spot_img
Home Blog Page 21

ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଘାଣ୍ଟୁଛନ୍ତି ଜାତୀୟ ମାନବାଧିକାର କମିଶନ ; ଆଜି ଘଟଣାସ୍ଥଳ ପରିଦର୍ଶନ କରିପାରନ୍ତି NHRC ଟିମ୍

ଭୁବନେଶ୍ବର : ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଘାଣ୍ଟୁଛନ୍ତି ଜାତୀୟ ମାନବାଧିକାର କମିଶନ। ଭିଡ଼ ହିଂସା ଘଟଣାର ବିଭିନ୍ନ ଦିଗକୁ ନେଇ ଏନଏଚଆରସିର ଦୁଇ ଜଣିଆ ସଦସ୍ୟ ରାଜେନ୍ଦ୍ର ସିଂ ଓ ଅବିନାଶ କୁମାର ଶୁଣାଣି ଜାରି ରଖିଛନ୍ତି । ଆଜି ଶୁଣାଣିର ଦ୍ବିତୀୟ ଦିନରେ ଘଟଣାସ୍ଥଳ ପରିଦର୍ଶନ କରିପାରନ୍ତି ଏନଏଚଆରସି ଟିମ୍ ।

ରାଜ୍ୟ ଅତିଥି ଭବନରେ ଚାଲିଥିବା ଶୁଣାଣିରେ ଏନଏଚଆରସି ସଦସ୍ୟଙ୍କ ନିକଟରେ ଆଜି ହାଜର ହୋଇପାରନ୍ତି ପୋଲିସ କମିଶନର, ଡିସିପି, ଆଇପିଏସ୍ ଦୟାଲ ଗଙ୍ଗୱାର, କ୍ୟାପିଟାଲ ହସ୍ପିଟାଲର ମେଡିକାଲ ଅଫିସର, ପୋଷ୍ଟମର୍ଟମ କରିଥିବା ସର୍ଜନ ଓ ପୂରା ଘଟଣାକ୍ରମ ସହ ଜଡ଼ିତ ଥିବା ସମସ୍ତ ସରକାରୀ ଅଧିକାରୀ । ପରିବାର ସଦସ୍ୟ ମଧ୍ୟ ଆଜି ଏନଏଚଆରସି ସଦସ୍ୟଙ୍କ ନିକଟରେ ହାଜର ହୋଇପାରନ୍ତି । ଶୁଣାଣି ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଗତକାଲି ଜିଆରପି ଏସପି ଭବାନୀ ଶଙ୍କର ଉଦଗାତା, ଜିଆରପି ରିଜର୍ଭ ଇନ୍ସପେକ୍ଟର ଏବଂ ତତକାଳୀନ ଥାନା ଅଧିକାରୀ ଅନିଲ ପରିଡାଙ୍କୁ ପଚରାଉଚରା କରିଛି NHRC ଟିମ୍ । କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଅନିରୁଦ୍ଧ ରାଉତରାୟଙ୍କୁ ବି ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା । ସୋସିଆଲ ମିଡିଆର ଭାଇରାଲ ଭିଡିଓ, ପୀଡିତାଙ୍କ ବୟାନ, ପ୍ରତ୍ୟକ୍ଷଦର୍ଶୀଙ୍କ ମତକୁ ନେଇ ଚାଲିଛି ଖୋଳତାଡ଼ । ପୋଲିସର ଅବହେଳା ପଛର କାରଣ ମଧ୍ୟ ଖୋଜିପାରେ NHRC ଟିମ ।

ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ବଢିଲା ଅଡ଼ୁଆ ; ତାଙ୍କ ବିରୋଧରେ ରୁଜୁ ହେଲା ମାମଲା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାର ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାଆ ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ତାଳଚୁଆ ଥାନାରେ ଏହି ମାମଲା ରୁଜୁ ହୋଇଛି । କେସ ନଂ ୧୨୪/୨୦୨୬ ରେ ଧାରା ୨୯୬, ୭୪, ୧୧୫, ୩୫୧, ୩୦୮ ରେ ମାମଲା ରୁଜୁ କରିଛି ପୋଲିସ। ଏବେ ତଦନ୍ତର ସମ୍ମୁଖୀନ ହେବେ ସଂଧ୍ୟାରାଣୀ ଜେନା। ଆଗରୁ ତାଙ୍କୁ ନିଲମ୍ଵିତ କରାଯାଇଥିଲା। ଗତ ୨୫ ତାରିଖରେ ଥାନାରେ ମାଆ ପୁଅଙ୍କୁ ତତ୍କାଳୀନ ଆଇଆଇସି ସଂଧ୍ୟାରାଣୀ ଜେନା ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏକ ପାରିବାରିକ କଳହକୁ ନେଇ ଅଭିଯୋଗ କରିବାକୁ ଆସିଥିଲେ ଗିରିଆପାହୀ ଗାଁର ୫୮ ବର୍ଷୀୟ ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ଅନନ୍ତ ।

ଅଭିଯୋଗ ଅନୁସାରେ ସଂଧ୍ୟାରାଣୀ ଏତଲା ନରଖି ମାଆ ପୁଅଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ନିସ୍ତୁକ ମାଡ଼ ମାରିଥିଲେ । ଅନ୍ନପୂର୍ଣ୍ଣାଙ୍କ ଚୁଟି ଘୋଷାଡ଼ି ଅର୍ଦ୍ଧ ଉଲଗ୍ନ କରି ଚାପୁଡା ମାରିବା ସହିତ ମହିଳାଙ୍କ ମଥାରୁ ସିନ୍ଦୁର ପୋଛି ଦେଇଥିଲେ । ପୁଅ ଅନନ୍ତଙ୍କୁ ଥାନାର ପାଇଖାନା ଭିତରେ ପୁରାଇ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ଜୀବନରୁ ମାରି ଦେବାକୁ ଓ ମିଛ କେସରେ ଫସାଇ ଦେବାକୁ ଧମକ ଦେଇଥିଲେ। ଏସବୁର ଭିଜୁଆଲ ଭାଇରାଲ ହୋଇଥିଲା। ଏସପିଙ୍କ ତଦନ୍ତ ବେଳେ ସିସିଟିଭି ଫୁଟେଜ ଥାନାରୁ ହଟାଇ ଦେଇଥିବାର ପ୍ରମାଣ ମିଳିଥିଲା। ଗତ ୨୭ ତାରିଖରେ ସଂଧ୍ୟାରାଣୀଙ୍କୁ ଡିଜିପି ସସପେଣ୍ଡ କରିଥିଲେ। କିନ୍ତୁ ମାମଲା ରୁଜୁ ହୋଇନଥିଲା। ଏତେ ଦିନ ପରେ ମାମଲା ରୁଜୁ ହୋଇଛି।

ସାହିକୁ ନାହିଁ ପକ୍କା ରାସ୍ତା : ବଣଜଙ୍ଗଲ ଘେରା ପରିବେଶ ଦେଇ ଯାଆସ କରୁଛନ୍ତି ଲୋକେ

ସାହିକୁ ନାହିଁ ପକ୍କା ରାସ୍ତା । ବଣଜଙ୍ଗଲ ଘେରା ପରିବେଶ ଦେଇ ଯାଆସ କରୁଛନ୍ତି ଲୋକେ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ବାରିଆ ଚିଲିଆ ସାହିକୁ ନାହିଁ ରାସ୍ତା । ସାହିରେ ୩୦ ରୁ ଅଧିକ ପରିବାର ବସବାସ କରୁଛନ୍ତି । ହେଲେ ସାହିକୁ ରାସ୍ତା ଖଣ୍ଡିଏ ନାହିଁ । ବାରିଆ ଠାରୁ ୨ କିଲୋମିଟର ଦୂରରେ ଥିବା ଚିଲିଆ ସାହିକୁ ଯିବାକୁ ହେଲେ ଜଙ୍ଗଲିଆ ପାଦ ଚଲା ରାସ୍ତାରେ ଯିବାକୁ ପଡ଼େ । ଖରାଦିନେ ଯେଣତେଣ ପ୍ରକାରେ ଲୋକେ ଯାଆସ ତ କରିଦିଅନ୍ତି । ବର୍ଷା ଦିନେ ଯାତାୟତ କରିବା ମୁସ୍କିଲ ହୋଇଯାଏ । ଛାତ୍ରଛାତ୍ରୀଙ୍କ ପାଠପଢା ଏକ ପ୍ରକାର ଠପ ହୋଇପଡ଼େ । ଆମ୍ବୁଲାନ୍ସ ଯାଇ ପାରେ ନାହିଁ । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି ହେଲେ ଫଳ ଶୂନ । ଅନ୍ୟପଟେ ଜଙ୍ଗଲ ପାଇଁ ରାସ୍ତା ନିର୍ମାଣ ହୋଇପାରିନାହିଁ । ଏନେଇ ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସରପଞ୍ଚ ।

ଭତ୍ତା ପାଇଁ ହୀନସ୍ତା, ହିତାଧିକାରୀଙ୍କୁ ମିଳୁନି ଦୁଇ ମାସର ଭତ୍ତା ଟଙ୍କା

ପିପିଲି  : ଭତ୍ତା ପାଇଁ ହୀନସ୍ତା । ହିତାଧିକାରୀଙ୍କୁ ମିଳୁନି ଦୁଇ ମାସର ଭତ୍ତା ଟଙ୍କା । ଡହ ଡହ ଖରାରେ ବ୍ଲକ, ପଞ୍ଚାୟତ ଅଫିସ ଓ ବ୍ୟାଙ୍କକୁ ଦୌଡ଼ି ନିରାଶ ହୋଇ ଫେରୁଛନ୍ତି ହିତାଧିକାରୀ । ପିପିଲି ବ୍ଲକର ପ୍ରାୟ ୯ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇନାହିଁ ଭତ୍ତା ଟଙ୍କା । କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଖାତାକୁ ସିଧାସଳଖ ଯାଉଥିବା ହିତାଧିକାରୀଙ୍କ ଟଙ୍କା ଅଟକି ରହିଛି । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୃଦ୍ଧ ଓ ବୃଦ୍ଧା । ହିତାଧିକାରୀଙ୍କୁ ଏକକାଳୀନ ଦୁଇ ମାସର ଭତ୍ତା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି ବିଜେଡି ଜିଲ୍ଲା ପରିଷଦ ସଭ୍ୟ । ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ପିପିଲି ବିଡ଼ିଓ ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’ : ଷ୍ଟେ ଅର୍ଡର ସତ୍ତ୍ଵେ ଜମିରେ ହେଉଛି କାମ

ଫୁଲବାଣୀ : ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’ । ଷ୍ଟେ ଅର୍ଡର ସତ୍ତ୍ଵେ ଜମିରେ ହେଉଛି କାମ । ଲୋକଙ୍କ ସରକାରରେ ଚାଷୀ ହଟହଟା । ବିନା ନୋଟିସରେ ୨୦ ଏକର ଜମିକୁ କରାଯାଇଛି ହଡ଼ପ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା NACରୁ ଆସିଛି ସାଂଘାତିକ ଅଭିଯୋଗ । ଦଣ୍ଡପଦର NH-୫୯ ନିକଟରେ ଥିବା ୨୦ ଏକର ଜମିକୁ ଦୀର୍ଘ ବର୍ଷ ତଳେ ତତ୍କାଳୀନ ସରକାର ୩୧ ଜଣ ଆଦିବାସୀଙ୍କୁ ଦେଇଥିଲେ । ସେହି ଜମିକୁ ତହସିଲଦାର ଚଞ୍ଚକତା କରି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ କରିଦେଇଥିବା ଅଭିଯୋଗ ହୋଇଛି । ସେଠାରେ ମାଟି ପକାଇ ପେଟ୍ରୋଲ ପମ୍ପ କରାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଦୀର୍ଘ ବର୍ଷ ଧରି ଚାଷ କରୁଥିବା ଚାଷୀଙ୍କ ହାତରୁ କିଭଳି ଚାଲିଗଲା ଜମି ? ବିନା ନୋଟିସରେ ଜମି ଅନ୍ୟ ନାଁରେ ହେଲା କେମିତି ? ଘଟଣାକୁ ନେଇ ହିତାଧିକାରୀ ମାନେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣିଲେଣି । ଜିଲ୍ଲା ପ୍ରଶାସନ ପାଖରୁ ନିରାଶ ହୋଇ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ ଚାଷୀ । ହାଇକୋର୍ଟ ଉକ୍ତ ଜାଗା ଉପରେ ଷ୍ଟେ ଅର୍ଡର ଲଗାଇକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ତଥାପି ପ୍ରଶାସନ ନିର୍ଦ୍ଦେଶନାମାକୁ ମାନୁ ନାହାନ୍ତି । ଚାଷ ଜମିକୁ କିଭଳି ହସ୍ତାନ୍ତର କରାଗଲା ? ହିତାଧିକାରୀଙ୍କୁ କୌଣସି ସୂଚନା ଦିଆଗଲା ନାହିଁ । ଯେଉଁ ଫାଇଲରେ ୩୧ ଜଣଙ୍କୁ ପଟ୍ଟା ଦିଆଯାଇଥିଲା । ଉକ୍ତ ଫାଇଲ ହଜିଯାଇଥିବା କହି ନୂଆ ଫାଇଲ ମାଧ୍ୟମରେ ଘୋଟାଲା କରାଯାଇଥିବା ଅଭିଯୋଗ ହୋଇଛି । କେବେ ଘଟଣାର ତଦନ୍ତ ହେଉଛି ? ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ? ତାକୁ ହିଁ ଅପେକ୍ଷା ।

ସୂର୍ଯ୍ୟମୁଖୀ ଚାଷରୁ ବିମୁଖ ଚାଷୀ : ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷରୁ ଫେରାଇଲେଣି ମୁହଁ

ଧର୍ମଗଡ : ମିଳୁନି ସରକାରୀ ପ୍ରୋତ୍ସାହନ । ସୂର୍ଯ୍ୟମୁଖୀ ଚାଷରୁ ବିମୁଖ ଚାଷୀ । ବିଜେଡି ସରକାରରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼, ଗୋଲାମୁଣ୍ଡା ଓ ଜୁନାଗଡ଼ ବ୍ଲକର ୨୫ ଶହ ହେକ୍ଟର ଜମିରେ ଲହଡ଼ି ଭାଙ୍ଗୁଥିଲା ସୁନାର ଫସଲ । ଚାଷୀ ସ୍ଵଳ୍ପ ପରିଶ୍ରମ କରି ବେଶ ଲାଭବାନ ହେଉଥିଲେ । କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଇନପୁଟ ସବସିଡ଼ି ଯୋଗାଇ ଦିଆଯାଉଥିଲା । ହେଲେ ସରକାର ବଦଳିବା ପରେ ମିଳୁନି ସବସିଡ଼ି । ଫଳରେ ଚାଷୀ ସୂର୍ଯ୍ୟମୁଖୀ ଚାଷରୁ ମୁହଁ ଫେରାଉଥିବା ଅଭିଯୋଗ ।

ପୂର୍ବ ସରକାରରେ କିଏ ଦୁଇ ଏକର ତ ଆଉ କିଏ ପାଞ୍ଚ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରୁଥିଲେ । ପ୍ରୋତ୍ସାହନ ସହ ବିକ୍ରିବଟା ସୁବିଧା ନଥିବାରୁ ଚାଷୀ ଚଳିତ ବର୍ଷ ପୂର୍ବ ଭଳି ଚାଷ କରି ନାହାନ୍ତି । ନିଜ ଆବଶ୍ୟକତା ପୂରଣ ପାଇଁ ଅଳ୍ପ ଜମିରେ ଚାଷ କରିଛନ୍ତି । ଅନ୍ୟପଟେ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଇଛି । ଆହୁରି ସରକାରୀ ସୁବିଧା ପାଇବେ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ । ପୂର୍ବ ସରରାକଙ୍କ ଉଦ୍ୟମରେ କଳାହାଣ୍ଡି ଜିଲ୍ଲାର ଚାଷୀ ବିକାଶର ମାଇଲ ଖୁଣ୍ଟ ଚଢୁଥିଲେ । ଧାନ କପା ଓ ମକା ପରେ ସୂର୍ଯ୍ୟମୁଖୀ ଚାଷ କରି ସ୍ଵାବଲମ୍ବୀ ହେଉଥିଲେ । ଏବେ ନିରାଶ ହୋଇ ହାତ ବାନ୍ଧି ବସୁଥିବା ଅଭିଯୋଗ ହୋଇଛି ।…

ତ୍ବିଷା ଶର୍ମା ମୃତ୍ୟୁ ମାମଲା : ଭୋପାଳସ୍ଥିତ ଗିରିବାଳା ସିଂଙ୍କ ଘରେ ସିବିଆଇ ଟିମର ଛାନବିନ

ନନ୍ଦିଘୋଷ ବ୍ୟୁରୋ : ବହୁଚର୍ଚ୍ଚିତ ତ୍ବିଷା ଶର୍ମା ମୃତ୍ୟୁ ମାମଲା। ଭୋପାଳସ୍ଥିତ ଗିରିବାଳା ସିଂଙ୍କ ଘରେ ସିବିଆଇ ଟିମର ଛାନବିନ। ସ୍ବାମୀ ସମର୍ଥ ସିଂଙ୍କୁ କରାଯାଇଥିବା ଜେରା ଅନୁସାରେ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛି ସିବିଆଇ। ତ୍ବିଷାଙ୍କ ମୃତ୍ୟୁ ପରେ ୨ ଦିନ ଧରି ଭୋପାଳରେ ରହିଥିଲେ ସ୍ବାମୀ ସମର୍ଥ। ଏହା ପରେ ସେ ଜବଲପୁର ଯାଇ ସେଠାରେ ଏକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହି କ୍ଷେତ୍ରରେ ସମର୍ଥଙ୍କୁ କେଉଁମାନେ ସହଯୋଗ କରିଥିଲେ ତାହାର ଖୋଳତାଡ଼ କରୁଛି ସିବିଆଇ। ଭୋପାଳ ଓ ଜବଲପୁରରେ ସମର୍ଥଙ୍କୁ କେଉଁମାନେ ସହଯୋଗ କରୁଥିଲେ ସେ ସମ୍ପର୍କରେ ଯାଞ୍ଚ କରୁଛି ସିବିଆଇ। ଏହି ଘଟଣା ସହ ସମ୍ପୃକ୍ତ ଥିବା କିଛି ଡାକ୍ତରଙ୍କୁ ସିବିଆଇ ଜେରା କରିବ ବୋଲି ସୂଚନା ମିଳିଛି। ତ୍ବିଷା ଡ୍ରଗ୍ସ ଖାଉଥିଲେ ବୋଲି ଗିରିବାଳା ଯେଉଁ ଅଭିଯୋଗ କରୁଥିଲେ ସେ ସମ୍ପର୍କରେ ବି ସିବିଆଇ ଟିମ୍ ଯାଞ୍ଚ କରୁଛି। ସେହିପରି ତ୍ବିଷାଙ୍କ ଗର୍ଭପାତ ସମ୍ପର୍କରେ ବି ପରିବାର ଲୋକଙ୍କୁ ଜେରା କରୁଛି ସିବିଆଇ। ଏହି ଘଟଣାରେ ଗତ ମେ ୨୮ ତାରିଖରେ ଗିରିବାଳା ସିଂଙ୍କୁ ଗିରଫ କରିଥିଲା ସିବିଆଇ।

ଗଂଜାମ ହାଜତ ମୃତ୍ୟୁ : ବର୍ଷିଲେ ମାନସ ମଙ୍ଗରାଜ

ଭୁବନେଶ୍ବର : ଗଂଜାମ କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଅଭିଯୋଗ ନେଇ ବର୍ଷିଛନ୍ତି ବିଜେଡି ସଂସଦୀୟ ଦଳ ନେତା ମାନସ ରଂଜନ ମଙ୍ଗରାଜ। ସୋସିଆଲ ମିଡିଆରେ ସେ ପୋଷ୍ଟ କରିଛନ୍ତି, ହାଜତ ମୃତ୍ୟୁ କେବଳ ଏକ ଅପରାଧ ନୁହେଁ, ଏହା ହେଉଛି ସମ୍ବିଧାନର ଧାରା ୨୧ ପ୍ରଦାନ କରିଥିବା ଜୀବନ ପ୍ରତି ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା ଭଳି ମୌଳିକ ସାମ୍ଵିଧାନିକ ଅଧିକାରର ଉଲ୍ଲଂଘନ । ଯେତେବେଳେ ପୋଲିସ ହାଜତରେ ଜଣକର ମୃତ୍ୟୁ ହୁଏ, ଏହା ଦେଶର ଆଇନ ବ୍ୟବସ୍ଥା, ମାନବିକ ସମ୍ମାନ ଉପରେ ପ୍ରଶ୍ନ ଉଠାଇଥାଏ। ଗଂଜାମ ଜିଲ୍ଲାରେ ପୋଲିସ ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ ହେଉଛି ମାନବିକ ଅଧିକାର ଉଲ୍ଲଂଘନର ସବୁଠୁ ଖରାପ ନିଦର୍ଶନ। ଓଡ଼ିଶା ସରକାର ଏହାର ସ୍ଵଚ୍ଛ ଓ ନିରପେକ୍ଷ ତଦନ୍ତ କରାନ୍ତୁ। ଯିଏ ବି ଦାୟୀ ହୋଇଥାଉ, ତା ବିରୋଧରେ କଡ଼ା ଆକ୍ସନ ନିଆଯାଉ ବୋଲି ଦାବି କରିଛନ୍ତି ମାନସ ରଂଜନ ମଙ୍ଗରାଜ।

ପ୍ରସିଦ୍ଧ ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ : ପ୍ରସିଦ୍ଧ ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ । ୮୯ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସ ଭବନରେ ପରଲୋକ । ବୟସାଧିକ କାରଣରୁ ଅସୁସ୍ଥ ଥିଲେ । ତାଙ୍କ ଜନ୍ମ ୨୮ ଜାନୁଆରୀ ୧୯୩୭ ବାଂଲାଦେଶର ଢାକାରେ ହୋଇଥିଲା ।ଆଜକଲ ତେରେମେରେ ପ୍ଯାରକେ ଚର୍ଚ୍ଚେ, ନାନା କରକେ ପ୍ଯାର ତୁମିସେ କରବୈଠେ, ତୁମନେ ପୁକାରା ଔର ହମ ଚଲେ ଆଏ ପରି ଅନେକ ଗୀତରେ ତାଙ୍କର କଣ୍ଠର ଯାଦୁ ଆଜି ମଧ୍ଯ ଲୋକଙ୍କୁ ଆକର୍ଷିତ କରୁଛି । ସଂଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ଯୋଗୁଁ ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ତାଙ୍କର ମୃତ୍ୟ୍ରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି । ସୁମନ ହିନ୍ଦୀ, ମରାଠୀ, ଅସମିଆ, କନ୍ନଡ, ମୈଥିଲୀ, ଭୋଜପୁରୀ, ରାଜସ୍ଥାନୀ, ବଙ୍ଗାଳୀ ଓ ଓଡ଼ିଆରେ ଅନେକ ଗୀତ ଗାଇଛନ୍ତି । ୧୯୭୪ରେ ଫିଲ୍ମ ରେଶମ କୀ ଡୋରୀ ପାଇଁ ଗାଇଥିବା ଗୀତ ବେହେନା ନେ ଭାଇକି କଲାଇ ବହୁତ ଲୋକପ୍ରିୟ ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ବେଷ୍ଟ ଫିମେମ ପ୍ଲେବ୍ଯାକ ସିଙ୍ଗର ଭାବେ ସମ୍ମାନୀତ କରାଯାଇଥିଲା ।

ନୂଆ ଦଳ ଗଢ଼ିବେ କି ତାମିଲନାଡୁ ବିଜେପି ନେତା କେ. ଆନ୍ନାମଲାଇ?

ନନ୍ଦିଘୋଷ ବ୍ୟୁରୋ : ନୂଆ ଦଳ ଗଢ଼ିବେ କି ତାମିଲନାଡୁ ବିଜେପି ନେତା କେ. ଆନ୍ନାମଲାଇ? ପୂର୍ବତନ ରାଜ୍ୟ ସଭାପତି ଆନ୍ନାମଲାଇ ନୂଆ ଦଳ ଗଠନ କରିବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି। କୋଏମ୍ବାଟୁରରେ ଏନେଇ କିଛି ପୋଷ୍ଟର ମରାଯିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। କୋଏମ୍ବାଟୁରରେ ରାଜ୍ୟ ବିଜେପିର କେନ୍ଦ୍ରୀୟ କମିଟି ବୈଠକ ଚାଲିଥିବାବେଳେ ଆନ୍ନାମଲାଇ ଅନୁପସ୍ଥିତ ଅଛନ୍ତି। ସେ ବିଦେଶରେ ଥିବା ଚର୍ଚ୍ଚା ହେଉଛି। ଆନ୍ନାମଲାଇଙ୍କ ସମର୍ଥକମାନେ କହିଛନ୍ତି- ଆନ୍ନାମଲାଇ ଅନବୁ କୁଟ୍ଟମ ନାମକ ସାମାଜିକ ସଂଗଠନ ପକ୍ଷରୁ ନୂଆ ସଦସ୍ୟ ଗ୍ରହଣ କରାଯାଉଥିବା ସହ କର୍ମକର୍ତ୍ତା ଚୟନ କରାଯାଉଛି। ଆନ୍ନାମଲାଇ ବର୍ତ୍ତମାନ ସୁଦ୍ଧା ୨ଟି ରାଜ୍ୟ କେନ୍ଦ୍ରୀୟ କମିଟି ବୈଠକରୁ ଦୂରେଇ ରହିଲେଣି। ସେପଟେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ ଟୁଇଟ ଜରିଆରେ କହିଛନ୍ତି- ରାଜ୍ୟରେ ଆଉ ଏକ ରାଜନୈତିକ ଦଳ ଜନ୍ମ ନେବାକୁ ଯାଉଛି। କାର୍ତ୍ତିଙ୍କ ଏହି ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି। ତେଣେ ବିଜେପି ଜାତୀୟ ସଭାପତି ନୀତିନ ନବୀନଙ୍କୁ ଦିଲ୍ଲୀରେ ଆନ୍ନାମଲାଇ ଭେଟିବେ ବୋଲି ସୂଚନା ମିଳିଛି। କେନ୍ଦ୍ରର ତ୍ରିଭାଷା ନୀତିକୁ ବିରୋଧ କରୁଛନ୍ତି ଆନ୍ନାମଲାଇ। ଗତ ସପ୍ତାହରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ନିକଟରେ ଏହି ନୀତିକୁ ପ୍ରତ୍ୟାହାର କରିବା ଲାଗି ଦାବି କରିଥିଲେ ଆନ୍ନାମଲାଇ। ଗତ ମେ ୧୫ରେ ସିବିଏସଇ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ନବମ ଶ୍ରେଣୀରେ ଆସନ୍ତା ଜୁଲାଇ ୧ରୁ ଥାର୍ଡ ଲାଙ୍ଗୁଏଜକୁ ବାଧ୍ୟତାମୂଳକ କରାଯିବ। ମାତ୍ର ତାମିଲନାଡୁର ଅଧିକାଂଶ ଛାତ୍ରଛାତ୍ରୀ ଷଷ୍ଠ ଶ୍ରେଣୀରୁ ଏକ ଭାଷା ଚୟନ କରିଥିବାରୁ କେନ୍ଦ୍ର ଏହି ନିର୍ଦ୍ଦେଶ ସମସ୍ଯା ସୃଷ୍ଟି କରିବାକୁ ଯାଉଛି। ୨୦୨୯-୩୦ ଶିକ୍ଷା ବର୍ଷରୁ ଏହି ନୀତି କାର୍ଯ୍ୟକାରୀ କରିବା ଲାଗି ସେ ଦାବି କରିଥିଲେ।