ମହାଦେବ କାମିନା ନାମକ ରାକ୍ଷସୀକୁ ବିବାହ କରିବେ। ଶୈବ ପୀଠରୁ ବିରାଟକାୟ ପଟୁଆରେ ବାହାରି ଭଟ୍ଟପୁର ସ୍ଥିତ ଦୁର୍ଗା ମନ୍ଦିରକୁ ଯାଇ ନୀତିକାନ୍ତି ଅନୁସାରେ କାମିନା ନାମକ ରାକ୍ଷସୀକୁ ବିବାହ କରି ମନ୍ଦିରକୁ ଫେରିବେ ଦେବ ଦେବ ମହାଦେବ।

ଗତକାଲି ଚତୁର୍ଥ ଅର୍ଘ୍ୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଇଥିବା ବେଳେ ଆଜି ମହାଦେବଙ୍କ ବିବାହ ଏବଂ ତୃତୀୟ ଅର୍ଘ୍ୟ ଥିବାରୁ ଦୁଇଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବାନେଇ ଅନୁମାନ କରାଯାଉଛି। ଚଡକ ଯାତ୍ରାର ଦୁଇଟି ମୁଖ୍ୟ ଉତ୍ସବ ରହିଛି ନୀଳପର୍ବ ଏବଂ ପାଟ ପର୍ବ। ଏହି ଦୁଇଟି ପ୍ରମୁଖ ଉତ୍ସବରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବାର ଅନୁମାନ କରାଯାଇଛି। ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ଟାଟୁ ମନା, ୧୫ ଦିନ ମଧ୍ୟରେ ଲିଭାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ଟାଟୁ ମନା। ବାଟାଲିୟନର କୌଣସି ସିପାହୀ ଟାଟୁ କରିପାରିବେ ନାହିଁ। ଯେଉଁମାନେ ଟାଟୁ କରିଛନ୍ତି ୧୫ ଦିନ ମଧ୍ୟରେ ଏହାକୁ ଲିଭାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ସିକ୍ୟୁରିଟି। ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବ ନାହିଁ। ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବ୍ୟତୀତ ଏହି ନିୟମ ଅନ୍ୟ ପୋଲିସଙ୍କ ପାଇଁ ଲାଗୁ ନୁହେଁ।