spot_img
Home Blog Page 22

ଜାମୁକୋଳି ଖାଇସାରି ମଞ୍ଜି ଫିଙ୍ଗନ୍ତୁ ନାହିଁ; ଏହି ଉପାୟରେ ପୁନଃ ବ୍ୟବହାର କରନ୍ତୁ

ନନ୍ଦିଘୋଷ ବ୍ୟୁରୋ:  ଗ୍ରୀଷ୍ମ ଓ ବର୍ଷା ଋତୁରେ ଜାମୁକୋଳି ବଜାରରେ ପ୍ରଚୁର ପରିମାଣରେ ମିଳିଥାଏ। ଏହାର ମିଠା-ଖଟା ସ୍ୱାଦ ଲୋକମାନଙ୍କୁ ବହୁତ ଆକର୍ଷିତ କରେ। ସାଧାରଣତଃ ଜାମୁକୋଳି ଖାଇସାରି ବିହନଗୁଡ଼ିକୁ ଫିଙ୍ଗି ଦିଆଯାଏ, କିନ୍ତୁ ଏହି ବିହନର ଅନେକ ଉପକାରିତା ରହିଛି। ଆୟୁର୍ବେଦରେ ମଧ୍ୟ ଜାମୁନ ବିହନର ବ୍ୟବହାର ବହୁ ବର୍ଷ ଧରି ହୋଇଆସୁଛି।

ଜାମୁନ ବିହନ ପାଉଡର ତିଆରି କରନ୍ତୁ

ପ୍ରଥମେ ବିହନଗୁଡ଼ିକୁ ଭଲ ଭାବରେ ଧୋଇ ୪–୫ ଦିନ ଖରାରେ ଶୁଖାଇ ଦିଅନ୍ତୁ। ସମ୍ପୂର୍ଣ୍ଣ ଶୁଖିଗଲା ପରେ ସେଗୁଡ଼ିକୁ ଗୁଣ୍ଡ କରି ପାଉଡର ତିଆରି କରନ୍ତୁ ଏବଂ ଏକ ବନ୍ଦ ପାତ୍ରରେ ସଂରକ୍ଷଣ କରନ୍ତୁ।

ହର୍ବାଲ ପାନୀୟ ଭାବେ ବ୍ୟବହାର

ଏକ ଗ୍ଲାସ ଉଷୁମ ପାଣିରେ ଅଧା ଚାମଚ ଜାମୁନ ବିହନ ପାଉଡର ମିଶାଇ ପିଇପାରିବେ। ଅନେକ ଲୋକ ଏହାକୁ ସୁସ୍ଥ ଜୀବନଶୈଳୀର ଅଂଶ ଭାବେ ଗ୍ରହଣ କରନ୍ତି।

ହର୍ବାଲ ଚା’ରେ ମିଶାନ୍ତୁ

ଜାମୁନ ବିହନ ପାଉଡରକୁ ହର୍ବାଲ ଚା’ରେ ମିଶାଇଲେ ଚା’ର ସ୍ୱାଦ ଅଧିକ ଭିନ୍ନ ଓ ଆକର୍ଷଣୀୟ ହୋଇଥାଏ।

ଗଛ ପାଇଁ ଜୈବିକ ସାର

ବିହନଗୁଡ଼ିକୁ ଶୁଖାଇ ଗୁଣ୍ଡ କରି ଗଛର ମାଟିରେ ମିଶାଇ ଦିଅନ୍ତୁ। ଏହା ଜୈବିକ ସାର ଭାବେ କାମ କରି ଗଛର ବୃଦ୍ଧିରେ ସାହାଯ୍ୟ କରେ।

ନୂଆ ଜାମୁନ ଗଛ ଲଗାନ୍ତୁ

ସତେଜ ଜାମୁନ ବିହନକୁ ମାଟିରେ ପୋତି ନିୟମିତ ପାଣି ଦେଲେ ଏବଂ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ମିଳିଲେ କିଛି ସପ୍ତାହ ମଧ୍ୟରେ ଚାରା ଗଜିଉଠିବ। ଏହିପରି ଭାବରେ ଆପଣ ନିଜ ଘରେ ଏକ ନୂଆ ଜାମୁନ ଗଛ ଲଗାଇପାରିବେ।

ଶିକ୍ଷକ ଆଶାୟୀ ସଂଘର ଅଲ୍ଟିମେଟମ, ଜୁନ ୨୨ ସୁଦ୍ଧା ନୂତନ ପଦବୀ ପୂରଣ ପାଇଁ ମହଲତ

ଭୁବନେଶ୍ବର : ରାଜ୍ଯ ସରକାରଙ୍କୁ ଶିକ୍ଷକ ଆଶାୟୀ ସଂଘର ଅଲ୍ଟିମେଟମ । ଜୁନ ୨୨ ସୁଦ୍ଧା ନୂତନ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ କରିବାକୁ ଦେଲା ମହଲତ । ୪ ଦିନ ଭିତରେ ବିଜ୍ଞାପନ ପ୍ରଶା ନପାଇଲେ ୨୫ରୁ ରାଜରାସ୍ତାରେ ଆମରଣ ଅନଶନ କରିବେ ଦେଢ଼ ଲକ୍ଷ ଆଶାୟୀ । ଏ ନେଇ ଭୁବନେଶ୍ୱର ରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଅଲ ଓଡିଶା ଶିକ୍ଷକ ଆଶାୟୀ ସଙ୍ଘ । ବର୍ତ୍ତମାନ ସୁଦ୍ଧା ଯେଉଁ ୨୬ ହଜାର ଶିକ୍ଷକ ନିଯୁକ୍ତି ହୋଉଛି ଏହା ପୂର୍ବ ସରକାରଙ୍କ ସମୟରେ ବିଜ୍ଞାପନ ପ୍ରକାଶ ପାଇଥିଲା । ନୂଆ ସରକାର ଏହି ନିଯୁକ୍ତି ଦେଇ ବାହାବା ନେବାକୁ ଚେଷ୍ଟା କରୁଛନ୍ତି l ରାଜ୍ୟରେ ଏକ ଲକ୍ଷ ୨୦ ହଜାର ଶିକ୍ଷକ ଆଶାୟୀ କ୍ବାଲିଫାଏ କରିଥିବା ବେଳେ OTET ଓ OSSTET ପରୀକ୍ଷା ଦେଇ ନିଯୁକ୍ତି ପାଇବା ଆଶାରେ ଅପେକ୍ଷାରେ ରହିଛନ୍ତି । ପ୍ରତିବର୍ଷ ୧୫ ହଜାର ଲେଖାଏଁ ଶିକ୍ଷକ ନିଯୁକ୍ତି କରିବେ ଓ ୩ ବର୍ଷ ରେ ୪୫ ହଜାର ଶିକ୍ଷକ ନିଯୁକ୍ତି ନେଇ ଘୋଷଣା କରିଥିଲେ ବିଜେପି ସରକାର । ରାଜ୍ୟର ବିଭିନ୍ନ ହାଇସ୍କୁଲରେ ୧୨ ହଜାର ଶିକ୍ଷକ ପଦବୀ ଖାଲି ଥିବା ବେଳେ ଆସିଷ୍ଟାଣ୍ଟ ଶିକ୍ଷକ ପାଇଁ ୧୫ ହଜାର ଶିକ୍ଷକ ପଦବୀ ଖାଲି ରହିଛି । ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଏକ ହଜାର ୮୩୧ ପଦବୀ ଖାଲି ରହିଛି । ଏହି ପଦବୀରେ ନିଯୁକ୍ତି ପାଇଁ ଜୁନ ୨୨ ତାରିଖ ଭିତରେ ବିଜ୍ଞପ୍ତି ପ୍ରକାଶ କରିବାକୁ ମହଲତ ଦେଇଛି ସଂଘ ।

ପୂର୍ବ ସରକାର ଯୋଗାଇ ଦେଇଥିଲେ ଭିତ୍ତିଭୂମି, ଲାଭ ଉଠାଉଛନ୍ତି କ୍ରୀଡ଼ାବିତ

ଜୟପୁର : ଭିତ୍ତିଭୂମି ଯୋଗାଇଥିଲେ ପୂର୍ବ ସରକାର । ଲାଭ ପାଉଛନ୍ତି କୋରାପୁଟର କ୍ରୀଡ଼ାବିତ । ଜିମ୍ନାଷ୍ଟିକ ପାଇଁ ମିଳୁଛି ପ୍ରଶିକ୍ଷଣ ଓ ଅଭ୍ୟାସର ସୁଯୋଗ । ରାଜ୍ଯ ତଥା ରାଜ୍ଯ ବାହାରେ ଖେଳି ଆଣୁଛନ୍ତି ସୁନାମ । କୋରାପୁଟ ଜିଲ୍ଲାର ଗ୍ରାମାଞ୍ଚଳ ଖେଳାଳିଙ୍କ ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପୁର ସହରରେ ଶହ କୋଟି ଟଙ୍କା ବ୍ୟୟରେ ଏକ ସ୍ପୋର୍ଟ କମ୍ପ୍ଲେସ୍କ୍ ନିର୍ମାଣ କରିଥିଲେ । ସେଥିରେ ଜିମ୍ନାଷ୍ଟିକ ଭଳି ଖେଳକୁ ପ୍ରାଧାନ୍ୟ ଦିଆଯ଼ାଇଥିଲା । ଇଣ୍ଡୋର ଷ୍ଠାଡିୟମରେ ଅନେକ ଖେଳାଳି ଅଭ୍ୟାସ କରିବା ସହ ପାଉଛନ୍ତି ପ୍ରଶିକ୍ଷଣ । ଉନ୍ନତ ବ୍ଯବସ୍ଥା ଯୋଗୁଁ ଜିମ୍ନାଷ୍ଟିକ ପ୍ରତି ବଢୁଛି ଖେଳାଳିଙ୍କ ଆଗ୍ରହ । ପ୍ରତି ବର୍ଷ ସମର କ୍ଯାମ୍ପ ମାଧ୍ୟମରେ ୫ ବର୍ଷରୁ ୧୦ ବର୍ଷ ମଧ୍ୟରେ ବହୁ କ୍ରିଡାବିତ୍ ଏଥାରେ ପ୍ରଶିକ୍ଷଣ ପାଉଛନ୍ତି । ଏଥିପାଇଁ ୪ ଜଣ ପ୍ରଶିକ୍ଷକ ନିଯୁକ୍ତି ପାଇଛନ୍ତି । ଗତ ୩ ବର୍ଷ ମଧ୍ୟରେ ଅନେକ ଖେଳାଳି ଏଠାରୁ ରାଜ୍ଯ ତଥା ରାଜ୍ଯ ବାହାରେ ଖେଳି ସୁନାମ ଅର୍ଜନ କରିଛନ୍ତି । ଏଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖେଳାଳି ।
୨୦୨୩ରେ ଭିତ୍ତିଭୁମି ନିର୍ମାଣ ପରେ ୨୦୨୪ରୁ ଏଠାରେ ଦିଆଯ଼ାଉଛି କୋଚିଂ। ଚଳିତବର୍ଷ ସମର କ୍ୟାମ୍ପରେ ୧୬୦ ଜଣ ଖେଳାଳି ଯୋଗ ଦେଇଛନ୍ତି । ଏହାସହ ନିୟମିତ ଭାବେ ୭୦ ଜଣ ଖେଳାଳି କୋଚିଂ ନେଉଛନ୍ତି । କ୍ୟାମ୍ପରେ ଜୟପୁର ତହସିଲଦାର ଯ଼ୋଗଦେଇ କ୍ରିଡାବିତଙ୍କୁ ଉତ୍ସାହିତ କରିଛନ୍ତି । ଆଗାମୀ ଦିନରେ ଜିମ୍ନାଷ୍ଟିକରେ କୋରାପୁଟ ଜିଲ୍ଲା ଏକ ସ୍ବତନ୍ତ୍ର ସ୍ଥାନ ପାଇବ ବୋଲି କହିଛନ୍ତି କ୍ରୀଡ଼ାବିତ୍ ।

ଆଜି ଶୀତଳଷଷ୍ଠୀରେ ଦେବୀ ପାର୍ବତୀଙ୍କୁ ବିବାହ କରିବେ ମହାଦେବ

ସମ୍ବଲପୁର : ସଜେଇ ହେଲେଣି ଭୋଳାବାବା । ପ୍ରସ୍ତୁତ ବରଯାତ୍ରୀ । ଦେବୀ ପାର୍ବତୀଙ୍କ ସହ ହେବ ମହାଦେବଙ୍କ ବିବାହ । ବରଯାତ୍ରୀରେ ସାମିଲ ଦେବତା, ଦାନବ, ମାନବ, ଯକ୍ଷ, ଗନ୍ଧର୍ବ, କିନ୍ନରଙ୍କ ସହ ସମସ୍ତ ଜୀବଯନ୍ତୁ । ଶିବ-ପାର୍ବତୀଙ୍କ ଏହି ଦୁଲ୍ଲଭ ପରିଣୟ ଦେଖିବାକୁ ସଭିଏଁ ବ୍ଯାକୁଳ । ସମ୍ବଲପୁର ବୁଢ଼ାରଜା, ନନ୍ଦପଡ଼ା, ମୁଦିପଡା, ଝାଡୁଆପଡ଼ା, ବଡ଼ବଜାର, ଠାକୁରପଡ଼ା ଯାତ୍ରା କମିଟି ସହ ସମସ୍ତ ମନ୍ଦିରରେ ଜୋରଦାର ପ୍ରସ୍ତୁତି । ବିଶାଳ ପଟୁଆରରେ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ଦେବୀ ପାର୍ବତୀଙ୍କ ପିତ୍ରାଳୟ ଯିବେ ଭୋଳା ଶଙ୍କର । ବିବାହ ପୂର୍ବରୁ ବର ପିତା ଏବଂ କନ୍ୟା ପିତାଙ୍କ ଘରେ ସରିଛି ହଳଦୀ । ବାଜା, ବାଣ, ରୋଷଣୀରେ କମ୍ପିଲାଣି ସାରା ସମ୍ବଲପୁର ସହର ।
ଶୀତଳ ଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଦେବ ବିବାହ ଏବଂ ଶୋଭାଯାତ୍ରା । ଯେଉଁଥିରେ ସାମିଲ ହୋଇଛନ୍ତି ହଜାର ହଜାର କଳାକାର । ପାରମ୍ପରିକ ନାଚ ସହ ବିଭିନ୍ନ ବେଶଭୂଷାରେ ନୃତ୍ୟ କରିବେ ଶ୍ରଦ୍ଧାଳୁ । ଯାତ୍ରାର ମୁଖ୍ୟ ଆକର୍ଷଣ ରହିବ କିନ୍ନରଙ୍କ ଶୋଭାଯାତ୍ରା । ଏଥିପାଇଁ ରାଜ୍ଯ ତଥା ରାଜ୍ଯ ବାହାର କିନ୍ନର ଏକାଠି ହୋଇଛନ୍ତି । ବିବାହ ପୂର୍ବରୁ ବର ଓ କନ୍ୟାଙ୍କ ଘରେ ଜମିଥିଲା ତେଲ ହଳଦୀ । ଦେବ ବିବାହର ଏହି ଦୁଲ୍ଲଭ କାର୍ଯ୍ଯକ୍ରମରେ ଯୋଗଦେଇ ନିଜକୁ ଧନ୍ୟ ମନେ କରିଥିଲେ ସମ୍ପର୍କୀୟ, ବନ୍ଧୁବାନ୍ଧବ । ମାତାଙ୍କୁ ହଳଦୀ ଦେବା ସହ ନିଜେ ହଳଦୀଖେଳି ଖୁସି ମନାଇଥିଲେ ସଭିଏଁ । ମଧ୍ୟରାତ୍ରୀରେ ଦେବ ବିବାହ ସରିବା ପରେ ଆସନ୍ତାକାଲି ନବ ଦମ୍ପତିଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ସଂଧ୍ୟାରେ ନଗର ଭ୍ରମଣରେ ବାହାରିବେ ଦେବ ଦମ୍ପତି । ଦୁଇଦିନ ନଗର ଭ୍ରମଣ ପରେ ୨୦ ତାରିଖରେ ହେବ ମନ୍ଦିର ପ୍ରବେଶ । ଏଥିପାଇଁ ଜିଲ୍ଲା ପ୍ରସାସନ ପକ୍ଷରୁ କରାଯାଇଛି ସମସ୍ତ ବ୍ଯବସ୍ଥା ।

ଭୁବନେଶ୍ବର ମଞ୍ଚେଶ୍ବର ଲାଞ୍ଚୁଆ ପୋଲିସ ବାବୁଙ୍କ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ

ଭୁବନେଶ୍ବର : ବାଲିଅନ୍ତାରୁ ବାରଙ୍ଗ, ମୋରଡ଼ାରୁ ମଞ୍ଚେଶ୍ୱର । ନିନ୍ଦା ମୁଣ୍ଡାଉଛି ପୋଲିସ, ବଦନାମ ହେଉଛି ଖାକି । ବେଦରଦି ବର୍ଦ୍ଦିରେ ଲାଗୁଛି ବର୍ବରତାର ଦାଗ । ଭଲକରି ଚିହ୍ନି ରଖନ୍ତୁ ଏ ଦୁଇ ବାବୁଙ୍କୁ । ଇଏ ହେଉଛନ୍ତି ରାଜେଶ କୁଲୁ । ମଞ୍ଚେଶ୍ୱର ଥାନାର ASI। ଆଉ ଇଏ ହେଉଛନ୍ତି ଜ୍ୟୋତିରଞ୍ଜନ ବେହେରା । ମଞ୍ଚେଶ୍ୱର ଥାନାର ହୋମଗାର୍ଡ । ଏକ ଠକେଇ କେସରେ ୨ଟି ସିଜ ମୋବାଇଲକୁ ମୁକୁଳାଇବା ପାଇଁ ପୂର୍ବରୁ ୩୦ ହଜାର ଓ ଗତକାଲି ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଏହି ୨ କରିତକର୍ମାଙ୍କୁ କାବୁ କରିଥିଲା ଭିଜିଲାନ୍ସ । ଦୁହିଁଙ୍କୁ ଆଜି ଭୁବନେଶ୍ୱର ଡିଭିଜନ ପକ୍ଷରୁ ଗିରଫ କରାଯାଇଥିବା ବେଳେ ସେପଟେ ଚାକିରୀରୁ ASI ଜଣଙ୍କୁ ବହିଷ୍କୃତ କରାଯାଇଛି । ଜ୍ୟୋତିରଞ୍ଜନ ଓ ଲାଞ୍ଚ କାରବାରର ମାଷ୍ଟରମାଇଣ୍ଡ ଅବଦୁଲ ସର୍ଫରାଜଙ୍କୁ ଏକ ମାସ ଭିତରେ ପକ୍ଷ ରଖିବା ପାଇଁ ନୋଟିସ୍ ଦିଆଯାଇଛି ।
ପିପୁଲସ ଫ୍ରେଣ୍ଡଲି ହେବାକୁ ସଦାସର୍ବଦା ପ୍ରାଧାନ୍ୟ ଦେଇଛନ୍ତି DGP । କିନ୍ତୁ ବୟାନ ଓ ବାସ୍ତବତା ଭିତରେ ରହୁଛି ଅନେକ ତଫାତ । କେବଳ ଲାଞ୍ଚ ନେବା ନୁହେଁ, ବର୍ବରତା ପାଇଁ ମଧ୍ୟ ମାନବାଧିକାର କମିଶନରେ ପୋଲିସ ବିରୋଧରେ ଗଡୁଛି ସର୍ବାଧିକ ମାମଲା । OHRCରେ ନ୍ୟାୟ ଅପେକ୍ଷାରେ ବର୍ତ୍ତମାନ ୧୫ ହଜାରରୁ ଉର୍ଦ୍ଧ୍ବ ମାମଲା ଗଡୁଥିବା ବେଳେ ସେଥିମଧ୍ୟରୁ ୯ ହଜାର କେବଳ ପୋଲିସ ବିରୋଧରେ । ସେଥିମଧ୍ୟରୁ ଅନେକ ହାଜତ ମୃତ୍ୟୁ ମାମଲା ମଧ୍ୟ ରହିଛି । କମିଶନରେଟ ପୋଲିସରେ ମଧ୍ୟ ସମଦଶା ଦେଖିବାକୁ ମିଳିଛି । ବିଗତ ୮ ବର୍ଷରେ କମିଶନରେଟ ପୋଲିସର ୧୧୦ ରୁ ଉର୍ଦ୍ଧ୍ବ କେସ ଏବେ ମାନବାଧିକାର କମିଶନଙ୍କ ବିଚାରାଧୀନ ରହିଛି । ସେପଟେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଆଇଆଇସି ସୁଜିତ ଦାସଙ୍କ ବିରୋଧରେ ଜଣେ ମହିଳା ସଙ୍ଗିନ ଅଭିଯୋଗ ଆଣିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ସହ ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ।

ପାଠ୍ୟ ପୁସ୍ତକରେ ମୁଦ୍ରଣ ତ୍ରୁଟି ପ୍ରସଙ୍ଗ ;  ଗଠିତ ହେଲା କମିଟି

0

ନନ୍ଦିଘୋଷ ବ୍ୟୁରୋ: ସ୍କୁଲ ବହିରେ ମୁଦ୍ରଣ ତ୍ରୁଟି ପ୍ରସଙ୍ଗ, ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି । ଅନ୍ୟ ଦୁଇ ଜଣ ସଦସ୍ୟ ହେଲେ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗ ଉପ-ସଚିବ ସ୍ମିତା ପାଣି । ସାତ ଦିନ ମଧ୍ୟରେ ଏହି କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ । ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟ ପୁସ୍ତକରେ ବ୍ୟାପକ ମୁଦ୍ରଣ ଜନିତ ତ୍ରୁଟି ଯୋଗୁ ଏ ସମ୍ପର୍କରେ କମିଟି ଗଠନ କରି ତଦନ୍ତ କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଏହି କମିଟି ଗଠନ କରାଯାଇଛି । ଏହି କମିଟି ମୁଦ୍ରଣ ଜନିତ ତ୍ରୁଟିର ତଦନ୍ତ କରି ଏହା କେଉଁ ସ୍ତରରେ ହୋଇଛି ଏବଂ କେଉଁ ଅଧିକାରୀ ବା ସଂସ୍ଥାମାନେ ଦାୟୀ ତାହା ନିର୍ଣ୍ଣୟ କରିବେ ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ମୁଦ୍ରଣ ଜନିତ ତ୍ରୁଟି ଯୋଗୁ ପିଲାମାନଙ୍କ ପାଠ ପଢାରେ ସମସ୍ୟା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଏହା ଉପରେ କଡା ଆଭିମୁଖ୍ୟ ପ୍ରକାଶ କରି ଗତକାଲି ଏ ସମ୍ପର୍କରେ ସମୀକ୍ଷା କରିଥିଲେ । ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ଗୁଡିକୁ ତୁରନ୍ତ ସୁଧାରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ନୂଆଗଡ଼ ଠାରୁ ସେରଙ୍ଗ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ଗଜପତି : ସୁଗମ ହେବ ଗଜପତି ଜିଲ୍ଲାର ଆଭ୍ୟନ୍ତରୀଣ ଗମନାଗମନ । ନୂଆଗଡ ଠାରୁ ସେରଙ୍ଗ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ। ଦୀର୍ଘ ଦିନର ଦାବି ପୂରଣ ହେଉଥିବାରୁ ଖୁସି ଅଞ୍ଚଳବାସୀ। ଗୁମ୍ମା, ନୁଆଗଡ, ରା ଉଦୟଗିରି ଓ ମୋହନା ବ୍ଲକ ସଦର ମହକୁମା ଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ବିଚ୍ଛିନ୍ନ ହୋଇପଡ଼ିଥିଲା। ଫଳରେ ଅଞ୍ଚଳର ଗମନାଗମନରେ ବାଧା ଉପୁଜିଥିଲା। ସେରଙ୍ଗ ଠାରୁ ନୁଆଗଡ ପର୍ଯ୍ୟନ୍ତ ୧୭ କିଲୋମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ଥିଲା। ଫଳରେ ଅତିରିକ୍ତ ପ୍ରାୟ ୮୦ କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଥିଲା। ଯାହାକୁ ନେଇ ଦୀର୍ଘ ଦିନ ଧରି ଏହି ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିଲେ ଅଞ୍ଚଳବାସୀ। ଏବେ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଏବେ ଆରମ୍ଭ ହୋଇଛି, ଏହାକୁ ନେଇ ଗ୍ରାମାଞ୍ଚଳର ବିକାଶ ହେବା ଆଶା କରାଯାଇଛି।‎

ଜିଲ୍ଲାର ଗମନାଗମନ କ୍ଷେତ୍ରରେ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ପୂର୍ତ୍ତ ବିଭାଗ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ଏନେଇ ୪୦ କୋଟି ୨୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। ରାସ୍ତା ପ୍ରଶସ୍ତିକରଣ ଓ ପାହାଡିଆ ରାସ୍ତା ଖୋଳି ସମସ୍ତ ବୁଲାଣି ଗୁଡ଼ିକ ସରଳୀକରଣ କରାଯିବ । ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ରାସ୍ତା ନିର୍ମାଣର ଗୁଣବତ୍ତା ଓ ମାନ ଉପରେ ଗୁରୁତ୍ବ ଦିଆଯିବ ବୋଲି ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ। ଜିଲ୍ଲାର ବିକାଶ କ୍ଷେତ୍ରରେ ସହାୟକ ହେବ ଏହି ରାସ୍ତା । ତେବେ ଧାର୍ଯ୍ୟ ସମୟ ମଧ୍ୟରେ ପୂର୍ତ୍ତ ବିଭାଗ କାର୍ଯ୍ୟ ଶେଷ କରିପାରୁଛି କି ନାହିଁ, ତା ଉପରେ ନଜର।

ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ଫୁଲବାଣୀ ଗୁଡାରୀ ଏୟାର୍ ଷ୍ଟ୍ରିପ

କନ୍ଧମାଳ : କେବେ କାର୍ଯ୍ୟକ୍ଷମ ହେବ ଗୁଡ଼ାରୀ ଏୟାର ଷ୍ଟ୍ରିପ ? ପ୍ରତିଶୃତିରେ ଅଟକିଗଲା କି କାନ୍ଧମାଳର ବିକାଶ ? ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ଏୟାର ଷ୍ଟ୍ରିପ । ଉନ୍ନତିକରଣ ସହ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି। ପର୍ଯ୍ୟଟନ ସ୍ଥଳୀ ପାଇଁ ପ୍ରସିଦ୍ଧି ଲାଭ କରିଛି କନ୍ଧମାଳ । ବଣ ପାହାଡ଼ ଘେରା ସବୁଜିମାରେ ପରିପୂର୍ଣ୍ଣ ହୋଇଥିବାରୁ ଏଠାକୁ ଟାଣି ହୋଇ ଆସନ୍ତି ପର୍ଯ୍ୟଟକ l କିନ୍ତୁ ଜିଲ୍ଲାକୁ ଯାତାୟାତ ପାଇଁ ବସ୍ ସେବା ଛଡା ଅନ୍ୟ କୌଣସି ସୁବିଧା ନାହିଁ l ଏଠି ରେଳର ସୁବିଧା ମଧ୍ୟ ନାହିଁ । ତେଣୁ ବିଦେଶୀ ପର୍ଯ୍ୟଟକ ଆସି ପାରୁନାହାନ୍ତି l ସେପଟେ ଫୁଲବାଣୀ ଗୁଡାରୀ ଏୟାର୍ ସ୍ଟ୍ରିପ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ଏହି ଏୟାର୍ ସ୍ଟ୍ରିପ କୁ ରାଜ୍ୟ ସରକାର ଉଡ଼ାଣ ଯୋଜନାରେ ସାମିଲ କରି ଉନ୍ନତିକରଣ କଲେ ବିଦେଶୀ ପର୍ଯ୍ୟଟକ ଆସିପାରିବେ ବୋଲି ବୁଦ୍ଧିଜୀବୀ କହିଛନ୍ତି।
ରାଜ୍ୟ ସରକାର ଫୁଲବାଣୀର ଏହି ଏୟାର୍ ସ୍ଟ୍ରିପ କୁ ଉଡାଣ ଯୋଜନାରେ ସାମିଲ କରିଥିବା ମନ୍ତ୍ରୀ କହିଥିଲେ l କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ସ୍ଥିତି ଯଥା ପୂର୍ବଂ ତଥା ପରଂ । ତେବେ ଏହି ଜିଲ୍ଲାରେ ଯଦି ଛୋଟ ଜାହାଜ ଆସେ ବୌଦ୍ଧ ସମେତ ଆଖ ପାଖ ୩ରୁ ୪ ଜିଲ୍ଲା ଉପକୃତ ହେବେ ବୋଲି ବୌଦ୍ଧ ବିଧାୟକ କହିଛନ୍ତି l ଅନ୍ୟପଟେ ଦାରିଙ୍ଗବାଡ଼ିକୁ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି l ବାଲିଗୁଡାରେ ମଧ୍ୟ ଜାଗା ଚିହ୍ନଟ ହୋଇଛି l କନ୍ଧମାଳର ଭୌଗଳିକ ସ୍ଥିତି କୁ ଦେଖି ବାଲିଗୁଡ଼ା ଠାରେ ଏକ ହେଲିପ୍ୟାଡ଼ ଓ ଗୁଡ଼ାରୀ ଏୟାର ସ୍ଟ୍ରିପ ପାଇଁ ଦୁଇଟି ପ୍ରପୋଜାଲ ହେଉଥିବା କନ୍ଧମାଳ ଜିଲାପାଳ କହିଛନ୍ତି । ଏହି ଏୟାର ଷ୍ଟ୍ରିପ କାର୍ଯ୍ୟକାରୀ ହେଲେ ଜିଲ୍ଲାର ବିକାଶ ହେବା ସହ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବ। ଆର୍ଥିକ ଅଭିବୃଦ୍ଧି ସହିତ ବେକାର ଯୁବକ ଯୁବତୀ ରୋଜଗାର କ୍ଷମ ହୋଇପାରିବେ l

କାଲି ମିଛ ପୋଲିସ ସାଜି ସୁନା ଲୁଟିଥିଲେ, ଆଜି ସତ ପୋଲିସ ହାତରୁ ଗୁଳି ଖାଇଲେ

ଅନୁଗୋଳ : ଫିଲ୍ମ ଷ୍ଟାଇଲରେ ଲୁଟ୍। ପାୱାର ଦେଖାଇଲା ପୋଲିସ। କାଲି ମିଛ ପୋଲିସ ସାଜି ସୁନା ଲୁଟିଥିଲେ। ଆଜି ସତ ପୋଲିସ ହାତରୁ ଗୁଳି ଖାଇଲେ । ୧୨ ଘଣ୍ଟା ନ ପୁରୁଣୁ ଅନୁଗୋଳ ପୋଲିସର ଏନକାଉଣ୍ଟର। ୨ ଦୁର୍ଦ୍ଦାନ୍ତ ଲୁଟେରାଙ୍କୁ ଏନକାଉଣ୍ଟର । ମହାରାଷ୍ଟ୍ରର ଦୁଇ ଦୁର୍ଦ୍ଦାନ୍ତ ଲୁଟେରା ସଚିନ ଗାଜଗେ ଓ ପ୍ରକାଶ ମାହାନେଙ୍କ ଗୋଡ଼ରେ ବାଜିଛି ଗୁଳି । ଅଭିଯୁକ୍ତମାନେ ପୋଲିସ ଉପରେ ଗୁଳି ଚଳାଇବା ପରେ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହାସହ ଗ୍ୟାଙ୍ଗର ଅନ୍ୟ ଦୁଇ ସଦସ୍ୟ ରାଜେଶ୍ ମାଡନେ ଓ ଦେବ ପ୍ରଭାକର ଲୋଖଣ୍ଡେକୁ ମଧ୍ୟ ଗିରଫ କରିଛି ପୋଲିସ । ଗତକାଲି ତାଳଚେରର ଏକ ସୁନା ରିଫାଇନେରୀ ଦୋକାନରୁ ପୋଲିସର ପରିଚୟ ଦେଇ ଲୁଟିଥିଲେ ସୁନା ।

ପୂରା ଘଟଣା ଥିଲା ଏପରି। ନିଜକୁ ପୋଲିସ ଓ ଇନକମଟାକ୍ସ କର୍ମଚାରୀର ପରିଚୟ ଦେଇ ସୁନା ଲୁଟିଥିଲେ। ତାଳଚେର ହାଟତୋଟା ଅଞ୍ଚଳରେ ଥିବା ‘ଶ୍ରୀ ବାଲାଜୀ ଗୋଲ୍ଡ ଆଣ୍ଡ ସିଲଭର ରିଫାଇନାରୀ’ ଦୋକାନରେ ପଶିଥିଲେ ଏହି ୪ ଜଣ ଲୁଟେରା । ଦୋକାନରୁ ପ୍ରାୟ ୨୯୦ ଗ୍ରାମର ସୁନା ସହ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଥିଲେ । ଏପରିକି ଦୋକାନର କର୍ମଚାରୀଙ୍କୁ ଉଠାଇ ନେଇ ଅନୁଗୋଳ ସହର ନିକଟରେ ଛାଡ଼ିଦେଇ ଛୁ ମାରିଥିଲେ। କଳା ରଙ୍ଗର ଦାମୀ କାରରେ ଆସି କିଭଳି ଦୋକାନୀଙ୍କୁ ବୋକା ବନେଇ ଲୁଟିନେଲେ, ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା । ଦୋକାନ କର୍ମଚାରୀଙ୍କ ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଥିଲା ଅନୁଗୋଳ ପୋଲିସ। ଏସପିଙ୍କ ନିର୍ଦ୍ଦେଶରେ ୫ ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ଷ୍ଟିଙ୍ଗ ଅପରେସନ କରି ଅଭିଯୁକ୍ତଙ୍କୁ କାବୁ କରିଛି। ମାତ୍ର ୧୨ ଘଣ୍ଟା ଭିତରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କରି ଅନୁଗୋଳ ପୋଲିସ ସହରବାସୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି।

ମସ୍କୋର ବୃହତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନର  ଡ୍ରୋନ୍ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଋଷିଆ-ୟୁକ୍ରେନ ଯୁଦ୍ଧ ଏବେ ଅତି ଭୟଙ୍କର ମୋଡ଼ ନେଇଥିବା ବେଳେ ଗୁରୁବାର ଭୋର ସମୟରେ ୟୁକ୍ରେନ ସେନା ରୁଷିଆର ରାଜଧାନୀ ମସ୍କୋସ୍ଥିତ ଏକ ପ୍ରମୁଖ ତୈଳ ବିଶୋଧନାଗାର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି।

 ଗୁରୁବାର ଭୋର ସମୟରେ ୟୁକ୍ରେନ ସେନା ରୁଷିଆର ରାଜଧାନୀ ମସ୍କୋସ୍ଥିତ ଏକ ପ୍ରମୁଖ ତୈଳ ବିଶୋଧନାଗାର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି। ଚଳିତ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ବଡ଼ ଆକ୍ରମଣ ଅଟେ। ମସ୍କୋର ମେୟର ସରଗେଇ ସୋବ୍ୟାନନିନ୍ ସୋସିଆଲ ମିଡିଆ ଆପ୍ ‘ଟେଲିଗ୍ରାମ୍’ ଜରିଆରେ ସ୍ପଷ୍ଟ କରିଛନ୍ତି ଯେ, କିଭ୍ ପକ୍ଷରୁ କରାଯାଇଥିବା ଏହି ବ୍ୟାପକ ସାମରିକ ଅଭିଯାନ ସମୟରେ ମସ୍କୋର ଦକ୍ଷିଣ-ପୂର୍ବ ଜିଲ୍ଲା କାପୋତନ୍ୟାରେ ଥିବା ତୈଳ ବିଶୋଧନାଗାରକୁ ଏକାଧିକ ଆତ୍ମଘାତୀ ଡ୍ରୋନ୍ ମାଡ କରାଯାଇ ବଡ଼ ବିସ୍ଫୋରଣ ଘଟିଛି। ରୁଷିଆର ବାୟୁ ପ୍ରତିରକ୍ଷା ବାହିନୀ ତୁରନ୍ତ ସକ୍ରିୟ ହୋଇ ରାଜଧାନୀ ଆଡ଼କୁ ମାଡ଼ି ଆସୁଥିବା ୪୮ରୁ ଉର୍ଦ୍ଧ୍ୱ ୟୁକ୍ରେନୀୟ ଡ୍ରୋନକୁ ଆକାଶରେ ହିଁ ଗୁଳି କରି ଧ୍ୱଂସ କରିଦେଇଛନ୍ତି, ମାତ୍ର କିଛି ଡ୍ରୋନ୍ କାପୋତନ୍ୟା ରିଫାଇନେରୀ ଉପରେ ପଡ଼ିବାରେ ସଫଳ ହୋଇଥିଲେ।

ଏହି ସାଂଘାତିକ ଆକ୍ରମଣ ରୁଷିଆର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ରଣନୈତିକ ତଥା ଶକ୍ତି କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଅଚଳ କରିବା ପାଇଁ ୟୁକ୍ରେନର ଦୂରଗାମୀ ରଣନୀତିକୁ ପ୍ରମାଣିତ କରୁଛି। ମେୟର ସୋବ୍ୟାନନିନ୍ ସୂଚନା ଦେଇଛନ୍ତି ଯେ, ସହର ଉପରେ ହୋଇଥିବା ଏହି ବଡ଼ ଆକ୍ରମଣକୁ ପ୍ରତିହତ କରିବା ପାଇଁ ରୁଷ ସେନା ଏବେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ରକ୍ଷଣାତ୍ମକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ତେବେ ଏହି ଆକ୍ରମଣ ଯୋଗୁଁ ତୈଳ ବିଶୋଧନାଗାରର କେତେ ପରିମାଣର କ୍ଷତି ହୋଇଛି କିମ୍ବା ଏଥିରେ କେହି ମୃତାହତ ହୋଇଛନ୍ତି କି ନାହିଁ, ସେ ନେଇ ରୁଷ ପ୍ରଶାସନ ପକ୍ଷରୁ କୌଣସି ଆଧିକାରିକ ସୂଚନା ପ୍ରଦାନ କରାଯାଇ ନାହିଁ।