କୋଲକାତା: ବଲିଉଡର ନାମୀ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ମେଡିକାଲରେ ଭର୍ତ୍ତି। ଛାତିରେ ଯନ୍ତ୍ରଣା ଯୋଗୁ ମିଥୁନଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳ ୧୦ ସମୟରେ ଛାତିରେ କଷ୍ଟ ଅନୁଭବ କରିଥିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି ଏ ନେଇ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ନିକଟରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ସରକାର। ପୁରସ୍କାର ପାଇବା ପରେ ଖୁସି ପ୍ରକାଶ କରିବା ସହ ଏହି ସମ୍ମାନକୁ ନିଜର ପ୍ରଶଂସକଙ୍କ ଉଦ୍ଦେଶ୍ଯରେ ସମର୍ପିତ କରିଥିଲେ। ୭୩ ବର୍ଷୀୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଚକ୍ରବର୍ତ୍ତୀ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ହିନ୍ଦୀ ଫିଲ୍ମ ଡିସ୍କୋ ଡାନ୍ସର ତାଙ୍କୁ ରାତାରାତି ସୁପରଷ୍ଟାର ପରିଚୟ ଦେଇଥିଲା। ବଲିଉଡର ଜଣେ ଆଗଧାଡ଼ିର ଲୋକପ୍ରିୟ ଅଭିନେତା ହେଉଛନ୍ତି ମିଥୁନ ଚକ୍ରବର୍ତ୍ତୀ। ଗତବର୍ଷ ତାଙ୍କର ବଂଗଳା ଭାଷାରେ ଫିଲ୍ମ କାବୁଲିଵାଲା ଆସିଥିଲା। ମିଥିୁନ ଚକ୍ରବର୍ତ୍ତୀଙ୍କ ଆଶୁଆରୋଗ୍ଯ କାମନା କରିଛନ୍ତି ତାଙ୍କର ହଜାର ହଜାର ସଂଖ୍ଯାରେ ପ୍ରଶଂସକ ।
ରାଜନୈତିକ ହଟଚମଟ ଭିତରେ ମୁହଁ ଖୋଲିଲେ ପାକିସ୍ତାନ ସେନାମୁଖ୍ୟ
ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ରାଜନୈତିକ ହଟଚମଟ ଭିତରେ ମୁହଁ ଖୋଲିଲେ ସେନାମୁଖ୍ୟ। ଏକ ବିବୃତିରେ ଜେନେରାଲ ସୟିଦ ଅସିମ ମୁସିର କହିଛନ୍ତି ଅରାଜକତା ଓ ଧ୍ରୁବୀକରଣଭିତ୍ତିକ ରାଜନୀତିରୁ ପାକିସ୍ତାନ ମୁକୁଳିବାର ଆବଶ୍ଯକତା ରହିଛି। ଦେଶରେ ସାଧାରଣ ନିର୍ବାଚନ ସରିଥିଲେ ବି କୌଣସି ଦଳ ସ୍ପଷ୍ଟ ବହୁମତ ପାଇନାହାନ୍ତି। ସେପଟେ ସରକାର ଗଠନ ପ୍ରକ୍ରିୟା ନେଇ ଅନିଶ୍ଚୟତା ଜାରି ରହିଛି। ୧୯୪୭ରେ ଦେଶ ସ୍ବାଧୀନତା ଲାଭ ପରଠାରୁ ଅଧିକାଂଶ ସମୟ ପାକିସ୍ତାନ ରାଜନୀତିରେ ସାମରିକ ପ୍ରଭାବ ରହିଆସିଛି। ଜେନେରାଲ ମୁସିରଙ୍କ ଏହି ବୟାନ ଭିନ୍ନ କିଛି ଇଙ୍ଗିତ କରୁଛି। ସେ ଆହୁରି କହିଛନ୍ତି- ନିର୍ବାଚନ କେବଳ ହାର ଜିତର ଏକ ପ୍ରକ୍ରିୟା ନୁହେଁ। ଜନମତକୁ ନିର୍ଦ୍ଧାରଣ କରିବା ଲାଗି ଏହା ଏକ ପ୍ରକ୍ରିୟା। ଆତ୍ମସ୍ବାର୍ଥଠାରୁ ଦୂରେଇ ରହିବାକୁ ସେ ଦେଇଛନ୍ତି ପରାମର୍ଶ ।
କଟକ ନରାଜରେ JSW ତିଆରି କରିବ EV, ସ୍ବାକ୍ଷର ହେଲା MoU
ଭୁବନେଶ୍ବର: ଓଡ଼ିଶାରେ ଇଭି ଓ ବ୍ଯାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏଥିପାଇଁ ଆଜି ଜେଏସଡବ୍ଲୁ ଓ ରାଜ୍ଯ ସରକାରଙ୍କ ମଧ୍ଯରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଦେଶରେ ଅଟୋମୋବାଇଲ ଶିଳ୍ପରେ ପ୍ରଥମ ଥର ପାଇଁ ପାଦ ଥାପିବ ଜେଏସଡବ୍ଲୁ । ଓଡ଼ିଶା ଶିଳ୍ପ ସମୃଦ୍ଧ ହେଉଥିବାବେଳେ ଜେଏସଡବ୍ଲୁ କଟକ ନରାଜରେ ପ୍ରତିଷ୍ଠା କରିବ ଏହି ପ୍ରକଳ୍ପ । ରାଜ୍ୟରେ ଉତ୍ପାଦନ ହେବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଯାନ । ଉଭୟ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ସିଙ୍ଗଲ ଲୋକେସନରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ ଜେଏସଡବ୍ଲୁ । ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବା ସହ ଇଲେକ୍ଟ୍ରିକ ଭେହିକଲ କମ୍ପୋନେଣ୍ଟ ତିଆରି କରିବ ଜେଏସଡବ୍ଲୁ । ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ ପ୍ରସ୍ତୁତ ହେବ । ଇଭି ପାଇଁ ନରାଜ ଠାରେ କମ୍ପାନୀ ୯ଶହ ଏକର ଜମି ଯୋଗାଇ ଦିଆଯାଇଛି । ସେହିପରି ପାରାଦୀପରେ କମ୍ପାନୀ ଇଭି ପାଇଁ ବ୍ଯାଟେରୀ ନିର୍ମାଣ କରିବ । ବ୍ଯାଟେରୀ ପାଇିଁ କମ୍ପାନୀ ଚିଲିରୁ କପର ଆଣିବ । ଅଷ୍ଟ୍ରେଲିଆରୁ ଆଣିବ ଲିଥିଅମ । ବ୍ଯାଟେରୀ ପାରାଦୀପରୁ ଆଣି ନରାଜରେ ଇଭିରେ ଫିଟିଂ କରିବ କମ୍ପାନୀ । ପ୍ରକଳ୍ପ ଲାଗି ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏଥିରେ ୧୧ରୁ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଗ୍ରୀନ ହାଉସ ଗ୍ୟାସ ଏମିସନ ହ୍ରାସ ଲାଗି ପଦକ୍ଷେପ ନିଆଯାଉଛି । ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି ।
ବଢ଼ିଲା EPFO ସୁଧହାର, ଲାଭ ପାଇବେ ୬ କୋଟି କର୍ମଚାରୀ
ନୂଆଦିଲ୍ଲୀ: ୬ କୋଟିରୁ ଅଧିକ ଥିବା EPFO କର୍ମଚାରୀଙ୍କ ଲାଗି ଖୁସି ଖବର। ବଢିଲା ଇପିଏଫ ସୁଧହାର। ଆର୍ଥିକ ବର୍ଷ ୨୦୨୩-୨୪ ଲାଗି ଇପିଏଏଫ୍ ସୁଧହାର ବୃଦ୍ଧି କରାଯାଇଛି। ସୁଧହାର ୮. ୨୫କୁ ବୃଦ୍ଧି ହୋଇଛି। ପୂର୍ବ ତୁଳନାରେ ଇପିଏଫ ସୁଧହାରରେ ୦. ୧୦ ପ୍ରତିଶତ ବଢାଯାଇଛି। କର୍ମଚାରୀ ଭବିଷ୍ଯ ନିଧି ସଂଗଠନ ଇପିଏଫଓ ଏବଂ ସିବିଟି ତରଫରୁ ଏହି ସୁଧହାର ବୃଦ୍ଧି କରାଯାଇଛି। ଗତ ବର୍ଷ ମାର୍ଚ୍ଚରେ ଇପିଏଫଓ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୮. ୧୫ ପ୍ରତିଶତ ଘୋଷଣା ହୋଇଥିଲା। ଏହା ପୂର୍ବରୁ ୨୦୨୨ ଆର୍ଥିକ ବର୍ଷ ଲାଗି ଇପିଏଫଓ ସୁଧହାର ୮. ୧୦ ପ୍ରତିଶତ ରହିଥିଲା। ଇପିଏଫଓ ସୁଧହାର ବୃଦ୍ଧି ଫଳରେ ଏହାର ଲାଭ କୋଟି କୋଟି କର୍ମଚାରୀଙ୍କୁ ମିଳିବ ।
ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇପାରନ୍ତି ଧୀରଜ ସାହୁ
ନନ୍ଦିଘୋଷ ବ୍ୟୁରୋ: ପୁଣି ବଢିଲା କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଅଡୁଆ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇପାରନ୍ତି ଧୀରଜ । ବେଆଇନ ଅର୍ଥ ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କ୍ରମେ ଧୀରଜଙ୍କ ବିରୋଧରେ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତବର୍ଷ ଡିସେମ୍ବରରେ ଉଭୟ ଝାଡଖଣ୍ଡ ଓ ଓଡ଼ିଶାରେ ଆୟକର ବିଭାଗ ପକ୍ଷରୁ ଧୀରଜଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ହୋଇଥିଲା ମାରାଥନ ରେଡ । ଜବତ ହୋଇଥଲା ୩୫୧ କୋଟିରୁ ଅଧିକ ଟଙ୍କା । ହେମନ୍ତ ସୋରେନଙ୍କ ଧୀରଜଙ୍କ ସମ୍ପର୍କ ଥିବା ନେଇ ପ୍ରମାଣ ପାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ଜାନୁଆରୀ ୨୯ ତାରିଖରେ ହେମନ୍ତଙ୍କ ଦିଲ୍ଲୀ ବାସଭବନରୁ ଜବତ ହୋଇଥିବା ବିଏମଡବ୍ଲୁ କାର୍ ସହ ଧୀରଜଙ୍କ ସମ୍ପର୍କ ରହିଛି ବୋଲି କିଛି ସୁରାକ ପାଇଛି ଇଡି । କାରରେ ଲାଗିଥିବା ହରିଆଣା ନମ୍ବର ପ୍ଲେଟର ଠିକଣାକୁ ଆଧାର କରି ଗୁରୁଗ୍ରାମରେ ଏକ ସ୍ଥାନରେ ଗତ ବୁଧବାର ରେଡ କରିଥିଲା ଇଡି । ସେହିପରି କୋଲକାତାର ୨ଟି ସ୍ଥାନରେ ବି ଇଡି କରିଥିଲା ଛାନବିନ । ଗତ ଜାନୁଆରୀ ୩୧ରେ ବେଆଇନ ଜମି କାରବାର ମାମଲାରେ ହେମନ୍ତଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା, ଏ ଯାଏ ଗଲାଣି ୬ ଜୀବନ
ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା । ଓ୍ବାଶିଂଟନର ଏକ ରେଷ୍ଟୁରାଣ୍ଟ ବାହାରେ ତାଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଭିର୍ଜିନିଆରେ ବାସ କରୁଥିବା ୪୧ ବର୍ଷ ବୟସ୍କ ବିବେକ ତାନେଜା ଆକ୍ରମଣର ଶିକାର ହୋଇଛନ୍ତି । ସେ ଏକ କମ୍ପାନୀର ଏକଜିକ୍ୟୁଟିଭ ଥିଲେ । ଗତ ଫେବ୍ରୁଆରୀ 2 ତାରିଖରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ବିବେକଙ୍କୁ ମିଶାଇ କିଛି ଦିନ ମଧ୍ୟରେ ଆମେରିକାରେ ପ୍ରାଣ ହରାଇଥିବା ଭାରତୀୟଙ୍କ ସଂଖ୍ଯା ୬ ରେ ପହଞ୍ଚିଛି । ପୋଲିସ ରିପୋର୍ଟ ଅନୁସାରେ କୌଣସି କାରଣରୁ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କୁ ପୋଲିସ ଉଠାଇନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଗତ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା । ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ଠାବ କରାଯାଇପାରିନାହିଁ । ଅବିଯୁକ୍ତ ସମ୍ପର୍କରେ ସୂଚନା ଦେବା ଲାଗି ପୋଲିସ ୨୫ହଜାର ଡଲାରର ପୁରସ୍କାର ଘୋଷଣା କରିଛି । ଗତ ସପ୍ତାହରେ ସିକାଗୋରେ ହାଇଦ୍ରାବାଦର ଜଣେ ଛାତ୍ରଙ୍କୁ କେତେକ ଦୁର୍ବୃତ୍ତ ମାଡ଼ ମାରି ଲହୁଲୁହାଣ କରିଥିଲେ । କିଛି ଦିନ ତଳେ ଆମେରିକାର ପୁରଦେ ବିଶ୍ବବିଦ୍ୟାଳୟରେ ସମୀର କାମାଥ ନାମକ ଜଣେ ବାରତୀୟ-ଆମେରିକୀୟ ଛାତ୍ରଙ୍କ ମୃତଦେହ ମିଳିଥିଲା । ସେହିପରି ଶ୍ରେୟସ ରେଡ୍ଡୀ ବେନିଗର ନାମକ ଜଣେ ୧୯ ବର୍ଷ ବୟସ୍କ ଛାତ୍ରର ମୃତଦେହ ବି ମିଳିଥିଲା । ପୁରଦେ ବିଶ୍ବବିଦ୍ୟାଳୟର ଅନ୍ୟ ଜଣେ ଛାତ୍ର ନୀଲ ଆଚାର୍ଯ୍ୟଙ୍କ ମୃତଦେହ ମିଳିବା ପରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଗତ ଜାନୁଆରୀ ୧୬ ରେ ଜର୍ଜିଆର ଲିଥୋନିଆରେ ବିବେକ ସାଇନ ନାମକ ଜଣେ ୨୫ ବର୍ଷ ବୟସ୍କ ଛାତ୍ରଙ୍କୁ ଜଣେ ବ୍ୟକ୍ତି ହତ୍ୟା କରିଥିଲା । ଗତ ଜାନୁଆରୀରେ ଇଲିଓନିସ ଅର୍ବାନା କ୍ୟାମ୍ପେନ ବିଶ୍ବବିଦ୍ୟାଳୟ ବାହାରେ ଆକୁଲ ଧାବନ ନାମକ ଜଣେ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଥିଲା ।
ଇଟାଭାଟିରେ କାମ କରୁଥିବା ବେଳେ ପୋଡ଼ି ହୋଇ ୩ ଜଣ ଶ୍ରମିକଙ୍କ ମତ୍ୟୁ, ଜଣେ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ କଣ୍ଟାବଣିଆ ଥାନା କମଳାଙ୍ଗ ଗାଁରେ ଅଭାବନୀୟ ଘଟଣା। ଇଟାଭାଟିରେ ପୋଡି ହୋଇ ୩ ଜଣ ଶ୍ରମିକଙ୍କ ମତ୍ୟୁ ହୋଇଛି। ରାତିରେ ଭାଟିରେ ନିଆଁ ଲଗାଇ ନିକଟରେ ଶୋଇଥିବା ବେଳେ, ସେହି ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହୋଇଛନ୍ତି ୩ ଜଣ ଶ୍ରମିକ । ଏଥିସହ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅଛନ୍ତି। ସମସ୍ତ ମୃତକ ଛତିଶଗଡ଼ର ମେଘନାଥ ଭୋଇ, ନିରା ଭୋଇ ଓ ୭ ବର୍ଷର ଶିଶୁ ଜିତୁ ଭୋଇ। ଗୁରୁତର ଥିବା ଶ୍ରମିକ ହେଲେ ଶିବ ଦାସ। ବ୍ରାହ୍ମଣୀ ନଦୀକୂଳରେ ରହିଛି ଇଟାଭାଟି। ଗତ କିଛିଦିନ ତଳେ ମଧ୍ୟ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଇଟା ଭାଟିଟି ବେଆଇନ ଭାବେ ଚାଲୁଥିବା ଅଭିଯୋଗ ହୋଇଛି । ମୃତ ଦେହକୁ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ
ଭୁବନେଶ୍ବର: ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ରାଜ୍ୟପାଳ ରଘୁବର ଦାସ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି ଲେଖିଛନ୍ତି, ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି। ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଏହା ଏକ ଅପୂରଣୀୟ କ୍ଷତି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ସେହିପରି ସାଂସଦ ମାନସ ମଙ୍ଗରାଜ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ରାଜ୍ୟକୁ ଆସିବ ଇଭି ଶିଳ୍ପ, ଜେଏସଡବ୍ଲ୍ୟୁ କରିବ ବିଦ୍ୟୁତ ଯାନ ନିର୍ମାଣ
ଭୁବନେଶ୍ବର: ଶିଳ୍ପ ସମୃଦ୍ଧ ହେଉଛି ଓଡ଼ିଶା । ରାଜ୍ୟକୁ ଆସିବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଶିଳ୍ପ । ଓଡ଼ିଶାରେ ଜେଏସଡବ୍ଲ୍ୟୁ କରିବ ବିଦ୍ୟୁତ ଯାନ ନିର୍ମାଣ । ଉଭୟ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ଏଥିପାଇଁ ଆଜି ଜେଏସଡବ୍ଲୁ ଓ ରାଜ୍ଯ ସରକାରଙ୍କ ମଧ୍ଯରେ ଏମଓୟୁ ସ୍ବାକ୍ଷରିତ ହେବ । ସିଙ୍ଗଲ ଲୋକେସନରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ ଜେଏସଡବ୍ଲୁ । କଟକ ନରାଜରେ ପ୍ରତିଷ୍ଠା ହେବ ଏହି ପ୍ରକଳ୍ପ । ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବା ସହ ଇଲେକ୍ଟ୍ରିକ ଭେହିକଲ କମ୍ପୋନେଣ୍ଟ ତିଆରି କରିବ ଜେଏସଡବ୍ଲୁ । ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ ପ୍ରସ୍ତୁତ ହେବ । ପ୍ରକଳ୍ପ ଲାଗି ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏଥିରେ ୧୧ରୁ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଗ୍ରୀନ ହାଉସ ଗ୍ୟାସ ଏମିସନ ହ୍ରାସ ଲାଗି ପଦକ୍ଷେପ ନିଆଯାଉଛି । ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ ରାଜ୍ୟରେ ଇଭି ଲାଗି ପ୍ରକ୍ରିୟା ଚାଲିଛି । ଏନେଇ ଶିଳ୍ପ ବିଭାଗ, ଇପିକଲ ତରଫରୁ ମାନୁଫାକଚରରଙ୍କ ସହ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ବଳକା ଉଷୁନା ଚାଉଳ କାହିଁକି ଉଠାଯାଉନାହିଁ ବୋଲି ସଂସଦରେ ପ୍ରଶ୍ନ କଲେ ମାନସ ମଙ୍ଗରାଜ
ନୂଆଦିଲ୍ଲୀ: ଓଡ଼ିଶାରୁ ବଳକା ଉଷୁନା ଚାଉଳ ଏଫସିଆଇ ଉଠାଉ ନଥିବା ନେଇ ସଂସଦରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଏ ସମ୍ପର୍କରେ ଏକ ଅଣତାରକା ପ୍ରଶ୍ନରେ ବଳକା ଉଷୁନା ଚାଉଳ କାହିଁକି ଉଠାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ରଖିଛନ୍ତି ଗ୍ରାମ୍ୟ ଉନ୍ନୟନ ଓ ଖାଉଟି କଲ୍ଯାଣ ବ୍ଯାପାର, ଖାଦ୍ଯ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି। ସେ କହିଛନ୍ତି- କେନ୍ଦ୍ର ସରକାର ଓ ରାଜ୍ଯ ସରକାରଙ୍କ ମଧ୍ୟରେ ଏନେଇ ଏକ ବୁଝାମଣା ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ଏଫସିଆଇ ସବୁ ରାଜ୍ୟରୁ ଚାଉଳ ଉଠାଇଥାଏ। ୨୦୨୨-୨୩ ଖରିଫ ଋତୁରେ ୫୩.୮୫ ଲକ୍ଷ ମେଟ୍ରିକ ଟନ ଚାଉଳ ଓଡ଼ିଶା ଯୋଗାଇଛି। ସେଥିମଧ୍ୟରୁ ୪୪.୧୮ ଲକ୍ଷ ମେଟ୍ରିକ ଟନ ହେଉଛି ଉଷୁନା ଚାଉଳ। ସେଣ୍ଟ୍ରାଲ ପୁଲକୁ ଓଡ଼ିଶା ପଠାଇଥିବା ଚାଉଳ ମଧ୍ୟରୁ ନିଜସ୍ବ ବ୍ଯବହାର ପାଇଁ ୩୧. ୩୭ ଲକ୍ଷ ମେଟ୍ରିକ ଟନ ରଖିଥିଲା। ବଳକା ୨୨.୪୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଏଫସିଆଇ ଉଠାଇଛି। ଏଫସିଆଇ ପାଖରେ ପର୍ଯ୍ୟାପ୍ତ ଷ୍ଟୋରେଜ କ୍ଷମତା ରହିଛି। ଯଦ୍ଦ୍ବାରା ଓଡ଼ିଶାର ବଳକା ଚାଉଳ ଉଠାଇବାରେ କୌଣସି ଅସୁବିଧା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

